spot_img
Home Blog Page 2281

ଭାରସାମ୍ୟ ହରାଇ ଓଲଟିପଡ଼ିଲା କାର୍, ୪ ମହିଳା ଆହତ

ବ୍ରହ୍ମପୁର: ଭାରସାମ୍ୟ ହରାଇ ଓଲଟିଲା କାର । ଡ୍ରାଇଭରଙ୍କ ସହ ୪ ମହିଳା ଆହତ । ବ୍ରହ୍ମପୁର ସହରର ଚାରି ଜଣ ମହିଳାଙ୍କ ସମେତ ଡ୍ରାଇଭର ଏକ କାର ଯୋଗେ ମହେନ୍ଦ୍ରଗିରି ବୁଲିବାକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ଭାରସାମ୍ୟ ହରାଇ କାରଟି ୩୦ ଫୁଟ ପାହାଡ଼ ତଳକୁ ଖସି ପଡିଥିଲା l ଫଳରେ କାରରେ ଥିବା ସମସ୍ତେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ କଇଁପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l

ହରିଶଙ୍କର ଯାଉଥିବା ପିକନିକ ବସକୁ ପିଟିଲା ଟ୍ରକ, ୩ ମୃତ

ନୟାଗଡ଼: ଦଶପଲ୍ଲା ଶାଳଭଙ୍ଗା ଛକ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା। ଦଶପଲ୍ଲାରୁ ହରିଶଙ୍କର ଯାଉଥିବା ପିକନିକ ବସକୁ ପିଟିଲା ଚାଉଳ ବୋଝେଇ ଟ୍ରକ। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ବାଣିଗୋଚ୍ଛା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଆହତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆଜିଠୁ ଶୀତରେ ଥରିବ ଓଡ଼ିଶା, କଲବଲ କରିବ କୁହୁଡ଼ି

ଭୁବନେଶ୍ବର: ବର୍ଷାରେ ଲାଗିଲା ବ୍ରେକ, ଆଜିଠୁ ହେବ ପ୍ରବଳ ଜାଡ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଶୀତ ସହ ଘନ କୁହୁଡି କରିବ କଲବଲ । ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ପବନ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ସ୍ବାଭାବିକଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ଶୀତ ଲହରୀ ନେଇ ସତର୍କତା ଜାରି କରାଯାଇଛି। ଶୀତ ଲହରୀ ସମୟରେ ଶିଶୁ ଏବଂ ବୟସ୍କ ଲୋକଙ୍କୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଏହାସହ ରାତିରେ ବାଇକରେ ଲଙ୍ଗଡ୍ରାଇଭରେ ଯିବାକୁ ବାରଣ କରାଯାଇଛି। ପ୍ରବଳ ଜାଡ ନେଇ ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଏବଂ ଝାରସୁଗୁଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେପଟେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ପ୍ରବଳ ଜାଡ ସହ ଅସ୍ତବ୍ୟସ୍ତ କରିବ ଘନ କୁହୁଡି। ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ଘନ କୁହୁଡି ସମ୍ଭାବନା ଥିବାରୁ  ସତର୍କ କରାଇଛି ପାଣିପାଗ କେନ୍ଦ୍ର। ଆଜି ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଘନ କୁହୁଡି ସମୟରେ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ମିଟର ରହିବ ବୋଲି ଆକଳନ କରାଯାଇଛି। ତେଣୁ ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ

ପୁରୀ: ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ। ଶ୍ରୀମନ୍ଦିରରେ ପାରମ୍ପରିକ ରୀତିରେ ଶ୍ରୀନଅର ପରିସରରେ ଗଜପତି ମହାରାଜାଙ୍କ ରାଜା ଅଭିଷେକ ନୀତି କରାଯାଉଛି। ପରମ୍ପରା ଅନୁସାରେ ପୁଷ୍ୟା ନକ୍ଷତ୍ର ତିଥିରେ ଗଜପତି ମହାରାଜା ଆଜି ସିଂହାସନ ଆରୋହଣ କରିବା ସହ ପୁଷ୍ୟାଭିଷେକ ନୀତି ଶ୍ରୀନଅରରେ ସମାପନ କରିଥାନ୍ତି।

ଅଭିଷେକ ନୀତି ପୂର୍ବରୁ ଶ୍ରୀନଅରରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନୀ କଳସୀ ପୂଜା ଏବଂ ରାମାଭିଷେକ ପଟିପୂଜା କରାଯାଇଥିଲା। ପରେ ବନ୍ଦାପନା କରାଯାଇ ଗଜପତିଙ୍କୁ ପଇତାଲାଗି ଏବଂ ମହାପ୍ରସାଦ ପ୍ରଦାନ କରାଯିବାର ବିଧି ସଂପନ୍ନ ହୋଇଥିଲା। ସେହିପରି ଗଜପତି ତାଙ୍କର ପାରମ୍ପରିକ ବେଶରେ ଗାଦିକୁ ବିଜେ କରିବା ପରେ ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତମାନେ ତାଙ୍କୁ ନଡ଼ିଆ ଏବଂ ପଇତା ପ୍ରଦାନ କରିବା ସହିତ ଗଜପତିଙ୍କୁ ଆଶୀର୍ବାଦ କରିଥାନ୍ତି।

ମା’ଙ୍କ ଆଶୀର୍ବାଦ ପାଇଁ ସମଲେଇ ପ୍ରକଳ୍ପ ସାକାର ହୋଇପାରିଛି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆସନ୍ତାକାଲି ସମଲେଶ୍ବରୀ ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ଏହାପୂର୍ବରୁ ରାଜ୍ୟବାସୀଙ୍କୁ ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମାଆ ସମଲେଶ୍ବରୀ ହେଉଛନ୍ତି ସାରା ଓଡିଶାର ଆରାଧ୍ୟ ଦେବୀ। ସେ ହେଉଛନ୍ତି ଲୋକଙ୍କ ବିଶ୍ବାସର ଦେବୀ। ଭକ୍ତଙ୍କ ଆସ୍ଥା ଓ ପ୍ରାଣ କେନ୍ଦ୍ର ହେଉଛି ସମଲେଶ୍ବରୀ ମନ୍ଦିର। କୋଟିକୋଟି ଶ୍ରଦ୍ଧାଳୁଙ୍କର ଭାବ ମାଆଙ୍କର ଆସ୍ଥାନ ସହ ଯୋଡି ହୋଇଛି।

ଲୋକଙ୍କର ସେହି ଭାବ ଓ ଆବେଗକୁ ସମ୍ମାନ ଜଣାଇ ମାଆଙ୍କ ମନ୍ଦିରର ରୂପାନ୍ତରଣ କରାଯାଇଛି। ମାଆଙ୍କର ସବୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ସ୍ବପ୍ନର ପ୍ରକଳ୍ପ ହେଉଛି ସମଲେଇ ପ୍ରକଳ୍ପ। ମାଆଙ୍କର ଆଶୀର୍ବାଦରେ ଏହି ପ୍ରକଳ୍ପ ସାକାର ହୋଇଛି। ନବୀନ କହିଛନ୍ତି, କୋଭିଡ ଯୋଗୁ ବହୁତ ଅସୁବିଧା ସତ୍ତ୍ବେ ରେକର୍ଡ ସମୟରେ ମାଆଙ୍କ କୃପାରୁ ପ୍ରକଳ୍ପ ରୂପାନ୍ତରିତ ହୋଇଛି।

ସମଲେଇ ପୀଠ ରୂପାନ୍ତରଣ ୪ଟି ଲକ୍ଷ୍ୟ ରହିଛି। ପ୍ରକଳ୍ପରେ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି। ଯେଉଁଠାରେ ଭକ୍ତ ଓ ଶ୍ରଦ୍ଧାଳୁ ଦିବ୍ୟ ଅନୁଭବ ପାଇବେ। ଏହି ପ୍ରକଳ୍ପ ସାରା ଓଡିଶାର ପର୍ଯ୍ୟଟନ ଓ ଅର୍ଥନୀତି ଆଗକୁ ବଢାଇବ। ପ୍ରକଳ୍ପରେ ମହାନଦୀ ଘାଟ ପ୍ରସ୍ତୁତ ହୋଇଛି। ଯେଉଁଠାରେ ହଜାର ହଜାର ଶ୍ରଦ୍ଧାଳୁ ଏକାସଙ୍ଗେ ମହାନଦୀ ଆଳତି ଦେଖିପାରିବେ। ପ୍ରକଳ୍ପର ସଫଳତାର ଆମ ଭାଇଚାରା ଓ ମାଆଙ୍କର ଆମର ପ୍ରତି ଥିବା ବିଶେଷ ଆଶୀର୍ବାଦର ଫଳ।

5T ରୂପାନ୍ତରଣରେ ୪ ଏକର ଜାଗାରେ ଥିବା ମୂଳ ମନ୍ଦିର ଏବେ ୩୮ ଏକରରେ ଝଟକୁଛି। ଦିନକୁ ଦିନ ମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବଢୁଛି। ଭବିଷ୍ୟତକୁ ଦୃଷ୍ଟିର ରଖି ଏହି ପ୍ରକଳ୍ପ କରାଯାଇଛି। ଯାହାକି ଶହଶହ ବର୍ଷ ପର୍ଯ୍ୟନ୍ତ ଭକ୍ତଙ୍କୁ ଅସୁବିଧା ଭୋଗିବାକୁ ଦେବେନି। ପ୍ରକଳ୍ପରେ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ଦେଖିବାକୁ ମିଳୁଛି। ମାଆଙ୍କର ପୂଜା ସୁବିଧାରେ କରିପାରେବେ। ସେଥିପାଇଁ ସବୁଠାରୁ ବେଶୀ ଧ୍ୟାନ ଦିଆଯାଇଛି।

ସେ ଆହୁରି କହିଛନ୍ତି, ଏବେ ଶ୍ରଦ୍ଧାଳୁମାନେ ଦିବ୍ୟ ଭାବେ ମାଆଙ୍କର ପୂଜା ସହ ଦର୍ଶନ କରିପାରିବେ। ଚୈତ୍ର ନବରାତ୍ର ହେଉ କି ଦଶହରା ନବରାତ୍ର। ବେଶି ଭିଡ ସମୟରେ ବି ଆଉ ଭକ୍ତଙ୍କର ଅସୁବିଧା ହେବନି। ଏକାକାର ହୋଇ ସମସ୍ତେ ମନ୍ଦିରରେ ପୂଜା କରିବେ। ମନ୍ଦିର ରୂପାନ୍ତରଣ ପାଇଁ ଯେଉଁମାନେ କାରିଗର, ଶିଳ୍ପୀ ସେମାନଙ୍କର ଅବଦାନ ଦେଇଛନ୍ତି ଓ ଜମି ଦାନ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସେମାନଙ୍କ ସହଯୋଗ ଓଡିଶା ମନେ ରଖିବ ବୋଲି ନବୀନ କହିଛନ୍ତି। ଶୁଭ ଲୋକାର୍ପଣ ଉତ୍ସବରେ ଆମେ ସବୁ ଏକ ହୋଇ ମାଆ ସମଲେଶ୍ବରୀଙ୍କର ଆରାଧନା କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

୨୦୨୩-୨୪ରେ ମୁଣ୍ଡ ପିଛା ଆୟ ସବୁଠୁ କମ ହେବ; କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନର ଆକଳନ

ନୂଆଦିଲ୍ଲୀ: ୨୧ ବର୍ଷର ରେକର୍ଡ ଭାଙ୍ଗି ୨୦୨୩-୨୪ରେ ମୁଣ୍ଡ ପିଛା ଆୟ ସବୁଠୁ କମ ହେବ । ଏନେଇ ଏବେଠାରୁ ଆକଳନ କରିଛି କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ । ଅଭିବୃଦ୍ଧି ବଢିଲେ ବି ଲୋକଙ୍କ ଆୟ ବଢୁନି । ବେରୋଜଗାରୀ ଓ ମହଙ୍ଗା ବଜାର ଯୋଗୁ ଲୋକଙ୍କ କ୍ରୟ ଶକ୍ତି କମି ଚାଲିଛି। କୋଭିଡ ପରଠାରୁ ବେରୋଜଗାରୀ ସଂଖ୍ଯା ଦ୍ରୁତଗତିରେ ବଢିବା ଫଳରେ ମୁଣ୍ଡପିଛା ଆୟ ପ୍ରଭାବିତ ହୋଇଛି। କିନ୍ତୁ ବଡ଼ କଥା ହେଲା ରାଜ୍ୟମାନେ ଏ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛନ୍ତି।

ଓଡ଼ିଶାରେ ମୁଣ୍ଡପିଛା ଆୟ ୧୦ ପ୍ରତିଶତରୁ ଅଧିକ ରହିଛି। ଅନ୍ୟପଟେ ଜାତୀୟ ସ୍ତରର ହିସାବକୁ ଦେଖିଲେ ୨୦୧୯-୨୦ରେ ଲୋକଙ୍କ ମୁଣ୍ଡପିଛା ଆୟ ୧ ଲକ୍ଷ ୮୫ ହଜାର ୮୫୪ ଟଙ୍କା ଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ଏହା କମି ୧ ଲକ୍ଷ ୭୨ ହଜାର ୨୭୬ରେ ପହଞ୍ଚିଛି। ଯାହାକି ମାତ୍ର ୫.୧ ପ୍ରତିଶତ। କେବଳ ୨୦୦୨-୦୩ ମସିହାରେ ଜାତୀୟ ସ୍ତରରେ ମୁଣ୍ଡ ପଛା ଆୟ ୬.୨ ପ୍ରତିଶତକୁ ବୃଦ୍ଧି ହୋଇଥିଲା। ରୋଜଗାର ସୃଷ୍ଟି ନେଇ କେନ୍ଦ୍ର ସରକାର ଯାହା ଦାବି କରୁଛନ୍ତି ତାହା ବାସ୍ତବତାରେ ପ୍ରତିଫଳିତ ହେଉନି ବୋଲି ଅଭିଯୋଗ ହୋଇଛି।

କେନ୍ଦ୍ର ସରକାର ରୋଜଗାର ସୃଷ୍ଟି ପାଇଁ ସେପରି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି। ଅନ୍ୟପଟେ ପ୍ରତ୍ଯକ୍ଷ ବିଦେଶୀ ପୁଞ୍ଜି ଆକୃଷ୍ଟ କରି ରାଜ୍ୟର ରୋଜଗାର ସୃଷ୍ଟି କରିପାରିଛନ୍ତି ରାଜ୍ୟ । ଓଡ଼ିଶା ଏ କ୍ଷେତ୍ରରେ ବେଶ ଆଗୁଆ ଥିବାବେଳେ ଅପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ଆକୃଷ୍ଟ କରିବାରେ ଓଡ଼ିଶା ରେକର୍ଡ କରିଛି। ବିଶ୍ବର ସର୍ବବୃହତ ଇସ୍ପାତ କାରଖାନା ହେଉ କି ୬୦ ହଜାର କୋଟିରେ ବିଶ୍ବର ପ୍ରଥମ ଗ୍ରୀନ ଆମୋନିଆ ପ୍ଲାଣ୍ଟ୍। ୪୦ ହଜାର କୋଟିର ଇଭି ପ୍ଲାଣ୍ଚ ରାଜ୍ୟ ସରକରାରଙ୍କ ଶିଳ୍ପ ନୀତି ବିଦେଶୀ ପୁଞ୍ଜି ନିବେଶକାରୀଙ୍କ ପ୍ରଥମ ପସନ୍ଦ ପାଲଟିଛି। ଏ କ୍ଷେତ୍ରରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଫେଲ୍ ମାରିଥିବା ଅର୍ଥନୀତି ସମୀକ୍ଷକ ମତ ରଖିଛନ୍ତି।

ବୋରିଗୁମ୍ମାରେ ସଡକ ଦୁର୍ଘଟଣା; ୩ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଘୋଷଣା

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ସଡକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାରବର୍ଗକୁ ସେ ଗଭୀର ସମବେଦନା ଜଣାଇଛନ୍ତି। ଏଥିସହିତ ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ମଧ୍ୟ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ।

ଏହା ସହିତ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଅଧିକ ପଢନ୍ତୁ:- ଅଟୋକୁ ପିଟିଲା ସ୍କର୍ପିଓ, ଦୁର୍ଘଟଣାରେ ୩ ମୃତ

କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ; ବଖାଣିଲା ବିକାଶର ଗାଥା

ନୂଆଦିଲ୍ଲୀ: ରାଜ୍ୟ ବିକାଶର ଗାଥା ଶୁଣାଇଥିଲେ ୧୩ଟି ପ୍ରଜ୍ଞାପନ ମେଢ। ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ସ୍ଥାନ ପାଇଥିଲା। ଏଥିରେ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ସହିତ ଗ୍ରାମୀଣ ବିକାଶକୁ ଫୋକସ୍ କରାଯାଇଛି। କୃଷି ବିଭାଗର ପ୍ରଜ୍ଞାପନ ମେଢରେ ମିଲେଟ୍ ସମ୍ମିଳନୀ, କିଷାନ ଡ୍ରୋନ୍, କାଳିଆ ଛାତ୍ରବୃତ୍ତି ପ୍ରମୁଖ ସ୍ଥାନ ପାଇଥିଲା।

ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିବା ବେଳେ ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ଲକ୍ଷ୍ମୀ ଯୋଜନା ଫୋକସ୍ କରାଯାଇଥିଲା। ଗୃହ ଉନ୍ନୟନ ବିଭାଗ ଡ୍ରିଙ୍କ ଫ୍ରମ୍ ଟ୍ୟାପ, ଜଳସାଥୀ ପ୍ରଜ୍ଞାପନ ମେଢରେ ସ୍ଥାନ ପାଇଥିଲା। ବରିଷ୍ଠ ନାଗରିକଙ୍କ ପାଇଁ ସରକାରଙ୍କ ତୀର୍ଥଯାତ୍ରା ଯୋଜନାକୁ ଦର୍ଶାଇଥିଲା ପର୍ଯ୍ୟଟନ ବିଭାଗ।

ସେହିପରି ଗଣଶିକ୍ଷା ବିଭାଗର ପ୍ରଜ୍ଞାପନ ମେଢରେ ଫାଇଭ୍-ଟି ସ୍କୁଲ ରୂପାନ୍ତରଣ ପ୍ରଦର୍ଶିତ ହୋଇଥିଲା। ସେହିପରି ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାକୁ ମଧ୍ୟ ଫୋକସ୍ କରାଯାଇଥିଲା।

ମାଲଦ୍ୱୀପ ରାଷ୍ଟ୍ରପତିଙ୍କ ବଦଳିଲା ଆଭିମୁଖ୍ୟ, କହିଲେ ଭାରତ ଓ ଆମ ସମ୍ପର୍କ ଶତାବ୍ଦୀ ପୁରୁଣା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷ୍ମୀଦୀପର ଫଟୋକୁ ନେଇ ବିବାଦ ପରେ ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ସମ୍ପର୍କ ଏତେଟା ଭଲ ନାହିଁ । ଏଭଳି ସମୟରେ ରାଷ୍ଟ୍ରପତି ମୋଇଜୁ ଗଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇବା ସହ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଶଂସା କରିଛନ୍ତି।

ମାଲଦ୍ୱୀପ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତି ଅନୁଯାୟୀ, ମୋଇଜୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗଣତନ୍ତ୍ର ଦିବସରେ ଅଭିନନ୍ଦନ ଜଣାଇଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏବଂ ପାରସ୍ପରିକ ସମ୍ମାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ଭାରତ ପାଇଁ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି କାମନା କରି ମାଲଦ୍ୱୀପବାସୀ ଓ ସରକାରଙ୍କ ତରଫରୁ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମାଲଦ୍ୱୀପ ଏବଂ ଭାରତ ମଧ୍ୟରେ ବନ୍ଧୁତା ହେଉଛି ଶତାବ୍ଦୀ ପୁରୁଣା।

ତେବେ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଲାକ୍ଷାଦ୍ୱୀପ ଗସ୍ତରେ ଯାଇ ସେଠାକାର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିଥିଲେ। ଯାହାକୁ ନେଇ ମାଲଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ୱୀପ ଗସ୍ତର କିଛି ଫଟୋ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ସେବେଠାରୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ବିବାଦ ଘନେଇଥିଲା। ଏହି ବିବାଦ ଅତ୍ୟଧିକ ଘନେଇବା ପରେ ମାଲଦ୍ୱୀପର ୩ ମନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଥିଲା।

ଅଟୋକୁ ପିଟିଲା ସ୍କର୍ପିଓ, ଦୁର୍ଘଟଣାରେ ୩ ମୃତ

ବୋରିଗୁମ୍ମା: ସଡ଼କ ଦୁର୍ଘଟଣାରେ ୩ ମୃତ, ୧୩ ଜଣ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ବିଜାପୁର ଛକ ନିକଟରେ। ଏକ ଅଟୋକୁ ଦ୍ରୁତଗତିରେ ଆସୁଥିବା ସ୍କର୍ପିଓ ପଛପଟୁ ଧକା ଦେଇଛି।

ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ଅଟୋରେ ଥିବା ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମଧ୍ୟରୁ ୪ଜଣଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ବୋରିଗୁମ୍ମା ମେଡିକାଲରେ ଅନ୍ୟ ୯ଜଣ ଭର୍ତି ହୋଇଛନ୍ତି। ତେବେ ଘଟଣାରେ ବୋରିଗୁମ୍ମା ପୋଲିସ ତଦନ୍ତ କରୁଛି।