ଇସଲାମବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡ । ସିଫର ମାମଲାରେ କୋର୍ଟ ୧୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । ଏହି ମାମଲାରେ ଇମ୍ରାନଙ୍କ ସହ ତାଙ୍କ ସହଯୋଗୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀଙ୍କୁ ମଧ୍ୟ କୋର୍ଟ ୧୦ ବର୍ଷ ସଜା ଶୁଣାଇଛନ୍ତି । ଦେଶ ସୁରକ୍ଷାରେ ଜଡି଼ତ ସିଫର ମାମଲା ବେଶ ସମ୍ବେଦନଶୀଳ ବୋଲି କୁହାଯାଉଛି । ଯେଉଁଥିରେ ଇମ୍ରାନ ନିଜ ବ୍ୟକ୍ତିଗତ ଫାଇଦା ପାଇଁ ଦେଶର ଟପ ସିକ୍ରେଟକୁ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । କ୍ଷମତାରୁ ବେଦଖଲ ହେବା ପରେ ଇମ୍ରାନ ଆମେରିକାର ହାତ ଥିବା ସନ୍ଦେହ କରିଥିଲେ । ଆମେରିକାର ପ୍ରରୋଚନାରେ ତାଙ୍କୁ କ୍ଷମତାରୁ ବିତାଡିତ କରାଯାଇଛି ବୋଲି ଇମ୍ରାନ ଅଭିଯୋଗ ଆଣିଥିଲେ । ଏ ନେଇ ୱାଶିଂଟନସ୍ଥିତ ପାକ ରାଷ୍ଟ୍ରଦୂତ ଇମ୍ରାନଙ୍କୁ ଗୋଟିଏ ଗୁପ୍ତ କେବଲ ବା ଟେପ ପଠାଇଥିଲା । ଏହାପରେ ଇମ୍ରାନ ନିଜ ରାଜନୈତିକ ଫାଇଦା ପାଇଁ ଉକ୍ତ ଟେପକୁ ସାର୍ବଜନୀନ କରିଦେଇଥିଲେ । ଯାହାକୁ ସିଫର କୁହାଯାଉଛି ।
ଜଳଦସ୍ୟୁ କବଳରୁ ୧୯ ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା
ନୂଆଦିଲ୍ଲୀ : ଆରବ ସାଗରରେ ପୁଣିଥରେ ପରାକ୍ରମ ଦେଖାଇଲା ଭାରତୀୟ ନୌସେନା । ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ମାଛଧରା ଡଙ୍ଗା ସହ ମତ୍ସ୍ୟଜୀବୀଙ୍କୁ ଜଳଦସ୍ୟୁ ବା ଲୁଟେରାଙ୍କ କବଳରୁ ରକ୍ଷା କରିଛି ଭାରତୀୟ ନୌସେନା ଜାହାଜ ‘ଆଇଏନଏସ ସୁମିତ୍ରା’ । ଗୋଟିଏ ଜାହାଜରୁ ୧୯ ଜଣ ପାକିସ୍ତାନୀ ଏବଂ ଅନ୍ୟ ଏକ ଜାହାଜରୁ ୧୭ ଜଣଙ୍କୁ ସୁମିତ୍ରା ଉଦ୍ଧାର କରିବାରେ ସଫଳ ହୋଇଛି ଭାରତୀୟ ନୌସେନା
ସୂଚନା ଅନୁଯାୟୀ ଆଇଏନଏସ ସୁମତ୍ରା ଇରାନୀୟ ଜାହଜକୁ ହାଇଜ୍ୟାକ୍ ହେବାରୁ ରକ୍ଷା କରିଥିଲା । ଏହାପରେ ପୁଣିଥିରେ ଆରବ ସାଗରରେ ସ୍ପେଶାଲ ଅପରେସନ ଦ୍ବାରା ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ଏଲ ନୀମି ନାମକ ଏକ ଜାହାଜ ଏବଂ ମତ୍ସଜୀବୀଙ୍କୁ ଉଦ୍ଧାର କରିଛି । ଏହି ଅପରେସନରେ ୧୯ ଜଣ କ୍ରୁ ମେମ୍ବର ଏବଂ ଜାହାଜକୁ ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କରିଛି ।
ସୂଚନା ଅନୁସାରେ, ୧୧ ଜଣ ସଶସ୍ତ୍ର ବାହିନୀ ପାକିସ୍ତାନୀ କ୍ରୁ ସଦସ୍ୟ ରହିଥିବା ନୀମି ନାମକ ଏକ ମତ୍ସ୍ୟଜୀବୀ ଜାହାଜକୁ ହାଇଜାକ କରି ନେଇଥିଲେ । ଉକ୍ତ ଜାହାଜରେ ୧୯ଜଣ ପାକିସ୍ତାନୀ କ୍ରୁ ସଦସ୍ୟ ରହିଥିଲେ । ତେବେ ଜଳଦସ୍ୟୁମାନଙ୍କର ଅପହରଣ ଅଭିଯାନକୁ ଭଣ୍ଡୁର କରିଥିଲା ସୁମିତ୍ରା । ଭାରତୀୟ ନୌସେନା ଜାହାଜ ‘ଆଇଏନଏସ ସୁମିତ୍ରା’ ଉକ୍ତ ହାଇଜାକ ଜାହାଜକୁ ଅଟକାଇ ୧୯ ଜଣ କ୍ରୁ ସଦସ୍ୟଙ୍କୁ ମୁକ୍ତ କରିଛି । କେରଳର କୋଚି ଉପକୂଳ ଠାରୁ ୮୫୦ ମାଇଲ ଦୂରରେ ଏହି ଅପରେସନ କରି ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ସୁମିତ୍ରା । ଜାହାଜରୁ ଉଦ୍ଧାର ହୋଇଥିବା ନାବିକମାନେ ଏବେ ସୁରକ୍ଷିତ ଅଛନ୍ତି। ଆରବ ସାଗରରେ ଜଳଦଶ୍ୟୁଙ୍କ ଏପରି କାଣ୍ତକୁ ଦେଖି ଭାରତୀୟ ନୌସେନା ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛି।
ଆମେରିକାରେ ଆଉ ଜଣେ ନିଖୋଜ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ଆଉଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ । ଗତ ଦୁଇ ଦିନ ମଧ୍ୟରେ ଆମେରିକାରେ ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ନିକଟରେ ଭାରତୀୟ ଛାତ୍ର ବିବେକ ସାଇନିଙ୍କୁ ଆଟଲାଣ୍ଟାର ଏକ ଦୋକାନରେ ନିଶା ସେବନ କରିଥିବା ଜଣେ ଯୁବକ ହାତୁଡ଼ିରେ ପିଟିପିଟି ହତ୍ୟା କରିଥିଲେ। ଏହି ଘଟଣା ପରେ ବର୍ତ୍ତମାନ ଚିକାଗୋର ଆଉ ଏକ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ମୃତ୍ୟୁ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ରବିବାର ବିଶ୍ୱବିଦ୍ୟାଳୟ ପରିସରରୁ ନିଖୋଜ ହୋଇଯାଇଥିବା ଛାତ୍ର ନିଲ ଆଚାର୍ଯ୍ୟଙ୍କ ମୃତ୍ୟୁକୁ ପୋଲିସ ନିଶ୍ଚିତ କରିଛି।
ପଶ୍ଚିମ ଲାଫାୟେଟର ୫୦୦ଏଲିସନ ରୋଡରେ ରବିବାର ସକାଳ ପ୍ରାୟ ସାଢେ ୧୧ଟା ସମୟରେ ଏକ ମୃତଦେହ ଜବତ ହୋଇଥିବା ସୂଚନା ମିଳିଥିବା ଅଧିକାରୀମାନେ କହିଛନ୍ତି। ଅନୁସନ୍ଧାନ ପରେ ଏହା ଏକ କଲେଜ ଯାଉଥିବା ଛାତ୍ରଙ୍କ ମୃତଦେହ ବୋଲି ଜଣାପଡିଛି। ମୃତକଙ୍କ ନାମ ଭାରତୀୟ ମୂଳ ଛାତ୍ର ନିଲ ଆଚାର୍ଯ୍ୟ ବୋଲି ଜଣାପଡିଛି।
ଏହାପୂର୍ବରୁ ରବିବାର ନିଲଙ୍କ ମା’ ଗୌରୀ ଆଚାର୍ଯ୍ୟ ଏକ୍ସରେ ପୋଷ୍ଟ କରି ତାଙ୍କ ପୁଅକୁ ଖୋଜିବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ। ସେ କହିଥିଲେ, ଆମ ପୁଅ ନିଲ ଆଚାର୍ଯ୍ୟ ଜାନୁଆରୀ ୨୮ରୁ ନିଖୋଜ ଅଛି। ସେ ଆମେରିକାର ପଡର୍ୟୁ ବିଶ୍ୱବିଦ୍ୟାଳୟର ଛାତ୍ର। ତାଙ୍କୁ ଶେଷ ଥର ପାଇଁ ଜଣେ ଉବର କ୍ୟାବ ଡ୍ରାଇଭର ପଡର୍ୟୁ ବିଶ୍ୱବିଦ୍ୟାଳୟରେ ଛାଡିଥିଲେ। ଆମେ ତାଙ୍କ ସୂଚନା ଚାହୁଁଛୁ। ଯଦି ଆପଣ କିଛି ଜାଣିଛନ୍ତି ତେବେ ଆମକୁ ସାହାଯ୍ୟ କରନ୍ତୁ।’
ତାଙ୍କ ପୋଷ୍ଟ ପରେ ଚିକାଗୋର କନସୁଲେଟ ଜେନେରାଲ ଟୁଇଟର ବା ଏକ୍ସରେ ପୋଷ୍ଟ କରିଛନ୍ତି ଯେ ସେମାନେ ସେ ବିଶ୍ୱବିଦ୍ୟାଳୟର ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ନିଲଙ୍କ ପରିବାର ସହ ମଧ୍ୟ ଏ ସମ୍ପର୍କରେ କଥାବାର୍ତ୍ତା କରୁଛନ୍ତି। ଦୂତାବାସ ମଧ୍ୟ ସମସ୍ତ ପ୍ରକାର ସହାୟତା ବିଷୟରେ କହିଥିଲେ। ପରେ ପଡର୍ୟୁ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ କ୍ରିସ କ୍ଲିଫଟନ ସୋମବାର ବିଭାଗ ଏବଂ ଅଧ୍ୟାପିକାଙ୍କୁ ଏକ ଇମେଲରେ ନିଲ ଆଚାର୍ଯ୍ୟଙ୍କ ମୃତ୍ୟୁକୁ ନେଇ ନିଶ୍ଚିତ କରିଛନ୍ତି।
ଆଜିଠୁ ଆରମ୍ଭ ଓଇଆରସିର ଜନଶୁଣାଣି ; ଏବର୍ଷ ବଢ଼ି ନପାରେ ବିଜୁଳି ଦର
ଭୁବନେଶ୍ୱର : ଏବର୍ଷ ବଢ଼ି ନପାରେ ବିଜୁଳି ଦର। ଆଜିଠାରୁ ଆରମ୍ଭ ହେଉଛି ଓଇଆରସିର ଜନଶୁଣାଣି। ୨୦୨୪ -୨୫ ଆର୍ଥିକ ବର୍ଷରେ ବିଜୁଳି ଦର ଧାର୍ଯ୍ଯ ନେଇ ଶୁଣାଣି କରାଯିବ। ପ୍ରଥମ ଦିନରେ ଓଏଚପିସି ଓ ଓପିଜିସିର ଜନଶୁଣାଣି ରହିଛି ।
ଆସନ୍ତାକାଲି ଗ୍ରିଡକୋ ଓ ୨ ତାରିଖରୁ ଟାଟା ପାୱାରର ଜନଶୁଣାଣି କରାଯିବ । ୬ ତାରିଖ ପର୍ଯ୍ଯନ୍ତ ବିଭିନ୍ନ ବିତରକ ଓ ଆବଣ୍ଟନ କମ୍ପାନୀର ଜନଶୁଣାଣି ହେବ । ମିଳିଥିବା ସୂଚନା ଅନୁସାରେ କୌଣସି ବିତରକ ସଂସ୍ଥା ବିଦ୍ଯୁତ ଦର ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇନାହାନ୍ତି । ଗତ ଦୁଇ ବର୍ଷ ଧରି ବିଦ୍ଯୁତ ଦର ଅପରିବର୍ତ୍ତିତ ରହିଛି । ଆସନ୍ତା ଏପ୍ରିଲ ମାସରେ ନୂଆ ଦର ନେଇ ଧାର୍ଯ୍ଯ ହୋଇପାରେ।

