ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡ 

ଇସଲାମବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡ  । ସିଫର ମାମଲାରେ କୋର୍ଟ ୧୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି  । ଏହି ମାମଲାରେ ଇମ୍ରାନଙ୍କ ସହ ତାଙ୍କ ସହଯୋଗୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀଙ୍କୁ ମଧ୍ୟ କୋର୍ଟ ୧୦ ବର୍ଷ ସଜା ଶୁଣାଇଛନ୍ତି  । ଦେଶ ସୁରକ୍ଷାରେ ଜଡି଼ତ ସିଫର ମାମଲା ବେଶ ସମ୍ବେଦନଶୀଳ ବୋଲି କୁହାଯାଉଛି  । ଯେଉଁଥିରେ ଇମ୍ରାନ ନିଜ ବ୍ୟକ୍ତିଗତ ଫାଇଦା ପାଇଁ ଦେଶର ଟପ ସିକ୍ରେଟକୁ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା  । କ୍ଷମତାରୁ ବେଦଖଲ ହେବା ପରେ ଇମ୍ରାନ ଆମେରିକାର ହାତ ଥିବା ସନ୍ଦେହ କରିଥିଲେ  । ଆମେରିକାର ପ୍ରରୋଚନାରେ ତାଙ୍କୁ କ୍ଷମତାରୁ ବିତାଡିତ କରାଯାଇଛି ବୋଲି ଇମ୍ରାନ ଅଭିଯୋଗ ଆଣିଥିଲେ  । ଏ ନେଇ ୱାଶିଂଟନସ୍ଥିତ ପାକ ରାଷ୍ଟ୍ରଦୂତ ଇମ୍ରାନଙ୍କୁ ଗୋଟିଏ ଗୁପ୍ତ କେବଲ ବା ଟେପ ପଠାଇଥିଲା  । ଏହାପରେ ଇମ୍ରାନ ନିଜ ରାଜନୈତିକ ଫାଇଦା ପାଇଁ ଉକ୍ତ ଟେପକୁ ସାର୍ବଜନୀନ କରିଦେଇଥିଲେ  । ଯାହାକୁ ସିଫର କୁହାଯାଉଛି  ।