spot_img
Home Blog Page 2254

ମିଶନ ଶକ୍ତି କର୍ମକର୍ତ୍ତାମାନଙ୍କର ଦେୟ ପରିମାଣରେ ବୃଦ୍ଧି

ଭୁବନେଶ୍ୱର : ମିଶନ ଶକ୍ତି କର୍ମକର୍ତ୍ତାମାନଙ୍କର ଦେୟ ପରିମାଣରେ ବୃଦ୍ଧି।ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରେସନ କର୍ମକର୍ତ୍ତାଙ୍କ ବୈଠକ ଦେୟ ପରିମାଣରେ ୫୦୦ ଟଙ୍କା ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରସନର କର୍ମକର୍ତ୍ତାମାନଙ୍କର ବୈଠକ ଦେୟ ବୃଦ୍ଧି କରିବା ସମ୍ପର୍କରେ ଘୋଷଣା କରିଛନ୍ତି। ରାଜ୍ୟରେ ମିଶନ ଶକ୍ତି ଏକ ବିଶାଳ ଆନ୍ଦୋଳନରେ ପରିଣତ ହୋଇ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏଥିରେ ବିଭିନ୍ନ ଗ୍ରାମପଞ୍ଚାୟତସ୍ତରୀୟ ଓ ବ୍ଲକସ୍ତରୀୟ ଫେଡେରେସନ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର କାର୍ଯ୍ୟକ୍ରମକୁ କ୍ରୀୟାଶୀଳ କରିବା ଦିଗରେ ଏହି ଫେଡେରେସନମାନଙ୍କର ସ୍ୱତନ୍ତ୍ର ଭୂମିକା ରହିଛି।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ମିଶନ ଶକ୍ତି ଫେଡେରସନର କର୍ମକର୍ତ୍ତାମାନେ ସେମାନଙ୍କ ଦେୟ ପରିମାଣ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ବୈଠକ ଦେୟ ପରିମାଣ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରେସନର ସଭାପତି ଏ ସଂପାଦକ ତଥା ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ବୈଠକ ଦେୟ ପରିମାଣରେ ୫୦୦ ଟଙ୍କା ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଦେୟ ପରିମାଣ ୨୦୨୩ ଅକ୍ଟୋବର ମାସରୁ ପିଛିଲା ଭାବେ ଲାଗୁ ହେବ।

ବ୍ଲକସ୍ତରୀୟ ଫେଡେରସନର ସଭାପତି ଓ ସଂପାଦକମାନେ ବୈଠକ ପାଇଁ ପୂର୍ବରୁ ୪,୦୦୦ ଟଙ୍କା ପାଉଥିବା ବେଳେ ଏବେ ୪,୫୦୦ ଟଙ୍କା ପାଇବେ। ସେହିପରି ଏହାର ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ପୂର୍ବରୁ ୨,୦୦୦ ଟଙ୍କା ପାଉଥିବା ବେଳେ ଏବେ ୨,୫୦୦ ଟଙ୍କା ପାଇବେ। ସେହିପରି ଗ୍ରାମପଞ୍ଚାୟତସ୍ତରୀୟ ଫେଡେରସନର ସଭାପତି ଓ ସମ୍ପାଦକମାନେ ବୈଠକ ପାଇଁ ପୂର୍ବରୁ ୨,୦୦୦ ଟଙ୍କା ପାଉଥିବାବେଳେ ଏବେ ୨,୫୦୦ ଟଙ୍କା ପାଇବେ ଏବଂ ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟାମାନେ ପୂର୍ବରୁ ୧,୦୦୦ ଟଙ୍କା ପାଉଥିବା ବେଳେ ଏବେ ୧,୫୦୦ ଟଙ୍କା ପାଇବେ। ଏହା ଦ୍ୱାରା ବର୍ଷକୁ ୨୪୯.୨୧ କୋଟି ଟଙ୍କା ଖର୍ଚ୍ଚ ହେବ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ୬୭୬ ଜଣ ବ୍ଲକସ୍ତରୀୟ ଫେଡେରସନ ସଭାପତି ଓ ସଂପାଦକ ଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୩୦୪୨ । ସେହିପରି ଗ୍ରାମପଞ୍ଚାୟତସ୍ତରୀୟ ଫେଡେରସନରେ ୧୩,୫୮୮ ଜଣ ସଭାପତି ଓ ସମ୍ପାଦକ ଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୧,୦୮,୭୦୪ । ଏହା ପରି ସମୁଦାୟ ୧,୨୬,୦୧୦ କର୍ମକର୍ତ୍ତା ଉପକୃତ ହେବେ।

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

ବ୍ରହ୍ମପୁର : ଛିଡ଼ା ହୋଇଥିବା ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ । ଟ୍ରକ ଚାଳକ ଆହତ। ଅଳ୍ପକେ ବର୍ତିଲେ ୩୦ ଯାତ୍ରୀ । ସରକାରୀ ବସଟି ବ୍ରହ୍ମପୁରରୁ ଝାରସୁଗୁଡା ଯାଉଥିଲା । ପୁରୁଣାକଟକ ଡିଗ୍ରୀ କଲେଜ ସମ୍ମୁଖରେ ବସଟି ଛିଡା ହୋଇଥିଲା । ଏହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସି ଏକ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ୩ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଟ୍ରକ ଚାଳକ ମଧ୍ୟ ଆହତ ହୋଇଛି । ଚାରିଛକ ଦମକଳ ବହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଟ୍ରକ ଚାଳକକୁ ଅଟକ ରଖିବା ସହ ଯାତ୍ରୀ ମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇଛି ।

ମହିଳାଙ୍କୁ ପଥର ଓ କାଠ ଫାଳିଆରେ ପିଟି ପିଟି ହତ୍ୟା !

କଟକ : ମହିଳାଙ୍କୁ ବୀଭତ୍ସ ହତ୍ୟା ପରେ ବାରିପଟେ ଫିଙ୍ଗି ଦେଲେ ଅଭିଯୁକ୍ତ । କଟକ ଜିଲ୍ଲା ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ବାର୍ଷିଙ୍ଗା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତ ଦେହ ନିକଟରେ ପଡିରହିଛି ରକ୍ତ ଭିଜା କାଠ ଫାଳିଆ ଓ ପଥର । ପଥର ଓ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ବିଳମ୍ବିତ ରାତିରେ ମହିଳା ଜଣକ ସୋଇଥିବା ବେଳେ କେହି ତାଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବାରଙ୍ଗ ଓ ଗୋଡିସାହି ଫାଣ୍ଡି ପୋଲିସ ।

ସ୍ମାର୍ଟ ହେଉଛି ଝାରସୁଗୁଡ଼ାରେ ଟ୍ରାଫିକ ସେବା

ଝାରସୁଗୁଡ଼ା : ସ୍ମାର୍ଟ ହେଉଛି ଝାରସୁଗୁଡ଼ାରେ ଟ୍ରାଫିକ ସେବା । ଜନସାଧାରଣଙ୍କୁ ଉନ୍ନତ ଟ୍ରାଫିକ ସେବା ଯୋଗାଇବା ସହ ଅପରାଧିକ କାର୍ଯ୍ୟକଳାପରେ ରୋକ ଲଗାଇବା ଦିଗରେ ସିସି ଟିଭି ଇଂଷ୍ଟଲେସନ ଓ ଟ୍ରାଫିକ ଲାଇଟ ସିଷ୍ଟମ କାର୍ଯ୍ୟକାରୀ କରାଯାଇଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏହି ସିସି ଟିଭି ଓ ଟ୍ରାଫିକ ଲାଇଟ ସିଷ୍ଟମର ଉଦଘାଟନ କରାଯାଇଛି।

ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ା ବିଧାୟିକା ଦିପାଳୀ ଦାସ , ଉତ୍ତରାଂଚଳ ପୁଲିସ ଆଇ ଜି ହିମାଂଶୁ କୁମାର ଲାଲ , ଏସ୍ ପି ସ୍ମିତ ପି ପରମାର ଓ ଏନ୍ ଏଲ୍ ସି ଇଣ୍ଡିଆ ଲିମିଟେଡ କାର୍ଯ୍ୟ ନିର୍ବାହୀ ଅଧିକାରୀ କେ ସତ୍ୟପ୍ରକାଶ ଯୋଗଦେଇଥିଲେ । ସହରରେ ୨୩୫ ଟି ସିସି ଟିଭି କ୍ୟାମେରା ଇଂଷ୍ଟଲ ହୋଇଥିବା ବେଳେ ୨୫ଟି ପ୍ରମୁଖ ସ୍ଥାନରେ ରେକର୍ଡିଂର ବ୍ୟବସ୍ଥା ରହିଛି। ୪.୫୬କୋଟି ଟଙ୍କା ବିନିଯୋଗରେ କାର୍ଯ୍ୟକାରୀ ହେଉଥିବା ଏହି ନୂତନ ସେବା ଦ୍ୱାରା ସହରର ଜନସାଧାରଣ ଉପକୃତ ହେବେ ବୋଲି ଅତିଥିମାନେ ନିଜ ନିଜ ଅଭିଭାଷଣ ମାଧ୍ୟମରେ ପ୍ରକାଶ କରିଛନ୍ତି।

ଝାଡ଼ଖଣ୍ଡର ୧୪ ଲୋକସଭା ଆସନରୁ ୮ଟିରେ ଏକା ଲଢିବ ସିପିଆଇ

ନୂଆଦିଲ୍ଲୀ : ପୁଣି ଇଣ୍ଡିଆ ମେଣ୍ଟକୁ ଝଟକା। ଝାଡଖଣ୍ଡରେ ଏକାକୀ ଲଢିବା ଲାଗି ଘୋଷଣା କରିଛି ସିପିଆଇ। ରାଜ୍ଯର ୧୪ଟି ଲୋକସଭା ଆସନ ମଧ୍ଯରୁ ୮ଟିରେ ଏକାକୀ ଲଢିବ ବୋଲି ଦଳ ଘୋଷଣା କରିଛି। ଝାଡଖଣ୍ଡରୁ ବର୍ତ୍ତମାନ ସିପିଆଇର କେହି ସାଂସଦ ନାହାନ୍ତି। ତେବେ ରାଜ୍ଯରେ ଇଣ୍ଡିଆ ମେଣ୍ଟ ଲାଗି ଯଥେଷ୍ଟ ସୁଯୋଗ ଥିଲେ ବି ସିପିଆଇର ଏହି ଭୂମିକା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାଜ୍ୟ ସମ୍ପାଦକ ମହେନ୍ଦ୍ର ପାଠକ କହିଛନ୍ତି, ଆସନ୍ତା ଲୋକସଭା ନିର୍ବାଚନରେ ତାଙ୍କ ଦଳ ଏକାକୀ ଲଢିବ। ଝାଡଖଣ୍ଡରେ ଆସନ ବଣ୍ଟନ ନେଇ ବର୍ତ୍ତମାନ ସୁଦ୍ଧା ମହାଗଠବନ୍ଧନ ପକ୍ଷରୁ ଆଲୋଚନା କରାଯାଇନାହିଁ। ଗତକାଲି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ସମସ୍ତ ୪୨ ଆସନରେ ଟିଏମସି ପ୍ରାର୍ଥୀ ଘୋଷଣା କରିବା ପରେ ରାଜ୍ଯରେ ଇଣ୍ଡିଆ ମେଣ୍ଟକୁ ଜବରଦସ୍ତ ଧକ୍କା ଲାଗିଥିଲା।

ଜଳେଶ୍ବର ପାୱାରଗ୍ରୀଡ଼ରେ ଭୟାବହ ଅଗ୍ନିକାଣ୍ଡ ; ୧୮୦ଟି ଗାଁରେ ବିଦ୍ୟୁତ ସେବା ବ୍ୟାଘାତ

ଜଳେଶ୍ବର : ଜଳେଶ୍ବର ପାୱାରଗ୍ରୀଡ଼ରେ ଭୟାବହ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରୁଛି। ଜଳେଶ୍ଵର ପାୱାରଗ୍ରୀଡରେ ଅଚାନକ ଟ୍ରାନ୍ସଫର୍ମରରେ ନିଆଁ ଲାଗି ଯାଇଥିଲା। କିଛି କ୍ଷଣ ମଧ୍ୟରେ ହୁତୁହୁତୁ ହୋଇ ଟ୍ରାନ୍ସଫର୍ମରଟି ଜଳିବା ସହିତ ଭୟାବହ ଅଗ୍ନିକାଣ୍ଡରେ ପରିଣତ ହୋଇଥିଲା।

ବିଦ୍ୟୁତ୍ ବିଭାଗର କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଠା କରିଥିଲେ ମଧ୍ୟ ଆୟତ୍ତ କରିପାରି ନଥିଲେ। ସର୍ଟ ସର୍କିଟ ପାଇଁ ଟ୍ରାନ୍ସଫର୍ମରରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ପାୱାର ଗ୍ରୀଡ଼ରେ ନିଆଁ ଲାଗିଥିବାରୁ ଜଳେଶ୍ବର ସହର ସମେତ ୧୮୦ଟି ଗାଁରେ ବିଦ୍ୟୁତ ସେବା ବ୍ୟାଘାତ ଥିବା ସୂଚନା ମିଳିଛି।

ଆଜିଠୁ ରାଜ୍ଯରେ ଟାଣ ଖରା; ୩ ଦିନ ଯାଏଁ ନାହିଁ ନିସ୍ତାର

ଭୁବନେଶ୍ୱର : ଆଜିଠୁ ହେବ ଟାଇଁ ଟାଇଁ ଖରା । ଉପାନ୍ତରୁ ଉପକୂଳ ସବୁଠି ବଢିବ ପାରଦ । ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୩ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ୧୩ ତାରିଖ ପର୍ଯ୍ୟ ରାଜ୍ୟରେ ହଟ୍ ଓ୍ବେଦର କଣ୍ଡିସନ୍ ଦେଖାଦେବ । ବିଶେଷ କରି ଟୁଇନ୍ସିଟି କଟକ ଭୁବନେଶ୍ବର ସମେତ ବଲାଙ୍ଗୀର, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ, ନୟାଗଡ ଆଦି ଜିଲ୍ଲାରେ ତାପମାତ୍ରା ୩୮ ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁବା ସମ୍ଭାବନା ରହିଛି ।

ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଉଥିବାରୁ ରାଜ୍ୟରେ ଏଭଳି ହଟ୍ ଓ୍ବେଦର କଣ୍ଡିସନ୍ ଦେଖାଦେବ ବୋଲି ପାଣିପାଗ କେନ୍ଦ୍ର କହିଛି । ଏଥିପାଇଁ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ରେଡ୍ ଏବଂ ଅରେଞ୍ଜ ମାର୍କ ଜାରି କରାଯାଇଛି । ତେବେ ୧୪ ତାରିଖ ବେଳକୁ ରାଜ୍ୟରେ ପୁଣି ବର୍ଷା ହେବା ନେଇ ଆକଳନ କରାଯାଇଛି । ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, ଯାଜପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏହି ବର୍ଷା ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ବାକି ଓଡ଼ିଶାରେ ପାଗ ଶୁଖିଲା ରହିବ । ୧୬ ତାରିଖ ପରେ ପୁଣି ଫେରିବ ତାତି ।

ଓସ୍କାର ଆୱାର୍ଡ ଘୋଷିତ : ‘ଓପନହେମର’ ଶ୍ରେଷ୍ଠ ଫିଲ୍ମ

ନୂଆଦିଲ୍ଲୀ :ଓସ୍କାର ଉତ୍ସବରେ ଓପନହେମର ଫିଲ୍ମର ବାଜିମାତ। ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ଅଭିନେତା ସମେତ ଏକାଦିକ୍ରମେ ୭ଟି ଆୱାର୍ଡ ହାତେଇଛି ଓପନହେମର। ଶ୍ରେଷ୍ଠ ଫିଲ୍ମ ଭାବେ ଓସ୍କାର ସାଉଣ୍ଟିଛି ଓପନହେମର। ଓପନହେମର ଫିଲ୍ମ ଲାଗି ଖ୍ରୀଷ୍ଟୋଫର ନୋଲାନଙ୍କୁ ମିଳିଛି ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର। ପୁଅର୍ ଥିଙ୍ଗସ୍ ଫିଲ୍ମ ଲାଗି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ଚି ଏମ୍ମା ଷ୍ଟୋନ। ସେହିପରି ଏହି ଫିଲ୍ମ ଲାଗି ଶ୍ରେଷ୍ଠ ଅଭିନେତା ପୁରସ୍କାର ହାସଲ କରିଛନ୍ତି ସିଲିଆନ ମର୍ଫି।

ଓପନହେମେର ଚଳଚ୍ଚିତ୍ରରେ ବେଷ୍ଟ ସପୋର୍ଟିଂ ଆକ୍ଟର ଭାବେ ପୁରସ୍କାର ଲାଭ କରିଛନ୍ତି ରବର୍ଟ ଡାଉନି ଜୁନିଅର। ଦି ହୋଲଡଓଭର୍ସ ଫିଲ୍ମ ଲାଗି ଶ୍ରେଷ୍ଠ ସପୋର୍ଟିଂ ଆକ୍ଟ୍ରେସ ପୁରସ୍କାର ଲାଭ କରିଛନ୍ତ ଡାଭିନ ଜୟ ରାଣ୍ଡଲଫ। ଗର୍ଜିଲା ମାଇନସ ୱାନକୁ ମିଳିଛି ବେଷ୍ଟ ଭିଜୁଆଲ ଏଫେକ୍ଟସ ଆୱାର୍ଡ। ଦି ଜୋନ ଅଫ ଇଣ୍ଟେରେଷ୍ଟ ପାଇଛି ଶ୍ରେଷ୍ଠ ଇଣ୍ଟରନ୍ଯାସନାଲ ଫିଲ୍ମ ଓସ୍କାର। ପୁଅର୍ ଥିଙ୍ଗସ ଲାଭ କରିଛି ବେଷ୍ଟ କଷ୍ଟୁୟମ ଡିଜାଇନ। ସେହିପରି ଏହି ଫିଲ୍ମକୁ ବି ମିଳିଛି ବେଷ୍ଟ ପ୍ରଡକ୍ସନ ଡିଜାଇନ ପୁରସ୍କାର।

ପୁଅର୍ ଥିଙ୍ଗସକୁ ବି ମିଳିଛି ବେଷ୍ଟ ହେୟାର ଆଣ୍ଡ ମେକଅପ ପୁରସ୍କାର। ଆମେରିକାନ ଫିକ୍ସନକୁ ମିଳିଛି ବେଷ୍ଟ ଆଡପ୍ଟେଡ ସ୍କ୍ରିନପ୍ଲେ ପୁରସ୍କାର। ଆନାଟୋମି ଅଫ ଏ ଫଲକୁ ମିଳିଛି ବେଷ୍ଟ ଅରିଜିନାଲ ସ୍କ୍ରିନପ୍ଲେ ପୁରସ୍କରା। ଦି ବୟ ଆଣ୍ଡ ଦି ହିରୋନକୁ ବେଷ୍ଟ ଆନିମେଟେଡ ଫଚର ପୁରସ୍କାର ମିଳିଥିବାବେଳେ ବେଷ୍ଟ ଆନିମେଟେଡ ସର୍ଟ ଫିଲ୍ମ ପୁରସ୍କାର ଲାଭ କରିଛି ୱାର ଇଜ ଓଭର।

ନିର୍ବାଚନୀ ବଣ୍ଡ ଜରିଆରେ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଙ୍ଗ; ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଜରିଆରେ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଙ୍ଗରେ ଆଜି ଶୁଣାଣି। ସର୍ବୋଚ୍ଚ ନ୍ୟାୟାଳୟରେ ଏହି ମାମଲାର ଶୁଣାଣି ହେବ। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଦାଖଲ କରିଥିବା ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ବେଞ୍ଚ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ଵ ଗଠିତ ବେଂଚ୍ ଏହି ମାମଲାର ଶୁଣାଣି କରିବ। ଏହାସହ ଷ୍ଟେଟ ବ୍ଯାଙ୍କ ଅଦାଲତ ଅବମାନନା ନେଇ ହୋଇଥିବା ଆବେଦନର ମଧ୍ୟ ଶୁଣାଣି କରିବେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ। ଜାଣିଶୁଣି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ଵେ ତଥ୍ୟ ପ୍ରଦାନ କରିନଥିବା ନେଇ ସୁପ୍ରିମକୋର୍ଟରେ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ନାଁରେ ଅଦାଲତ ଅବମାନନା ମାମଲା ହୋଇଛି। ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଆକାରରେ ମିଳିଥିବା ଅର୍ଥର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଷ୍ଟେଟ ବ୍ଯାଙ୍କକୁ ନିର୍ଦ୍ଦେଶ ଜାରି କରିଥିଲେ ସୁପ୍ରିମକୋର୍ଟ। ତେବେ ଏହି ତଥ୍ୟ ପ୍ରଦାନ କରିବାକୁ ଆସନ୍ତା ଜୁନ ୩୦ ସୁଦ୍ଧା ସମୟ ମାଗିଛି ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ। ଗତ ମାସରେ ଏହି ନିର୍ବାଚନୀ ବଣ୍ଡକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ।

କେଉଁ ଦଳକୁ କେତେ ଟଙ୍କା ନିର୍ବାଚନୀ ବଣ୍ଡ ଆକାରରେ ମିଳିଛି ଏହାର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାର୍ଚ୍ଚ ୬ ତାରିଖ ସୁଦ୍ଧା ନିର୍ବାନୀ ବଣ୍ଡରେ ମିଳିଥିବା ଟଙ୍କାର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଗତ ଫେବୃଆରୀ ୧୫ରେ ନିର୍ବାଚନୀ ବଣ୍ଡ ଆକାରରେ ରାଜନୈତିକ ଦଳକୁ ମିଳୁଥିବା ଅର୍ଥ ବ୍ୟବସ୍ଥାକୁ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ୫ ଜଣିଆ ବେଂଚ ଏହି ବ୍ୟବସ୍ଥାକୁ କେନ୍ଦ୍ର ସରକାରଙ୍କ ନିର୍ବାଚନୀ ବଣ୍ଡ ବ୍ୟବସ୍ଥାକୁ ରଦ୍ଦ କରିଥିଲେ। ରାଜନୈତିକ ଦଳକୁ ପାଣ୍ଠି ପ୍ରଦାନକୁ ଅସାମ୍ବିଧାନିକ କହିବା ସହ ଦାନ ଦେଇଥିବା ଏବଂ ଦାନ ଗ୍ରହଣ କରିଥିବା ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷଙ୍କ ସମସ୍ତ ସୂଚନା ପ୍ରଦାନ କରିବାକୁ କହିଥିଲେ।

ନିର୍ବାଚନୀ ବଣ୍ଡ ପ୍ରଦାନ ଲାଗି ସ୍ଵୀକୃତି ପାଇଥିବା ଆର୍ଥିକ ସଂସ୍ଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ମାର୍ଚ୍ଚ ୬ ତାରିଖ ସୁଦ୍ଧା ୧୨ ଏପ୍ରିଲ ୨୦୧୯ ପରଠାରୁ ଆଜି ପର୍ଯ୍ୟନ୍ତ କିଣାଯାଇଥିବା ନିର୍ବାଚନୀ ବଣ୍ଡ ବିଷୟରେ ତଥ୍ୟ ପ୍ରଦାନ କରିବାକୁ କହିଥିଲେ। ଏହାର ସମସ୍ତ ତଥ୍ୟ ଅଫିସିଆଲ ୱେବସାଇଟରେ ମାର୍ଚ୍ଚ ୧୩ ସୁଦ୍ଧା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ୪ ତାରିଖରେ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ଆସନ୍ତା ଜୁନ ୩୦କୁ ତଥ୍ୟ ଦାଖଲ ସମୟ ବୃଦ୍ଧି କରିବାକୁ ଆବେଦନ କରିଛି।

ଏହି ପ୍ରକ୍ରିୟା ସମୟ ସାପେକ୍ଷ ହୋଇଥିବାରୁ ଅଧିକ ସମୟ ମାଗିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ତେବେ ତଥ୍ୟ ପ୍ରଦାନ କରାଯାଇନଥିବାରୁ ଏନଜିଓ ଏଡିଆର ପକ୍ଷରୁ ଷ୍ଟେଟ ବ୍ୟାଙ୍କ ନାଁରେ ଅଦାଲତ ଅବମାନନା ଅଭିଯୋଗ କରାଯାଇଛି। ଲୋକସଭା ନିର୍ବାଚନ ଥିବାରୁ ଜାଣିଶୁଣି ନିର୍ବାନୀ ବଣ୍ଡ ତଥ୍ୟ ପ୍ରଘଟ ହେବା ସମ୍ଭାବନାରୁ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ଏଭଳି ବିଳମ୍ବ କରୁଥିବା କହିଛି ଏଡିଆର।