spot_img
Home Blog Page 2255

ଆସନ୍ତା ୧୫ ତାରିଖ ସୁଦ୍ଧା ନିଯୁକ୍ତି ପାଇବେ ୨ ନୂଆ ନିର୍ବାଚନ କମିଶନର

ଭୁବନେଶ୍ୱର : ଆସନ୍ତା ୧୫ ମାର୍ଚ୍ଚ ସୁଦ୍ଧା ଘୋଷଣା ହୋଇପାରେ ୨ ନୂଆ ନିର୍ବାଚନ କମିଶନଙ୍କ ନାମ। ୨ ଜଣ ନିର୍ବାଚନ କମିଶନରଙ୍କ ନାମ ଚୟନ ପାଇଁ ମାର୍ଚ୍ଚ ୧୩ କିମ୍ବା ୧୪ରେ ବସିବ ସର୍ଚ୍ଚ କମିଟି ବୈଠକ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ଏଥିରେ ୨ ନିର୍ବାଚନ କମିଶନଙ୍କ ନାଁ ଉପରେ ଚୂଡ଼ାନ୍ତ ମୋହର ଲାଗିବ। ମାର୍ଚ୍ଚ ୧୫ରେ ବସିବାକୁ ଥିବା ବୈଠକ ପରେ ଦେଶକୁ ୨ ନୂଆ ନିର୍ବାଚନ କମିଶନର ମିଳିବେ।

ଚଳିତ ବର୍ଷ ଫେବୃଆରୀ ୧୪ରେ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରୁଥିବା ଅନୁପ ଚନ୍ଦ୍ର ପାଣ୍ଡେଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଏହାପରେ ଶନିବାର ଅଚାନକ ଅରୁଣ ଗୋଏଲ ହଠାତ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଥିଲେ। ଫଳରେ ୨ ନିର୍ବାଚନ କମିଶନର ପଦ ଏବେ ଖାଲି ପଡ଼ିଛି। ଏହି ପ୍ୟାନେଲରେ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଅଛନ୍ତି। ପୂର୍ବରୁ ବରିଷ୍ଠତା ଭିତ୍ତିରେ ରାଷ୍ଟ୍ରପତି ନିର୍ବାଚନ କମିଶନର ନିଯୁକ୍ତ କରୁଥିବା ବେଳେ ନିକଟରେ ଏହି ଆଇନରେ ସଂଶୋଧନ ହୋଇଛି।

ନୂଆ ଆଇନ ଅନୁସାରେ, ପ୍ରଥମେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଅଧ୍ୟକ୍ଷତାରେ ଏକ ସର୍ଚ୍ଚ କମିଟି ଗଠିତ ହେବ। ଏଥିରେ ଗୃହ ସଚିବ ଓ ପର୍ସନେଲ୍ ଆଣ୍ଡ୍ ଟ୍ରେନିଂ ବିଭାଗ ସଚିବ ରହିବେ। ଏହି ସର୍ଚ୍ଚ କମିଟି ୨ଟି ଖାଲି ପଦବୀ ପାଇଁ ପାଞ୍ଚଟି ନାଁକୁ ନେଇ ୨ଟି ଭିନ୍ନ ଭିନ୍ନ ତାଲିକା ପ୍ରସ୍ତୁତ କରିବେ। ସେଥିରୁ ୨ଟି ନାଁ ଚୂଡ଼ାନ୍ତ କରାଯିବ।ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଜଣେ କେନ୍ଦ୍ରମନ୍ତ୍ରୀ ଓ ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ରହିଛନ୍ତି। ଏହି କମିଟି ସୁପାରିସ କରିବାକୁ ଥିବା ନାଁ ଉପରେ ରାଷ୍ଟ୍ରପତି ମୋହର ମାରିବେ। ଏହାପରେ ଦୁଇ ଜଣ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇବେ।

ଆହତଙ୍କ ଲାଗି ଦେବଦୂତ ସାଜିଲେ ଓଡ଼ିଆ ଝିଅ ଅନନ୍ଯା

ନନ୍ଦିଘୋଷ ବ୍ୟୁରୋ: ଯୁଦ୍ଧ କ୍ଷେତ୍ରରେ ଜୀବନ ବାଜି। ଆହତଙ୍କ ଲାଗି ଦେବଦୂତ ସାଜି ଅନନ୍ଯ ଉଦାହରଣ ସୃଷ୍ଟି କଲେ ଓଡ଼ିଆ ଝିଅ ଅନନ୍ଯା। ଘନ ଘନ ବିସ୍ଫୋରଣ, ଭୟଙ୍କର ସ୍ଥିତି ସତ୍ତ୍ବେ ଜାହାଜରେ ଥିବା ୧୮ ଜଣଙ୍କ ଜୀବନ ରକ୍ଷାକରିଛନ୍ତି ବାରିପଦାର ଡାକ୍ତର ଅନନ୍ଯା ଦଳବେହେରା। ଭାରତୀୟ ସ୍ଥଳସେନାର ସର୍ଜନ୍ କମାଣ୍ଡର ଅନନ୍ୟା । ଇସ୍ରାଏଲ- ଗାଜା ଯୁଦ୍ଧ ମଧ୍ଯରେ ଲୋହିତ ସାଗରରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଲୋହିତ ସାଗର ଦେଇ ଭାରତ ସମେତ ଅନ୍ୟ ରାଷ୍ଟ୍ରର ପଣ୍ୟବାହୀ ଜାହାଜ ଯାତାୟାତ କରୁଛି। ଏହି ଜାହାଜଗୁଡ଼ିକୁ ସୁରକ୍ଷା ଦେବାପାଇଁ ଭାରତୀୟ ନୌବାହିନୀ ବି ସଜାଗ ଅଛନ୍ତି। ଗତ ୬ ତାରିଖରେ ସିରିଆର ହୌଥି ବିଦ୍ରୋହୀଙ୍କ କ୍ଷେପଣାସ୍ତ୍ର ମାଡ଼ରେ ୱେଷ୍ଟଇଣ୍ଡିଜ୍ ବାର୍ବାଡୋସ୍ର ଏକ ପଣ୍ୟବାହୀ ଜାହାଜ ‘ଏମ୍ଭି ଟ୍ରୁ କନ୍ଫିଡେନ୍ସ’ଧ୍ବସ୍ତ ହୋଇଯାଇଥିଲା। ଏହି ଜାହାଜରେ ୨୧ ଜଣ ନାବିକ ଓ କର୍ମଚାରୀଙ୍କ ମଧ୍ୟରୁ ଜଣେ ଭାରତୀୟ  ଥିଲେ। କ୍ଷେପଣାସ୍ତ୍ର ମାଡ଼ରେ ଘଟଣାସ୍ଥଳରେ ୩ ଜଣ ନାବିକଙ୍କ ମୃତ୍ୟୁ ହେବାସହ ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ। ସେମାଏନଙ୍କୁ ଉଦ୍ଧାର କରିବାକୁ ସେଠାରେ ପହଞ୍ଚିଥିଲା  ନୌସେନାର ଆଇଏନ୍ଏସ୍ କୋଲକାତା । ଏହି ଜାହାଜର ଏକମାତ୍ର ଡାକ୍ତର ଭାବରେ ନିଯୁକ୍ତ ଥିଲେ ସର୍ଜନ୍ କମାଣ୍ଡର ଅନନ୍ୟା । ଜଣେ ମାତ୍ର ଡାକ୍ତରୀ ସହାୟକଙ୍କୁ ନେଇ ଅନନ୍ୟା ରାତିତମାମ ସମସ୍ତ ଆହତଙ୍କୁ ଚିକିତ୍ସା କରି ସେମାନଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। ମୟୂରଭଞ୍ଜର ଜଣାଶୁଣା ସାହିତ୍ୟିକ ମନୋଜ ଦଳବେହେରା ଓ ସୁପ୍ରୀତି ଦଳବେହେରାଙ୍କ କନ୍ଯା ଅନନ୍ୟା। ଅନନ୍ୟାଙ୍କ ସ୍ବାମୀ ନୀତିନ ଦାସ ମଧ୍ୟ ଭାରତୀୟ ସ୍ଥଳସେନାରେ ଡାକ୍ତର ଅଛନ୍ତି ।

ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ

କୋରାପୁଟ: ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ।  ଆନ୍ଧ୍ରପ୍ରଦେଶ କୋତାବାଲସା ରେଳ ଷ୍ଟେସନ ନିକଟରେ ଦୁର୍ଘଟଣା ହୋଇଛି ଟ୍ରେନ୍ । ଟ୍ରେନର ଇଞ୍ଜିନ ସହିତ ଆଉ ଦୁଇଟି ବଗି ଲାଇନଚ୍ୟୁତ ହୋଇଛି । ତେବେ ଏଥିରେ ଲୋକୋ ପାଇଲଟ ସାମାନ୍ଯ ଆହତ ହୋଇଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ସନ୍ଧ୍ୟା ୬ଟାରେ ଟ୍ରେନଟି ବିଶାଖାପାଟଣା ଛାଡିଥିଲା।  କୋତାବାଲସା ଷ୍ଟେସନରେ ୬ଟା ୪୮ ସମୟରେ ପହଞ୍ଚି ଷ୍ଟେସନ ଛାଡିଥିଲା । ତେବେ ପ୍ଲାଟଫର୍ମ ଠାରୁ ଦୁଇ ନମ୍ବର ରୁଟରେ ଯିବା ବେଳେ ହଠାତ ଲାଇନଚ୍ୟୁତ ହୋଇଯାଇଥିଲା । ଟ୍ରେନର ଇଞ୍ଜିନ ସହିତ ଆଉ ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା । ବିଜୟନଗରମ ଓ ବିଶାଖାପାଟଣା ଷ୍ଟେସନ ସମେତ ସ୍ଥାନୀୟ ପୁଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗତ ଅକ୍ଟୋବର ୩୯ ତାରିଖରେ ଆନ୍ଧ୍ରପ୍ରଦେଶ ରାଜ୍ୟ କଣ୍ଟକାପଲି ଠାରେ ଏହି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିଶାଖାପାଟଣା – ରାୟଗଡା ମଧ୍ୟରେ ଚଳାଚଳ କରୁଥିବା ସମୟରେ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଲିଟର ପିଛା ୫ରୁ ୭ ଟଙ୍କା କମିପାରେ ପେଟ୍ରୋଲ ଓ ଡିଜେଲ ଦର

ନନ୍ଦିଘୋଷ ବ୍ୟୁରୋ: ଆଗକୁ ନିର୍ବାଚନ। ଲିଟର ପିଛା ୫ରୁ ୭ ଟଙ୍କା କମିପାରେ ପେଟ୍ରୋଲ ଓ ଡିଜେଲ ଦର । ଏ ନେଇ ମିଳିଛି ସଙ୍କେତ । ଲଗାତାର ୨୨ ମାସ ଧରି ତୈଳ ଦର ଅପରିବର୍ତ୍ତିତ ରହିଛି । ଅଶୋଧିତ ତୈଳ ଦର କମ ଥିବା ସହ ଅୟଲ କମ୍ପାନୀ ଅପର୍ଯ୍ୟାପ୍ତ ଲାଭ କରିଥିଲେ ବି ଲୋକଙ୍କ ପାଇଁ ଶସ୍ତା କରିନାହାନ୍ତି । ଲାଭ ପରିମାଣ ଦେଖିଲେ ଲୋକଙ୍କୁ ମହଙ୍ଗା ମାଡ଼ରୁ ଆଶ୍ବସ୍ତ କରିବା ପାଇଁ ବେସ୍ ମୂଲ୍ୟରେ ହ୍ରାସ କରିବାକୁ ହୋଇଛି ଦାବି।

ସିଲିଣ୍ଡର ପିଛା ୧୦୦ ଟଙ୍କା କମିଲା ରନ୍ଧନ ଗ୍ୟାସ । ହେଲେ ୨୨ ମାସ ଧରି କମିନି ପେଟ୍ରୋଲ ଓ ଡିଜେଲ ଖୁଚୁରା ଦର । ଏବେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ । ନିର୍ବାଚନ ଆଚରଣ ବିଧି ଲାଗୁ ହେବାକୁ ଆଉ ମାତ୍ର କିଛି ଦିନ ବାକି । ତା’ ପୂର୍ବରୁ ଲିଟର ପିଛା କେନ୍ଦ୍ର ସରକାର ଓ ତୈଳ ବିପଣନ କମ୍ପାନୀ ୫ରୁ ୭ ଟଙ୍କା ହ୍ରାସ କରିପାରନ୍ତି । ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ଯୋଗୁ ମୁଦ୍ରାସ୍ଫୀତି ଓ ଖାଦ୍ୟ ସାମଗ୍ରୀ ଦର ଚଢା ରହୁଛି । ଦର କମିବା ନେଇ ପେଟ୍ରୋଲିୟମ୍ ଓ ଡିଲର୍ସ ଆସୋସିଏସନ୍ ଆଶା ରଖିଛି । ଗତବର୍ଷ ଏପ୍ରିଲରୁ ଚଳିତବର୍ଷ ଫେବ୍ରୁଆରୀ ଭିତରେ ଅଶୋଧିତ ତୈଳ ଦର କମ୍ ଥିଲା ।

ସେ ସମୟରେ ତୈଳ ବିପଣନ କମ୍ପାନୀଗୁଡ଼ିକ ଲକ୍ଷାଧିକ କୋଟି ଲାଭ କଲେ । ଅଥଚ ଖୁଚୁରା ଦର କମାଇନାହାନ୍ତି । ଡାଇନାମିକ ପ୍ରାଇସ୍ ମେକାନିଜିମ୍‌କୁ ଅଚଳ କରିଦିଆଯାଇଛି । ଏବେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ୮୩ ଡଲାର ରହିଛି । ଏବେ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଲୋକଙ୍କୁ ମହଙ୍ଗା ମାଡ଼ରୁ ଆଶ୍ବସ୍ତି ଦେବା ପାଇଁ ଦର କମ୍ କରିବାର ସ୍ଥିତି ଅନୁକୂଳ ରହିଛି। ଉତ୍ପାଦ ଶୁଳ୍କ ନ କମାଇ ପେଟ୍ରୋଲ ଓ ଡିଜେଲ ବେସ୍ ମୂଲ୍ୟରେ ତୈଳ ବିପଣନ କମ୍ପାନୀ ଦର ହ୍ରାସ କରିବେ ବୋଲି ମତ ପ୍ରକାଶ ପାଇଛି ।

ଓଡ଼ିଶା ବଜାରରେ ପେଟ୍ରୋଲ ଲିଟର ୧୦୩ ଟଙ୍କା ୩୭ ପଇସା ଓ ଡିଜେଲ ଲିଟର ପିଛା ୯୪ ଟଙ୍କା ୮୬ ପଇସା ରହିଛି । ତୈଳ ଦର ଉଚ୍ଚା ଯୋଗୁ ଦେଶରେ ମୁଦ୍ରାସ୍ଫୀତି କମୁନି। ଏବେ କେବଳ ମହଙ୍ଗା ବଜାରରୁ ଲୋକଙ୍କୁ ଆଶ୍ବସ୍ତ କରିବା ପାଇଁ ଦର ହ୍ରାସ ହେବାର ସମ୍ଭାବନା ରହିଛି । ନିର୍ବାଚନ ବର୍ଷ ଥିବାରୁ  କେନ୍ଦ୍ର ସରକାର ଏହି ଜନପ୍ରିୟ ପଦକ୍ଷେପ ନେବାକୁ ମଧ୍ୟ ଭୁଲିବେନି । ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକରେ ୩ଟି ଯାକ ତୈଳ ବିପଣନ କମ୍ପାନୀଙ୍କ ଲାଭ ୭୮ ହଜାର କୋଟିରେ ପହଞ୍ଚିଛି । ଅଥଚ ଏହି ଲାଭ ଲୋକଙ୍କ ପାଖରେ ପହଞ୍ଚିନି । ଦୀର୍ଘ ଦିନରୁ ଅପେକ୍ଷା ରହିଛି – ପେଟ୍ରୋଲ ଓ ଡିଜେଲ ଦର କମିବା ନେଇ ।

ବସ୍ତି ଏବେ ବିଜୁ ଆଦର୍ଶ କଲୋନୀ

ଭୁବନେଶ୍ବର: ରାଜଧାନୀରେ ବସ୍ତି ବାସିନ୍ଦାଙ୍କ ପକ୍କାଘର ସ୍ବପ୍ନ ପୂରଣ। ମିଳୁଛି ପକ୍କାଘର। ଜାଗା ମିଶନରେ ଭୂମିହୀନଙ୍କୁ ଜମିପଟ୍ଟା ମିଳୁଛି। ଭୂମିହୀନଙ୍କୁ ଜମିପଟ୍ଟା ଏବଂ ବସ୍ତି ବାସିନ୍ଦାଙ୍କୁ ପକ୍କାଘର ଦେଇ ନବୀନ ସରକାର ସେମାନଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେଇଛନ୍ତି । ସମସ୍ତ ସୁବିଧା ସହ ପ୍ରସ୍ତୁତ ହୋଇଛି ବିଜୁ ଆଦର୍ଶ କଲୋନୀ। ଯାହା କେହି କେବେ ଚିନ୍ତା କରିନଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହା ବାସ୍ତବରେ କରି ଦେଖାଇଛନ୍ତି।

ରାଜଧାନୀରେ ବସ୍ତିର ରୂପାନ୍ତରଣ। ବସ୍ତି ଏବେ ବିଜୁ ଆଦର୍ଶ କଲୋନୀ। ସୁଉଚ୍ଚ ଅଟ୍ଟାଳିକା ସାଙ୍ଗକୁ ପାର୍କ, କମ୍ୟୁନିଟି ସେଣ୍ଟର, ୨୪ ଘଣ୍ଟିଆ ବିଜୁଳି, ପାଣି, ମାର୍କେଟ କମ୍ପ୍ଲେକ୍ସ, କଲ୍ୟାଣ ମଣ୍ଡପ । ବର୍ଷବର୍ଷ ଧରି ଝୁମ୍ପୁଡ଼ିରେ ରହୁଥିବା ଲୋକଙ୍କୁ ପକ୍କାଘର ମିଳୁଛି । ଭୁବନେଶ୍ବରରେ ମହିଷିଆ ଖାଲ, ଗଧିଆ ଖାଲ, ପଥର ବନ୍ଧ ଓ ସହିଦ ନଗର ପରେ ଚନ୍ଦ୍ରଶେଖରପୁରରେ ନୀଳମାଧବ ନିବାସ ପକ୍କାଘର ଯୋଜନା କାର୍ଯ୍ଯକାରୀ ହୋଇଛି । ଯାହା କେହି କେବେ ଚିନ୍ତା ବି କରିନଥିଲେ, ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାସ୍ତବରେ କରିଥିବାରୁ ସମସ୍ତେ କୃତଜ୍ଞତା ଜଣାଇଛନ୍ତି ।

ସବୁ ପ୍ରକାର ସୁବିଧା ଥାଇ ବସ୍ତି ବାସିନ୍ଦାଙ୍କୁ ପକ୍କାଘର ମିଳିବା ସହ ଭୂମିହୀନଙ୍କୁ ଜାଗା ମିଶନରେ ଜମିପଟ୍ଟା ମିଳୁଛି । ମିଳୁଛି ସମ୍ମାନର ସହ ବଞ୍ଚିବାର ଅଧିକାର। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଭୂମିହୀନଙ୍କୁ ଜମି ଅଧିକାର ପ୍ରମାଣପତ୍ର ମିଳୁଛି । ୫୨ ହଜାର ଲୋକ ଉପକୃତ ହୋଇଛନ୍ତି। ଭୁବନେଶ୍ବରରେ ୪୭୧ଟି ବସ୍ତିରୁ ୩୭୫ଟି ବସ୍ତିର ହିତାଧିକାରୀ ତାଲିକା ଚୂଡ଼ାନ୍ତ ହୋଇଛି । ବିଜୁ ଆଦର୍ଶ କଲୋନୀରେ ଅଧିକରୁ ଅଧିକ ଲୋକଙ୍କୁ ଶୀଘ୍ର ପକ୍କାଘର ଯୋଗାଇବା ପାଇଁ ତତ୍ପର ହୋଇଛି ପ୍ରଶାସନ । କଟକ ମହାନଗର ନିଗମ ଅଞ୍ଚଳରେ ମଧ୍ଯ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଐତିହାସିକ ପଦକ୍ଷେପ କାର୍ଯ୍ଯକାରୀ ହେଉଛି । ସବୁ ସହରରେ ଭୂମିହୀନଙ୍କୁ ଜମିପଟ୍ଟା ବଣ୍ଟନ ଆରମ୍ଭ ହୋଇଛି। ଆବାସ ଯୋଜନାରେ ୧୦ ହଜାରରୁ ଅଧିକ ଲୋକ ପକ୍କାଘର ପାଇଛନ୍ତି । ଅତ୍ୟାଧୁନି ସୁବିଧା ସୁଯୋଗ ସହ ବସ୍ତିଗୁଡ଼ିକ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତର ହେଉଛି ।

କୁନୋକୁ ଆସିଲେ ନୂଆ ଅତିଥି

ନନ୍ଦିଘୋଷ ବ୍ୟୁରୋ: କୁନୋକୁ ଆସିଲେ ନୂଆ ଅତିଥି। ଚିତା ବାଘୁଣୀ ଗାମିନୀ ୫ ଶାବକଙ୍କୁ ଜନ୍ମ ଦେଇଛି। ଏହି ୫ ଶାବକଙ୍କ ସହ କୁନୋରେ ଚିତା ଶାବକଙ୍କ ସଂଖ୍ଯା ୧୩କୁ ବୃଦ୍ଧି ପାଇଛି। ୫ ବର୍ଷିୟା ଗାମିନୀ ଦକ୍ଷିଣ ଆଫ୍ରୀକାର କାଲାହାରୀ ଅଭୟାରଣ୍ୟରୁ ଏଠାକୁ ଆସିଥିଲା। ଏହି ଶାବକଙ୍କ ସହ କୁନୋ ଅଭୟାରଣ୍ୟରେ ଚିତାବାଘ ସଂଖ୍ଯା ୨୬କୁ ବୃଦ୍ଧି ପାଇଛି। ଗତବର୍ଷ ଏହି ସବୁ ଚିତାବାଘଙ୍କୁ ଆଫ୍ରିକାରୁ ଭାରତକୁ ଅଣାଯାଇଥିଲା। ଏହା ପୂର୍ବରୁ ବାଘୁଣୀ ଜ୍ଵାଳା ଦୁଇ ଶାବକଙ୍କୁ ଜନ୍ମ ଦେଇଥିଲା। ବାଘୁଣୀ ଜ୍ଵାଳାକୁ ନାମ୍ବିଆରୁ ଅଣାଯାଇଥିଲା। ଏହା ପୂର୍ବରୁ ଗତ ମାର୍ଚ୍ଚରେ ଜ୍ଵାଳା ୪ ଶାବକଙ୍କୁ ଜନ୍ମ ଦେଇଥିଲା। ତେବେ ସେଥିମଧ୍ୟରୁ ୩ ଶାବକଙ୍କ ମୃତ୍ଯୁ ଘଟିଥିଲା। ପ୍ରବଳ ଗରମରୁ  ସେମାନଙ୍କ ମଧ୍ୟରୁ ୨ ଶାବକଙ୍କ ମୃତ୍ଯୁ ଘଟିଥିଲା।

’ବସ୍’ ଫିଲ୍ମର ସଫଳତା ପାଇଁ ସେଲିବ୍ରେସନ

ଭୁବନେଶ୍ବର: ନାରୀ ଯିଏ କେବେ ହାରିବା ଶିଖିନଥାଏ। ନାରୀ ସକ୍ଷମ ଆଉ ସଫଳ। ସଂଘର୍ଷକୁ ସଫଳତାରେ ପରିଣତ କରିବାର କଳା ତାକୁ ବେଶ୍ ଭଲଭାବେ ଜଣା। ସେଇଥିପାଇଁ ତ ତା ନାଁ `ବସ୍’। ବିଶ୍ବ ମହିଳା ଦିବସ ଅବସରରେ ରିଲିଜ ହୋଇଛି  ଓଡିଆ ଫିଲ୍ମ ବସ୍ । ଓଲିଉଡ଼ ଇଣ୍ଡଷ୍ଟ୍ରିର ପପୁଲାର ଫେସ୍ ବର୍ଷା ପ୍ରିୟଦର୍ଶିନୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବର୍ଷାଙ୍କ ଅପୋଜିଟରେ ଅଭିନୟ କରିଛନ୍ତି ରାଜ ରାକେଶ। ଗୋଟିଏ ଦିନରେ ହିଁ ଫିଲ୍ମ ହାଉସଫୁଲ ହୋଇଥିଲା। ଫିଲ୍ମର ସଫଳତା ପାଇଁ ଚାଲିଛି ସେଲିବ୍ରେସନ। ସଂପୂର୍ଣ୍ଣ ନାରୀ କୈନ୍ଦ୍ରିକ ଫିଲ୍ମ ହୋଇଥିବାରୁ ବେଶ୍ ଦର୍ଶକୀୟ ଆଦୃତି ଲାଭ କରିଛି ବସ୍। ଫିଲ୍ମର ସଫଳତା ପାଇଁ କେକ୍ କାଟି ସେଲିବ୍ରେଟ୍ କରିଛନ୍ତି ବର୍ଷା ଓ ତାଙ୍କର ପୁରା ଷ୍ଟାରକାଷ୍ଟ। ନାରୀ ଅବଳା ଦୁର୍ବଳା ନୁହେଁ ସେ  କିଭଳି ପୁରୁଷ ସହ ସମକକ୍ଷ ତାହା ଫିଲ୍ମରେ ନିଖୁଣ ଭାବେ ଅଭିନୟ କରିଛନ୍ତି ବର୍ଷା। ବର୍ଷାଙ୍କ ଆପିଅରାନ୍ସ ଓ ଦମଦାର ଡାଇଲଗ ଫ୍ୟାନଙ୍କୁ ହଲ୍ ଆଡକୁ ଟାଣିଆଣିଛି। ।

ଉପାନ୍ତରୁ ଉପକୂଳ ସବୁଠି ବଢିବ ପାରଦ, ଆସନ୍ତାକାଲିଠୁ ଟାଇଁ ଟାଇଁ ଖରା

ଭୁବନେଶ୍ବର: ସୋମବାରଠୁ ଟାଇଁ ଟାଇଁ ଖରା । ଉପାନ୍ତରୁ ଉପକୂଳ ସବୁଠି ବଢିବ ପାରଦ । ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୩ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ୧୧, ୧୨ ଏବଂ ୧୩ ତାରିଖରେ ରାଜ୍ୟରେ ହଟ୍ ଓ୍ବେଦର କଣ୍ଡିସନ୍ ଦେଖାଦେବ । ବିଶେଷ କରି ଟୁଇନ୍ସିଟି କଟକ ଭୁବନେଶ୍ବର ସମେତ ବଲାଙ୍ଗୀର, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ, ନୟାଗଡ ଆଦି ଜିଲ୍ଲାରେ ତାପମାତ୍ରା ୩୮ ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁବା ସମ୍ଭାବନା ରହିଛି । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଉଥିବାରୁ ରାଜ୍ୟରେ ଏଭଳି ହଟ୍ ଓ୍ବେଦର କଣ୍ଡିସନ୍ ଦେଖାଦେବ ବୋଲି ପାଣିପାଗ କେନ୍ଦ୍ର କହିଛି । ଏଥିପାଇଁ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ରେଡ୍ ଏବଂ ଅରେଞ୍ଜ ମାର୍କ ଜାରି କରାଯାଇଛି । ତେବେ ୧୪ ତାରିଖ ବେଳକୁ ରାଜ୍ୟରେ ପୁଣି ବର୍ଷା ହେବା ନେଇ ଆକଳନ କରାଯାଇଛି । ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, ଯାଜପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏହି ବର୍ଷା ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ବାକି ଓଡ଼ିଶାରେ ପାଗ ଶୁଖିଲା ରହିବ । ୧୬ ତାରିଖ ପରେ ପୁଣି ଫେରିବ ତାତି ।

ଏଥର ରାତିରେ ବି ନନ୍ଦନକାନନ ମଜା, ଆଜିଠୁ ନାଇଟ ଆଉଟ ଆଟ୍ ଜୁ

ଭୁବନେଶ୍ବର: ଏଥର ରାତିରେ ବି ନନ୍ଦନକାନନ ମଜା । ଆଜିଠୁ ନନ୍ଦନକାନନରେ ଆରମ୍ଭ ହେଉଛି `ନାଇଟ ଆଉଟ ଆଟ୍ ଜୁ’ । ନନ୍ଦନକାନନ ପକ୍ଷରୁ ନୂଆ ଶୈକ୍ଷିକ କାର୍ଯ୍ୟକ୍ରମ ଆରମ୍ଭ ହେଉଛି । କେବଳ ରବିବାର ରାତିରେ ବୁଲିହେବ ନନ୍ଦନକାନନ । ୨୦ ଦର୍ଶକ ବୁଲିବାକୁ ବ୍ଯବସ୍ଥା କରାଯାଇଛି । ପର୍ଯ୍ୟଟକମାନେ ଅନଲାଇନରେ ଟିକେଟ କିଣି ନନ୍ଦନକାନନ ବୁଲିପାରିବେ । ଏଥିପାଇଁ ଜଣପିଛା ଟିକେଟ ମୂଲ୍ଯ ୨୫୦ ଟଙ୍କା ରହିଛି । ବ୍ଯାଟେରି ଗାଡିରେ ପର୍ଯ୍ୟଟକମାନେ ସଂଧ୍ୟା ସାଢ଼େ ୬ରୁ ରାତି ୮ଟା ଯାଏ ପ୍ରାଣୀ ଉଦ୍ଯାନ ବୁଲିପାରିବେ । ଏହି ସମୟରେ ରାତ୍ରିଚର ପ୍ରାଣୀଙ୍କ ଜୀବନଶୈଳୀର ଅଧ୍ୟୟନ କରିବାକୁ ସୁଯୋଗ ମିଳିବ ।

ରାଜନୀତି ଡେବ୍ୟୁରେ କେମିତି ରହିବ ୟୁସୁଫଙ୍କ ପ୍ରଦର୍ଶନ ?

ନନ୍ଦିଘୋଷ ବ୍ୟୁରୋ: କ୍ରିକେଟ ମଇଦାନରେ କରିଥିଲେ ପାସ୍? ରାଜନୀତି ଡେବ୍ୟୁ କେମିତି ରହିବ ପ୍ରଦର୍ଶନ । ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ୟୁସୁଫ ପଠାନ ପଶ୍ଚିମବଙ୍ଗ ନିର୍ବାଚନ ହେଉଛନ୍ତି ପ୍ରାର୍ଥୀ । ଟିଏମସି ବହରାମପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ୟୁସୁଫ । କ୍ରିକେଟ ମଇଦାନରେ ଡେବ୍ୟୁରେ ରେକର୍ଡ କରିଥିବା ୟୁସୁଫ ନିର୍ବାଚନୀ ରାଜନୀତିରେ ଡେବ୍ୟୁରେ କିଭଳି ପ୍ରଦର୍ଶନ କରିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ୟୁସୁଫଙ୍କ ଘର ଗୁଜୁରାଟରେ ହୋଇଥିବାବେଳେ ସେ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଦୀର୍ଘଦିନ ଧରି ଖେଳିଥିଲେ । ବୋଧହୁଏ ଏହି କାରଣରୁ ମମତା ବାନାର୍ଜୀ ତାଙ୍କୁ ପ୍ରାର୍ଥୀ କରିଥାଇପାରନ୍ତି । ସେପଟେ ୨୦୦୭ ଟି-୨୦ ବିଶ୍ବକପରେ ଡେବ୍ୟୁ କରିଥିଲେ ୟୁସୁଫ । ଦଳରେ ସ୍ଥାନ ପାଇଥିଲେ ସୁଦ୍ଧା ସେ ଟୁର୍ଣ୍ଣାମେଣ୍ଟରେ ବସିଥିଲେ । ମାତ୍ର ବିରେନ୍ଦ୍ର ସେହଓ୍ବାଗ ଆହତ ହେବା ପରେ ତାଙ୍କୁ ଦଳରେ ସ୍ଥାନ ମିଳିଥିଲା । ଫାଇନାଲରେ ଖେଳିବାର ସୁଯୋଗ ମିଳିଥିବାବେଳେ ଦଳ ଚାମ୍ପିୟନ ହୋଇଥିଲା । ଡେବ୍ୟୁରେ ବିଜୟୀ ଦଳର ସଦସ୍ୟ ହୋଇଥିବା ୟୁସୁଫ ୨୦୧୧ ଦିନିକିଆ ବିଶ୍ବକପରେ ଭାରତ ଚାମ୍ପିୟନ ହୋଇଥିବା ଦଳର ସଦସ୍ୟ ମଧ୍ୟ ରହିଥିଲେ । ଏହାସହ ବହୁ ସିରିଜରେ ମଧ୍ୟ ଦମଦାର ପାଳି ଖେଳି ନିଜର ଛାପ ଛାଡ଼ିଥିବା ୟୁସୁଫ ଏବେ ରାଜନୀତି ମଇଦାନରେ ପ୍ରାର୍ଥୀ ହୋଇଥିବାବେଳେ ସେ ବିଜୟରୁ ଅଭିଯାନ ଆରମ୍ଭ କରିବେ ବୋଲି ଟିଏମସି ପକ୍ଷରୁ ଆଶା ରଖାଯାଇଛି ।