spot_img
Home Blog Page 2196

ଆମେ ଅଯୋଗ୍ୟ ବୋଲି କମିଟିରେ ସ୍ଥାନ ପାଇଲୁନି: ସୁର

ଭୁବନେଶ୍ବର: କଂଗ୍ରେସ ନିର୍ବାଚନ କମିଟିକୁ ନେଇ ହାତ ଶିବିରରେ ବଢ଼ିଲା ବିବାଦ । କମିଟିରୁ ବାଦ ପଡ଼ିବା ପରେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ କ୍ଷୋଭ । କହିଲେ- କଂଗ୍ରେସର ଆମେ ଛୋଟ ଏବଂ ଅଯୋଗ୍ୟ ନେତା ହୋଇଥିବାରୁ ଦଳ ଆମକୁ କମିଟିରେ ସ୍ଥାନ ଦେଇନାହିଁ । ଅନ୍ୟପଟେ ତାରା କିନ୍ତୁ କମିଟିର ବାଦ ପଡ଼ିବା ପରେ ଦୁଇ ଦିନ ଅପେକ୍ଷା କରନ୍ତୁ କହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି । ଏଆଇସିସି ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କମିଟିକୁ ନେଇ କଂଗ୍ରେସ ରାଜନୀତି ଗୋଳିଆ ହୋଇଛି ।

କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟିରୁ ଦଳର ଦୁଇ ହେଭିଓ୍ବେଟ ତଥା ବିଧାୟକ ସୁରେଶ ରାଉତରାୟ ଓ ତାରା ପ୍ରସାଦ ବାହିନୀପତି ବାଦ ପଡ଼ିଛନ୍ତି । ରାଜ୍ୟ ନିର୍ବାଚନ କମିଟିରୁ କଂଗ୍ରେସର ଫାୟାର ବ୍ରାଣ୍ଡ ବିଧାୟକ ବାଦ ପଡ଼ିବା ପରେ ବିଧାୟକ ସୁରେଶ ରାଉତରାୟ କ୍ଷୋଭ ପ୍ରକାଶ କରିଛନ୍ତି । କମିଟିକୁ କଟାକ୍ଷ କରି ସୁର କହିଛନ୍ତି, ଆମେ କଂଗ୍ରେସର ଛୋଟ ଏବଂ ଅଯୋଗ୍ୟ ନେତା, ସେଥିପାଇଁ କମିଟିରେ ଆମକୁ ସ୍ଥାନ ଦିଆଯାଇନାହିଁ । ମତେ ଖୋର୍ଦ୍ଧା ଜିଲ୍ଲା ସଭାପତି ପଦରୁ ହଟାଇ ଦେଲେ ବି ମୋର କିଛି ଖାତିର ନାହିଁ । ଏପରିକି ଦୁଇ ପୁଅକୁ ଯଦି ଦଳ ଟିକେଟ ନମିଳେ ତେବେ ସ୍ବାଧୀନ ଭାବେ  ନିର୍ବାଚନ ଲଢାଇ ଜିତାଇବି ବୋଲି ସୁର ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି । ଅନ୍ୟପଟେ ବିଧାୟକ ତାରା ପ୍ରସାଦ ବାହିନୀପତି କମିଟିରୁ ବାଦ ପଡ଼ିବା ପରେ ବି ମାପିଚୁପି ବୟାନ ରଖିଛନ୍ତି । କାହିଁକି କମିଟିରୁ ବାଦ ପଡ଼ିଲେ ତାହା ଦୁଇଦିନ ପରେ ସଭିଁଏ ଜାଣିବେ ବୋଲି ତାରା କହିଛନ୍ତି । ଯାହାକୁ ନେଇ କଂଗ୍ରେସ ରାଜନୀତି ଉଷ୍ମ ହୋଇଛି ।

କଂଗ୍ରେସରେ ଆଗକୁ ବହୁ ପରିବର୍ତ୍ତନ ଆସିବ ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି । ଏଆଇସିସି ଏବେ ଓଡ଼ିଶା କଂଗ୍ରେସକୁ ଫୋକସ କରିଛି । ପୁଣିଥରେ କଂଗ୍ରେସ ପାଇଁ ୨୦୨୪ ଶେଷ ସୁଯୋଗ କଥାକୁ ଦୋହରାଇଛନ୍ତି ଜୟଦେବ । ଚିରାଚରିତ ବୟାନ ଦେଇ କଂଗ୍ରେସର ନିର୍ବାଚନ କମିଟି ନେଇ ଦଳ ଭିତରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଏଡ଼ାଇ ଦେଇଛନ୍ତି ଜୟଦେବ ।

୨୦୧୯ ନିର୍ବାଚନରେ ମାତ୍ର ୯ ଜଣ ବିଧାୟକ ପଦରେ କଂଗ୍ରେସ ସୀମିତ ରହିଥିଲା । ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳକୁ ଦଳ ନିଲମ୍ବନ କରିଛି । ଏବେ ସୁରେଶ ରାଉତରାୟଙ୍କୁ ରାଜ୍ୟ କଂଗ୍ରେସରେ ଅଣଦେଖା କରାଯାଉଥିବାରୁ ଦଳର ନେତୃତ୍ବକୁ ନେଇ ଅସନ୍ତୋଷ ନିଆଁ ପୁଣି କୁହୁଳିଛି ।

ଚାଉଳରୁ ପାସ୍ତା ଓ ନୁଡଲସ୍ ପ୍ରସ୍ତୁତ କରିବେ ମହିଳା: ଇରି ଦେବ ପ୍ରଶିକ୍ଷଣ, ମିଶନ ଶକ୍ତି ସହ ଚୁକ୍ତି

ଭୁବନେଶ୍ବର: କୃଷି ପ୍ରଗତିରେ ମହିଳା । କୃଷି ଅର୍ଥନୀତିର କର୍ଣ୍ଣଧାର ସାଜିଛନ୍ତି ମିଶନ ଶକ୍ତି ମହିଳା । ଏଣିକି ଚାଉଳରୁ ପ୍ରସ୍ତୁତ ହେବ ବିଦେଶୀ ଖାଦ୍ୟ ପାସ୍ତା ଓ ନୁଡଲ୍ସ୍ । ଏଥିପାଇଁ ମିଶନ ଶକ୍ତି ମହିଳା ନେବେ ପ୍ରଶିକ୍ଷଣ । କୃଷି ଓଡ଼ିଶା ମହୋତ୍ସବରେ ଏ ନେଇ ଫିଲିପାଇନ୍ସର ଇରି ସଂସ୍ଥା ସହ ମିଶନ ଶକ୍ତି ବିଭାଗ ବୁଝାମଣା ପତ୍ର ସ୍ବାକ୍ଷର କରିଛି ।

କୃଷି ବିକାଶ ଓ ବିପଣନରେ ମିଶନ ଶକ୍ତି ମହିଳାଙ୍କ ବଡ଼ ଅବଦାନ । ମିଲେଟ୍ସରୁ ମକା ମିଶନ, ମୋ ପୋଖରୀରୁ ଧାନ ସଂଗ୍ରହ । ସବୁଠି ମିଶନ ଶକ୍ତିର ସଫଳତା । ରାଜ୍ୟର କୃଷି ବିକାଶ ପାଇଁ କୃଷି ବିଭାଗ ସହିତ ତାଳ ଦେଇ କାମ କରିଆସୁଛି ମିଶନ ଶକ୍ତି । ଏଣିକି ଚାଉଳରୁ ପ୍ରସ୍ତୁତ ହେବ ବିଦେଶୀ ଖାଦ୍ୟ ପାସ୍ତା ଓ ନୁଡଲସ୍ । ଫିଲିପାଇନ୍ସ ମାନିଲାର ଇରି ସଂସ୍ଥା ମିଶନ ଶକ୍ତି ମହିଳାଙ୍କୁ ଦେବ ପ୍ରଶିକ୍ଷଣ । ଏ ନେଇ ମିଶନ ଶକ୍ତି ବିଭାଗ ଓ ଇରୀ ମଧ୍ୟରେ ସ୍ବାକ୍ଷରିତ ହୋଇଛି ବୁଝାମଣା ପତ୍ର । ମିଶନ ଶକ୍ତି ମହିଳାଙ୍କୁ କୃଷି ସହାୟତା ପ୍ରଦାନରେ ବି ରାଜ୍ୟ ସରକାର ରେକର୍ଡ଼ କରିଛନ୍ତି । ୭୫ ପ୍ରତିଶତ ରିହାତିରେ କୃଷି ଯାନ୍ତ୍ରିକିକରଣ ପାଇଁ ୧୬ ହଜାର ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଛି ସହାୟତା । ଚଳିତବର୍ଷ ମକା ମିଶନ ଜରିଆରେ ୧୦ଟି ଜିଲ୍ଲାରେ ମିଶନ ଶକ୍ତି ମହିଳାଙ୍କୁ କୃଷି ଉଦ୍ୟୋଗ ପାଇଁ ଦିଆଯାଇପାରିଛି ସହାୟତା ।

ଫାର୍ମ ମେକାନିଜିମରେ ଓଡ଼ିଶା ଚଳିତବର୍ଷ ରେକର୍ଡ କରିଛି । ମହିଳା ଚାଷୀଙ୍କ ପାଇଁ ପ୍ରଥମ ଥର ପାଇଁ ବଜାରକୁ ଆସିଛି ରିମୋଟ୍ ସେନ୍ସିଂ ପାଓ୍ବାର ଟିଲର୍ । ପ୍ରଚଣ୍ଡ ଖରାରେ ବିଲରେ କାଦୁଅ କରିବା ହେଉ କି ହଳ,  ସବୁ କିଛି କରିହେବ ରିମୋଟ ଯୋଗେ । ସେପଟେ ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଯୋଜନାରେ ବାୟୋଫ୍ଲକ୍ ଓ ପଞ୍ଜୁରୀ ମାଛ ଚାଷ, କ୍ଷାର ପାଣି କଙ୍କଡ଼ା, ହଲିଷ୍ଟିନ୍ ଗାଈ, ରଙ୍ଗୀନ୍ ବାର୍ଡ, ଧଳା ଘୁଷୁରୀ, ଅଣ୍ଡାଦିଆ କୁକୁଡ଼ା ଚାଷ ପାଇଁ ସରକାର ଯୋଗାଉଛନ୍ତି ସବସିଡ । କୃଷି ଯାନ୍ତ୍ରିକୀକରଣ ଯୋଜନାରେ ଉନ୍ନତ ମାନର ଟ୍ରାକ୍ଟର, ଧାନ ଅମଳ ମେସିନ୍, ରୁଆ ମେସିନ୍ ପାଇଁ ଦିଆଯାଉଛି ସବସିଡି । ଚଳିତବର୍ଷ ରାଜ୍ୟ ସରକାର ୧୪ ଶହ କୋଟି ଟଙ୍କାର କୃଷି ଯନ୍ତ୍ରପାତି ରିହାତିରେ ଯୋଗାଇ ଦେଉଛନ୍ତି ।

ପରିକ୍ରମା ଲୋକାର୍ପଣ ଆଦ୍ୟପୂଜା: ମହାଯଜ୍ଞ ପାଇଁ ଅଙ୍କୁର ପୂଜନ ଓ ମଣ୍ଡଳ ସ୍ଥାପନ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମହୋତ୍ସବ ମହାଯଜ୍ଞ ପାଇଁ ଅଙ୍କୁର ପୂଜନ ହୋଇଯାଇଛି । ଏହାସହ ମଣ୍ଡଳ ସ୍ଥାପନ ମଧ୍ୟ କରାଯାଇଛି । ଆସନ୍ତାକାଲି ଅଧିବାସ ସହିତ ଯଜ୍ଞ ପାଇଁ ଅନ୍ୟ ନୀତି ସମ୍ପନ୍ନ ହେବ । ପ୍ରକଳ୍ପ ଉଦଘାଟନ ପାଇଁ ସ୍ୱତନ୍ତ୍ର ଫଳକ ସ୍ଥାପନ ସହ ଏହାକୁ ବୈଦିକ ରୀତିରେ ପୂଜା କରାଯିବ । ଅଷ୍ଟଧାତୁରେ ନିର୍ମିତ ଫଳକରେ ଉଦଘାଟନ ସମ୍ପର୍କରେ ଲିପିବଦ୍ଧ ହୋଇ ରହିବ ସମସ୍ତ ତଥ୍ୟ ।

ଭକ୍ତିମୟ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଆଦ୍ୟପୂଜା । ଆରମ୍ଭ ହୋଇଛି ଯଜ୍ଞବିଧି । ବ୍ରାହ୍ମଣ, ପଣ୍ଡିତ ଓ ରାଜଗୁରୁଙ୍କ ତତ୍ତ୍ୱାବଧାନରେ କରାଯାଉଛି ସମସ୍ତ କାର୍ଯ୍ୟ । ଗତକାଲି ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିଥିଲେ । ସମ୍ପନ୍ନ ହୋଇଥିଲା ଅଙ୍କୁରାରୋପଣ । ଆଜି ମଙ୍ଗଳାର୍ପଣ ଓ ଅଙ୍କୁର ପୂଜନ ସହ ମଣ୍ଡଳ ସ୍ଥାପନ ହୋଇଛି, ଚାଲିଛି ଅନ୍ୟ ନୀତି ।

୭ ଶହ ବର୍ଷ ପରେ ପୁରୀଧାମର ବିକାଶ ଇତିହାସ ସୃଷ୍ଟି କରିଛି । ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନକୁ ଚିର ସ୍ମରଣୀୟ କରିବା ପାଇଁ ସ୍ବତନ୍ତ୍ର ଫଳକ ଲଗାଯିବ । ଭିତ୍ତିପ୍ରସ୍ତର ନିକଟରେ ରହିବ ଉଦଘାଟନ ଫଳକ । ଏହାକୁ ସ୍ବତନ୍ତ୍ର ଚାନ୍ଦୁଆ ଦ୍ୱାରା ଆଚ୍ଛାଦିତ କରାଯିବ । ମହାଯଜ୍ଞରେ ଗଜପତି ମହାରାଜା ପୂର୍ଣ୍ଣାହୁତି ଦେବା ସହ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଲୋକାର୍ପଣ କରିବେ ।

ପରିକ୍ରମା ପ୍ରକଳ୍ପ ଉଦଘାଟନ ମହୋତ୍ସବରେ ଲକ୍ଷାଧିକ ଭକ୍ତ, ବହୁ ସାଧୁସନ୍ଥ ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ । ସେହି ଅନୁସାରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଉଦଘାଟନ ମହୋତ୍ସବ ପୂର୍ବରୁ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି ପୂଜାବିଧି ।

ସେହିପରି ଲୋକାର୍ପଣ ଉତ୍ସବ ପାଇଁ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସୁରକ୍ଷା ଓ ପ୍ରସ୍ତୁତି ନେଇ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା କରିଛନ୍ତି । ଗତକାଲିଠାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ୧୭ ତାରିଖରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଏହା ପୂର୍ବରୁ ପୁରୀରେ ପହଞ୍ଚି କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଜରିଆରେ ଗ୍ଲୋରୀ ଫେଷ୍ଟ ୨୦୨୪ ଉଦଯାପିତ

ପୁରୀ: ଉଦଯାପିତ ହେଲା ପୁରୀରେ ଚାଲିଥିବା ଗ୍ଲୋରୀ ଫେଷ୍ଟ ୨୦୨୪ । ପୁରୀ ବେଳାଭୂମିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ହୋଇଛି ଉଦଯାପନୀ ଉତ୍ସବ । ଚାରି ଦିନ ବ୍ୟାପି ଚାଲିଥିବା ଏହି ଉତ୍ସବରେ ସାମିଲ ହୋଇଥିଲେ ରାଜ୍ୟ ବାହାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟର ୩୫୦ରୁ ଅଧିକ ଛାତ୍ରଛାତ୍ରୀ । ଶେଷଦିନରେ ୧୮ଟି ବିଭାଗରେ ଅନୁଷ୍ଠିତ ହୋଇଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି ।

ପୁରୀ ବେଳାଭୂମିରେ ଫ୍ୟାସନ ଶୋ’ ସାଙ୍ଗକୁ ନାଚଗୀତର ଜଲସା । ଉଦଯାପିତ ହୋଇଛି ୪ ଦିନିଆ ଗ୍ଲୋରୀ ଫେଷ୍ଟ ୨୦୨୪ । ଚଳିତବର୍ଷ ଗ୍ଲୋରୀ କୁଇନ୍ ମୁକୁଟ ହାତେଇଲେ ତିରୁପତି ବିଶ୍ବବିଦ୍ୟାଳୟର ଛାତ୍ରୀ ଯମୁନା ସୋନଓ୍ବାଲ । ରାଉରକେଲା ସରକାରୀ ମହାବିଦ୍ୟାଳୟ ଦଳଗତ ଚାମ୍ପିଅନ ଟ୍ରଫି ଜିତିଥିବାବେଳେ ଓ ଟ୍ୟାଲେଣ୍ଟ ଅଫ୍ ଦି ଇୟର ହୋଇଛନ୍ତି ପୁରୀ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ସଂସ୍ଥାନର ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ମୋଟ ୧୮ଟି ବିଭାଗରେ ଅନୁଷ୍ଠିତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ଶୀତୁଆ ସଂଧ୍ୟ୍ଯାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜୋସ ଭରିଥିଲେ ୨୦୧୮ ଇଣ୍ଡିଆନ ଆଇଡଲ ଫାଇନାଲିଷ୍ଟ ବିଶ୍ବଜିତ ମହାପାତ୍ର ।

ଶ୍ରୀକ୍ଷେତ୍ର ଅଗ୍ରଣୀ ଯୁବ ସାଂସ୍କୃତିକ ଅନୁଷ୍ଠାନ ଜାତୀୟ ଯୁବ ସମନ୍ୱିତ କେନ୍ଦ୍ର ଆନୁକୂଲ୍ୟରେ ୪ ଦିନ ଧରି ଚାଲିଥିଲା ଉତ୍ସବ । ଯୁବ ପ୍ରତିଭା ଅନ୍ବେଷଣ ତଥା ଯୁବଗୋଷ୍ଠୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ୨୭ ବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଏହି ଉତ୍ସବ । ଏହି ଅବସରରେ ପୁରୀ ଟାଉନ୍ ହଲରେ କୁଇଜ୍‌, ସ୍କିଟ୍‌, ଅନ୍ତାକ୍ଷରୀ, ରେକର୍ଡ଼ ଡ୍ୟାନ୍ସ, ଓ ଗ୍ଲୋରୀ କୁଇନ୍ ଆଦି ପ୍ରତିଯୋଗିତା ହୋଇଥିଲା ।

ବୌଦ୍ଧରେ ରହସ୍ୟମୟ ସୁଡ଼ଙ୍ଗ ଠାବ, ଶହେ ବର୍ଷ ପୁରୁଣା ଅନୁମାନ

ବୌଦ୍ଧ: ବୌଦ୍ଧରେ ରହସ୍ୟମୟ ସୁଡଙ୍ଗ ଠାବ । ଜଙ୍ଗଲ ଭିତରେ ସୁଡଙ୍ଗକୁ ଠାବ କଲେ ସ୍ଥାନୀୟ ବାସିନ୍ଦା । ବୌଦ୍ଧ ଶୀତଳପାଣି ସାତକୋଶିଆ ଅଭୟାରଣ୍ୟ ଭିତରେ ଠାବ ହୋଇଛି ଏହି ସୁଡଙ୍ଗ । ସୁଡଙ୍ଗଟି ୧୦୦ ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି ।

କାହିଁ କେଉଁ କଳାରୁ ପାହାଡ଼ର ଘଞ୍ଚ ଜଙ୍ଗଲ ଭିତରେ ଲୋକଲୋଚନରୁ ଲୁଚି ରହିଥିଲା ଏହି ରହସ୍ୟମୟ ସୁଡଙ୍ଗ । ସୁଡଙ୍ଗଟି କେଉଁଠି ସରିଛି କେହି ଜାଣି ନଥିବା ବେଳେ ସୁଡଙ୍ଗକୁ ନେଇ କୁହାଯାଉଛି ଅନେକ ଲୋକକଥା । ରାଣୀ ପଦ୍ମାବତୀ ଐତିହାସିକ ଜଗନ୍ନାଥ ସଡକ ଦେଇ ପୁରୀରୁ ଆସି ଏହି ସୁଡଙ୍ଗ ଦେଇ ପଦ୍ମତୋଳା ଜଙ୍ଗଲରେ କିଛି ଦିନ ରହିଥିଲେ ବୋଲି ସ୍ଥାନୀୟ ଲୋକଭ୍କ ମଧ୍ୟରେ ଲୋକକଥା ରହିଛି ।

ସେହିପରି ଜବାହରଲାଲ ନେହେରୁ ୧୯୬୪ ମସିହା ଜାନୁଆରୀ ୫ରେ ମଣିଭଦ୍ରା ଡ୍ୟାମ ପାଇଁ ସୁନଖଣିଆ ଓ ଶୀତଳପାଣି ମଧ୍ୟଭାଗର ଠିକ ଅପରପାର୍ଶ୍ୱ ଅନୁଗୁଳ ଜିଲ୍ଲାର ଟିକରପଡା ପାଖରେ ଶୁଭ ଦେଇଥିଲେ । ପରେ ତାଙ୍କ ନିର୍ଦ୍ଦେଶ କ୍ରମେ ଏପଟେ ସୁଡଙ୍ଗ ଖୋଲା ଯାଇଥିବା ଲୋକେ କୁହନ୍ତି ।

ଅନ୍ୟପଟେ ସୁଡଙ୍ଗର ସୁରକ୍ଷା ପାଇଁ ବନ ବିଭାଗ ସହ ଆଲୋଚନା କରାଯିବା ସହ ଏହା କିଭଳି ଲୋକଲୋଚନକୁ ଆସିବ, ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ସେ ଦିଗରେ ପ୍ରୟାସ କରାଯିବ ବୋଲି ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ।

ସୁଡଙ୍ଗର ଅଧିକ ଗବେଷଣା କରିବା ଜରୁରୀ । ଏହି ଐତିହାସିକ ଗୁମ୍ଫାକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ମୁମ୍ବାଇରେ ଜଳିଗଲା ୬ ମହଲା କୋଠା

ମୁମ୍ବାଇ: ମୁମ୍ବାଇର ଡୋମ୍ବିଭଲି ଲୋଢା ଫେଜ୍‌-୨ ଖୋନା ଏଷ୍ଟ୍ରେଲା ଟାଓ୍ବାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି | ପାଞ୍ଚରୁ ଛଅ ମହଲା ଗ୍ୟାଲେରୀରେ ଜଳିପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ପରେ ୩ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରୁଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି କୁହାଯାଉଛି। ନିଆଁ ଲାଗିବା ପରେ ତୁରନ୍ତ ଏଠାରେ ରହୁଥିବା ସମସ୍ତ ଲୋକଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇଥିଲା।

ଏହି ଅଗ୍ନିକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ହେଉଥିବା ଦେଖିବାକୁ ମିଳୁଛି । ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।

ଘଟଣାସ୍ଥଳରେ ୩ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ଏହାପୂର୍ବରୁ ମୁମ୍ବାଇର ଗିର୍ଗାଓଁ ଚୌପାଟୀରେ ଅବସ୍ଥିତ ଏକ ଚାରି ମହଲା କୋଠାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ କିଛି ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା ।

ଅନାଥ ଭଉଣୀ ଗଙ୍ଗା-ଜମୁନା, ପେଟ ପାଇଁ କରୁଛନ୍ତି ସଂଘର୍ଷ

ସୋର: ନା ଅଛି ମୁଣ୍ଡ ଉପରେ ବାପାଙ୍କ ହାତ, ନା ଅଛି ମାଆର ପଣତ । ସଂସାରର ଜଞ୍ଜଳ ଭିତରେ ଏକା ଏକା ଚାଲୁଛନ୍ତି ଦୁଇ ଅନାଥ ଭଉଣୀ ଗଙ୍ଗ ଓ ଜମୁନା । ଦିନକୁ ଦୁଇମୁଠା ଖାଇବା ଜୋଗାଡ଼ କରିବାକୁ କରିଛନ୍ତି ଏକ ଦୋକାନ । ଏଥିରୁ ଯାହା କିଛି ମିଳୁଛି, ପେଟକୁ ଦାନା ଓ ଦେହକୁ କନା କିଣିବା ବି ସମ୍ଭବ ହେଉନି । ଏମିତି ଦୟନୀୟ ଅବସ୍ଥାରେ ଜୀବନ ସହ ସଂଘର୍ଷ କରୁଥିବା ସୋର ବ୍ଳକ ତଳନଗର ହାବେଳୀ ଗଣ୍ଡତରା ଗାଁର ଗଙ୍ଗା ଏବଂ ଜମୁନାଙ୍କୁ ସହାୟତା ଯୋଗଇ ଦେବାକୁ ହେଉଛି ଦାବି ।

ବାପାମାଆ ଚାଲିଯିବା ପରେ ଦୁଃଖ ଭିତରେ ବଞ୍ଚିବାକୁ ଦୁଇ ଭଉଣୀ କରୁଛନ୍ତି ସଂଘର୍ଷ । ତଥାପି ହାରି ଯାଇନାହାନ୍ତି । ଦୋକାନରୁ ହେଉଥିବା ରୋଜଗାରରେ ପାଠ ପଢ଼ିବା ସହ ପରିବାର ଚଳାଉଛନ୍ତି । ଗଙ୍ଗା ଆଉ ଯମୁନା ଯେତେବେଳେ ୯ ବର୍ଷ ବୟସରୁ ବାପା ମାଆଙ୍କୁ ହରାଇଛନ୍ତି । ଏବେ ସେମାନଙ୍କ ସଂସାର ଜେଜେମାଆଙ୍କୁ ନେଇ । ବୃଦ୍ଧା ଜେଜେମାଆଙ୍କ ପେଟକୁ ଦାନା ଦେବା ବି ସେମାନଙ୍କ ଦାୟିତ୍ବ । ଉଭୟ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ସେମାନଙ୍କ ବାଟ ଓଗାଳିଛି ଗରିବୀ । ଜେଜେମାଆ ପାଉଥିବା ୫ ଶହ ଟଙ୍କା ଭତ୍ତା ଓ ୩୫ କିଲୋ ଚାଉଳରେ ତାଙ୍କ ପରିବାର ଚଳୁଛି ।

ଏମିତି ସ୍ଥିତିରେ ଓଳିଏ ଖାଇଲେ ଓଳିଏ ଉପବାସ ରହୁଛନ୍ତି ଦୁଇ ଭଉଣୀ । ଘର ପାଖରେ ଛୋଟ ଦୋକାନଟିଏ ଖୋଲି ଯାହା ଯେତିକି ରୋଜଗାର କରୁଛନ୍ତି l ଉଭୟ ମେଧାବୀ ଛାତ୍ରୀ ହୋଇଥିଲେ ବି ପାଠ ପଢ଼ାରେ ଅର୍ଥ ବାଧକ ସାଜିଛି । ସରକାର ସେମାନଙ୍କ ଉପରେ କୃପା ଦୃଷ୍ଟି ପକାଇ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ଗଙ୍ଗା, ଜମୁନା ନିବେଦନ କରିଛନ୍ତି ।

ଚତୁର୍ଥ ପର୍ଯ୍ୟାୟରେ ୩୨୭ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନୂଆ ରୂପ ପାଉଛି ରାଜ୍ୟର ସରକାରୀ ସ୍କୁଲ । ଅତ୍ୟାଧୁନିକ ରୂପ ପାଉଛି ସ୍କୁଲ । ଘରୋଇ ବିଦ୍ୟାଳୟ ପରି ସରକାରୀ ବିଦ୍ୟାଳୟରେ ବି ମିଳୁଛି ସମସ୍ତ ପ୍ରକାର ସୁବିଧା । ଏହି କ୍ରମରେ ଚତୁର୍ଥ ପର୍ଯ୍ୟାୟରେ ୩୨୭ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିସବୁ ବିଦ୍ୟାଳୟର ଲୋକାର୍ପଣ କରିଛନ୍ତି । ୬ଟି ଜିଲ୍ଲାରେ ଏହି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଚତୁର୍ଥ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାରେ ୩୫ ସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍କୁଲକୁ ନୂଆ ରୂପ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଛାତ୍ରଛାତ୍ରୀ କୃତଜ୍ଞତା ଜଣାଇଛନ୍ତି । ସେହିପରି ବାଲେଶ୍ବରରେ ୭୬ଟି, ଗଜପତି ଜିଲ୍ଲାରେ ୨୮, ଢେଙ୍କାନାଳରେ ୬୩, କେନ୍ଦୁଝରରେ ୪୫ ଓ କଟକରେ ୮୦ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଲୋକାର୍ପଣ ଅବସରରେ ସଂପୃକ୍ତ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ଓଡିଶାରେ ରୂପାନ୍ତରର ଯୁଗ ଚାଲିଛି । ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ । ସ୍କୁଲ ରୂପାନ୍ତର ଓଡିଆ ଜାତିରେ ନୂଆ ଜାଗରଣର ମାର୍ଗ ପ୍ରଶସ୍ତ କରିଛି । ଆଗାମୀ ଦିନରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ନବୀନ । ସ୍କୁଲ କଲେଜରୁ ଆରମ୍ଭ କରି ହସ୍ପିଟାଲ, ପର୍ଯ୍ୟଟନ କ୍ଷେତ୍ର, ମଠ ମନ୍ଦିର, ପଞ୍ଚାୟତ, ଗାଁ ସବୁଠାରେ ରୂପାନ୍ତର କାର୍ଯ୍ୟ ଚାଲିଛି । ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଏହି ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି । ଏସବୁ ରୂପାନ୍ତର କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ । ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ । ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି । ସରକାରୀ ସ୍କୁଲରେ ପିଲାଙ୍କ ଶିକ୍ଷାଦାନ କ୍ଷେତ୍ରରେ ବହୁ ଉନ୍ନତି ଆସିଛି । ଏବେ ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ପିଲା ଓ ଅଭିଭାବକ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି । ଏକ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଏବେ ସରକାରୀ ସ୍କୁଲ ଗୁଡିକ ଶ୍ରେଷ୍ଠ ମାଧ୍ୟମ ହୋଇଛି । ତେଣୁ ଏହି ରୂପାନ୍ତରିତ ସ୍କୁଲର ସଠିକ ଉପଯୋଗ କରି ଭଲ ପାଠ ପଢି ଏକ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ଜୀବନରେ 5T ନୀତିର ପ୍ରୟୋଗ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ଯୋଗ ଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ 5T ସ୍କୁଲ ରୂପାନ୍ତର ଆଜି ପିଲାଙ୍କ ମଧ୍ୟରେ ଭଲ ପାଠ ପଢି ବଡ ହେବାର ସ୍ବପ୍ନକୁ ଜାଗ୍ରତ କରିପାରିଛି । ସରକାରୀ ସ୍କୁଲରେ ପାଠ ପଢି ବହୁତ ପିଲା ବଡ଼ ମଣିଷ ହୋଇଛନ୍ତି । ପୂର୍ବରୁ ୩ଟି ପର୍ଯ୍ୟାୟରେ ରାଜ୍ୟରେ ୬ ହଜାର ୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧ ହଜାର ୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ । ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮ ହଜାର ୬୭୭ଟି ସ୍କୁଲ ରୂପାନ୍ତରିତ ହେବ ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେନି ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ଉତ୍ସବରେ ସାମିଲ ହେବେନି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ । ପଶ୍ଚିମବଙ୍ଗ ସ୍ଥିତ ସାଗର ଦୀପରେ ଆୟୋଜିତ ବିଶ୍ଵ ପ୍ରସିଦ୍ଧ ଗଙ୍ଗା ସାଗର ମେଳାରେ ଯୋଗଦେଇ ଏଭି ପ୍ରତିକ୍ରିୟା ରଖିଛନ୍ତି ଶଙ୍କରାଚାର୍ଯ୍ୟ। ତାଙ୍କ ସହ ଅନ୍ୟ ତିନି ଶଙ୍କରାଚାର୍ଯ୍ୟ ବି ଉତ୍ସବରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି।  ରାମ ମନ୍ଦିର ସମ୍ପୂର୍ଣ୍ଣ ଭାବେ ନିର୍ମାଣ ହୋଇନାହିଁ। ଅଧା ମନ୍ଦିର ନିର୍ମାଣ ହୋଇ ଉଦଘାଟନ ସହିତ ପୂଜା ହେବା ଠିକ ନୂହେଁ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ। ଜାନୁଆରୀ ୨୨ରେ ହେବାକୁ ଯାଉଛି ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଜାଣନ୍ତୁ, କିଏ କ’ଣ କହିଛନ୍ତି…

ଶଙ୍କରାଚାର୍ଯ୍ୟ ସ୍ୱାମୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ-

ପୁରୀ ଗୋବର୍ଦ୍ଧନପୀଠର ଶଙ୍କରାଚାର୍ଯ୍ୟ ହେଉଛନ୍ତି ସ୍ୱାମୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ । ସେ ପୁରୀ ଜଗନ୍ନାଥ ମନ୍ଦିର ଗୋବର୍ଦ୍ଧନ ପୀଠର ୧୪୫ ତମ ଶଙ୍କରାଚାର୍ଯ୍ୟ । ସେ ୧୯୯୨ଫେବୃଆରୀ ୯ରେ ପୀଠର ଦାୟିତ୍ୱ ଗ୍ରହଣ କରିଥିଲେ। ଅଧା ମନ୍ଦିର ନିର୍ମାଣ ହୋଇ ଉଦଘାଟନ ସହିତ ପୂଜା ହେବା ଠିକ ନୁହେଁ। ଖାଲି ରାଜନୈତିକ ଚାଲ୍ ଭାବେ ଅର୍ଦ୍ଧନିର୍ମିତ ମନ୍ଦିରର ପ୍ରତିଷ୍ଠା କରାଯାଉଛି ।

ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ-

୨୦୦୬ରେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ଉତ୍ତରାଖଣ୍ଡର ଜ୍ୟୋତିର୍ ମଠର ଦାୟିତ୍ୱ ଗ୍ରହଣ କରିଥିଲେ । ସେ କହିଛନ୍ତି ଯେ, ହିନ୍ଦୁ ଧର୍ମ ଅନୁଯାୟୀ, କୌଣସି ନିୟକ ପାଳନ କରାଯାଉନାହିଁ । ଆମେ ମୋଦି ବିରୋଧୀ ନୁହେଁ କିନ୍ତୁ ଆମେ ଆମ ଧର୍ମ ଶାସ୍ତ୍ର ବିରୋଧରେ ଯାଇପାରିବୁ ନାହିଁ ।

ଶଙ୍କରାଚାର୍ଯ୍ୟ ଭାରତୀ ତିର୍ଥ-

ଶ୍ରୀଙ୍ଗେରୀ ଶାରଦା ପୀଠର ୩୬ ତମ ଶଙ୍କରାଚାର୍ଯ୍ୟ ହେଉଛନ୍ତି ଭାରତୀ ତିର୍ଥ। ଜାନୁଆରୀ ୨୨ରେ ସେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି ଗଣମାଧ୍ୟମର ରିପୋର୍ଟରେ ଦର୍ଶାଯାଇଛି । କିନ୍ତୁ ଶ୍ରୀଙ୍ଗେରୀ ମଠ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ଶଙ୍କରାଚାର୍ଯ୍ୟ ଏହି ସମାରୋହରେ ଯୋଗଦେବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଶଙ୍କରାଚାର୍ଯ୍ୟ ସଦାନନ୍ଦ ସରସ୍ୱତୀ-

ସଦାନନ୍ଦ ସରସ୍ୱତୀ ହେଉଛନ୍ତି ପଶ୍ଚିମାନନୟ ଦ୍ୱାରକା ଶାରଦାପିଠର ଶଙ୍କରାଚାର୍ଯ୍ୟ । ଏହା ସାଧୁ ଆଦି ଶଙ୍କରଙ୍କ ଦ୍ୱାରା ପ୍ରତିଷ୍ଠିତ ଚାରି ଧର୍ମପୀଠରୁ ଅନ୍ୟତମ । ଏହା ଗୁଜୁରାଟର ଦ୍ୱାରକାରେ ଅବସ୍ଥିତ, ଏହା କାଲିକା ମଠ ନାମରେ ମଧ୍ୟ ଜଣାଶୁଣା। ରିପୋର୍ଟ ଅନୁଯାୟୀ ଶଙ୍କରାଚାର୍ଯ୍ୟ ସଦାନନ୍ଦ ସରସ୍ୱତୀ ଏହି ଉତ୍ସବରେ ସାମିଲ ହେବେନାହିଁ । ଯଦିଓ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

 

 

ହୋଟେଲ ରୁମରୁ ଅଙ୍ଗନବାଡି ଦିଦିଙ୍କ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁ ଅଟକ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ସ୍ଥିତ ନିର୍ମଳା ପ୍ଲାଜା ହୋଟେଲର ଏକ ରୁମ ଭିତରୁ ଅଙ୍ଗନବାଡି ଦିଦିଙ୍କ ମୃତଦେହ ଉଦ୍ଧାର । ମୃତ ଅଙ୍ଗନବାଡ଼ି ଦିଦି ହେଲେ ପୁରୀ ଜିଲ୍ଲା ବୀରଭଦ୍ରପୁର ଅଞ୍ଚଳର । ଗତକାଲି ସନ୍ଧ୍ୟାରେ ରାୟଗଡ଼ା ଅଞ୍ଚଳର ପୁରୁଷ ବନ୍ଧୁ ସଙ୍କେତ ସେନାପତିଙ୍କ ସହ ଆସି ଓୟୋରେ ରୁମ୍ ନେଇ ରହିଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସନ୍ଧ୍ୟାରେ ମୃତ ଯୁବତୀ ଏବଂ ତାଙ୍କ ପୁରୁଷ ବନ୍ଧୁ ରୁମ୍ ନେଇଥିବା ବେଳେ ରାତି ପ୍ରାୟ ସାଢ଼େ ୧୦ଟାରେ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯୁବତୀଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯିବା ପରେ ବିଳମ୍ବିତ ରାତିରେ ସେମାନେ ଏମକେସିଜି ମେଡ଼ିକାଲରେ ପହଞ୍ଚି ଥିଲେ ।

ଯୁବତୀଙ୍କ ପୁରୁଷ ବନ୍ଧୁ ସଙ୍କେତ ଭୁବନେଶ୍ବରର ଜେ.କେ. ଟାୟାର କମ୍ପାନୀରେ ସେଲସ୍‌ ମ୍ୟାନେଜର ଭାବେ କାମ କରୁଥିଲେ । ଫେସବୁକ ଜରିଆରେ ଉଭୟଙ୍କ ମଧ୍ୟରେ ଗତ ଏକ ବର୍ଷ ହେଲା ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ଗତକାଲି ସଙ୍କେତଙ୍କ ଜନ୍ମଦିନ ପାଳନ କରିବା ନିମନ୍ତେ ପୁରୀ ଯିବି କହି ଯୁବତୀ ଜଣକ ଘରୁ ବାହାରିଥିଲେ । ପୁରୀ ନ ଯାଇ ସଙ୍କେତ ଯୁବତୀଙ୍କୁ ଓୟୋ ହୋଟେଲକୁ ଆଣି ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ସଙ୍କେତକୁ ଅଟକ ରଖି ପଚରାଉଚୁରା କରୁଛି ବ୍ରହ୍ମପୁର ପୋଲିସ୍ । ଅଭିଯୋଗ ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।