spot_img
Home Blog Page 2102

କିଭଳି କଟିବ ଆଗାମୀ ହିନ୍ଦୁ ନୂଆବର୍ଷ? ଜାଣନ୍ତୁ କଣ କହୁଛି ପଞ୍ଜିକାର ଓ ଜ୍ଯୋତିଷାଚାର୍ଯ୍ୟଙ୍କ ଗଣନା

ପୁରୀ: ଭଲରେ କଟିବ ଆଗାମୀ ବର୍ଷ । ଏନେଇ ଗଣନା କରିଛନ୍ତି ପଞ୍ଜିକାର ଓ ଜ୍ଯୋତିର୍ବିତ । ତେବେ ରାଜନୈତିକ କ୍ଷେତ୍ରରେ ଦ୍ବନ୍ଦ୍ବ ଥିବା ସଙ୍କେତ ଦେଇଛନ୍ତି ଜ୍ଯୋତିଷାଚାର୍ଯ୍ୟ । ଶ୍ରୀକ୍ଷେତ୍ରରେରେ ପୂର୍ଣ୍ଣମୀରେ ପାଞ୍ଜି ପଠନର ଏହି ଅନନ୍ୟ ପରମ୍ପରା ରହିଥିବା ବେଳେ ବର୍ଷକର ରାଶି, ନକ୍ଷତ୍ର, ମାସ, ତିଥି ସମେତ ପର୍ବ ପର୍ବାଣୀ, ଯାତ୍ରା, ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ବାହାଘର, ବ୍ରତଘର, ଶ୍ରାଦ୍ଧ ତଥା ୧୨ଟି ରାଶିଫଳର ସମସ୍ତ ସୂଚନା ଦିଆଯାଇଛି ।

ମୋଟାମୋଟି ଭଲରେ କଟିବ ଆଗାମୀ ବର୍ଷ । ରାଜନୈତିକ କ୍ଷେତ୍ରରେ ରହିଛି ଦ୍ବନ୍ଦ୍ବ । ବୃଷ,କୁମ୍ଭ ଓ ମକର ରାଶିର ଲୋକଙ୍କୁ ଛାଡ଼ି ବାକି ରାଶି ଖୁବ ଭଲ । ଏନେଇ ଗଣନା କରିଛନ୍ତି ଜ୍ଯୋତିଷାଚାର୍ଯ୍ୟ । ମହାନ ପରମ୍ପରା ଓ ସଂସ୍କୃତିର ପ୍ରମୁଖ ସ୍ଥଳୀ ଶ୍ରୀକ୍ଷେତ୍ରରେ ଉତ୍କଳୀୟ ପରମ୍ପରାକୁ ନେଇ ପୂର୍ଣମୀ ଦିନ ନୂତନ ପଞ୍ଜିକାର ପଠନ କରାଯାଇଛି । ଶ୍ରୀକ୍ଷେତ୍ରର ଷୋଳ ଶାସନ ଏବଂ ସହରରେ ଥିବା ବିଭିନ୍ନ ମଠରେ ପଠନ ହୋଇଛି ନୂତନ ପଞ୍ଜିକା । ବିଶ୍ୱାସ ରହିଛି କୈଳାଶ ପର୍ବତରେ ମାତା ପାର୍ବତୀ ଆଗାମୀ ବର୍ଷର ଭଲମନ୍ଦ ସମ୍ପର୍କରେ ମହାଦେବଙ୍କୁ ପଚାରିବାରେ ବୃହସ୍ପତି ପଞ୍ଜିକା ପଠନ କରିଥିଲେ । ଏହି ପଠନ ଓ ଏହାକୁ ଶ୍ରବଣ ମାତ୍ରେ ଦିବ୍ୟ ଜ୍ଞାନ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଗଜପତିଙ୍କ ପୁରୁଣା ଶ୍ରୀନଅରରେ ବିଧି ଅନୁଯାୟୀ ଏବେ ବି ପଞ୍ଜିକା ପଠନ କରାଯାଉଛି ।

ପବିତ୍ର ବସନ୍ତ ପଞ୍ଚମୀ ଦିନ ଠାରୁ ନୂତନ ପଞ୍ଜିକାର ଲେଖା ଆରମ୍ଭ କରାଯିବା ସହିତ ଦୋଳପୁର୍ଣିମା ଦିନ ଏହାକୁ ପୂଜାର୍ଚ୍ଚନା ହୋଇ ସମର୍ପଣ କରାଯାଇ ଥାଏ । ଚଳିତ ବର୍ଷ ରାଜନୈତିକ କ୍ଷେତ୍ରରେ ବୃହସ୍ପତି ଓ ଶନିଙ୍କ ପ୍ରଭାବ ହେତୁ ଦ୍ବନ୍ଦ୍ବ ରହିଛି । କେନ୍ଦ୍ରରେ ମକର ରାଶିରେ ଭଲ ଯୋଗ ୃଥିବା ବେଳେ ରାଜ୍ୟରେ ବୃଷ ରାଶିରେ ଅସ୍ଥିରତା ହୋଇପାରେ । ସେହିପରି ଚନ୍ଦ୍ର ଦୃଷ୍ଟି ହେତୁ ଚଳିତ ବର୍ଷ ବାତ୍ୟାର ସମସ୍ୟା ଦେଖାଯାଇ ପାରେ । ବୃଷ, କୁମ୍ଭ ଓ ମକର ରାଶିର ଲୋକ ମାନଙ୍କ ପାଇଁ ସମସ୍ୟା ରହିଛି । ଉତ୍କଳୀୟ ନବବର୍ଷ ତଥା ପଣା ସଂକ୍ରାନ୍ତି ଠାରୁ ଏହି ନୂତନ ପଞ୍ଜିକାର ପ୍ରଚଳନର ବିଧି ରହି ଥିବାବେଳେ ପାଞ୍ଜି ପଠନକୁ ନେଇ ଏହି ମହାନ ପରମ୍ପରା ଏବେ ବି ଅକ୍ଷୁର୍ଣ୍ଣ ରହିଛି ।

ପଞ୍ଜାବରେ ହେବନି ବିଜେପି ଓ ଶିରୋମଣି ଅକାଳୀ ଦଳ ମେଣ୍ଟ, ଜାଣନ୍ତୁ କାହିଁକି ଏକଲା ଲଢ଼ିବ ଅକାଳୀ ଦଳ

ନନ୍ଦିଘୋଷ ବ୍ୟୁରୋ: ପଞ୍ଜାବରେ ହେବନି ବିଜେପି ଓ ଶିରୋମଣି ଅକାଳୀ ଦଳ ମେଣ୍ଟ। ସାଧାରଣ ନିର୍ବାଚନକୁ ନେଇ ପଞ୍ଜାବରେ ବିଜେପି ଓ ଅକାଳୀ ଦଳର ମେଣ୍ଟ ହୋଇପାରିଲାନି। ଦୁଇ ଦଳର ବିଚାରାଧାର ମଧ୍ୟରେ ଅନ୍ତର ଥିବାରୁ ମେଣ୍ଟ ନକରିବାକୁ ନିଷ୍ପତ୍ତି କରିଛି ଶିରୋମଣି ଅକାଳୀ ଦଳ। ଏହାସହ ଆସନ୍ତା ୨୦୨୭ ସାଧାରଣ ନିର୍ବାଚନରେ ଦଳ ପଞ୍ଜାବରେ ସମସ୍ତ ବିଧାନସଭା ଆସନରେ ଏକାକୀ ଲଢିବ ବୋଲି କହିଛି। ୨୦୨୪ ସାଧାରଣ ନିର୍ବାଚନରେ ଏକାକୀ ଲଢି ପଞ୍ଜାବରେ ନିଜର ଭୋଟ ବ୍ଯାଙ୍କ ବଢାଇବାକୁ ଚାହୁଁଛି ଶିରୋମଣି ଅକାଳୀ ଦଳ। ଆଞ୍ଚଳିକ ପରିଚୟ, ସାମାଜିକ ଏବଂ ସାଂସ୍କୃତିକ ଆଧାର ନେଇ ରାଜନୀତ କରୁଥିବା ଅକାଳୀ ଦଳର ବିଚାରଧାରା ରାଷ୍ଟ୍ରୀୟ ଦଳ ବିଜେପିର ବିଚାରାଧାର ସହ ସମାନତା ରହୁନାହିଁ।

ଏଥିଲାଗି ଦଳ ଅଲଗା ହେବାକୁ ନିଷ୍ପତ୍ତି କରିଛି।  ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲ କହିଛନ୍ତି, ଦଳରେ ସଂଖ୍ଯାକୁ କେବେ ବି ଗୁରୁତ୍ଵ ଦେଇନାହାନ୍ତି। ଗତ ୧୦୩ ବର୍ଷ ହେବ ଅକାଳୀ ଦଳ ପଞ୍ଜାବର ଉନ୍ନତି ଏବଂ ବିକାଶ ଲାଗି କାମ କରି ଆସୁଛି। ଆମ ପାଇଁ ଆମର ବିଚାରାଧାର ପ୍ରଥମ ବୋଲି କହିଛନ୍ତି ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲ। କୌଣସି ରାଷ୍ଟ୍ରୀୟ ରାଜନୈତିକ ଦଳ ପଞ୍ଜାବର ଉନ୍ନତି ଲାଗି କାମ କରୁନାହିଁ। ଚାଷୀଙ୍କ ପ୍ରସଙ୍ଗ ନେଇ ଆମ ଦଳ ସବୁବେଳେ ସ୍ଵର ଉତ୍ତୋଳନ କରି ଆସୁଥିବ ବୋଲି କହିଛନ୍ତି ସୁଖବିର। ପୂର୍ବରୁ ଦୀର୍ଘ ଦିନ ଧରି ଏନଡିଏରେ ସାମିଲ ଥିଲା ଶିରୋମଣି ଅକାଳୀ ଦଳ। ୨୦୧୯-୨୦୨୦ରେ କେନ୍ଦ୍ର ସରକାରଙ୍କ ତରଫରୁ ଅଣାଯାଇଥିବା ୩ କୃଷି ସମ୍ବନ୍ଧୀୟ ଆଇନକୁ ନେଇ ଏନଡିଏ ମେଣ୍ଟରୁ ଓହରି ଯାଇଥିଲା ଶିରୋମଣି ଅକାଳୀ ଦଳ।

ହୋଲିରେ ରଙ୍ଗୀନ ହେଲା ରାଜଧାନୀ

ଭୁବନେଶ୍ବର: ରାଜଧାନୀରେ ଜମିଲା ହୋଲିର ମାହୋଲ । ହରବାଲ ହୋଲି ଠାରୁ ରେନ୍ ଡ୍ଯାନ୍ସ । ଡିଜେ ଓ ଢୋଲରେ ମତୁଆଲା ହେଲେ ପିଲାଠୁ ବୟସ୍କ । ମର୍ଣ୍ଣିଙ୍ଗ ୱାକରୁ ଆରମ୍ଭ ହୋଇ ମଧ୍ଯାହ୍ନ ଯାଏଁ ଚାଲିଲା ରଙ୍ଗ ଉତ୍ସବ । ମାରୱାଡ଼ି ମଞ୍ଚର ଆକର୍ଷଣ ସାଜିଲା ମୁମ୍ବାଇରୁ ଆସିଥିବା ରାଧାକୃଷ୍ଣ ନୃତ୍ଯ।

ହୋଲିରେ ରଙ୍ଗୀନ ହେଲା ରାଜଧାନୀ । ପିଲା ଠୁ ବୁଢା ହେଲେ ମତୁବାଲା । କେଉଁଠି ଡିଜେ ତାଳରେ ତ ଆଉ କେଉଁଠି ଢୋଲରେ ନାଚିଲେ ଯୁବପିଢି । ହରବାଲ ହୋଲିରୁ ରେନ ଡ୍ୟାନ୍ସ । ସକାଳୁ ସକାଳୁ ରଙ୍ଗୀନ ହୋଇଥିଲା ରାଜଧାନୀ । ଭୁବନେଶ୍ୱର ଫରେଷ୍ଟ ପାର୍କ ମର୍ଣ୍ଣିଙ୍ଗ ୱାକ ଆସୋସିଏନ ପକ୍ଷରୁ ପାଳିତ ହୋଇଥିଲା ହୋଲି ଉତ୍ସବ । ପିଲାଠୁ ବୟସ୍କ ନାଚ ଗୀତରେ ଝୁମି ଥିଲେ । ସେହିଭଳି ପ୍ରଦର୍ଶନୀ ପଡ଼ିଆରେ ମାରୱାଡ଼ି ଓଡିଶା ପକ୍ଷରୁ ଆୟୋଜିତ ଉତ୍ସବରେ ହିନ୍ଦୀ, ଓଡ଼ିଆ ଓ ତେଲଗୁ ଗୀତରେ ଝୁମି ଥିଲେ ସଭିଏଁ । ହରବାଲ ହୋଲି ସାଙ୍ଗକୁ ରେନ ଡ୍ୟାନ୍ସରେ ମତୁଆଲା ହୋଇଥିଲେ ପିଲାଠୁ ବୟସ୍କ । ମଞ୍ଚ ପକ୍ଷରୁ ଆକର୍ଷଣ ସାଜିଥିଲେ ମୁମ୍ବାଇରୁ ଆସିଥିବା ରାଧା ଓ କ୍ରିଷ୍ଣା । ସେହି ଭଳି ଲକ୍ଷ୍ମୀ ସାଗର ଲାଲ ବାହାଦୂର କ୍ଳବ ପକ୍ଷରୁ ପାଳିତ ହୋଇଛି ବ୍ଲାଷ୍ଟ ୨୦୨୪ । ନାଚ ଗୀତ ସାଙ୍ଗକୁ ରେନ ଡ଼୍ୟାନ୍ସ ମଜା ନେଇଛନ୍ତି ଯୁବପିଢି ।

ଭୁବନେଶ୍ୱର ଭୀମ ଭୋଇ ଦୃଷ୍ଟି ବାଧିତ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଛି ହୋଲି ଉତ୍ସବ । ପର୍ବରେ ଖୁସିକୁ ଦ୍ଵିଗୁଣିତ କରିବା ପାଇଁ ଦୃଷ୍ଟିବାଧିତ ଓ ଶ୍ରୁତିବାଧିତ ପିଲାଙ୍କ ସହ ରଙ୍ଗ ଉତ୍ସବ ପାଳନ କରିଥିଲେ ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକ ବୁଲନ ଭାଇ ସେବା ସଦନ ପରିସରରେ ସମାଜସେବୀ ସୁଚିସ୍ମିତା ପୃଷ୍ଟି ଏବଂ ଜୟଶ୍ରୀ ଧଳଙ୍କ ସୁରଭାଇବ୍ରେସନ ପକ୍ଷରୁ ହୋଲି ଉତ୍ସବ ଆୟୋଜିତ ହୋଇଛି । ଏହି ଅବସରରେ ସମସ୍ତେ ନାଚଗୀତ ସହ ଖୁସି ମନାଇଛନ୍ତି । ହୋଲିକୁ ନେଇ ଗାଁରୁ ସହର ଚଳ ଚଞ୍ଚଳ । ସବୁଠି ଉତ୍ସାହର ମାହୋଲ । ଭୁବନେଶ୍ୱରରେ ସବୁଠି ହୋଇଛି ହୋଲି ସେଲିଡ୍ରେସନ । ଛୋଟ ରୁ ବଡ଼ ସମସ୍ତେ ନାଚ ଗୀତରେ ହୋଲିକୁ ବେଶ ଧୁମ ଧାମରେ ପାଳନ କରିଛନ୍ତି ।

IPL ବେଟିଂରେ ଦେଢକୋଟି ହାରିଲା ସ୍ବାମୀ, ସ୍ତ୍ରୀ କଲା ଆତ୍ମହତ୍ୟା

ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକର ଚିତ୍ରଦୁର୍ଗ ଅଞ୍ଚଳରେ ଅଭାବନୀୟ ଘଟଣା । ଦର୍ଶନ ବାବୁ ନାମକ ଇଞ୍ଜିନିୟର ହରାଇଲେ ଦେଢ଼ କୋଟି ଟଙ୍କା । IPL ବେଟିଂରେ ଦର୍ଶନ ଏହି ଦେଢ଼ କୋଟି ଟଙ୍କା ହରାଇଥିବା କୁହାଯାଉଛି । ଦର୍ଶନ ବାବୁ ବେଟିଂରେ ଟଙ୍କା ହରାଇବା ପରେ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି । ଦର୍ଶନଙ୍କ ସ୍ତ୍ରୀ ରଞ୍ଜିତା ସ୍ବାମୀ ହାରିବା ପରେ ଆତ୍ମହତ୍ୟା କରିଛନ୍ତି । ଏକ ସରକାରୀ ବିଭାଗରେ ଇଞ୍ଜିନିୟରଭାବେ କାର୍ଯ୍ୟରତ ଥିଲେ ଦର୍ଶନ । ଅଧିକ ଟଙ୍କା ଲୋଭରେ ବେଟିଂରେ ସାମିଲ ହୋଇଥିଲେ । ୨୦୨୦ରେ ଦର୍ଶନଙ୍କୁ ବିବାହ କରିଥିଲେ ରଞ୍ଜିତା । ୨୦୨୧ରୁ ଦର୍ଶନ ବେଟିଂରେ ଲିପ୍ତ ଥିବା ପୋଲିସ କହିଛି । ତେବେ ଅଧିକ ଟଙ୍କା ଲୋଭରେ ସେ ଏଭଳି ବେଟିଂରେ ଟଙ୍କା ଲଗାଉଥିବା ସୂଚନା ମିଳିଛି । ତେବେ ଚଳିତ ବର୍ଷ ଆଇପିଏଲ ସିଜିନ ୨୨ ତାରିଖରୁ ଆରମ୍ଭ ହୋଇଛି ।

ନାବାଳକଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ଜାରି ହେବ କଟକଣା

ନନ୍ଦିଘୋଷ ବ୍ୟୁରୋ: ଆମେରିକାର ଫ୍ଲୋରିଡା ସରକାରଙ୍କ ବଡ଼ ନିଷ୍ପତ୍ତି । ନାବାଳକଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ଜାରି ହେବ କଟକଣା । ସ୍ବତନ୍ତ୍ର ଆଇନକୁ ଫ୍ଲୋରିଡା ଗଭର୍ଣ୍ଣରଙ୍କ ଅନୁମୋଦନ । ୧୪ ବର୍ଷ ତଳକୁ ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ମନା  । ୧୫ ଓ ୧୬ ବର୍ଷ ପିଲାଙ୍କୁ ଅଭିଭାବକଙ୍କର ଅନୁମତି ଆଣିବାକୁ ପଡ଼ିବ । ତେବେ ପିଲାଙ୍କ ମାନସିକ ସ୍ଥିତି ଠିକ୍ ରଖିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ଫ୍ଲୋରିଡା ଗଭର୍ଣ୍ଣର ଡେ ସାନଣ୍ଟିଜ ଆଣିଛନ୍ତି ଏହି ସ୍ବତନ୍ତ୍ର ବିଲ୍  । ୧୪ ବର୍ଷ କିମ୍ବା ତାଠାରୁ କମ୍ ପିଲାଙ୍କ ଆକାଉଣ୍ଟ ହେବ ସସପେଣ୍ଡ । ଜୁନ୍ ୧, ୨୦୨୫ରୁ ଏହା ଆଇନରେ ପରିଣତ ହେବ । ଥାର୍ଡ ପାର୍ଟି ମାଧ୍ୟମରେ ହେବ ଭେରିଫିକେସନ୍ । ବାପା ମା’ଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଥିବା ଅଭିଯୋଗ । ପିଲାଙ୍କ ପାଠପଢା ଉପରେ ସୋସିଆଲ୍ ମିଡିଆ ପ୍ରଭାବ ପକାଉଥିବାରୁ ଆଇନ୍ ।

ଦୁଲୁକୁଛି ଗଞ୍ଜାମ, ଚାଲିଛି ପ୍ରସିଦ୍ଧ ଦଣ୍ଡଯାତ୍ରା

ଆସିକା: କଳା ସାହିତ୍ୟ ସଂସ୍କୃତିର ଗନ୍ତାଘର ଭାବେ ବେଶ ପରିଚିତ ଗଂଜାମ ଜିଲ୍ଲା । ତେବେ ଏହି ଜିଲ୍ଲାର ଅନ୍ୟତମ ଲୋକକଳା ହେଉଛି ଦଣ୍ଡଯାତ୍ରା । ବିଶେଷ କରି ଏହ ଦଣ୍ଡଯାତ୍ରାକୁ ଚୈତ୍ର ମାସରେ ଦେଖିବାକୁ ମିଳିଥାଏ । ଏହ। କାହିଁ କେଉଁ ଅ।ବାହମାନ କାଳରୁ ପ୍ରଚଳିତ ହୋଇ ଅ।ସୁଥିବା ଦଣ୍ଡଯାତ୍ରା ଏବେ ଅ।ରମ୍ଭ ହୋଇଯାଇଛି । ଯାତ୍ରା ଦିର୍ଘ ୨୧ ଦିନ ଓ କେଉଁଠେ କେଉଁଠେ ୧୩ ଦିନ ଧରି ପାଳନ ହୋଇଥାଏ ।

ଦୁଲୁକୁଛି ଗାଁ ଦାଣ୍ଡ । ଉତ୍ସବ ମୁଖର ପୁରା ପରିବେଶ । ଅ।ରମ୍ଭ ହୋଇଯାଇଛି ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ଦଣ୍ଡଯାତ୍ରା । ଚୈତ୍ର ମାସ ଆସିଗଲେ ମାନସିକଧାରୀ ମାନେ ନିଜ ନିଜର ମାନସୀକ ପୁରଣ ନିମନ୍ତେ ଏହି ଦଣ୍ଡଯାତ୍ରାରେ ସାମିଲ ହୋଇଥାନ୍ତି । ଦେହରେ ଗେରୁଆ ବର୍ସ୍ତ୍ର ପରିଧାନ କରିବା ସାଙ୍ଗକୁ ହାତରେ ମାଆଙ୍କ ବାନା ଓ ମୟୂର ପିଂଛ ଧରି ମାନସିକଧାରୀ ମାନେ ଗାଁକୁ ଗାଁ ବୁଲି ଦଣ୍ଡ ଗ୍ରହଣ କରିବା ସହ ଦଣ୍ଡ ଖେଳିଥାନ୍ତି । ପଣା ସଂକ୍ରାନ୍ତି ଦିନ ଠାରୁ ଅ।ରମ୍ଭ ହୋଇଥାଏ ଏହି ଯାତ୍ରା   ଏହା ଏକ ପାରମ୍ପାରିକ ଲୋକକଳା ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଂଚଳରେ ସମୁଦାୟ ଦୁଇଶହରୁ ଅଧିକ ଦଣ୍ଡ ଦଳ ରହିଥିବା ଜଣାପଡିଛି ।

ଦଣ୍ଡନାଚରେ ପ୍ରଥମେ ଧୁଳି ଦଣ୍ଡ, ପାଣି ଦଣ୍ଡ ଓ ରାତ୍ରିରେ ଅଗ୍ନି ଦଣ୍ଡ କରାଯାଇଥାଏ । ବାଦ୍ୟ ଓ ତୁରିର ତାଳେ ତାଳେ ଦଣ୍ଡୁଆ ମାନସିକଧାରି ମାନେ ଚାଲିଥାନ୍ତି ମାଇଲ ମାଇଲ ବାଟ । ମାନସିକଧାରୀ ମାନେ ଦିନକୁ ଓଳିଏ ଖାଇବା ସହ ବହୁ ନିଷ୍ଠାର ସହ ନିଜ ବ୍ରତକୁ ପାଳନ କରିଥାନ୍ତି । ଭକ୍ତି, ବିଶ୍ବାସାର ନିଆରା ଯାତ୍ରା ଦଣ୍ଡ ଯାତ୍ରା । ମାନସିକଧାରୀ ଏହି ଯାତ୍ରାରେ ସାମିଲ ହେଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।

 

ଗୋପାଳପୁର ପୋର୍ଟକୁ କିଣିଲା ଆଦାନୀ ଗୃପ୍

ନନ୍ଦିଘୋଷ ବ୍ୟୁରୋ: ଗୋପାଳପୁର ପୋର୍ଟକୁ କିଣିଲା ଆଦାନୀ ଗ୍ରୁପ । ଗୋପାଳପୁର ପୋର୍ଟ ଲିମିଟେଡର ୯୫ ପ୍ରତିଶତ ସେୟାର କିଣିଲା ଆଦାନୀ ପୋର୍ଟ ଓ ସ୍ବତନ୍ତ୍ର ଅର୍ଥନୈତିକ ଜୋନ । ୩ହଜାର ୮୦ କୋଟି ଟଙ୍କାରେ ଦେଶର ସର୍ବବୃହତ ଘରୋଇ ପୋର୍ଟ କମ୍ପାନୀ ଆଦାନୀ ପୋର୍ଟ ଓ ସ୍ବତନ୍ତ୍ର ଅର୍ଥନୈତିକ ଜୋନ ଏହି ପୋର୍ଟକୁ କିଣିଛି । ସାପୋରଜି ପାଲୋନଜି ଗ୍ରୁପ ଠାରୁ ୫୬ ପ୍ରତିଶତ ସେୟାର ଓ ଓଡିଶା ଷ୍ଟିଭେଡର୍ସ ଠାରୁ ୩୯ ପ୍ରତିଶତ ସେୟାର କଣିଛି ଆଦାନୀ ଗ୍ରୁପ । ପୂର୍ବ ଉପକୂଳରେ ବନ୍ଦର ଭିତ୍ତିକ ବ୍ୟବସାୟ ବୃଦ୍ଧି କରିବାକୁ ଆଦାନୀ ଗୋପାଳପୁର ବନ୍ଦରକୁ କ୍ରୟ କରିଥିବା କମ୍ପାନୀ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ଏହି ବନ୍ଦର ଦେଇ ବାର୍ଷିକ ୨୦ ନିୟୁତ ମେଟ୍ରିକ ଟନ ମାଲ ପରିବହନର କରାଯାଇପାରିବ । ୨୦୦୬ରେ ରାଜ୍ୟ ସରକାର ଗୋପାଳପୁର ପୋର୍ଟ ଲିମିଟେଡକୁ ୩୦ ବର୍ଷ ପାଇଁ ବ୍ୟବସାୟୀକ ରିହାତି ପ୍ରଦାନ କରିଛନ୍ତି । ଏଥିସହିତ ଆଉ ୧୦ ବର୍ଷ ଲେଖାଏଁ ଦୁଇ ଥର ରିହାତି ଅବଧିକୁ ବୃଦ୍ଧି କରାଯିବ । ଗୋପାଳପୁର ପୋର୍ଟ ଦେଇ ଏବେ କୋଇଲା, ଲୁହାପଥର, ଚୁନପଥର ଓ ଆଲୁମିନା ଆମଦାନୀ ଓ ରପ୍ତାନୀ ହୋଇପାରୁଛି । ଆଦାନୀ ଗ୍ରୁପ ଗୋପାଳପୁର ପୋର୍ଟ କିଣିବା ପରେ ଏବେ ଓଡିଶାର ଏହି ବନ୍ଦର ସାରା ଦେଶରେ ଥିବା ଆଦାନୀର ସବୁ ବନ୍ଦର ସହ ଯୋଡି ହେବ ।

ଏହାଦ୍ବାରା ଗୋପାଳପୁର ପୋର୍ଟର କାର୍ଗୋ ହାଣ୍ଡେଲିଂ କ୍ଷମତା ମଧ୍ୟ ବୃଦ୍ଧି ପାଇବ । ଏବେ ଆଦାନୀ ପୋର୍ଟ ଓ ସ୍ବତନ୍ତ୍ର ଅର୍ଥନୈତିକ ଜୋନ, ଦେଶର ପୂର୍ବ ଓ ପଶ୍ଚିମ ଉପକୂଳରେ ୧୨ଟି ବନ୍ଦରର ବିକାଶ ଦାୟିତ୍ବ ନେଇଛି । ଏକ ଅଂଚଳରେ ବନ୍ଦରର ବିକାଶ ସିଧାସଳଖ ଭାବେ ଶିଳ୍ପାୟନର ବିକାଶରେ ସହାୟକ ହୋଇଥାଏ । ରାଜ୍ୟ ସରକାର ପ୍ରଦାନ କରିଥିବା ବ୍ୟବସାୟୀକ ରିହାତି ଦ୍ବାରା କମ୍ପାନୀ ପକ୍ଷରୁ ଆବଶ୍ୟକତା ମୁତାବକ ସଂପ୍ରସାରଣ ମଧ୍ୟ କରାଯାଇପାରିବ । ଗୋପାଳପୁର ପୋର୍ଟକୁ ରାଜ୍ୟ ସରକାର ୫୦୦ ଏକର ଜମି ଲିଜ ସୂତ୍ରରେ ପ୍ରଦାନ କରିଛନ୍ତି । ଭବିଷ୍ୟତରେ ସଂପ୍ରସାରଣ ପାଇଁ ମଧ୍ୟ ରାଜ୍ୟ ସରକାର ଅଧିକ ଜମି ଯୋଗାଇଦେବେ । ୨୦୨୪ ଆର୍ଥିକ ବର୍ଷରେ ଗୋପାଳପୁର ପୋର୍ଟରେ ୧୧.୩ ନିୟୁତ ଟନ ମାଲ କାରବାର ହେବ ବୋଲି ଲକ୍ଷ୍ୟ ରଖାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଏହାଦ୍ବାରା ୨୦୨୪ ଆର୍ଥିକ ବର୍ଷରେ ୫୨୦ କୋଟି ଟଙ୍କାର ବ୍ୟବସାୟ ହେବ,  ଯାହାକି ଗତ ଆର୍ଥିକ ବର୍ଷ ଠାରୁ ୩୯ ପ୍ରତିଶତ ଅଧିକ । ଏହି ପୋର୍ଟ ଆଗାମୀ ଦିନରେ ଏକ ଲାଭଦାୟକ ବନ୍ଦର ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ୨୦୨୫ରେ ଏହି ବନ୍ଦରର ସମ୍ପ୍ରସାରଣ ଲକ୍ଷ୍ୟ ମଧ୍ୟ ରଖାଯାଇଛି ।

ଜାଳିବ ଓଡ଼ିଶା, ଏପ୍ରିଲ ପହିଲାରୁ ପ୍ରବଳ ତାତି

ଭୁବନେଶ୍ବର: ଏପ୍ରିଲ ପହିଲାରୁ ପ୍ରବଳ ତାତି। ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା। ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶାରେ ସ୍ଥିତି ହେବ ଅସମ୍ଭାଳ। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ତ୍ତମାନ ରାଜ୍ୟରେ ଖରାବର୍ଷାର ଖେଳ ଚାଲିଛି। ପଶ୍ଚିମା ଝଡ ପ୍ରଭାବରେ ଉପକୂଳ ସମେତ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବଜ୍ରପାତ ଜନିତ ବର୍ଷା ହୋଇଛି। ଗତକାଲି ରାଜଧାନୀ ଭୁବନେଶ୍ବର ସମେତ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ପ୍ରଭାବରେ ତାପମାତ୍ରା ସ୍ଥିର ରହିଛି। ତେବେ କାଲିଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବଢିବ। ବିଶେଷ କରି ୨୮ ତାରିଖରୁ ରାଜ୍ୟରେ ହଟ୍ ଓ୍ବେଦର କଣ୍ଡିସନ ଦେଖାଦେବ। ଏପ୍ରିଲ ପ୍ରଥମ ସପ୍ତାହରୁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି।

ଏପ୍ରିଲ ପହିଲାରୁ ଗ୍ରୀଷ୍ମ ପ୍ରବାହ। ଉପକୂଳ ଅପେକ୍ଷା ଅଧିକ ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା। ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ବଢିବ ତାତି। ଅଧିକାଂଶ ସହରର ତାପମାତ୍ରା ୪୦ ଅତିକ୍ରମ କରିବ। ୨୮ ତାରିଖରୁ ରାଜ୍ୟରେ ଦେଖାଦେବ ହଟ୍ ଓ୍ବେଦର କଣ୍ଡିସନ। କାଲିଯାଏଁ ସ୍ଥାନେ ସ୍ଥାନେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ସତର୍କତା। ଆଇଏମ୍ଡିର ବିସ୍ତାରିତ ଆକଳନ ଅନୁସାରେ ଆସନ୍ତା ଏପ୍ରିଲ ମାସ ଆରମ୍ଭରୁ ଅସମ୍ଭାଳ ହେବ ତାତି। ଆଭ୍ୟନ୍ତରୀଣ ଓଡ଼ିଶାର ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ଗଜପତି ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବରରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା। ରାଜ୍ୟରେ ମେଘମୁକ୍ତ ଆକାଶ ସମେତ ଶୁଷ୍କତା ବୃଦ୍ଧି ପାଇଁ ତାତି ବଢିବ। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଏପ୍ରିଲ ଏବଂ ମେ ମାସରେ ଅଧିକ ଦିନ ଗ୍ରୀଷ୍ମ ପ୍ରବାହ ହେବ ବୋଲି ସତର୍କତା ଜାରି କରାଯାଇଛି।

ସେପଟେ ପଶ୍ଚିମା ଝଡ ପ୍ରଭାବରେ ଗତ କାଲି ରାଜ୍ୟର କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହୋଇଛି। ଆଜି ମଧ୍ୟ କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଗଞ୍ଜାମ, କନ୍ଧମାଳ, ଅନୁଗୁଳ, ନୟାଗଡ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ଜନିତ ବର୍ଷା ହୋଇଛି। ସର୍ବାଧିକ ବର୍ଷା ମୟୁରଭଞ୍ଜରେ ୯୬ ମିଲିମିଟର ରେକର୍ଡ ହୋଇଥିବା ବେଳେ ବରଗଡ ଭଟ୍ଟଲିରେ ୩୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ତେବେ ଆସନ୍ତା କାଲିଠାରୁ ରାଜ୍ୟରେ ଶୁଖିଲା ପାଗ ସହ ମେଘମୁକ୍ତ ଆକାଶ ରହିବ। ୨୮ ତାରିଖରୁ ପୁଣି ତାତି ବଢିବ। ଅଧିକାଂଶ ସହରର ତାପମାତ୍ରା ୩୫ ରୁ ୩୯ ଡିଗ୍ରୀ ମଧ୍ୟରେ ରହିବ। ବିଶେଷ କରି ନୟାଗଡ, ଟିଟିଲାଗଡ, ଭବାନୀପାଟଣା, ମାଲକାନଗିରି, ନୂଆପଡା, ବଲାଙ୍ଗିର, ପାରଳାଖେମୁଣ୍ଡି ସହରର ତାପମାତ୍ରା ୩୯ ଡିଗ୍ରୀ ରହିବ। ଫଳରେ ରାଜ୍ୟରେ ହଟ୍ ଓ୍ବେଦର କଣ୍ଡିସନ୍ ଦେଖାଦେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଗତ କାଲି ରାଜ୍ୟ ଉପରେ ସକ୍ରିୟ ଥିବା ଟ୍ରପ୍ଲାଇନ୍ ଦୁର୍ବଳ ହୋଇଥିବାରୁ ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ନିୟାମକ ନାହିଁ। କେବଳ ପଶ୍ଚିମା ଝଡ ସକ୍ରିୟ ଥିବାରୁ କିଛି ଜିଲ୍ଲାକୁ ବଜ୍ରପାତ ସତର୍କତା ଜାରି କରାଯାଇଛି।

ହୋଲିରେ ରିଲିଜ ହେଲା ”ତୁ ମୋ ପ୍ରେମ ଫଗୁଣ ”ଗୀତ

ଭୁବନେଶ୍ବର: ହୋଲିରେ ରିଲିଜ୍ ହେଲା ରୋମାଣ୍ଟିକ ମ୍ୟୁଜିକ୍ ଭିଡିଓ ତୁ ମୋ ପ୍ରେମ ଫଗୁଣ। ବାବୁ ବାବୁଙ୍କ ନିର୍ଦ୍ଦେଶନାରେ ଗୀତଟି ପ୍ରସ୍ତୁତ ହୋଇଛି । ରିଲିଜ୍ ଅବସରରେ ସମାଜସେବୀ ମୀରା ପରିଡ଼ା, ଡ. ଚିଦାତ୍ମିକା ଖଟୁଆ, ପ୍ରଯୋଜକ ପ୍ରଣୟ ଜେଠି, ନିର୍ଦ୍ଦେଶକ ବାବୁ ବାବୁ , ଅଭିନେତା ଆକାଶ୍ ଓ ଅଭିନେତ୍ରୀ ଜ୍ୟୋତି ଉପସ୍ଥିତ ଥିଲେ । । ଗୀତଟିକୁ ଲେଖିଛନ୍ତି ସୁମିତ୍ ଜେନା । ଏହାର ପ୍ରଯୋଜନା ଭାର ଅମୀୟ ସେଠୀ ବହନ କରିଥିବାବେଳେ ଏଥିରେ  କଣ୍ଠଦାନ କରିଛନ୍ତି ଜୟଦେବ ମିଶ୍ର ଓ ଦିପ୍ତିମୟୀ।

ନଦୀକୁ ଖସିଲା ବାଲଟିମୋରର ସବୁଠାରୁ ଲମ୍ବା ବ୍ରିଜ୍

ନନ୍ଦିଘୋଷ ବ୍ୟୁରୋ: ଆମେରିକା ବାଲଟିମୋରରେ ଅଘଟଣ। ନଦୀକୁ ଖସିଲା ବାଲଟିମୋରର ସବୁଠାରୁ ଲମ୍ବା ବ୍ରିଜ। ଏକ ମାଲବାହୀ ଜାହାଜ ଫ୍ରାନସିସ ସ୍କଟ୍ ନାମକ ଏହି ବ୍ରିଜକୁ ଧକ୍କା ଦେବାରୁ ନଦୀ ଗର୍ଭକୁ ଖସି ପଡିଥିଲା। ଦୁର୍ଘଟଣା ସମୟରେ ବ୍ରିଜରେ ଅନେକ ଗାଡି ଯାଆସ କରୁଥିଲା। ବ୍ରିଜ ଭାଂଗି ଯିବା ପରେ ଏକାଧିକ ଗାଡ଼ି ନଦୀକୁ ଖସି ପଡିଥିଲା। ବାଲଟିମୋଟର ପଟାପସୋ ନଦୀରେ ମାଲବାହୀ ଯାଜାଜ ବ୍ରିଜ ତଳ ଦେଇ ଯିବାବେଳେ ବ୍ରିଜର ଏକ ପିଲାରକୁ ଧକ୍କା ଦେଇଥିଲା। ଏହାପରେ ବ୍ରିଜ ନଦୀକୁ ଧସି ପଡିଥିଲା। ରାତି ପ୍ରାୟ ଗୋଟାଏ ୩୦ ମିନିଟ ସମୟରେ ଘଟିଥିଲା ଏ ଅଘଟଣ। ଦୁର୍ଘଟଣା ପରେ ନଦୀକୁ ଖସି ପଡିଥିବା ଲୋକଙ୍କୁ ଉଦ୍ଧାର ଲାଗି ପ୍ରୟାସ ଚାଲିଛି। ଡାଇଭିଂ ଟିମ ସହ ଲୋକଙ୍କୁ ଠାବ ଲାଗି ଚାଲିଛି ସର୍ଚ୍ଚ ଅପରେସନ। ପୋଲିସ ଓ ଫାୟାର ଟିମ ରେସକ୍ଯୁ ଅପରେସନରେ ମୁତୟନ ହୋଇଛନ୍ତି। ପଟାପସୋ ନଦୀ ଉପରେ ନିର୍ମିତ ଏହି ବ୍ରିଜର ଲମ୍ବ ୩ କିଲୋମିଟର ହୋଇଥିବାବେଳେ ବ୍ରିଜ ଦୁର୍ଘଟଣା ଘଟିବା ସମୟରେ ପ୍ରାୟ ୨୦ ଶ୍ରମିକ କାମ କରୁଥିଲେ। ଏକାଧିକ ଗାଡି ବ୍ରିଜକୁ ଖସି ପଡିଥିବାରୁ ଅନେକ ଲୋକଙ୍କ ମୃତ୍ଯୁ ଆଶଂକା କରାଯାଉଛି। ବ୍ରିଜ ଧସିବା ପରେ ମାଲବାହୀ ଜାହାଜରେ ନିଆଁ ଲାଗିଯାଇଥିଲା। ବ୍ରିଜ ଦୁର୍ଘଟଣାକୁ ନେି ମେରିଲ୍ଯାଣ୍ଡ ଗଭର୍ଣ୍ଣର ଏମର୍ଜେନ୍ସି ଜାରି କରିଛନ୍ତି। ୧୯୭୭ରେ ଏହି ଫ୍ରାନସିସ ବ୍ରିଜ୍ ନିର୍ମିତ ହୋଇଥିଲା। ବାଲଟିମୋର ଆମେରିକାର ପଣ୍ୟବାହୀ ଜାହାଜ କାରବାରର ଏକ ପ୍ରମୁଖ କେନ୍ଦ୍ର ଭାବେ ବେଶ ପରିଚିତ ।