ଚଳିତ ବର୍ଷ ଠୁ ସାରା ବିଶ୍ବରେ ଜୁନ ୧୧ରେ ପାଳିତ ହେବ ଆନ୍ତର୍ଜାତିକ ଖେଳ ଦିବସ

1 min read

ନୂଆଦିଲ୍ଲୀ: ଚଳିତ ବର୍ଷ ଠାରୁ ସାରା ବିଶ୍ବରେ ଜୁନ ୧୧କୁ ଆନ୍ତର୍ଜାତିକ ଖେଳ ଦିବସ ପାଳିତ ହେବ। ଏହି ଦିବସ ପାଳନକୁ ସ୍ବୀକୃତି ଦେଇଛି ଜାତିସଂଘ । ଶିଶୁ ଅଧିକାର ସଂକ୍ରାନ୍ତ ଅନ୍ତର୍ଜାତୀୟ କନଭେନସନ ଅବସରରେ ବିଶ୍ବ ଖେଳ ଦିବସକୁ ପାଳନ କରିବାକୁ ଆହ୍ବାନ ଦିଆଯାଇଛି । ଏହି ଦିବସର ବିଶେଷତ୍ବ ହେଲା ୧୮ ବର୍ଷ ବୟସରୁ କମ ବୟସର ସମସ୍ତ ପିଲାଙ୍କୁ ଖେଳିବାର ଅଧିକାର ପ୍ରଦାନ କରାଯାଇଛି ।

ପ୍ରତି ଶିଶୁ ଯେପରି ଖେଳିବାର ଅଧିକାର ପାଇବେ ତଥା ସେମାନଙ୍କୁ ଏଦିଗରେ ପ୍ରେରଣା ଦିଆଯିବା ହିଁ ଏହି ଦିବସର ବିଶେଷତ୍ବ । ସେମାନେ ଯେପରି ନିଜ ସାମର୍ଥ୍ୟର ପୂର୍ଣ୍ଣ ଉପଯୋଗ କରିପାରିବେ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ଦୁର୍ବଳ ବର୍ଗର ଶିଶୁ, ଭିନ୍ନକ୍ଷମ, ସ୍କୁଲ ବାହାରେ ଥିବା ଶିଶୁ ଓ କାମ କରୁଥିବା ଶିଶୁମାନଙ୍କ ବିକାଶ ଲାଗି ଏହି ଦିବସରେ ବାର୍ତ୍ତା ଦିଆଯାଇଛି ।

ଶିଶୁମାନଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ସୁସ୍ଥ ରଖିବା, ସାମାଜିକ ସଂହତି, ସୃଜନଶୀଳତାର ବିକାଶ, ଆତ୍ମପ୍ରତ୍ୟୟ ସୃଷ୍ଟି, ଡ୍ରଗ୍ସ ଓ ଡିଜିଟାଲ ଆଡିକ୍ସନରୁ ଦୂରରେ ରଖିବା ଏହି ଦିବସ ଉଦ୍ଦେଶ୍ଯ । ଏହି ଦିବସରେ ଗ୍ରାମ ପଞ୍ଚାୟତସ୍ତରୀୟ ସଚେତନତା କେନ୍ଦ୍ର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଖୋଖୋ, କବାଡି, ଥ୍ରୋବଲ, ଭଲିବଲ, ଚସ, ସାପ-ଶିଡି, ଲୁଡୁ ଖେଳ ଆଦି କରିବା ଲାଗି ପରାମର୍ଶ ଦିଆଯାଇଛି ।