ଭୁବନେଶ୍ବର: ବିଜେପି ଛାଡ଼ିଲେ ଅରୁନ୍ଧତୀ ଦେବୀ । ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ । ବିଜେପିର ପ୍ରାଥମିକ ସଦସ୍ୟତାରୁ ସେ ଇସ୍ତଫା ଦେଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଅନେକଦିନ ଧରି ତାଙ୍କ ସାଂସଦ ସ୍ବାମୀଙ୍କୁ ବିଜେପିରେ ଏକଘରିକିଆ କରାଯାଇଥିବାରୁ ଅସନ୍ତୁଷ୍ଟ ଥିଲେ ଅରୁନ୍ଧତୀ । ଏହାସହ ଦେବଗଡ଼ର ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସହ ଦୀର୍ଘଦିନ ଧରି ବିବାଦ ଲାଗିରହିଥିଲା । ଅରୁନ୍ଧତୀ ବିଜେପି ସହ ସମ୍ପର୍କ ତୁଟାଇବା ପରେ ବାମରା ରାଜପରିବାର ପରବର୍ତ୍ତୀ ରାଜନୈତିକ ନିଷ୍ପତ୍ତି ଉପରେ କେବଳ ଦେବଗଡ଼ ନୁହେଁ ସମ୍ବଲପୁର ସଂସଦୀୟ କ୍ଷେତ୍ରର ନଜର ରହିଛି ।
ତାତିରେ ହେବ ରେକର୍ଡ, ଆହୁରି କଲବଲ କରିବ ଝାଞ୍ଜି
ଭୁବନେଶ୍ବର: ତାତିରେ ହେବ ରେକର୍ଡ। ଚଳିତ ବର୍ଷ ଏପ୍ରିଲ ମାସରେ ସର୍ବାଧିକ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ। ଏପ୍ରିଲ ମାସର ପ୍ରଥମ ସ୍ପେଲରେ ଦୁଇ ଦିନ ଗ୍ରୀଷ୍ମ ପ୍ରବାହ ହୋଇଥିବା ବେଳେ ଆଜି ମଧ୍ୟ ଅନେକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହୋଇଛି। ଏପ୍ରିଲ ମାସରେ ସ୍ବାଭାବିକ ଭାବରେ ୧ ରୁ ୩ ଦିନ ଗ୍ରୀଷ୍ମପ୍ରବାହ ହୋଇଥାଏ। କିନ୍ତୁ ଅଜି ସୁଦ୍ଧା ୩ ଦିନ ଗ୍ରୀଷ୍ମ ପ୍ରବାହ ସଂପୂର୍ଣ୍ଣ ହୋଇଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଆକଳନ କରାଯାଇଛି। ତେଣୁ ଚଳିତ ବର୍ଷ ଏପ୍ରିଲ ମାସରେ ରେକର୍ଡ ଦିନ ୭ ରୁ ୮ ଦିନ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ସେପଟେ ଆକାଶରୁ ବର୍ଷୁଛି ନିଆଁ।
ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଅଧିକ ଜଳୁଛି ଉପକୂଳ ଓଡ଼ିଶା। ଦିନ ସହ ରାତିରେ ବି ହେଉଛି ଅସମ୍ଭାଳ ତାତି। ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ପାଇଁ ଅସହ୍ୟ ହେଉଛି ସ୍ଥିତି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ମିଳିବନି ନିସ୍ତାର। ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୧୮ ଏବ ୧୯ ତାରିଖରେ ସର୍ବାଧିକ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରିଛି ପାଣିପାଗ କେନ୍ଦ୍ର। ବିଶେଷ କରି ଭବାନୀପାଟଣା, ବଲାଙ୍ଗିର, ଟିଟିଲାଗଡ, ନୟାଗଡ, ଝାରସୁଗୁଡା, ଅନୁଗୁଳ, ବୌଦ୍ଧ ଏବଂ ମାଲକାନଗିରିରେ ୪୫ ଡିଗ୍ରୀ ପାର କରିବ ତାପମାତ୍ରା। ରାଜ୍ୟକୁ ବର୍ତ୍ତମାନ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରୁ ଗରମ ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ତାପମାତ୍ରା ବୃଦ୍ଧି ପାଉଛି।
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ। ପ୍ରଭାବରେ ଆସନ୍ତା କାଲି ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା,ପୁରୀ, ନୟାଗଡ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, କୋରାପୁଟ ଏବଂ ମାଲକାନଗିରିକୁ ସତର୍କତା ଜାରି କରାଯାଇଛି। ୧୮ ଏବଂ ୧୯ ତାରିଖରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ତାପମାତ୍ରା ୪୦ ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ରେକର୍ଡ ହେବାର ସମ୍ଭାବନା ରହିଛି। ତେବେ ୨୧ ଏବଂ ୨୨ ତାରିଖ ବେଳକୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବା ସହ ଗୁରୁଚାପବଳୟ ପ୍ରଭାବରେ ଘଡଘଡି ବିଜୁଳି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଆଜି ବି ସବୁଠୁ ତତଲା ସହର ଭୁବନେଶ୍ବର । ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବରରେ ସର୍ବାଧିକ ୪୧.୯ ଡିଗ୍ରୀ ତାତି ରେକର୍ଡ ହୋଇଛି । ଚାନ୍ଦବାଲି ୪୧.୬ ଡିଗ୍ରୀ ସହ ଦ୍ବିତୀୟ ଉତ୍ତପ୍ତ ସହର ହୋଇଛି ।
ଝାରସୁଗୁଡା: ୪୧.୪°C
ବାଲେଶ୍ୱର: ୪୦.୫°C
ସମ୍ବଲପୁର: ୪୦.୩°C
କେନ୍ଦୁଝର: ୪୦°C
ରାଉରକେଲା:୩୯.୯°C
ହୀରାକୁଦ: ୩୯.୫°C
ଗୋପାଳପୁର:୩୫.୬°C
ପୁରୀ:୩୪.୮°C
ପାରାଦୀପ: ୩୪.୨°C
ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର, ୧୮ ମାଓବାଦୀ ନିହତ!
ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର। ଯବାନଙ୍କ ଗୁଳିରେ ୧୮ ମାଓବାଦୀ ନିହତ ହୋଇଥିବା କୁହାଯାଉଛି। କାଙ୍କେର ଜିଲ୍ଲା ଛୋଟେବେଥିଆରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି । ତେବେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବାବେଳେ ୨ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।
ବିଜେଡିର ଗଡ଼ କଣ୍ଟାମାଳ ନିର୍ବାଚନମଣ୍ଡଳୀ, ୨୦୦୯ ମସିହାରୁ ରହିଛି ବିଜେଡି ଦଖଲରେ
ନନ୍ଦିଘୋଷ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା ସହ ଉଭୟ ଦଳ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ରଜ୍ୟରେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। ୩ ପ୍ରମୁଖ ରଜନୈତିକ ଦଳ ବିଜେଡି , ବିଜେପି ଓ କଂଗ୍ରେସ ବିଜୟ ବାନା ଉଡାଇବାକୁ ପ୍ରସ୍ତୁତି ଆରମ୍ଭ କଲେଣି । ଏହାରି ଭିତରେ ବୌଦ୍ଧ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।
୨୦୦୯ ମସିହାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଅଲଗା ହୋଇ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲା। ୨୦୦୯ ମସିହାରୁ ଏହାକୁ ବିଜୁ ଜନତା ଦଳ ଦଖଲ କରିବା ସହ ଏଯାବତ ଏହା ବିଜେଡ଼ି ଗଡ଼ ହୋଇ ରହି ଆସିଛି। କଣ୍ଟାମାଳ ଓ ବୌଦ୍ଧ ଦୁଇଟି ବ୍ଲକକୁ ନେଇ ଗଠିତ ଏହି ନର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୧ ଲକ୍ଷ ୬୭ ହଜାର ୬ ଶହ ୩୮ ଭୋଟର। ସେଥି ମଧ୍ୟରୁ ୮୧ ହଜାର ୯ ଶହ ୧୦ ଜଣ ମହିଳା ଭୋଟର, ୮୫ ହଜାର ୯ ଶହ ୭୨ ଜଣ ପୁରୁଷ ଭୋଟର ଓ ଜଣେ ମାତ୍ର ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି ।
କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସରକାରଙ୍କ ଦ୍ୱାରା ଡାକ୍ତରଖାନା ରୂପାନ୍ତରିକରଣ , ତେଲ ନଦୀ ଉପରେ ଫସେଡ଼ରୁ ବଲାଙ୍ଗୀର ଓ କଣ୍ଟାମାଳ ରୁ ତରଭା ଆଦି ଦୁଇଟି ସେତୁ ନିର୍ମାଣ ହୋଇଛି। ଗାଁକୁ ରାସ୍ତାର ସଂଯୋଗ ସହ ଉନ୍ନତିକରଣ , ଜଳ ସେଚନର ସୁବିଧା, ୱୁ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ , ସରକାରୀ ସ୍କୁଲର ରୂପାନ୍ତରିକରଣ ଲୋକଙ୍କୁ ପ୍ରଭାବିତ କରିଛି।ଯାହାକୁ ପ୍ରସଙ୍ଗ କରି ଜନତାଙ୍କ ପାଖକୁ ଯିବାକୁ ଯୋଜନା କରିଛି ବିଜେଡି । ସେହିପରି ଭାରତୀୟ ଜନତା ପାର୍ଟି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ବୌଦ୍ଧ ଜିଲ୍ଲାର ସ୍ୱପ୍ନ ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନକୁ ମୁଖ୍ୟ ମୁଦ୍ଦା କରି ଏଥର ନିର୍ବାଚନ ରଣାଙ୍ଗନାରେ ଓହ୍ଲାଇବ ବୋଲି କହୁଛି। ସେପଟେ ଭୋଟର ଙ୍କ ମନ ଜିଣିବା ପାଇ କଂଗ୍ରେସ ମଧ୍ୟ ସଭା ସମିତି ଆରମ୍ଭ କରିଛି । କିନ୍ତୁ ନିର୍ବାଚନରେ ଭଲ ପ୍ରାର୍ଥୀ ଓ ବିକାଶକୁ ଦେଖି ଭୋଟ ଦେବାକୁ ଭୋଟର ମାନେ କହିଛନ୍ତି ।
୨୦୦୯ରେ ବିଜେଡ଼ି ପ୍ରାର୍ଥୀ ଭଗବାନ କହଁର ୪୫ ହଜାର ୯ ଶହ ୭୯ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ୨୦୧୪ରେ ବିଜେଡିରୁ ନୂଆ ଚେହେରା ମହୀଧର ରଣା ପ୍ରଥମ ଥର ପାଇଁ ବିଜୟୀ ହୋଇଥିଲେ।୨୦୧୯ ମସିହାରେ କହ୍ନେଇ ଚରଣ ଡାଙ୍ଗ କଂଗ୍ରେସ ଛାଡି ବିଜେପିର ପ୍ରାର୍ଥୀ ହୋଇ ୩୯ ହଜାର ୪ ଶହ ୪୯ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ କୁମାର ସାହୁ ୧୩ ହଜାର ୧ ଶହ ୬୬ ଭୋଟ ପାଇଥିଲେ। ବିଜେଡ଼ି ଟିକେଟ ନମିଳିବାରୁ ବୟନିକା ଅଧ୍ୟକ୍ଷ ଥିବା ଶେଷ କୁମାର ମେହେର ସ୍ୱାଧୀନଭାବେ ନିର୍ବାଚନ ଲଢ଼ି ୨୮ ହଜାର ୩ ଶହ ୭୦ ଭୋଟ ପାଇଥିଲେ। ତେବେ ବିଜେଡି ପ୍ରାର୍ଥୀ ମହିଧର ରଣା ସମସ୍ତଙ୍କୁ ପଛରେ ପକାଇ ୪୩ ହଜାର ୯୯ ଭୋଟ ପାଇ ବିଜୟୀ ହୋଇଥିଲେ । ତେବେ ଚଳିତ ନିର୍ବାଚନରେ ମହିଧର ରଣାଙ୍କୁ ପୁଣି ବିଜେଡ଼ି ଭରସା କରିଥିବା ବେଳେ ସେ ହାଟ୍ରିକ ଲକ୍ଷ୍ୟରେ ରହିଛନ୍ତି ।
ଗଡ଼ିଲା ଲିଙ୍ଗରାଜଙ୍କ ରୁକୁଣା ରଥ
ଭୁବନେଶ୍ବର: ଗଡ଼ିଲା ଏକାମ୍ରକ୍ଷେତ୍ରାଧିପତି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା l ପବିତ୍ର ଅଶୋକାଷ୍ଟମୀରେ ମା ରୁକୁଣା ଓ ଦୋଳଗୋବିନ୍ଦଙ୍କୁ ସାଙ୍ଗରେ ନେଇ ରାମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିବେ ପ୍ରଭୁ ଲିଙ୍ଗରାଜ। ରଥଯାତ୍ରାରେ ଶୃଙ୍ଖଳିତ ଓ ସଅଳ ନୀତିକାନ୍ତିକୁ ଗୁରୁତ୍ୱ ଦିଆଯାଇଛି l ସକଳୁ ମଙ୍ଗଳା ଆଳତୀ, ଅବକାଶ ନୀତି ସମ୍ପନ୍ନ ପରେ ଭକ୍ତ ମାନଙ୍କ ପାଇଁ ସାହାଣମେଲା ଦର୍ଶନ ହୋଇଥିଲା । ସକାଳ ୭ଟାରେ ମହାସ୍ନାନ, ବେଶ, ସୂର୍ଯ୍ୟପୂଜା, ଦ୍ୱରାପାଳ ପୂଜା ପାଇଁ ସାମୟିକ ଭାବେ ଦର୍ଶନ ବନ୍ଦ ରଖାଯାଇଥିଲା । ଏ ସମସ୍ତ ନୀତି ପରେ ଶ୍ରୀଜୀଉଙ୍କ ବଲ୍ଲଭ, ଭୁବନେଶ୍ବରୀଙ୍କ ବଲ୍ଲଭ ଏବଂ ମହାପ୍ରଭୁଙ୍କ ସକାଳ ଧୂପ ନୀତି ସମ୍ପନ୍ନ କରାଯାଇଛି ରଥଟଣା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଡିକେଙ୍କ ଦମଦାର ବ୍ୟାଟିଂ, ଟି-୨୦ ବିଶ୍ବକପ ଖେଳିବା ପାଇଁ ରେସରେ ଥିବା ଏହି ଖେଳାଳିଙ୍କ ବଢ଼ିଲାଣି ଚିନ୍ତା
ନନ୍ଦିଘୋଷ ବ୍ୟୁରୋ: ଚଳିତ ବର୍ଷ ଖେଳାଯିବାକୁ ଯାଉଛି ଟି-୨୦ ବିଶ୍ବକପ । ଭାରତ ଦିନିକିଆ ବିଶ୍ବକପ ହାରିବା ପରେ ଟି-୨୦ ବିଶ୍ବକପ ହାତେଇବା ଲକ୍ଷ୍ୟରେ ରହିଛି । ତେବେ ଦଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ଦିନେଶ କାର୍ତ୍ତିକ ଏବେ ଦମଦାର ପ୍ରଦର୍ଶନ କରୁଥିବାବେଳେ ସେ ଟି-୨୦ ବିଶ୍ବକପ ଦଳରେ ସ୍ଥାନ ପାଇପାରନ୍ତି ବୋଲି କୁହାଯାଉଛି । ମୁମ୍ବାଇ ବିପକ୍ଷ ମ୍ୟାଚରେ ଡିକେ ଯେତେବେଳେ ବିସ୍ଫୋରକ ବ୍ୟାଟିଂ କରୁଥିଲେ ସେତେବେଳେ ରୋହିତ ଶର୍ମା କହିଥିଲେ କି, ଡିକେ ଭଲ ପ୍ରଦର୍ଶନ କରୁଛନ୍ତି, ତାଙ୍କୁ ବିଶ୍ବକପ ଦଳରେ ନେବା । ତେବେ ଏହି କଥାକୁ ଗୁରୁତ୍ବର ସହ ବୋଧହୁଏ ଡିକେ ନେଇ ଯାଇଛନ୍ତି ଲଗାତାର ଦୁଇଟି ଅର୍ଦ୍ଧଶତୀୟ ପାଳି ଖେଳିଛନ୍ତି । ସେମାବାର ହାଇଦ୍ରାବାଦ ବିପକ୍ଷରେ ଯେଭଳି ଖେଳିଥିଲେ ତାହା ବେଶ ଗୁରୁତ୍ବ ରହିଛି ।
ତେବେ ଡିକେ ଏବେ ଦମଦାର ଫର୍ମରେ ରହିଥିବାବେଳେ ସେ ଜଣେ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ସାଙ୍ଗକୁ ଭଲ ଫିନିସର । ଏଣୁ କେ.ଏଲ ରାହୁଲ, ଋଷଭ ପନ୍ଥ, ସଞ୍ଜୁ ସାମସନ, ଶିଭମ ଦୁବେ ଏବଂ ରିଙ୍କୁ ସିଂଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି । ଓ୍ବିକେଟ କିପର ବ୍ୟାଟ୍ସମ୍ୟାନଭାବେ ଯଦି ଖେଳନ୍ତି ତାହେଲେ ସେ ମଧ୍ୟକ୍ରମରେ ଖେଳିବାର ସୁଯୋଗ ପାଇବେ । ଅନ୍ୟପଟେ ପନ୍ଥ,ରାହୁଲ ଏବଂ ସାମସନ ଓପନର ବ୍ୟାଟ୍ସମ୍ୟାନ ହୋଇଥିବାରୁ ଏମାନଙ୍କ ପାଇଁ ମଧ୍ୟ ଡିକେ ଖତରା ହୋଇପାରନ୍ତି । ଜୟସ୍ବାଲ ଏବଂ ରୋହିତ ଓପନିଂ କରିବା ସହ ବିରାଟ ଏବଂ ସୂର୍ଯ୍ୟକୁମାର ଦଳରେ ସ୍ଥାନ ପାଇପାରନ୍ତି । ଏଣୁ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ସାଙ୍ଗକୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଭାବେ ଦଳରେ ଡିକେ ସ୍ଥାନ ପାଇପାରନ୍ତି । ଶିଭମ ଦୁବେ ଏବଂ ରିଙ୍କୁ ସିଂଙ୍କ ଅପେକ୍ଷା ଡିକେଙ୍କ ଅଭିଜ୍ଞତା ଅଧିକ ରହିଛି । ଏହି କାରଣରୁ ସେମାନଙ୍କ ସ୍ଥାନରେ ମଧ୍ୟ ଡିକେଙ୍କୁ ସ୍ଥାନ ମିଳିପାରେ ।
ଏହି ଲୋକସଭା ଆସନ ଯେଉଁ ଦଳ ଜିତେ,କେନ୍ଦ୍ରରେ ଆସେ ତା’ ସରକାର
ନନ୍ଦିଘୋଷ ବ୍ୟୁରୋ: ଦେଶର ଏମିତି ଏକ ଲୋକସଭା ଆସନ ରହିଛି ଯେଉଁଠାରେ ବିଜୟୀ ଦଳ କେନ୍ଦ୍ରରେ ସରକାର ଗଢ଼ିଛି । ତେବେ ଏହି ଆସନ ହେଉଛି ଚାନ୍ଦିନୀ ଚୌକ୍ । ଏଠାରେ ୧୬ଥର ନିର୍ବାଚନ ହୋଇଥିବାବେଳେ ଏହି ଆସନରେ ଜିତିଥିବା ଦଳ ୧୪ଥର ସରକାର ଗଠନ କରିଛି । ମାତ୍ର ୨ଥର ଏହି ଆସନରେ ଜିତିଥିବା ଦଳ କେନ୍ଦ୍ରରେ ସରକାର ଗଠନ କରିନାହିଁ । ଯଦିଓ ଏହି ଲୋକସଭା କ୍ଷେତ୍ରଟି ଦେଶରେ ସବୁଠାରୁ ଛୋଟ କ୍ଷେତ୍ର ମାତ୍ର ଏହା ଦେଶର ସରକାର ଗଠନ କରୁଥିବା ପାର୍ଟିସହ ସବୁବେଳେ ରହିଛି । ଏହି ଆସନରୁ କଂଗ୍ରେସ ୯ଥର ଏବଂ ବିଜେପି ୬ଥର ବିଜୟୀ ହୋଇଛି । ଗୋଟିଏଥର ଏହି ଆସନରେ ଜନତା ଦଳ ବିଜୟୀ ହୋଇଥିଲା । ଏବେ ଏହି ଆସନରୁ ହର୍ଷବର୍ଦ୍ଧନ ସାଂସଦ ଅଛନ୍ତି । ୧୯୫୬ ମସିହାରେ ପ୍ରଥମେ ଏହି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କଂଗ୍ରେସର ରାଧା ରମଣ ବିଜୟୀ ହୋଇଥିଲେ ।
UPSC ରେଜଲ୍ଟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ କମାଲ, ଦ୍ବିତୀୟ ସ୍ଥାନରେ ଅନିମେଷ ପ୍ରଧାନ, ୩୬ତମ ରାଙ୍କରେ ଆୟୁଷୀ ପ୍ରଧାନ
ନନ୍ଦିଘୋଷ ବ୍ୟୁରୋ: ୟୁପିଏସସି ପରୀକ୍ଷାରେ ଝଟକିଛନ୍ତି ଓଡ଼ିଆ। ୧ ହଜାର ୧୬ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଦ୍ବିତୀୟ ସ୍ଥାନରେ ବାଜି ମାରିଛନ୍ତି ଅନିମେଷ ପ୍ରଧାନ। ୨୪ତମ ସ୍ଥାନରେ ପ୍ରଜ୍ଞାନନ୍ଦନ ଗିରି, ୩୬ତମ ରାଙ୍କରେ ଆୟୁଷୀ ପ୍ରଧାନ, ୫୨ତମ ରାଙ୍କରେ ଜୟଶ୍ରୀ ପ୍ରଧାନ ରହିଛନ୍ତି। ସେହିପରି ୬୦ତମ ରାଙ୍କରେ ଅଭିମନ୍ଯୁ ମଲ୍ଲିକ, ୧୧୦ ତମ ରାଙ୍କରେ ଅମୃତାଂଶ ନାୟକ, ୧୪୯ ତମ ରାଙ୍କରେ କୃତୀ ତ୍ରିପାଠୀ ।
୧୫୮ତମ ରାଙ୍କରେ ନୀତେଶ ମିଶ୍ର
୨୦୪ ତମ ରାଙ୍କରେ ଶୁଭ୍ରା ପଣ୍ଡା
୨୫୯ ତମ ରାଙ୍କରେ କୁମୁଦ ମିଶ୍ର
୨୬୯ତମ ରାଙ୍କରେ ତାନିଆ ମିଶ୍ର
୩୪୩ତମ ରାଙ୍କରେ ବିଶ୍ବଜିତ ପଣ୍ଡା
୪୬୬ତମ ରାଙ୍କରେ ସୌରଭ ଦାସ
ଆସିଲା ୨୦୨୩ ସିଭିଲ ସର୍ଭିସ ରେଜଲ୍ଟ; ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଓଡ଼ିଶାର ଅନିମେଷ
ଭୁବନେଶ୍ୱର: ଆସିଲା ୨୦୨୩ ସିଭିଲ ସର୍ଭିସ ପରୀକ୍ଷା ଫଳାଫଳ। ୧୦୧୬ ଜଣ ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ। ସାଧାରଣ ବର୍ଗରେ ୩୪୭, ଆର୍ଥିକ ପଛୁଆ ବର୍ଗରେ ୧୧୫, ପଛୁଆ ବର୍ଗରେ ୩୦୩, ଅନୁସୂଚିତ ଜାତି ବର୍ଗରେ ୧୬୫, ଅନୁସୂଚିତ ଜନଜାତି ବର୍ଗରେ ୮୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୟୁପିଏସସିରେ ଆଦିତ୍ଯ ଶ୍ରୀବାସ୍ତବ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଓଡ଼ିଶାର ଅନିମେଷ ପ୍ରଧାନ। ଏହାବ୍ୟତୀତ ତୃତୀୟ ସ୍ଥାନରେ ରହିଛନ୍ତି ଡୋନୁରୁ ଅନନ୍ୟା ରେଡ୍ଡୀ।
ତେବେ ଦ୍ୱିତୀୟ ସ୍ଥାନରେ ଓଡ଼ିଶାର ଅନିମେଶ ପ୍ରଧାନ ରହିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ରହିଛନ୍ତି- ୩୬ତମ ରାଙ୍କରେ ଆୟୂଷୀ ପ୍ରଧାନ, ୫୨ତମ ରାଙ୍କରେ ଜୟଶ୍ରୀ ପ୍ରଧାନ, ୬୦ତମ ରାଙ୍କରେ ଅଭିମନ୍ଯୁ ମଲ୍ଲିକ, ୧୧୦ ତମ ରାଙ୍କରେ ଅମୃତାଂଶ ନାୟକ, ୧୪୯ ତମ ରାଙ୍କରେ କୃତୀ ତ୍ରିପାଠୀ, ୧୫୮ତମ ରାଙ୍କରେ ନୀତେଶ ମିଶ୍ର, ୨୦୪ ତମ ରାଙ୍କରେ ଶୁଭ୍ରା ପଣ୍ଡା, ୨୫୯ ତମ ରାଙ୍କରେ କୁମୁଦ ମିଶ୍ର, ୨୬୯ତମ ରାଙ୍କରେ ତାନିଆ ମିଶ୍ର, ୪୬୬ତମ ରାଙ୍କରେ ସୌରଭ ଦାସ।
ବିଜେଡିରେ ମିଶିଲେ ବହୁ ବିଜେପି ଓ କଂଗ୍ରେସ ନେତା
ଭୁବନେଶ୍ୱର: ବିଜେଡିରେ ମିଶିଲେ କଳାହାଣ୍ଡି ଲାଞ୍ଜିଗଡ଼ ବିଜେପି ଓ କଂଗ୍ରେସର ୫୨ ବଡ଼ ନେତା। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ। ସମସ୍ତେ ମୁଖ୍ଯମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶଙ୍ଖ ଫୁଙ୍କିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ବିଶ୍ୱାସ ରଖି ବିଜେଡିରେ ମିଶିଛନ୍ତି ବୋଲି କହିଛନ୍ତି ପ୍ରଣବ ବଳବନ୍ତରାୟ । ଏମାନଙ୍କ ଯୋଗଦାନ ଦ୍ବାରା ଦଳ ଆଗକୁ ଯିବ ଓ ନବୀନ ଓଡ଼ିଶା ଗଠନ ପାଇଁ ସମସ୍ତେ ମିଶିକି କାମ କରିବେ ବୋଲି ପ୍ରଣବ କହିଛନ୍ତି । କଂଗ୍ରେସର ବରିଷ୍ଠ ନେତାମାନେ ଏସସି/ଏସଟିଙ୍କୁ ଅଣଦେଖା କଲେ । ୨୬ ବର୍ଷରୁ କଂଗ୍ରେସରେ ଥିଲୁ। ଲାଞ୍ଜିଗଡ ପାଇଁ ଆଦିବାସୀ ନେତା ଯିଏ ଗରିବ ଲୋକଙ୍କ ପାଇଁ ଠିଆ ହେବ ତାଙ୍କୁ ପ୍ରାର୍ଥୀ କରିବାକୁ ଭକ୍ତ ଦାସଙ୍କୁ କହିଲୁ । ହେଲେ ସେ ଅଣଦେଖା କଲାପରେ ବିଜେପିକୁ ବି କହିଲୁ । କେହିଶୁଣିଲେନି । ଏପରି ଅବହେଳା ଅସହ୍ଯ ହେବାରୁ ବିଜେଡିରେ ସାମିଲ ହେଲୁ ବୋଲି କହିଛନ୍ତି ନୂଆ କରି ମିଶିଥିବା ନେତା । ବିଜେଡିରେ ମିଶି ଲୋକଙ୍କ ସେବା କରିବୁ ଓ ମୁଖ୍ଯମନ୍ତ୍ରୀଙ୍କ ଆଶୀର୍ବାଦରେ କଳାହାଣ୍ଡି ଜିଲ୍ଲାର ବିକାଶ କରିବୁ ବୋଲି କହିଛନ୍ତି ।

