ଭୁବନେଶ୍ୱର: ଆକାଶ ମାର୍ଗରେ କୁଆପଥର ମାଡ଼। ଦିଲ୍ଲୀ ଅଭିମୁଖେ ଯାଉଥିବା ଭିସ୍ତାରା ବିମାନ ଭୁବନେଶ୍ବରରେ କଲା ପ୍ରାୟରିଟି ଲ୍ଯାଣ୍ଡିଂ। ଉଡ଼ାଣ ଭରିବାର ୧୦ ମିନଟ ପରେ ଆକାଶ ମାର୍ଗରେ ପାଗ ବଦଳିବା ସହ କୁଆପଥର ମାଡ଼ ହୋଇଥିଲା। କୁଆପଥର ମାଡରେ ବିମାନର ୱିଣ୍ଡ ସିଲ୍ଡ କ୍ଷତିଗ୍ରସ୍ତ ହେବାରୁ ପୁଣି ଭୁବନେଶ୍ବର ଫେରି ପ୍ରାୟରିଟି ଲ୍ଯାଣ୍ଡିଂ କରିଥିଲା ବିମାନ। ଏସମ୍ପର୍କରେ ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି ଆଜି ଦିନ ଗୋଟାଏ ୪୫ରେ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ବିମାନଟି ବାହାରିଥିଲା। ମାତ୍ର କୁଆପଥର ମାଡ ହେବାରୁ ବିମାନଟି ୧୦ମିନଟ ପରେ ଫେରି ପ୍ରାୟରିଟି ଲ୍ଯାଣ୍ଡିଂ କରିଥିଲା। ବିମାନରେ ୮ କ୍ରିଉ ମେମ୍ବର ସହ ମୋଟ ୧୬୯ ଯାତ୍ରୀ ଥିଲେ। ସମସ୍ତେ ସୁରକ୍ଷିତ ଅଛନ୍ତି। ଅନ୍ଯ ଏକ ବିମାନରେ ଯାତ୍ରୀଙ୍କୁ ଦିଲ୍ଲୀ ପଠାଯିବ ବୋଲି ସେ କହିଛନ୍ତି।
ପାରଳାଖେମୁଣ୍ଡିରେ ବିଜେଡି ପାଇଁ ପ୍ରଚାର କରୁଛନ୍ତି ସିନେଷ୍ଟାର ମୁନ୍ନା ଖାଁ
ଗଞ୍ଜାମ: ଗଞ୍ଜାମରେ ଜମୁଛି ନିର୍ବାଚନୀ ପ୍ରଚାର। ପାରଳାଖେମୁଣ୍ଡିରେ ବିଜେଡି ପାଇଁ ପ୍ରଚାର କରୁଛନ୍ତି ସିନେଷ୍ଟାର ତଥା ବିଜେଡ଼ି ସଂଖ୍ୟାଲଘୁ ସେଲର ସଭାପତି ମୁନ୍ନା ଖାଁ। ଦଳର ନେତା ଓ କର୍ମୀ ତାଙ୍କୁ ସ୍ବାଗତ କରିବା ପରେ ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି। ବିଜେଡି ବିଧାୟକ ପ୍ରାର୍ଥୀ ରୂପେଶ ପାଣିଗ୍ରାହୀଙ୍କ ସମର୍ଥନରେ ଏକ ବିଶାଳ ଶୋଭାଯାତ୍ରା ବାହାରି କେସିପୁର, ଗୁମ୍ମା, ଆଶ୍ରୟଗଡ଼, କଳାକୋଟ, ସେରଙ୍ଗ ଆଦି ଅଞ୍ଚଳରେ ପରିକ୍ରମା କରାଯାଇଛି। ଜନସାଧାରଣଙ୍କୁ ବିଜେଡିର ବିକାଶ ମୂଳକ କାର୍ଯ୍ୟକ୍ରମକୁ ନେଇ ସମର୍ଥନ କରିବାକୁ ଜନତାଙ୍କୁ ଅନୁରୋଧ କରିଛନ୍ତି ରୂପେଶ। ମୁନ୍ନା ଖାଁଙ୍କୁ ନିକଟରେ ଦେଖି ଅଞ୍ଚଳର ଆଦିବାସୀ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ଆଗ୍ରହ ଓ ଉତ୍ସାହ ବୃଦ୍ଧି ପାଇଛି। ଲୋକଙ୍କ ସହ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ଅଞ୍ଚଳରେ କିଭଳି କାର୍ଯ୍ୟକାରୀ ହୋଇଛି ସେନେଇ ଲୋକଙ୍କୁ ବୁଝାଇଛନ୍ତି। ପୁଣି ଯେପରି ଏହି ବିକାଶ ଧାରା ଆଗକୁ ବଢ଼ିବ ସେଥିପାଇଁ ବିଜେଡ଼ିକୁ ସମର୍ଥନ କରିବାକୁ ଉଭୟ ନିବେଦନ କରିଛନ୍ତି।
ପାହାଡ଼ ପର୍ବତ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରାସ୍ତା ଘାଟର ବିକାଶ ହେବା ସହ ସୁଗମ ହୋଇଛି ଗମନାଗମନ। ସେହିପରି ଶିକ୍ଷା, ସ୍ବାସ୍ଥ୍ୟ, ଚର୍ଚ୍ଚ, ମନ୍ଦିର ମଠ ଆଦି କ୍ଷେତ୍ରରେ ଉନ୍ନତି ହୋଇଛି । ଯେଉଁଥିପାଇଁ ବିପୁଳ ସମର୍ଥନ ମିଳୁଥିବା କହିଛନ୍ତି ମୁନ୍ନା ଖାଁ।
ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ଲେନିନ୍ ମହାନ୍ତି
ବ୍ୟୁରୋ ରିପୋର୍ଟ: ଓଡିଆ ଅସ୍ମିତା ପ୍ରତି ପ୍ରଶ୍ନ ଉଠାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ପାଇଁ କରିଛନ୍ତି କଣ ? ଓଡିଶାବାସୀ ପ୍ରତ୍ୟାକ୍ଷିତ କରିଥିବାରୁ ରାଗରେ ଓଡିଶାର ଯୁବକଙ୍କୁ ଉପେକ୍ଷିତ କରି ବିହାର, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଯୁବକଙ୍କୁ ନିଯୁକ୍ତିି ଦେଇଛନ୍ତି ଧର୍ମେନ୍ଦ୍ର। ସମ୍ବଲପୁରରେ ନାମାଙ୍କନ ଦାଖଲ ପୂର୍ବରୁ ଧର୍ମେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। ଯଦି ସତ ସାହାସ ଅଛି ତେବେ ଦାୟିତ୍ୱ ନେବା ପରଠାରୁ ଆଇଓସିଏଲରେ କେତେ ଓଡ଼ିଆ ଯୁବକଙ୍କୁ ନିଯୁକ୍ତି ଦେଇଛ, ତାହାର ଉତ୍ତର ଦେବାକୁ ଧର୍ମେନ୍ଦ୍ରଙ୍କୁ ଆହ୍ବାନ ଦେଇଛନ୍ତି ଲେନିନ୍। ଏହାସହ ଓଡିଶା ପାଇଁ କେତେ ସିଏସଆର ଫଣ୍ଡ ଦେଇଛ ? ପଦ୍ମ କାହିଁକି ଘୁଞ୍ଚି ଘୁଞ୍ଚି ଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ଆଜି ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ରଙ୍କ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ଘେରିଛନ୍ତି ଲେନିନ୍।
ବାରମ୍ବାର ଓଡିଆ ଅସ୍ମିତା ଉପରେ ପ୍ରଶ୍ନ ଉଠାଇ ଲୋକଙ୍କ ନିକଟତର ହେବାର ନାଟକ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅସଲ ମୁଖା ଖୋଲିଦେଇଛି ବିଜେଡି। କେନ୍ଦ୍ରରେ ବିଭିନ୍ନ ବିଭାଗର ଦାୟିତ୍ୱରେ ଥିବା ସମୟରେ ଓଡିଆଙ୍କ ପାଇଁ କଣ କରିଛ ବୋଲି ପ୍ରଶ୍ନ କରିଛନ୍ତି। ଯଦି ସତ୍ ସାହାସ ଅଛି ଆସନ୍ତାକାଲି ସମ୍ବଲପୁରରେ ନାମାଙ୍କନ ପାତ୍ର ଦାଖଲ କରିବା ପୂର୍ବରୁ ଏହାର ଉତ୍ତର ଦେବାକୁ ଦାବି କରିଛି ବିଜେଡି। ମନ୍ତ୍ରୀ ଥାଇ ଓଡିଶା ପାଇଁ କିଛି କରିବାକୁ ସୁଯୋଗ ଥିବା ସମୟରେ କରିପାରିଲେନି। ନିଜ ଅଞ୍ଚଳରେ ଫୁଟ ଓଭର ବ୍ରିଜ୍ କରିପାରୁନାହାନ୍ତି। ଏବେ ସେ ସମ୍ବଲପୁରବାସୀଙ୍କ ପାଇଁ କଣ କରିବେ। ଏନଏଚ – ୫୫ ପ୍ରସଙ୍ଗରେ ପୂର୍ବରୁ ବାଃହା ବାଃ ନେଉଥିଲେ। ଏବେ କିନ୍ତୁ ଏନଏଚ- ୫୫ର କାମ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ଭଳି ବିଳମ୍ବ ହେଉଛି । ପୂର୍ବରୁ ବାଃହା ବାଃ ନେଉଥିବା ବ୍ୟକ୍ତି ଏବେ କହୁଛନ୍ତି ମୁଁ ରାସ୍ତା ବିଭାଗର ମନ୍ତ୍ରୀ ନୁହେଁ ବୋଲି। ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ସମ୍ବଲପୁରବାସୀଙ୍କ ଅବଦାନ ଅନେକ। କିନ୍ତୁ ଓଡିଶାକୁ ଉପେକ୍ଷିତ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ବୁଲିବୁଲି ସମ୍ବଲପୁରରେ ନିର୍ବାଚନ ଲଢିବାକୁ ଭୋଟ ଭିକ୍ଷା କରୁଛନ୍ତି। ସମ୍ବଲପୁର ଅଞ୍ଚଳର ବାମରାକୁ ଯାଇ ଧର୍ମେନ୍ଦ୍ର ବାବୁ ଭୋଟ ମାଗୁଛନ୍ତି। କିନ୍ତୁ ବାମରାରେ ଥିବା ରେଳ ଷ୍ଟେସନର ଦୁର୍ଗତି ବିଷୟରେ କେବେ ଥରେ ହେଲେ ଚିନ୍ତା କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଲେନିନ୍ ମହାନ୍ତି । ସମ୍ବଲପୁରବାସୀ ଜ୍ଞାନୀଗୁଣି ଲୋକ। ଉଚିତ ସମୟରେ ଜନତା ଉଚିତ ଜବାବ ଦେବେ ବୋଲି କହିଛନ୍ତି ଲେନିନ୍ ମହାନ୍ତି।
ଆମେରିକାରେ ଜୋରଧରିଲା ପାଲେଷ୍ଟାଇନ ସପକ୍ଷବାଦୀ ଆନ୍ଦୋଳନ, କଲମ୍ବିଆ ୟୁନିଭରସିଟି କ୍ଯାମ୍ପସ ଅଶାନ୍ତ
ବ୍ୟୁରୋ ରିପୋର୍ଟ: ନ୍ୟୁୟର୍କରେ ଜୋର ଧରିଲା ପାଲେଷ୍ଟାଇନ ସପକ୍ଷବାଦୀ ଆନ୍ଦୋଳନ। କଲମ୍ବିଆ ୟୁନିଭରସିଟି କ୍ଯାମ୍ପସ ଅଶାନ୍ତ। ୟୁନିଭରସିଟିର ହାମିଲଟନ ହଲକୁ ଅକ୍ତିଆର କରିଛନ୍ତି ପାଲେଷ୍ଟାଇନ ସପକ୍ଷବାଦୀ। ସେମାନଙ୍କୁ କବଜା କରିବା ଲାଗି ୟୁନିଭରସିଟି କ୍ଯାମ୍ପସରେ ପ୍ରବେଶ କରିଛି ନ୍ୟୁୟର୍କ ସିଟି ପୋଲିସ। ଇସ୍ରାଏଲ ବିରୋଧୀ ଆନ୍ଦୋଳନକାରୀଙ୍କୁ ବହିଷ୍କାର କରାଯିବ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚେତାବନୀ ସତ୍ତ୍ବେ ସେମାନେ ଏହାକୁ ଅଗ୍ରାହ୍ୟ କରିଛନ୍ତି। ଆନ୍ଦୋଳନକାରୀଙ୍କ ମଧ୍ୟରୁ କେତେକଙ୍କୁ ପୋଲିସ ନିଜ ହେପାଜତକୁ ନେଇଥିବା ସୂଚନା ମିଳିଛି। କ୍ଯାମ୍ପସ ବାହାରେ ନ୍ୟୁୟର୍କ ପୋଲିସ ଡିପାର୍ଟମେଣ୍ଟର ଷ୍ଟ୍ରାଟେଜିକ ରେସପନସ ଗ୍ରୁପ ମୁତୟନ କରାଯାଇଛି।
ସୂଚନା ମୁତାବକ, ଗତ ଏପ୍ରିଲ ୧୮ ତାରିଖରେ କଲମ୍ବିଆ ୟୁନିଭରସିଟିରେ ହୋଇଥିବା ପାଲେଷ୍ଟାଇନ ସପକ୍ଷବାଦୀ ଆନ୍ଦୋଳନରେ ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗିରଫ କରିଥିଲା ପୋଲିସ। ଟେକ୍ସାସ, ଉଟାହ, ଭିର୍ଜିନିଆ, ନର୍ଥ କାରୋଲିନା, ନ୍ୟୁ ମେକସିକୋ, କନେକ୍ଟିକଟ, ଲୁଇସିଆନା, କାଲିଫର୍ଣ୍ଣିଆ ଓ ନ୍ୟୁଜର୍ସିର ବିଭିନ୍ନ କ୍ଯାମ୍ପସରୁ ସେମାନଙ୍କୁ ଗିରଫ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ହ୍ବାଇଟ ହାଉସ ପକ୍ଷରୁ ନିନ୍ଦା କରାଯାଇଛି। ଛାତ୍ରଛାତ୍ରୀମାନେ ଭୁଲ୍ ପଦକ୍ଷେପ ନେଉଥିବା ରାଷ୍ଟ୍ରପତି ଜୋ ବାଇଡେନ କହିଥିବା ନେଇ ସୂଚନା ଦେଇଛନ୍ତି ନ୍ଯାସନାଲ ସିକ୍ଯୁରିଟି କାଉନସିଲ ମୁଖପାତ୍ର ଜନ କିର୍ବି।

