ଭୁବନେଶ୍ବର: ରାଜଧାନୀରେ ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ମିଳିଛି । ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ । ମୃତକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଜଗଦଳପୁରର ସରୋଜିନୀ ସୁନ୍ଦରା । ଭୁବନେଶ୍ୱର କୋର୍ଟ ପଛପଟେ ଥିବା ହରିହର ବିଦ୍ୟାପୀଠ ନିକଟ ଏକ ଭଡ଼ାଘରୁ ଝୁଲନ୍ତା ମୃତଦେହ ମିଳିଛି । ହତ୍ୟା ନା ଆତ୍ମହତ୍ୟା ଜଣା ପଡ଼ିନଥିବା ବେଳେ, ବଡ଼ଗଡ଼ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ।ସରୋଜିନୀ ରାଜ୍ୟସ୍ତରୀୟ ବକ୍ସିଂ ଓ ଖୋଖୋ ଖେଳାଳି ଥିଲେ I କଟକ ରୋଡ୍ରେ ଏକ ବାଇକ୍ ସୋ-ରୁମ୍ରେ ଚାକିରି କରୁଥିଲେ ସରୋଜିନୀ ।
ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ: ଆସନ୍ତାକାଲି ଅଥବା ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ଵିତୀୟ ଭୋଗମଣ୍ଡପ ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇ ଥିବା ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଆସନ୍ତାକାଲି ସନ୍ଧ୍ୟା ପ୍ରାୟ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାରି ଘଣ୍ଟା ଦର୍ଶନ ବନ୍ଦ ରହିବ।
ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ
ବାଙ୍କୀ: ବାଙ୍କୀ ଡମପଡ଼ା ବ୍ଲକ ଗୟଳବାଙ୍କ ଗାଁରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ। ହାତୀ ଆକ୍ରମଣରେ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା । ବନ ବିଭାଗ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ । ବିଳମ୍ବିତ ରାତିରେ ଗୟଳବାଙ୍କ ଗାଁ ର ମନୋରଞ୍ଜନ ସାହୁ ବାରି ପଟକୁ ପରିଶ୍ରା କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ମନୋରଞ୍ଜନଙ୍କ ମୃତ୍ୟୁ ହୋଇଛି । କ୍ଷତିପୂରଣ ପ୍ରଦାନ ଦାବିରେ ହାତୀ ଘଉଡ଼ାଇବାକୁ ଆସିଥିବା ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗୟଳବାଙ୍କ ଗ୍ରାମବାସୀ । ଖବର ପାଇ ଘଟଣାସ୍ଥଳରେ ବାଙ୍କୀ ପୋଲିସ ଓ ଡମପଡା ବନାଞ୍ଚଳ ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ସରକାର ଙ୍କର ଯାହା ବ୍ୟବସ୍ଥା ରହିଛି ସେହି ଅନୁସାରେ ସହାୟତା ପ୍ରଦାନ କରାଯିବା ସହ ମୃତକଙ୍କ ପତ୍ନୀଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ବନ ବିଭାଗ କର୍ମଚାରୀଙ୍କୁ ଛାଡିଛନ୍ତି ଗ୍ରାମବାସୀ।
ତୃତୀୟ ଚୈତ୍ର ମଙ୍ଗଳବାରରେ ମା’ ତାରା ତାରିଣୀଙ୍କ ପୀଠରେ ଭକ୍ତଙ୍କ ଭିଡ଼
ବ୍ରହ୍ମପୁର: ଚଳଚଞ୍ଚଳ ଗଞ୍ଜାମର ରତ୍ନଗିରି ପାହାଡ଼ । ମାଆ ତାରା ତାରିଣୀଙ୍କର ଆଜି ତୃତୀୟ ଚୈତ୍ର ମଙ୍ଗଳବାର । ମାଆଙ୍କ ଦର୍ଶନ ପାଇଁ ପୀଠରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ରାଜ୍ଯ ତଥା ରାଜ୍ଯ ବାହାରୁ ତାରାତାରିଣୀ ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ମନସ୍କାମନା ପୂର୍ଣ୍ଣ ହେବା ଲାଗି ମାନସିକଧାରୀ ମାନେ ମୁଣ୍ଡନ କରିବା ସହ ଅନେକ ଭକ୍ତ ୯୯୯ ପାହାଚ ଚଢ଼ି ମାଆଙ୍କୁ ଦର୍ଶନ କରୁଛନ୍ତି । ଚୈତ୍ର ଯାତ୍ରା ସମୟରେ ମାଆଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ଅତୁଟ ବିଶ୍ବାସ। ଭୋରରୁ ଦ୍ବାରଫିଟା ସହ ଅନ୍ୟାନ୍ୟ ନୀତି ପରେ ଆରମ୍ଭ ହୋଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି । ଭକ୍ତଙ୍କ ନିମନ୍ତେ ପାନୀୟ ଜଳ, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ସହ ପାହାଡ ଉପରକୁ ଯାଇ ମାଆଙ୍କୁ ଦର୍ଶନ କରିବା ନିମନ୍ତେ ୨୦ରୁ ଅଧିକ ସିଟି ବସର ବ୍ୟବସ୍ଥା କରାଯାଇଛି ।

