ହିନ୍ଦୁ- ମୁସଲିମ ଭାଇଚାରାର ପର୍ବ ଗୋପ ସାଗରସ୍ନାନ ମେଲଣ

1 min read

ନିମାପଡ଼ା: ବହୁ ପ୍ରାଚୀନ ଓ ପାରମ୍ପରିକ ମେଲଣ ଭାବେ ଗୋପର ହିନ୍ଦୁ ମୁସଲିମ ଭାଇଚାରା ମେଲଣ ବେଶ୍ ପରିଚିତ । କାହିଁ କେଉଁ କାଳରୁ ଚାଲିଥିବା ଏହି ମେଲଣ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ସମନ୍ବୟ ରଖିବା ସହ ଉଭୟଙ୍କ ମଧ୍ୟରେ ବନ୍ଧୁତାର ଏକ ମାଧ୍ୟମ ବୋଲି ଜଣାଯାଏ । ବ୍ରିଟସ ଅମଳରେ ଏହି ଭାଇଚାରା ମେଲଣରେ ଉଭୟ ସମ୍ପ୍ରଦାୟର ଲୋକମାନେ ମିଳନ ହେବାର ସୁଯୋଗ ବୋଲି କୁହାଯାଏ । ଏପଟେ ଏହି ଉତ୍ସବ ଉପଲକ୍ଷେ ଅତାଶବାଜୀୟରେ ରଙ୍ଗୀନ ହୋଇପଡ଼ିଲା ମେଲଣ ପଡିଆ। ସ୍ଥାନୀୟ ଅଞ୍ଚଳର ଲୋକେ ଏହି ମେଲଣ ଦେଖିବାକୁ ଲଗାଇଛନ୍ତି ଭିଡ଼ ।

ବ୍ରିଟିଶ ଅମଳର ଗୋପ ଥାନା ଦ୍ୱାରା ଆରମ୍ଭ ହୋଇଥିବା ଏହି ମେଲଣର ରହିଛି ଅନେକ କିମ୍ବଦନ୍ତୀ। ୧୮୦୬ ମସିହାରେ ପ୍ରଭୁ ଗୋପାଳଜୀଉ କୌଣସି କାରଣରୁ ଗୋପ ଥାନା ମାଲଖାନା ହାଜତରେ ଥିଲେ । ଦିନେ ରାତିରେ ତତ୍କାଳୀନ ଦାରୁଗା ବାବୁଙ୍କୁ ପ୍ରଭୁ ଗୋପାଳଜୀଉ ସ୍ୱପ୍ନଦେଶ ମାଧ୍ୟମରେ ମେଲଣ କରିବାକୁ ନିର୍ଦ୍ଦେଶ ଦେବାପରେ, ଦାରୁଗା ବାବୁ ଉଭୟ ଗୋଷ୍ଠୀ ତଥା ସ୍ଥାନୀୟ ହିନ୍ଦୁ ଏବଂ ମୁସଲମାନ ଜମିଦାରଙ୍କ ସହିତ ଆଲୋଚନା କରି ଏହି ମେଲଣ ଆରମ୍ଭ କରିଥିଲେ । ଯାହାକି କିମ୍ବଦନ୍ତୀରେ ରହିଥିବା ସ୍ଥାନୀୟ ଅଞ୍ଚଳର ପୁରୁଖା ଲୋକମାନେ କୁହନ୍ତି ।  ତେବେ ସେବେଠାରୁ ହିନ୍ଦୁ- ମୁସଲମାନ ଉଭୟ ସଂପ୍ରଦାୟ ଏହି ସାଗରସ୍ନାନ ମେଲଣକୁ ଭାଇଚାରା ରୂପେ ପାଳନ କରିଆସୁଛନ୍ତି ।

ଭୋରୁ ପ୍ରଭୁ ଗୋପାଳଜୀଉଙ୍କୁ ଗୋପ ଥାନା ଅଧିକାରୀ ନିମନ୍ତ୍ରଣ ଦେବାସହ ବାଜା ବାଣ ରୋଷଣୀରେ ସୁସଜ୍ଜିତ ବିମାନରେ ମେଲଣ ପଡିଆକୁ ଅଣାଯାଇ ପୂଜାର୍ଚ୍ଚନା କରଯାଇଥାଏ  । ପ୍ରଥମେ ପ୍ରଭୁ ଗୋପ ସେନାପତି ସାହିରେ ଥିବା ପ୍ରଭୁ ଗାଦୀ ଆର୍ତ୍ତଦାସଙ୍କ ପାଖରେ ଛାଚି ଭୋଗ ଖାଇ ବାହାରି ଥାନ୍ତି କୁଶଭଦ୍ର ନଦୀପଠା ସାଗର ସ୍ନାନ ମେଲଣ ପଡିଆକୁ । ସେଠାରେ ପ୍ରଭୁ ଗୋପାଳଜୀଉ ସ୍ଥାନ ଅଳଙ୍କୃତ କଲାପରେ ଅନ୍ୟ ଦୋଳ ମେଲଣ ପଡିଆରେ ରହି ପୂଜାପାଇଥାନ୍ତି ।

ପୂର୍ବରୁ ଏହି ମେଲଣ ଏକ ମାସ ଧରିଚାଲୁଥିବାବେଳେ ୧୦୮ ଦୋଳ ମେଲଣ ପଡିଆରେ ପୂଜା ପାଉଥିଲେ । କାଳକର୍ମେ  ଏହା କମି ଯାଇ ଏବେ ମେଲଣ ପଡିଆରେ ୫୦ରୁ ଉର୍ଦ୍ଧ ଦୋଳ,ମେଲଣ ପଡିଆରେ ଏକତ୍ରିତ ହେବା ପରେ ପୂଜା ପାଉଛନ୍ତି । ଏହି ମେଲଣ ସାତ ଦିନଧରି ଚାଲିଥାଏ । ମେଲଣ ପଡିଆରେ ଆତସ ବାଜି ଶବ୍ଦରେ ପ୍ରକମ୍ପିତ ହେଉଥିବାବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥାନ୍ତି ଆଖ ପାଖ ଅଞ୍ଚଳର ହଜାର ହଜାର ଦର୍ଶକ । ଏପଟେ ମେଲଣ ପଡିଆରେ ପ୍ରବଳ ଜନ ସମାଗମ ସାଙ୍ଗକୁ ବିଭିନ୍ନ ଦୋକାନ ଖୋଲା ଯାଇଥିବା ବେଳେ ଘରର ଉପକରଣ ଜିନିଷ ସହିତ ଅନେକ ଶୁଖାଦ୍ୟ ସାମଗ୍ରୀ ଏଠାରେ ଦେଖିବାକୁ ମିଳିଥାଏ । ଉଭୟ ସମ୍ପ୍ରଦାୟର ଲୋକମାନେ ପ୍ରତ୍ୟେକ ବର୍ଷ ଏହି ସାଗରସ୍ନାନ ଭାଇ ଚାରା ମେଲଣର ମଜା  ଉଠାଇଥାନ୍ତି ।