spot_img
Home Blog Page 1860

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ, ଆସନ୍ତାକାଲି ଯାଞ୍ଚ

ଭୁବନେଶ୍ବର: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଆସନ୍ତାକାଲି ହେବ ପ୍ରାର୍ଥିପତ୍ର ଯାଞ୍ଚ। ଆସନ୍ତା ମେ ୨୦ରେ ଭୋଟ। ଓଡ଼ିଶାର ୫ ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା ଆସନ ସମେତ ୮ ରାଜ୍ଯର ୪୯ ଲୋକସଭା ଆସନରେ ପଡିବ ଭୋଟ। ପଞ୍ଚମ ପର୍ଯ୍ୟାୟରେ ବିହାରର ୫, ଝାଡଖଣ୍ଡର ୩, ମହାରାଷ୍ଟ୍ର ୧୩, ଉତ୍ତରପ୍ରଦେଶର ୧୪, ପଶ୍ଚିମବଙ୍ଗର ୭, ଜାମୁ ଓ କାଶ୍ମୀରର ଗୋଟିଏ ଓ ଲଦାଖର ଗୋଟିଏ ଆସନରେ ହେବ ଭୋଟ।

ଜୁନ ୪ରେ ପ୍ରକାଶ ପାଇବ ଫଳ। ବର୍ତ୍ତମାନ ସୁଦ୍ଧା ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆଉ ୫ଟି ପର୍ଯ୍ୟାୟ ମତଦାନ ବାକି ରହିଛି। ମେ ୭ରେ ହେବ ତୃତୀୟ ପର୍ଯ୍ୟାୟ ମତଦାନ। ସେହିପରି ମେ ୧୩ରେ ଚତୁର୍ଥ ପର୍ଯ୍ୟାୟ, ମେ ୨୦ରେ ପଞ୍ଚମ ପର୍ଯ୍ୟାୟ, ମେ ୨୫ରେ ଷଷ୍ଠ ପର୍ଯ୍ୟାୟ ଏବଂ ଜୁନ ୧ରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ ହେବ।

ବିରୋଧୀଙ୍କ ବିଭିନ୍ନ ପ୍ରସଙ୍ଗ ନେଇ ଉତ୍ତର ରଖିଲେ ପାଣ୍ଡିଆନ, କହିଲେ ଆଉଟ ସାଇଡର କିଏ ?

ଭୁବନେଶ୍ବର: ବିରୋଧୀଙ୍କ ବିଭିନ୍ନ ପ୍ରସଙ୍ଗ ନେଇ ପାଣ୍ଡିଆନ କହିଛନ୍ତି ଆଉଟ ସାଇଡର କିଏ। ୱାନ ନେସନ ବିଷୟ କହୁଥିବା ଜାତୀୟ ଦଳ ବିଜେପି ପ୍ରଥମେ କହିବା ଦରକାର କିଏ ଆଉଟସାଇଡର। ଜଣେ ଭାରତୀୟ ନାଗରିକଙ୍କ ଲାଗି ଜଣେ ଆଉଟସାଇଡର କିଏ। ସେମାନେ ତାହା ବୁଝାଇବା ଦରକାର।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ପରସ୍ପରକୁ ସମ୍ମାନ ଦିଅନ୍ତି। ସେମାନେ ବୃହତର ସ୍ବାର୍ଥ ଦୃଷ୍ଟିରୁ ପ୍ରକୃତ ରାଷ୍ଟ୍ରନୀତିଜ୍ଞ। ବିଜୁ ଜନତା ଦଳ ଆସନ୍ତା ନିର୍ବାଚନରେ କ୍ଲିନସୁଇପ କରିବ। ଏପରିକି ବିଜେପି ଦୁଇ ଅଙ୍କ ନଛୁଇଁବା ସମ୍ଭାବନା ରହିଛି। ୨୦୧୯ ତୁଳନାରେ ବିଜେଡି ଅଧିକ ସଂଖ୍ୟକ ଲୋକସଭା ଆସନ ଜିଣିବ। ବିଧାନସଭାରେ ବିଜେଡି ତିନି ଚତୁର୍ଥାଂଶ ଆସନ ଲାଭ କରିବ।

ଚନ୍ଦ୍ରପୃଷ୍ଠର ବହୁ ଦୂରରୁ ନମୁନା ସଂଗ୍ରହ ଉଦ୍ଦେଶ୍ୟରେ ଅଭିଯାନ

ନନ୍ଦିଘୋଷ ବ୍ୟୁରୋ: ଆଜି ସୃଷ୍ଟି ହେବ ନୂଆ ଇତିହାସ । ଚନ୍ଦ୍ରପୃଷ୍ଠର ବହୁ ଦୂରରୁ ନମୁନା ସଂଗ୍ରହ ଉଦ୍ଦେଶ୍ୟରେ ଅଭିଯାନ। ପାକିସ୍ତାନର ଚନ୍ଦ୍ର ଅଭିଯାନ କ୍ରମେ ଚୀନ ନ୍ଯାସନାଲ ସ୍ପେସ ଆଡମିନିଷ୍ଟ୍ରେସନ ବା ସିଏନଏସଏ ପକ୍ଷରୁ କରାଯିବ ଚାଞ୍ଜ-E6 ଲୁନାର ମିଶନ । ଦକ୍ଷିଣ ଚୀନ ଅନ୍ତର୍ଗତ ଓ୍ବେନଚାଙ୍ଗ ସ୍ପେସ ଲଞ୍ଚ ସାଇଟରୁ ଏହାକୁ ଉତକ୍ଷେପଣ କରାଯିବ ଏବଂ ଲଙ୍ଗମାର୍ଚ୍ଚ-5-Y8 କ୍ଯାରିୟର ରକେଟ ଜରିଆରେ ଏହାକୁ ଛଡାଯିବ।

ଏହି ଉତକ୍ଷେପଣ ଲାଗି ଓ୍ବେନଚାଙ୍ଗ ସ୍ପେସ ଲଞ୍ଚ ସାଇଟ ପକ୍ଷରୁ ଚୂଡାନ୍ତ ରିହରସଲ କରାଯାଇଛି। ପାକିସ୍ତାନର ନ୍ଯାସନାଲ ସ୍ପେସ ଏଜେନ୍ସି ସୁପାରକୋ ଓ ଚୀନର ସାଙ୍ଘାଇ ୟୁନିଭରସିଟିର ମିଳିତ ଉଦ୍ଯମରେ ନିର୍ମିତ ହୋଇଛି ଇକ୍ଯୁବ-କ୍ୟୁ ଅର୍ବିଟର । ଏଥିରେ ରହିଛି ଦୁଇଟି ଅପ୍ଟିକାଲ କ୍ଯାମେରା ଯାହା ଦ୍ବାରା ଚନ୍ଦ୍ରପୃଷ୍ଠର ଫଟୋ ଉତ୍ତୋଳିତ ହୋଇପାରିବ । ଚନ୍ଦ୍ରର ଦୂର ପାର୍ଶ୍ବରୁ ନମୁନା ସଂଗ୍ରହ ପରେ ଏହାକୁ ନେଇ ଅଧିକ ଗବେଷଣା କରାଯିବ ।

ଓଡ଼ିଆ ଭାଷା ଲାଗି ବିଜେପି କିଛି କରିନାହିଁ: କାର୍ତ୍ତିକ ପାଣ୍ଡିଆନ

ନନ୍ଦିଘୋଷ ବ୍ୟୁରୋ: ଯେ କୌଣସି ରାଜ୍ଯର ଭାଷା ହିଁ ଏହାର ଗର୍ବ। ଦ୍ବିତୀୟ ହେଉଛି ଏହାର ଦେବତା। ତୃତୀୟ ହେଉଛି ରାଜ୍ଯର ସଂସ୍କୃତି। ଚତୁର୍ଥ ହେଉଛି ଏହାର ଜନସାଧାରଣ। ଯେଉଁ ବିଜେପି ଓଡ଼ିଆ ଅସ୍ମିତା ବିଷୟ କଥା କହୁଛି ସେହି ଦଳ ଓଡ଼ିଆ ଭାଷା ଲାଗି କିଛି କରିନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏଏନଆଇକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଆମକୁ ଦେଖିବାକୁ ପଡିବ ଗତ ୧୦ ବର୍ଷରେ ବିଜେପି କଣ କରିଛି। ଓଡ଼ିଆ ଭାଷାକୁ  ଶାସ୍ତ୍ରୀୟ ଭାଷାରେ ପରିଣତ କରିବା ଲାଗି ମୁଖ୍ଯମନ୍ତ୍ରୀ ସଂଗ୍ରାମ କରିଛନ୍ତି। ୨୦୧୪ ଫେବ୍ରୁଆରୀରେ ୟୁପିଏ ସରକାର ଅମଳରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ଯତା ଦିଆଯାଇଥିଲା। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ଯତା ପରଠାରୁ ୧୦ ବର୍ଷ ବିତିଗଲା। ମାତ୍ର କୌଣସି ଗୋଟିଏ ପଦକ୍ଷେପ ନିଆଯାଇନାହିଁ କିମ୍ବା ପଇସାଟିଏ କେନ୍ଦ୍ର ଖର୍ଚ୍ଚ କରିନାହିଁ। ମାତ୍ର ସଂସ୍କୃତି, ତେଲୁଗୁ, ତାମିଲ ଓ ମରାଠୀ ଭାଷା ଲାଗି କେନ୍ଦ୍ର ସହାୟତା ଦେଇଆସିଛି। ଯେଉଁ ସବୁ ଭାଷାକୁ ଶାସ୍ତ୍ରୀୟ ମାନ୍ଯତା ମିଳିଛି ସେହି ସବୁ ଭାଷାକୁ କେନ୍ଦ୍ରୀୟ ସହାୟତା ମିଳିଛି। ଏହା ହେଉଛି କେନ୍ଦ୍ର ସରକାରଙ୍କ ଭାଷାପ୍ରୀତିର ନମୁନା। ଦ୍ବିତୀୟରେ ଓଡ଼ିଶୀ ସଂଗୀତ। ଏହା ଅତି ପ୍ରସିଦ୍ଧ। ଓଡ଼ିଶୀ ସଂଗୀତକୁ ପ୍ରୋତ୍ସାହନ ଦେବା ସହ ଏହାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ପ୍ରସ୍ତାବ କେନ୍ଦ୍ରକୁ ପଠାଇଥିଲେ। ମାତ୍ର ଏହି ଦୁଇଟି ପ୍ରସ୍ତାବକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଥିଲେ। ଏବେ ସେମାନେ ଓଡ଼ିଆ ଭାଷା ନେଇ ଭାଷଣ ମାରୁଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ ।

ବନ୍ଦ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ସହିଦନଗର ଥାନା ଭିଏସଏସ୍ ନଗରରେ ଅଘଟଣ। ବନ୍ଦ ଘରୁ ମିଳିଲା ଯୁବକଙ୍କ ମୃତଦେହ। ବେକରେ ରଶି ଲଗାଇ ଯୁବକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ। ଘର ଭିତର ବନ୍ଦ ଥିବାରୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି ପୋଲିସ। ବାଦାମବାଡ଼ି ଛକ ପୋଷ୍ଟ ଅଫିସ ନିକଟରେ ଥିବା ବିଲ୍ଡିଂରୁ ମିଳିଛି ମୃତଦେହ। ଘଟଣାସ୍ଥଳରେ ଛାନବିନ ଚଳାଇଛି ସହିଦନଗର ଥାନା ପୋଲିସ। ପ୍ରେମ ପାଇଁ ଆତ୍ମହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଥାନାଧିକାରୀ। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଆତ୍ମହତ୍ୟା ବୋଲି କହିଛନ୍ତି ସହିଦନଗର ଆଇଆଇସି ଅଶୋକ ନାୟକ।

କେ.ଜେ.ଏସ୍. ଆଲୁୱାଲିଆ ସ୍ପଞ୍ଜ ପ୍ଲାଣ୍ଟରେ ବିସ୍ଫୋରଣ

କେନ୍ଦୁଝର: କେନ୍ଦୁଝର ବରପଦା ଠାରେ ଥିବା କେ.ଜେ.ଏସ୍. ଆଲୁୱାଲିଆ ସ୍ପଞ୍ଜ ପ୍ଲାଣ୍ଟରେ ବିସ୍ଫୋରଣ। ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ଣ୍ଣେସନରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ ଫର୍ଣ୍ଣେସରୁ ତରଳ ଲୁହା ଛିଟିକି ୧୦ ଜଣ ଶ୍ରମିକ ପୋଡ଼ିହୋଇ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଥିବା ଜଣାପଡିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ସଙ୍କଟାପନ୍ନ ଥିବା ୩ ଜଣ ଶ୍ରମିକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ଶ୍ରମିକ ବାହାର ରାଜ୍ୟର ବୋଲି ଜଣାପଡିଛି। ସୁରକ୍ଷାରେ ଅବହେଳା କାରଣରୁ ବାରମ୍ବାର ଏହି ପ୍ଲାଣ୍ଟରେ ବିସ୍ଫୋରଣ ଘଟି ଶ୍ରମିକଙ୍କ ଜୀବନ ଯାଉଛି। ତଥାପି ପ୍ଲାଣ୍ଟ କର୍ତ୍ତୃପକ୍ଷ ଚେତୁ ନାହାନ୍ତି। ଗତ ୨୦୧୭ ମସିହାରେ ଇଣ୍ଡକ୍ସନ ଫର୍ଣ୍ଣେସରେ ବିସ୍ଫୋରଣ ଘଟି ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।

ନେତାଙ୍କ ମନରେ ଛନକା ପସାଇଲାଣି ଡିପଫେକ୍ ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ସାଇବର ଠକେଇ ହେଲେ ଆପଣ କିଭଳି ତୁରନ୍ତ ବର୍ତ୍ତିବେ ? ଥାନା କୁ ନଯାଇ ମଧ୍ୟ କିଭଳି କେସ ରୁଜୁ କରିବେ ? ନିର୍ବାଚନ ସମୟରେ AI ଓ ଡିପ ଫେକ ଭିଡିଓ ରୁ ରାଜନେତା କେମିତି ମୁକ୍ତି ପାଇବେ ? ଏସଂକ୍ରାନ୍ତରେ ଏକ ସାଇବର ସଚେତନତା ବୈଠକ ଅନୁଷ୍ଠିତ ହୋଇଛି ।

ଟେନସନ ଦେଲାଣି ଡିପ୍ ଫେକ୍ ଭିଡିଓ । ନେତାଙ୍କ ମନରେ ଛନକା ପରେ ପୋଲିସର ମାନସମନ୍ଥନ। ଭାଇରାଲ ହୋଇପାରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ । ସାଇବର ଏକ୍ସପର୍ଟ ଓ NGO ସହ କମିଶନରେଟ ପୋଲିସର ବୈଠକ । ନେତାଙ୍କୁ ଘାରିଲାଣି ଡିପ ଫେକ ଭିଡିଓ ଚିନ୍ତା । ସାଇବର ଠକ ବା ଶତ୍ରୁପକ୍ଷ ବ୍ଲାକମେଲ ପରେ କରିପାରନ୍ତି ବଦନାମ । ନିକଟ ଅତୀତରେ ଅମିତ ଶାହା, ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ କ୍ୟାଟ୍ରିନା କୈଫଙ୍କ ଡିପ୍ଫେକ୍ ଫଟୋ ଓ ଭିଡିଓ ଭାଇରାଲ୍ ହେବା ପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାରକୁ ନେଇ ଚିନ୍ତା ବଢ଼ିଛି ।

ଜଣେ ବ୍ୟକ୍ତିଙ୍କ ଶରୀରରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୁହଁକୁ ରଖି ପ୍ରସ୍ତୁତ କରାଯାଉଥିବା ଚିତ୍ର ବା ଭିଡିଓ ଯେଉଁ ପ୍ରଯୁକ୍ତି ମାଧ୍ୟମରେ ତିଆରି କରାଯାଉଛି ତାହାକୁ କମ୍ପ୍ୟୁଟର ବିଜ୍ଞାନ ଭାଷାରେ ଡିପଫେକ୍ କୁହାଯାଉଛି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ରାଜନୈତିକ ବ୍ୟକ୍ତିବିଶେଷ ଙ୍କ ଫେକ ଫଟୋ ଭିଡ଼ିଓ ଭାଇରାଲ ହେବାର ସମ୍ଭାବନା ଥିବାରୁ ଏବେଠୁ ସଜାଗ ହୋଇଛି କମିଶନରେଟ ପୋଲିସ ।

ଇଣ୍ଟରନେଟରେ ପାଖାପାଖି ୧ ଲକ୍ଷ ଡିପଫେକ ପର୍ଣ୍ଣ ଭିଡିଓ ମହଜୁଦ ରହିଥିବା ବେଳେ କିଛିଦିନ ହେବ ପ୍ରତିଦିନ ଶହେରୁ ଅଧିକ ପର୍ଣ୍ଣ ଭିଡିଓ କ୍ଲିପ ଇଣ୍ଟରନେଟରେ ଅପଲୋଡ କରାଯାଉଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଡିପଫେକ ପର୍ଣ୍ଣୋଗ୍ରାଫି ଏକ ବ୍ୟବସାୟ ପାଲଟି ଯାଇଛି ।

ସେପଟେ ନୀତିଦିନ ପରିବାର ର ଜଣଙ୍କ ସହ ବିଭିନ୍ନ ତାରିକାରେ ସାଇବର ଠକେଇ ହେଉଛି । ଏ ନେଇ NGO, ସାଇବର ଏକ୍ସପର୍ଟ ଓ HER ଟିମ ସହ ଆଲୋଚନା କରାଯାଇଛି । ଏଣୁ Golden hour ଭିତରେ ଥାନାକୁ ନଯାଇ ମଧ୍ୟ ଚକ୍ଷୁ ଆପ ଜରିଆରେ ଅନଲାଇନ କେସ ଦେବାକୁ କହିଛନ୍ତି ଏସିପି । ଶୁଣନ୍ତୁ କିଭଳି ଆପଣ ଠକେଇରୁ ବର୍ତ୍ତି ପାରିବେ ।

ସର୍ଭେ ରିପୋର୍ଟ ମୁତାବକ ୨୦୨୨ ତୁଳନାରେ ୨୦୨୩ ରେ ୨୪ ପ୍ରତିଶତ ସାଇବର କ୍ରାଇମ ବଢିଛି । ଏଣୁ ନିର୍ବାଚନ ଭଳି ଘଡିସନ୍ଧି ମୁହୂର୍ତ୍ତରେ ଏହାକୁ କିଭଳି ପ୍ରତିହତ କରାଯାଇପାରିବ ସେ ନେଇ ଚିନ୍ତା ବଢିଛି ।

ହେବିଓ୍ବେଟ୍ ଭରିଲେ ନାମାଙ୍କନ

ନନ୍ଦିଘୋଷ ବ୍ୟୁରୋ: ହାଇଭୋଲଟେଜ ନୋମିନେସନ। ପ୍ରାର୍ଥିପତ୍ର ଦାଖଲ କଲେ ହେଭିଓ୍ବେଟ। ନିଆରା ଷ୍ଟାଇଲରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ। ଆର୍ମି ଅଫିସରରୁ ରାଜନେତା ବନିଥିବା ମନ୍ମଥଙ୍କ ନାମାଙ୍କନ ଦାଖଲ ବେଶ ଚର୍ଚ୍ଚା ସାଉଁଟିଛି। ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଏକଦମ ନିଆରା ଢଙ୍ଗରେ ସେ ନାମାଙ୍କନ ଭରିବାକୁ ଯାଇଥିଲେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସକୁ। ସେହିଭଳି ଘଣ୍ଚଘଣ୍ଟା, ସାହିଜାତ, ଗୋଟିପୁଅ ନୃତ୍ଯ ଆଉ ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ । ବଡ଼ଦାଣ୍ଡରେ ବିରାଟ ରାଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଅରୂପ।

ଏହି ସମୟରେ ଅରୂପଙ୍କ ସହ ସତ୍ଯବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାଶବର୍ମା, ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବିଜେଡି ନେତା ରାମକୃଷ୍ଣ ଦାସ ମହାପାତ୍ର ଓ ଲୋକସଭା କ୍ଷେତ୍ରର ବରିଷ୍ଠ ନେତା ଉପସ୍ଥିତ ଥିଲେ। କନ୍ଧମାଳ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଅଚ୍ଯୁତ ସାମନ୍ତ ଓ ଫୁଲବାଣୀ ବିଜେଡି ବିଧାନସଭା ପ୍ରାର୍ଥୀ ଜୟଶ୍ରୀ କହଁର ନାମାଙ୍କନ ଦାଖଲ କରିଛନ୍ତି। ବରଗଡ ବିଜେଡି ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ର ବି ବିରାଟ ରାଲିରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିଧାନସଭା ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ମଧ୍ୟ ଆଜି ନାମାଙ୍କନ ଦାଖଲ କରିଛନ୍ତି।

ଶୋଭାଯାତ୍ରାରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ରିତା ସାହୁ ଓ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ସାମିଲ ହୋଇଥିଲେ। ଶୋଭାଯାତ୍ରାରେ ୨୫ ହଜାରରୁ ଅଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ । ସେପଟେ ନାମାଙ୍କନ ଦାଖଲ କରିଛନ୍ତି ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅଧିଷ୍ଠାତ୍ରୀ ଦେବୀ ମା ସମଲେଇ ଙ୍କ ଦର୍ଶନ କରିବା ପରେ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଥିଲେ ଧର୍ମେନ୍ଦ୍ର। ସେହିଭଳି ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ମଧ୍ୟ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ବାଲେଶ୍ବରରେ ଜମୁଛି ପ୍ରଚାର

ବାଲେଶ୍ବର: ବଢୁଛି ତାତି। ତାତି ଯୋଗୁ ସାଧାରଣ ଜୀବନ ଯାତ୍ରା ବ୍ୟାଘାତ ହେଉଛି । ତାପମାତ୍ରା ବୃଦ୍ଧି ଯୋଗୁ ମଧ୍ୟ ନିର୍ବାଚନ ପରିବେଶ ପ୍ରଭାବିତ ହେଉଛି। ପ୍ରାର୍ଥୀମାନେ ସକାଳେ ଓ ସଞ୍ଜରେ ପ୍ରଚାର କରିବାକୁ ପସନ୍ଦ କରୁଛନ୍ତି। ଦ୍ବିପ୍ରହରରେ ଲୋକେ ଘରୁ ବାହାରକୁ ବାହାରୁ ନଥିବାରୁ ପ୍ରଚାର ବନ୍ଦ ରହୁଛି। ହେଲେ ବିଜେଡିର କହିବା କଥା, ଖରା ବର୍ଷା ଆମ ପାଇଁ ସବୁ ସମାନ।

ବଢି ଚାଲିଛି ତାପମାତ୍ରା । ଡ଼ହ ଡ଼ହ ଖରାରେ ସିଜୁଛି ବାଲେଶ୍ବର ସାଙ୍ଗକୁ ସାରା ଓଡ଼ିଶା । ସକାଳ ସାଢେ ୮ଟା ପରେ ଘରୁ ବାହାରିବା ମୁସ୍କିଲ । ଗ୍ରୀଷ୍ମ ପ୍ରବାହକୁ ଦେଖି ବଦଳିଛି ନିର୍ବାଚନ ତରିକା । କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ସାକାଳୁ ସକାଳୁ ଆରମ୍ଭ କରିଦେଉଛନ୍ତି ପ୍ରଚାର । ଲୋକଙ୍କ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ଯୋଗାଡ଼ କରିବାକୁ କରୁଛନ୍ତି ପ୍ରୟାସ। ପୁଣି ସଂନ୍ଧ୍ୟାରେ ଚାଲୁଛି ଡ଼ୋର-ଟୁ-ଡ଼ୋର କ୍ୟାମ୍ପେନ୍। ସେହିପରି ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଢଙ୍ଗୀ ମଧ୍ୟ ସକାଳେ ପ୍ରଚାରକୁ ପସନ୍ଦ କରୁଛନ୍ତି । କର୍ମୀ ସମ୍ମିଳନୀ, ବୁଥ୍ କମିଟି ବୈଠକ, ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୈଠକ କରି କର୍ମୀଙ୍କୁ ଉତ୍ସାହିତ କରୁଛନ୍ତି ପ୍ରତାପ । ଆଉ ସଞ୍ଜ ପରେ ଲୋକଙ୍କୁ ଭେଟି ନିର୍ବାଚନ ସମ୍ପର୍କରେ କରୁଛନ୍ତି ଆଲୋଚନା। ହେଲେ ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିହାରଙ୍କ କଥା ଅଲଗା । ତାଙ୍କ କହିବା କଥା, ସବୁ ପରିସ୍ଥିତିରେ ଲୋକଙ୍କ ପାଇଁ କାମ କରିବାକୁ ପ୍ରେରଣା ପାଇଛୁ । ତେଣୁ ଖରାରେ ଲୋକଙ୍କ ନିକଟକୁ ଯିବା ଆମର କର୍ତ୍ତବ୍ଯ ବୋଲି କହିଛନ୍ତି ଲୋଖାଶ୍ରୀ ।

ବାହାର ତାତି ସାଙ୍ଗକୁ ତାଳ ଦେଇ ବଢୁଛି ନିର୍ବାଚନ ତାତି । ସେପଟେ ଗରମ ପାଇଁ ଦିନ ୧୧ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଚଳିତ ବର୍ଷ ସହରରେ ସର୍ବାଧିକ ତାପମାତ୍ରା ୪୬ ଡ଼ିଗ୍ରୀରେ ପହଞ୍ଚିଥିଲା । ଆଦ୍ରତା ୪୫ ପ୍ରତିଶତ ଥିବାରୁ ତାପମାତ୍ରା ୪୭ ଡ଼ିଗ୍ରୀ ଭଳି ଅନୁଭବ ହୋଇଥିଲା । ମାତ୍ରାଧିକ ତାପମାତ୍ରା ବୃଦ୍ଧି ପ୍ରଚାର ସାଙ୍ଗକୁ ବ୍ୟବସାୟକୁ ମଧ୍ୟ ପ୍ରଭାବିତ କରିଛି । ତେବେ ଥଣ୍ଡା ପାନୀୟ ଦୋକାନରେ ଓ ଆଖୁ ରସ ଓ ଜୁସ ଦୋକାନରେ ଭିଡ଼ ଜମିବା ସହ ଚାଲୁଛି ରାଜନୈତିକ ଚର୍ଚ୍ଚା ।

 

ସାଢେ଼ ତିନି ଫୁଟ ଉପରକୁ ଉଠିଲା ଘର

ନନ୍ଦିଘୋଷ ବ୍ୟୁରୋ: ସାଢେ଼ ତିନି ଫୁଟ ଉପରକୁ ଉଠିଲା ଘର। ବିନା କୌଣସି କ୍ଷୟକ୍ଷତିରେ ଘରକୁ ଟେକି ଦିଆଗଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଉନ୍ନତ ଜ୍ଞାନ କୌଶଳ ଜରିଆରେ ଘରକୁ ଟେକି ଦିଆଯାଇଛି। ଯାହାକୁ ଦେଖିବାକୁ ଲୋକଙ୍କ ଲାଗିଛି ଭିଡ।

ସାଢେ ତିନି ଫୁଟ ଉପରକୁ ଉଠିଲା ଘର । ଉନ୍ନତ ଜ୍ଞାନ କୌଶଳ ଜରିଆରେ ଘରକୁ ଟେକି ଦିଆଗଲା । ଏ ହେଉଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଶ୍ରୀଧର ନଗର ସ୍ଥିତ ରଞ୍ଜିତ ପ୍ରଧାନଙ୍କ ବାସଗୃହ। ପ୍ରାୟ ୨୦ ରୁ ୨୫ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିଲା ଘରଟି। ତଳିଆ ଅଞ୍ଚଳ ହେତୁ ବର୍ଷା ଦିନେ ଘରେ ପଶୁଥିଲା ପାଣି । ଫଳରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ପରିବାର ଲୋକ ।

ତେବେ କିଛି ସ୍ଥାନରେ ଘରକୁ ଉପରକୁ ଉଠାଯାଇଥିବା ଖବର ଶୁଣି ନିର୍ମାଣକାରୀ ସଂସ୍ଥା ସହ ଯୋଗାଯୋଗ କରି ଘର ଉପରକୁ ଉଠାଇବା ନିଷ୍ପତ୍ତି ନେଇଥିଲେ ଘରର କର୍ତ୍ତୃପକ୍ଷ । ୯୦୦ ବର୍ଗ ଫୁଟ ବିଶିଷ୍ଟ ଘରକୁ ଉପରକୁ ଉଠାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବେ ସଫଳତାର ସହ ସାଢ଼େ ତିନି ଫୁଟ ଉପରକୁ ଉଠି ପାରିଛି ଘର। ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଘର ଲୋକ।

ପାରଳାଖେମୁଣ୍ଡି ସହରରେ ପ୍ରଥମ କରି ଏଭଳି ଏକ ଅସମ୍ଭବ କାର୍ଯ୍ୟ ସମ୍ଭବ କରାଯାଇ ପାରିଛି। ବିନା କୌଣସି କ୍ଷୟକ୍ଷତିରେ ଘରଟିକୁ ଚାରିଫୁଟ ଉପରକୁ ଉଠାଇବାକୁ ଚୁକ୍ତି ସ୍ଵାକ୍ଷର କରିଥିଲେ ହରିୟାଣାର ଏକ ଗୃହ ନିର୍ମାଣ କାରୀ ସଂସ୍ଥା । ଏହି କାର୍ଯ୍ଯରେ ସାମିଲ ହୋଇଥିଲେ ୧୦ ଜଣ ଶ୍ରମିକ । ଅତ୍ଯାଧୁନିକ ଜ୍ଞାନ କୌଶଳ ଜରିଆରେ ବହୁ ପୁରୁଣା ଘରକୁ ସଫଳତାର ସହ ଉପରକୁ ଉଠାଯାଇପାରିଛି ।