ନନ୍ଦିଘୋଷ ବ୍ୟୁରୋ: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଏହି ଲଘୁଚାପର ପ୍ରଭାବ ଆଉ ଦୁଇଦିନ ରହିବ । ୧ ତାରିଖରୁ ବର୍ଷାର ପରିମାଣ କମିଲେ ବି କିଛି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡିଶାରେ ହେବ କାଳବୈଶାଖୀ ବର୍ଷା । କାଲି ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ସୁନ୍ଦରଗଡ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସବୁ ଜିଲ୍ଲାରେ ୭୦ ରୁ ୨ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଆଜି ମୟୁରଭଞ୍ଜ ଓ କେନ୍ଦୁଝରରେ ଅତି ପ୍ରବଳ ବର୍ଷା ସହ ଉତ୍ତର ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ କିଛି ସ୍ଥାନରେ ଆକସ୍ମିକ ବନ୍ୟାର ପରିସ୍ଥିତି ସୃଷ୍ଟିହେବା ସହ ଦୃଶ୍ୟମାନ ଦୂରତା କମିବ । ଉପକୂଳରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୩ ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ୧ ତାରିଖରୁ ବର୍ଷାର ପରିମାଣ କମିବ । ଏହା ପରେ ୪ ରୁ ପୁଣି ବଢିବ ବର୍ଷା । ଗତ ୨୪ ଘଣ୍ଟାରେ ୧୦ ଟି ସ୍ଥାନରେ ପ୍ରବଳ ସହ ୩ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି । ନୟାଗଡ଼ ଭାପୁରରେ ସର୍ବାଧିକ ୧୭୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେପଟେ ଜୁନ ୧ ତାରିଖ ରୁ ଆଜି ସୁଦ୍ଧା ରାଜ୍ୟରେ ୩୦ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ଦୁଇଟି ଜିଲ୍ଲା ବାଲେଶ୍ବର ଏବଂ ମୟୁରଭଞ୍ଜରେ ନିଅଣ୍ଟିଆ ସ୍ଥିତି ଉତ୍କଟ ଥିବାବେଳେ ୧୭ଟି ଜିଲ୍ଲାରେ ୨୦ ରୁ ୫୯ ପ୍ରତିଶତ କମ୍ ବର୍ଷା ହୋଇଛି ।
ଧୀରେଧୀରେ ସ୍ବାଭାବିକ ହେଉଛି ବାଲେଶ୍ବର
ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ବରରେ ବଢିଲା କର୍ଫ୍ୟୁ କୋହଳ ସମୟ । ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବଢିଲା କର୍ଫ୍ୟୁ କୋହଳ ସମୟ । ଶାନ୍ତି କମିଟି ବୈଠକରେ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ଅଶାନ୍ତ ଥିବା ବାଲେଶ୍ବରରେ ପରିସ୍ଥିତି ସ୍ବାଭାବିକ ହେବାରେ ଲାଗିଛି । ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ପ୍ରତାପ ଷଢଙ୍ଗୀ, ବିଧାୟକ ମାନସ ଦତ୍ତ, ଜିଲ୍ଲାପରିଷଦ ସଭାପତି ନାରାୟଣ ପ୍ରଧାନ, ପୌରାଧ୍ୟକ୍ଷା ସବିତା ସାହୁ, ଏସପି ସାଗରିକା ନାଥଙ୍କ ସମେତ ବାଲେଶ୍ବର ସହରର ବିଭିନ୍ନ ବର୍ଗ ଓ ସଂମ୍ପ୍ରଦାୟର ପ୍ରତିନିଧିମାନେ ଯୋଗଦେଇଥିଲେ । ଗୋଷ୍ଠୀ ସଂଘର୍ଷର କାରଣ, ନିରାକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଗକୁ ଯେମିତି ଘଟଣାର ପୁନରାବୃତ୍ତି ନଘଟେ ସେନେଇ ସ୍ଥାନୀୟ ଲୋକେ ସଚେତନ ହେବା ସହିତ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରଖିବାକୁ ସର୍ବସମ୍ମତ୍ତିରେ ପ୍ରସ୍ତାବ ଗ୍ରହଣ କରାଯାଇଛି ।
୮ ବର୍ଷର ନାବାଳକକୁ ଟାଣିନେଲା କୁମ୍ଭୀର
ନନ୍ଦିଘୋଷ ବ୍ୟୁରୋ: ୮ ବର୍ଷର ନାବାଳକକୁ ଟାଣିନେଇ ମାରିଦେଲା କୁମ୍ଭୀର । ଅନୁଗୁଳ ସାତକୋଶିଆ ଗଣ୍ଡ ନିକଟ ଟିକରପଡା ଗାଁରେ ଘଟିଛି ଅଘଟଣ । ମୃତକ ଟିକରପଡା ଘାଟସାହିର ୮ ବର୍ଷର ସମୀର ନାଏକ । ମଧ୍ଯାହ୍ନରେ ମହାନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ସମୀରକୁ କୁମ୍ଭୀର ଟାଣି ନେଇଥିଲା । ପରେ ସ୍ଥାନୀୟ ଲୋକ ମୃତ ଅବସ୍ଥାରେ ତାକୁ ଉଦ୍ଧାର କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମୃତଦେହକୁ ଟିକରପଡା ରେଞ୍ଜ ଅଫିସ ଆଗରେ ରଖି ଗ୍ରାମବାସୀ ଧାରଣାରେ ବସିଛନ୍ତି ।
ନିଟ୍ ପ୍ରଶ୍ନ ପତ୍ର ଲିକ ଘଟଣା: ଗର୍ଜିଲା SFI ଛାତ୍ର ସଙ୍ଗଠନ
ଭୁବନେଶ୍ୱର: ନିଟ୍ ପରୀକ୍ଷାରେ ହୋଇଥିବା ପ୍ରଶ୍ନ ପତ୍ର ଲିକ ଘଟଣାକୁ କେନ୍ଦ୍ର କରି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛି SFI ଛାତ୍ର ସଙ୍ଗଠନ। ଭୁବନେଶ୍ୱରରେ ବିକ୍ଷୋଭ କରିବା ସହ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ନିଟ୍ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ ଘଟଣାରେ ସିବିଆଇ ବଦଳରେ ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇଟି ଗଠନ କରି ଯାଞ୍ଚ କରିବାକୁ ଦାବି ହୋଇଛି।
ନିଟ୍ ପ୍ରବେଶିକା ପରୀକ୍ଷାରେ ହୋଇଥିବା ପ୍ରଶ୍ନପତ୍ର ଜାଲିଆତି କେନ୍ଦ୍ର ସରକାରଙ୍କ ସବୁଠୁ ବଡ଼ ବିଫଳତା। ଏହାଦ୍ବାରା ହଜାର ହଜାର ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଏସଏଫଆଇ।
ସରିଲା ଶ୍ରଦ୍ଧାଳୁଙ୍କ ଅପେକ୍ଷା ଆଜିଠୁ ଆରମ୍ଭ ବାବା ଅମରନାଥଙ୍କ ର୍ତୀଥଯାତ୍ରା
ନନ୍ଦିଘୋଷ ବ୍ୟୁରୋ: ସରିଲା ଶ୍ରଦ୍ଧାଳୁଙ୍କ ଅପେକ୍ଷା ଆଜିଠାରୁ ଆରମ୍ଭ ହେଲା ବାବା ଅମରନାଥଙ୍କ ର୍ତୀଥଯାତ୍ରା। ଜାମ୍ମୁକାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳରେ ଅବସ୍ଥିତ ଅମରନାଥ ଗୁମ୍ଫା ମନ୍ଦିରକୁ ଏହି ବାର୍ଷିକ ତୀର୍ଥଯାତ୍ରା ଅଗଷ୍ଟ ୧୯ ପର୍ଯ୍ଯନ୍ତ ଚାଲିବ । ଶ୍ରୀନଗର ଠାରୁ ୧୪୧ କିଲୋମିଟର ଦୂରରେ ଥିବା ଏହି ମନ୍ଦିରକୁ ବାଲ୍ଟାଲ ଏବଂ ପହଲଗାମ ଦୁଇଟି ମାର୍ଗ ଦେଇ ଯାଇପାରିବେ ଶ୍ରଦ୍ଧାଳୁ । ଏହି ଯାତ୍ରା ଜାମ୍ମୁ କାଶ୍ମୀର ସରକାର ଏବଂ ଶ୍ରୀ ଅମରନାଥ ଜୀ ଶ୍ରୀକ୍ଷେତ୍ର ବୋର୍ଡଅମରନାଥ ମନ୍ଦିର ହିନ୍ଦୁମାନଙ୍କର ଅନ୍ୟତମ ପବିତ୍ର ମନ୍ଦିର ଭାବରେ ଜଣାଯାଏ।
ଏହି ମନ୍ଦିରରେ ୫୧ଟି ଶକ୍ତିପୀଠ ରହିଛି । ଏହି ସ୍ଥାନରେ ଭଗବାନ ଶିବ ଦେବୀ ପାର୍ବତୀଙ୍କୁ ଜୀବନ ଏବଂ ଅନନ୍ତତାର ରହସ୍ୟ କହିଥିଲେ ବୋଲି କିମ୍ବଦନ୍ତୀରେ ବର୍ଣ୍ଣନା କରାଯାଇଛି। ଏହି ମନ୍ଦିର ଅଧିକାଂଶ ବର୍ଷ ବରଫରେ ଆଚ୍ଛାଦିତ ହୋଇ ରହିଥାଏ ଏବଂ ପଡୁଥିବା ଟୋପା ଟୋପା ପାଣିବୁନ୍ଦାରୁ ଶିବଲିଙ୍ଗ ସୃଷ୍ଟି ହୁଏ। ଗ୍ରୀଷ୍ମ ଋତୁରେ ମନ୍ଦିରଟି ଖୁବ୍ କମ୍ ସମୟ ପାଇଁ ଖୋଲା ଯାଇଥାଏ । ୪୦ ମିଟର ଉଚ୍ଚତାରେ ଥିବା ଶିବଲିଙ୍ଗକୁ ଦେଖିବା ପାଇଁ ଭକ୍ତଙ୍କୁ ୩୫ରୁ ୪୮ କିଲୋମିଟର ଯିବାକୁ ପଡିଥାଏ, ଯେଉଁଥି ପାଇଁ ଯାତ୍ରାର ପ୍ରଥମ ଦିନରୁ ହିଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ।

