ଖୋର୍ଦ୍ଧା: ଖୋର୍ଦ୍ଧା ପୁବୁସାହି ପଞ୍ଚାୟତର ଜୟମଙ୍ଗଳ ଗାଁରେ ଅଭାବନୀୟ ଘଟଣା। ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନାରଣ ପ୍ରଧାନ ଓ ସରୋଜ ଜେନା। ଦୁଇ ଜଣ ଚାଷ କାମ ସାରି ବିଲରୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା। ପୋଲିସ୍ ଘଟଣାର ତଦନ୍ତ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ସରକାରୀ ସହାୟତା ପ୍ରଦାନ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।
ଉବୁଟୁବୁ ଜାତୀୟ ରାଜଧାନୀ ଦିଲ୍ଲୀ, ବର୍ଷା ନେଲାଣି ୧୧ ଜୀବନ
ନୂଆଦିଲ୍ଲୀ: ଉବୁଟୁବୁ ଜାତୀୟ ରାଜଧାନୀ ଦିଲ୍ଲୀ। ବର୍ଷା ନେଲାଣି ୧୧ ଜୀବନ। ଆଜି ମଧ୍ୟ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଶୁକ୍ରବାର ଦିନ ଦିଲ୍ଲୀରେ ରେକର୍ଡ ବର୍ଷା ହୋଇଥିଲା। ୨୨୮.୧ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ୧୯୩୬ ପରଠାରୁ ଗୋଟିଏ ଦିନରେ ଦିଲ୍ଲୀରେ ଜୁନ ମାସରେ ଏହା ରେକର୍ଡ ବର୍ଷା। ଦିଲ୍ଲୀରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଜି ଏବଂ ଆସନ୍ତାକାଲି ଦିଲ୍ଲୀରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବର୍ଷାରୁ ତଳିଆ ଅଂଚଳରେ ପାଣି ପଶି ଲୋକେ ହନ୍ତସନ୍ତ ହେଉଛନ୍ତି। ଏହାସହ ଦିଲ୍ଲୀରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି ।
କେବଳ ଦିଲ୍ଲୀ ନୁହଁ ଦେଶର ଉତ୍ତରାଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୂର୍ବ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ହରିୟାଣାରେ ମଧ୍ୟ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ଅନ୍ୟପଟେ ଦିଲ୍ଲୀର ବସନ୍ତ ବିହାରରେ କାନ୍ଥ ପଡ଼ି ୩ ଜଣଙ୍କ ମୃତ୍ଯୁ ହୋଇଥିବା ଖବର ଆସିଛି। ଦିଲ୍ଲୀରେ ବିଭିନ୍ନ ଅଂଚଳରେ ଜମିଥିବା ପାଣିକୁ ବାହାର କରିବାକୁ ୭୨ ସ୍ଥାୟୀ ୱାଟର ପମ୍ପ ପ୍ରସ୍ତୁତ ରଖାଯାଇଛି। ଏହାସହ ୪୬୫ ଅସ୍ଥାୟୀ ୱାଟର ପମ୍ପ ମଧ୍ୟ ପାଣି ନିଷ୍କାସନ କାର୍ଯ୍ୟରେ ଲାଗିଛି। ମେସିନ ସହ ପର୍ଯ୍ୟାପ୍ତ ପରିମାଣର ଲୋକଙ୍କୁ ପାଣି ନିଷ୍କାସନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଦିଲ୍ଲୀରେ ଚଳିତ ମୌସୁମୀରେ ପାଖାପାଖି ୬୫୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।
କେମିତି ବୁଡ଼ିଲା ଟି-୭୨ ଟ୍ୟାଙ୍କ୍ ?
ଲଦାଖ: ଲଦାଖରେ ସେନା T-27 ଟ୍ୟାଙ୍କ ବୁଡି ୫ ଯବାନ ସହିଦ ଘଟଣା। ଏହି ଘଟଣା ଶୁକ୍ରବାର ବିଳମ୍ୱିତ ରାତିରେ ଘଟିଛି । ଏହି ଘଟଣା ପରେ ଏବେ ପ୍ରଶ୍ନ ଉଠୁଛି ଶତ୍ରୁମାନଙ୍କ ଉପରେ ଗର୍ଜନ କରୁଥିବା T-27 ଟ୍ୟାଙ୍କଟି କିପରି ପାଣି ଭିତରକୁ ବୁଡିଯାଇଥିଲା ?
ପ୍ରତିଦିନ ସେନା ପକ୍ଷରୁ ଏକ ରୁଟିନ୍ ସେନାଭ୍ୟାସ କରାଯାଇଥାଏ । ଲେହଠାରୁ ୧୪୭ କିମି ଦୂରରେ ଥିବା ମୋଡ଼ ମନ୍ଦିର ନିକଟସ୍ତ ବୋଧି ନଦୀ ଦେଇ ଭାରତୀୟ ସେନା T-72 ଟ୍ୟାଙ୍କରେ ପାର ହେଉଥିଲେ । ଏହି ସମୟରେ ଅଚାନକ ଜଳସ୍ତର ବୃଦ୍ଧି ପାଇଥିଲା, ଫଳରେ ଏହି ଉଛୁଳା ପାଣିର ସ୍ରୋତରେ ଟ୍ୟାଙ୍କ ସହ ୫ ଜଣ ସେନା ଯବାନ ବୁଡି ଯାଇଥିଲେ। ଯବାନମାନେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ।
ରିପୋର୍ଟ ଅନୁଯାୟୀ, ବର୍ଷା ଯୋଗୁଁ ନଦୀରେ ହଠାତ୍ ଜଳସ୍ତର ବୃଦ୍ଧି ପାଇଥିଲା । ରାତି ହୋଇଥିବାରୁ ସେନା ଯବାନମାନେ ଅନ୍ଧାରରେ ଏହା ଜାଣିପାରିନଥିଲେ । T-72 ଟ୍ୟାଙ୍କରରେ ୫ ମିଟର ପର୍ଯ୍ୟନ୍ତ ନଦୀ ପାର ହେବାର କ୍ଷମତା ଅଛି ଅର୍ଥାତ୍ ୧୬. ୪ ଫୁଟ ଗଭୀରତାକୁ ପାର୍ ହେବାର କ୍ଷମତା ଟ୍ୟାଙ୍କରେ ରହିଛି । ଏହା ଏକ ଛୋଟ ବ୍ୟାସ SNORKEL ସାହାଯ୍ୟରେ ନଦୀ ପାର ହୋଇଥାଏ । ଯେତେବେଳେ ଟ୍ୟାଙ୍କରର ଇଞ୍ଜିନ ତଳେ ପାଣି ପଶିଯାଇ ଅଟକିଯାଏ, ସେତେବେଳେ ୬ ସେକେଣ୍ଡ ମଧ୍ୟରେ ଏହାକୁ କ୍ଲିୟର କରିବାକୁ ପଡିଥାଏ । ଯଦି ଏହା କରା ନଯାଏ, ତେବେ ଇଞ୍ଜିନରେ ଚାପ ପଡିଥାଏ । ଏହାପରେ ଇଞ୍ଜିନରେ ପାଣି ପ୍ରବେଶ କରିଥାଏ । ଏହାଦ୍ୱାର ଟ୍ୟାଙ୍କରଟି ବୁଡିଯାଇଥିବା କୁହାଯାଉଛି ।
ଟ୍ୟାଙ୍କର ବୁଡିବା ଘଟଣାରେ କେହି କେହି ପାଣିପାଗକୁ ମଧ୍ୟ ଦାୟୀ କରିଛନ୍ତି । ଭାରତୀୟ ସେନମାନେ ପ୍ରତ୍ୟେକ ଦିନ ଏପରି ବିପଦକୁ ସାମ୍ନା କରିଥାନ୍ତି ।
ଭୁବନେଶ୍ୱରରେ ମନୋଜ ଆହୁଜା, ଆଜିଠୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବେ
ଭୁବନେଶ୍ୱର : ଆଜି ସରିବ ମୁଖ୍ଯ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ଯକାଳ। ଆଜିଠୁ ଦାୟିତ୍ବ ଗ୍ରହଣ କରିବେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମନୋଜ ଆହୁଜା। ମୁଖ୍ୟ ଶାସନ ସଚିବ ଭାବରେ ନାମ ଘୋଷଣା ପରେ ଓଡ଼ିଶା ଫେରିଛନ୍ତି ମନୋଜ। ଆଜି ଅପରାହ୍ନରେ ନୂଆ ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ଵ ଗ୍ରହଣ କରିବେ ମନୋଜ ଆହୁଜା।
୧୯୯୦ ବ୍ୟାଚ ବରିଷ୍ଠ ଆଇଏଏସ ଅଫିସର ହେଉଛନ୍ତି ମନୋଜ ଆହୁଜା । ଖୋର୍ଦ୍ଧା ଜିଲ୍ଲାପାଳ ଭାବେ କ୍ଯାରିଅର ଆରମ୍ଭ କରିଥିଲେ ମନୋଜ ଆହୁଜା । ସେ କେନ୍ଦ୍ର କୃଷି ସଚିବ ଦାୟିତ୍ଵରେ ରହିଥିଲେ । ୨୦୧୭ରେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଲାଲ ବାହାଦୂର ଶାସ୍ତ୍ରୀ ଏକାଡେମୀର ସ୍ଵତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରିଥିଲେ । ୨୦୨୦ରେ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟରେ ସେ ସିବିଏସଇ ଅଧ୍ୟକ୍ଷ ଭାବେ ଦାୟିତ୍ଵରେ ରହିଥଲେ । ଏହାପରେ ୨୦୦୯ରେ ଖାଦ୍ୟ ଯୋଗାଣ ସଚିବ, ୨୦୧୦ରେ ଖଣି ଇସ୍ପାତ ବିଭାଗ ସଚିବ ହୋଇଥିଲେ । ୨୦୧୨ରେ କ୍ରୀଡ଼ା ଯୁବ ବ୍ଯାପାର ଓ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ବାଣିଜ୍ୟ କର କମିଶନର ଥିଲେ । ୨୦୧୫ରେ ସମବାୟ ବିଭାଗର ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ।
ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ଜଣେ ମୃତ
କେନ୍ଦୁଝର: ଘଟଗାଁ ବାଲିଯୋଡ଼ି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ଟ୍ରକ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ଅପସରା ବାବୁ। ଗତକାଲି ବିଳମ୍ବିତ ରାତିରେ ଆଇରନ ବୋଝେଇ ଟ୍ରକକୁ ଅନ୍ୟ ଏକ ଟ୍ରକ ଦୃତ ଗତିରେ ଆସି ଧକ୍କା ଦେଇଥିଲା।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଆମ୍ବୁୁଲାନ୍ସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ସ୍ୱାମୀର ଗୁଳିରେ ସ୍ତ୍ରୀର ମୃତ୍ୟୁ
କଳାହାଣ୍ଡି: କଳାହାଣ୍ଡି ଥୁଆମୁଳ ରାମପୁର ବ୍ଲକ ରଣପୁର ଗାଁରେ ଅଭାବନୀୟ ଘଟଣା। ସ୍ୱାମୀର ଗୁଳିରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ଝିଅର ଅବସ୍ଥା ସଙ୍କଟାପନ୍ନ ରହିଛି।
ସୂଚନା ଅନୁଯାୟୀ, ରଣପୁର ଗାଁର ବନ ମାଝୀଙ୍କ ଚାଷ ଜମିରେ ଧାନ ଚାଷ ନଷ୍ଟ କରିଥିଲେ ଗାଈ। ଏଥିରେ ବନ ମାଝୀ ରାଗି ଯାଇ ଦେଶୀ ବନ୍ଧୁକରେ ଗାଈଙ୍କୁ ଗୁଳି କରିବା ବେଳେ ତାଙ୍କ ସ୍ତ୍ରୀ ଜେମାଦେଇ ଏବଂ ଝିଅ ବିଦ୍ୟା ତାଙ୍କୁ ଅଟକାଇଥିଲେ। ହେଲେ ଏହି ସମୟରେ ଦେଶୀ ବନ୍ଧୁକର ଗୁଳି ଫୁଟିବାରୁ ତାଙ୍କ ସ୍ତ୍ରୀ ଏବଂ ଝିଅ ଦେହରେ ବାଜିଥିଲା। ଉଭୟଙ୍କୁ ପ୍ରଥମେ ଭବାନୀପାଟଣା ସହିଦ ରେଣ୍ଡୋମାଝୀ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ଜେମାଦେଇ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ, ଝିଅର ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ଵାମୀ ବନ ମାଝୀଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।
କ୍ରିକେଟ ପ୍ରେମୀଙ୍କୁ ବଡ଼ ଝଟକା: T-20 ଫର୍ମାଟରୁ ରୋହିତ ଓ ବିରାଟ କୋହଲିଙ୍କ ଅବସର ଘୋଷଣା
ନନ୍ଦିଘୋଷ ବ୍ୟୁରୋ: ବିଶ୍ୱକପ୍ ବିଜୟ ପରେ ଟି-ଟ୍ବେଣ୍ଟି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ବିରାଟ କୋହଲି ଓ ରୋହିତ ଶର୍ମା । ଫାଇନାଲ ମ୍ୟାଚ ଜିତିବା ପରେ ଉଭୟ ଖେଳାଳି ଏହି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏହା ମୋର ଶେଷ ବିଶ୍ୱକପ୍ ବୋଲି କିଙ୍ଗ୍ କୋହଲି କହିଥିବା ବେଳେ, ନୂଆ ଖେଳାଳିଙ୍କୁ ସୁଯୋଗ ଦେବାକୁ ଅବସର ନେଉଥିବା କହିଛନ୍ତି ଅଧିନାୟକ ରୋହିତ ଶର୍ମା । ସେ କହିଛନ୍ତି, ଟି-ଟ୍ବେଣ୍ଟିରୁ ନିଜ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ବେଳେ ପ୍ରତ୍ୟେକ ମୁହୂର୍ତ୍ତରେ ଏହାକୁ ଉପଭୋଗ କରିଛନ୍ତି । ଟି-ଟ୍ବେଣ୍ଟି ଫର୍ମାଟରେ ଦଳକୁ ଚାମ୍ପିଅନ କରିବା ପରେ ଏହା ଅବସରର ସଠିକ୍ ସମୟ ବୋଲି କହିଛନ୍ତି ରୋହିତ ।
ସେହିପରି ରନ୍ ମେସିନ କୁହାଯାଉଥିବା ବିରାଟ କୋହଲି ୨୦୧୦ ମସିହାରୁ ଟି-ଟ୍ବେଣ୍ଟି ଫର୍ମାଟରେ ଡେବ୍ୟୁ କରିଥିବା ବେଳେ, ଆଉ ପଛକୁ ଫେରି ଚାହିଁନାହାନ୍ତି । ଏହି ଫର୍ମାଟରେ କୋହଲି ୧୨୫ଟି ମ୍ୟାଚ ଖେଳି ୪ ହଜାର ୧୮୮ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୩୮ଟି ଅଦ୍ଧଶତକ ରହିଛି । ପୂର୍ବରୁ ଟି-ଟ୍ବେଣ୍ଟି ବିଶ୍ୱକପରେ ବିରାଟ ୨୦୧୪ ଏବଂ ୨୦୧୬ ସଂସ୍କରଣରେ ପ୍ଲେୟାର ଅଫ୍ ଦ ଟୂର୍ଣ୍ଣାମେଣ୍ଟ ପୁରସ୍କାର ମଧ୍ୟ ପାଇଛନ୍ତି।
ସେହିପରି ଅଧିନାୟକ ରୋହିତ ଶର୍ମା ଟି-ଟ୍ବେଣ୍ଟି ଫର୍ମାଟରେ ୧୫୯ଟି ମ୍ୟାଚ ଖେଳି ୧୪୦.୮୯ ଷ୍ଟ୍ରାଇକ ରେଟରେ ୪ ହଜାର ୨୩୧ ରନ୍ ସଂଗ୍ରହ କରିଛନ୍ତି । ଏଥି ମଧ୍ୟରେ ୫ଟି ଶତକ ୩୨ଟି ଅଦ୍ଧଶତକୀୟ ପାରି ମଧ୍ୟ ସାମିଲ୍ ରହିଛି ।
ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ଯରେ ପ୍ରବଳ ବର୍ଷା, ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ଯରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ସେହିପରି ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରକୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୨ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ପ୍ରବଳ ବର୍ଷା ଯୋଗୁ ତଳି ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି । ଏନେଇ ଏସଆରସି ସତର୍କତା ଜାରି କରିଛନ୍ତି ।
ଆସନ୍ତାକାଲିଠୁ ବର୍ଷାର ପରିମାଣ କମିଲେ ବି କିଛି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡିଶାରେ ହେବ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି । ଉପକୂଳରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୩ ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

