spot_img
Home Blog Page 1328

ବିଲକୁ ଯାଇ ଚାଷୀଙ୍କ ସହ ଆଲୋଚନା କରିବେ ନବୀନ

ଭୁବନେଶ୍ବର: ଅଦିନିଆ ବର୍ଷାରେ ଉଜୁଡି ଯାଇଛି ଚାଷ । ସାରା ରାଜ୍ୟରେ ଚାଷୀକୂଳ ହତାଶାରେ ଦିନ କାଟୁଛନ୍ତି । ଗୋଟିଏ ପଟେ ପରିବାର ପେଟକୁ ଦାନା ଦେବାର ଚିନ୍ତା । ଅନ୍ୟପଟେ ଚାଷ ପାଇଁ କରିଥିବା ଧାରକରଜ ଓ ଋଣ ଶୁଝିବା ଚିନ୍ତା । ଏମିତି ସ୍ଥିତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆତ୍ମହତ୍ୟା କରିବାର ଅଭିଯୋଗ ଆସିବାରେ ଲାଗିଛି । ହେଲେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିବା ଭଳି ମନେ ହେଉନି । ଅମଳ ହେବାକୁ ଥିବା ଫସଲ ବର୍ଷା ପାଣିରେ ଭାସୁଥିବା ବେଳେ ସରକାର ଚିନ୍ତିତ ଥିବା ପରି ଲାଗୁନାହାନ୍ତି । ଏମିତି ସ୍ଥିତିରେ ଚାଷୀଙ୍କ ପାଇଁ ଆଗକୁ ବାହାରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ବିଲକୁ ଯାଇ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବେ ନବୀନ । ଏହାସହ ସେ ଚାଷୀଙ୍କ ସହ ଆଲୋଚନା କରିବେ । ଆସନ୍ତା ଡିସେମ୍ବର ୩୦ ତାରିଖରେ ନବୀନ ଗଞ୍ଜାମ ଗସ୍ତରେ ଯିବେ । ଏହି ଦିନ ସେ ବିଲକୁ ଯାଇ କ୍ଷୟକ୍ଷତି ସମୀକ୍ଷା କରିବେ । ସେହିଠାରେ ଚାଷୀଙ୍କ ସହ ଆଲୋଚନା ମଧ୍ୟ କରିବେ ।

ଉକ୍ତ ଦିନ ନବୀନଙ୍କ କବିସୂର୍ଯ୍ୟନଗର, ଆସିକା ଓ ହିଞ୍ଜିଳିରେ କାର୍ଯ୍ୟକ୍ରମ ରହିଛି । ସେଠାରେ ସେ କ୍ଷୟକ୍ଷତିର ସମୀକ୍ଷା କରିବା ସହ ଚାଷୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି ।

ଏତେ ବଡ଼ ଗ୍ରୁପର ମାଲିକ ହୋଇ ମଧ୍ୟ କାହିଁକି ରତନ ଟାଟା ହୋଇପାରିନଥିଲେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ….

ନନ୍ଦିଘୋଷ ବ୍ୟୁରୋ: ଆଜି ହେଉଛି ରତନ ଟାଟାଙ୍କର ଜନ୍ମଦିନ | ସେ ୨୮ ଡିସେମ୍ବର ୧୯୩୭ ରେ ଜନ୍ମଗ୍ରହଣ କରିଥିଲେ।  ଇତିହାସର ପୃଷ୍ଠା ଓଲଟାଇେଲ ରତନ ଟାଟାଙ୍କ  କହାଣୀ ଅନେକଙ୍କୁ ମାର୍ଗଦର୍ଶନ ଦେଇଥାଏ । ରତନ ଟାଟା ୧୯୬୧  ମସିହାରେ ଟାଟା ଗ୍ରୁପ୍ ସହିତ ଆଇବିଏମ୍ ର ଚାକିରି ପ୍ରତ୍ୟାଖ୍ୟାନ କରିବା ପରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ | ଏବଂ ଏହି ଆରମ୍ଭ ଏପରି ଥିଲା ଯେ ଏହା ଟାଟା ଗ୍ରୁପକୁ ଦୁନିଆର ସବୁଠୁ ବଡ କମ୍ପାନୀ ଭାବରେ ପରିଣତ କଲା | ରତନ ଟାଟା ଏଥିପାଇଁ ଅନେକ ଖ୍ୟାତି ଅର୍ଜନ କରିଥିଲେ | ସେ କମ୍ପାନୀ ଏବଂ ଦେଶ ପାଇଁ ମଧ୍ୟ ଅନେକ ଧନ ଅର୍ଜନ କରିଥିଲେ, କିନ୍ତୁ ସେ କେଭବି ଭାରତର ଧନୀ ଶିଳ୍ପପତି ହୋଇପାରିଲେ ନାହିଁ। ବର୍ତ୍ତମାନ ଏଠାରେ ଉଠୁଥିବା ପ୍ରଶ୍ନ ହେଉଛି ଏହା କାହିଁକି? ଭାରତର ଅନ୍ୟତମ ମୂଲ୍ୟବାନ କମ୍ପାନୀର ମାଲିକ ରତନ ଟାଟା କାହିଁକି ଦେଶର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିନାହିଁନ୍ତି?

ଧନୀ ତାଲିକାରେ କାହିଁକି ପଛରେ ରହିଥିଲେ ରତନ ଟାଟା?

ରତନ ଟାଟାଙ୍କ ନାମରେ କୌଣସି ସମ୍ପତ୍ତି ନ ହେବାର ମୁଖ୍ୟ କାରଣ ହେଉଛି ସାମାଜିକ ସେବା ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବ | ଟାଟା ଗ୍ରୁପ୍ ର ଅଧିକାଂଶ ସମ୍ପତ୍ତି “ଟାଟା ସ୍ପନ୍ସ” ଦ୍ୱାରା ଧାରଣ କରାଯାଇଥାଏ, ଆଉ ଏହାର ଏକ ବଡ଼ ଅଂଶ “ଟାଟା ଟ୍ରଷ୍ଟ” କୁ ଦିଆଯାଏ, ଯାହା ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ଏବଂ ସାଂସ୍କୃତିକ ପ୍ରୋତ୍ସାହନ ଭଳି ଦାନକାରୀ କାର୍ଯ୍ୟ ଉପରେ ଧ୍ୟାନ ଦେଇଥାଏ | ଟାଟା ଟ୍ରଷ୍ଟର ଏହି ମଡେଲ୍ ସାମାଜିକ ସଂସ୍କାର କ୍ଷେତ୍ରରେ ଟାଟା ଗ୍ରୁପ୍ ର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ | ବ୍ୟକ୍ତିଗତ ଧନ ସୃଷ୍ଟି କରିବା ପରିବର୍ତ୍ତେ ରତନ ଟାଟା ସମାଜରେ ସ୍ଥାୟୀ ପରିବର୍ତ୍ତନ ଆଣିବା ଉପରେ ଧ୍ୟାନ ଦେଇଥାଲେ |

ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ପରି ଶିଳ୍ପପତି, ଯାହାର ସମ୍ପତ୍ତି ବ୍ୟକ୍ତିଗତ ଲାଭ ଉପରେ ଧ୍ୟାନ ଦେଇଥାଏ,  ଏବଂ ତାଲିକାରେ ତାଙ୍କ ନାମ ଧନୀ ତାଲିକାରେ ଶୀର୍ଷରେ ଅଛି | ଏଥି ସହିତ, ରତନ ଟାଟାଙ୍କର ଅଧିକାଂଶ ସମ୍ପତ୍ତି ଟାଟା ଟ୍ରଷ୍ଟ ପାଇଁ ଉତ୍ସର୍ଗୀକୃତ, ଯାହା ସିଧାସଳଖ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ ଗଣାଯାଏ ନାହିଁ | ଏହି କାରଣରୁ ସେମାନେ ପାରମ୍ପାରିକ ଧନୀ ମାନଙ୍କର ମାନ୍ୟତାରେ ଦେଖାଯାଆନ୍ତି ନାହିଁ | ଟାଟା ପରିବାର ସର୍ବଦା ସମାଜର କଲ୍ୟାଣ ଏବଂ ସମୃଦ୍ଧତାକୁ ପ୍ରାଧାନ୍ୟ ଦେଇଥାଏ | ରତନ ଟାଟାଙ୍କ ନେତୃତ୍ୱରେ ଏହି ସଂସ୍କୃତି ଅଧିକ ଶକ୍ତିଶାଳୀ ହେଲା | ତାଙ୍କର ନେତୃତ୍ୱ ଦକ୍ଷତା ଏବଂ ଦାନ ତାଙ୍କୁ ଭାରତ ଏବଂ ବିଶ୍ୱରେ ଏକ ଆଦର୍ଶ କରିପାରିଥିଲା ​​|

ଉଜୁଡ଼ିଲା ଚାଷ: ବିଲରେ ଟଳି ପଡ଼ିଲେ ଜଣେ ଚାଷୀ, ବିଷ ପିଇ ଦେଲେ ଆଉ ଜଣେ

ଯାଜପୁର/ପାଟକୁରା: ଅଦିନିଆ ବର୍ଷା ଭାଙ୍ଗି ଦେଇଛି ଚାଷୀଙ୍କ ମେରୁଦଣ୍ଡ । ଆଖି ଆଗରେ ନଷ୍ଟ ହୋଇଗଲା ଅମଳ ହେବାକୁ ବସିଥିବା ଫସଲ । ପରିବାର ଚଳାଇବା ସହ ଋଣ ଶୁଝିବା ଚିନ୍ତାରେ ଚାଷୀ । ଏପଟେ ତୁରନ୍ତ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସାହାରା ହେବାରେ ସରକାର ବିଫଳ । ଏମିତି ସ୍ଥିତିରେ ଶେଷ ପନ୍ଥା ଆପଣେଇ ନେଉଛନ୍ତି ଚାଷୀ । ଗତକାଲି ଜଣେ ଚାଷୀଙ୍କ ଜୀବନ ଯାଇଥିବା ବେଳେ ଆଜି ଆଉ ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ଉଜୁଡ଼ା କ୍ଷେତ ଦେଖି ସେହିଠି ଟଳି ପଡିଥିବା ବେଳେ ଆଉ ଜଣେ ବନ୍ଦ ଘରେ ବିଷ ପିଇ ଦେଇଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳରେ ଚାଷୀ ଆତ୍ମହତ୍ଯା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଡେରାବିଶ ଅଞ୍ଚଳ ବିଶକ ଗାଁର ଦୈତାରୀ ନାୟକ । ଘର ଭିତରେ କବାଟ କିଳି ଦୈତାରୀ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆଉ ମୃତ୍ୟୁର କାରଣ ସମାନ । ଦୈତାରୀ ଋଣ କରି ତିନି ଏକର ଜମିରେ ଧାନ ଭାଗ ଚାଷ କରିଥିଲେ । ହେଲେ ଅଦିନିଆ ବର୍ଷା ତାଙ୍କର ବର୍ଷକର ଅମଳକୁ ଉଜାଡି ଦେଇଥିଲା । ଫସଲ ହାନୀ ପରେ ଦୁଶ୍ଚିନ୍ତାରେ ଭାଙ୍ଗି ପଡ଼ିଥିଲେ ଦୈତାରୀ । ଦୈତାରୀଙ୍କ ମୃତ୍ୟୁ ପରେ ପରିବାର ଲୋକେ କ୍ଷତିପୂରଣ ଓ ଋଣ ବୋଝରୁ ମୁକ୍ତି ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ଦୈତାରୀଙ୍କ ପରିବାରକୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ସମବେଦନା ଜଣାଇବା ସହ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ।

ସେହିପରି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ମଣିତାପୁର ଗାଁରେ ଉଜୁଡା କ୍ଷେତ ଦେଖି ସେହିଠି ଟଳି ପଡିଲେ ଚାଷୀ । ଆଉ ଚାଲିଗଲା ପ୍ରାଣବାୟୁ । ମୃତକ ହେଲେ ମଣିରାମ ମହାନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ, ମଣିରାମ କୃଷି ଋଣ ସହ ବିଭିନ୍ନ ଜାଗାରୁ ଧାର କରଜ କରି ଚାଷ କରିଥିଲେ । ଅଦିନିଆ ବର୍ଷାରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗତକାଲି ମଣିରାମ ବିଲକୁ ତାଙ୍କ ଧାନ ଦେଖିବାକୁ ଯାଇଥିବା ବେଳେ ଚାଷର ଅବସ୍ଥା ଦେଖି ବିଚଳିତ ହୋଇଯାଇଥିଲେ । ଆଉ ସେହି ବିଲରେ ହିଁ ଟଳି ପଡ଼ିଥିଲେ । ଖବର ପାଇ ପରିବାର ଲୋକେ ତାଙ୍କୁ ଯାଜପୁର ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ଦୁଇ ଦିନ ହୋଇ ଯାଇଥିଲେ ମଧ୍ୟ ମୃତକଙ୍କ ପରିବାର ପାଖରେ ପ୍ରଶାସନ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗାଁରେ ଅସନ୍ତୋଷ ଦେଖା ଦେଇଛି । ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନଙ୍କ ବିୟୋଗରେ କାନ୍ଦୁଛି ପାକିସ୍ତାନର ଗାହ ଗ୍ରାମ

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗରେ ତ କାନ୍ଦୁଛି ଭାରତ । ସେପଟେ ମନମୋହନଙ୍କ ପୈତୃକ ଗ୍ରାମ ପାକିସ୍ତାନର ଗାହ ଗ୍ରାମରେ ଖେଳିଯାଇଛି ଶୋକର ଛାୟା । ଗାଁର ସନ୍ତାନଙ୍କ ବିୟୋଗରେ ଦୁଃଖରେ ମ୍ରିୟମାଣ ସାରା ଗାଁବାସୀ । ସେହି ଗାଁରେ ମନମୋହନ ଚତୁର୍ଥ ଶ୍ରେଣୀ ଯାଏଁ ପଢିଥିଲେ । ବାପା ଗୁରୁମୁଖ ସିଂ ଜଣେ ଲୁଗା ବ୍ଯବସାୟୀ ଥିଲେ । ମା ଅମରତ କୌର ଥିଲେ ଜଣେ ଗୃହିଣୀ । ମନମୋହନଙ୍କୁ ତାଙ୍କ ସାଂଗମାନେ ମୋହନ ବୋଲି ସମ୍ବୋଧନ କରୁଥିଲେ ।

ଗାହ ଗ୍ରାମ ପାକିସ୍ତାନ ରାଜଧାନୀ ଇସଲାମାବାଦଠାରୁ ୧୦୦ କିଲୋମିଟର ଦୂର ଏବଂ ଝେଲମ ଜିଲ୍ଲାର ଅନ୍ତର୍ଗତ । ବିଗତ ୨୦୦୮ରେ ସେହି ଗ୍ରାମର ରାଜା ଅସିକ ଅଲ୍ଲୀ ନାମକ ଜଣେ ବ୍ଯକ୍ତି ମନମୋହନଙ୍କୁ ଭେଟିବା ଲାଗି ଦିଲ୍ଲୀ ଆସିଥିବା ଜଣାଯାଇଛି । ବର୍ତ୍ତମାନ ବି ଗାହ ଗ୍ରାମରେ ମନମୋହନଙ୍କ ପରିବାର ବସବାସ କରୁଛନ୍ତି । ଗାଁସ୍କୁଲରେ ପଢୁଥିବାବେଳେ ତାଙ୍କ ଆଡମିଶନ ନମ୍ବର ଥିଲା ୧୮୭ । ପ୍ରବେଶ ତାରିଖ ଥିଲା ୧୭ ଏପ୍ରିଲ ୧୯୩୭ । ଚତୁର୍ଥ ଶ୍ରେଣୀ ସାରିବା ପରେ ସେ ଚକଓ୍ବାଲକୁ ଚାଲିଯାଇଥିଲେ । ବିଭାଜନ ପରେ ମନମୋହନଙ୍କ ପରିବାର ଅମୃତସର ଚାଲିଆସିଥିଲେ । ବଡ଼କଥା ହେଉଛି ଜୀବନକାଳ ମଧ୍ଯରେ ମନମୋହନ ନିଜ ଗାଁକୁ କେବେ ବି ଯାଇ ନଥିଲେ ।

ଶିଶୁପୁତ୍ରକୁ ୬୦ ହଜାରରେ ବିକି ବାଇକ୍ କିଣିଲା ବାପା

ମୟୁରଭଞ୍ଜ : ଶିଶୁପୁତ୍ରକୁ ୬୦ ହଜାରରେ ବିକି ବାଇକ୍ କିଣିଲା ବାପାବାପା ସାଜିଲା ସଇତାନ । ନିଜ ଖୁସୀ ପାଇଁ କିଛି ପଇସାରେ ବିକିଦେଲା ପୁଅକୁ । ସବୁ ବାପାଙ୍କ ପାଇଁ ପୁଅ ଆଶାବାଡି ସାଜିଥିବା ବେଳେ ଏ ବାପା ପାଇଁ ତା ପୁଅ ମୂଲ୍ୟହୀନ । ଆଜ୍ଞା ହଁ ନିଜର ମଉଜମଜଲିସ ପାଇଁ ବାପା ତା ଶିଶୁ ପୁତ୍ରକୁ ବିକିବାକୁ ପଛେଇଲା ନାହିଁ । ୬୦ହଜାରରେ ନିଜ ଶିଶୁପତ୍ରକୁ ବିକି ବାପା ଜଣକ ଏକ ବାଇକ କିଣିଛନ୍ତି ।  ଏଭଳି ଅଭାବନୀୟ ଘଟଣା ଘଟିଛି ବସ୍ତା ଥାନା ହଦମୌଦ ଗାଁରେ । ଶାନ୍ତି ବେହେରା ୩ ବର୍ଷ ପୂର୍ବେ ମୟୁରଭଂଜ ରାସଗୋବିନ୍ଦପୁର ପୋଡ଼ାପୋଡ଼ା ଗାଁର ଧର୍ମୁ ବେହେରାଙ୍କୁ ଦ୍ବିତୀୟ ବିବାହ କରିଥିଲେ। ପୂର୍ବରୁ ଶାନ୍ତିଙ୍କର ଏକ ଶିଶୁପୁତ୍ରଟିଏ ଥିବା ବେଳେ ଧର୍ମୁଙ୍କୁ ବିବାହ କରିବା ପରେ ଅନ୍ୟ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

ଶାନ୍ତି ଦ୍ବିତୀୟ ଥର ଗର୍ଭବତୀ ହୋଇ ପୁତ୍ର ସନ୍ତାନ ଜନ୍ମକଲେ। ହସ୍ପିଟାଲରୁ ଡ଼ିସଚ୍ଚାର୍ଜ ହେବାପରେ ଉଦଳା ସାଇଁକୁଳା ମାଣିଚଗାଁର ନିଃସନ୍ତାନ ଦମ୍ପତ୍ତିଙ୍କୁ ୬୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ସେହି ଟଙ୍କାରେ ଏକ ନୂଆ ବାଇକ କିଣିଥିଲେ। ଧର୍ମୁ ବାଇକରେ ନିଜ ଗାଁରେ ବୁଲାବୁଲି କରିବା ପରେ କଥା ପ୍ରଘଟ ହୋଇଥିଲା। ପରେ CWC ଟିମ୍ ହଦମୌଦ ଗାଁରେ ପହଞ୍ଚି ତଦନ୍ତ କରିଛି।

ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପଞ୍ଚଭୂତରେ ବିଲୀନ ହୋଇଛି ତାଙ୍କର ପାର୍ଥିବ ଶରୀର। ନୂଆଦିଲ୍ଲୀର ନିଗମବୋଧ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଛି। ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ଯାଦାରେ ତାଙ୍କର ଶେଷକୃତ୍ୟ କରାଯାଇଛି। ତିନି ସେନା ପକ୍ଷରୁ ଦିଆଯାଇଥିଲା ତୋପ ସଲାମି। ନିଗମବୋଧକୁ ଆସି ଶେଷ ଦର୍ଶନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି। ତିନି ସେନାର ସେନାଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ।

ଦେଶ ଏପରିକି ବିଦେଶର ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ତାଙ୍କର ଶେଷ ଦର୍ଶନ କରିଥିଲେ। ଆଜି ସକାଳେ ମନମୋହନ ସିଂହଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସଭବନରୁ ଦିଲ୍ଲୀ କଂଗ୍ରେସ ଅଫିସକୁ ନିଆଯାଇଥିଲା। ସେଠାରେ ଅନେକ ବିଶିଷ୍ଟ ବ୍ଯକ୍ତି ମନମୋହନଙ୍କ ଅନ୍ତିମ ଦର୍ଶନ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ପରେ ଏକ ଶୋଭାଯାତ୍ରାରେ ନିଗମବୋଧ ଘାଟକୁ ନିଆଯାଇଥିଲା। ସେଠାରେ ଦିଆଯାଇଥିଲା ତୋପ ସଲାମି। ସବୁ ମାନ୍ୟଗଣ୍ୟ ବ୍ୟକ୍ତି ଅନ୍ତିମ ଦର୍ଶନ କରିଥିଲେ। ତା ପରେ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।

ସାଇବର ଠକ ସହ ବିଲାତି କୁକୁରର ବାର୍ତ୍ତାଳପ, ଭିଡିଓ ଭାଇରାଲ …

ମୁମ୍ବାଇ: ବର୍ତ୍ତମାନ ଯୁଗରେ ସାଇବର ଠକେଇ ଏକ ଚିନ୍ତାର କାରଣ ପାଲଟିଛି । ସାଇବର୍‌ ଅପରାଧ ସାରା ଦେଶକୁ ଏବେ କବଳିତ କରି ରଖିଛି। ଆଖି ପିଛୁଳାକେ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି ସାଇବର୍‌ ଠକ । ସାମାନ୍ୟ ଅସାବଧାନତା ହେଉ ବା ସଚେତନତାର ଅଭାବ, ଝାଳବୁହା ପରିଶ୍ରମ କରି ଲୋକେ ରୋଜଗାର କରୁଥିବା ଅର୍ଥକୁ ଆଖି ପିଛୁଳାକେ ଲୁଟି ନେଉଛନ୍ତି ସାଇବର ଠକ ।  ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବା ପାଇଁ ମାୟାଜାଲ ବିଛାଉଛନ୍ତି ଠକ ।  ସେମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିଜ ମାୟାଜାଲରେ ନିଜେ ଫସିଯାଇଛି ସାଇବର ଠକ  । ଆଜ୍ଞା ହଁ ମୁମ୍ବାଇ ପୋଲିସର ପରିଚୟ ଦେଇ ଚେଷ୍ଟା କରୁଥିଲା ଲୁଟିବାକୁ ହେଲେ କୁକୁର ସହ ଗପି ବନିଗଲା ବୋକା ।  ବ୍ୟକ୍ତି ଜଣଙ୍କର ବୁଦ୍ଧିମତା ଯୋଗୁ ସେ ଠକ କବଳରୁ ମୁକ୍ତି ପାଇଛନ୍ତି ।

ମୁମ୍ବାଇରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଭିଡିଓରେ ଜଣେ ଠକ ନିଜକୁ ପୋଲିସ ଅଧିକାରୀ କହି ଭିଡିଓ କଲ କରିଥିଲେ । କିନ୍ତୁ ତାର ଯୋଜନା ଭଣ୍ଡୁର ହୋଇଗଲା କୁକୁରକୁ ଦେଖି । ବ୍ୟକ୍ତି ଜଣକ ଏମିତି କିଛି କଲେ ଯାହାକୁ ଦେଖି ଠକର ହୋସ ଉଡିଗଲା । ଶେଷରେ ଫଷାନ କାଟିବାକୁ ବାଧ୍ୟ ହେଲା । ବାସ୍ତବରେ ବ୍ୟକ୍ତି ଜଣକ ଏକ ଭିଡିଓ ସ୍କାମ କଲରେ ନିଜେ ନଆସି କୁକୁରକୁ ସାମ୍ନାରେ ବସାଇଥିଲେ । ଏବଂ ଏହି ମାଧ୍ୟମରେ ସେ ଠକ ସହିତ କଥାବାର୍ତ୍ତା କରିବା ଆରମ୍ଭ କଲେ । ବାରମ୍ବାର ସ୍କାମର ଜଣକ ତାଙ୍କୁ କ୍ୟାମେରା ସାମ୍ନାକୁ ଆସିବାକୁ ଅନୁରୋଧ କରୁଥିଲେ ମଧ୍ୟ ବ୍ୟକ୍ତି ଜଣକ ମଜାଳିଆ ଅନ୍ଦାଜରେ ନିଜ ନଆସି କୁକୁର ସହିତ କଥାବାର୍ତ୍ତା କରିବାକୁ ସ୍କାମରକୁ କହିଥିଲେ ।  ଶେଷରେ ସ୍କାମର ଜଣକ ନିଜ ହସକୁ ରୋକିନପାରି ଫୋନକୁ କାଟିଦେଇଥିଲେ ।

https://www.instagram.com/p/DDunffjBAZ5/?utm_source=ig_embed&utm_campaign=embed_video_watch_again

ଏହି ମଜେଦାର ଭିଡିଓ ଇନଷ୍ଟାଗ୍ରାମରେ ଘୁରି ବୁଲୁଛି । ଯାହାର କ୍ୟାପସନ ଲେଖାଯାଇଛି ମୁମ୍ବାଇ ପୋଲିସ ହେବାକୁ ଚେଷ୍ଟା କରୁଥିଲା କିନ୍ତୁ ପ୍ଲାନ ଫ୍ଲପ ହୋଇଗଲା । ଏହି ଭିଡିଓ ସୋସିଆଲ ମିଡିଆରେ ଲୋକପ୍ରିୟତା ସାଉଁଟିଛି ।

ମନମୋହନ ସିଂହଙ୍କ ସ୍ମୃତିରେ ହେବ ସମାଧିସ୍ଥଳ, ଖୁବଶୀଘ୍ର ସ୍ଥାନ ନିର୍ଦ୍ଧାରଣ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାଇଁ ନିର୍ମାଣ ହେବ ସ୍ମାରକସ୍ଥଳ । ଏନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ସ୍ମାରକସ୍ଥଳ ନିର୍ମାଣ ବିବାଦ ଭିତରେ କେନ୍ଦ୍ର ସରକାର ଏନେଇ ଘୋଷଣା କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଗୃହ ମନ୍ତ୍ରାଳୟ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମାରକୀ ସମ୍ପର୍କିତ ମାମଲାରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିଷ୍ପତ୍ତି ସମ୍ପର୍କରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ଡକ୍ଟର ମନମୋହନ ସିଂଙ୍କ ପରିବାରକୁ ଅବଗତ କରାଯାଇଛି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁଯାୟୀ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ଏକ ଚିଠି ଲେଖି ମନମୋହନ ସିଂହଙ୍କ ସ୍ମୃତିରେ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ କରାଯାଇ ସେଠାରେ ସ୍ମାରକସ୍ଥଳୀ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ। ସେ ଜଣେ ଉଚ୍ଚକୋଟୀର ନେତା ହୋଇଥିବାରୁ ତାଙ୍କ ରାଜନୈତିକ ମର୍ଯ୍ୟାଦା ଅନୁସାରେ ତାଙ୍କ ସ୍ମାରକୀ ନିର୍ମାଣ କରାଯାଇପାରୁଥିବା ସ୍ଥାନରେ ଅନ୍ତିମ ସଂସ୍କାର କରାଯାଉ ବୋଲି ଚିଠିରେ ଉଲ୍ଲେଖ କରିଥିଲେ ଖଡଗେ ।

ଏହି ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସର ମଧ୍ଯରେ ଚାଲିଥିଲା ବାକଯୁଦ୍ଧ । ଦେଶର ପ୍ରଥମ ଶିଖ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ର ଅପମାନିତ କରୁଛି ବୋଲି ଅଭିଯୋଗ କରିଥିଲେ କଂଗ୍ରେସ ନେତା ଜୟରାମ ରମେଶ । ପୂର୍ବରୁ ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଥିଲେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ  । ଶୁକ୍ରବାର ଅନୁଷ୍ଠିତ କ୍ଯାବିନେଟ ବୈଠକରେ ମନମୋହନଙ୍କ ପାଇଁ ଏକ ସ୍ମାରକୀ ସ୍ଥଳ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ଖଡଗେଙ୍କୁ ସୂଚନା ଦେଇଥିଲେ ଅମିତ ଶାହ । ତେବେ କଂଗ୍ରେସ ଏହି ବିଳମ୍ବକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛି ଏବଂ ଏହାକୁ ତାଙ୍କ ସମ୍ମାନରେ ଏକ ବଡ ଅପମାନ ବୋଲି କହିଛି ।

ଗୃହ ମନ୍ତ୍ରଣାଳୟ କହିଛି ଯେ କ୍ୟାବିନେଟ ବୈଠକ ପରେ କେନ୍ଦ୍ର ଗୃହମନ୍ତ୍ରୀ  ମଲ୍ଲିକାର୍ଜୁନ ଖଡଗେ ଏବଂ ମନମୋହନ ସିଂଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଛନ୍ତି ଯେ ସ୍ମାରକପତ୍ର ପାଇଁ ସରକାର ସ୍ଥାନ ଦେବେ। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ସ୍ମାରକୀ ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରାଯିବ ଏବଂ ଭବିଷ୍ୟତ ପିଢୀ ଏଥିରୁ ପ୍ରେରଣା ପାଇପାରିବେ ।  ଗତ ଗୁରୁବାର ବିଳମ୍ବିତ ରାତିରେ ଡକ୍ଟର ମନମୋହନ ସିଂଙ୍କର ଦେହାନ୍ତ ହୋଇଛି ଏବଂ ଗୃହ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ଶେଷ ରୀତିନୀତି ତଥା ଅନ୍ୟାନ୍ୟ ଆନୁଷ୍ଠାନିକତା ପରେ ସ୍ମାରକୀ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବ। ଡକ୍ଟର ମନମୋହନ ସିଂଙ୍କ ଅବଦାନ ଏବଂ ତାଙ୍କ ପ୍ରତି ସମ୍ମାନର ଭାବନାକୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟା ଆରମ୍ଭ ହେବ।

ପୁଣି ଦୁଇ ଦିନ ବର୍ଷିବ, ପ୍ରବଳ ଶୀତ ଏବଂ ଶୁଖିଲା ପାଗ ସହ ଇଂରାଜୀ ନବବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ

ଭୁବନେଶ୍ବର: ଦୁଇ ଦିନର ବିରତି ପରେ ପୁଣି ଦୁଇ ଦିନ ବର୍ଷିବ । ଏଥର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମାଝଡର ପ୍ରଭାବରେ ଆଜି ଓ କାଲି ବର୍ଷା ନେଇ ଆକଳନ କରାଯାଇଛି । ଆଜି ବରଗଡ଼, ବଲାଙ୍ଗୀର, ନୂଆପଡ଼ା,ଝାରସୁଗୁଡ଼ା, ସମ୍ବଲପୁର ଏବଂ ସୋନପୁର ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । କାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର,କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ବର୍ଷା ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବାକି ଅନେକ ଜିଲ୍ଲାରେ ଆକାଶ ମେଘୁଆ ରହିବ। ସେପଟେ ପ୍ରବଳ ଶୀତ ଏବଂ ଶୁଖିଲା ପାଗ ସହ ଇଂରାଜୀ ନବବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ । ଆସନ୍ତା ୩୦ ରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ରହିବ ପାଗ । ବିଗତ କିଛିଦିନ ହେବ ରାତିର ତାପମାତ୍ରା ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଆସନ୍ତା ୩ ଦିନ ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। କିନ୍ତୁ ୩ ଦିନ ପରେ ୨ ରୁ ୪ ଡିଗ୍ରୀ ତାପମାତ୍ରା କମିବ ଆଉ ଶୀତ ବଢିବ ।

ବିଶେଷକରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତର ପ୍ରଭାବ ଅଧିକ ରହିବ । ମେଘୁଆ ପାଗ ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ। ଏଥିପାଇଁ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ନବରଙ୍ଗପୁରରେ ଘନ କୁହୁଡ଼ି ଅନୁଭୁତ ହେବ। ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ କ୍ଷମତା ।

ପୁଣି ବାଂଲାଦେଶରେ ହିନ୍ଦୁ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶର ନୂଆ ମୁଖ୍ୟ ମହମ୍ମଦ ୟୁନୁସଙ୍କ ଆଗମନ ପରେ ମଧ୍ୟ ସେଠାରେ ହିନ୍ଦୁମାନଙ୍କ ଅବସ୍ଥାରେ କୌଣସି ସୁଧାର ଆସିନାହିଁ । ସେଠାରେ  ହିନ୍ଦୁ ସମ୍ପ୍ରଦାୟ ଦୀର୍ଘ ଦିନ ଧରି ଆକ୍ରମଣର ଶିକାର ହେଉଥିବାବେଳେ ହିନ୍ଦୁ ଧାର୍ମିକ ସ୍ଥାନଗୁଡିକୁ ମଧ୍ୟ ଟାର୍ଗେଟ କରାଯାଉଛି। ହିନ୍ଦୁ ନାରୀ ମାନଙ୍କୁ ଅତ୍ୟାଚାର କରାଯାଉଥିବା ବେଳେ ଦୁଷ୍କର୍ମର ଶିକାର ହେଉଛନ୍ତି । ତେବେ ଏହାରି ଭିତରେ ବାଂଲାଦେଶରେ ଜଣେ ହିନ୍ଦୁ ମହିଳାଙ୍କ ରହସ୍ୟମୟ ଭାବରେ ମୃତ୍ୟୁ ହୋଇଛି । କୁହାଯାଉଛି କି ସେ ଦୁଷ୍କର୍ମର ଶିକାର ହୋଇଥିଲେ ଯାହାଫଳରେ କି ଲଜ୍ଜା କାରଣରୁ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ।

ବାଂଲାଦେଶର ନେରୈଲ ଜିଲ୍ଲାର ୫୨ବର୍ଷୀୟ ବସନା ମଲିକ ରହସ୍ୟମୟ ଭାବରେ ମୃତ୍ୟୁବରଣ କରିଛନ୍ତି । ସୂଚନାନୁଯାୟୀ ତାଙ୍କୁ ବଳାତ୍କାର କରାଯାଇଥିଲା । ଏହା ପରେ ସେ ମୃତ୍ୟୁବରଣ କଲେ। ପରିବାର ସଦସ୍ୟ କହିଛନ୍ତି ଯେ ମହିଳାଙ୍କୁ ବଳାତ୍କାର କରାଯାଇଥିଲା ଯାହା ପରେ ମାନସିକ ଓ ଶାରୀରିକ ଭାବେ ବିଚଳିତ ହୋଇ ଶେଷରେ ଆତ୍ମହତ୍ୟା କରିଥିଲେ । ୨୪ ଡିସେମ୍ବରରେ ବସନା ତାଙ୍କ ଘରକୁ ଫେରିଥିଲେ ଏବଂ ସେହି ରାତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ପରଦିନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବସନା ମଲିକଙ୍କୁ ବଳାତ୍କାର କରାଯାଇଥିଲା। ଜଣେ ସ୍ଥାନୀୟ ଯୁବକ ଦାବି କରିଛନ୍ତି ଯେ ଗାଁ’ର କିଛି ଯୁବକ ତାଙ୍କୁ ଶାରୀରିକ ତଥା ମାନସିକ ନିର୍ଯ୍ୟାତନା ଦେଇଥିଲେ, ଏହା ପରେ ସେ ଚାପ ଏବଂ ଲଜ୍ଜା କାରଣରୁ ବିଷ ପିଇ ଆତ୍ମହତ୍ୟା କରିଥିଲେ। ବସନା ମଲିକଙ୍କ ପୁଅ ରିଙ୍କୁ ଅଭିଯୋଗ କରିଛନ୍ତି ଯେ ତାଙ୍କ ମାଆଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା। ସେ କହିଛନ୍ତି ଯେ ତାଙ୍କ ମାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା ଏବଂ ସେ ଏହି ଅପରାଧ ପାଇଁ ଦୋଷୀମାନଙ୍କୁ ଦଣ୍ଡିତ କରିବାକୁ ଚାହୁଁଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରିଙ୍କୁ ନ୍ୟାୟ ଦାବି କରିଥିଲେ। ପୋଷ୍ଟମର୍ଟମ ପରେ ବସନାଙ୍କ ମୃତଦେହ ତାଙ୍କ ଗାଁ ରେ  ଶବସଂସ୍କାର କରାଯାଇଥିଲା ।

ସଦର ପୋଲିସ ଷ୍ଟେସନ ଅଧିକାରୀ ସୋଜେଦୁଲ ଇସଲାମ ଏହି ଘଟଣାକୁ ରହସ୍ୟମୟ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି ବୋଲି ସେ ଦେଇଛନ୍ତି। ସେ କହିଥିଲେ ଯେ କିଛି ଗ୍ରାମବାସୀଙ୍କ ସହ କଥାବାର୍ତ୍ତା ହେବା ପରେ ଜାଣିବାକୁ ମିଳିଥିଲା ​​ଯେ ବସନା ଜଣେ ପୁରୁଷଙ୍କ ସହ ସମ୍ପର୍କ ରଖିଥିଲେ ଏବଂ ଏହା ଲୋକଲୋଚନକୁ ଆସିବା ପରେ ତାଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇଥିଲା । ଯାହାପରେ ସେ ବିଷ ପିଇଥିଲେ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

ଏହି ଘଟଣା ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ବଢୁଥିବା ହିଂସାର ଏକ ଉଦାହରଣ । ଶେଖ ହସିନାଙ୍କୁ ଗାଦିଚ୍ୟୁତ କରିବା ପରେ ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣ ତୀବ୍ର ହୋଇଛି। ଧାର୍ମିକ ସ୍ଥାନଗୁଡିକୁ ଟାର୍ଗେଟ କରାଯାଉଛି ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ମଧ୍ୟ ଆକ୍ରମଣ କରାଯାଉଛି। ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା ଏହି ହିଂସା ସରକାର ତଥା ମାନବାଧିକାର ସଂଗଠନ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି।