spot_img
Home Blog Page 1329

ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ, ଧାନ ମଣ୍ଡି ଅବ୍ୟବସ୍ଥା ପ୍ରତିବାଦରେ କଂଗ୍ରେସର ବନ୍ଦ ଡାକରା

ଭବାନୀପାଟଣା : ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବନ୍ଦ ପାଳନ କରୁଛି କଂଗ୍ରେସ। ଧାନ ମଣ୍ଡିରେ ଅବ୍ୟବସ୍ଥା ଓ କଟନୀ ଛଟନୀ ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି। ବନ୍ଦ ରହିଛି ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ। ସରକାରୀ ଓ ବେସରକାରୀ ଅଫିସ ବି ବନ୍ଦ ରହିଛି। ପିକେଟିଂ କରୁଛନ୍ତି କଂଗ୍ରେସ କର୍ମୀ। ବନ୍ଦ ଯୋଗୁଁ ବରଗଡ଼- ବରିଗୁମା ଜାତୀୟ ରାଜପଥ ୨୬ କୁ କେସିଙ୍ଗା ଓ ଉତ୍କେଲା ନିକଟରେ ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ।

ଭବାନୀ ପାଟଣା- ରାୟପୁର ରାସ୍ତାକୁ ମଧ୍ଯ ବୋର୍ଡ଼ା ଓ କର୍ଲାପଡା ନିକଟରେ ଅବରୋଧ କରିଛନ୍ତି। ରାସ୍ତା ଉପରେ ଧାନ ବସ୍ତା ରଖି ଅବରୋଧ କରାଯାଉଛି। ଏହା ଦ୍ଵାରା ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ମଣ୍ଡି ବ୍ୟବସ୍ଥାକୁ ସଜାଡ଼ିବା ସହିତ ତୁରନ୍ତ ଚାଷୀଙ୍କୁ ସବୁ ସୁବିଧା ଯୋଗାଇ ଦେବାକୁ ଦାବି କରିଛି କଂଗ୍ରେସ। ଯଦି ସମସ୍ୟାର ସମାଧାନ ନହୁଏ, ତାହେଲେ ଆଗକୁ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦିଆଯାଇଛି।

ଦିଲ୍ଲୀକୁ ସାହା ହେଲା ବର୍ଷା, ରାଜଧାନୀବାସୀଙ୍କୁ ପ୍ରଦୂଷଣରୁ ସାମାନ୍ୟ ଆଶ୍ବସ୍ତି

ନୂଆଦିଲ୍ଲୀ: ଦିଲ୍ଲୀକୁ ସାହା ହେଲା ବର୍ଷା । ବର୍ଷା ପାଇଁ ପ୍ରଦୂଷଣରୁ ସାମାନ୍ୟ ଆଶ୍ପସ୍ତି ଲାଭ କଲେ ରାଜଧାନୀବାସୀ । ଗତକିଛିଦିନ ଧରି ଦିଲ୍ଲୀର ଅବସ୍ଥା ସାଂଘାତିକ ଥିବା ବେଳେ ଅଦିନିଆ ବର୍ଷା ବାୟୁ ପ୍ରଦୂଷଣରୁ ଦିଲ୍ଲୀକୁ ମୁକ୍ତ କରିଛି । ବାୟୁ ପ୍ରଦୂଷଣ ଯୋଗୁ ଦିଲ୍ଲୀରେ ସ୍ଥିତି ଅଣାୟତ ଥିଲା ।  ଅସ୍ତବ୍ୟସ୍ତ ଥିଲା ଜନଜୀବନ । ଘରୁ ବାହାରିବାକୁ ମୁସ୍କିଲ ହୋଇ ପଡ଼ିଥିଲା । ନିଶ୍ବାସପ୍ରଶ୍ବାସରେ କଷ୍ଟ ଅନୁଭବ କରୁଥିଲେ ରାଜଧାନୀବାସୀ । ବାୟୁ ପ୍ରଦୂଷଣରେ ଚର୍ମ, ଆଖିରେ ଯନ୍ତ୍ରଣା ଅନୁଭବ କରୁଥିଲେ । ତେବେ ଦିଲ୍ଲୀରେ ଅଚାନକ ବର୍ଷା ପାଗରେ ପରିବର୍ତ୍ତନ ଆଣିଛି ।

ଗତ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀରେ ବର୍ଷା ହେତୁ ବାୟୁ ଗୁଣବତ୍ତା ଯଥେଷ୍ଟ ଉନ୍ନତ ହୋଇଛି। ଆଜି ସକାଳେ ଦିଲ୍ଲୀର ଦିଲଶାଦ ଗାର୍ଡେନର ବାୟୁ ଗୁଣବତ୍ତା AQI ୯୦ ରେକର୍ଡ କରାଯାଇଛି, ଯାହାକି ଭଲ ବାୟୁ ସ୍ଥିତିକୁ ଦର୍ଶାଉଛି । ଅଜୟ ନଗରରେ AQI ୧୧୫ ରେକର୍ଡ କରାଯାଇଛି । ଯେତେବେଳେ କି ପୁସା ରୋଡରେ AQI ୧୪୯ ରେକର୍ଡ କରାଯାଇଛି । ଏହା ବ୍ୟତୀତ ଦିଲ୍ଲୀର ଅନେକ କ୍ଷେତ୍ର ଅଛି ଯେଉଁଠାରେ AQI ୨୦୦ ତଳେ ଅଛି  । ତେବେ, ଦିଲ୍ଲୀରେ ବର୍ତ୍ତମାନର  AQI ୧୮୯ ରେକର୍ଡ କରାଯାଇଛି ।

ତେବେ ଦିଲ୍ଲୀର ଅନେକ କ୍ଷେତ୍ର ଅଛି ଯେଉଁଠାରେ ବାୟୁ ଗୁଣବତ୍ତା ଉନ୍ନତ ହୋଇଛି, କିନ୍ତୁ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI)ରେ ପରିବର୍ତ୍ତନ ହୋଇନି । ଉଦାହରଣ ସ୍ୱରୂପ, ଦିଲ୍ଲୀର ଆନନ୍ଦ ବିହାରରେ AQI ଶନିବାର ୨୫୨ ରେକର୍ଡ କରାଯାଇଥିଲା ` ଯାହାର ଅର୍ଥ ହେଉଛି ବାୟୁ ଗୁଣବତ୍ତା ଭଲ ନାହିଁ । ଏଥି ସହିତ, ବାୟୁ ସ୍ଥିତିର ଉନ୍ନତିକୁ ଦୃଷ୍ଟିରେ ରଖି ଦିଲ୍ଲୀ-ଏନସିଆରରେ GRAP 3  ନିୟମ ହଟାଯାଇଛି।

ଏହା ସହିତ ବିଦ୍ୟାଳୟଗୁଡ଼ିକ ଖୋଲିବ  । ତଥାପି, GRAP-2 ସମଗ୍ର ଦିଲ୍ଲୀ ଏନସିଆରରେ ଲାଗୁ ହେବ | ପାଣିପାଗ ବିଭାଗ ଅନୁଯାୟୀ ଶୁକ୍ରବାର ଦିନ ଦିଲ୍ଲୀରେ ବର୍ଷା ୧୫ବର୍ଷର ରେକର୍ଡ ଭାଙ୍ଗିଛି। ଦିଲ୍ଲୀର AQI ୧୮୯  ରେକର୍ଡ କରାଯାଇଛି, ଯାହା ବିପଜ୍ଜନକ ପରିସ୍ଥିତି ବାହାରେ । ଦିଲ୍ଲୀ-ଏନସିଆରରେ ହ୍ରାସ ହେଉଥିବା AQI କୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଗୁଣବତ୍ତା ଆୟୋଗ (CAQM) GRAP-3 ର ପ୍ରତିବନ୍ଧକ ହଟାଇ ଦେଇଛି  । ତଥାପି, GRAP-1 ଏବଂ GRAP-2 ନିୟମ ଦିଲ୍ଲୀ-ଏନସିଆରରେ ଲାଗୁ ହେବ  ।

କୋଇଲା ଟ୍ରକ ଓ ଚାଉଳ ଟ୍ରକ ମଧ୍ୟରେ ଧକ୍କା, ଡ୍ରାଇଭର ଓ ହେଲ୍ପର ଜୀବନ୍ତ ଦଗ୍ଧ

କଳାହାଣ୍ଡି: ହୁତୁ ହୁତୁ ହୋଇ ଜଳିଗଲା ଦୁଇଟି ଟ୍ରକ୍। ଡ୍ରାଇଭର ଓ ହେଲ୍ପର ଜୀବନ୍ତ ଦଗ୍ଧ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କଳାହାଣ୍ଡି କିଲ୍ଲା ସଦର ଥାନା ଅନ୍ତର୍ଗତ ପାଷ୍ଟିଗୁଡ଼ି ଗାଁ ନିକଟରେ । ଚାଉଳ ବୋଝେଇ ଟ୍ରକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ । ଦୁର୍ଘଟଣା ଫଳରେ ଟ୍ରକରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଯିବା ଫଳରେ ଟ୍ରକରେ ଥିବା ଡ୍ରାଇଭର ବାହାରକୁ ଆସିନପାରିବା ଫଳରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ନିଆଁ ଏତେ ପ୍ରଖର ଥିଲା ଯେ, ସେଠାରୁ ବାହାରକୁ ବାହାରିବା ସମ୍ଭବ ନଥିଲା । ଚାଉଳ ବୋଝେଇ ଟ୍ରକ ସହ କୋଇଲା ବୋଝେଇ ଟ୍ରକ ଧକ୍କା ହେବା ଫଳରେ ୨ଟି  ଗାଡ଼ିରେ ହଠାତ ନିଆଁ ଲାଗିଯାଇଥିଲା। କୋଇଲା ବୋଝେଇ ଟ୍ରକ ଡ୍ରାଇଭର ଓ ହେଲ୍ପର୍ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି।

ଫେବୃଆରୀ ୪ରେ କୋଣାର୍କ ମାଘ ସପ୍ତମୀ ମେଳା ଓ ଚନ୍ଦ୍ରଭାଗା ବୁଡ଼

ପୁରୀ: ଫେବୃଆରୀ ୪ ତାରିଖରେ ଅନୁଷ୍ଠିତ ହେବ କୋଣାର୍କ ମାଘ ସପ୍ତମୀ ମେଳା ଓ ଚନ୍ଦ୍ରଭାଗା ବୁଡ଼ । ଏଥିପାଇଁ କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ପୁରୀ ଉପଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ସ୍ଥାନୀୟ ତ୍ରିବେଣୀଶ୍ୱର, ଦଖିଣେଶ୍ୱର ଓ ଐଶାନେଶ୍ୱର ମହାପ୍ରଭୁ ତିନି ଠାକୁରଙ୍କୁ ତୀର୍ଥ ମଣ୍ଡପକୁ ନିଆଯିବ । ଠାକୁରଙ୍କ ମହାସ୍ନାନ ଓ ନୀତିକାନ୍ତି ପରେ ସାଧୁସନ୍ଥଙ୍କ ଦ୍ୱାରା ମହା ଆଳତୀ କରାଯାଇ ଶ୍ରଦ୍ଧାଳୁମାନଙ୍କୁ ବୁଡ ପାଇଁ ଅନୁମତି ଦିଆଯିବ ।

ର୍ପୌରାଣିକ ମତାନୁସାରେ ଏହା ସୂର୍ଯ୍ୟ ଭଗବାନଙ୍କ ଜନ୍ମଦିନ । ଏହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶାପ ଜନିତ ରୋଗରୁ ମୁକ୍ତ ହୋଇଥିଲେ । ତେଣୁ ବୁଡକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଏହି ବୈଠକରେ ହୋଇଛି ଆଲୋଚନା । ପୁରୀ ଉପଜିଲ୍ଲାପାଳଙ୍କ ସମେତ ପୁରୀ ଜିଲ୍ଲା ଅତିରିକ୍ତ ଏସପି ,ସ୍ଥାନୀୟ ଏନଏସି ଅଧ୍ୟକ୍ଷା, କାର୍ଯ୍ୟନିର୍ବାହୀ ଅଧିକାରୀ, ୩ ଠାକୁରଙ୍କ ସେବାୟତ ଓ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ଦେହାନ୍ତ

ନନ୍ଦିଘୋଷ ବ୍ୟୁରୋ:  ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ଦେହାନ୍ତ। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ଡିସେମ୍ବର ୨୫ ତାରିଖରେ ଲିମ୍ପୋମାରେ ତାଙ୍କର ପରଲୋକ ହୋଇଥିବା ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ୧୯୩୦ ମସିହା ଜାନୁଆରୀ ୩୦ ତାରିଖରେ ଜାପାନର ଗେରୋରେ ଜନ୍ମ ହୋଇଥିଲେ ଓସାମୁ । ତାଙ୍କ ପ୍ରକୃତ ନାଁ ଥିଲା ଓସାମୁ ମତସୁଦା। ୧୯୫୮ରେ ସେ ସୁଜୁକି ପରିବାରର ଝିଅଙ୍କୁ ବିବାହ କରିଥିଲେ। ସୁଜୁକିର ତତ୍‌କାଳୀନ ଅଧ୍ୟକ୍ଷ ଶୁଞ୍ଜୋ ସୁଜୁକିଙ୍କ ଝିଅଙ୍କୁ ସେ ବାହା ହୋଇଥିଲେ।

ତା’ପରେ ସେ ତାଙ୍କ ପତ୍ନୀଙ୍କ ପାରିବାରିକ ନାମ ‘ସୁଜୁକି’କୁ ଆପଣାଇ ନେଇଥିଲେ । ତାଙ୍କ ନାଁ ହୋଇଯାଇଥିଲା ଓସାମୁ ସୁଜୁକି। ତା’ ସହିତ ସେ ସୁଜୁକି ମୋଟର କମ୍ପାନୀରେ ଯୋଗ ଦେଇଥିଲେ। ୧୯୮୨ମସିହାରେ, ଯେତେବେଳେ ଭାରତୀୟ କାର ବଜାରରେ ପୁରୁଣା ମଡେଲଗୁଡିକ ପ୍ରାଧାନ୍ୟ ବିସ୍ତାର କରିଥିଲା, ସୁଜୁକି ଭାରତ ସରକାରଙ୍କ ସହଯୋଗରେ ମାରୁତି ଉଦ୍ୟୋଗ ଲିମିଟେଡ୍ ଆରମ୍ଭ କରିଥିଲା | ଏଭଳି ପରିସ୍ଥିତିରେ ସରକାର ଏବଂ ସୁଜୁକିଙ୍କ ଏହି ପଦକ୍ଷେପ ଯୋଗୁଁ ଲୋକମାନେ ସୁଲଭ ଏବଂ ଭଲ ମାଇଲେଜ୍ ଯାନ ପାଇଥିଲେ । ଯେତେବେଳେ ୧୯୮୩ରେ ମାରୁତି ୮୦୦ଲଞ୍ଚ କରାଯାଇଥିଲା, ଏହି ଗାଡିର ମୂଲ୍ୟ ୪୭ହଜାର ୫୦୦ ଟଙ୍କା ଥିଲା। ଏହି କାର ମଧ୍ୟବିତ୍ତ ପରିବାର ପାଇଁ ବହୁତ ଚମତ୍କାର ଥିଲା | ସେତେବେଳେ ସୁଜୁକି ମୋଟର ନିଗମର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକି ମଧ୍ୟ ଏହି ପ୍ରକଳ୍ପରେ ବ୍ୟକ୍ତିଗତ ଭାବରେ ଜଡିତ ଥିଲେ।

ଆଜି ପଞ୍ଚଭୂତରେ ଲୀନ ହେବ ଡକ୍ଟର ମନମୋହନ ସିଂହ ମରଶରୀର

ନୁଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ହେବ ଶେଷକୃତ୍ୟ। ସକାଳ ସାଢେ ୯ଟାରେ ଆରମ୍ଭ ହେବ ଶେଷ ଯାତ୍ରା । ପ୍ରଥମେ ମନମୋହନ ସିଂହଙ୍କ ବାସଭବନରୁ ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ଅଭିମୁଖେ ବାହାରିବ ପାର୍ଥିବ ଶରୀର । କଂଗ୍ରେସ ମୁଖ୍ୟାଳୟରେ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଦଳୀୟ ନେତା, କର୍ମୀ ଓ ସାଧାରଣ ଜନତା। ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ଯାଦାର ସହ ସମ୍ପନ୍ନ ହେବ। ସରକାରଙ୍କ ପକ୍ଷରୁ ଆଜି ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ରଦ୍ଦ କରିଦିଆଯାଇଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ପରଲୋକରେ କାନ୍ଦୁଛି ସାରା ଦେଶ। ଚାରିଆଡେ ଶୋକର ଛାୟା ଖେଳିଯାଇଛି । ସାତ ଦିନିଆ ଶୋକ ପାଳୁଛି ଦେଶ । ସବୁଠି ଜାତୀୟ ପତାକା ଅର୍ଦ୍ଧନମିତ । ବାତିଲ ହୋଇଛି ସମସ୍ତ ସରକାରୀ କାର୍ଯ୍ୟକ୍ରମ । ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ନେତା, ଜନତା ଓ ଦଳୀୟ କର୍ମୀ। ଦିଲ୍ଲୀ ମୋତିଲାଲ ନେହରୁ ମାର୍ଗ ସ୍ଥିତ ବାସଭବନରେ ମନମୋହନଙ୍କ ପାର୍ଥିକ ଶରୀରକୁ ଅନ୍ତିମ ଦର୍ଶନ ଲାଗି ରଖାଯାଇଛି । ଗତକାଲି ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡକ୍ଟର ମନମୋହନ ସିଂହଙ୍କ ବିୟୋଗ ଆମ ସମସ୍ତଙ୍କ ମନରେ ଗଭୀର ଆଘାତ ଲାଗିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଦେଶ ବିଭାଜନ ସମୟରେ ଭାରତକୁ ଆସି ଜୀବନର ସମସ୍ତ କ୍ଷେତ୍ରରେ ଉପଲବ୍ଧି ହାସଲ କରିବା ସହଜସାଧ୍ୟ କଥା ନୁହଁ । ଜଣେ ଶ୍ରେଷ୍ଠ ବ୍ଯକ୍ତିତ୍ଵ ଏବଂ ବିଦ୍ଵାନ ଅର୍ଥନୀତିଜ୍ଞ ଭାବେ ମନମୋହନଙ୍କୁ ଦେଶ ସର୍ବଦା ମନେ ପକାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ସାଂସଦ ପ୍ରିୟଙ୍କା ଗାନ୍ଧି, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ବାସଭବନକୁ ଆସି ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଲୋକସେବା ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଲୋକସେବା ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମନମୋହନ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରିଥିଲେ ମୁଖ୍ୟମନ୍ତ୍ରୀ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗ ସାରା ଦେଶ ପାଇଁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ସେ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ। ଅର୍ଥନୀତି କ୍ଷେତ୍ରରେ ସାରା ବିଶ୍ବରେ ସୁପରିଚିତ ଥିଲେ ମନମୋହନ ସିଂହ। ପ୍ରଧାନମନ୍ତ୍ରୀ ଭାବେ ଦେଶକୁ ସେ ବହୁତ୍ ଆଗକୁ ନେଇଯାଇଥିଲେ। ତାଙ୍କ ଶାନ୍ତ ସ୍ଵଭାବ ରାଜନୀତିରେ ତାଙ୍କୁ ସ୍ଵତନ୍ତ୍ର କରି ରଖିଥିଲା। ମହାପ୍ରଭୁ ତାଙ୍କର ଅମର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ମନ ମୋହନଙ୍କୁ ଝୁରୁଛି ଓଡ଼ିଶା, ଝିଅ ଦେଇ ଓଡ଼ିଶାରେ ବନ୍ଧୁ ବାନ୍ଧିଥିଲେ ମନମୋହନ

ନନ୍ଦିଘୋଷ ବ୍ୟୁରୋ: ଆଉ ନାହାନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ବରିଷ୍ଠ କଂଗ୍ରେସ ନେତା ଡକ୍ଟର ମନମୋହନ ସିଂ। ମନମୋହନଙ୍କ ବିୟୋଗରେ ପୁରା ଦେଶରେ ଶୋକର ଛାୟା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଓଡ଼ିଶା ସହ ଥିଲା ଘନିଷ୍ଠ ସମ୍ପର୍କ। ଝିଅ ଦେଇ ଓଡ଼ିଶାରେ ବନ୍ଧୁ ବାନ୍ଧିଥିଲେ ମନମୋହନ। କଟକର ପୁଅ ଆଇପିଏସ ଅଶୋକ ପଟ୍ଟନାୟକଙ୍କୁ ବିବାହ କରିଥିଲେ ମନମୋହନ ସିଂହଙ୍କ ଦ୍ବିତୀୟ ଝିଅ ଦାମନ ସିଂ। ମନମୋହନ ସିଂ ୨୦୧୨ରେ ଓଡ଼ିଶା ଗସ୍ତ ସମୟରେ ତାଙ୍କ ଧର୍ମପତ୍ନୀ ଗୁଣଶରଣ କୌର ଭୁବନେଶ୍ବର ସ୍ଥିତ ୟୁନିଟ-୩ ଖାରବେଳନଗରେ ଥିବା ସମୁଦୁଣୀଙ୍କ ଘରକୁ ଆସିଥିଲେ। ସେତେବେଳେ ମନମୋହନଙ୍କ ଓଡ଼ିଶାର ବନ୍ଧୁଘର କଥା ସାମ୍ନାକୁ ଆସିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ପରେ ତାଙ୍କ ସମୁଦୁଣୀଙ୍କ ଘର ଖାଁ ଖାଁ। ଓଡ଼ିଶା ସହ ମନମୋହନଙ୍କ ସମ୍ପର୍କକୁ ମନେ ପକାଇଛନ୍ତି ତାଙ୍କ ପ୍ରଧାନମନ୍ତ୍ରୀ ସମୟରେ ସମ୍ବଲପୁର ସାଂସଦ ଥିବା ଅମର ପ୍ରଧାନ। ମନମୋହନଙ୍କ ପରି ସରଳ ନେତା ଭାରତ ବର୍ଷରେ ଆଉ କେବେ ଜନ୍ମ ନେବେ ନାହିଁ ବୋଲି ସେ କହିଛନ୍ତି। ଅନ୍ୟ ନେତାମାନେ ମଧ୍ୟ ମନମୋହନଙ୍କ ଓଡ଼ିଶା ସ୍କୃତିକୁ ମନେପକାଇଛନ୍ତି।

ସେପଟେ କଂଗ୍ରେସ ଭବନରେ ବରିଷ୍ଠ କଂଗ୍ରେସ ନେତାମାନେ ଏକାଠି ହୋଇ ମନମୋହନ ସିଂହଙ୍କ ବିୟୋଗରେ ଶୋକ ସଭା କରିଛନ୍ତି। ଦୁଇ ଦୁଇ ଥରର ପ୍ରଧାନମନ୍ତ୍ରୀ କେତେ ସରଳ ଓ ସାଧାସିଧା, ଶୋକସଭାରେ ତାଙ୍କ ସହ କାମ କରିଥିବା ନେତା ମନମୋହନଙ୍କୁ ମନେପକାଇଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ଝୁରୁଛି ଦେଶ, ଆସନ୍ତାକାଲି ଶେଷକୃତ୍ୟ

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ପରଲୋକରେ କାନ୍ଧୁଛି ସାରା ଦେଶ। ଚାରିଆଡେ ଖେଳିଯାଇଛି ଶୋକର ଛାୟା। ସାତ ଦିନିଆ ଶୋକ ପାଳୁଛି ଦେଶ । ସବୁଠି ଜାତୀୟ ପତାକା ଅର୍ଦ୍ଧନମିତ। ଆଜି ବାତିଲ ହୋଇଛି ସମସ୍ତ ସରକାରୀ କାର୍ଯ୍ୟକ୍ରମ। ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ନେତା, ଜନତା ଓ ଦଳୀୟ କର୍ମୀ। ଦିଲ୍ଲୀ ମୋତିଲାଲ ନେହରୁ ମାର୍ଗ ସ୍ଥିତ ବାସଭବନରେ ମନମୋହନଙ୍କ ପାର୍ଥିକ ଶରୀରକୁ ଅନ୍ତିମ ଦର୍ଶନ ଲାଗି ରଖାଯାଇଛି। ମନମୋହନ ସିଂହଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଦୀର୍ଘ ଦିନଧରି ଅସୁସ୍ଥତାରୁ ଗୁରୁବାର ଦିଲ୍ଲୀ ଏମସରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଡକ୍ଟର ମନମୋହନ ସିଂହଙ୍କ ବିୟୋଗ ଆମ ସମସ୍ତଙ୍କ ମନରେ ଗଭୀର ଆଘାତ ଲାଗିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶ ବିଭାଜନ ସମୟରେ ଭାରତକୁ ଆସି ଜୀବନର ସମସ୍ତ କ୍ଷେତ୍ରରେ ଉପଲବ୍ଧି ହାସଲ କରିବା ସହଜସାଧ୍ୟ କଥା ନୁହଁ। ଜଣେ ଶ୍ରେଷ୍ଠ ବ୍ଯକ୍ତିତ୍ଵ ଏବଂ ବିଦ୍ଵାନ ଅର୍ଥନୀତିଜ୍ଞ ଭାବେ ମନମୋହନଙ୍କୁ ଦେଶ ସର୍ବଦା ମନେ ପକାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ସାଂସଦ ପ୍ରିୟଙ୍କା ଗାନ୍ଧି, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ବାସଭବନକୁ ଆସି ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଆସନ୍ତାକାଲି ହେବ ଶେଷକୃତ୍ୟ। ସକାଳ ସାଢେ ୯ଟାରେ ଆରମ୍ଭ ହେବ ଶେଷ ଯାତ୍ରା। ପ୍ରଥମେ ମନମୋହନ ସିଂହଙ୍କ ବାସଭବନରୁ ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ଅଭିମୁଖେ ବାହାରିବ ପାର୍ଥିବ ଶରୀର। କଂଗ୍ରେସ ମୁଖ୍ଯାଳୟରେ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଦଳୀୟ ନେତା, କର୍ମୀ ଓ ସାଧାରଣ ଜନତା। ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର କେଉଁଠାରେ କରାଯିବ ଏହାର ନିଷ୍ପତ୍ତି ନେବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଆମେରିକାରେ ଥିବା ତାଙ୍କର ଜଣେ ଝିଅ ଆସୁଛନ୍ତି। ସେ ଆସିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର କରାଯିବ। ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ଯାଦାର ସହ ସମ୍ପନ୍ନ ହେବ। ସରକାରଙ୍କ ପକ୍ଷରୁ ଆଜି ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ରଦ୍ଦ କରିଦିଆଯାଇଛି। ଆସନ୍ତାକାଲି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ।

ଚାଷୀଙ୍କ କାନ୍ଦ ସରକାରଙ୍କୁ ଶୁଭୁନି, ବିଜେଡି ଦେଲା ସ୍ମାରକପତ୍ର

ଭୁବନେଶ୍ୱର: ଅନ୍ନଦାତାଙ୍କ ଆଖିରେ ଲୁହ। ମେରୁଦଣ୍ଡ ଭାଙ୍ଗିଦେଇଛି ଅଦିନିଆ ବର୍ଷା। କ୍ଷେତରେ ଭାସୁଛି ବର୍ଷକର କଷ୍ଟ ଉପାର୍ଜିତ ସମ୍ପତ୍ତି। ଉଜୁଡ଼ା ଜମିକୁ ଦେଖି ବିକଳରେ କାନ୍ଦୁଛି ଚାଷୀ। ଅନେକ ଅଞ୍ଚଳରେ ଚାଷୀଙ୍କ ଜୀବନ ଗଲାଣି। ହେଲେ ସରକାର, ପ୍ରଶାସନ ଆଖିକାନ ବନ୍ଦ କରି ଚୁପ୍ ବସିଛନ୍ତି। ଚାଷୀଙ୍କ କ୍ରନ୍ଦନ ଯେପରି ତାଙ୍କ ନିକଟରେ ପହଞ୍ଚିପାରୁ ନାହିଁ । ତେଣୁ କଟକ ଜିଲ୍ଲା ବିଜେଡିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ଜିଲ୍ଲାପାଳଙ୍କୁ ଭେଟି ଦେଇଛନ୍ତି ସ୍ମାରକପତ୍ର। ଶୋଭାଯାତ୍ରାରେ ଆସି ସାଂସଦ ଦେବାଶିଷ ସାମନ୍ତରାୟ, ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା, ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓ ବିଧାୟକ ପ୍ରଶାନ୍ତ ବେହେରାଙ୍କ ସହ ଜିଲ୍ଲା ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଦସ୍ୟମାନେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ।

ଉଜୁଡ଼ା କ୍ଷେତକୁ ଦେଖି ଚାଷୀଙ୍କ ଜୀବନ ଯାଉଥିବା ବେଳେ ଏପର୍ଯ୍ଯନ୍ତ କୌଣସି ଅଧିକାରୀ ଚାଷୀଙ୍କ ନିକଟରେ ପହଞ୍ଚି ନାହାନ୍ତି। ଏବେ କହୁଛନ୍ତି, ୭୨ ଘଣ୍ଟା ମଧ୍ଯରେ ସବୁ ଆକଳନ ସରିବ। ବୀମାଧାରୀ ସେମାନଙ୍କର ପଞ୍ଜିକରଣ କରି ନେବେ। ତେବେ ଏହି ସମୟ ପର୍ଯ୍ୟାପ୍ତ ନୁହେଁ ବୋଲି କହିଛି ବିଜେଡି। ଅନ୍ଯ ପକ୍ଷରେ ବୀମା କରି ନଥିବା ଚାଷୀଙ୍କ ପାଇଁ ମଧ୍ଯ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି। ତେବେ ଆଜିଠୁ ଫିଲଡ୍ ଭିଜିଟ ଆରମ୍ଭ ହୋଇଛି। ବୀମାଧାରୀ ପଞ୍ଜିକରଣ କରିବାକୁ ଏକ ପ୍ରଚାର ରଥ ବୁଲୁଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ।

ଚାଷୀଙ୍କୁ ଅବହେଳା କଲେ ଆଗକୁ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।