ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁରରେ ଦୁଇ ଚାଷୀଙ୍କ ମୃତ୍ୟୁ ଅଭିଯୋଗ । ଚଳିତ ବର୍ଷ ଲଗାଣ ବର୍ଷାରେ ଧାନ କ୍ଷୟକ୍ଷତିକୁ ନେଇ ଗୋଟିଏ ପଞ୍ଚାୟତର ଦୁଇ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ରଣପୁରର ପ୍ରାୟ ୩୭ଟି ପଞ୍ଚାୟତର ଚାଷୀ ମାନଙ୍କର ଧାନ ଫସଲ ସହିତ ପନିପରିବା ଚାଷ କ୍ଷୟକ୍ଷତି ହୋଇଛି । ପ୍ରାୟ ୩୯୦୦ ହେକ୍ଟର ଧାନ ଫସଲରେ ଶତକଡା ୮୦ ରୁ ୯୦ ଭାଗ ନଷ୍ଟ ହୋଇଯାଇଛି । ଯାହାକୁ ନେଇ ରଣପୁର ବ୍ଳକ ବଳଭଦ୍ରପୁର ପଞ୍ଚାୟତ ବାସୁଦିଆ ଗାଁର ଦେବରାଜ ବାରିକଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ସେହିଭଳି ଅନ୍ୟ ଜଣେ ଚାଷୀ ଭଗବାନ ପ୍ରଧାନଙ୍କ ବ୍ରେନଷ୍ଟୋକ ହେବାରୁ ଭୁବନେଶ୍ୱରର ଏକ ହସ୍ପିଟାଲରେ ମୃତ୍ୟୁବରଣ କହିଛନ୍ତି । ଚାଷ କ୍ଷୟକ୍ଷତିକୁ ସହ୍ୟ କରିନପାରି ଏଭଳି ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଏସବିଆଇରେ ପୂରଣ ହେବ ୧୩,୭୩୫ଟି ଜୁନିୟର ଆସୋସିଏଟ ପଦବୀ
ନନ୍ଦିଘୋଷ ବ୍ୟୁରୋ: ବ୍ୟାଙ୍କିଂ କ୍ଷେତ୍ରରେ ନିଯୁକ୍ତି ପାଇବାକୁ ଲକ୍ଷ୍ୟ ରଖିଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ ତରଫରୁ କ୍ଲରିକାଲ କ୍ୟାଡରରେ ୧୩,୭୩୫ଟି ଜୁନିୟର ଆସୋସିଏଟ (କଷ୍ଟମର ସପୋର୍ଟ ଆଣ୍ଡ ସେଲ୍ସ) ପଦବୀ ପୂରଣ ହେବ । ଏହି ପଦବୀ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଜାନୁଆରୀ ୭ ଆବେଦନର ଅନ୍ତିମ ତାରିଖ ରହିଛି । ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ପ୍ରାର୍ଥୀମାନେ ଏହି ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇପାରିବେ ।
ଏହି ପଦବୀରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ଯେ କୌଣସି ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବା ଆବଶ୍ୟକ । ୨୦୨୪ ମସିହା ଏପ୍ରିଲ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୦ରୁ ୨୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ଓବିସି ପ୍ରାର୍ଥୀଙ୍କ କ୍ଷେତ୍ରରେ ୩ ବର୍ଷ ଓ ଏସସି / ଏସଟି ପ୍ରାର୍ଥୀଙ୍କ କ୍ଷେତ୍ରରେ ୫ ବର୍ଷ ବୟସ କୋହଳ କରାଯିବ ।
ପ୍ରାର୍ଥୀମାନେ ପ୍ରିଲିମିନାରୀ ପରୀକ୍ଷାରେ ୧୦୦ ମାର୍କ ଓ ମୁଖ୍ୟ ପରୀକ୍ଷାରେ ୨୦୦ ମାର୍କର ପରୀକ୍ଷା ଦେବେ । ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ପରୀକ୍ଷା କେନ୍ଦ୍ରମାନଙ୍କରେ ଏହି ପରୀକ୍ଷାର ଆୟୋଜନ କରାଯିବ । ଏହି ପଦବୀ ପାଇଁ ଚୟନ ହେବା ପରେ ପ୍ରାର୍ଥୀଙ୍କ ବେସିକ୍ ପେ ୨୬,୭୩୦ ଟଙ୍କାରୁ ଆରମ୍ଭ ହେବ । ଏହି ପଦବୀ ପାଇଁ ଆବେଦନ କରିବା ପାଇଁ General / OBC / EWS ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ ୭୫୦ ଟଙ୍କା ରହିଥିବା ବେଳେ SC/ ST / PwBD / XS / DXS ପ୍ରାର୍ଥୀଙ୍କ ପାଇଁ ଫିସ୍ ଛାଡ଼ କରାଯାଇଛି ।
ନୋଟିଫିକେସନ ଲିଙ୍କ: https://sbi.co.in/documents/77530/43947057/16122024_JA+2024+-Detailed+Advt.pdf/6b16e166-78df-2cc9-36a0-3680682d6434?t=1734354989415
ଆବେଦନ ଲିଙ୍କ: https://ibpsonline.ibps.in/sbidrjadec24
ବିନା ବିଜୁଳି ଓ ଗ୍ୟାସରେ ଗରମ ହେବ ପାଣି: ଶୀତରେ ଆପଣାନ୍ତୁ ସହଜ ତରିକା
ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନ ଥଣ୍ଡା ସିଜିନ ଚାଲିଥିବା ବେଳେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକମାନେ ନାନା ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି । ସାଧାରଣ ଭାବେ ଜାଡ଼ରୁ ରକ୍ଷା ପାଇବା ପାଇଁ ଲୋକମାନେ ଗରମ ଜିନିଷ ପ୍ରତି ଆକୃଷ୍ଟ ହୋଇଥାନ୍ତି । ଶୀତରେ ଅତ୍ୟଧିକ ଥଣ୍ଡା ପାଣିରେ ଗାଧୋଇବାର କଷ୍ଟ କେବଳ ଜଣେ ଭୁକ୍ତଭୋଗୀ ହିଁ କହିପାରିବେ । ତେବେ ଆପଣମାନେ ଯଦି ଏଥିପାଇଁ ଚିନ୍ତିତ ଅଛନ୍ତି, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ବିନା ବିଜୁଳି ଓ ଗ୍ୟାସରେ ଆପଣମାନେ ନିଜ ଘରେ ପାଣି ଗରମ କରିପାରିବେ ।
ଗରମ ପାଣି ପାଇଁ ଅଧିକାଂଶ ଘରମାନଙ୍କରେ ଗୀଜର ବ୍ୟବହାର କରାଯାଇଥାଏ । ମାତ୍ର ଗୀଜର ଚଲାଇବାକୁ ହେଲେ ବିଦ୍ୟୁତ ଓ ଗ୍ୟାସର ଆବଶ୍ୟକତା ପଡ଼ିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣମାନେ ସୋଲାର ଓ୍ବାଟର ହୀଟର ବ୍ୟବହାର କରିପାରିବେ । ଏହାକୁ ବ୍ୟବହାର କରି ଆପଣମାନେ ସହଜରେ ମାଗଣାରେ ପାଣି ଗରମ କରିପାରିବେ । ସୌର ରଶ୍ମି ଦ୍ବାରା ସୋଲାର ଓ୍ବାଟର ହୀଟର କାମ କରିଥାଏ । ଏଥିରେ ଆପଣଙ୍କୁ ବିଜୁଳି ଓ ଗ୍ୟାସ ଆଦିର ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । ସୋଲାର ଓ୍ବାଟର ହୀଟର ମୁଖ୍ୟତଃ ଦୁଇଟି କମ୍ପୋନେଟରେ କାମ କରିଥାଏ । ସେଥିରେ ଗୋଟିଏ ସୋଲାର କଲେକ୍ଟର ଓ ଅନ୍ୟଟି ଷ୍ଟୋରେଜ ଟ୍ୟାଙ୍କ ରହିଥାଏ । ସୋଲାର କଲେକ୍ଟର୍ସରେ ପ୍ୟାନେଲ୍ସ ବା ଟ୍ୟୁବ ରହିଥାଏ, ଯାହାକି ଲାଇଟକୁ ଗ୍ରହଣ କରିଥାଏ ଓ ତାହାକୁ ହିଟରେ ରୂପାନ୍ତରିତ କରିଥାଏ । ଏହାପରେ ପାଣିକୁ ଗରମ କରିଥାଏ ।
ସୋଲାର ଓ୍ବାଟର ହୀଟର ଭିତରେ ଷ୍ଟୋରେଜ ଟ୍ୟାଙ୍କ ପାଣିକୁ ଅଧିକ ସମୟ ପର୍ଯ୍ୟନ୍ତ ଗରମ ରଖିଥାଏ । ଏପରି ସ୍ଥିତିରେ ଆପଣମାନେ ଏହାକୁ ଯେ କୌଣସି ସମୟରେ ବ୍ୟବହାର କରିପାରିବେ । ଇଲେକ୍ଟ୍ରିକ ଗୀଜର ତୁଳନାରେ ସୋଲାର ଓ୍ବାଟର ହୀଟର ଦାମ୍ ଅଧିକ ହୋଇଥାଏ । ସୋଲାର ଓ୍ବାଟର ହୀଟରର ଦାମ୍ ୧୫ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ । ବଡ଼ ଘର ଓ ଏକାଧିକ ଓ୍ବାଶରୁମ ଥିବା ଲୋକମାନେ ସୋଲାର ଓ୍ବାଟର ହୀଟରର ଅଧିକ ଫାଇଦା ଉଠାଇ ପାରିବେ । ଏହା ମାଧ୍ୟମରେ ସମସ୍ତ ବାଥରୁମ ପର୍ଯ୍ୟନ୍ତ ଗରମ ପାଣି ପହଞ୍ଚି ପାରିଥାଏ ।
ବିଶ୍ବର ସବୁଠାରୁ ବଡ଼ ଟ୍ରାଫିକ୍ ଜାମ୍: ୧୨ ଦିନ ପର୍ଯ୍ୟନ୍ତ ଲାଗି ରହିଥିଲା ଭିଡ଼
ନନ୍ଦିଘୋଷ ବ୍ୟୁରୋ: ଆଜିକାଲି ବିଭିନ୍ନ ସହରମାନଙ୍କରେ ଟ୍ରାଫିକ୍ ଜାମ୍ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଭାରତରେ ଥିବା କିଛି ସହରର ଟ୍ରାଫିକ୍ ସମସ୍ୟା କଥା ନ କହିବା ଭଲ । ୨୦୨୩ର ଟମଟମ ଟ୍ରାଫିକ୍ ସୂଚକାଙ୍କ ଅନୁସାରେ, ଏସିଆର ସବୁଠାରୁ ଖରାପ ସ୍ଥାନର ଲିଷ୍ଟରେ ଭାରତର ଟେକ ହବ୍ ବେଙ୍ଗାଲୁରୁର ନାମ ସାମିଲ ରହିଛି । କେବଳ ୧୦ କିମି ଯାତ୍ରା କରିବାକୁ ଏହି ସହରର ଡ୍ରାଇଭରଙ୍କୁ ପାଖାପାଖି ୨୮ ମିନିଟ୍ ୧୦ ସେକେଣ୍ଡ ସମୟ ଲାଗି ଯାଇଥାଏ । ଅର୍ଥାତ ବେଙ୍ଗାଲୁରୁର ଲୋକମାନେ ପ୍ରତିବର୍ଷ ୧୩୨ ଘଣ୍ଟା ଟ୍ରାଫିକ ଜାମରେ ଫସିଥାନ୍ତି ।
ବେଙ୍ଗାଲୁରୁର ସଡ଼କ ଏସିଆର ସବୁଠାରୁ ଧିମା ସଡ଼କ ବୋଲି ରିପୋର୍ଟରେ କୁହାଯାଇଛି । ଏହି ସୂଚୀରେ ଭାରତର ଅନ୍ୟ ଏକ ସହର ପୁଣେ ମଧ୍ୟ ସାମିଲ ରହିଛି । ସେଠାରେ ୧୦ କିମି ଯାତ୍ରା କରିବାକୁ ପାଖାପାଖି ୨୭ ମିନିଟ ୫୦ ସେକେଣ୍ଡ ସମୟ ଲାଗିଯାଇଥାଏ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବର ସବୁଠାରୁ ଲମ୍ବା ଟ୍ରାଫିକ୍ ଜାମ ୨୦୧୦ରେ ବେଜିଂ-ତିବ୍ବତ ଏକ୍ସପ୍ରେସଓ୍ବେରେ ଦେଖିବାକୁ ମିଳିଥିଲା । ସେହି ସମୟରେ ଲୋକମାନେ ୧୨ ଦିନ ପର୍ଯ୍ୟନ୍ତ ଟ୍ରାଫିକ ଜାମରେ ଫସି ରହିଥିଲେ । ଟ୍ରାଫିକ୍ ଜାମକୁ ନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ।
ସାଧାରଣ ଭାବେ ଟ୍ରାଫିକ ଜାମରେ ଫସି ରହିଥିବା ଲୋକଙ୍କୁ ୧୦ ମିନିଟ୍ ସେତେ ଯେମିତି ୧୦ ଘଣ୍ଟା ପରି ଅନୁଭବ ହୋଇଥାଏ । ଏପରି ସ୍ଥିତିରେ ବେଜିଂ-ତିବ୍ବତ ଏକ୍ସପ୍ରେସଓ୍ବେର ଟ୍ରାଫିକ୍ ଜାମ୍ ସ୍ଥିତି କେତେ ଦୁର୍ଦ୍ଦଶାଜନକ ତାହା ଆପଣମାନେ ସହଜରେ ଅନୁମାନ କରିପାରୁଥିବେ । ୧୦୦ କିମିରୁ ଅଧିକ ଲମ୍ବା ବିଶିଷ୍ଟ ଉକ୍ତ ଟ୍ରାଫିକ ଜାମରେ ହଜାର ହଜାର ଯାନ ଅଟକି ରହିଥିଲା । ଏଭଳି ଏକ ଦୁର୍ଭାଗ୍ୟଜନକ ସ୍ଥିତି ପାଇଁ ଏକ ସପ୍ତାହରୁ ଅଧିକ ସମୟ ଧରି ଜନଜୀବନ ପୂରା ଠପ୍ ହୋଇଯାଇଥିଲା ।
ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ୧୮୫ ରନରେ ଅଲଆଉଟ୍
ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ଜାରି ରହିଛି । ୨-୧ରେ ଚଳିତ ସିରିଜରେ ପଛୁଆ ରହିଥିବା ଭାରତ ଅନ୍ତିମ ଟେଷ୍ଟରେ ରୋହିତ ଶର୍ମାଙ୍କ ବିନା ମୌଦାନକୁ ଓହ୍ଲାଇଥିଲା । ଯଶପ୍ରୀତ ବୁମ୍ରାଙ୍କ ନେତୃତ୍ବରେ ଭାରତ ଆଜି ପ୍ରଥମ ଦିନରେ ଦୁର୍ବଳ ବ୍ୟାଟିଂର ପ୍ରମାଣ ଦେଇଛି । ପ୍ରଥମ ଇନିଂସରେ ଦଳ ୭୨.୨ ଓଭରରେ ମାତ୍ର ୧୮୫ ରନରେ ଅଲଆଉଟ୍ ହୋଇଛି । ଋଷଭ ପନ୍ତ ଦଳ ପକ୍ଷରୁ ସର୍ବାଧିକ ୪୦ ରନ୍ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ୩୦ ଅଙ୍କ ଟପିପାରି ନଥିଲେ ।
ସିନିୟର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ମାତ୍ର ୧୭ ରନ୍ ସଂଗ୍ରହ କରି ପାଭିଲିୟନ ଫେରିଥିଲେ । ପୁଣି ଥରେ କୋହଲି ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ ନିରାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯଶସ୍ବୀ ଜୟସ୍ବାଲ ୧୦, କେଏଲ ରାହୁଲ ୪, ଶୁବମନ ଗିଲ ୨୦, ରବିନ୍ଦ୍ର ଜାଡ଼େଜା ୨୬ ରନ୍ ସଂଗ୍ରହ କରିଥିଲେ । ଦଳୀୟ ସ୍କୋର ୧୭ ହୋଇଥିବା ବେଳେ ଦଳ ରାହୁଲ ଓ ଯଶସ୍ବୀ ଦୁଇ ଓପନରଙ୍କୁ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କଙ୍ଗାରୁ ଟିମର ଶକ୍ତିଶାଳୀ ବୋଲିଂ ଆଟାକର ମୁକାବିଲା କରି ନପାରି ଭାରତ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଦେଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ସ୍କଲ ବୋଲାଣ୍ଡ ସର୍ବାଧିକ ୪ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ମିଚେଲ ଷ୍ଟାର୍କ ୩ଟି ଓ୍ବିକେଟ ନେଇ ଭାରତର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗିବାରେ ସଫଳ ହୋଇଥିଲେ ।
ମହାକାଶରୁ ମୋବାଇଲ ଫୋନରେ ସିଧାସଳଖ କଲିଂ କରିବା ସମ୍ଭବ ହେବ
ନନ୍ଦିଘୋଷ ବ୍ୟୁରୋ: ମହାକାଶ କ୍ଷେତ୍ରରେ ବୈଜ୍ଞାନିକମାନେ ଦିନକୁ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛନ୍ତି । ଚଳିତ ବର୍ଷ ଫେବୃଆରୀରେ ଇସ୍ରୋ ଆମେରିକୀୟ କମ୍ୟୁନିକେସନ ଉପଗ୍ରହ ଲଞ୍ଚ କରିବ । ଉକ୍ତ ଉପଗ୍ରହ ସହାୟତାରେ ଯେ କୌଣସି ମୋବାଇଲ ଫୋନରୁ ମହାକାଶରୁ ସିଧାସଳଖ କଲିଂ କରିହେବ । ପ୍ରଥମ ଥର ମହାକାଶରୁ ମୋବାଇଲ କଲିଂ କରିବା ସମ୍ଭବ ହେବ । ଏ କ୍ଷେତ୍ରରେ ଭାରତର ମହାକାଶ ସଂସ୍ଥା ଇସ୍ରୋର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ । ପ୍ରଥମ ଥର କୌଣସି ଆମେରିକୀୟ କମ୍ପାନୀ ଭାରତରେ ଏକ ବିଶାଳ କମ୍ୟୁନିକେସନ ସାଟେଲାଇଟ ଲଞ୍ଚ କରିବାକୁ ଯାଉଛି ।
୨୦୨୫ ବର୍ଷ ଇସ୍ରୋ ପାଇଁ ବହୁତ ଖାସ୍ ହେବାକୁ ଯାଉଛି । ଆଗାମୀ ୬ ମାସରେ ଇସ୍ରୋ ଗୋଟିଏ ପରେ ଗୋଟିଏ ବଡ଼ ମିଶନ ଲଞ୍ଚ କରିବ । ସେଥିମଧ୍ୟରୁ ଅଧିକ ଚର୍ଚ୍ଚାରେ ରହିଛି ଗଗନଯାନ ମିଶନ ଓ ଭାରତ-ଆମେରିକାର ସବୁଠାରୁ ମହଙ୍ଗା ସଂଯୁକ୍ତ ସାଟେଲାଇଟ୍ NISAR । ଏହି ମିଶନର ସଫଳତା ସ୍ବରୂପ ମହାକାଶରୁ ସିଧାସଳଖ କଲିଂ କରିବା ସମ୍ଭବ ହୋଇପାରିବ । କେବଳ ସେତିକି ନୁହେଁ, ଇଣ୍ଟରନେଟ ମଧ୍ୟ ଚଳାଇ ହେବ । ସବୁଠାରୁ ଖାସ୍ କଥା ହେଉଛି, ଏଥିପାଇଁ କୌଣସି ସ୍ପେଶାଲ ହ୍ୟାଣ୍ଡସେଟ ବା ଟର୍ମିନାଲର ଆବଶ୍ୟକତା ପଡ଼ିବ ନାହିଁ । ଏହା ସଂପୂର୍ଣ୍ଣ ଭାବେ କମର୍ସିଆଲ ଲଞ୍ଚ ହେବ, ଇସ୍ରୋର କମର୍ସିଆଲ ଓ୍ବିଙ୍ଗ ନ୍ୟୁ ସ୍ପେସ ଇଣ୍ଡିଅଆ ଲିମିଟେଡ (NSIL) ଏହାକୁ କାର୍ଯ୍ୟକାରୀ କରିବ ।
ଏହି ମିଶନ ଏକ ଖାସ୍ ଟେକନିକ୍ ଉପରେ ଆଧାରିତ ଅଟେ, ଯାହାକି ମୋବାଇଲ ଫୋନକୁ ସିଧାସଳଖ ସାଟେଲାଇଟ ସହ ଯୋଡ଼ିବାର କ୍ଷମତା ପ୍ରଦାନ କରିବ । ପ୍ରଥମ ଥର ପାଇଁ କୌଣସି ଆମେରିକୀୟ କମ୍ପାନୀ ଭାରତରେ ଏକ ବିଶାଳ କମ୍ୟୁନିକେସନ ସାଟେଲାଇଟ ଲଞ୍ଚ କରିବ । ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକୀୟ କମ୍ପାନୀମାନଙ୍କର ଛୋଟ ସାଟେଲାଇଟସ ଲଞ୍ଚ କରିଥିଲା । ଦୁନିଆର କୋଣ ଅନୁକୋଣରେ ମୋବାଇଲ ନେଟଓ୍ବର୍କ ଉପଲବ୍ଧ କରିବା ହେଉଛି ଏହି ଟେକନିକର ଉଦ୍ଦେଶ୍ୟ । ପାହାଡ଼, ଜଙ୍ଗଲ, ସମୁଦ୍ର ଆଦି ସବୁ ସ୍ଥାନମାନଙ୍କରେ ବିନା ଟାଓ୍ବାରରେ ବି କଲିଂ ଓ ଇଣ୍ଟରନେଟ ସେବା ମିଳିପାରିବ । ମୋବାଇଲ ନେଟଓ୍ବର୍କ କଭରେଜ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଅଞ୍ଚଳମାନଙ୍କରେ ଏହି ମିଶନ ଏକ କ୍ରାନ୍ତିକାରୀ ପ୍ରମାଣିତ ହେବ ବୋଲି କୁହାଯାଉଛି । ଏଥିସହିତ ଏହି ମିଶନ ଦ୍ବାରା ମୋବାଇଲ ନେଟଓ୍ବର୍କ କମ୍ପାନୀମାନଙ୍କର ଖର୍ଚ୍ଚ କମିବ, ଯାହାକି ଉପଭୋକ୍ତାଙ୍କୁ ଫାଇଦା ଦେବ । ଭୂକମ୍ପ, ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଭାବେ ମୋବାଇଲ ଟାଓ୍ବାର କାମ କରିନଥାଏ । ସେହି ସମୟରେ ମଧ୍ୟ ଏହି ଟେକନିକ ବହୁତ ଉପଯୋଗ୍ୟ ସାବ୍ୟସ୍ତ ହେବ ।

