spot_img
Home Blog Page 1243

କାେଚ୍ ପଦରୁ ହଟିବେ ଗୌତମ ଗମ୍ଭୀର, ଭିଭିଏସ୍ ଲକ୍ଷ୍ମଣ ନେବେ ଦାୟିତ୍ବ

ନନ୍ଦିଘୋଷ ବ୍ୟୁରୋ: ବିପଦରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଚେୟାର । ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପରେ ଗୌତମ ଗମ୍ଭୀରଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦରୁ ହଟାଇ ଦିଆଯାଇପାରେ । ରିପୋର୍ଟରେ ଦର୍ଶାଯାଇଛି ଯେ ଗୌତମ ଗମ୍ଭୀରଙ୍କ ସ୍ଥାନରେ ଦଳର କୋଚିଂ ଦାୟିତ୍ବ ଗ୍ରହଣ କରିବେ।  ଭିଭିଏସ୍ ଲକ୍ଷ୍ମଣ ଇଂଲଣ୍ଡ ଗସ୍ତରେ ଦଳର ମୁଖ୍ୟ ପ୍ରଶିକ୍ଷକ ହେବେ। ଖବର ଅନୁଯାୟୀ ଗୌତମ ଗମ୍ଭୀରଙ୍କୁ କେବଳ ଟେଷ୍ଟ ଦଳର କୋଚିଂରୁ ହଟାଇ ଦିଆଯିବ ଏବଂ ସେ ସୀମିତ ଓଭର ଫର୍ମାଟରେ ଦଳ ସହ ରହିବେ ।

ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଦଳରେ ଯୋଗଦେବା ପରଠାରୁ ବିବାଦ ଲାଗି ରହିଛି । ତାଙ୍କ କୋଚିଂ ଅଧୀନରେ ଦଳର ପ୍ରଦର୍ଶନ ଉନ୍ନତି ପରିବର୍ତ୍ତେ ଖରାପ ହୋଇଯାଇଛି । ପ୍ରଥମେ ତାଙ୍କ କୋଚିଂ ଅଧୀନରେ ଦଳ ଶ୍ରୀଲଙ୍କାକୁ ODI ସିରିଜ୍ ହାରିଲା । ଏହା ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜ ମାଟିରେ 0-3 ପରାଜୟ ବରଣ କରିଲା । ବର୍ତ୍ତମାନ ଭାରତ ଗାଭାସ୍କର ଟ୍ରଫି ମଧ୍ୟ ହାରିବାକୁ ଯାଉଛି । କେବଳ ଏତିକି ନୁହେଁ ଗୌତମ ଗମ୍ଭୀର ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ କିଛି  ଠିକ ନାହିଁ  । ଭଉୟଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହିଛି  । ଦୁଇଜଣଙ୍କ ଭିତରେ ମନମତାନ୍ତର ଯୋଗୁ ନିଷ୍ପତ୍ତି ଠିକ ଭାବରେ ନିଆଯାଇପାରେ ନାହିଁ । ଅନେକ ଖେଳାଳି ଗୌତମ ଗମ୍ଭୀରଙ୍କ କୋଚିଂ ଶୈଳୀକୁ ପସନ୍ଦ କରନ୍ତି ନାହିଁ, ଯାହାର ପ୍ରଭାବ ବର୍ତ୍ତମାନ ଗ୍ରାଉଣ୍ଡରେ ଦେଖିବାକୁ ମିଳୁଛି ।

ବିହାରରେ ନୀତୀଶ କୁମାରଙ୍କୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ନନ୍ଦିଘୋଷ ବ୍ୟୁରୋ: ବିହାରରେ ନୀତୀଶ କୁମାରଙ୍କୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ। ଏନଡିଏକୁ ଜେଡିୟୁର ସମର୍ଥନ ଜାରି ରହିବ ବୋଲି କହିଛନ୍ତି ଜେଡିୟୁ ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂ। ରାଜୀବ ଓରଫ ଲଲନ ସିଂ କହିଛନ୍ତି- ନୀତୀଶଙ୍କୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ସେଥିରେ ସତ୍ଯତା ନାହିଁ। ବିହାର ମୁଖ୍ଯମନ୍ତ୍ରୀ ନୀତୀଶ କୁମାରଙ୍କ ଲାଗି ମହାଗଠବନ୍ଧନର ଦ୍ବାର ଖୋଲା ରହିଛି ବୋଲି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ କହିବା ପରେ ରାଜ୍ଯ ଓ ଜାତୀୟ ରାଜନୀତିରେ ଜୋର ଧରିଥିଲା ଚର୍ଚ୍ଚା।

ନୀତୀଶଙ୍କୁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଖୋଲା ଅଫର ଦେବା ପରେ ଚର୍ଚ୍ଚା ଜୋର ଧରିଥିଲା। ୨୦୨୪ ନିର୍ବାଚନ ପୂର୍ବରୁ ମହାଗଠବନ୍ଧନ ଛାଡ଼ିଥିଲେ ନୀତୀଶ। ଲାଲୁଙ୍କ ଅଫର ପରେ ବିହାରରେ ବଢିଥିଲା ରାଜନୈତିକ ଚର୍ଚ୍ଚା। ଲାଲୁଙ୍କ ଅଫରକୁ କଂଗ୍ରେସ ବି କରିଥିଲା ସମର୍ଥନ। କଂଗ୍ରେସ କହିଥିଲା, ଗଡସେ ଚିନ୍ତାଧାରା ଛାଡ଼ି ଗାନ୍ଧି ଆଦର୍ଶକୁ ଆପଣେଇଲେ ନୀତୀଶଙ୍କୁ ସ୍ବାଗତ କରାଯିବ।

୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ହରିବାବୁ କମ୍ଭମପତି

ଭୁବନେଶ୍ବର: ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଲେ ହରିବାବୁ କମ୍ଭମପତି। ରାଜଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଅନୁଷ୍ଠିତ ହୋଇଥିଲା ଶପଥ ଗ୍ରହଣ ଉତ୍ସବ। ହରିବାବୁଙ୍କୁ ଶପଥପାଠ କରାଇଥିଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ଶପଥ ଗ୍ରହଣ ଉତ୍ସବ ପରେ ନୂଆ ରାଜ୍ୟପାଳଙ୍କୁ ଦିଆଯାଇଥିଲା ଗାର୍ଡ ଅଫ ଅନର।

ଶପଥଗ୍ରହଣ ଉତ୍ସବରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ବିଧାୟକମାନେ ଉପସ୍ଥିତ ଥିଲେ। ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ ହରିବାବୁ କମ୍ଭମପତି । ରଘୁବର ଦାସଙ୍କ ଇସ୍ତଫା ପରେ ହରିବାବୁ ହୋଇଛନ୍ତି ନୂଆ ରାଜ୍ଯପାଳ। ସେ ଆନ୍ଧ୍ରର ରାଜ୍ୟ ବିଜେପି ସଭାପତି ଥିଲେ । ଲୋକସଭାକୁ ବି ଥରେ ନିର୍ବାଚିତ ହୋଇଥିଲେ।

ଡାକ୍ତର ମୃତ ଘୋଷଣା କରିସାରିଥିଲେ, ଘରକୁ ମରଶରୀର ଯାଉଥିବା ବେଳେ ନେଲେ ପୁର୍ନଜନ୍ମ

ମହାରାଷ୍ଟ୍ର: ଖାଲ ଦେଲା ପୁର୍ନଜନ୍ମ । ଘଟଣାଟି ଅଜବ ଲାଗିଲେ ମଧ୍ୟ ସତ । ଏଭଳି ଏକ ଘଟଣା ମହାରାଷ୍ଟ୍ରର କୋହ୍ଲାପୁରରୁ ଆସିଛି । ଯାହାକୁ ନୂଆବର୍ଷର ଚମତ୍କାର ବୋଲି କୁହାଯାଉଛି । କୋହ୍ଲାପୁରର ଜଣେ ବୃଦ୍ଧ ପାଣ୍ଡୁରଙ୍ଗ ତାତ୍ୟା ଉଲପେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ଡାକ୍ତରମାନେ ତାଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରିଥିଲେ। ତେବେ ମୃତଶରୀରକୁ ଧରି ଆତ୍ମୀୟମାନେ ଆମ୍ବୁଲାନ୍ସ ଯୋଗେ ଘରକୁ ଫେରୁଥିବା ବେଳେ ବାଟରେ ଆମ୍ବୁଲାନ୍ସର ଚକା ଏକ ବଡ ଖାଲରେ ପଡିଯାଇଥିଲା । ଯାହାଫଳରେ ଆମ୍ବୁଲାନ୍ସରେ ବସିଥିବା ଲୋକଙ୍କୁ ଝଟକା ଲାଗିବା ସହିତ ହୋସ ମଧ୍ୟ ଉଡିଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିବା ପାଣ୍ଡୁରଙ୍ଗ ହଠାତ ହଲଚଲ ହେବା ଆରମ୍ଭ କରିଥିଲେ ଯାହାକୁ ଦେଖି ସେଠାରେ ବସିଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପାଣ୍ଡୁରଙ୍ଗଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ସୁସ୍ଥ ଘୋଷଣା କରିଥିଲେ। ଏହି ଘଟଣା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଭଳି ଚମତ୍କାର କିପରି ଘଟିଲା ସେ ବିଷୟରେ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୂଚନାନୁସାରେ, ଘଟଣାଟି କସବା ବାୱଡା ଅଞ୍ଚଳର । ୧୬ ଡିସେମ୍ବରରେ, ୬୫ବର୍ଷୀୟ ପାଣ୍ଡୁରଙ୍ଗ ଉଲପେ ସନ୍ଧ୍ୟାରେ ହଠାତ ମୁଣ୍ଡ ବୁଲାଇ ତଳେ ପଡିଗଲେ । ପରିବାର ଲୋକ ତାଙ୍କୁ ମେଡିକାଲ ନେଇଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ କହିବାନୁଯାୟୀ ତାଙ୍କ ହୃଦଘାତ ହୋଇଥିଲା ।  ଶେଷ ରୀତିନୀତି ପାଇଁ ପରିବାର ଲୋକ ପାଣ୍ଡୁରାଙ୍ଗ ଉଲପେଙ୍କ ଶରୀରକୁ ଘରକୁ ନେଇଥିଲେ । ଫେରିବା ସମୟରେ ଆମ୍ବୁଲାନ୍ସ କସବା ବାୱଡା ଅଞ୍ଚଳରେ ଏକ ସ୍ପିଡ ବେକରକୁ ଧକ୍କା ଦେଇଥିଲା ଏବଂ ଏହି ଧକ୍କା ହେତୁ ପାଣ୍ଡୁରାଙ୍ଗ ଟାଟିଆଙ୍କ ଆଙ୍ଗୁଠି ହଲିବାକୁ ଲାଗିଲା। ଶରୀରରେ ମଧ୍ୟ ହଲଚଲ ହୋଇଥିଲା । ତେଣୁ ତାଙ୍କୁ ପୁଣି ଡାକ୍ତରଖାନା ଅଣାଯାଇଥିଲା, ପରେ ଡାକ୍ତରମାନେ ସେଠାରେ ତାଙ୍କୁ ସୁସ୍ଥ ଘୋଷଣା କରିଥିଲେ ।

ପାଣ୍ଡୁରଙ୍ଗଙ୍କ ସମ୍ପର୍କୀୟଙ୍କ କହିବାନୁସାରେ ଆମେ ଶେଷ ରୀତିନୀତି ପାଇଁ ପ୍ରସ୍ତୁତି କରିଥିଲୁ । ଯେତେବେଳେ ଡାକ୍ତରମାନେ ପାଣ୍ଡୁରଙ୍ଗଙ୍କୁ ମୃତ ଘୋଷଣା କଲେ, ଆମେ ସମସ୍ତ ଡାକ୍ତରଖାନାର ଔପଚାରିକତା ଶେଷ କରି ଆମ୍ବୁଲାନ୍ସ ମାଧ୍ୟମରେ ଘରକୁ ଆଣୁଥିଲୁ । ତା’ପରେ ଆମ୍ବୁଲାନ୍ସ ରାସ୍ତାରେ ଏକ ଖାଲରେ ପଡିଯାଇଥିଲା ପରେ ଆମେ ଦେଖିଲୁ ପାଣ୍ଡୁରଙ୍ଗର ଆଙ୍ଗୁଠି ଏବଂ ଶରୀର ହଲଚଲ ହେଉଛି । ତାଙ୍କର ଶ୍ୱାସକ୍ରିୟା ଚାଲୁଛି । ଆମେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଗଲୁ। ସେ ଜୀବିତ ଥିବା ଡାକ୍ତରମାନେ କହିଥିଲେ। ଏହା ଜାଣି ଆମେ ସମସ୍ତେ ବହୁତ ଖୁସି ହୋଇଗଲୁ ଏବଂ ଆଶ୍ଚର୍ଯ୍ୟ ମଧ୍ୟ ହୋଇଗଲୁ  ।

ପୁଣି ଓଡିଶାକୁ ଆସିଲା ଗୁରପତୱନ୍ତ ସିଂ ପନୁନର ଧମକ

ଭୁବନେଶ୍ବର: ପୁଣି ଓଡିଶାକୁ ଆସିଲା ଗୁରପତୱନ୍ତ ସିଂ ପନୁର ଧମକ । ପ୍ରବାସୀ ଭାରତୀୟ ଦିବସ ବ୍ୟାଘାତ ପାଇଁ ଦେଇଛି ଧମକ । ଖଲିସ୍ଥାନୀ ଆତଙ୍କବାଦୀ ପନୁନ ମେଲ ଯୋଗେ ଦେଇଛି ଧମକ । ଜଣେ ସାମ୍ବାଦିକଙ୍କ ନିକଟକୁ ଆସିଛି ଧମକପୂର୍ଣ୍ଣ ଭିଡିଓ ମେଲ । ଆସନ୍ତା ୮ ତାରିଖରୁ ଭୁବନେଶ୍ୱରରେ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ବିମାନ ବନ୍ଦରରୁ ଜନତା ମୈଦାନ ପର୍ଯ୍ୟନ୍ତ ସତର୍କ ରହିବାକୁ ଧମକ ଦିଆଯାଇଛି ।

ଭିଭିଆଇପିଙ୍କ ଗସ୍ତ ବେଳେ ଅଘଟଣ ଘଟାଇବାକୁ ଧମକ ଦେଇଛି ପନୁନ। ପୂର୍ବରୁ ଡିଜିପି ସମ୍ମିଳନୀ ବେଳେ ମଧ୍ୟ ପନୁନ ଦେଇଥିଲା ଧମକ। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସମାନ ଢଙ୍ଗରେ ଆସିଥିଲା ମେଲ । ଓଡିଶା ପୋଲିସର କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ ଚାଲୁ ରଖିଥିବା ବେଳେ ପୁଣି ଆଉ ଏକ ମେଲ ପୋଲିସର ଚିନ୍ତା ବଢାଇଦେଇଛି ।

ସକାଳୁ ସକାଳୁ ହେଲା ଭୟଙ୍କର ଭୂମିକମ୍ପ, ଥରିଲା ଚିଲିର ଘରଦ୍ବାର

ନନ୍ଦିଘୋଷ ବ୍ୟୁରୋ: ଆଜି ସକାଳୁ ଦକ୍ଷିଣ ଆମେରିକୀୟ ଦେଶ ଚିଲିର କାଲାମା ନିକଟ ଆଣ୍ଟୋଫାଗାସ୍ତା ଅଞ୍ଚଳରେ ବଡଧରଣର ଭୂକମ୍ପ ଅନୁଭୂତ ହୋଇଛି । ଏହାର ତିବ୍ରତା ରିକ୍ଟର ସ୍କେଲରେ ୬.୨ରେକର୍ଡ କରାଯାଇଛି । ଏହି ଭୂକମ୍ପ ବିଷୟରେ ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ସୂଚନା ଦେଇଛି  ।  ଭୂକମ୍ପର କେନ୍ଦ୍ରସ୍ଥଳ ୮୪ କିଲୋମିଟର ଉତ୍ତର-ପଶ୍ଚିମ ଏବଂ ପୃଥିବୀ ପୃଷ୍ଠରୁ ୧୦୪ କିଲୋମିଟର ଗଭୀରରେ ଥିଲା। ତେବେ ଭୂକମ୍ପ ଯୋଗୁଁ ଚିଲିର ପ୍ରଭାବିତ ଅଞ୍ଚଳରେ କେତେ କ୍ଷୟକ୍ଷତି ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଚିଲିରେ ଭୂକମ୍ପ ଅନୁଭୂତ ହେଉଥିବା ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ୬.୧ମ୍ୟାଗ୍ନିଚ୍ୟୁଡର ଭୂକମ୍ପରେ  ପ୍ରତ୍ୟେକ ଘର କିପରି କମ୍ପିତ ହୋଇଛି ତାହା ସ୍ପଷ୍ଟ ଭାବରେ ଜଣାଯାଉଛି । ତେବେ ଏହି ଭିଡିଓ ଚିଲିର କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

https://twitter.com/i/status/1874931380901335284

ତେବେ ପୂର୍ବରୁ ମଧ୍ୟ ଚିଲିରେ ଭୂକମ୍ପ ଅନୁଭୂତ ହୋଇଛି ।  ଚିଲିରେ ଭାଲଡିଭିଆରେ ଘଟିଥିବା ଭୂକମ୍ପର ତୀବ୍ରତା ୯.୫ ରେକର୍ଡ କରାଯାଇଥିଲା। ଏହି ଭୂକମ୍ପରେ ୧୬୫୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦୦୦ ଲୋକ ଆହତ ହୋଇଥିଲେ । ୨୦୧୦ରେ ଚିଲିରେ ଭୂକମ୍ପରେ ୩୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହି ଶକ୍ତିଶାଳୀ ଭୂକମ୍ପ ୮.୮ ମ୍ୟାଗ୍ନିଚ୍ୟୁଡର ଥିଲା ।

ପୃଥିବୀ ଭିତରେ ଉପସ୍ଥିତ ଥିବା ଟେକ୍ଟୋନିକ୍ ପ୍ଲେଟ୍ ଧକ୍କା ହେଲେ ଭୂକମ୍ପରେ କମ୍ପନ ଅନୁଭୂତ ହୁଏ  । ସାତୋଟି ପ୍ଲେଟ୍ ପୃଥିବୀ ତଳେ କ୍ରମାଗତ ଭାବରେ ଘୂର୍ଣ୍ଣନ କରେ  । ଯେତେବେଳେ ଏହି ପ୍ଲେଟଗୁଡିକ କିଛି ସ୍ଥାନରେ ଧକ୍କା ହୁଏ, ସେଠାରେ ଏକ ତ୍ରୁଟି ରେଖା ଜୋନ୍ ସୃଷ୍ଟି ହୁଏ, ଯେଉଁ କାରଣରୁ ଭୂପୃଷ୍ଠର କୋଣଗୁଡ଼ିକ ବଙ୍କା ହୋଇଯାଏ  । ଏହା ଚାପ ସୃଷ୍ଟି କରେ ଏବଂ ପ୍ଲେଟଗୁଡିକ ଭାଙ୍ଗିବା ଆରମ୍ଭ କରେ । ଯେତେବେଳେ ପ୍ଲେଟଗୁଡିକ ଭାଙ୍ଗିଯାଏ, ଭିତରର ଶକ୍ତି ବାହାରକୁ ଆସିବାକୁ ଚେଷ୍ଟା କରେ, ଯେଉଁଥିପାଇଁ ପୃଥିବୀ କମ୍ପିବା ଆରମ୍ଭ କରେ ଏବଂ ଆମେ ଏହାକୁ ଏକ ଭୂମିକମ୍ପ କହିଥାଉ  ।

ଭୁବନେଶ୍ୱରରେ ଡବଲ ଡେକର ବସ: ବସରେ ଓଡ଼ିଶାର କଳା, ସଂସ୍କୃତିର ଝଲକ

ଭୁବନେଶ୍ବର: ଭୁବନେଶ୍ୱର ପହଞ୍ଚିଲା ଡବଲ ଡେକର ବସ୍ । ବସ୍‌ରେ ଓଡ଼ିଶାର କଳା, ସଂସ୍କୃତିର ଝଲକ ପ୍ରତିଫଳିତ ରହିଛି । ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବାକୁ ଆସିଥିବା ଅତିଥିମାନେ ଏହି ବସ୍‌ରେ ଯାତ୍ରା କରିବେ । କ୍ୟାପିଟାଲ ଅର୍ବାନ ରିଜିଅନ ଟ୍ରାନ୍ସପୋର୍ଟ ବା କ୍ରୁଟ ପକ୍ଷରୁ ଭୁବନେଶ୍ୱର-କଟକ-ପୁରୀରେ ଡବଲ ଡେକର ବସ୍ ଚଳାଇବାକୁ ଯୋଜନା ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ମୋଟ ୫ଟି ବସ୍ ଆସିବାକୁ ଥିବା ବେଳେ ୨ଟି ବସ୍ ଓଡ଼ିଶା ଆସିଛି ।

ବସ୍‌ର ଆଗ ଭାଗରେ ବଡ଼ କୋଣାର୍କ ଚକ୍ର ରହିଛି। ମଧ୍ଯରେ ଧଉଳି ଶାନ୍ତିସ୍ତୂପ, ଗୋଟିପୁଅ ନୃତ୍ୟ, ଓଡ଼ିଶୀ ନୃତ୍ୟ ରହିଛି । ସେହିପରି ବାଲିଯାତ୍ରା ପଡ଼ିଆ ଗେଟ୍‌ର ଫଟୋ ଏହି ବସ୍‌ରେ ରହିଛି । ସମସ୍ତ ଡବଲ ଡେକର ବସ୍ ବ୍ୟାଟେରୀ ଚାଳିତ। ଭୁବନେଶ୍ଵର ସମେତ କ୍ୟାପିଟାଲ ରିଜିଅନରେ ସହରୀକରଣ ବଢୁଛି । ପ୍ରତିଦିନ ପ୍ରାୟ ୨.୭୫ ଲକ୍ଷ ଲୋକେ ମୋ ବସ୍‌ରେ ଯାତ୍ରା କରୁଛନ୍ତି । ଆଗକୁ ଏହି ସଂଖ୍ୟା ଦୁଇ ଗୁଣା ବଢିବ । ଏହାକୁ ଦୃଷ୍ଟିରେ ରଖି ଡବଲ ଡେକର ମୋ ବସ୍ ଆଣିବାକୁ କ୍ରୁଟ ପକ୍ଷରୁ ଯୋଜନା କରାଯାଇଥିଲା। ପୂର୍ବରୁ ଅଧିକାରୀମାନେ ପୁରୀ ବୁଲି ଏହାର ସମୀକ୍ଷା କରିଥିଲେ। ଜଗନ୍ନାଥ ଦର୍ଶନାଭିଳାଷୀଙ୍କ ପାଇଁ ଏହି ସୁବିଧା ଆରମ୍ଭ ହେବ। ଏନେଇ ଖୁବ୍‌ଶୀଘ୍ର ଏକ ଡିପୋ ନିର୍ମାଣ ହେବ । ଆସନ୍ତା ୬ ତାରିଖରେ ବସକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ବସରେ ମୋଟ୍ ୬୭ ଜଣ ଯାତ୍ରୀ ବସିବାର କ୍ଷମତା ରହିଛି।

ସନ୍ଧ୍ୟା ଥିଏଟର ଦଳାଚକଟା : ଅଲ୍ଲୁଙ୍କ ଜାମିନ ଆବେଦନର ଆଜି ଶୁଣାଣି

ନନ୍ଦିଘୋଷ ବ୍ୟୁରୋ: ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲା । ପୁଷ୍ପା-୨ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଜାମିନ ଆବେଦନର ଆଜି ଶୁଣାଣି କରିବେ ହାଇଦ୍ରାବାଦର ଏକ କୋର୍ଟ । ଗତ ଡିସେମ୍ବର ୨୯ରେ ମାମଲାର ଶୁଣାଣି କରି ଜାନୁଆରୀ ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ଲାଗି କୋର୍ଟ ନିଷ୍ପତ୍ତି ନେଇଥିଲେ । ଉଭୟ ପୋଲିସ ଓ ଅଲ୍ଲୁ ଅର୍ଜୁନଙ୍କ ପିଟିସନର ଶୁଣାଣି କରିବେ ଦ୍ବିତୀୟ ଅତିରିକ୍ତ ମେଟ୍ରୋପଲିଟାନ ଦୌରଜଜ । ଦଳାଚକଟା ମାମଲାରେ ଅଭିଯୁକ୍ତ ନମ୍ବର ୧୧ ହେଉଛନ୍ତି ଅଲ୍ଲୁ ଅର୍ଜୁନ । ତାଙ୍କ ପକ୍ଷରୁ ଓକିଲ ନିୟମିତ ଜାମିନ ଲାଗି ପିଟିସନ ଦାୟର କରିଛନ୍ତି ।

ଗତ ଡିସେମ୍ବର ୨୭ରେ ନାମପଲ୍ଲୀ କୋର୍ଟ ନିକଟରେ ଭର୍ଚୁଆଲରେ ହାଜର ହୋଇଥିଲେ । ଅଲ୍ଲୁ ଅର୍ଜୁନ ଟିମ ପକ୍ଷରୁ ବେଲ ପିଟିସନ ଦାୟର ହୋଇଥିବାବେଳେ ପୋଲିସ ପକ୍ଷରୁ ବେଲ୍ ବିରୋଧରେ କାଉଣ୍ଟର ପିଟିସନ ଦାୟର ହୋଇଛି । ଗତ ଡିସେମ୍ବର ୪ରେ ପୁଷ୍ପା-୨ର ପ୍ରିମିୟର ସନ୍ଧ୍ଯା ଥିଏଟରରେ ହୋଇଥିବାବେଳେ ଦଳାଚକଟା ଘଟିବାରୁ ପ୍ରାଣ ହରାଇଥିଲେ ୩୫ ବର୍ଷ ବୟସ୍କା ମହିଳା । ଆହତ ହୋଇଥିଲେ ତାଙ୍କର ୮ ବର୍ଷ ସନ୍ତାନ । ଦଳାଚକଟା ଘଟଣା ପରେ ଚକ୍କଡପଲ୍ଲୀ ପୋଲିସ ଅଲ୍ଲୁ ଅର୍ଜୁନ, ସନ୍ଧ୍ୟା ଥିଏଟରର ମ୍ଯାନେଜମେଣ୍ଟ ବିରୋଧରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଗତ ଡିସେମ୍ବର ୧୩ରେ ଗିରଫ ହୋଇଥିଲେ ଅଲୁ । ତେଲଙ୍ଗାନା ହାଇକୋର୍ଟଙ୍କ ପକ୍ଷରୁ ତାଙ୍କୁ ମିଳିଥିଲା ଅନ୍ତରୀଣ ଜାମିନ ।

ଆଜିଠାରୁ ପୁନର୍ବାର ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ପୁରୀ: ଆଜିଠାରୁ ପୁନର୍ବାର ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ରତ୍ନ ଭଣ୍ଡାର ଭିତରେ ୨୦ ଫୁଟ ଉଚ୍ଚର ଲୁହା ଭାରା ବନ୍ଧାଯାଇ ଡିପ୍ଲାଷ୍ଟରିଂ ବା ଚୂନ ଛଡ଼ାଇବା କାର୍ଯ୍ୟ କରାଯାଇଥିଲା। ଅଧିକାଂଶ ଡି ପ୍ଲାଷ୍ଟରିଙ୍ଗ କାର୍ଯ୍ୟ ସରିଛି। ଆଜିଠାରୁ ପଥର ମରାମତି କାର୍ଯ୍ୟ ଆରମ୍ଭ ହେବ। ଆବଶ୍ୟକ ସ୍ଥଳେ ଫାଟ ଥିବା ପଥରଗୁଡ଼ିକର ପରିବର୍ତ୍ତନ ହେବ ।

ଗତ ଡ଼ିସେମ୍ବର ୨୫ ଠାରୁ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଭଣ୍ଡାର ମରାମତି କାର୍ଯ୍ୟ ସ୍ଥଗିତ ରହିଥିଲା। ମାର୍ଗଦର୍ଶିକା ଆଧାରରେ ଦ୍ଵିତୀୟ ଭୋଗ ମଣ୍ଡପ ପରେ ଅର୍ଥାତ୍ ଅପରାହ୍ନ ୧୨ ଟା ୩୦ ଠାରୁ ପ୍ରାୟ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମରାମତି କାମ କରାଯିବ।

ଆଜି ଶପଥ ନେବେ ନବନିଯୁକ୍ତ ରାଜ୍ୟପାଳ ହରିବାବୁ କମ୍ଭମପତି

ଭୁବନେଶ୍ବର: ଆଜି ଶପଥ ନେବେ ନବନିଯୁକ୍ତ ରାଜ୍ୟପାଳ ହରିବାବୁ କମ୍ଭମପତି। ଭୁବନେଶ୍ବରରେ ସକାଳ ୧୦ଟା ୧୫ରେ ଶପଥଗ୍ରହଣ ଉତ୍ସବ ଆୟୋଜନ କରାଯାଇଛି । ୨୭ତମ ରାଜ୍ୟପାଳ ଭାବେ ଶପଥ ନେବେ ହରିବାବୁ କମ୍ଭମପତି । ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ ହରିବାବୁ କମ୍ଭମପତି । ରଘୁବର ଦାସଙ୍କ ଇସ୍ତଫା ପରେ ହରିବାବୁଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ସେ ଆନ୍ଧ୍ରର ରାଜ୍ୟ ବିଜେପି ସଭାପତି ଥିଲେ । ଲୋକସଭାକୁ ବି ଥରେ ନିର୍ବାଚିତ ହୋଇଥିଲେ।

ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ନବନିଯୁକ୍ତ ରାଜ୍ୟପାଳ । ସପରିବାର ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନର ସାନିଧ୍ୟ ନେଇଛନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହ ବିମଳା ମନ୍ଦିର ,ମୁକ୍ତି ମଣ୍ଡପ ,ଲକ୍ଷ୍ମୀ ମନ୍ଦିର ଦର୍ଶନ କରିବା ପରେ ଭିତର ବେଢ଼ା ପରିକ୍ରମା କରିଥିଲେ। ସେହିଭଳି ଭୁବନେଶ୍ଵରରେ ନୂତନ ରାଜ୍ୟପାଳ ହରିବାବୁ କମ୍ଭମପତି ପହଞ୍ଚିବା ପରେ ବିମାନବନ୍ଦରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ପରିଷଦର ସଦସ୍ୟ, ପୋଲିସ DG ଓ ପୋଲିସ କମିଶନର ସ୍ବାଗତ ଜଣାଇଥିଲେ ।