spot_img
Home Blog Page 1240

ଆସନ୍ତା ୨୮ରେ ବିଜେଡିର ସଂସଦୀୟ ଦଳ ବୈଠକ, ସଂସଦର ବଜେଟ ଅଧିବେଶନ ପାଇଁ ପ୍ରସ୍ତୁତ ହେବ ରଣନୀତି

ଭୁବନେଶ୍ୱର: ଆସନ୍ତା ୨୮ରେ ବସିବ ବିଜେଡିର ସଂସଦୀୟ ଦଳ ବୈଠକ। ସଂସଦର ବଜେଟ ଅଧିବେଶନ ପୂର୍ବରୁ ବିଜେଡିର ଏହି ବୈଠକ ବସିବ। ଏଥିରେ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ବଜେଟ ଅଧିବେଶନ ପାଇଁ ଦଳ ପ୍ରସ୍ତୁତ କରିବ ରଣନୀତି। ୭ ରାଜ୍ୟସଭା ସାଂସଦଙ୍କୁ ନବୀନ ଦେବେ ଗୁରୁମନ୍ତ୍ର ।

ସଂସଦରେ କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଜେଡି ସାଂସଦମାନେ ଉତଥାପନ କରିବେ, ସେ ସଂପର୍କରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ଏକ ଦେଶ ଏକ ନିର୍ବାଚନ ଉପରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏକ ଦେଶ ଏକ ନିର୍ବାଚନ ସଂପର୍କିତ ଜେପିସିର ସଦସ୍ୟ ଅଛନ୍ତି ସାଂସଦ ମାନସ ମଙ୍ଗରାଜ ।

ଛତିଶଗଡ଼ ନକ୍ସଲ ଏନକାଉଣ୍ଟରରେ ନିହତ ନକ୍ସଲଙ୍କ ମଧ୍ୟରେ ଅଛନ୍ତି କଟକ ନିଆଳିର ଜଣେ ବ୍ୟକ୍ତି

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ ଏନକାଉଣ୍ଟରରେ ନିହତ ହୋଇଥିବା ନକ୍ସଲଙ୍କ ମଧ୍ୟରେ କଟକ ନିଆଳି ଅଞ୍ଚଳର ଜଣେ ବ୍ୟକ୍ତି ଥିବାର ସୂଚନା ମିଳିଛି। ସେ ହେଲେ ବାଉରୀ ବନ୍ଧୁ ସେଠୀ ଓରଫ ବଣ୍ଟି । କଟକ ଜିଲ୍ଲା ନିଆଳି ଥାନା କୁଳଶ୍ରୀ ଗ୍ରାମର ବାଉରୀ ବନ୍ଧୁଙ୍କ ଘର। ଗ୍ରାଜୁଏସନ ପରେ ସେ ମାଓ ସଂଗଠନରେ ସାମିଲ ହୋଇଥିଲେ । ୧୦ ବର୍ଷ ତଳେ ଜଣେ ମହିଳା ମାଓବାଦୀ ପୋଲିସ ନିକଟରେ ଆତ୍ମ ସମର୍ପଣ କରିବା ପରେ ବାଉରୀ ବନ୍ଧୁ ସମ୍ପର୍କରେ ଖୁଲାସା କରିଥିଲା । ସେ ସମୟରେ ଘୁମୁସର ଡିଭିଜନ ବାଉରୀଙ୍କ ଅଧୀନରେ ଥିଲା ।

ବାଉରୀ ନିର୍ଦ୍ଦେଶରେ ପ୍ରାୟ ୫ଜଣ ଡ଼ଙ୍ଗରିଆ କନ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଜୁନିଅର ସବ୍ୟସାଚୀ କୁହାଯାଉଥିବା ବାଉରୀ ବନ୍ଧୁ କଟକ ଜିଲ୍ଲା ନିଆଳୀ ଥାନା ଏରଞ୍ଚ ପଞ୍ଚାୟତ କୁଳଶ୍ରୀ ଗ୍ରାମର ହୋଇଥିବା ବେଳେ ତାଙ୍କ ମୃତ ଦେହ ଗ୍ରହଣ କରିବାକୁ ତାଙ୍କ ପରିବାର ଲୋକେ ମନା କରିଥିବା ନିଆଳି ପୋଲିସ କହିଛି।

ରାଜଧାନୀରୁ ତାଡି ନେଇଗଲେ ATM, ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ

ଭୁବନେଶ୍ବର : ତାଡି ନେଇଗଲେ ATM । ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ରରାଜଧାନୀ ଭୁବନେଶ୍ବରରେ ପୁଣି ATM ଲୁଟ୍ । ଲିଙ୍ଗରାଜ ଥାନା ସାମନ୍ତରାପୁର ଶ୍ରୀରାମନଗରରୁ ATM ତାଡିନେଲେ ଦୁର୍ବୃତ୍ତ । ନନ୍ଦିଘୋଷ ଟିଭି ହାତରେ ଲାଗିଛି ATM ମେସିନ ତାଡି ନେବାର ଭିଜୁଆଲ । ATM ମେସିନ ତାଡି ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ ହୋଇଥିବା ସୂଚନା । ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସର ଛାନବିନ ଆରମ୍ଭ କରିଛି । ସିସିଟିଭି ଆଧାରରେ ଛାନଭିନ କରୁଛି ପୋଲିସ ।

ପୂର୍ବରୁ ଲିଙ୍ଗରାଜ ଥାନା ଅନ୍ତର୍ଗତ ହାଟସାହି ଛକରୁ ମଧ୍ୟ ସମାନ ଢଙ୍ଗରେ ଲୁଟ ହୋଇଥିଲା । ତାର କିଛିଦିନ ପୂର୍ବରୁ ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁରରୁ ମଧ୍ୟ ଲୁଟ ହୋଇଥିଲା । ବାରମ୍ବାର କମିଶନରେଟ ପୋଲିସ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସିକ୍ୟୁରୀଟି ଗାର୍ଡ ନିୟୋଜିତ କରିବା ପାଇଁ ଆଲୋଚନା କରୁଥିଲେ ସୁଧା ଖାମଖିଆଲି ମନୋଭାବ ପାଇଁ ଏଭଳି ଘଟଣାର ପୁନରାବୃତ୍ତି ହେଉଥିବା ଅଭିଯୋଗ ହୋଇଛି । ତେବେ ସାମନ୍ତରାପୁର ଗଙ୍ଗୁଆ ନାଳରୁ ଉଦ୍ଧାର ହୋଇଛି ଏଟିଏମ୍ ମେସିନ । ଏୟାରଫିଲଡ ଥାନା ଶ୍ରୀରାମନଗରରୁ ଏଟିଏମ୍ ଲୁଟ୍ ହୋଇଛି ।

୨୦ବର୍ଷ ସମ୍ପର୍କରେ ପଡିବାକୁ ଯାଉଛି ପୂର୍ଣ୍ଣଛେଦ, ଏହି କ୍ରିକେଟିୟର ନେବେ ଛାଡପତ୍ର !

ନନ୍ଦିଘୋଷ ବ୍ୟୁରୋ: ୨୦ବର୍ଷ ସମ୍ପର୍କରେ ପଡିବାକୁ ଯାଉଛି ପୂର୍ଣ୍ଣଛେଦ । ଚହଲଙ୍କ ଛାଡପତ୍ର ମାମାଲା ଜୋର ଧରିଥିବା ବେଳେ ବର୍ତ୍ତମାନ ଆଉ ଏକ କ୍ରିକେଟିୟରଙ୍କ ଛାଡପତ୍ର କଥା ସମସ୍ତଙ୍କୁ ଦ୍ବନ୍ଦରେ ପକାଇଦେଇଛି । ଆଜ୍ଞା ହଁ ଖୁବଶୀଘ୍ର ଅଲଗା ହେବାକୁ ଯାଉଛନ୍ତି ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହୱାଗ ଏବଂ ତାଙ୍କ ପତ୍ନୀ ଆରତୀ  । ଦୁହେଁ ଖୁବଶୀଘ୍ର ଛାଡପତ୍ର ନେବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହୱାଗ ତାଙ୍କ ପତ୍ନୀ ଆରତୀ ଅହଲୱାଟଙ୍କଠାରୁ ଅଲଗା ରହୁଛନ୍ତି । ସେହୱାଗ ଏବଂ ଆରତୀ ୨୦୦୪ରେ ବିବାହ କରିଥିଲେ ଏବଂ ଏତେ ବର୍ଷର ସମ୍ପକରେ ଫାଟ ସୃଷ୍ଟି ହୋଇଛି । ବର୍ତ୍ତମାନ ଇନଷ୍ଟାଗ୍ରାମରୁ ଦୁହେଁ ଦୁହିଁଙ୍କୁ ଅନଫଲୋ କରିଛନ୍ତି । ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ ସେହୱାଗ ଏବଂ ଆରତୀ ଅନେକ ମାସ ଧରି ଅଲଗା ରହୁଛନ୍ତି ଏବଂ ଖୁବ ଶୀଘ୍ର ପରସ୍ପରକୁ ଛାଡ଼ପତ୍ର ଦେଇପାରନ୍ତି  ।

ବିରେନ୍ଦ୍ର ସେହୱାଗ ବହୁ ବର୍ଷ ପୂର୍ବେ କ୍ରିକେଟ୍ରୁ ବିଦାୟ ନେଇଥିଲେ । ୨୦୦୪ ରେ, ଆରତୀ ଅହଲୱାଟଙ୍କୁ ବିବାହ କରିବାର ତିନି ବର୍ଷ ପରେ, ସେମାନଙ୍କର ଏକ ପୁତ୍ର ଜନ୍ମ ହେଲା, ଯାହାର ନାମ ଆର୍ଯ୍ୟଭୀର  । ୨୦୧୦ ସାନ ପୁଅ ବେଦାନ୍ତ ଜନ୍ମ ହୋଇଥିଲା  । ବିରେନ୍ଦ୍ର ସେହୱାଗ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଦୂରତା ବଢୁଥିବା ବିଷୟ ସେତେବେଳେ ପ୍ରକାଶ ପାଇଲା ଯେତେବେଳେ ସେହୱାଗ ଗତ ବର୍ଷ ଦିପାବଳୀ ସମୟରେ ତାଙ୍କ ମା ଏବଂ ପୁଅମାନଙ୍କ ସହ ଏକ ଫଟୋ ସେୟାର କରିଥିଲେ, କିନ୍ତୁ ଏଥିରେ ତାଙ୍କ ପତ୍ନୀଙ୍କ ଫଟୋ ଏବଂ ନାମ ଉଲ୍ଲେଖ କରାଯାଇ ନଥିଲା ।

ବିରେନ୍ଦ୍ର ସେହୱାଗ ପ୍ରାୟ ୨ସପ୍ତାହ ପୂର୍ବରୁ ବିଶ୍ୱ ନାଗାୟାକ୍ଷୀ ମନ୍ଦିର ପରିଦର୍ଶନ କରିବାକୁ ଯାଇଥିଲେ । ସେଠାକାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ କିନ୍ତୁ ସେଥିରେ ତାଙ୍କ ପତ୍ନୀଙ୍କୁ ଦେଖିବାକୁ ମିଳିନଥିଲା ।  ବର୍ତ୍ତମାନ ପର୍ଯ୍ୟନ୍ତ ସେହୱାଗ କିମ୍ବା ଆରତୀଙ୍କ ପକ୍ଷରୁ ଛାଡପତ୍ର ନେଇ କୌଣସି ବୟାନ ଆସିନଥିବା ବେଳେ ସେମାନଙ୍କ ଛାଡପତ୍ର ନେଇ ଚର୍ଚ୍ଚା ଜୋର ଧରିଛି ।

ଆରତୀ ଅହଲୱାଟ ଗଣମାଧ୍ୟମଠାରୁ ଦୂରରେ ରୁହନ୍ତି  । ସେ ୧୬ ଡିସେମ୍ବର ୧୯୮୦ ରେ ଜନ୍ମଗ୍ରହଣ କରିଥିଲେ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ବିରେନ୍ଦ୍ର ସେହୱାଗ ଏବଂ ଆରତୀ ଅହଲୱାଟଙ୍କ ପ୍ରେମ କାହାଣୀ ସେମାନଙ୍କ ବିବାହର କିଛି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ଏବଂ ୨୦୦୪ରେ ଦୁହେଁ ବିବାହ କରିଥିଲେ ।

ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଜୋରଦାର, ଗାନ୍ଧିମାର୍ଗରେ ହୋଇଛି ଫୁଲ୍ ଡ୍ରେସ ରିହରସଲ୍

ଭୁବନେଶ୍ବର: ଦିନକ ପରେ ସାଧାରଣତନ୍ତ୍ର ଦିବସ । ରାଜ୍ୟସ୍ତରୀୟ ପରେଡ୍ ପାଇଁ ଭୁବନେଶ୍ଵର ଗାନ୍ଧିମାର୍ଗରେ ହୋଇଛି ଫୁଲ୍ ଡ୍ରେସ ରିହରସଲ୍ । ଏଥିରେ ଯୋଗ ଦେଇଛନ୍ତି ୪୪ଟି କଣ୍ଟିନଜେଣ୍ଟ। ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସହିତ ଓଡ଼ିଶା ପୋଲିସ, SOG, ଅଗ୍ନିଶମ ବିଭାଗ, ସ୍ଵେଚ୍ଛାସେବୀ ସଂଗଠନ, ଝାଡ଼ଖଣ୍ଡ ପୋଲିସର ଏକ ଟିମ୍ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛନ୍ତି । ଏଥର ପରେଡରେ ନେତୃତ୍ୱ ନେଉଛନ୍ତି ଯୁବ IPS ଭୋସଲେ ଶୁଭମ ସଞ୍ଜୟ । ସେ ଏବେ ସମ୍ବଲପୁରରେ ଅତିରିକ୍ତ ଏସପି ଟ୍ରେନି ଅଛନ୍ତି ।

ରେଡ ପରେ ପରେ ଡେୟାରଡେଭିଲସ, ସ୍କେଟିଂ ଓ ବିଭିନ୍ନ ଲୋକକଳା ପ୍ରଦର୍ଶନ କରାଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନାର ପ୍ରଜ୍ଞାପନ ମେଢ଼ ମଧ୍ୟ ପ୍ରଦର୍ଶନ କରାଯାଇଛି। ଫୁଲ୍ ଡ୍ରେସ ରିହରସଲରେ ପୋଲିସ ଡିଜି ଯୋଗ ଦେଇ ପୁରା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ରାଜଧାନୀରେ କଲବଲ କରୁଛି ଘନ କୁହୁଡ଼ି, ବିମାନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ଆଜି ସକାଳୁ ଭୁବନେଶ୍ଵର ସମେତ ଅନେକ ସ୍ଥାନରେ କୁହୁଡି଼ ଦେଖାଦେଇଛି । ଏତେ କୁହୁଡ଼ି ଯେ, ୧୦- ୨୦ ମିଟର ପରେ କିଛି ଦିଶୁ ନଥିଲା । ସକାଳୁ ସକାଳୁ କୁହୁଡ଼ିର ମାତ୍ରା ବହୁତ ଅଧିକ ଥିଲା । ଚାରିଆଡ଼େ ଧୂଆଁମୟ । ମୁହଁକୁ ମୁହଁ ଦେଖିବା ମୁସ୍କିଲ। କେତେକ ଅଞ୍ଚଳରେ ଗତ ରାତିରୁ ହିଁ କୁହୁଡ଼ି ମାଡି଼ ଆସିଥିଲା । ଏଥିପାଇଁ ବାଧାପ୍ରାପ୍ତ ହୋଇଥିଲା ବିମାନ ଚଳାଚଳ । ଭୁବନେଶ୍ଵର ବିମାନ ବନ୍ଦରରୁ କୌଣସି ଫ୍ଲାଇଟ୍ ଉଡ଼ାଣ ହୋଇପାରିନଥିଲା କି ଅବତରଣ କରିପାରିଥିଲା ।

ପରେ ଅବଶ୍ୟ ଅବସ୍ଥା ସୁଧୁରିଛି ଓ ବିମାନ ଚଳାଚଳ ସ୍ଵାଭାବିକ ହୋଇଛି । ଭୁବନେଶ୍ଵର, ପାରାଦୀପ, ଚାନ୍ଦପାଲି, ପୁରୀରେ ଆଜି ସକାଳେ ଭିଜିବିଲିଟି ଶୂନ ଥିଲା। ପଶ୍ଚିମାଝଡ଼ ପାଇଁ ପ୍ରବଳ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଏହାର ପ୍ରଭାବରେ ଦେଖା ଦେଇଛି ଘନ କୁହୁଡ଼ି। ଏଥିପାଇଁ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି।

ଦେଶର ବଜେଟ ହୋଇଯାଇଥିଲା ଲିକ୍, ଜାଣନ୍ତୁ କେବେ ଓ କେମିତି ?

ନନ୍ଦିଘୋଷ ବ୍ୟୁରୋ: ୧୮୬୦ ମସିହାରେ ଭାରତରେ ବଜେଟ ଆରମ୍ଭ ହୋଇଥିଲା  । ୭ଅପ୍ରେଲ ଯେତେବେଳେ ପ୍ରଥମ ବଜେଟ ଜେମ୍ସ ୱିଲସନଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା  । ସ୍ୱାଧୀନତା ପରେ ଦେଶର ପ୍ରଥମ ବଜେଟ୍ ୨୬ ନଭେମ୍ବର ୧୯୪୭ରେ ଉପସ୍ଥାପିତ ହୋଇଥିଲା  । ତତ୍କାଳୀନ ଅର୍ଥମନ୍ତ୍ରୀ ଆର୍. କେ ଶାନମୁଖମ୍ ଚେତୀ ଏହି ବଜେଟ୍ ଉପସ୍ଥାପନ କରିଥିଲେ ।

ଫେବୃଆରୀ ୨ରେ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରାଯିବ । ଏହା ମୋଦୀ ୩.୦ ର ପ୍ରଥମ ପୂର୍ଣ୍ଣ ବଜେଟ୍  । ଭାରତର ବଜେଟ ଇତିହାସ ବହୁତ ପୁରୁଣା । ଏପରି ପରିସ୍ଥିତିରେ, ବଜେଟର ଇତିହାସ ସହିତ ଜଡିତ ଅନେକ ଜିନିଷ ଅଛି ଯାହା ଆପଣ ଜାଣି ନଥିବେ  । ଭାରତ ପରମ୍ପରାର ଦେଶ  । ଏଭଳି ପରିସ୍ଥିତିରେ ବଜେଟ୍ ସହିତ ଜଡିତ ଅନେକ ପରମ୍ପରା ଅଛି ଯାହା ଆଜି ବି ପାଳନ କରାଯାଏ  । ଆସନ୍ତୁ ଜାଣିବା ଦେଶର ବଜେଟର ପୁରୁଣା ଅନନ୍ୟ ତଥ୍ୟ…

  • ଆଜି ପର୍ଯ୍ୟନ୍ତ ଦୀର୍ଘତମ ବଜେଟ୍ ଭାଷଣ ଦେବାର ରେକର୍ଡ ବର୍ତ୍ତମାନର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଖରେ ରହିଛି । ୨୦୨୦ରେ ବଜେଟ୍ ସମୟରେ ସେ ୨ ଘଣ୍ଟା ୪୨ ମିନିଟ ଭାଷଣ ଦେଇଥିଲେ । କିନ୍ତୁ ମଜାଦାର ବିଷୟ ହେଉଛି ଏହା ସତ୍ତ୍ବେ ତାଙ୍କ ବଜେଟ୍ ଭାଷଣ ସ୍କ୍ରିପ୍ଟର ୨ ପୃଷ୍ଠା ବାକି ରହିଯାଇଥିଲା  । ଆପଣ କେବେ ଚିନ୍ତା କରିଛନ୍ତି କି ଦେଶର ସବୁଠାରୁ ଛୋଟ ଭାଷଣ କିଏ ଦେଇଛି ? ୧୯୭୭ ମସିହାରେ ଅର୍ଥମନ୍ତ୍ରୀ ହିରୁଭାଇ ମୁଲଜିଭାଇ ପଟେଲ ସବୁଠାରୁ କମ୍ ଭାଷଣ ଦେଇଥିଲେ । ତାଙ୍କର ଭାଷଣ କେବଳ ୮୦୦ ଶବ୍ଦ ଲମ୍ବା ଥିଲା  ।
  • ଦେଶର ୧୪ତମ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ମଧ୍ୟ ଥରେ ଅର୍ଥମନ୍ତ୍ରୀ ଥିଲେ । ଏହା ପରେ ସେ ଏକ ବଜେଟ୍ ଭାଷଣ ଦେଇଥିଲେ ଯାହା ଅର୍ଥନୀତିକୁ ବଦଳାଇ ଦେଇଥିଲା  । ୧୯୯୧ର ବଜେଟ୍ ଭାଷଣରେ ତାଙ୍କର ବଜେଟ୍ ଭାଷଣ ୧୮,୬୫୦ ଶବ୍ଦ ଲମ୍ବା ଥିଲା  । ତାଙ୍କ ଭାଷଣ ସବୁଠାରୁ ଅଧିକ ଶବ୍ଦପୂର୍ଣ୍ଣ ବଜେଟ୍ ଭାଷଣ ଥିଲା  । ଏହି ବଜେଟ ଦେଶରେ ଆର୍ଥିକ ଉଦାରୀକରଣର ଆରମ୍ଭ କରିଥିଲା ।
  • ଆଜିର ଯୁଗରେ ପରୀକ୍ଷା କାଗଜପତ୍ର ଲିକ୍ ହେବାର ଆପଣ ଶୁଣିଥିବେ କିନ୍ତୁ ଆପଣ କେବେ ଭାବିଛନ୍ତି କି ଦେଶର ସାଧାରଣ ବଜେଟ୍ ଡକ୍ୟୁମେଣ୍ଟ ମଧ୍ୟ ଲିକ୍ ହୋଇଛି ? ଆଜ୍ଞା ହଁ,୧୯୫୦ମସିହାରେ ବଜେଟ୍ ଡକ୍ୟୁମେଣ୍ଟ୍ ଲିକ୍ ହୋଇଥିଲା  । ଏହି ଘଟଣା ପରେ ରାଷ୍ଟ୍ରପତି ଭବନରେ ବଜେଟ୍ ଭାଷଣର ମୁଦ୍ରଣ ବନ୍ଦ ହୋଇଗଲା । ଏହା ମିଣ୍ଟୋ ରୋଡରେ ସରକାରୀ ପ୍ରେସରେ ଛପା ହେବା ଆରମ୍ଭ ହେଲା । କିଛି ବର୍ଷ ପରେ,୧୯୮୦ରେ ଏହାର ମୁଦ୍ରଣ ଅର୍ଥ ମନ୍ତ୍ରଣାଳୟର ଉତ୍ତର ବ୍ଲକକୁ ସ୍ଥାନାନ୍ତରିତ ହେଲା  ।
  • ଭାରତରେ ୧୯୫୫-୫୬ ପୂର୍ବରୁ ଦେଶର ସାଧାରଣ ବଜେଟ ଇଂରାଜୀରେ ପ୍ରକାଶିତ ହୋଇଥିଲା । କିନ୍ତୁ ପରେ ଏହା ହିନ୍ଦୀରେ ପ୍ରକାଶିତ ହେବା ଆରମ୍ଭ କଲା  ।
  • ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜଣେ ମହିଳା ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ମହିଳା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଥିଲେ । ସେ ନିଜେ ୧୯୭୦ ମସିହାରେ ବଜେଟ ଉପସ୍ଥାପନ କରିଥିଲେ । କାରଣ ସେହି ସମୟରେ ସେ ନିଜେ ଅର୍ଥମନ୍ତ୍ରୀ ଥିଲେ ।

ସେଦିନ ରାତିରେ ସୈଫଙ୍କ ସହ କ’ଣ ହୋଇଥିଲା, ବଖାଣିଲେ ଅଭିନେତା

ନନ୍ଦିଘୋଷ ବ୍ୟୁରୋ: ୧୬ଜାନୁୟାରୀ ସୈଫ ଅଲ୍ଲି ଖାନଙ୍କ ସହ ଘଟିଥିବା ଘଟଣାକୁ ନେଇ ଲୋକଙ୍କ ମନରେ ଏବେବି ଅନେକ ପ୍ରଶ୍ନ । ସେହି ରାତିରେ କ’ଣ ହେଇଥିଲା ? ଏତେ ସୁରକ୍ଷା ପରେ ମଧ୍ୟ ଅଭିଯୁକ୍ତ ସେଠାରେ କେମିତି ପ୍ରବେଶ କରିଥିଲା ? ଏହା ଆକ୍ରମଣ ନା ଆଉ କିଛି ? ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ତେବେ ଆକ୍ରମଣ ପରେ ପ୍ରଥମ ଥର ପାଇଁ ସୈଫ ଅଲ୍ଲି ଖାନ ନିଜ ବୟାନ ଦେଇଛନ୍ତି ।

ମୁମ୍ବାଇ ପୋଲିସ ସୈଫ ଅଲ୍ଲି ଖାନଙ୍କ ବୟାନ ରେକର୍ଡ କରିଛି । ଯେଉଁଥିରେ ସେ ପୁରା ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି । ଛୁରାମାଡ ଆକ୍ରମଣ ଘଟଣାରେ ସୈଫ ଅଲ୍ଲି ଖାନଙ୍କୁ ବାନ୍ଦ୍ରା ପୋଲିସ ପଚରାଉଚରା କରିଛି । ସୈଫ କହିଛନ୍ତି ଯେ ଜାନୁଆରୀ ୧୬ ତାରିଖ  ରାତିରେ ସେ ଏବଂ ତାଙ୍କ ପତ୍ନୀ କରୀନା କପୁର ୧୧ମହଲାର ଶୋଇବା ଘରେ ଶୋଇଥିଲେ  । ହଠାତ ସେମାନେ ନର୍ସ ଏଲିୟାମା ଫିଲିପଙ୍କ ଚିତ୍କାର ଶୁଣିଥିଲେ । ଏହା ଶୁଣି ଦୁହେଁ ତଳକୁ ଦୌଡି ଆସିଥିଲେ । ସେଠାରେ ଆକ୍ରମଣକାରୀ ତାଙ୍କ ନର୍ସଙ୍କୁ ଆକ୍ରମଣ କରୁଥିବା ବେଳେ ସୈଫ ତାଙ୍କୁ ରୋକିବାକୁ ଚେଷ୍ଟା କରି ଆହତ ହୋଇଥିଲେ । ଏହି ସମୟରେ ଆକ୍ରମଣକାରୀ ତାଙ୍କ ପିଠି, ବେକ ଏବଂ ଅନ୍ୟାନ୍ୟ ସ୍ଥାନରେ ଛୁରୀ ସାହାଯ୍ୟରେ ତାଙ୍କୁ ଅନେକ ଥର ଛୁରୀରେ ଆକ୍ରମଣ କରିଥିଲା ।

ମୁମ୍ବାଇ ପୋଲିସକୁ ଦେଇଥିବା ବୟାନରେ ସୈଫ ଅଲି ଖାନ କହିଛନ୍ତି ଯେ ଯେତେବେଳେ ସେ ତାଙ୍କ ନର୍ସ ଏଲିୟାମା ଫିଲିପଙ୍କ ଚିତ୍କାର ଶୁଣି ଦୁହେଁ ଜାହାଙ୍ଗୀରଙ୍କ କୋଠରୀ ଆଡକୁ ଦୌଡ଼ିଥିଲେ ସେଠାରେ ସେ ଜଣେ ଅପରିଚିତ ବ୍ୟକ୍ତିଙ୍କୁ ଦେଖିଲେ। ଜାହାଙ୍ଗୀର ମଧ୍ୟ କାନ୍ଦୁଥିଲେ। ସୈଫ କହିଛନ୍ତି ଯେ ଯେତେବେଳେ ଆକ୍ରମଣକାରୀ ରୋକିବାକୁ ଚେଷ୍ଟା କରିଥିଲେ ତାଙ୍କୁ ସେ ଛୁରାମାଡ଼ କରିଥିଲେ, ସେତେବେଳେ ସେ ଗୁରୁତର ଆହତ ହୋଇଥିଲେ ।

ବର୍ତ୍ତମାନ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଲୀଲାବତୀ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଏବଂ ସେ ଘରେ ଅଛନ୍ତି। ଏହି ଘଟଣା ପରେ ଜଣେ ଅଟୋ ଡ୍ରାଇଭର ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନା ନେଇଥିଲେ, ଯେଉଁଠାରେ ତାଙ୍କ ବନ୍ଧୁ ଅଫିସର ଜୈଦୀ ଡାକ୍ତରଖାନାରେ ଅବଶିଷ୍ଟ ପ୍ରକ୍ରିୟା ଶେଷ କରିଥିଲେ । ଅଫିସର ଜୈଦୀ ପଟୌଦି ପରିବାର ବନ୍ଧୁ  । ୧୬ ଜାନୁୟାରୀରେ, ସେ ସୈଫ ଅଲି ଖାନଙ୍କ ପରିବାର ସଦସ୍ୟଙ୍କ ଠାରୁ ପ୍ରାୟ ୩.୩୦ ସମୟରେ ଏକ ଫୋନକଲ ପାଇଥିଲେ ଏବଂ ତାଙ୍କୁ ଲୀଲାବତୀ ଡାକ୍ତରଖାନାରେ ପହଞ୍ଚିବାକୁ କହିଥିଲେ ଯେଉଁଠାରେ ସୈଫଙ୍କୁ ଭର୍ତ୍ତି କରାଯାଇଥିଲା । ଅଫିସର ଜୈଦୀ ସକାଳ ପ୍ରାୟ ୪ଟା ସମୟରେ ଡାକ୍ତରଖାନାରେ ପହଞ୍ଚିଥିଲେ ।

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବଡ ଝଟକା, ଜନ୍ମ ଅନୁସାରେ ନାଗରିକତା ରଦ୍ଦ ଉପରେ କୋର୍ଟଙ୍କ ରହିତାଦେଶ

ନନ୍ଦିଘୋଷ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପ୍ରଥମ ଝଟକା  । ଜନ୍ମ ଅନୁସାରେ ନାଗରିକତା ରଦ୍ଦ ଉପରେ କୋର୍ଟ ଲଗାଇଲେ ରହିତାଦେଶ  । କହିଲେ ଏହା ଅସାମ୍ବିଧାନିକ  ଅଟେ । ଜନ୍ମ ଅନୁସାରେ ନାଗରିକତ୍ୱ ବନ୍ଦ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକୁ ଗୁରୁବାର ଦିନ ଆମେରିକାର ଏକ କୋର୍ଟ ଖଣ୍ଡନ କରିଛନ୍ତି । ଜଜ୍ ଜନ୍ କମ୍ଫନର୍ ଟ୍ରମ୍ପଙ୍କ କାର୍ଯ୍ୟନିର୍ବାହୀ ଆଦେଶକୁ ଅବରୋଧ କରିଛନ୍ତି । ଏହା ମଧ୍ୟ ‘ସ୍ପଷ୍ଟ ଭାବେ ଅସାମ୍ବିଧାନିକ’ ଘୋଷଣା କରିଛନ୍ତି ଏବଂ ନୀତି କାର୍ଯ୍ୟକାରୀ ନହେବା ପାଇଁ ଏକ ଅସ୍ଥାୟୀ ପ୍ରତିବନ୍ଧକ ଜାରି କରିଛନ୍ତି । ଏହାର ଅର୍ଥ ହେଉଛି, ବର୍ତ୍ତମାନ ଆମେରିକାରେ ଜନ୍ମିତ ପିଲାମାନଙ୍କୁ ସେଠାକାର ନାଗରିକତା ମିଳିବ ।

ଟ୍ରମ୍ପ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଦିନ ଜାନୁଆରୀ ୨୦ ରେ ଏହି ଆଦେଶରେ ସ୍ୱାକ୍ଷର କରିଥିଲେ  । ଚାରୋଟି ଡେମୋକ୍ରାଟିକ୍ ଶାସିତ ରାଜ୍ୟ ଟ୍ରମ୍ପଙ୍କ ଏହି ଆଦେଶ ବିରୋଧରେ ଏକ ପିଟିସନ ଦାଖଲ କରିଥିଲେ । ୱାଶିଂଟନ୍, ଆରିଜୋନା, ଇଲିନୋଇସ୍ ଏବଂ ଓରେଗନ୍ ଭଳି ଗଣତାନ୍ତ୍ରିକ ଶାସିତ ରାଜ୍ୟ ଏହି ଆବେଦନକୁ ବିରୋଧ କରି ଦାବି କରିଥିଲେ ଯେ, ଟ୍ରମ୍ପଙ୍କ ଆଦେଶ ଆମେରିକାର ସମ୍ବିଧାନର ୧୪ ତମ ସଂଶୋଧନରେ ଦିଆଯାଇଥିବା ନାଗରିକତ୍ୱ ଅଧିକାରକୁ ଉଲ୍ଲଂଘନ କରୁଛି । ଆମେରିକାର ଜିଲ୍ଲା ଜଜ୍ ଜନ୍ କମ୍ଫନର ଏହି ଆବେଦନ ଉପରେ ଶୁଣାଣି କରୁଥିଲେ । ଗୁରୁବାର ଦିନ ସେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ବନ୍ଦ କରିବାକୁ ଟ୍ରମ୍ପ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଟ୍ରମ୍ପଙ୍କ କାର୍ଯ୍ୟନିର୍ବାହୀ ଆଦେଶ କ’ଣ ଥିଲା ?

ଆମେରିକାରେ ଜନ୍ମ ଅଧିକାରର ନାଗରିକତ୍ୱ ଅଧିକାରକୁ ରଦ୍ଦ କରିବା ପାଇଁ ଶପଥ ଗ୍ରହଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ ତୁରନ୍ତ ଏକ କାର୍ଯ୍ୟନିର୍ବାହୀ ଆଦେଶ ଜାରି କରିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ବେଆଇନ ପ୍ରବାସୀ ପିଲା କିମ୍ବା ଆମେରିକାରେ ଭିସାରେ ରହୁଥିବା ଜନ୍ମିତ ପିଲାମାନଙ୍କୁ ଆମେରିକାର ନାଗରିକତ୍ୱ ପ୍ରଦାନକୁ ରୋକିବା ।

ଜଜ୍ କମ୍ଫନର କ’ଣ କହିଥିଲେ ?

ଜଜ୍ କମ୍ଫନର କହିଛନ୍ତି, ‘ମୁଁ ବୁଝିପାରୁନାହିଁ ଯେ କୌଣସି ଆଇନଜୀବୀ କିପରି କହିପାରିବେ ଯେ ଏହି ଆଦେଶ ସାମ୍ବିଧାନିକ ଅଟେ । ଏହା ମୋର ବୁଝିବା ବାହାରେ  । ମୁଁ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ବେଞ୍ଚରେ ଅଛି । ମୋର ଅନ୍ୟ କୌଣସି ମାମଲା ମନେ ନାହିଁ ଯାହା ସ୍ପଷ୍ଟ ଭାବରେ ଏହି ପ୍ରସଙ୍ଗରେ ପ୍ରଶ୍ନ ସୃଷ୍ଟି କରେ  । ଏହା ସ୍ପଷ୍ଟ ଭାବରେ ଏକ ଅସାମ୍ବିଧାନିକ ଆଦେଶ ଅଟେ ।

କମୁନି ଆମେରିକାର ଲସ୍ ଆଞ୍ଜେଲସ ନିଆଁ, ୧୦ ହଜାର ଏକର ଜଙ୍ଗଲ ପୋଡି ପାଉଁଶ

ନନ୍ଦିଘୋଷ ବ୍ୟୁରୋ: କେବେ ଲିଭିବ ଆମେରିକା ଲସ ଆଞ୍ଜେଲସର ନିଆଁ । କାଲିଫର୍ଣ୍ଣିଆ ଲସ୍ ଆଞ୍ଜେଲସରେ ଭୟଙ୍କର ବେଗରେ ବ୍ୟାପୁଛି ନିଆଁ । କ୍ରମାଗତ ଭାବେ ଦୀର୍ଘ ୩ ସପ୍ତାହ ହେଲାଣି ଜଳୁଛି ଜଙ୍ଗଲ । ତୃତୀୟ ସପ୍ତାହରେ ୧୦ ହଜାର ଏକର ଜଙ୍ଗଲ ଜଳିସାରାଲାଣି। ଜଙ୍ଗଲ ନିଆଁ ଲାଗି ଏବେ ପ୍ରାୟ ୫୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସମସ୍ତଙ୍କୁ ଘର ଖାଲିକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜଙ୍ଗଲ ନିଆଁ ଧିରେ ଧିରେ ଜନବସତି ମୁହାଁ ହୋଇଛି । ହେଲିକପ୍ଟର ସାହାଯ୍ୟରେ ପାଣି ସିଞ୍ଚନ କରାଯାଉଛି। ଲସ ଆଞ୍ଜେଲସ ଉତ୍ତର ପାର୍ବତୀୟ ଅଞ୍ଚଳରେ ଲାଗିଥିବା ନିଆଁ ଜୋରରେ ବ୍ୟାପିବାରେ ଲାଗିଛି ।

ସେପଟେ ପୂର୍ବରୁ ଦକ୍ଷିଣ କାଲିଫର୍ଣ୍ଣିଆ ଅଞ୍ଚଳର ହ୍ୟୁଜେସରେ ଲାଗିଥିବା ନିଆଁ ଆହୁରି ତେଜିବାରେ ଲାଗିଛି । କିଛି ଘଣ୍ଟା ମଧ୍ୟରେ ୩୯ ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳରେ ବ୍ୟାପି ଯାଇଛି ଏହି ନିଆଁ । ଗଛପତ୍ର ପୋଡି ପାଉଁଶ ହୋଇଯାଉଛି । ସେପଟେ କାଷ୍ଟିକ ହ୍ରଦ ଉପରେ କଳା ଧୂଆର ଆସ୍ତରଣ ଦେଖିବାକୁ ମିଳିଛି । ୧୫ ଦିନରୁ ଅଧିକ ଦିନ ହେବ ଲାଗିଛି ଏହି ନିଆଁ । ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି ଅଗ୍ନିଶମ ବାହିନୀ । ନିଆଁରେ ପ୍ରାୟ ୧୪ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ହଜାର ହଜାର ଘର ପୋଡି ନଷ୍ଟ ହୋଇଯାଇଛି । ଆମେରିକା ଇତିହାସରରେ ବର୍ତ୍ତମାନ ସୁଦ୍ଧା ସବୁଠାରୁ ଭୟଙ୍କର ନିଆଁ ବୋଲି କୁହାଯାଉଛି ।