spot_img
Home Blog Page 1239

ଚାଷୀଙ୍କ କଥା ଭୁଲି FAQ ଆଳ ଦେଖାଇଲେ ମନ୍ତ୍ରୀ, ବିଜେଡିର ଅଭିଯୋଗ ଟୋକନ ବି ବିକ୍ରି କରିଛନ୍ତି ସରକାର

ଭୁବନେଶ୍ବର : ସତ ମାନିଲେ ମନ୍ତ୍ରୀ। ଧରା ପଡ଼ିଲା ବାହସ୍ଫୋଟ। ଧାନ ମଣ୍ଡିରେ ଚାଲିଛି କଟନୀ ଛଟନୀ । କଟନୀ ଛଟନୀ ହେବ ନାହିଁ ବୋଲି ଡିଣ୍ଡିମ ପିଟୁଥିବା ବିଜେପି ସରକାର ନିଜ ଛେପ ନିଜେ ଢୋକିଛନ୍ତି। କଟନୀ ଛଟନୀ ପାଇଁ ମାନକୁ ଆଳ କରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ଅଦିନିଆ ବର୍ଷାରେ ଧାନର ମାନ କମିଥିବାରୁ ୩ରୁ ୪ କେଜି କଟାଯାଉଛି। ନିଜ ବିଫଳତା ଲୁଚାଇ ମନ୍ତ୍ରୀ ଯୁକ୍ତି ବାଢିଛନ୍ତି, ଚାଷୀ ଦେଖୁଛନ୍ତି ଅଳ୍ପ କାଟିଲେ ବି 3100 ଟଙ୍କା ପାଇବେ। ବାହାରେ ବିକିଲେ 2100 ରୁ 2200 ଟଙ୍କା ମିଳିବ।  ସେଥିପାଇଁ କିଛି କାଟିଲେ ବି ଚାଷୀ  ଧାନ ବିକି ଦେଉଛନ୍ତି  ବୋଲି ମନ୍ତ୍ରୀ କହିଛନ୍ତି। ଯୋଗାଣ ମନ୍ତ୍ରୀଙ୍କ ପରେ ସମବାୟ ମନ୍ତ୍ରୀ ଧାନ କିଣାରେ କଟନୀ ଛଟନୀ ହେଉଥିବା ମାନିବା ପରେ ବର୍ଷିଛି ବିଜେଡି । ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଭିଯୋ କରିଛନ୍ତି, ଧାନ ମଣ୍ଡିରେ କେବଳ କଟନୀ ଛଟନୀ ଚାଲିନାହିଁ, ଚାଷୀଙ୍କ ଟୋକନକୁ ବିକ୍ରି କରିଦେଇଛନ୍ତି ସରକାର। ଦଲାଲଙ୍କ ସହ ମଧୁଚନ୍ଦ୍ରିକା କରି ଧାନ ବିକ୍ରି ହେଉଛି । ଏଥିପାଇଁ ଚାଷୀ ବାଧ୍ୟ ହୋଇ  ଅଭାବୀ ବିକ୍ରି କରୁଛି ବୋଲି ଅଭିଯୋଗ କରିଛି ବିଜେଡି।

କଟନୀ ଛଟନୀ ପାଇଁ କଂଗ୍ରେସ ମଧ୍ୟ ରାଜ୍ଯ ସରକାରଙ୍କ ଉପରେ ବର୍ଷିଛି। ବରିଷ୍ଠ ନେତା ଜୟଦେବ ଜେନା ଅଭିଯୋଗ କରିଛନ୍ତି, ମଣ୍ଡିରେ ମିଲର୍ ରାଜ୍ ଚାଲିଛି। ଅଯୋଗ୍ଯ ରାଜ୍ୟ ସରକାରଙ୍କ ଯୋଗୁଁ ଏବର୍ଷ ଧାନ ଠିକରେ ବିକ୍ରି ହୋଇପାରୁନାହିଁ । ଏ ସରକାର କେବଳ କଥା କୁହା ସରକାର। ରାଜ୍ୟ ସରକାରଙ୍କ ଅଘୋଷିତ ନିର୍ଦ୍ଦେଶରେ  କଟନି ଛଟନୀ ହେଉଛି। ଧାନ ପଡ଼ି ରହୁଛି, ସରକାର ଉଠାଉ ନାହାନ୍ତି । ବାଧ୍ୟ ହୋଇ ଚାଷୀ ୧୬ ଶହ ଟଙ୍କାରେ ବାହାର ରାଜ୍ଯର ବେପାରୀଙ୍କୁ ବିକୁଛି। ବିଜେଡି ବିଧାୟକ ରମେଶ ବେହେରା କହିଛନ୍ତି ଯେ ଧାନ କିଣାରେ ଚାଷୀଙ୍କୁ ଭଣ୍ଡେଇ ଦେଇଛନ୍ତି ରାଜ୍ୟ ସରକାର।  ଧାନ କିଣାରେ ଅବ୍ୟବସ୍ଥା ଯୋଗୁଁ ପୁରା ରାଜ୍ୟରେ ଅସନ୍ତୋଷ। ସରକାର ଠିକରେ ଧାନ କିଣୁ ନାହାନ୍ତି। ପ୍ରତିବାଦରେ କେତେକ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଲେଣି ଚାଷୀ।

ମହଙ୍ଗା ମାଡ଼ରେ କଲବଲ ଖାଉଟି, ଉତ୍ପାଦନ ଭଲ ହେଲେ ବି ପାଇକରୀ ବଜାରକୁ ଆସୁନି ମାଲ

ଭୁବନେଶ୍ବର : ମହଙ୍ଗା ମାଡ଼ରେ କଲବଲ ଖାଉଟି । ଖାଦ୍ୟସାମଗ୍ରୀ ଦରବୃଦ୍ଧି ଲୋକଙ୍କ ଅଣ୍ଟା ଭାଙ୍ଗିଲାଣି । କେନ୍ଦ୍ରଠୁ ରାଜ୍ୟ ସରକାରଙ୍କୁ ଶୁଭୁନଥିଲା ଖାଉଟିଙ୍କ ଆର୍ତ୍ତନାଦ । ଏବେ ଫୁଙ୍ଗୁଳା କଲା କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ । ରିପୋର୍ଟରେ ମନ୍ତ୍ରାଳୟ କହିଛି, ଖାଦ୍ୟ ସାମଗ୍ରୀ ଏତେ ବଢିଛି ଯେ, ଖୁଚୁରା ଦର କଥା ଛାଡ଼ନ୍ତୁ ପାଇକରୀ ଦର ନିୟନ୍ତ୍ରଣ ସାମା ଟପିଲାଣି । ୨୦୨୩ ଡିସେମ୍ବରରେ ପାଇକରୀ ମୁଦ୍ରାସ୍ଫୀତି ଥିଲା ୦.୮୬ ପ୍ରତିଶତ । ୨୦୨୪ରେ ଡିସେମ୍ବର ବେଳକୁ ବଢି ହୋଇଛି ୨.୩୭ ପ୍ରତିଶତ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବର୍ଷକ ଭିତରେ ଆଳୁ ଓ ପିଆଜ ଦରବୃଦ୍ଧି ଲୋକଙ୍କୁ ବେଶୀ କଲବଲ କରିଛି । ଏହି ସମୟରେ ଆଳୁ ଦର ୯୩.୨୦ ପ୍ରତିଶତ ବଢିଥିବାବେଳେ ପିଆଜ ଦର ବଢିଛି ୧୬.୮୧ ପ୍ରତିଶତ । ସେହି ଅନୁପାତରେ ବଢିଛି ଫଳ, ଦୁଗ୍ଧ, ଅଣ୍ଡା, ମାଛ ଓ ମାଂସ ଦର । ତୈଳବୀଜ ଦର ବଢିଛି ୨.୪୬ ପ୍ରତିଶତ । ପନିପରିବା, ଫଳ, ମାଛ ଓ ମାଂସ ଦରବୃଦ୍ଧି ଯୋଗୁ ପ୍ରକ୍ରିୟାକୃତ ଖାଦ୍ୟର ମଧ୍ୟ ବି ଦାମ ବଢିଛି । ଖୋଦ ବ୍ୟବସାୟୀ ମହାସଂଘ କହିଛି, ଏଥିପାଇଁ କେନ୍ଦ୍ର ସରକାର ଦାୟୀ । ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ପାଦନ ପ୍ରଭାବିତ ହୋଇଛି ସତ । କିନ୍ତୁ ସବୁ ସମୟରେ ନୁହେଁ । ଯେଉଁ ଫସଲ ବି ଭଲ ଉତ୍ପାଦନ ହେଉଛି ତାକୁ ଚାଷୀଙ୍କଠାରୁ ଶସ୍ତାରେ କିଣି ହୋର୍ଡ଼ିଂ କରି ରଖିଦେଉଛନ୍ତି ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା । ଏପରିକି ଆଗଭଳି ପାଇକରୀ ବଜାରକୁ ବି ଉତ୍ପାଦନ  ଆସୁନି । ଏବର କେନ୍ଦ୍ର ସରକାର ମନଇଚ୍ଛା ଏଫଡିଆଇକୁ ରିଟେଲ ବ୍ୟବସାୟରେ ଅନୁମତି ଦେଇଛନ୍ତି । ଲୋକେ ମହଙ୍ଗା ମାଡ଼ରେ ଆଉଟୁପାଉଟୁ ହେଉଛନ୍ତି ତଥାପି କେନ୍ଦ୍ରର ଚାଲାକିକୁ ବୁଝିପାରୁନାହାନ୍ତି ।

ବଜାର ବିଶେଷଜ୍ଞଙ୍କ ମତ ପାଇକରୀ ମୁଦ୍ରାସ୍ଫୀତି ୧ ପ୍ରତିଶତ ବଢିଲେ ଖୁଚୁରା ମୁଦ୍ରାସ୍ଫୀତି ଦୁଇ ଅଙ୍କରେ ବଢିବ । ଏହାକୁ ନିୟନ୍ତ୍ରଣ କରିବା କେନ୍ଦ୍ର ସରକାର ଦାୟିତ୍ବ । ସରକାରୀ ଚାକିରିଆ ହେଉ କି ବ୍ୟବସାୟୀ, ମହଙ୍ଗା ବଜାରରେ କେହି ବି ଲାଭବାନ ହୁଅନ୍ତିନି । କେନ୍ଦ୍ର ସରକାର ଯୋଗାଣ ଶୃଙ୍ଖଳକୁ ନିୟନ୍ତ୍ରଣ ନ କଲେ ସ୍ଥିତି ଆହୁରି ଖରାପ ଆଡ଼କୁ ଯିବ । ସବୁଥିରେ କେନ୍ଦ୍ର ସରକାର ଜିଏସଟି ବସାଇ ଟିକସ ସଂଗ୍ରହ କରୁଛନ୍ତି । କେନ୍ଦ୍ର ସରକାର ଏଥିରେ ମାଲାମାଲ ହେଉଛନ୍ତି । ଲୋକଙ୍କୁ ଶସ୍ତାରେ ଖାଦ୍ୟ ସାମଗ୍ରୀ ଯୋଗାଇବା କେନ୍ଦ୍ର ଦାୟିତ୍ବ । କର୍ପୋରେଟ୍ ଜଗତକୁ ଯଦି ଖୁଚୁରା ବ୍ୟବସାୟରେ ଅନୁମତି ଦେଉଛନ୍ତି ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ପଡ଼ିବ । ଗୋଟିଏ ଅଞ୍ଚଳରେ ଭଲ ଉତ୍ପାଦନ ହେଉଥିବା ଫସଲକୁ ଯେପରି ସେହି ଅଞ୍ଚଳ ଭିତରେ ସୀମିତ ନ ରହିବ ତାକୁ ସମାନ ଭାବେ ସବୁ ଅଞ୍ଚଳରେ ପହଞ୍ଚାଇଲେ ଚାଷୀ ଉପକୃତ ହେବା ସହ ଖାଉଟି ବି ସୁହାଇଲା ଭଳି ଦରରେ ପାଇବେ । ଏହାଦ୍ବାରା ବଜାର ଶୃଙ୍ଖଳ ଆସିବ । ମହଙ୍ଗା ରାକ୍ଷସ କବଳରେ ଲୋକେ । ଏକଥା କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ସ୍ପଷ୍ଟ କଲାପରେ ବି ବିତଣ୍ଡା ଓ କିମ୍ଭୁତ କିମ୍ଭାକାର ଯୁକ୍ତି ବାଢୁଥିବା ରାଜ୍ୟ ସରକାରଙ୍କ ଯୋଗାଣ ମନ୍ତ୍ରୀଙ୍କ ପାଖରେ କଣ ଉତ୍ତର ତାକୁ ଜାଣିବାକୁ ଏବେ ଲୋକେ ଅପେକ୍ଷା କରିଛନ୍ତି ।

ଧିରେ ଧିରେ ଖୋଲିବାରେ ଲାଗିଛି ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାର ରହସ୍ୟ !

ନନ୍ଦିଘୋଷ ବ୍ୟୁରୋ : ସୈଫଙ୍କ ଘରେ କାମ କରୁଥିବା ଜଣେ କର୍ମଚାରୀଙ୍କ ସଂପର୍କୀୟଙ୍କ ହେଉଛି ଅଭିଯୁକ୍ତ। ସଂପୃକ୍ତ କର୍ମଚାରୀଙ୍କ ସହ ଅନେକ ସମୟରେ ସୈଫଙ୍କ ଘରକୁ ଯାଇଥିଲା। ସଦଗୁରୁ ସରଣ ଆପାର୍ଟମେଣ୍ଟର ୧୧ ନମ୍ବର ମହଲାରେ ରହୁଥିଲେ ସୈଫଙ୍କ ପରିବାର। ଆପାର୍ଟମେଣ୍ଟରେ ଥିଲା ଦୁଇଟି ପ୍ରବେଶ ଓ ପ୍ରସ୍ଥାନ ପଥ। ମୁଖ୍ୟ ପ୍ରବେଶ ପଥରେ ଦୁଇଟି ସିକ୍ୟୁରିଟୀ ଗାର୍ଡ ଥିବାବେଳେ ପଛପଟ ରାସ୍ତା ଦେଇ ପଶିଥିଲା ଆକ୍ରମଣକାରୀ। ପଛପଟ ପ୍ରସ୍ଥାନ ପଥରେ  ଲାଗିଥିବା ଲାଇଲନ ଜାଲ କାଟି ଘର ଭିତରକୁ ପ୍ରଶିଥିଲା। ମୁଖ୍ୟ ସିଡି କିମ୍ବା ଲିଫ୍ଟରେ ନଯାଇ ଅଭିଯୁକ୍ତ ଫାୟାର ଏକଜିଟ୍ ସିଡ଼ିକୁ ବାଛିଥିଲା। ପାହାଚରେ ଯାଇ ସୈଫଙ୍କ ଫ୍ଲାଟରେ ପଶିଥିଲା। ସିଡିରେ ଯାଉଥିବା ଦୃଶ୍ୟ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

ସୈଫଙ୍କ ସାନ ପୁଅ ଜାହାଙ୍ଗୀରଙ୍କ ରୁମକୁ ପଶି ବାଥରୁମକୁ ଯାଇ ଲୁଚି ରହିଥିଲା। ଡିନର୍ ପରେ   ଜାହାଙ୍ଗୀରଙ୍କ ସହ ତାଙ୍କ ସହାୟିକା ଏଲିୟାମା ରୁମକୁ ପଶିବା ପରେ ବାଥରୁମରେ ଅଭିଯୁକ୍ତର ଛାଇ ଦେଖିଥଲେ। ଏହାପରେ ସେଠାକୁ ଯିବାବେଳେ ଭିତରୁ ବାହାରି ଜାହାଙ୍ଗୀର ପାଖକୁ ଆସିଥିଲା ଅଭିଯୁକ୍ତ। ଜାହାଙ୍ଗୀରକୁ କେୟାରଟେକର ହଟାଇବାକୁ ଚେଷ୍ଟା କରିବାବେଳେ ଅଭିଯୁକ୍ତ ୧ କୋଟି ଦରକାର କହିଥିଲା। କେୟାରଟେକର ସହ ଅଭିଯୁକ୍ତର ଧସ୍ତାଧସ୍ତି ଓ ପାଟିତୁଣ୍ଡ ଶୁଣି ସେହି ରୁମରେ ଥିବା ଅନ୍ୟ ଜଣେ ସହାୟକ ଆର୍ଲାମ ବଜାଇଥିଲେ। ଏହାପରେ ସୈଫ ଜାହାଙ୍ଗୀରଙ୍କ ରୁମରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଥିବା ଉଦ୍ୟମ କରିଥିଲେ। ଧସ୍ତାଧସ୍ତିରେ ଅଭିଯୁକ୍ତ ପାଖରେ ଥିବା ଛୁରୀରେ ସୈଫଙ୍କ ପିଠି, ପେଟ ଓ ବେକକୁ ଆଘାତ କରିଥିଲା। ଛୁରୀଟି ସୈଫଙ୍କ ମେରୁଦଣ୍ଡ ନିକଟବର୍ତ୍ତୀ ହୋଇ ଭାଙ୍ଗି ରହି ଯାଇଥିଲା।

ସୈଫଙ୍କୁ ଯେଉଁ ଛୁରୀରେ ଆକ୍ରମଣ ହୋଇଥିଲା ତାହାର ଫଟୋ ଆସିଛି। ଅଢେଇ ଇଂଚ ଲମ୍ବ ରହିଛି ଏହି ଧାରୁଆ ଛୁରୀ। ଅପରେସନ କରି ଡାକ୍ତର ଏହି ଛୁରୀକୁ ବାହାର କରିଛନ୍ତି। ଦୁର୍ବୃତ୍ତ ପାଖରେ ଛୁରୀ ସହ ଅପରେସନରେ ବ୍ଯବହୃତ ହେକ୍ସାବ୍ଲେଡ୍ ଥିବା ମଧ୍ୟ ସୈଫଙ୍କ ସହାୟିକା କହିଛନ୍ତି। ସେପଟେ ଏହି ଛୁରୀ ଆଉ ଦୁଇ ମିଲିମିଟର ଭିତରକୁ ପଶିଥିଲେ ସ୍ଥିତି ଗମ୍ଭୀର ହୋଇଥାନ୍ତା ବୋଲି କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର। ସୈଫଙ୍କୁ ଏବେ ICUରୁ ଅନ୍ୟ ଏକ ସ୍ପେଶାଲ ରୁମକୁ ସ୍ଥାନାନ୍ତର କରାଯାଇଛି।ସୁସ୍ଥ ହେବାକୁ ଆଉ ସପ୍ତାହେ ସମୟ ଲାଗିବ। ଏବେ ଠିକରେ ଚଲାବୁଲା କରି ପାରୁଛନ୍ତି ସୈଫ। ମେରୁଦଣ୍ଡରୁ ବାହାରୁଥିବା ତରଳ ପଦାର୍ଥ ଧିରେ ଧିରେ ଠିକ ହେଉଥିବା କହିଛନ୍ତି ଡାକ୍ତର। ସେପଟେ ଅଭିଯୁକ୍ତକୁ ନେଇ ପଚରାଉଚରା କରୁଛି ମୁମ୍ବାଇ ପୋଲିସ।

ବାରମ୍ବାର ଦୁର୍ଘଟଣା ପରେ ବି ଚେତୁନି ଡାଲମିଆ ସିମେଣ୍ଟ

ରାଜଗାଙ୍ଗପୁର : ଆଉ କେତେ ଜୀବନ ଯିବ ? ବାରମ୍ବାର ଦୁର୍ଘଟଣା ପରେ ବି ଚେତୁନି ଡାଲମିଆ ସିମେଣ୍ଟ । ଶ୍ରମିକଙ୍କ ସହ ଖେଳାଯାଉଛି ଖେଳ । ଅନେକଙ୍କ ପରିବାର ଉଜାଡୁଥିବା ଅଭିଯୋଗ । ଗତକାଲି ପୁଣି ସୁନ୍ଦରଗଡ ରାଜଗାଙ୍ଗପୁରରେ ଥିବା ଏହି କାରଖାନାରେ ବଏଲର ନିକଟ ବଙ୍କର ଭୁଶୁଡ଼ି ପଡ଼ି ଦୁର୍ଘଟଣା ଘଟିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର ହୋଇନାହାନ୍ତି ନିଖୋଜ ୩ ଶ୍ରମିକ । ଉଦ୍ଧାର କାର୍ଯ୍ୟରେ ୨ଟି ଓଡ୍ରାଫ ଟିମ, ୫ଟି ଅଗ୍ନିଶମ ବାହିନୀ ଟିମ ନିୟୋଜିତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତି ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ନିଖୋଜ କର୍ମଚାରୀଙ୍କ ସଂପର୍କରେ କୌଣସି ଖୋଜ ଖବର ନ ପାଇବାରୁ କମ୍ପାନୀ କର୍ତ୍ତୃପକ୍ଷ ଏବଂ ପୋଲିସ ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପରିବାର ଲୋକ । ପ୍ରତିବାଦରେ କାରଖାନା ଭିତରକୁ ଧସେଇ ପଶିଛନ୍ତି । ବାରମ୍ବାର ଏଠି ଦୁର୍ଘଟଣା ଘଟୁଥିବାରୁ କାରଖାନାର ସମସ୍ତ ଷ୍ଟ୍ରକଚର ଯାଞ୍ଚ ପାଇଁ ରାଜଗାଙ୍ଗପୁର ବିଧାୟକ ରାଜେନ ଏକ୍କା ଦାବି କରିଛନ୍ତି । NIT କିମ୍ବା IIT ର ଜାତୀୟ ସ୍ତରର ଏକ ଟିମ ଯାଞ୍ଚ କରି ରିପୋର୍ଟ ଆସିବା ପର୍ଯ୍ୟନ୍ତ କାରଖାନାର ଉତ୍ପାଦନ ସମ୍ପୁର୍ଣ ଵନ୍ଦ କରି କାରଖାନା ସିଲ କରିବା ପାଇଁ ମଧ୍ୟ ଦାବି ରଖିଛନ୍ତି ବିଧାୟକ । ସେପଟେ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିଟୁ ଶ୍ରମିକ ସଂଗଠନ ପକ୍ଷରୁ ଦାବି ହୋଇଛି ।

ଗତ ନଭେମ୍ବର ୨୬ ତାରିଖରେ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡର ଓଭରହେଡ କନଭେୟର ବେଲ୍ଟ ଭୁଶୁଡି ପଡିଥିଲା । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୬ଜଣିଆ ଟିମ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ । ଏହାସହ ସିଟୁ ଶ୍ରମିକ ସଂଗଠନ ପକ୍ଷରୁ ରାଜଗାଙ୍ଗପୁର ଥାନାରେ କାରଖାନା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଏତଲା ଦିଆଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା । ତା ପୂର୍ବରୁ ୨୦୨୩ ନଭେମ୍ବରରେ ମଧ୍ୟ ଏହି କାରଖାନରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । କାରଖାନାରେ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ବିଭିନ୍ନ ରାଜନୈତିକ ଦଳ, ଶ୍ରମିକ ସଂଗଠନ ଓ ରାଜଗାଙ୍ଗପୁର ବାସିନ୍ଦା ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।  କାହିଁକି ଶ୍ରମିକଙ୍କ ସୁରକ୍ଷାକୁ ଧ୍ୟାନ ଦେଉନାହାନ୍ତି କମ୍ପାନୀ କର୍ତ୍ତୃପକ୍ଷ  ? ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ କାହିଁକି ସାଜିଛି ନିରବଦ୍ରଷ୍ଟା ? ଏନେଇ ଅନେକ ଅସମାହିତ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ କାରଖାନା ସମ୍ମୁଖରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

ପୁରୀ ଶ୍ରୀମନ୍ଦିରରେ ଲାଗୁହେଲା ପଞ୍ଚସୂତ୍ରୀ ନିୟମ, ଡ୍ୟୁଟିବେଳେ ପାନ, ଗୁଟଖା, ମୋବାଇଲ ମନା

ପୁରୀ : ଶ୍ରୀମନ୍ଦିରରେ ଲାଗୁ ହେଲା ପଞ୍ଚସୂତ୍ରୀ ନିୟମ । କୌଣସି ମାଦକଦ୍ରବ୍ଯ କିମ୍ବା ପାନ, ଗୁଟଖା ଖାଇ ଡ୍ଯୁଟି କରିବେନି କର୍ମଚାରୀ । ଶ୍ରୀମନ୍ଦିର ଭିତରେ ବ୍ଯବହାର ହେବନି ମୋବାଇଲ୍ । ଜାନୁଆରୀ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦେବେ ଅଧିକାରୀ ଓ କର୍ମଚାରୀ । ପ୍ରତି ଶୁକ୍ରବାର ହସ୍ତତନ୍ତ ଲୁଗା ପିନ୍ଧି କାର୍ଯ୍ଯାଳୟ ଆସିବେ ଅଧିକାରୀ ଓ କର୍ମଚାରୀ । ପ୍ରତ୍ୟେକ ମାସ ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କ ସ୍ତରରେ କାର୍ଯ୍ୟର ସମୀକ୍ଷା କରାଯିବ । ଏନେଇ ମାସିକ ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି । ଏହାକୁ ଅନୁପାଳନ ନକଲେ କାର୍ଯ୍ଯାନୁଷ୍ଠାନ ସହ ପଦୋନ୍ନତି, ପୁରସ୍କାର କିମ୍ବା କୌଣସି ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ନାହିଁ । ବଡ଼ଦେଉଳରେ ସ୍ୱଚ୍ଛତା ଓ ଶୃଙ୍ଖଳା ଆଣିବାରେ ଏହା ସହାୟକ ହୋଇପାରିବ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି ।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦୁର୍ନୀତିକୁ ଆଦୌ ପ୍ରଶୟ ଦିଆଯିବ ନାହିଁ । ଦୁର୍ନୀତି ନେଇ ପ୍ରମାଣ ମିଳିଲେ ତଦନ୍ତ କରି କାର୍ଯ୍ଯାନୁଷ୍ଠାନ ନିଆଯିବ ଓ ଆବଶ୍ଯକ ପଡ଼ିଲେ ଚାକିରିରୁ ବରଖାସ୍ତ କରାଯିବ । ମହାପ୍ରଭୁଙ୍କ ସମସ୍ତ ଭୂସମ୍ପତ୍ତିର ଡିଜିଟାଇଜେସନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସମସ୍ତ ବିଭାଗର କାର୍ଯ୍ୟ କମ୍ପୁଟରୀକରଣ କରାଯିବ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ମହାପ୍ରଭୁଙ୍କ ଖଣିଖାଦନରୁ ରାଜସ୍ୱ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି । ଭୂସମ୍ପତ୍ତିର ଜମିଜମା ସମସ୍ୟା ଓ ଜନ ଅଭିଯୋଗ ଶୁଣାଣୀ ପାଇଁ SHREE SAMPATI.COM ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି । ଅନଲାଇନ୍ ଡୋନେସନ୍ ବ୍ୟବସ୍ଥାକୁ ସୁଦୃଢ କରାଯିବ । ଶ୍ରୀମନ୍ଦିର ପ୍ରଶାସନର ସେଣ୍ଟ୍ରାଲ୍ ଲାଇବ୍ରେରୀରେ ଥିବା ସମସ୍ତ ପୁସ୍ତକର ଡିଜିଟାଇଜେସନ କରାଯିବ । ଶ୍ରୀମନ୍ଦିର ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଉତ୍ତରଦାୟୀ କରିବା ପାଇଁ ଏଭଳି ପଞ୍ଚସୂତ୍ରୀ କାର୍ଯ୍ୟାବଳୀ ଆରମ୍ଭ ହୋଇଛି । ତେବେ ଏଥିପାଇ ବଳିଷ୍ଠ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ବୁଦ୍ଧିଜୀବୀ

କେଳେଙ୍କାରୀ ଅଭିଯୋଗ ପରେ ଚଢିଲା ବୁଲଡୋଜର, ମାଟିରେ ମିଶିଲା ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମ

ଭୁବନେଶ୍ବର : ବିଳମ୍ବିତ ରାତିରୁ ବୁହା ଚାଲିଥିଲା ବିଳାସପୂର୍ଣ ସାମଗ୍ରୀ । ସକାଳୁ ସକାଳୁ ଉଠିଲା ଡିଜି ସେଟ, ଏସି, ଫ୍ରିଜ । ମିନି ଟ୍ରକରେ ବୁହାହୋଇ ଖାଲି କରିବା ପରେ ୧୧ ଟା ୪୫ରେ କଟିଲା ବିଜୁଳି । ଆଉ ୧୨ ପରେ ଆଶ୍ରମ ଉପରେ ଚଢିଲା ବୁଲଡୋଜର । ମାଟିରେ ମିଶିଲା ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମ । ଯେଉଁଠି ଦିନେ ହାରମୋନିୟମ, ମୃଦଙ୍ଗ ଓ ବଂଶୀ ସ୍ବରରେ ପ୍ରବଚନ ଶୁଭୁଥିଲା ସେଠି ଗୋଟିଏ ମୁହୂର୍ତ୍ତରେ ସବୁ ଭାଙ୍ଗି ଛାରଖାର ହୋଇଗଲା । ଆଶ୍ରମର ଫାଟକଠୁ ଆରମ୍ଭ କରି ପାଚେରୀ, ପ୍ରବଚନ ଦିଆଯାଉଥିବା ଅସ୍ଥାୟୀ ସେଡ, ରୋଷେଇ ଘର, ହଲ ସବୁ ଭାଙ୍ଗି ମାଟିରେ ମିଶିଗଲା । ୧୪୦ ଡିସମିଲ ବା ୭ ହଜାର ବର୍ଗଫୁଟ ପରିମିତ ଅଞ୍ଚଳ ଉପରେ ହୋଇଥିବା ବେଆଇନ ନିର୍ମାଣକୁ ଭାଙ୍ଗିଛି ପ୍ରଶାସନ । ହାଇକୋର୍ଟ ଷ୍ଟେ ଅର୍ଡର ହଟିବା ପରେ କିଛି ସମୟ ମାଗିଥିଲେ ଆଶ୍ରମ କର୍ତ୍ତୃପକ୍ଷ । କିନ୍ତୁ ପୂର୍ବରୁ ସମୟ ଦିଆଯାଇ ଥିବାରୁ ଆଉ ସମୟ ମିଳି ନଥିଲା ।

ଆଶ୍ରମ ଭଙ୍ଗାଯିବା ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ଗହଳି ଦେଖିବକୁ ମିଳିଥିଲା । ଏପରିକି ଆଶ୍ରମରୁ ବିଭିନ୍ନ ସାମଗ୍ରୀ ସ୍ଥାନାନ୍ତର କରିବା ସମୟରେ କୁନି କଳକୀ ପାଇଁ ଥିବା ବିଳାସପୂର୍ଣ୍ଣ ସାମଗ୍ରୀ ଯଥା ବଡି ମସାଜର ଆଦି ଦେଖିବାକୁ ମିଳିଥିଲା । ଯେଉଁଥିରେ ଫର ମହାପ୍ରଭୁ ଲେଖାଥିବା ଦେଖିବାକୁ ମିଳିଥିଲା । ଏପରିକି ଆଶ୍ରମ ପରିସରରୁ ଦାମୀ ବ୍ରାଣ୍ଡର ନେଲପଲିସ ତଥା ଅନ୍ୟ ବହୁ ସାମଗ୍ରୀ ଦେଖିବାକୁ ମିଳିଛି । ଅଧର୍ମ ବଢିଯିବାରୁ ବିନାଶ ହେଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସେପଟେ ଭକ୍ତ ଜଣଙ୍କ କାନ୍ଦି କାନ୍ଦି ଆଶ୍ରମ ସମ୍ମୁଖରେ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଥିଲା।  ଆଶ୍ରମର କେଳେଙ୍କାରୀ ପଦାକୁ ଆସିବା ପରେ ପୂର୍ବରୁ ବିଡିଏ ସରକାରୀ ଜମିରେ ଥିବା ଏହାକୁ ଭାଙ୍ଗିବାକୁ ନୋଟିସ କରିଥିଲା । ଆଶ୍ରମ ନିକଟରେ ବିଡିଏ, ବିଏମସି, ସାଧାରଣ ପ୍ରଶାସନ ଅଧିକାରୀ ଓ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟକୁ ବ୍ୟାପକ କରାଯାଇଥିଲା ।

ଲୋକଙ୍କ ପାଇଁ ନବୀକରଣ କଲେ ପୂର୍ବ ସରକାର, ହେଲେ ଲୋକଙ୍କ କାମରେ ଆସୁନି

କଟକ : ଲୋକଙ୍କ ଉଦ୍ଦେଶ୍ୟରେ ନବୀକରଣ କଲେ ପୂର୍ବ ସରକାର । ହେଲେ ଲୋକଙ୍କ କାମରେ ଆସୁନି ପ୍ରକଳ୍ପ । ପ୍ରଶାସନକ ଓ ସରକାରଙ୍କ ଅବହେଳାରୁ ବନ୍ଦ ପଡ଼ିଛି । ସିଡିଏ ଦ୍ଵାରା ପରିଚାଳିତ ଦୁଇଟି ମେଗା ପ୍ରକଳ୍ପକୁ ନେଇ ତେଜୁଛି ଜନ ଅସନ୍ତୋଷ । ନେତାଜୀ ଜନ୍ମସ୍ଥାନକୁ ଲାଗୁ ହୋଇଥିବା ବାଖ୍ୟାନ କେନ୍ଦ୍ର ଉଦଘାଟନ ପରେ ମଧ୍ୟ ବନ୍ଦ ପଡ଼ିଛି । ରାଜନୈତିକ ଉଦ୍ଦେଶ୍ଯ ରଖି ଅଧାପନ୍ତରୀଆ ଅବସ୍ଥାରେ କେନ୍ଦ୍ରମନ୍ତ୍ରୀ ଏହାକୁ ଉଦଘାଟନ କରିଦେଲେ । ସେହିପରି ୨୦୨୩ ନଭେମ୍ବରରୁ ନବୀକରଣ ପାଇଁ ବନ୍ଦ ରହିଛି ସିଡିଏ ସେକ୍ଟର ୧୩ ସ୍ଥିତ ବିଜୁ ପଟ୍ଟନାୟକ ପାର୍କ । ପ୍ରତିଦିନ ଏଠାକୁ ହଜାର ହଜାର ପର୍ଯ୍ଯଟକ ଆସୁଥିବାବେଳେ ପ୍ରକଳ୍ପ ବନ୍ଦ ଯୋଗୁଁ ନିରାଶ ଫେରୁଛନ୍ତି । ତୁରନ୍ତ ଏହି ଦୁଇଟି କେନ୍ଦ୍ର ଖୋଲିବା ସହ ନିୟମ ଆବଶ୍ଯକ କର୍ମଚାରୀ ନିଯୁକ୍ତି ପାଇଁ ଦାବି କରିଛି କଂଗ୍ରେସ।

ପୂର୍ବ ସରକାରଙ୍କ ସମୟରେ ଏହାର ନବୀକରଣ ପାଇଁ ଯୋଗାଇ ଦିଆଯାଇଥିଲା ଅର୍ଥ । ଓଡ଼ିଆ ବଜାର ପୁରୁଣା ଜେଲ ନିକଟରେ ବାଖ୍ୟାନ କେନ୍ଦ୍ର ୨୨ କୋଟି ବ୍ୟୟ ଅଟକଳ ଓ ୨୪ କୋଟି ଅଟକଳରେ ବିଜୁ ପଟ୍ଟନାୟକ ପାର୍କ ନବୀକରଣ ପାଇଁ କେନ୍ଦ୍ରୀୟ ଅନୁମତି ପ୍ରାପ୍ତ ଏଜେନ୍ସି NPCCକୁ ଦାୟିତ୍ୱ ଦିଆଯାଇଥିଲା । ତେବେ ଏଜେନ୍ସି ଏକାଧିକ ସବ ଏଜେନ୍ସି କୁ ଲଗାଇ ଏହି ପ୍ରୋଜେକ୍ଟ କରୁଛି । ଦୁଇଟି ପ୍ରକଳ୍ପର କାମ ଏକପ୍ରକାର ଶେଷ ହୋଇଛି । ତେଣୁ ଅନୁଧ୍ଯାନ ପରେ ଚଳିତମାସ ଶେଷ ସୁଦ୍ଧା ଏହା ଖୋଲାଯିବ ବୋଲି କହିଛନ୍ତି ସିଡିଏ ଅପାଧ୍ଯକ୍ଷ ।

ନବୀନଙ୍କ ପାଇଁ ଓଡ଼ିଶାରେ ଭିତ୍ତିଭୂମି ସୁଦୃଢ ହୋଇଛି : ବିଜେଡି

ଭୁବନେଶ୍ବର : ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଆସିଛନ୍ତି । ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ତରଫରୁ ତାଙ୍କୁ ଗସ୍ତକୁ ସ୍ବାଗତ କରୁଛି । ତେବେ ଆଜି ରାଜ୍ୟ ସରକାର ଖବର କାଗଜରେ ଦେଇଥିବା ବିଜ୍ଞାପନକୁ ନେଇ କଟାକ୍ଷ କରିଛି ବିଜେଡି। ବିଜେଡି ମୁଖପାତ୍ର ଲେଲିନ୍ ମହାନ୍ତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି,  ଦିଆଯାଇଥିବା ବିଜ୍ଞାପନରେ ସରକାର ଅଧା ସୂଚନା ଦେଇଛନ୍ତି ।  ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ଉଲ୍ଲେଖ କରିଥିଲେ ବିଜ୍ଞାପନଟି ସଂପୂର୍ଣ୍ଣ ହୋଇଥାନ୍ତା  । ବିଜେଡି ସରକାରଙ୍କ ୨୪ ବର୍ଷରେ ଓଡ଼ିଶାରେ ଟେକ୍ନୋଲଜିର ଭିତ୍ତିଭୂମି ସଶକ୍ତ ହୋଇପାରିଛି । ଏହାର ଶ୍ରେୟ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର । ଯାହାର ମୂଳଦୁଆ ଉପରେ ଛିଡ଼ା ହୋଇ ବିଜେପି ସରକାର ନିଜ ଅଭିସନ୍ଧି ପୂରଣ କରିପାରୁଛନ୍ତି ।  ସେତେବେଳେ ଯଦି ଭବିଷ୍ୟତକୁ ଦେଖି ସିଙ୍ଗାପୁର ସହିତ ସମ୍ପର୍କ ବଢାଇନଥାନ୍ତେ, ତାହେଲେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଷ୍ଟ୍ରପତିଙ୍କୁ ଦେଖାଇବା ପାଇଁ କିଛି ନଥାନ୍ତା। ଆଜିର ସରକାର ଡବଲ ଡେକର ବସ ଭଳି ଉଦଘାଟନ ପରେ ବନ୍ଦ ହୋଇ ପଡ଼ିଛି । ନବୀନଙ୍କ ଉଦ୍ଯମରେ ଆଇଟିଆଇ ଓ ୱାର୍ଲଡ ସ୍କିଲ ସେଣ୍ଟର ସ୍ଥାପିତ ହୋଇପାରିଥିଲା । ଯେଉଁଥିରେ କେନ୍ଦ୍ରର କାଣିଚାଏ ଅବଦାନ ନାହିଁ । ସେଠାରୁ ପ୍ରତିଭାମାନଙ୍କୁ ସିଙ୍ଗାପୁର ପଠାଇ ଟ୍ରେନିଂ ଦିଆଯାଇଛି । ଯାହାଫଳରେ ଆଜି ଓଡ଼ିଶାର ତିନିଟି ଆଇଟିଆଇ ଭାରତର ପ୍ରମୁଖ ୧୦ ସ୍ଥାନ ଭିତରେ ଅଛି । ୱାର୍ଲ୍ଡ ସ୍କିଲ ସେଣ୍ଟରରେ ୧୨୦୦ କୋଟି ଟଙ୍କା ନବୀନ ସରକାର ନିବେଶ କରିଥିଲେ । ଏଥିରେ ପ୍ରତ୍ୟେକ ବର୍ଷ ୧୫୦୦ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି । ସବୁବେଳେ ନିନ୍ଦୁଥିବା ବ୍ୟକ୍ତି କାହିଁକି ଆଜି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉନାହାନ୍ତି ବୋଲି ପ୍ରଶ୍ନ କରିଛି ସେ ପ୍ରଶ୍ନ କରିଛନ୍ତି ।

ବିଦ୍ୟୁତ୍ ତାର ଲାଗି ହରାଇଲେ ଦୁଇ ହାତ, ଆର୍ଥିକ ସହାୟତା ପାଇଁ ପରିବାରର ନିବେଦନ

ବ୍ରହ୍ମପୁର :  ଫୁଲ ତୋଳୁଥିବା ବେଳେ ବିଦ୍ୟୁତ ତାର ଲାଗି ଗୁରୁତର ଆହାତ ହୋଇଥିଲେ ଦିଗପହଣ୍ଡି କରପଡା ଗାଁର ରବି ବେହେରା। ଏଭଳି ଏକ ଦୁର୍ଘଟଣା ଘଟିବା ପରେ ତାଙ୍କର ଦୁଇ ହାତ କାଟି ଦିଆଯାଇଛି। ଦଶମ ଶ୍ରେଣୀରେ ପଢନ୍ତି ରବି। ଜଣେ ମେଧାବୀ ଛାତ୍ରୀ ଭାବେ ପରିଚିତ। ଆଗକୁ ପାଠ ପଢା କେମିତି ହେବ ସେଇ ଚିନ୍ତାରେ। ରବିଙ୍କୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ପରିବାର ସଦସ୍ୟ ।

ଯେତେବେଳେ ସାଙ୍ଗ ମାନେ ଘରେ ରାସ୍ତା ଦେଇ ସ୍କୁଲ ଯାଆନ୍ତି ସେତେବେଳେ ରବି ନିଜ ସହପାଠୀଙ୍କୁ ଦେଖି ଆଖି ଛଳଛଳ କରିପକାନ୍ତି। ସେପଟେ ରବିକୁ ମାଟ୍ରିକ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ପ୍ରଧାନ ଶିକ୍ଷକ। ବିଦ୍ୟୁତ ବିଭାଗର ବେପରୱା କାର୍ଯ୍ୟ ଯୋଗୁଁ ତାଙ୍କ ଭାଇର ଭବିଷ୍ୟତ ନଷ୍ଟ ହୋଇଥିବା ରବିଙ୍କ ସମ୍ପର୍କୀୟ ଭାଇ ଅଭିଯୋଗ କରିଛନ୍ତି। ବିପଦ ପୂର୍ଣ୍ଣ ଭାବେ ତାର ଓହଳି ଅନେକ ଲୋକ ଗୁରୁତର ହେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

ରାଜନଗର ଡିଲର ପଏଣ୍ଟରେ ବ୍ୟାପକ ହରିଲୁଟ୍ ଅଭିଯୋଗ

ରାଜନଗର : କେନ୍ଦ୍ରାପଡ଼ା ରାଜନଗର ବ୍ଲକର ବିଭିନ୍ନ ଡିଲର ପଏଣ୍ଟରେ ହରିଲୁଟ୍ ଅଭିଯୋଗ। ସାଧାରଣ ହିତାଧିକାରୀ ମାନଙ୍କୁ ଭୂଆଁ ବୁଲାଇ ସେମାନଙ୍କ ପ୍ରାପ୍ୟ ଚାଉଳ ଲୁଟ୍ କରୁଛନ୍ତି ଡିଲର। ଡେରା ସମବାୟ ସମିତି ଡେରା ପଞ୍ଚାୟତରୁ ଏଭଳି ସଙ୍ଗିନ ଅଭିଯୋଗ ଆସିଛି। କେବଳ ଡେରା ନୁହେଁ ବିଭିନ୍ନ ଡିଲର ପଏଣ୍ଟରେ ହିତାଧିକାରୀଙ୍କ ସମାନ ଅଭିଯୋଗ।  ଉଷୁନା ବଦଳରେ ଅରୁଆ ଚାଉଳ ଦେବା , ଚାଉଳ ଠିକା ସଂସ୍ଥା ଦେଇନାହିଁ କହି ହିତାଧିକାରୀଙ୍କୁ ଚାଉଳ ବଦଳରେ ଟଙ୍କା ଦେବା ଭଳି ଗୁରୁତର ଅଭିଯୋଗ ହୋଇଛି । ଏହା ସହ ଠିକା ସଂସ୍ଥା ଡିଲର ପଏଣ୍ଟ କୁ ଯୋଗାଉଥିବା ଚାଉଳ ବସ୍ତାରେ ୫୦ କେଜି ୬୦୦ଗ୍ରାମ ରହିବା କଥା, ମାତ୍ର ଠିକା ସଂସ୍ଥା ଚଞ୍ଚକତା କରି ପ୍ରତି ବସ୍ତାରୁ ୪ରୁ ୫ କେଜି ଲୁଟିନେଇଥିବା ଏବଂନିମ୍ନ ମାନର ଚାଉଳ ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ରାଜନଗର ବ୍ଲକରେ ମୋଟ ରାସନ୍ କାର୍ଡ ସଂଖ୍ୟା ୩୭ ହଜାର ୧୧୧ ଥିବାବେଳେ, ଜାତୀୟ ଖାଦ୍ଯ ସୁରକ୍ଷା କାର୍ଡ ୩୪ ହଜାର ୮୦୦, ରାଜ୍ଯ ଖାଦ୍ଯ ସୁରକ୍ଷା କାର୍ଡ ୨୩୧୧ ଟି ଓ ୩୭୦୪ ଟି ଅନ୍ତୋଦୟ କାର୍ଡ ରହିଛି । ମୋଟ ହିତାଧିକାରୀ ଙ୍କ ସଂଖ୍ୟା ୧ ଲକ୍ଷ ୨୨ ହଜାର ୫୦୮ ରହିଛି। ବ୍ଲକରେ ୫୧ଟି ଡିଲର ପଏଣ୍ଟ ରହିଛି। ପୂର୍ବରୁ ରାସନ୍ କେଳେଙ୍କାରୀରେ ଲିପ୍ତ ଥିବା ୬ ଜଣ ଡିଲରଙ୍କୁ ଯୋଗାଣ ବିଭାଗ ନିଲମ୍ବନ କରିଥିଲା। ତଥାପି ଥମୁନି ରାସନ୍ ଚାଉଳ ଲୁଟ୍। ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ସରକାର ଏହି ଯୋଜନା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କାହିଁକି ରାଜନଗର ବ୍ଲକରେ ଫେଲ ମାରିଛି ଏହି ଯୋଜନା । କେବେ ଏହି ଯୋଜନାରେ ସ୍ଵଚ୍ଛତା ଆସୁଛି ତାହା ଦେଖିବାକୁ ବାକି ରହିଲା।