spot_img
Home Blog Page 1238

ଭାରତ-ଇଂଲଣ୍ଡ ଦ୍ବିତୀୟ T-20 ଆଜି: ବିଜୟ ଧାରା ବଜାୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଚେନ୍ନାଇ: ଆଜି ଭାରତ – ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ । କ୍ୟାପଟେନ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ସନ୍ଧ୍ୟା ୭ରେ ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚ ଦେଖିବାକୁ ଏବେ ଠାରୁ ଦାର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଲାଣି । ୫ ଟିକିଆ ମ୍ୟାଚ ବିଶିଷ୍ଟ ଏହି ଟି ୨୦ ସିରିଜରେ ଭାରତ ୧-୦ରେ ଆଗୁଆ ରହିଥିବା ବେଳେ ଚେନ୍ନାଇରେ ବିଜୟ ଧାରା
ମଧ୍ୟ ବଜାୟ ରଖିବାକୁ ଚେଷ୍ଟା କରିବ ଟିମ ଇଣ୍ଡିଆ ।

ସେହିଭଳି ଇଂଲଣ୍ଡ ଟିମ ମଧ୍ୟ ମ୍ୟାଚ ଜିତି ବରାବର ସ୍ଥିତିକୁ ଆସିବାକୁ ଚେଷ୍ଟା କରିବ । ସେପଟେ ବ୍ୟାଟର ଅଭିଶେକ ଶର୍ମା ଆହତ ହେବା କାରଣରୁ ଏହି ମ୍ୟାଚ ଖେଳିବା ନେଇ ଅନିଶ୍ଚିତତା ଦେଖା ଦେଇଛି । ତେଣୁ ଭାରତୀୟ ଦଳରେ କିଛି ପରିବର୍ତ୍ତନ ହେବ ବୋଲି ଆଶଙ୍କା କରାଯାଉଛି । ଭାରତ-ଇଂଲଣ୍ତ ମଧ୍ୟରେ ପ୍ରଥମ ଟି ୨୦ କୋଲକାତାରେ ଖେଳାଯାଇଥିଲା । ଉକ୍ତ ମ୍ୟାଚରେ ଭାରତର ରୋମାଞ୍ଚକର ବିଜୟ ହୋଇଥିଲା । ଭ୍ରମଣକାରୀ ଦଳ ଇଂଲଣ୍ଡକୁ ୭ ଓ୍ବିକେଟରେ ମାତ ଦେଇଥିଲା ଟିମ ଇଣ୍ଡିଆ ।

ନିୟନ୍ତ୍ରଣ ବାହାରେ କଣାସ ହଇଜା: ୪ ଜଣ ପ୍ରାଣ ହରାଇବା ସହ ଦୁଇ ଶହରୁ ଅଧିକ ଆକ୍ରାନ୍ତ ହେଲେଣି

କଣାସ: କଣାସରେ ନିୟନ୍ତ୍ରଣକୁ ଆସୁନି ହଇଜା। ୧୫ ଦିନ ହେଲା କଲବଲ କଲାଣି। ହଇଜାରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ, ଦୁଇ ଶହରୁ ଅଧିକ ଆକ୍ରାନ୍ତ ହେଲେଣି। ଗତକାଲି ବିଭିନ୍ନ ଅଞ୍ଚଳର ୧୬ ଜଣ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗଡିସାଗଦା ଓ ଗୋପିନାଥପୁର ପଞ୍ଚାୟତରୁ ୪ ଜଣ ନୂଆ ଆକ୍ରାନ୍ତ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଜାରି ରହିଥିଲେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ବ୍ଲିଚିଂ ମିଳୁନଥିବା ଲୋକେ ଅଭିଯୋଗ କରିଛନ୍ତି। ହଇଜା କେବେ ନିୟନ୍ତ୍ରଣ ହେବ, ତାକୁ ନେଇ ଚିନ୍ତାରେ ପଡିଛନ୍ତି ସ୍ଥାନୀୟ ବାସିନ୍ଦା। ଗତକାଲି ବିଧାୟକ ଅରୁଣ ସାହୁଙ୍କ ନେତୃତ୍ବରେ ବିଜୁ ଜନତା ଦଳର ଅନୁସନ୍ଧାନକାରୀ ଟିମ୍ ନୂଆଗାଁ ଯାଇ ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଥିଲେ। ଗାଁ ଲୋକଙ୍କ ସହ ଆଲୋଚନା କରିବା ସହ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ତଥ୍ୟ ସଂଗ୍ରହ କରିଥିଲେ। ହଇଜା ସ୍ଥିତି ଉଦ୍‌ବେଗଜନକ ଥିବାରୁ ସରକାରଙ୍କ ଉପରେ ବର୍ଷିଥିଲା ବିଜେଡି ଟିମ୍।

ପୁଣି ଦେଶରେ ନମ୍ବର ଓ୍ବାନ ହେଲା ନବୀନ ରୋଲ ମଡେଲ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆର୍ଥିକ ସୂଚକାଙ୍କରେ ଓଡ଼ିଶା ଏକ ନମ୍ବର

ଭୁବନେଶ୍ବର: ପୁଣି ଦେଶରେ ନମ୍ବର ଓ୍ବାନ ହେଲା ନବୀନ ରୋଲ ମଡେଲ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆର୍ଥିକ ସୂଚକାଙ୍କରେ ଓଡ଼ିଶା ହୋଇଛି ଏକ ନମ୍ବର। ଆର୍ଥିକ ସୂଚକାଙ୍କ ୨୦୨୫ ସଂକ୍ରାନ୍ତ ନୀତି ଆୟୋଗ ରିପୋର୍ଟରେ ଓଡ଼ିଶାକୁ ଏକ ନମ୍ବରରେ ରଖାଯାଇଛି। ଆର୍ଥିକ କ୍ଷେତ୍ରରେ ସର୍ବାଧିକ ୬୭.୮ ପଏଣ୍ଟ ସହିତ ଓଡ଼ିଶାର ସ୍ଥାନ ସର୍ବାଗ୍ରେ ରହିଛି। ଋଣ ସୂଚକାଙ୍କରେ ୯୯ ପ୍ରତିଶତ ଓ ଋଣଗତ ସହନଶୀଳତା ୬୪ ପ୍ରତିଶତ ରହିଛି। ଏହାସହ ବ୍ୟୟ ଗୁଣବତ୍ତା ଓ ରାଜସ୍ବ ସମ୍ବଳ ସଂଗ୍ରହ କ୍ଷେତ୍ରରେ ବି ଓଡ଼ିଶା ଉଲ୍ଲେଖନୀୟ ଭାବେ ସଫଳତା ହାସଲ କରିଛି। ଏହି ସମୟ କାଳ ମଧ୍ୟରେ କମ୍ ରାଜସ୍ବ ନିଅଣ୍ଟ, ଋଣ ପରିଚାଳନା, ହାରାହାରି ପୁଞ୍ଜିଗତ ଆକଳନ ଓ ଜିଏସଡିପି ଅନୁପାତ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଉତ୍ତମ ପାରଦର୍ଶିତା ହାସଲ କରିଛି। ନବୀନ ସରକାରର ପଞ୍ଚମ ପାଳି ତଥା 5T କାର୍ଯ୍ୟକାରିତା ପରେ ଏଭଳି ସଫଳତା ମିଳିଛି। ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ପାଇଁ ଓଡ଼ିଶା ପ୍ରଥମ ଥର ପାଇଁ ଏହି ସଫଳତା ହାସଲ କରିବା ସହ ସାରା ଦେଶରେ ନମ୍ବର ଓ୍ବାନ ହୋଇଛି। କେବଳ ଏହି କ୍ଷେତ୍ର ନୁହେଁ, ଅନେକ କ୍ଷେତ୍ରରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁ ଓଡ଼ିଶା କେନ୍ଦ୍ର ସରକାରଙ୍କ ଠାରୁ ପ୍ରଶଂସା ସାଉଣ୍ଟୁଛି। ସଫଳତା ପାଇଁ ଅନେକ ଥର ପୁରସ୍କୃତ ହୋଇଛି ଓଡ଼ିଶା।

ଟ୍ରମ୍ପଙ୍କ କଡ଼ା ନିର୍ଦ୍ଦେଶ ପରେ ପ୍ରବାସୀ ନାଗରିକ ଛାନିଆ

ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡା ନିର୍ଦ୍ଦେଶ ପରେ ହନ୍ତସନ୍ତ ଆମେରିକାରେ ଅବୈଧ ଭାବେ ରହୁଥିବା ପ୍ରବାସୀ। ହାତରେ ହାତକଡ଼଼ି ପକାଇ ବିମାନରେ ନିଜ ନିଜ ଦେଶକୁ ଫେରୁଛନ୍ତି ପ୍ରବାସୀ ନାଗରିକ। ଶପଥ ନେବାପରେ ରାଷ୍ଟ୍ରପତି ଟ୍ରମ୍ପଙ୍କ କଠୋର ନିର୍ଦ୍ଦେଶ ପରେ ପ୍ରବାସୀ ନାଗରିକଙ୍କ ମଧ୍ୟରେ ଛାନିଆ ପଶିଛି। ଦେଶରେ ଅବୈଧ ଭାବେ ରହୁଥିବା ନାଗରିକଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ପରେ ଅନେକ ଦେଶରେ ହଲଚଲ ସୃଷ୍ଟି ହୋଇଛି। ଏହା ମଧ୍ୟରେ ଆମେରିକାର ଏକ ଏୟାରପୋର୍ଟରେ ପ୍ରବେଶ ଅନୁମତି ନମିଳିବାରୁ ଦୁଇ ଭାରତୀୟ ନାଗରିକଙ୍କୁ ଏୟାରପୋର୍ଟରୁ ଭାରତକୁ ଫେରାଇ ଦେଇଛନ୍ତି ସେଠାକାର ପ୍ରଶାସନ। ଆମେରିକାରେ ରହୁଥିବା ଜଣେ ଦମ୍ପତିଙ୍କ ବାପାମାଆଙ୍କୁ ଆମରିକୀୟ ପ୍ରଶାସନ ଏୟାରପୋର୍ଟରୁ ଭାରତକୁ ଫେରାଇ ଦେଇଛନ୍ତି। ଭାରତକୁ ଫେରିବାକୁ ଟିକେଟ ନଥିବାରୁ ସେମାନଙ୍କୁ ବିମାନ ବନ୍ଦରକୁ ହିଁ ଫେରାଇ ଦିଆଯାଇଛି। ଭାରତୀୟ ଦମ୍ପତ୍ତିଙ୍କ ପିତାମାତାଙ୍କ ପାଖରେ ବି-୧ ବି-୨ ଭିସା ଥିଲା। ତେବେ ବର୍ତ୍ତମାନର ସରକାରଙ୍କ ନିୟମ ଅନୁସାରେ ସେମାନଙ୍କ ପାଖରେ ରିଟର୍ଣ୍ଣ ଟିକେଟ ଥିବା ଆବଶ୍ୟକ । ଫେରିବାକୁ ଟିକେଟ ନଥିବାରୁ ଉଭୟଙ୍କୁ ବିମାନବନ୍ଦରକୁ ଫେରାଇ ଦିଆଯାଇଛି।

ଆଉ ୪ ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡିବେ ହମାସ ଆତଙ୍କୀ: ମୁକ୍ତ ହେବାକୁ ଥିବା ୪ ପଣବନ୍ଦୀଙ୍କ ନାଁ ଘୋଷଣା କରିଛି ହମାସ

ଜେରୁଜେଲମ୍: ଇସ୍ରାଏଲ-ହମାସ ଯୁଦ୍ଧ ବିରତି ପ୍ରସଙ୍ଗ। ଆଜି ଆଉ ୪ ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡିବେ ହମାସ ଆତଙ୍କୀ। ମୁକ୍ତ ହେବାକୁ ଥିବା ୪ ପଣବନ୍ଦୀଙ୍କ ନାଁ ଘୋଷଣା କରିଛି ହମାସ। ସେମାନେ ହେଲେ କରିନା ଆରିଏଭ, ଡାନିଏଲା ଗିଲବୋଆ, ନାମା ଲେଭି ଏବଂ ଲିରି ଆଲବାଗ। ଏହି ୪ ମହିଳାଙ୍କୁ ଆଜି ଛାଡିବ ବୋଲି ଘୋଷଣା କରିଛି ଗାଜାରେ ସକ୍ରିୟ ଆତଙ୍କୀ ସଂଗଠନ ହମାସ। ପ୍ରତି ବଦଳରେ ଜଣେ ପଣବନ୍ଦୀଙ୍କ ବଦଳରେ ୫୦ ପାଲେଷ୍ଟିନୀୟ ବନ୍ଦୀଙ୍କୁ ଛାଡିବାକୁ ଦାବି କରିଛି ହମାସ। ସେହି ଅନୁସାରେ ମୋଟ ୨ଶହ ପଣବନ୍ଦୀଙ୍କୁ ଛାଡିବାକୁ ଦାବି କରିଛି ପାଲେଷ୍ଟାଇନ। ହମାସ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରତିର ଆଜି ସପ୍ତମ ଦିନ। ପୂର୍ବରୁ ପ୍ରଥମ ଦିନରେ ୩ ମହିଳା ପଣବନ୍ଦୀଙ୍କୁ ମୁକ୍ତ କରିଥିଲେ ହମାସ ଆତଙ୍କୀ। ଏହା ବଦଳରେ ୯୦ ଜଣ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିଥିଲା ଇସ୍ରାଏଲ। ଇସ୍ରାଏଲ ହମାସ ମଧ୍ୟରେ ୬ ସପ୍ତାହର ଏହି ପ୍ରଥମ ପର୍ଯ୍ୟାୟ ଯୁଦ୍ଧ ବିରତି। ଏହି କ୍ରମରେ ମୋଟ ୩୩ ଇସ୍ରାଏଲ ନାଗରିକଙ୍କୁ ଛାଡିବ ହମାସ। ପ୍ରତି ବଦଳରେ ହଜାରରେ ଅଧିକ ପାଲେଷ୍ଟିନୀୟ ନାଗରିକଙ୍କୁ ଛାଡିବାକୁ ସର୍ତ୍ତ ରଖିଛି ପାଲେଷ୍ଟାଇନ। ଏବେ ହମାସ ନିକଟରେ ମୋଟ ୯୪ ଜଣ ଇସ୍ରାଏଲ ନାଗରିକ ପଣବନ୍ଦୀ ଭାବେ ରହିଥିବା ସୂଚନା ମିଳିଛି।

ଆହୁରି ଦୁଇ ଦିନ ଅସ୍ତବ୍ୟସ୍ତ କରିବ ଘନ କୁହୁଡ଼ି: ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ବର: ଆହୁରି ଦୁଇ ଦିନ ଅସ୍ତବ୍ୟସ୍ତ କରିବ ଘନ କୁହୁଡ଼ି । ଅଧିକାଂଶ ଜିଲ୍ଲାରେ ଜିରୋ ଭିଜିବିଲିଟି ନେଇ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ଦେଖାଯିବନି ରାସ୍ତା। ରାତି ୨ଟାରୁ ସକାଳ ୯ ଟା ପର୍ଯ୍ୟନ୍ତ ରହିବ ଘନ କୁହୁଡ଼ିର ପ୍ରଭାବ। ଘାଟି ରାସ୍ତା ସହ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର। ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ନେଇ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ସୁନ୍ଦରଗଡ, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି ଏବଂ କୋରାପୁଟ କୁ ସତର୍କତା ଜାରି କରାଯାଇଛି।

ସେହିଭଳି ୨୬ ତାରିଖରେ ଘନ କୁହୁଡି ନେଇ ସୁନ୍ଦରଗଡ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, ପୁରୀ, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୨୭ ତାରିଖରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ଦୃଶ୍ୟମାନ କ୍ଷମତା ରହିବ। କିଛି ଜିଲ୍ଲାରେ ଜିରା ଭିଜିବିଲିଟି ମଧ୍ୟ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ଗୁରୁଚାପ ବଳୟର ପ୍ରଭାବ ଜାରି ରହିଛି। ଫଳରେ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଏହାର ପ୍ରଭାବରେ ଘନ କୁହୁଡି ଅନୁଭୂତ ହେଉଛି ବୋଲି ପାଣିପାଗ କେନ୍ଦ୍ର କହିଛି।

ପ୍ରଶାସନିକ କଳର ଅବହେଳା ଓ ଦାୟିତ୍ବହୀନତା ଯୋଗୁଁ କଣାସରେ ନିୟନ୍ତ୍ରଣକୁ ଆସୁନି ହଇଜା

କଣାସ: ନିୟନ୍ତ୍ରଣକୁ ଆସୁନି ହଇଜା । ପ୍ରଶାସନିକ କଳର ଅବହେଳା ଓ ଦାୟିତ୍ବହୀନତା ଯୋଗୁଁ ହଇଜାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହୋଇଛନ୍ତି । ସ୍ଥାସ୍ଥ୍ୟ ଅଧିକାରୀଙ୍କ ଘନଘନ ଗସ୍ତ ସତ୍ତ୍ବେ ଗତକାଲି ମଧ୍ୟ ଆଉ ୧୫ ଜଣ ଆକ୍ରାନ୍ତ ହୋଇଛନ୍ତି । କଣାସରେ ଏବେ ଟ୍ରିପଲ ଇଂଜିନ ସରକାର, ଅର୍ଥାତ ବିଧାୟକ, ସାଂସଦ ଓ ସରକାର ସବୁଠି ବିଜେପି । ଅଥଚ ୨୦୨୫ ମସିହାରେ ହଇଜାରେ ଲୋକେ ମୃତ୍ୟୁବରଣ କରିବା ଦୁର୍ଭାଗ୍ୟଜନକ । ପ୍ରଭାବିତ ଅଞ୍ଚଳ ଗସ୍ତ କରି ବିଜେଡି ଓ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଟିମ ଏନେଇ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ।

କଣାସ ବ୍ଲକରେ ହଇଜା ନିଦ ହଜାଇଛି । ପୁଣି ଥରେ ହଇଜାରେ ଆକ୍ରାନ୍ତ ହୋଇଛନ୍ତି ୧୫ ଜଣ । ଅସୁସ୍ଥମାନେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଆକ୍ରାନ୍ତମାନେ ହେଉଛନ୍ତି ଦୟା ଓ ମକରା ନଦୀ କୂଳିଆ ଗ୍ରାମର । କଣାସରେ ହଇଜା ନିୟନ୍ତ୍ରଣ କରିବାରେ ସରକାର ଫେଲ ମାରିଥିବା ବେଳେ ଗ୍ରାଉଣ୍ଡ ଜିରୋରେ ପହଁଚିଛନ୍ତି ବିଜେଡି ଟିମ । ବିଧାୟକ ଅରୁଣ ସାହୁ, ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ ଓ ବିଜେଡି ନେତା ସଂଜୟ ଦାସବର୍ମା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି । ହଇଜାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ବି ଭେଟିଛନ୍ତି । ଦୟା ନଦୀ ଜଳ ବିଷ ହୋଇ ସାରିଥିବା ବେଳେ ସରକାର ଏଦିଗରେ କୌଣସି ପଦକ୍ଷେପ ନେଇପାରୁନାହଁନ୍ତି । ସେପଟେ ଦୟା, ରାଜୁଆ ପାଣି ଚିଲିକାରେ ମିଶି ଏହି ଜୈବ ବିବିଧତାକୁ ମଧ୍ୟ ପ୍ରଭାବିତ କରିବାର ଆଶଙ୍କା ରହିଛି । କଣାସରେ ଟ୍ରିପଲ ଇଂଜିନ ସରକାର ଚାଲିଛି, ଅଥଚ ୨୦୨୫ରେ ଲୋକେ ହଇଜାରେ ମୃତ୍ୟୁବରଣ କରିବା ଦୁର୍ଭାଗ୍ୟଜନକ ।

ଗତକାଲି ମଧ୍ୟ ପିସିସିର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ କଣାସ ବ୍ଲକର ହଇଜା ପ୍ରଭାବିତ ଅଂଚଳ ଗସ୍ତ କରିଥିଲେ । ସ୍ଥିତି ଅନୁଧ୍ୟାନ ପରେ ଏହାକୁ ମହାମାରୀ ବୋଲି ଘୋଷଣା କରିବାକୁ ଦାବି କରାଯାଇଛି । ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛି କଂଗ୍ରେସ । ସେହିଭଳି ପ୍ରଭାବିତଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରନ୍ତୁ ଏବଂ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ହଇଜାରେ ଲୋକ ମରିବା ଲାଗି ସ୍ଥାନୀୟ ପ୍ରଶାସନ ଦାୟୀ ବୋଲି ଅଭିଯୋଗ କରି କଂଗ୍ରେସ ଗଡିଶାଗୋଦା ଥାନାରେ ମାମଲା ଦାଏର କରିଛି ।

କଣାସରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରତିଦିନ ଲୋକେ ହଇଜାରେ ଆକ୍ରାନ୍ତ ହେଉଛନ୍ତି । ଅଥଚ ସେଠାକୁ ସ୍ବାସ୍ଥ୍ୟମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ଏଯାଏଁ ନଯିବା କ୍ଷତିଗ୍ରସ୍ତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ।

ଆର୍ଥିକ ବର୍ଷ ସରିବାକୁ ବସିଲାଣି, ବଜେଟ୍ ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ସରକାର

ଭୁବନେଶ୍ବର: ଆର୍ଥିକ ବର୍ଷ ସରିବାକୁ ବସିଲାଣି । ବଜେଟ୍ ଅର୍ଥ ଖର୍ଚ୍ଚ କରିପାରିନାହାନ୍ତି ରାଜ୍ୟ ସରକାର । ରାଜସ୍ବ ଆଦାୟ ବି ନୈରାଶ୍ୟଜନକ । ଏହାସହ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ରାଜ୍ୟ ଅଂଶ ୧୦ ପ୍ରତିଶତରେ ସୀମିତ ରଖିବାକୁ କେନ୍ଦ୍ର ଆଗରେ ଦାବି ରଖନ୍ତୁ ସରକାର । ଆଜି ଅନୁଷ୍ଠିତ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ଏପରି ମତ ରଖିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଓ ଅର୍ଥନୀତି ବିଶେଷଜ୍ଞ । ଏହାସହ ବନ୍ଦ ପଡ଼ିଥିବା ଖଣିଗୁଡ଼ିକୁ ଚାଲୁ କରିବାକୁ ପାଇଁ ଦାବି ଉଠିଛି । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ବିକଶିତ ଓଡିଶା ଯେଉଁ ଉପାଦେୟ ମତାମତ ମିଳିଛି ତାକୁ କାର୍ଯ୍ୟକାରୀ କରିବେ । ଆସନ୍ତା ୧୭ ତାରିଖରେ ବିଧାନସଭାରେ ଆସିବ ୨୦୨୫-୨୬ ଲାଗି ସାଧାରଣ ବଜେଟ ।

ବଜେଟ୍ ଅର୍ଥ ଖର୍ଚ୍ଚ ହୋଇପାରିନି । କମିଛି ଟିକସ ଓ ଅଣଟିକସ ରାଜସ୍ବ ଆୟ । କୋଇଲା ଓ ଖଣିଜ ରୟାଲଟି ବୃଦ୍ଧି ଦାବିକୁ ଲଗାତାର କେନ୍ଦ୍ର ଅଣଦେଖା କରିଚାଲିଛି । ଡବଲ ଇଞ୍ଜିନ ସରକାର ଆସିବା ପରେ ଓଡ଼ିଶା କାହିଁକି ତାର ହକ୍ରୁ ବଞ୍ଚିତ ହେବ ? ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ଏପରି ଦାବି କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଓ ଅର୍ଥନୀତି ବିଶାରଦ ।

୨୦୨୪-୨୫ ଆର୍ଥିକ ବର୍ଷର ତୃତୀୟ କ୍ବାର୍ଟର ସୁଦ୍ଧା ବଜେଟ୍ ଅର୍ଥର ମାତ୍ର ୫୦ ପ୍ରତିଶତ ଖର୍ଚ୍ଚ ହୋଇଛି । ଆଉ ମାତ୍ର ଦୁଇମାସ ଭିତରେ ୭୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇପାରିବ କି ନାହିଁ ସନ୍ଦେହ । ସେପଟେ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ କେନ୍ଦ୍ର ସରକାର ସବୁବେଳେ ରାଜ୍ୟ ଉପରେ ଅଧିକ ଆର୍ଥିକ ବୋଝ ଲଦି ଚାଲିଛନ୍ତି । କେନ୍ଦ୍ର ସେସ୍ ଓ ସର୍ଚାଜ ଜରିଆରେ ନିଜର ଟ୍ରେଜେରୀ ଭରୁଥିବା ବେଳେ ସେହି ଅନୁପାତରେ ରାଜ୍ୟମାନେ ଲାଭବାନ ହେଉନାହାଁନ୍ତି । କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ରାଜ୍ୟମାନଙ୍କୁ ୬୦:୪୦ ଅନୁପାତ ବଦଳରେ ୯୦:୧୦ ହାରରେ ଅର୍ଥ ମଞ୍ଜୁର କରିବାକୁ ଦାବି ରଖୁ ରାଜ୍ୟ । ଫଳରେ ରାଜ୍ୟର ଆୟ ବୃଦ୍ଧି ହେବ ବୋଲି ପୂର୍ବତନ ଅର୍ଥମନ୍ତ୍ରୀମାନେ ପ୍ରସ୍ତାବ ଦେଇଛନ୍ତି ।

ସେହିଭଳି ଖଣି ସମୃଦ୍ଧ ରାଜ୍ୟମାନେ ଖଣି ଉପରୁ ସେସ୍ ଆଦାୟ କରିପାରିବେ ବୋଲି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଲାଗୁ କରୁନାହାନ୍ତି । ଏହାଦ୍ବାରା ଓଡ଼ିଶା ଭଳି ରାଜ୍ୟ ବାର୍ଷିକ ଲକ୍ଷାଧିକ କୋଟି ଟଙ୍କା ହରାଉଛନ୍ତି । ଷୋଡ଼ଶ ଅର୍ଥ କମିଶନ ରାଜ୍ୟକୁ ଆସୁଛନ୍ତି । ପୂର୍ବ ନବୀନ ସରକାର ସମୟରେ ପଞ୍ଚଦଶ ଅର୍ଥ କମିଶନଙ୍କୁ କେବିକେ ଓ ଜଗନ୍ନାଥ ମନ୍ଦିର ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍ ଦାବି କରିଥିଲେ । କିନ୍ତୁ ଏହି ସ୍ବତନ୍ତ୍ର ଅର୍ଥ ମିଳିନାହିଁ । ଅର୍ଥ କମିଶନଙ୍କ ଆଗରେ ରାଜ୍ୟ ଏହି ପ୍ରସ୍ତାବକୁ ଦୋହରାଇବାକୁ ଦାବି ହୋଇଛି । ସେପଟେ ହୋଟେଲ ଶିଳ୍ପ ପାଇଁ ରାଜ୍ୟରେ ଅଧିକ ତାରକା ହୋଟେଲ ଖୋଲିବାକୁ ୧୦ ହଜାର କୋଟି ଟଙ୍କାର ପ୍ରସ୍ତାବ ଦେଇଛି ହାରୋ । ଗରିବ ଓ ନିମ୍ନ ମଧ୍ୟବିତ୍ତଙ୍କୁ ସ୍ବଳ୍ପ ମୂଲ୍ୟରେ ୪ ଲକ୍ଷ ବାସଗୃହ ଯୋଗାଇଦେବାକୁ ପ୍ରସ୍ତାବ ଦେଇଛି କ୍ରେଡାଇ ।

୨୦୨୪-୨୫ ଆର୍ଥିକ ବର୍ଷ ବଜେଟ୍ ଥିଲା ୨ ଲକ୍ଷ ୬୫ ହଜାର କୋଟି । ଯେଉଁଥିରେ ପ୍ରାୟ ୪୫ ହଜାର କୋଟି ଟଙ୍କାର ଋଣ ସରକାରଙ୍କୁ କରିବାକୁ ପଡ଼ିଥିଲା । ଆସନ୍ତା ବଜେଟର କଳେବର ବୃଦ୍ଧି ହେଲେ ରାଜ୍ୟର ଋଣଭାର ଆହୁରି ବଢିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ମଙ୍ଗୁ ନାହାନ୍ତି ଅବୁଝା; ରାଜ୍ୟ ବିଜେପି ମୁଖିଆଙ୍କ ନାଁରେ ବାଜି ପାରୁନି ମୋହର

ଭୁବନେଶ୍ବର: ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ ପରେ ଚାଲିଛି ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା । ହେଲେ ମଣ୍ଡଳ, ଜିଲ୍ଲା ଓ ରାଜ୍ୟ ସଭାପତି ନିର୍ବାଚନ ପାଇଁ ଡେଡଲାଇନ ସରିବା ପରେ ବି ଚୂଡ଼ାନ୍ତ ହୋଇପାରୁନି ତାଲିକା । ଜିଲ୍ଲାସ୍ତରରେ ବିବାଦ ତୁଟୁ ନଥିବାରୁ ସଭାପତିଙ୍କ ନାମରେ ମୋହର ବାଜିପାରୁନି । ଜାନୁଆରୀ ୧୦ ସୁଦ୍ଧା ଜିଲ୍ଲା ସଭାପତି ଓ ୧୫ ସୁଦ୍ଧା ରାଜ୍ୟ ସଭାପତି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଯାହା ଫେଲ୍ ମାରିଛି । ଅବୁଝାଙ୍କୁ ମନାଇବାକୁ ରାଜ୍ୟ କାର୍ଯ୍ୟାଳୟରେ ଚାଲିଛି ଘନ ଘନ ବୈଠକ ।

କିଏ ହେବେ ରାଜ୍ୟ ବିଜେପିର ପରବର୍ତ୍ତୀ ମୁଖିଆ ? କିଏ ସମ୍ଭାଳିବେ ଜିଲ୍ଲା ଦାୟିତ୍ବ ? ସରକାରୀ ଦଳ ହିସାବରେ ସାଙ୍ଗଠନିକ ମୁଖ୍ୟଙ୍କ ଗୁରୁତ୍ବ ବଢିଥିବାରୁ ପଦ ପଦବୀ ପାଇଁ ଚାଲିଛି ଅଙ୍କକଷା । ତୃଣମୂଳ ସ୍ତରରେ ଦଳ ଭିତରେ ବିଦ୍ରୋହ ଉଗ୍ରରୂପ ନେଇଥିବାରୁ ଚୂଡ଼ାନ୍ତ ହୋଇପାରୁନି ଜିଲ୍ଲା ସଭାପତିଙ୍କ ତାଲିକା । ପୁରୁଣା ବିଜେପି ଓ ନୂଆ ବିଜେପି ମଧ୍ୟରେ ଟଣାଓଟରା ସାଙ୍ଗକୁ ଗୋଷ୍ଠୀବାଦର ଆଧିପତ୍ୟ ପାଇଁ ବିଦ୍ରୋହ ବଢୁଛି ।

ଜାନୁଆରୀ ୧୦ ତାରିଖ ସୁଦ୍ଧା ଜିଲ୍ଲା ସଭାପତି ଓ ୧୫ ତାରିଖ ସୁଦ୍ଧା ରାଜ୍ୟ ସଭାପତି ନିର୍ବାଚିତ ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ବି କନ୍ଦଳ ଯୋଗୁଁ ହୋଇପାରୁନି ନିଷ୍ପତ୍ତି । ଗଞ୍ଜାମ, ନୟାଗଡ଼, ଭଦ୍ରକ, କଟକ, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼ ଭଳି ଜିଲ୍ଲାରେ ଜିଲ୍ଲା ସଭାପତି ପାଇଁ ଏକାଧିକ ନେତା ଆଶାୟୀ ଥିବାରୁ ସହମତି ହୋଇପାରୁନାହିଁ । ବିଜେପି ନିଜ ଦଳର ବିଦ୍ରୋହ ଲୁଚାଇବା ପାଇଁ ଅନ୍ୟ ଦଳ ଆଡ଼କୁ ଇଙ୍ଗିତ କରୁଛି ବୋଲି ବିଜେଡ଼ି କହିଛି । ତେବେ ଦୁଇ ଚାରିଦିନ ମଧ୍ୟରେ ଜିଲ୍ଲା ସଭାପତି ଚୂଡ଼ାନ୍ତ ହେବେ ବୋଲି କହିଛି ବିଜେପି ।

ସେପଟେ ବିଜେପିର ବୃଦ୍ଧି ଘଟୁଥିବାରୁ ଲୋକଙ୍କ ଆଶା ବଢୁଛି ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ । ସଂସଦୀୟ କାର୍ଯ୍ୟ ଯୋଗୁଁ ପ୍ରକ୍ରିୟା ବିଳମ୍ବ ହୋଇଛି । ଜିଲ୍ଲା ସଭାପତି ପାଇଁ ଏକାଧିକ ପ୍ରାର୍ଥିପତ୍ରକୁ ସ୍ବୀକାର କରିବା ସହ ଏବେ କାଗଜପତ୍ର ଯାଞ୍ଚ ଚାଲିଛି ବୋଲି କହିଛନନ୍ତି ସାଂସଦ । ଜିଲ୍ଲା ସଭାପତିକୁ ନେଇ ରହିଥିବା ଦ୍ବନ୍ଦ୍ବ ଉପରେ କୌଣସି ନେତା ଗଣମାଧ୍ୟମରେ କିଛି ନ କହିବାକୁ ଏକ ପ୍ରକାର ଫତଓ୍ବା ଜାରି ହୋଇଛି । ଦଳ ଭିତରେ ଥିବା ଅସନ୍ତୋଷକୁ ଚାପି ଦେବା ପାଇଁ ଉଦ୍ୟମ ଚାଲିଥିବା ବେଳେ ସବୁ କିଛି ସହମତି ଭିତ୍ତିରେ ଚାଲିଛି ବୋଲି ନେତା କହୁଛନ୍ତି ।

ଜାନୁଆରୀ ଶେଷ ସୁଦ୍ଧା ଜିଲ୍ଲା ସଭାପତି ସହ ରାଜ୍ୟ ସଭାପତି ଚୂଡ଼ାନ୍ତ ହେବ । ତେବେ ରାଜ୍ୟ ସଭାପତି ପୂର୍ବରୁ ଜିଲ୍ଲା ସଭାପତି ପାଇଁ ଦୌଡ଼ରେ ଆଶାୟୀ ଅନେକ ଥିବାରୁ ଏମାନଙ୍କୁ ମନାଇବା ବିଜେପି ନେତୃତ୍ବ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ।

ସଂସଦ ବଜେଟ ଅଧିବେଶନ ପୂର୍ବରୁ ବିଜେଡି ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ନବୀନ

ଭୁବନେଶ୍ବର: ସଂସଦ ବଜେଟ ଅଧିବେଶନ ଲାଗି ଆସନ୍ତା ୨୮ ତାରିଖରେ ବସିବ ବିଜେଡି ସଂସଦୀୟ ଦଳ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ବଜେଟ ଅଧିବେଶନ ନେଇ ପ୍ରସ୍ତୁତ ହେବ ରଣନୀତି । ରାଜ୍ୟ ସ୍ବାର୍ଥ ସହ ବିଭିନ୍ନ ଜାତୀୟ ସ୍ତରର ପ୍ରସଙ୍ଗରେ ଦଳର ଆଭିମୁଖ୍ୟ କ’ଣ ରହିବ ସେ ନେଇ ଆଲୋଚନା ହେବ l ବିଶେଷ କରି ୱାନ ନେସନ ୱାନ ଇଲେକ୍ସନ ନେଇ ଦଳର ଆଭିମୁଖ୍ୟ କ’ଣ ହେବ ତର୍ଜମା ଚାଲିଛି । ଆସନ୍ତା ୩୧ ତାରିଖରେ ସର୍ବଦଳୀୟ ବୈଠକ ବସିବ। ତା’ପୂର୍ବରୁ ବିଜେଡିର ଆଭିମୁଖ୍ୟ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ କେନ୍ଦ୍ରର ବଜେଟ ଅଧିବେଶନ ।

୨୮ ତାରିଖରେ ବିଜେଡି ସଂସଦୀୟ ଦଳ ବୈଠକ । ରାଜ୍ୟ ସ୍ବାର୍ଥ ଲଢ଼େଇ ପାଇଁ ଚୂଡାନ୍ତ ହେବ ରଣନୀତି । ୱାନ ନେସନ ୱାନ ଇଲେକ୍ସନ ଆଭିମୁଖ୍ୟ ନେଇ ହେବ ଚର୍ଚ୍ଚା । ସଂସଦର ବଜେଟ ଅଧିବେଶନ ନେଇ ବିଜେଡିର ସଜବାଜ । ଆସନ୍ତା ୨୮ରେ ସନ୍ଧ୍ୟା ୬ଟାରେ ବସିବ ବିଜେଡି ସଂସଦୀୟ ଦଳ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ହେବାକୁ ଥିବା ଏହି ବୈଠକରେ ଦଳର ୭ ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ନବୀନ ।

ଶୀତ ଅଧିବେଶନରେ ବିଜେଡିର ୭ ସାଂସଦଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା । ବଜେଟ ଅଧିବେଶନରେ ସାଂସଦ ରାଜ୍ୟ ସ୍ବାର୍ଥ ପ୍ରସଂଗକୁ କିପରି ଶାଣିତ କରିବେ ତାହା ଉପରେ ବୈଠକରେ ଫୋକସ ରହିବ । ରାଜ୍ୟର ସ୍ଵାର୍ଥ ସମ୍ବଳିତ ପ୍ରସଙ୍ଗକୁ ଗୃହରେ ଉଠାଇ ହକ ପାଇଁ ଆରପାର ଲଢେଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେଡି ସାଂସଦ । ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା, ପୋଲାଭରମ, ମହାନଦୀ କୋଇଲା ରୟାଲଟି ବୃଦ୍ଧି ସହ ଅନ୍ୟ ପ୍ରମୁଖ ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇବାକୁ ପ୍ରସ୍ତୁତ ହେଉଛନ୍ତି । ଓଡ଼ିଶାର ସ୍ଵର ସାଜି ସଂସଦରେ ହକ ପାଇଁ ଲଢେଇ ଜାରି ରଖିବେ ବୋଲି କହିଛନ୍ତି ସାଂସଦ ସୁଲତା ଦେଓ ।

ରାଜ୍ୟ ସ୍ବାର୍ଥ ସମେତ ବିଜେଡିର ୭ ସାଂସଦ ବିଭିନ୍ନ ଜାତୀୟ ପ୍ରସଂଗରେ ମଧ୍ଯ ଶାଣିତ ସ୍ବର ଉପସ୍ଥାପନ କରିବେ । ଆସନ୍ତା ୩୧ ତାରିଖରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଥିବାବେଳେ ସେହିଦିନ ୱାନ ନେସନ ୱାନ ଇଲେକ୍ସନ ନେଇ ଜେପିସି ବୈଠକ ବସିବ । ବିଜେଡି ସାଂସଦ ମାନସ ମଙ୍ଗରାଜ ଜେପିସିର ସଦସ୍ୟ ଅଛନ୍ତି । ଜେପିସିର ପ୍ରଥମ ବୈଠକରେ ଏନଡିଏକୁ ସବୁବେଳେ ସାଥ ଦେଇଥିବା ଜଗନ ରେଡ୍ଡୀଙ୍କ ଦଳ ଏକକ ନିର୍ବାଚନକୁ ବିରୋଧ କରିଥିଲା । ଯାହାକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି । ସୁପ୍ରିମୋ ନବୀନ ପଟ୍ଟନାୟକ ୱାନ ନେସନ ୱାନ ଇଲେକ୍ସନ ନେଇ ସ୍ପଷ୍ଟ ମତ ରଖିଥିବା କହିଛନ୍ତି ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । ଦଳ ଏବେ ଏ ପ୍ରସ୍ତାବକୁ ତର୍ଜମା କରୁଛି । ଠିକ୍ ସମୟରେ ଦଳ ତାର ଆଭିମୁଖ୍ୟ ସ୍ପଷ୍ଟ କରିବ । ସାଂସଦମାନଙ୍କ ସହ ସୁପ୍ରିମୋ ନବୀନ ସମସ୍ତ ବିଷୟ ନେଇ ଆଲୋଚନା କରିବେ ।

ଶୀତ ଅଧିବେଶନ ପରି ବଜେଟ ଅଧିବେଶନରେ ମଧ୍ୟ ବିଜେଡ଼ି ଓଡ଼ିଶାବାସୀଙ୍କ ସ୍ବର ସାଜିବ । ଓଡ଼ିଶାର ଦୀର୍ଘଦିନର ଦାବି କେନ୍ଦ୍ର ଶୁଣୁ ନଥିବାରୁ ପୁଣି ଥରେ ରାଜ୍ୟସଭାରେ ପ୍ରମୁଖ ପ୍ରସଙ୍ଗ ଉଠାଇ ସାଂସଦମାନେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ ।