spot_img
Home Blog Page 1170

ପ୍ରଥମ ଦିନିକିଆ: ଇଂଲଣ୍ଡକୁ ୪ ଓ୍ବିକେଟରେ ହରାଇଲା ଭାରତ

ନାଗପୁର: ନାଗପୁର ଦିନିକିଆରେ ଭାରତର ଦମଦାର ବିଜୟ । ୪ ଓ୍ବିକେଟରେ ଇଂଲଣ୍ଡକୁ ହରାଇଲା ଟିମ୍ ଇଣ୍ଡିଆ । ୩୮ ଓଭର ୪ଟି ବଲରେ ୬ ଓ୍ବିକେଟ ହରାଇ ୨୫୧ ରନ କଲା ଭାରତ ।

ଟସ ଜିତି ଇଂଲଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡ ୪୭ ଓଭର ୪ଟି ବଲରେ ସମସ୍ତ ଓ୍ବିକେଟ ୨୪୮ ରନ୍ କରିଥିଲା । ଫଳରେ ଭାରତ ଆଗରେ ୨୪୯ ରନର ବିଜୟ ଲକ୍ଷ୍ୟ ରହିଥିଲା । ତେବେ ଭାରତର ଆରମ୍ଭ ଭଲ ହୋଇ ନଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ସହ ପଡ଼ିଆକୁ ଓହ୍ଲାଇ ଥିବା ଯଶସ୍ବୀ ଜୟସ୍ବାଲ ଦଳୀୟ ସ୍କୋର ୧୯ ଥିବା ବେଳେ ମାତ୍ର ୧୫ ରନ କରି ଆଉଟ ହୋଇଥିଲେ । ତାଙ୍କ ପରେ ପରେ ୭ଟି ବଲରୁ ୨ ରନ୍ କରି ପୁଣି ଫ୍ଲପ ହୋଇଥିଲେ ରୋହିତ ।

ପରେ ପାଳି ସମ୍ଭାଳିଥିଲେ ଶୁଭମନ ଗିଲ ଏବଂ ଶ୍ରେୟସ ଆୟାର । ଶ୍ରେୟସ ମାତ୍ର ୩୬ ବଲରେ ଧୂଆଁଧାର ୫୯ ରନର ପାରି ଖେଳିଥିଲେ । ଏଥିରେ ରହିଥିଲା ୨ଟି ଛକା ଓ ୯ଟି ଚୌକା । ୫୯ ରନରେ ଶ୍ରେୟସ ଆଉଟ ହେବା ପରେ ଆସିଥିଲେ ଅକ୍ଷର ପଟେଲ । ଶୁଭମନ ଗିଲ ୯୬ଟି ବଲରେ ୮୭ ରନ କରି ଆଉଟ ହୋଇଥିଲେ । ୮୭ ରନ ଭିତରେ ଥିଲା ୧୪ଟି ଚୌକା । ସେହିଭଳି ଅକ୍ଷର ପଟେଲ ୪୭ଟି ବଲ ଖେଳି କରିଥିଲେ ୫୨ ରନ । ଏଥିରେ ସେ ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଇଂଲଣ୍ଡ ତରଫରୁ ସକିବୁଲ ଏବଂ ଆଦିଲ ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଥିବା ବେଳେ ଜୋଫ୍ରା ଏବଂ ଜାକବ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଥିଲେ ।

ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପକ୍ଷରୁ ଅଧିନାୟକ ବଟଲର ୫୨, ଜାକବ ୫୧ ରନ କରିଥିବା ବେଳେ ଦୁଇ ଓପ୍ନର ସଲ୍ଟ ୪୩ ଏବଂ ଡକେଟ ୩୨ ରନ୍ କରିଥିଲେ । ଶେଷ ଆଡକୁ ଜୋଫ୍ରା ୨୧ ରନ କରି ଅପରାଜିତ ରହିଥିଲେ । ଇଂଲଣ୍ଡର ଅନ୍ୟ କୌଣସି ଖେଳାଳି ଭଲ ସ୍କୋର କରିପାରି ନଥିଲେ ।

ଭାରତ ତରଫରୁ ହର୍ସିତ ରାଣା ଏବଂ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏଁ ଓ୍ବିକେଟ୍ ନେଇଥିବା ବେଳେ ସାମୀ, ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଥିଲେ । ଆସନ୍ତା ୯ ତାରିଖରେ ଦ୍ବିତୀୟ ଦିନିକିଆ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ।

ଷୋଡ଼ଶ ଅର୍ଥ କମିଶନଙ୍କୁ ଭେଟିଲା ବିଜେଡି, କଲା ରାଜ୍ଯ ସ୍ବାର୍ଥ ସମ୍ପର୍କୀତ ଦାବି

ଭୁବନେଶ୍ବର: ବିଜେଡି ପ୍ରତିନିଧି ଦଳ ଷୋଡ଼ଶ ଅର୍ଥ କମିଶନଙ୍କୁ ଭେଟିଛି । କମିଶନଙ୍କୁ ଭେଟି ରାଜ୍ଯ ସ୍ବାର୍ଥ ସମ୍ପର୍କୀତ ଦାବି ଉତ୍ଥାପନ କରିଛି ବିଜେଡି । ସବୁଠୁ ଗୁରୁତ୍ବପୂର୍ଣ୍ଣ ସ୍ବତନ୍ତ୍ର ରାଜ୍ଯ ପାହ୍ଯା ମାନ୍ଯତାକୁ ପୁଣି କମିଶନଙ୍କ ଆଗରେ ଦୋହରାଇଛି ବିଜେଡି ।

ଉତ୍ତରପୂର୍ବ ରାଜ୍ୟଗୁଡିକ ପରି ୯୦:୧୦ ଅନୁପାତରେ କେନ୍ଦ୍ରୀୟ ସହାୟତା, ଖଣି ରୟାଲିଟି ବୃଦ୍ଧି କରିବାକୁ ଦଳ ଦାବି କରିଛି । ସେସ ସରଚାର୍ଜ ବୃଦ୍ଧି ହୋଇ ଚାଲିଛି କିନ୍ତୁ ସେହି ଅନୁସାରେ ରାଜ୍ଯକୁ ବଣ୍ଟା ଯାଉନି । ଏଥିରେ ମଧ୍ଯ ଅଂଶରେ ବୃଦ୍ଧି ଲାଗି ଦଳ ଦାବି କରିଛି । କ୍ଲିନ ଏନର୍ଜି, ପୂଜାସ୍ଥଳୀ ଗୁଡିକ ପାଇଁ ସ୍ୱତନ୍ତ୍ର ପାଣ୍ଠି ସହ ଅର୍ବାନ କ୍ଲଷ୍ଟର ୪ଟି କରିବାକୁ ପ୍ରସ୍ତାବ ଦିଆଯାଇଛି ।

ରାଜ୍ୟ ସରକାରଙ୍କ ଦାବି ଉପସ୍ଥାପନକୁ ବିଜେଡିର ସମାଲୋଚନା

ଅର୍ଥ କମିଶନଙ୍କ ଆଗରେ ଦାବି ଉପସ୍ଥାପନା ନେଇ ସରକାରଙ୍କୁ କଡା ସମାଲୋଚନା କରିଛି ବିଜେଡି । ୨୦୨୪ ନିର୍ବାଚନ ଇସ୍ତାହାରରେ ଯାହା କହିଥିଲେ ତାକୁ କାର୍ଯ୍ୟକାରୀ କରିବା ଲାଗି କମିଶନଙ୍କ ଆଗରେ ସରକାର ସେପରି ଉପଯୁକ୍ତ ଦାବି ଉପସ୍ଥାପନ କରିନାହାଁନ୍ତି । ଏହା ଦୁଃଖର ବିଷୟ ବୋଲି କହିଛନ୍ତି ବିଜେଡି ନେତା ଅମର ପଟ୍ଟନାୟକ । ଓଡ଼ିଶାକୁ ସ୍ୱତନ୍ତ୍ର ମାନ୍ୟତା ଦିଆଯାଉ ବୋଲି ମୁଖ୍ଯମନ୍ତ୍ରୀ ପଦୁଟିଏ ମଧ୍ୟ କହିଲେନି । ସେମାନେ ମେମୋରାଣ୍ଡମ ତିଆରି କରିଛନ୍ତି ନା ଆଉ କ’ଣ ବୋଲି ପ୍ରଶ୍ନ କରିଛନ୍ତି ଅମର । ଅର୍ଥ କମିଶନଙ୍କ ପରି ଏକ ବଡ଼ ପ୍ଲାଟଫର୍ମରେ ରାଜ୍ଯ ସ୍ବାର୍ଥକୁ ବଳିଦେବା କି ବୋଲି ପ୍ରଶ୍ନ କରିଛନ୍ତି ଅମର ।

ରାଜ୍ଯର ଆର୍ଥିକ ସ୍ଥିତି ଯୋଗୁଁ ସରକାର ଅଦିନିଆ ବର୍ଷାରେ ଚାଷୀଙ୍କୁ କ୍ଷତିପୂରଣ ଦେଇ ପାରୁନାହାନ୍ତି । ତେଣୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାଗିବାର ଥିଲା । କମିଶନଙ୍କ ଆଗରେ ରାଜ୍ଯର ସ୍ବାର୍ଥ ଉପସ୍ଥାପନ କରିବା କଥା । ଏଥିରେ ରାଜନୈତିକ ସ୍ୱାର୍ଥ ରହିବା କଥା ନୁହେଁ । ଏବେ ଡବଲ ଇଞ୍ଜିନ ସରକାର । ତେଣୁ ସରକାର ବେଶୀ ଦାବି ରଖିବା ଉଚିତ କହି ତେରେଚ୍ଛା ବାଣ ମାରିଛି ବିଜେଡି । ଡବଲ ଇଞ୍ଜିନ ସରକାର ଓଡ଼ିଶାବାସୀଙ୍କ ସ୍ୱାର୍ଥରେ ନାହିଁ । କେବଳ ନିଜର ସରକାର ବିଷୟରେ ଭାବୁଛନ୍ତି । ଏହା ରାଜ୍ୟବାସୀଙ୍କ ପାଇଁ ଗୋଟେ ଉପହାସ ବୋଲି କହିଛନ୍ତି ଅମର ।

ଷୋଡ଼ଶ ଅର୍ଥ କମିଶନଙ୍କୁ ଭେଟି ଦାବି ଉପସ୍ଥାପନ କଲା ବିଏମସି

ଷୋଡ଼ଶ ଅର୍ଥ କମିଶନଙ୍କୁ ଭେଟିବା ସହ ବିଭିନ୍ନ ଦାବି ରଖିଲେ ବିଏମସି ମେୟର ସୁଲୋଚନା ଦାସ । ସହରାଞ୍ଚଳ ପାଇଁ ଯାହା ଦରକାର ତାହା ଦାବି ରଖିଛୁ ବୋଲି କହିଛନ୍ତି ସୁଲୋଚନା । ଯେଉଁଠି ସହର ବଢୁଛି ସେଠି ଲୋକଙ୍କ ଆବଶ୍ୟକତା ବଢୁଛି । ସେଥିପାଇଁ ଭିତ୍ତିଭୂମି ବଢ଼ାଇବା ଉପରେ ଗୁରୁତ୍ୱ ଦେବାକୁ ଦାବି ରଖାଯାଇଛି । ପବ୍ଲିକ ଡେଲିଭରି ସିଷ୍ଟମକୁ ବଢ଼ାଇବା ସହ ୱେଷ୍ଟ ମ୍ୟାନେଜମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । ଲୋକଙ୍କ ପାଇଁ ସ୍ଥାୟୀ ଭାବରେ ରଖାଯାଇଥିବା ସୁବିଧାକୁ ଅଧିକ ମଜଭୁତ କରାଯିବାକୁ ଦାବି କରାଯାଇଛି ।

ଅର୍ଥ ବଢ଼ାଇବା ସହ ଟାଏଡ ଓ ଅନଟାଏଡ ଫଣ୍ଡ ଅର୍ଥ ବଢ଼ାଇବା ପାଇଁ ଦାବି ରଖାଯାଇଛି । ସଠିକ ସମୟରେ କେମିତି ସରକାରୀ ଅର୍ଥ ପହଞ୍ଚିବ ତା’ଉପରେ ଗୁରୁତ୍ୱ ଦେବାକୁ ଦାବି ହୋଇଛି । ୨୦୨୪-୨୫ର ସିଏଫସି ଅର୍ଥ ଏଯାଏଁ ବିଏମସି ପାଇନାହିଁ । ଯାହାକୁ ନେଇ ଅର୍ଥ କମିଶନଙ୍କ ନିକଟରେ କଥା ରଖିଛି ବିଏମସି । ବିଏସସି ସମେତ ଅନ୍ୟ ଅର୍ବାନ ଲୋକାଲ ବଡି ଅଧିକାରୀମାନେ ଅର୍ଥ କମିଶନଙ୍କ ନିକଟରେ ନିଜର ଦାବି ରଖିଛନ୍ତି ।

ଆର୍ଥିକ ପରିଚାଳନାରେ ଓଡ଼ିଶା ନମ୍ବର ଓ୍ବାନ୍, ହେଲେ କେନ୍ଦ୍ର ଅର୍ଥ କମିଶନ ଦେଉଛନ୍ତି ଅଢେଇ ପ୍ରତିଶତ ୱେଟେଜ୍

ଭୁବନେଶ୍ବର: ଆର୍ଥିକ ପରିଚାଳନାରେ ଓଡ଼ିଶା ଦେଶରେ ନମ୍ବର ଓ୍ବାନ୍ । ପୂର୍ବ ସରକାର ଅମଳରୁ ରାଜ୍ୟ ଆର୍ଥିକ ପରିଚାଳନା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଆସିଛି । ଏହି କଥାକୁ ସ୍ବୀକାର କରିଛନ୍ତି ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡ. ଅରବିନ୍ଦ ପାନଗାରିଆ । କିନ୍ତୁ କମିଶନ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦ ଅନୁପାତକୁ ମାତ୍ର ଅଢେଇ ପ୍ରତିଶତ ଓ୍ବେଟେଜ୍ ଦେଉଛନ୍ତି । ଏହାକୁ ୧୫ ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ଏହାସହ ରାଜ୍ୟକୁ କେନ୍ଦ୍ରୀୟ ଟିକସରୁ ୫୦ ପ୍ରତିଶତ ଦେବା ପାଇଁ ପୂର୍ବରୁ ନବୀନ ପଟ୍ଟନାୟକ କରିଥିବା ଦାବିକୁ ଦୋହରାଇଛନ୍ତି ବର୍ତ୍ତମାନର ବିଜେପି ସରକାର । ରାଜ୍ୟ ସରକାରଙ୍କ ତରଫରୁ କମିଶନଙ୍କୁ ବିଭିନ୍ନ କ୍ଷେତ୍ର ପାଇଁ ମୋଟ ୧୨ ଲକ୍ଷ ୫୯ ହଜାର ୧୪୮ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ।

ନବୀନ ସରକାରଙ୍କ ଧାରାରେ ମୋହନ ସରକାର । କେନ୍ଦ୍ର ଟିକସ ଅଂଶରୁ ରାଜ୍ୟମାନଙ୍କୁ ମିଳୁ ୫୦ ପ୍ରତିଶତ । ଏକଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିଲେ । ସମାନ ଦାବି ଆଜି ଷୋଡ଼ଶ ଅର୍ଥ କମିଶନ ଆଗରେ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ପୂର୍ବ ନବୀନ ସରକାରଙ୍କ ଅମଳରୁ ଓଡ଼ିଶା ଆର୍ଥିକ ପରିଚାଳନାରେ ଦେଶରେ ନମ୍ବର ଓ୍ବାନ୍ । ଓଡ଼ିଶାକୁ କେନ୍ଦ୍ରୀୟ ଟିକସ ପୁଲରୁ ୪.୫୨୮ ବଦଳରେ ୪. ୯୬୪ ପ୍ରତିଶତ ଦେବାକୁ ଦାବି କରିଛନ୍ତି । ରାଜ୍ୟକୁ ଅଧିକ ଅର୍ଥ ନ ମିଳିଲେ ୨୦୨୬-୨୭ ବେଳକୁ ରାଜ୍ୟର ରାଜସ୍ବ ନିଅଣ୍ଟ ପରିମାଣ ୯ ଲକ୍ଷ ୮୮ ହଜାର ୪୨୨ କୋଟି ଟଙ୍କାରେ ପହଁଚିବ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି-SDRFକୁ ଶତ ପ୍ରତିଶତ କେନ୍ଦ୍ରୀୟ ଅନୁଦାନ ପାଇଁ ମଧ୍ୟ ଦାବି କରାଯାଇଛି । ଏ ବାବଦରେ ରାଜ୍ୟ ୩୧ ହଜାର ୦୦୪ କୋଟିର ପ୍ରସ୍ତାବ ଦେଇଛି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି SDMF ବାବଦରେ କେନ୍ଦ୍ର ଦେଉ ୨୯ ହଜାର ୨୫୨ କୋଟି । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ଥାନୀୟ ନିକାୟ ସଂସ୍ଥା ଅନୁଦାନ ରାଶି ବାବଦରେ ୧ ଲକ୍ଷ ୩୬ ହଜାର କୋଟି ଓ ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ୧ ଲକ୍ଷ ୧୦ ହଜାର ୪୩୪ କୋଟିର ପ୍ରସ୍ତାବ କମିଶନଙ୍କୁ ଦିଆଯାଇଛି ।

ଆର୍ଥିକ ପରିଚାଳନାରେ ନବୀନ ମଡେଲ ଦେଶରେ ନମ୍ବର ଓ୍ବାନ ପ୍ରମାଣିତ ହୋଇଛି । ଓଡ଼ିଶାର ଆର୍ଥିକ ପରିଚାଳନାକୁ  ପ୍ରଶଂସା କରିଛନ୍ତି କେନ୍ଦ୍ର ଅର୍ଥ କମିଶନ ଅଧ୍ୟକ୍ଷ । ଡ. ପାନଗାରିଆ ନୀତି ଆୟୋଗର ଉପାଧ୍ୟକ୍ଷ ଥିବା ବେଳେ ଓଡ଼ିଶାର ଆର୍ଥିକ ପରିଚାଳନା ଅନ୍ୟ ରାଜ୍ୟ ତୁଳନାରେ ଉଲ୍ଲେଖନୀୟ ଥିଲା ବୋଲି ସ୍ବୀକାର କରିଛନ୍ତି । କିନ୍ତୁ ପୂର୍ବ କେନ୍ଦ୍ର ଅର୍ଥ କମିଶନମାନେ ଆର୍ଥିକ ସୁପରିଚାଳନା ରାଜ୍ୟ ପାଇଁ ମାତ୍ର ଅଢ଼େଇ ପ୍ରତିଶତ ୱେଟେଜ୍ ଦେଉଥିଲେ । ଏହାକୁ ୧୫ ପ୍ରତିଶତକୁ ବଢାଇବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । ପୂର୍ବରୁ ରାଜ୍ୟର ମୁଣ୍ଡ ପିଛା ଆୟ ଯାହା ଥିଲା ତାହା ଏବେ କମିଲାଣି । ଏ କ୍ଷେତ୍ରରୁ କମିଶନ ୪୫ ପ୍ରତିଶତ ଓ୍ବେଟେଜ୍ ଦେଉଛନ୍ତି । ତେଲେଙ୍ଗାନା ଛୋଟିଆ ରାଜ୍ୟ ହୋଇ ମୁଣ୍ଡ ପିଛା ଆୟ ୩ ଲକ୍ଷ ୫୬ ହଜାର ୫୬୪ ଟଙ୍କା ଥିବାବେଳେ ଏବର ବିଜେପି ସରକାର ସମୟରେ ଓଡ଼ିଶାର ମୁଣ୍ଡ ପିଛା ଆୟ ହ୍ରାସ ପାଇ ୧ ଲକ୍ଷ ୬୫ ହଜାର  ୦୬୮ ଟଙ୍କା ହୋଇଛି । ଜନସଂଖ୍ୟା ଫର୍ଟିଲିଟି ଓ୍ବେଟେଜ୍କୁ ୧୨.୫ ପ୍ରତିଶତରୁ ୧୦ ପ୍ରତିଶତକୁ କମାଇବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିବା କମିଶନ କହିଛନ୍ତି ।

ତେବେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା କିମ୍ବା ସ୍ବତନ୍ତ୍ର ଫୋକସ୍ ରାଜ୍ୟର ମାନ୍ୟତା ଦେବା କମିଶନଙ୍କ କ୍ଷମତା ପରିସର ନୁହେଁ । ଏହାସହିତ ସେସ ଓ ସରଚାର୍ଜ ଅର୍ଥ କେନ୍ଦ୍ର ଟିକସ ପୁଲରେ ମିଶାଇବା ପାଇଁ କମିଶନ ସୁପାରିସ କରିପାରିବେ ନାହିଁ ବୋଲି ରୋକଠୋକ ମନା କରିଦେଇଛନ୍ତି । ଆସନ୍ତା ଅକ୍ଟୋବର ସୁଦ୍ଧା କମିଶନ କେନ୍ଦ୍ର ସରକାରଙ୍କୁ ଟିକସ ଭାଗବଣ୍ଟା ନେଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ।

ପଦାକୁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ପ୍ରକୃତ ସତ, ବିଳମ୍ବ ହେତୁ ଲୋକେ ହଟହଟା

ଭୁବନେଶ୍ବର: ପଦାକୁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ପ୍ରକୃତ ସତ । ୮୧ ପ୍ରତିଶତ ସମସ୍ୟାର ସମାଧାନ ହୋଇଛି ବୋଲି କାର୍ଯ୍ୟାଳୟ ଦର୍ଶାଉଛି । ହେଲେ ଜିଲ୍ଲାପାଳ, ଏସପିଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଚିଠି ଏହାକୁ ଭୁଲ୍ ପ୍ରତିପାଦିତ କରୁଛି । ଯାହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ନେଇ ପ୍ରଶ୍ନ ଉଠାଇଛନ୍ତି

ଗତ ଆଠ ମାସରେ ମାତ୍ର ଆଠ ଥର ହିଁ ବସିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଗତ ୭ ଥରରେ ଗ୍ରହଣ କରାଯାଇଥିବା ଅଭିଯୋଗ ପତ୍ର ମଧ୍ୟରୁ ୮୧ ପ୍ରତିଶତ ମାମଲାର ସମାଧାନ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହସ୍ଫୋଟ ମାରୁଛି । ବାସ୍ତବ ଚିତ୍ରକୁ ପଦାରେ ପକାଇଛି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ବାରମ୍ବାର ଦୌଡ଼ି ସୁଦ୍ଧା ଲୋକଙ୍କୁ ନ୍ୟାୟ ମିଳୁନି । ଜିଲ୍ଲାପାଳ, ଏସପିଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲେଖିଥିବା ଏହି ଚିଠି ଅଭିଯୋଗ ଶୁଣାଣିର ଅବ୍ୟବସ୍ଥାକୁ ସ୍ପଷ୍ଟ କରି ଦେଇଛି ।

ଚିଠିରେ ଲେଖାଯାଇଛି, ଅଭିଯୋଗ ଗୁଡ଼ିକର ସ୍ଥିତି ସମୀକ୍ଷା କରିବା ସମୟରେ ଏହା ପରିଲକ୍ଷିତ ହୋଇଛି ଯେ ଅନେକ ଅଭିଯୋଗ ଦୀର୍ଘ ଦିନ ଧରି ବିଭିନ୍ନ ସ୍ତରରେ ତ୍ବରିତ ପଦକ୍ଷେପ ନେବାରେ ବିଳମ୍ବିତ ହେଉଛି । ଫଳରେ ଅଭିଯୋଗକାରୀ ସମାନ ଅଭିଯୋଗ ନେଇ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି । ସମାଧାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବି ଚିଠିରେ ଉଲ୍ଲେଖ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ଅସଲ ଚିତ୍ର ଆସିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କେବଳ ଶୁଣାଣି କଲେ ହେବନି, ସମସ୍ୟାର ସମାଧାନ କରିବାକୁ ବିଜେଡି ପ୍ରସ୍ତାବ ଦେଇଛି । କଂଗ୍ରେସ ଅଭିଯୋଗ କରିଛି, ପ୍ରଶାସନ ଉପରେ ସରକାରଙ୍କ ନିୟନ୍ତ୍ରଣ ରହୁ ନଥିବାରୁ ଏହି ସମସ୍ଯା ଉପୁଜୁଛି ।

ସମସ୍ୟା ସମାଧାନରେ ଅବ୍ୟବସ୍ଥାକୁ ପଞ୍ଚାୟତିରାଜ ମନ୍ତ୍ରୀ ପରୋକ୍ଷରେ ସ୍ବୀକାର କରିଛନ୍ତି । ବ୍ୟବସ୍ଥିତ ଢାଞ୍ଚା ପାଇଁ ଆହୁରି ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି ସେ ସଫେଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଅଭିଯୋଗ ଶୁଣୁଛନ୍ତି । ଏ କଥାକୁ ବିଶ୍ବାସ କରି ସମସ୍ତେ ଧାଉଁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ । ହେଲେ ଏହାକୁ ରାଜନୈତିକ ମଞ୍ଚ ଭାବେ ସଜାଯାଉଥିବା ଅଭିଯୋଗ ହେଉଛି ।

ଏକାଧିକ ଆଶାୟୀ ଥିବାରୁ ଛିଣ୍ଡୁନି ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ଅଙ୍କ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ନେଇ ଛିଣ୍ଡୁନି ଅଙ୍କ । ବିନା କମିଟି ଗଠନରେ ମାସ ମାସ ଥରି ଚାଲିଛି କାମ । ଫଳରେ ଶ୍ରୀମନ୍ଦିରକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅଟକି ରହିଥିବାବେଳେ କେବେ ନୂତନ କମିଟି ଗଠନ ହେବ ସେ ନେଇ ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପକ୍ଷରେ କମିଟି ଗଠନକୁ ନେଇ ଏକ ମାମଲା ଉଚ୍ଚ ନ୍ୟାୟାଳୟରେ ଥିବାରୁ ଏଥିରେ ବିଳମ୍ବ ହେଉଥିବା କୁହାଯାଇଛି । ମାମଲାର ସମାଧାନ ପରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଗତବର୍ଷ ରଥଯାତ୍ରା ପରେ ଅଗଷ୍ଟ ମାସରେ ଶେଷ ଥର ପାଇଁ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏହାପରେ ନୂତନ ପରିଚାଳନା କମିଟି ବୈଠକ ଗଠନ ହେବା କଥା । ମାତ୍ର ମାସ ମାସ ବିତି ଯାଇଥିଲେ ବି ବାହାରୁନି ନିଷ୍କର୍ସ । ନୂଆ ସରକାର ଆସିବା ପରେ କମିଟିରେ ସଦସ୍ଯ ପଦବୀକୁ ନେଇ ବହୁ ଆଶାୟୀ ଥିବାରୁ ଅଙ୍କ ଛିଡୁ ନଥିବା ବୁଦ୍ଧିଜୀବୀ ମତ ଦେଇଛନ୍ତି । ଫଳରେ ଶ୍ରୀମନ୍ଦିରର ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅଟକି ରହିଥିବାବେଳେ ବହୁ ଲୋକଙ୍କ ଜମିଜମା ସଂକ୍ରାନ୍ତିୟ ସମସ୍ୟା ମଧ୍ୟ ସମାଧାନ ହେଇପାରୁ ନାହିଁ ।

ଶ୍ରୀମନ୍ଦିର ନୀତିକାନ୍ତି ନେଇ ଯଦିଓ ଛାତିଶା ନିଯୋଗ ବୈଠକରେ ପାରିତ ହେଉଛି କିନ୍ତୁ ଅନେକ ପ୍ରଶାସନିକ ନିଷ୍ପତ୍ତି ନେବା ସମ୍ଭବ ପର ହୋଇପାରୁନାହିଁ । ସେପଟେ ଏନେଇ ଏକ ମାମଲା ଉଚ୍ଚ ନ୍ୟାୟାଳୟରେ ରହିଥିବାରୁ କମିଟି ଗଠନରେ ବିଳମ୍ବ ଘଟିଥିବା କୁହାଯାଇଛି । ତେବେ ମାମଲାର ସମାଧାନ ପରେ ଖୁବଶୀଘ୍ର ପଦକ୍ଷେପ ନିଆଯାଇ କମିଟି ଗଠନ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପରିଚାଳନା କମିଟି ଗଠନରେ ବିଳମ୍ବ ଯୋଗୁଁ ବିଶେଷକରି ଶ୍ରୀମନ୍ଦିର ନାଟମଣ୍ଡପରେ ନୂତନ ଧାଡି ଦର୍ଶନ ବ୍ୟବସ୍ଥା ଗ୍ରହଣ କରିବାରେ ବିଳମ୍ବ ହେଉଛି ।

ମାତ୍ର ୫୦୦୦ ଗାଡିରେ ଲାଗିଛି HSRP ପ୍ଲେଟ୍, ୩୧ ମାର୍ଚ୍ଚ ପରେ ଗଣିପାରନ୍ତି ଜରିମାନା !

ନନ୍ଦିଘୋଷ ବ୍ୟୁରୋ: ଏପ୍ରିଲ ୨୦୨୯ରେ ସମସ୍ତ ଗାଡିରେ ହାଇ ସିକ୍ୟୁରିଟି ନମ୍ବର (HSRP) ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ କରିଥିଲେ କେନ୍ଦ୍ର ସରକାର । କିନ୍ତୁ ଅନେକ ସହରରେ ଗାଡିମାନଙ୍କରେ ବର୍ତ୍ତମାନ ପର୍ଯ୍ୟନ୍ତ HSRP ପ୍ଲେଟ ଲଗାଇବା କାମ ପୂରା ହୋଇପାରିନି । ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚୋରି ହୋଇଥିବା ଗାଡିକୁ ଠାବ କରିବାରେ ସାହାଯ୍ୟ କରିଥାଏ। ପୁଣେ ଟ୍ରାଫିକ୍ ବିଭାଗ ଏକ ତଥ୍ୟ ଉପସ୍ଥାପନ କରିଛି, ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ,  ପୁଣେରେ ୨୫ ଲକ୍ଷ ଗାଡି ପଞ୍ଜିକୃତ ହୋଇଛି । କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ୫ହଜାର ଗାଡିରେ ହାଇ ସିକ୍ୟୁରିଟି ପଞ୍ଜିକରଣ ନମ୍ବର ପ୍ଲେଟ୍ ଲାଗିଛି । ଅନ୍ୟପଟେ ପୁଣେରେ ଏହି ପ୍ଲେଟ ଲଗାଇବାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୫ ରହିଛି । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି, ନମ୍ବର ପ୍ଲେଟ ଲାଗିନଥିବା ଗାଡିର ଚାଲାଣ କଟାଯିବ କି ? HSRP ପ୍ଲେଟ୍ ଲଗାଇବାର ଅବଧି ବୃଦ୍ଧି କରାଯିବ କି ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ…

HSRP ପ୍ଲେଟର ଫାଇଦା କ’ଣ?

କେନ୍ଦ୍ର ସରକାର ଏପ୍ରିଲ ୨୦୧୯ରେ ସମସ୍ତ ଗାଡିରେ  HSRP ପ୍ଲେଟ ଲଗାଇବା ବାଧ୍ୟତାମୂଳକ କରିଥିଲେ । ଅନେକ ସହରରେ ଏପର୍ଯ୍ୟନ୍ତ ପ୍ଲେଟ ଲଗାଇବା କାମ ସମ୍ପୂର୍ଣ୍ଣ ହୋଇନାହିଁ । ଏହି ପ୍ଲେଟ ଲଗାଇବା ଦ୍ବାରା ହଜିଥିବା ଗାଡି ଖୋଜିବାରେ ସାହାଯ୍ୟ ହୋଇଥାଏ । ଏହା ସହିତ ନମ୍ବର ପ୍ଲେଟ୍ ଦ୍ବାରା ଗାଡିଗୁଡିକୁ ଟ୍ରାକ୍ କରାଯାଇପାରିବ । ଯଦି ଗାଡିରେ HSRP ପ୍ଲେଟ ନାହିଁ, ତେବେ ଟ୍ରାଫିକ୍ ପୋଲିସ ଆପଣଙ୍କର ଚାଲାଣ ମଧ୍ୟ କାଟିପାରିବେ।

HSRP ପ୍ଲେଟ ନଥିଲେ କଟିବ ଚାଲାଣ

ସରକାରଙ୍କ ଏଭଳି ଏକ ନୂଆ ମୋଟର ଯାନ ଆଇନ ପାସ କରିଛନ୍ତି, ଯେଉଁଥିରେ ହାଇ ସିକ୍ୟୁରିଟି ପଞ୍ଜିକରଣ ନମ୍ବର ପ୍ଲେଟ୍ (HSRP)ନଥିଲେ ଆପଣଙ୍କୁ ୫ହଜାରରୁ ଆରମ୍ଭ କରି୧୦ ହଜାର ପର୍ଯ୍ୟନ୍ତ ଜରିମାନା ଭରିବାକୁ ପଡିପାରେ । ସେହିପରି ବିଭିନ୍ନ ରାଜ୍ୟର ଜରିମାନା ଅଲଗା ଅଲଗା ରହିଛି । ଏହା ଛଡା ଯଦି ଆପଣ HSRP ପାଇଁ ଆବେଦନ କରିଛନ୍ତି, ତେବେ ଯାଂଚ ସମୟରେ ବୁକିଂ ରସିଦ ମଧ୍ୟ ଦେଖାଇବାକୁ ପଡିବ । ଯାହା ଦ୍ବାରା ଚାଲାଣରୁ ବର୍ତ୍ତିପାରିବେ ।

ବଢିବ କି HSRPର ଶେଷ ଅବଧି ?

ପୁଣେରେ ୨୪.୨୮ ଲକ୍ଷ ଗାଡି ପଞ୍ଜିକୃତ ହୋଇଛି । ଯେଉଁଥୁରୁ କେବଳ ୫୦୧୪ଟି ଗାଡିକୁ HSRP ମିଳିଛି । ଜାତୀତ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପୁଣେରେ ମୋଟ ୧୫,୧୧୬ଜଣ ଆବେଦନ କରିଛନ୍ତି । ଯେଉଁଥିରୁ ୮,୦୯୦ ଜଣଙ୍କୁ ନିଯୁକ୍ତି ମିଳିଛି ଏବଂ ୫୦୧୪ ଜଣ ସେମାନଙ୍କ ଗାଡି ପାଇଁ HSRP ପାଇଛନ୍ତି। ଏମିତିରେ ଆଶା କରାଯାଉଛି ଯେ, କି HSRPର ଶେଷ ଅବଧି ବୃଦ୍ଧି ହୋଇପାରେ ।

ରାଉରକେଲାରେ ଟ୍ରେନ ଲାଇନଚ୍ଯୁତ ଘଟଣା, ୫ କର୍ମଚାରୀ ସସପେଣ୍ଡ

ରାଉରକେଲା: ରାଉରକେଲା ସହରର ମାଲଗୋଦାମ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଦୁର୍ଘଟଣାର ତଦନ୍ତ ଆରମ୍ଭ । ରେଲୱେ ବିଭାଗର ୩ ଜଣ ବରିଷ୍ଠ ଅଧିକାରୀ ଏହାର ତଦନ୍ତ ଜାରି ରଖିଛନ୍ତି । ପ୍ରାଥମିକ ତଦନ୍ତରୁ ରେଲୱେ କର୍ମଚାରୀଙ୍କ ଅବହେଳାରୁ ଏପରି ଅଘଟଣ ଘଟିଥିବା ଜଣାପଡ଼ିଛି । ୫ ଜଣ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଥିବା ବେଳେ ସେମାନଙ୍କ ବିରୋଧରେ ଶୀଘ୍ର କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି । ଏହାସହ ରେଲୱେ ଟ୍ରାକରେ ଆଜି ଲୁହା ଷ୍ଟ୍ରକଚର ନିର୍ମାଣ କରାଯିବା ସହ ସିମେଣ୍ଟ କଂକ୍ରିଟ ବାଡ ଦିଆଯାଇଛି । ଦୁର୍ଘଟଣା ପରେ ରାଉରକେଲା ରେଲୱେ ଷ୍ଟେସନ ମ୍ୟାନେଜରଙ୍କୁ ବଦଳି କରାଯାଇଛି ।

ରାଉରକେଲା ମାଲଗୋଦାମ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ବସ୍ତି ଭିତରକୁ ପଶିଯିବା ଘଟଣାରେ ଜାରି ରହିଛି ତଦନ୍ତ । ବିଭାଗର ୩ ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ କରି ଏଥିରେ ରେଳ କର୍ମଚାରୀଙ୍କ ଅବହେଳା ଥିବା ଜାଣିବାକୁ ପାଇଛନ୍ତି । ସମ୍ପୃକ୍ତ ରେଲୱେ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରେଲୱେ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଦୁର୍ଘଟଣା ପରେ ଲୁହା ଷ୍ଟ୍ରକଚର ନିର୍ମାଣ କରାଯିବା ସହ ବଡ ବଡ ସିମେଣ୍ଟ କଙ୍କ୍ରିଟ ବାଡ ଦିଆଯାଇଛି । ଟ୍ରେନ ଦୁର୍ଘଟଣା ପରେ ରାଉରକେଲା ରେଲୱେ ଷ୍ଟେସନ ମ୍ୟାନେଜରଙ୍କ ବଦଳି କରାଯାଇଛି । ଦକ୍ଷିଣ ପୂର୍ବ ରେଲୱେର ମହାପ୍ରବନ୍ଧକ ଦୁର୍ଘଟଣାସ୍ଥଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ରେଲୱେ ଜମିରେ ଜବର ଦଖଲ କରି ବସ୍ତି ବାସିନ୍ଦା ରହୁଥିବାରୁ ଆର୍ଥିକ ସହାୟତା ପ୍ରଦାନ କରିବା ନିୟମ ନଥିବା ସେ ସୂଚନା ଦେଇଛନ୍ତି ।

ରେଳ କର୍ମଚାରୀଙ୍କ ଅବହେଳା ଯୋଗୁଁ ବଡ଼ ବିପଦରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ବସ୍ତି ବାସିନ୍ଦା । ମାଲବାହୀ ଟ୍ରେନର ୪ଟି ବଗି ଟ୍ରାକରୁ ବିଚ୍ଯୁତ ହୋଇ ପାଚେରୀ ଭାଙ୍ଗି ବସ୍ତି ଭିତରକୁ ପଶିଯିବା ଫଳରେ ଦୁଇଟି ଅଟୋ ଓ ୮ଟି ଠେଲା ଭାଙ୍ଗି ଯାଇଛି । ହେଲେ ଘଟଣା ପରେ ଆତଙ୍କିତ ହୋଇ ପଡ଼ିଛନ୍ତି ବସ୍ତି ବାସିନ୍ଦା । କ୍ଷତିଗ୍ରସ୍ତ ଅଟୋ ଓ ଠେଲା ମାଲିକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି ।

ରେଲୱେ ଜମିରେ ଜବରଦଖଲ କରି ଗଢି ଉଠିଛି ବସ୍ତି । ତେବେ ଆଗାମୀ ଦିନରେ ଏପରି ଅଘଟଣ ଯେପରି ନଘଟେ ସେଥିପାଇଁ ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ ।

ଭାରତୀୟ ଯୁବତୀଙ୍କୁ ବିବାହ କଲେ ଲଣ୍ଡନ ବର

ବାଲେଶ୍ବର: ପ୍ରେମ ମାନେ ନାହିଁ ଦୂର କି ନିକଟ । ଦରିଆ ସେପାରି ଲଣ୍ଡନର ଲୁକ୍ ଡେ ବାଲେଶ୍ବରର ଝିଅ ନତାଶାଙ୍କୁ ହିନ୍ଦୁ ରିତୀନିତୀ ଅନୁସାରେ ବିବାହ କରି ତାହା ପ୍ରମାଣ କରିଛନ୍ତି । ଲୁକଙ୍କ ବାପା ଭାରତୀୟ ହୋଇ ମଧ୍ୟ ଲଣ୍ଡନର ଝିଅକୁ ପ୍ରେମ ବିବାହ କରିଥିଲେ । ଆଉ ଆଜି ଲୁକ୍ ଲଣ୍ଡନର ନାଗରିକ ହୋଇଥିଲେ ମଧ୍ୟ ଭାରତୀୟ ଝିଅ ନତାଶାଙ୍କୁ ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି ।

ବାଲେଶ୍ବର ସହର ଶୋଭାରମପୁର ଗାଁ । ବାଜୁଛି ସାହାନାଇ ସାଙ୍ଗକୁ ଯୋଡ଼ି ନାଗରା । ବ୍ଯାଣ୍ଡପାର୍ଟି ବାଜାରେ କମ୍ପି ଉଠୁଛି ଗାଁ ଦାଣ୍ଡ । ବରଯାତ୍ରୀମାନେ ବାଜାର ତାଳେ ତାଳେ ଝୁମି ଝୁମି ନାଚିବାରେ ଲାଗିଛନ୍ତି । ଏ ହେଉଛି ଲଣ୍ଡନର ବର ଲୁକ୍ ଡେ ଓ ଶୋଭାରମପୁରର ଝିଅ ନତାଶାଙ୍କ ବାହାଘରର ଦୃଶ୍ୟ । ଥାଟ ପାଟରେ ହିନ୍ଦୁ ରୀତିନୀତି ଅନୁସାରେ ଲୁକ୍ ବରଯାତ୍ରୀଙ୍କୁ ଧରି ଶୋଭାଯାତ୍ରାରେ ପହଞ୍ଚିଥିଲେ ନତାଶାଙ୍କ ଘର ଆଗରେ । ଆଉ ପରମ୍ପରା ଅନୁସାରେ ବରକୁ ବନ୍ଦାପନା କରି ସ୍ବାଗତ କରିଥିଲେ ନତାଶାଙ୍କ ବାପା । ତା’ପରେ ହାତଗଣ୍ଠି ପଡ଼ିବା, ଖଇ ପୋଡ଼ିବା, କନ୍ୟା ମୁଣ୍ଡରେ ସିନ୍ଦୁର ଦେଇ ସ୍ତ୍ରୀ ରୂପରେ ସ୍ବିକାର କରିବା ଭଳି ସମସ୍ତ ହିନ୍ଦୁ ରୀତିନୀତି ପାଳନ କରାଯାଇଛି ଏହି ବାହା ଘରରେ । ଲଣ୍ଡନର ବର ଲୁକ୍ ଏହି ଭାରତୀୟ ବିବାହ ପରମ୍ପରା ଆଉ ସଂସ୍କୃତିକୁ ଦେଖି ବେଶ ଖୁସି ପ୍ରକଟ କରିଛନ୍ତି ।

ଲୁକଙ୍କ ବାପା ଆନ୍ଥୋନୀ ଡେ ଥିଲେ ଜଣେ ଭାରତୀୟ । ସେ ଗୋଆର ବାସିନ୍ଦା ଥିଲେ । ଆନ୍ଥୋନୀ ଲଣ୍ଡନରେ ଚାକିରି କରିବା ସମୟରେ ଲଣ୍ଡନର ଝିଅ ଜେରାଲଡ଼ାଇନଙ୍କୁ ପ୍ରେମ ବିବାହ କରି ସେଠାକାର ନାଗରିକତ୍ବ ଗ୍ରହଣ କରିଥିଲେ । ଲୁକ୍ ଲଣ୍ଡନରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର ଭାରତୀୟଙ୍କ ପ୍ରତି ଦୁର୍ବଳତା ରହିଥିଲା । ସେ ଏକ ଟେଲିକମ୍ କମ୍ପାନୀର ନିର୍ଦ୍ଦେଶକ ଭାବେ କାମ କରୁଥିବା ସମୟରେ ବାଲେଶ୍ବର ଶୋଭାରମପୁରର ଝିଅ ନତାଶାଙ୍କ ସହିତ ପ୍ରେମ ସମ୍ପର୍କ ହୋଇଥିଲା । ନତାଶା ଲଣ୍ଡନରେ ଏକ ହୋଟେଲରେ ମ୍ୟାନେଜର ଭାବେ ନିଯୁକ୍ତି ପାଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆଜି ବିବାହ ବନ୍ଧନରେ ବାନ୍ଧି ଦେଇଛି ।  ତେବେ ଭିନ୍ନ ଏହି ବାହାଘର ଏବେ ବାଲେଶ୍ବରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆବାସ ଯୋଜନା ଧର୍ମକୁ ଆଖିଠାର, ପାଇଖାନାରେ ରହୁଛନ୍ତି ୭୫ ବର୍ଷିୟା ବୃଦ୍ଧା

ଘଟଗାଁ: ବାତ୍ଯା ଦାନା ଉଜାଡ଼ଇ ଦେଲା ଘର । ଏବେ ବାସହରା ୭୫ ବର୍ଷିୟା ବୃଦ୍ଧା ମୁନି ମୁଣ୍ଡେ । ଘର ଖଣ୍ଡେ ନଥିବାରୁ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ଘଟଗାଁ ବ୍ଲକ ଗୋପିନାଥପୁର ଗାଁର ମୁନି । ଦୟନୀୟ ଭାବେ ପାଇଖାନା ଘରେ ବିତୁଛି ସମୟ । ହେଲେ ତାଙ୍କ ଉପରେ କୌଣସି ପ୍ରଶାସନିକ ଅଧିକାରୀ ଦୃଷ୍ଟି ପଡୁ ନଥିବା ଅଭିଯୋଗ ।

ସୂଚନାଯୋଗ୍ୟ, ବାତ୍ଯା ଦାନାରେ ଭୁଷୁଡି ପଡିଲା ମୁନିଙ୍କ ଘର । ଏବେ ପାଇଖାନାରେ ବିତୁଛି ଜୀବନ । ନାତି ଓ ନାତୁଣୀ ବୋହୂକୁ ନେଇ ତାଙ୍କ ପରିବାର । ବୃଦ୍ଧା ଜଣଙ୍କ ଏକ ଚାଳ ଘରେ ତାଙ୍କ ନାତି ସହିତ ରହୁଥିଲେ । କିନ୍ତୁ ଆଜକୁ ଚାରିମାସ ତଳେ ବାତ୍ଯା ଦାନା ସେସବୁକୁ ଉଜାଡି ଦେଇଗଲା । ମୁନି ଓ ତାଙ୍କ ନାତି ପରିବାର ସହିତ ରାତିରେ ଶୋଇଥିବା ବେଳେ ବର୍ଷା ପବନରେ ହଠାତ ଘରଟି ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିଥିଲା ତାଙ୍କ ଉପରେ । ଫଳରେ ସମସ୍ତେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । କିନ୍ତୁ ପରିତାପର ବିଷୟ ଆଜିକୁ ଚାରିମାସ ବିତିଯାଇଥିଲେ ମଧ୍ଯ କୌଣସି ପ୍ରଶାସନ ତାଙ୍କ ପାଖରେ ପହଞ୍ଚିପାରିନି । ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯିବା ପରେ ଏବେ ଘର କରିବା ପାଇଁ ସମ୍ବଳ ନାହିଁ । ଫଳରେ ସରକାର ଦେଇଥିବା ପାଇଖାନାରେ ଅତି ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି ବୃଦ୍ଧା ।

ଗରିବ ଲୋକଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବାକୁ ଯୋଜନା ଥିଲେ ବି ଆଜି ପର୍ଯ୍ୟନ୍ତ ବୃଦ୍ଧାଙ୍କୁ ସରକାରଙ୍କ ତରଫରୁ ଘର ଖଣ୍ଡିଏ ମିଳି ପାରୁନାହିଁ । ଅନେକ ଥର ଘର ଖଣ୍ଡିଏ ପାଇଁ ଆବେଦନ କରିଥିଲେ ମଧ୍ୟ କୈାଣସି ପ୍ରଶାସନ ଅଧିକାରୀ ଆନ୍ତରିକତା ଦେଖାଇ ନାହାନ୍ତି । ଏପଟେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଏ ବାବଦରେ ଜଣାଇବା ପରେ ସେ ବୃଦ୍ଧାଙ୍କୁ ଶୀଘ୍ର ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସ୍ୱାମୀଙ୍କୁ ବଞ୍ଚାଇବାକୁ ୪୦ ଫୁଟ ଗଭୀର କୂଅକୁ ଡେଇଁ ପଡ଼ିଲେ ସ୍ତ୍ରୀ…

କେରଳ: ସ୍ବାମୀ ପାଇଁ ନିଜ ଜୀବନକୁ ବାଜିରେ ଲଗାଇଲେ । ଗଭୀର କୂଅକୁ ମଧ୍ୟ ଡେଇଁ ପଡିଲେ ସ୍ତ୍ରୀ । ପୁଣି ଜଣେ ସାବିତ୍ରୀ ନିଜ ସ୍ଵାମୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ଆଣିଛନ୍ତି । କୂଅରେ ପଡିଥିବା ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ୪୦ ଫୁଟର ଗଭୀର କୂଅକୁ ମଧ୍ୟ ଖାତିର ନକରି ଡେଇଁ ପଡିଥିଲେ ସ୍ତ୍ରୀ । ସ୍ବାମୀଙ୍କୁ ଏଭଳି ଅବସ୍ଥାରେ ଦେଖି ଜୀବନକୁ ବାଜି ଲଗାଇ ଦେଇଥିଲେ ସ୍ତ୍ରୀ ।

ଏଭଳି ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । କେରଳର ଏର୍ନାକୁଲମରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ବଞ୍ଚାଇବା ପାଇଁ  ୪୦ ଫୁଟ ଗଭୀର କୂଅ ଭିତରକୁ ପଶିଥିଲେ। ୬୪ ବର୍ଷୀୟ ସ୍ବାମୀ ଚେତାଶୂନ୍ୟ ହୋଇ କୂଅରେ ପଡିବା ପରେ ମହିଳା ଜଣଙ୍କ ଏଭଳି ଏକ ପଦକ୍ଷେପ ନେଇଥିଲେ । ପୁରା ଘଟଣାଟି ଏପରି, ପିରାଭୋମ୍ ମ୍ୟୁନିସିପାଲିଟିର ଇଲାଞ୍ଜିକଭିଲର ବାସିନ୍ଦା ଅବସରପ୍ରାପ୍ତ ପୋଲିସ ଅଧିକାରୀ ତାଙ୍କ ଅଗଣାରେ  ଥିବା ଏକ କୂଅ ପାଖରେ ଠିଆ ହୋଇ ଲଙ୍କା ତୋଳୁଥିଲେ, ହଠାତ୍ ରାମେସନ ଯେଉଁ ଗଛ ଉପରେ ଠିଆ ହୋଇଥିଲେ ତାର ଡାଳ ଭାଙ୍ଗିଯିବାରୁ ସେ କୂଅରେ ପଡିଗଲେ । କୂଅଟି ପ୍ରାୟ ୪୦ ଫୁଟ ଗଭୀର ଥିଲା ଏବଂ ପ୍ରାୟ ୫ ଫୁଟର ପାଣି କୂଅରେ ଥିଲା।

ଏଭଳି ଘଟଣା ଦେଖିବା ପରେ ତାଙ୍କ ସ୍ତ୍ରୀ ପଦ୍ମମ ସାହାସର ସହିତ ଦୌଡି ଯାଇଥିଲେ । ଦୌଡି ସାହାଯ୍ୟରେ କୂଅ ତଳକୁ ଯାଇଥିଲେ । ଏହା ସହ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ସେ ସ୍ବାମୀ ରାମେଶନଙ୍କୁ ଧରି ରଖିଥିଲେ । ପ୍ରଥମେ ପଦ୍ମମ ତାଙ୍କ ସ୍ବାମୀ କୂଅରେ ପଡିଯିବା ପରେ ତାଙ୍କୁ ବାହାରକୁ ଆଣିବା ପାଇଁ ଏକ ପ୍ଲାଷ୍ଟିକ ରଶି ପକାଇଥିଲେ, କୂଅରେ ପଡିବା ପରେ ସେ ଆହତ ଅବସ୍ଥାରେ ଥିଵା ହେତୁ ରଶି ଦ୍ବାରା ଉଠିପାରିନଥିଲେ । ଏହା ପରେ ପଦ୍ମମ ପାଖରେ ଥିବା ସମ୍ପର୍କୀୟଙ୍କୁ ଅଗ୍ମିଶମ ବାହିନୀକୁ ତୁରନ୍ତ ଡାକିବାକୁ କହିଲେ ଏବଂ ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ନିଜେ କୂଅ ଭିତରକୁ ଓହ୍ଲାଇଥିଲେ ।

କିନ୍ତୁ କୂଅ ମଧ୍ୟକୁ ଯିବା ପରେ ପଦ୍ମମ ନିଜର କଣ୍ଟ୍ରୋଲ ହରାଇ ଦେଲେ, କାରଣ କୂପର ଚତୁର୍ଥ ରିଙ୍ଗରେ ପହଞ୍ଚିବା ପରେ ସେ ନିଜକୁ ସମ୍ଭାଳି ପାରୁନଥିଲେ । ସେତେ ପର୍ଯ୍ୟନ୍ତ ପଦ୍ମମ ସ୍ବାମୀଙ୍କୁ କୂଅରେ ଦେଖିପାରିନଥିଲେ । ଫଳରେ ସେ ପାଣିକୁ ଡେଇଁବାକୁ ନିଷ୍ପତ୍ତି ନେଲେ।

ପରେ ପଦ୍ମମ କୌଣସି ପ୍ରକାରେ ତାଙ୍କ ସ୍ବାମୀଙ୍କୁ ପାଣିରୁ ଟିକିଏ ଉପରକୁ ଉଠାଇ ପାରିଲେ ଏବଂ ଅଗ୍ନିଶମ ବାହିନୀ ପହଞ୍ଚିବା ଯାଏଁ ତାଙ୍କୁ କାନ୍ଥରେ ଧରି ରଖିଲେ । ଅଗ୍ନିଶମ କର୍ମଚାରୀମାନେ ଦଉଡି ଏବଂ ଜାଲ ସାହାଯ୍ୟରେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ଉଭୟଙ୍କୁ ସାମାନ୍ୟ ଆଘାତ ଲାଗିଛି । ସୋସିଆଲ ମିଡିଆରେ ପତ୍ନୀଙ୍କ ସାହାସ ଏବଂ ସ୍ବାମୀଙ୍କ ପ୍ରତି ଥିବା ଭଲପାଇବାକୁ ଭୂରି ଭୂରି ପ୍ରଶଂସା କରାଯାଉଛି ।