spot_img
Home Blog Page 1169

କୁବେର ବାବୁଙ୍କ ଘରୁ ମିଳିଲା ଅମାପ ସମ୍ପତ୍ତି, ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଭିଜିଲାନ୍ସ ଅଧିକାରୀ

ମାଲକାନଗିରି: ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଗିରଫ । ଶାନ୍ତନୁଙ୍କ ସହ ଅନ୍ୟ ୪ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ସରକାରୀ ଯୋଜନା ଅର୍ଥ ହଡ଼ପ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଆଜି ସମସ୍ତ ଗିରଫଙ୍କୁ କୋର୍ଟ ଚାଲାଣ କରାଯିବ । ଶାନ୍ତନୁଙ୍କ ସହିତ ଅନ୍ୟ ଗିରଫମାନେ ହେଲେ ଅମୀୟକାନ୍ତ ସାହୁ, ମୋହନ ମଣ୍ଡଳ, ବିଶ୍ୱଜିତ ମଣ୍ଡଳ, ଅଲେଖ ପ୍ରଧାନ । ଚଢ଼ାଉରେ ୨ କୋଟି ୮ ଲକ୍ଷ ୯୨ ହଜାର ଟଙ୍କା । ଜବତ ଟଙ୍କା ମଧ୍ୟରୁ ଶାନ୍ତନୁଙ୍କ ଠାରୁ କେବଳ ୨କୋଟି ଟଙ୍କା ମିଳିଥିଲା । ମାଲକାନଗିରିରେ ଏକ ୩ ମହଲା ବିଳାସପୂର୍ଣ୍ଣ କୋଠା, ୪ଟି ଦାମୀ ପ୍ଲଟ୍ ଠାବ ହୋଇଥିଲା । ଏହା ସହିତ ୪୨୨ଶହ ଗ୍ରାମ ଓଜନର ସୁନା ଅଳଙ୍କାର, ଜମା ଆକାଉଣ୍ଡରୁ ୯୧ ଲକ୍ଷ ଟଙ୍କା ସହିତ ବ୍ୟାଙ୍କ ଲକରରୁ ମଧ୍ୟ ମିଳିଥିଲା ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ସହ ଅଫିସିଆଲ ଦସ୍ତାବିଜ । ଲମ୍ବା ସମୟ ଧରି ଚାଲିଥିଲା ଭିଜିଲାନ୍ସ ରେଡ୍ । ଗତ ବୁଧବାରଠାରୁ କୁବେର ବାବୁ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିଲା । ଭୁବନେଶ୍ଵର କପିଳପ୍ରସାଦ ଷ୍ଟେଟ୍ ବ୍ୟାଙ୍କ ଲକରରୁ ସେଲ୍ ଡିଡ୍ ଏବଂ ଅନ୍ୟ ଗୁରୁତ୍ଵପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରିଥିଲା ଭିଜିଲାନ୍ସ ଟିମ୍ । ଗତାକାଲି ବାସଭବନରେ ତଲାସୀ ସମୟରେ ବହୁ ସଂଖ୍ୟକ ଶ୍ରମିକଙ୍କ ପାସବୁକ୍ ଜବତ କରାଯାଇଥିଲା ।

ପ୍ରୟାଗରାଜ ମହାକୁମ୍ଭରେ ପୁଣି ଅଗ୍ନିକାଣ୍ଡ

ନନ୍ଦିଘୋଷ ବ୍ୟୁରୋ: ପ୍ରୟାଗରାଜ ମହାକୁମ୍ଭରେ ପୁଣି ଅଘଟଣ। ସେକ୍ଟର ୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏପର୍ଯ୍ୟନ୍ତ କ୍ଷୟକ୍ଷତିର ଆକଳନ କରାଯାଇପାରିନାହିଁ।

ସୂଚନା ଅନୁଯାୟୀ, ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହେବାର ସୂଚନା ମିଳି ନାହିଁ। ତୁଳସୀ ଚଉରା ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ହୋଇଛି । କୁହାଯାଉଛି ଯେ, କିଛି ଲୋକ ଶୀତରୁ ରକ୍ଷା ପାଇଁବା ପାଇଁ ନିଆଁ ପୁଇଁଥିଲେ । ଏହାପରେ ସେ ନିଆଁ ନ ଲିଭାଇ ସେଠାରୁ ଚାଲିଯାଇଥିଲେ । ପବନ ଯୋଗୁଁ ନିଆଁ ଧାସ ଯାଇ ଟେଣ୍ଟରେ ଲାଗିଥିଲା । ତାପରେ ଟେଣ୍ଟରେ ନିଆଁ ଦେଖୁଦେଖୁ ବ୍ୟାପିଯାଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ଗୋଟିଏ ଟେଣ୍ଟ ଜଳିଯାଇଥିଲା । ତମ୍ୱୁ ଭିତରେ ଥିବା ଜିନିଷପତ୍ର ମଧ୍ୟ ପୋଡିଜଳି ପାଉଁଶ ହୋଇଯାଇଛି ।

ଏହା ଆଗରୁ ମଧ୍ୟ ଗତ ସପ୍ତାହରେ ନିଆଁ ଲାଗି ୧୫ରୁ ଅଧିକ ଟେଣ୍ଟ ପୋଡ଼ି ଯାଇଥିଲା। ଅନ୍ୟପଟେ ମୌନି ଅମାବାସ୍ୟା ଦିନରେ ଅମୃତ ସ୍ନାନ ବେଳେ ଦଳାଚକଟାରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଶତାଧିକ ଆହତ ହୋଇଥିଲେ।

୫ ବର୍ଷ ପରେ କମିଲା ରେପୋ ରେଟ୍ , ୦.୨୫ ପ୍ରତିଶତ ହ୍ରାସ କଲା RBI

ନନ୍ଦିଘୋଷ ବ୍ୟୁରୋ: ୫ ବର୍ଷ ପରେ ରେପୋ ରେଟ୍ ୦.୨୫ ପ୍ରତିଶତ ହ୍ରାସ କଲା RBI । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାର ହ୍ରାସ କରିଛି । ରେପୋ ରେଟରେ ଏହି ହ୍ରାସ ୨୫ ବେସିସ୍ ପଏଣ୍ଟ କରାଯାଇଛି । ରେପୋ ରେଟ ୬ ଦଶମିକ ୫୦ରୁ ୬ ଦଶମିକ ୨୫ ପ୍ରତିଶତକୁ ହ୍ରାସ କରାଯାଇଛି । ରେପୋ ରେଟରେ ଏହି ହ୍ରାସ ୫ ବର୍ଷ ପରେ କରାଯାଇଛି । ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୦ ମସିହାରେ ରେପୋ ରେଟ ହ୍ରାସ କରିଥିଲା । କିନ୍ତୁ ଏହା ପରେ ଏହାକୁ ଧୀରେ ଧୀରେ ୬ ଦଶମକ ୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଶେଷ ଥର ପାଇଁ ଫେବୃଆରୀ ୨୦୨୩ରେ ରେପୋ ରେଟ୍ ବୃଦ୍ଧି କରାଯାଇଥିଲା । ରେପୋ ରେଟ୍ ହ୍ରାସ ପରେ ଋଣର EMI ହ୍ରାସ ପାଇବ। ବିଶ୍ୱ ଅର୍ଥନୀତି ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା କହିଛନ୍ତି ଆରବିଆର ଗଭର୍ଣ୍ଣର । ବିଶ୍ୱ ସ୍ତରରେ ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଉଛି। ଫେଡେରାଲ ରିଜର୍ଭ ବ୍ୟାଙ୍କ ଅନେକ ଥର ରେପୋ ରେଟ୍ ହ୍ରାସ କରିଛି । ସମଗ୍ର ବିଶ୍ୱର ଅର୍ଥନୀତି ପ୍ରଭାବିତ ହେଉଛି। ଭାରତୀୟ ଟଙ୍କା ଏବେ ଚାପରେ ଅଛି। ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଅନେକ ବଡ଼ ଚ୍ୟାଲେଞ୍ଜ ରହିଛି।

ଅଭିନେତା ସୋନୁ ସୁଦଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି ଲୁଧିଆନା କୋର୍ଟ

ନନ୍ଦିଘୋଷ ବ୍ୟୁରୋ: ସମସ୍ୟାରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ । ଗିରଫ ହୋଇପାରନ୍ତି ସୋନୁ ସୁଦ୍ ।  ପଞ୍ଜାବ ଲୁଧିଆନା କୋର୍ଟ ସୋନୁଙ୍କୁ ଗିରଫ କରିବା ପାଇଁ ୱାରେଣ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଠକେଇ ଅଭିଯୋଗରେ ଲୁଧିଆନା କୋର୍ଟ ଏହି ଗିରଫ ପରୱାନା ଜାରି କରିଛନ୍ତି ।

କୁହାଯାଉଛି ଲୁଧିଆନା କୋର୍ଟ ୧୦ ଲକ୍ଷ ଟଙ୍କାର ଏକ ଠକେଇ ମାମଲାରେ ପଚରାଉଚରା ପାଇଁ ପୂର୍ବରୁ ସୋନୁଙ୍କ ସମନ ଜାରି କରିଥିଲେ । ହେଲେ ସେ ଏହାର କୌଣସି ଉତ୍ତର ରଖିନଥିଲେ କି କୋର୍ଟରେ ମଧ୍ୟ ହାଜର ହୋଇନଥିଲେ । ଯେଉଁଥିପାଇଁ ଏବେ ଲୁଧିଆନା କୋର୍ଟ ସୋନୁଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି।

କୋର୍ଟ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି, “ସୋନୁ ସୁଦଙ୍କୁ ସମନ କିମ୍ବା ୱାରେଣ୍ଟ ପ୍ରଦାନ କରାଯାଇଛି କିନ୍ତୁ ସେ କୋର୍ଟରେ ହାଜର ହୋଇନାହାଁନ୍ତି। ସୋନୁ ସୁଦଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଉଛି” ।

 

ଦିଲ୍ଲୀ ନିର୍ବାଚନ ଫଳାଫଳ ପୂର୍ବରୁ ଆପରେ ବଡ ହଇଚଇ, ସବୁ ପ୍ରାର୍ଥୀଙ୍କୁ ଡାକିଲେ କେଜ୍ରିଓ୍ବାଲ୍

ନୂଆଦିଲ୍ଲୀ:  ଦିଲ୍ଲୀ ନିର୍ବାଚନର ଗଣନା ପୂର୍ବରୁ ଆମ ଆଦମୀ ପାର୍ଟି ନିଜର ସବୁ ୭୦ ପ୍ରାର୍ଥୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛି  । ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ କେଜ୍ରିଓ୍ବାଲ୍ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ତେବେ ଏହି ବୈଠକଟି ଆଜି ଦିନ ୧୧ଟା ୩୦ରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅପରେସନ୍ ଲୋଟସ୍ ପ୍ରତି ନିଜର ବିଧାୟକ ମାନଙ୍କୁ ସତର୍କ କରାଇବା ନେଇ ଆଲୋଚନା କରାଯିବ । ସୂଚନା ଅନୁସାରେ , ଆସନ୍ତା ଶନିବାର ଦିନ ଦିଲ୍ଲୀ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ଆମ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହ ନିର୍ବାଚନ ଗଣନା ପୂର୍ବରୁ ହିଁ ବିଜେପି ଉପରେ ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା ଅନୁସାରେ , ଦିଲ୍ଲୀରେ ଫଳାଫଳ ପୂର୍ବରୁ ହିଁ ଅପରେସନ୍ ଲୋଟସ୍ ଆରମ୍ଭ ହୋଇଯାଇଛି । ଅଭିଯୋଗ ଅନୁସାରେ ଆମ ଆଦମୀ ପାର୍ଟିର ବିଧାୟକଙ୍କୁ ୧୫ କୋଟି ଟଙ୍କା ଲେଖାଏଁ ଦେଇ ବିଜେପି ନିଜ ଦଳରେ ସାମିଲ୍ କରିବାକୁ ଚେଷ୍ଟା କରୁଛି  ।

ସୂଚନା ଆଧାରରେ , ଦିଲ୍ଲୀ ଭୋଟ୍ ଗତ ୫ ତାରିଖରେ ହୋଇଥିଲା  । ଏହା ପରେ ଏକ ଏକଜିଟ୍ ପୋଲ୍ ସାମ୍ନାକୁ ଆସିଥିଲା  । ଏବଂ ସବୁ ଏକଜିଟ୍ ପୋଲରେ ଏଥର ବିଜେପି ଦିଲ୍ଲୀରେ ସରକାର ଗଢୁଥିବା ନଜରକୁ ଆସିଥିଲା । କିନ୍ତୁ ଏହାକୁ ପୁରାପୁରି ଖଣ୍ଡନ କରିବା ସହ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ଆପ୍ ନେତା ଅରବିନ୍ଦ କେଜ୍ରିଓ୍ବାଲ୍ । ଆପର ବିଧାୟକ ମାନଙ୍କୁ ବିଜେପି ଟଙ୍କା ଦେଇ ନିଜ ଦଳକୁ ସାମିଲ୍ କରିବାର ଅଭିଯୋଗ ମଧ୍ୟ କରିଛନ୍ତି ଅରବିନ୍ଦ  ।

ଫେବୃଆରୀ ଆରମ୍ଭରୁ ଅସମ୍ଭାଳ ତାତି, ଆଗକୁ ବର୍ଷିବ ନିଆଁ

ନନ୍ଦିଘୋଷ ବ୍ୟୁରୋ: ମାଘ ଆରମ୍ଭରୁ ତାତି କଲାଣି ନୟାନ୍ତ । ସକାଳ ୭ଟା ପର୍ଯ୍ୟନ୍ତ କୁହୁଡିର ଆସ୍ତରଣ ପରେ ସୂର୍ଯ୍ୟଙ୍କ ପ୍ରଖର କୀରଣ କଲାଣି ଅସ୍ତବ୍ୟସ୍ତ । ରାଜ୍ୟର ୧୦ ସହରରେ ତାତି ୩୫ ଡିଗ୍ରି ସେଲସିୟସ୍‌ ଟପିଛି । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ସ୍ବାଭାବିକ ଠାରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିଛି। ଆଇଏମଡିର ଆକଳନ ଅନୁସାରେ ଫେବୃଆରୀ ମାସରେ ଓଡିଶାର ତାତି ସ୍ବାଭାବିକ ଠାରୁ ଅଧିକ ରହିବ । ସେପଟେ ଫେବୃଆରୀ ପ୍ରଥମ ସପ୍ତାହରେ ରାଜଧାନୀର ତାତି ୨୧ ବର୍ଷର ରେକର୍ଡ ଭାଙ୍ଗିଛି । ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ତେଜ୍ କିରଣ ପାଇଁ ଟାଇଁ ଟାଇଁ ଖରା ଅନୁଭୁତ ହେଉଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତାପମାତ୍ରା ବୃଦ୍ଧି ସହ କାଲି ପର୍ଯ୍ୟନ୍ତ ଘନ କୁହୁଡି ଅନୁଭୁତ ହେବ । ଆଜି କଟକ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼ ଓ ଗଞ୍ଜାମରେ ଘନ କୁହୁଡ଼ି ଦେଖାଯିବ ବୋଲି ପୂର୍ବାନୁମାନ କରାଯାଇଛି ।ଏନେଇ ଏହି ସମସ୍ତ ଜିଲ୍ଲାରେ ଭୋରରୁ ଗାଡି ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

ଆଜି ଭୁବନେଶ୍ବର ପହଞ୍ଚିବେ ଦୁଇ ଦଳର ଖେଳାଳି, କମିଶନରେଟ୍ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର:  ଓଡ଼ିଶାକୁ  ଚଢିଲାଣି କ୍ରିକେଟ ଫିଭର । ସୁପର ସଣ୍ଡେରେ ସୁପର ସୋ । ଆଜି ଭୁବନେଶ୍ବର ଆସିବ ଟିମ ଇଣ୍ଡିଆ। ମେନ ଇନ୍ ବ୍ଲ୍ୟୁ କୁ ଭବ୍ୟ ସ୍ବାଗତ ଜଣାଇବ ଓଡ଼ିଶା।  ତା ପୂର୍ବରୁ ସରିଛି  ବାରବାଟୀ ମ୍ୟାଚ ପାଇଁ କାରକେଡ୍ ରିହରର୍ସାଲ । ଗତକାଲି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱରରୁ କଟକ ଷ୍ଟାଡିୟମରେ ପହଞ୍ଚିଲା ଅଭ୍ୟାସ କାରକେଡ୍ । ଦୁଇ ଦଳର ଖେଳାଳିଙ୍କ ପାଇଁ ଦୁଇଟି ବସ ଏହି କାରକେଡରେ ରହିଛି । ଦୁଇ ଡିସିପିଙ୍କ ଉପସ୍ଥିତିରେ ଏହି ଅଭ୍ୟାସ କରାଯାଇଥିଲା  । ବିମାନ ବନ୍ଦରରୁ ହୋଟେଲ, ହୋଟେଲରୁ ବାରବାଟୀ ଷ୍ଟାଡିୟମରେ କିଭଳି କଡ଼ା ସୁରକ୍ଷା ବଳୟରେ ଖେଳାଳି ପହଞ୍ଚିବେ ସେନେଇ କାରକେଡ୍ ରହିରର୍ସାଲ କରାଯାଇଛି ।

ତା ସହ ଖେଳାଳି କଣ ଖାଇବେ କିଭଳି ହୋଟେଲରେ ରହିବେ ସେନେଇ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି । କ୍ରିକେଟ ଖେଳାଳିଙ୍କୁ ପରଷା ଯିବ ଓଡିଆ ଖାଦ୍ୟ । ମିଲେଟରୁ ପ୍ରସ୍ତୁତ ମଣ୍ଡା ସହ ଛେନା ପୋଡ଼ ।  ଦେଶୀ ଚିକେନ ସାଙ୍ଗକୁ ମାଛ ବେସର । ସକାଳ ଜଳଖିଆ ପାଇଁ ସ୍ପେଶାଲ ଆଇଟମ୍ । ହୋଟେଲ ମେ-ଫେୟାରରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି  । ଖାଇବା ମେନ୍ୟୁରେ ମିଲେଟରୁ ପ୍ରସ୍ତୁତ ଆଇଟମକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ଡାଇଟିସିଆନଙ୍କ ଡାଇଟ ଚାର୍ଟ ଅନୁସାରେ ଖେଳାଳିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯିବ। ଖାସ କରି ଦୁଇ ଦେଶର ଖେଳାଳି ମାନଙ୍କ ପାଇଁ କନିକାରେ ଖାଣ୍ଟି ଓଡିଆ ବ୍ଯଞ୍ଜନ ପ୍ରସ୍ତୁତ କରାଯାଇଛି। ସ୍ନାକ୍ସ, ଲଞ୍ଚ ଓ ଡିନରରେ ଓଡ଼ିଶାର ଖାଦ୍ୟ କସାଂ ପାତ୍ରରେ ପରସା ଯିବ । ଜଳଖିଆରେ ଛତୁ, ପନିର ପକୋଡା ସହିତ ଭେଜରେ ସ୍ନାକ୍ସ ରହିବ। ଲଞ୍ଚ ଓ ଡିନରରେ ପଖାଳ, ଦେଶୀ ଚିକେନ ସହ ବିଭିନ୍ନ ପ୍ରକାର ମାଛ ତରକାରୀ, ସାଧା ବେସର, ଡାଲମା ଇତ୍ୟାଦି ବ୍ୟଞ୍ଜନ ରହିଛି  । ଦୁଇ ଦେଶର ଖେଳାଳିଙ୍କ ସହ ସପୋର୍ଟ ଷ୍ଟାଫ ଏବଂ ବିସିସିଆଇର କର୍ମକର୍ତ୍ତାଙ୍କ ପାଇଁ ହୋଟେଲରେ ମୋଟ୍ ୯୬ଟି ରୁମ୍ ବୁକ୍ କରାଯାଇଛି। ଆସିବା ଠାରୁ ଯିବା ପର୍ଯ୍ୟନ୍ତ ଅନ୍ୟ କୌଣସି ଅତିଥି ମାନଙ୍କ ପାଇଁ ବୁକକିଂ ବନ୍ଦ ରହିବ ।

ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ, ନୂଆ ଆୟକର ବିଲକୁ ମିଳିପାରେ ମଞ୍ଜୁରୀ

ନନ୍ଦିଘୋଷ ବ୍ୟୁରୋ: ଆଜି ବସିପାରେ କେନ୍ଦ୍ର କ୍ୟାବିନେଟ ବୈଠକ। ଏହି ବୈଠକରେ ଗୃହୀତ ହୋଇପାରେ ନୂଆ ଆୟକର ବିଲ୍। ୨୦୨୫-୨୬ କେନ୍ଦ୍ର ବଜେଟ ଆଗତ ବେଳେ ଏହି ବିଷୟ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶରେ ବ୍ୟାପକ କର ସଂସ୍କାର ନିମନ୍ତେ ଏହି ବିଲ୍ ଉଦ୍ଦିଷ୍ଟ। ଏହା ସହ ପ୍ରସ୍ତାବିତ ପ୍ରତ୍ୟେକ୍ଷ କର ବ୍ୟବସ୍ଥାରେ ବର୍ତ୍ତମାନର କର ବ୍ୟବସ୍ଥାକୁ ସାମଗ୍ରିକ ଭାବେ ପରିବର୍ତ୍ତନ କରିବା ଲାଗି ଏହି ବିଲ ଉଦ୍ଦିଷ୍ଟ। ଯଦି କେନ୍ଦ୍ର କ୍ୟାବିନେଟରେ ଏହି ବିଲ୍ ଗୃହୀତ ହେଲା ତେବେ ତାହାକୁ ଚଳିତ ଅଧିବେଶନରେ ଲୋକସଭାରେ ଆଗତ ହେବ। ଦେଶରେ କର ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ଲାଗି କେନ୍ଦ୍ର ସରକାର ଏହି ବିଲ୍ ଜରିଆରେ ପଦକ୍ଷେପ ନେବେ। ଏହା ସହ କର ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ ଲାଗି ଚାଲିଥିବା ପ୍ରକ୍ରିୟାରେ ଏହି ବିଲ୍ ସହାୟକ ହେବ । ଅଧିକ ଆଲୋଚନା ଓ ରହିଥିବା ବ୍ୟବସ୍ଥାଗୁଡିକ ସମ୍ପର୍କରେ ଅଧିକ ପର୍ଯ୍ୟାଲୋଚନା ଲାଗି ଏହି ବିଲକୁ ଏକ ଷ୍ଟାଣ୍ଡିଂ କମିଟିକୁ ପଠାଯିବା ସମ୍ଭାବନା ରହିଛି । ଏହି ବିଲରେ କୌଣସି ନୂଆ କର ବ୍ୟବସ୍ଥା ରହିନାହିଁ । କେବଳ କର ନିୟମକୁ ସରଳୀକରଣ ଲାଗି ଏହା ଉଦ୍ଦିଷ୍ଟ । କରଦାତାଙ୍କ ମଧ୍ଯରେ ଥିବା ଦ୍ବନ୍ଦ୍ବ ଦୂର ଲାଗି ବିଲରେ ବ୍ୟବସ୍ଥା ରହିଛି । ଏହା ସହ କର ବ୍ୟବସ୍ଥା ମଧ୍ୟରେ କରଦାତାଙ୍କୁ ଅଧିକ ସହାୟତା ଦେବା ଲାଗି ସରକାର ଆଗ୍ରହୀ ଥିବାରୁ ଏହି ବିଲରେ ସେଥିପ୍ରତି ଧ୍ୟାନ ଦିଆଯାଇଛି ।

ବଜେଟ ଅଧିବେଶନ ସୁରୁଖୁରୁରେ ସାରିବାକୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ବିଧାନସଭାର ବଜେଟ ଅଧିବେଶନକୁ ସରୁଖୁରୁରେ ଶେଷ କରିବାକୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ୧୨ ତାରିଖରେ ସର୍ବଦଳୀୟ ବୈଠକରେ ସବୁ ଦଳର ସହଯୋଗ ଲୋଡ଼ିବେ ବାଚସ୍ପତି ସୁରମା ପାଢ଼ୀ । ଲମ୍ବା ସମୟର ବଜେଟ ଅଧିବେଶନ ପାଇଁ ଉଭୟ ବିଜେପି ଓ ବିଜେଡି ସେହି ଦିନ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିବେ । ୭ ମାସର ବିଜେପି ସରକାରର ବିଫଳତାକୁ ଗୃହରେ ଉଠାଇ ଘେରିବେ ବିରୋଧୀ । ଅନ୍ୟପଟେ ଶାସକ ବିଜେପି କହିଛି ବିରୋଧୀଙ୍କୁ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଦଳ ।

ଫେବୃଆରୀ ୧୩ ତାରିଖରୁ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ । ଲମ୍ବା ସମୟର ବଜେଟ୍ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ । ଫେବୃଆରୀ ୧୨ ତାରିଖ ଦିନ ୧୧ଟାରେ ବାଚସ୍ପତି ସୁରୁମା ପାଢୀଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ । ଶାସକ ଓ ବିରୋଧୀ ମତାମତ ଦେବା ସହ ଗୃହ ପରିଚାଳନାର ଦିଗ ସ୍ଥିର ହେବ । କାହାକୁ କେଉଁ କାର୍ଯ୍ୟସୂଚୀରେ କେତେ ସମୟ ମିଳିବ ତାହା ସ୍ଥିର କରାଯିବ ।

୨୮ଟି କାର୍ଯ୍ୟ ଦିବସ ଥିବା ବିଧାନସଭା ଅଧିବେଶନରେ ଶାସକ ବିଜେପିକୁ ଘେରିବାକୁ ୧୨ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହେବ ରଣନୀତି । ୭ ମାସର ବିଜେପି ସରକାରର ଗୋଟିଏ ପରେ ଗୋଟିଏ ବିଫଳତାକୁ ଗୃହରେ ଉଠାଇ ପ୍ରଶ୍ନ କରିବ ବିଜେଡି l ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଓଡ଼ିଶାବାସୀଙ୍କୁ ବିଶୁଦ୍ଧ ପାଣି ଯୋଗାଇବାରେ ସରକାର ଫେଲ ମାରିବା, ନିର୍ବାଚନୀ ପ୍ରତିଶୃତି ପାଳନ ନକରିବା, ଧାନ ମଣ୍ଡିରେ କଟନି ଛଟନି ସହ ବଜେଟ ଅର୍ଥକୁ ସରକାର ଖର୍ଚ୍ଚ କରିନପାରିବାକୁ ନେଇ ଲୋକଙ୍କ ସ୍ବର ସାଜି ଗୃହରେ ଶାସକ ଦଳକୁ ଘେରିବ ବିଜେଡି । ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ ବିଧାୟକମାନେ ଗୃହରେ ସ୍ବରକୁ ଶାଣିତ କରିବେ । ଅନ୍ୟପଟେ କଂଗ୍ରେସ ମଧ୍ୟ ବିଜେପି ସରକାରର ଲମ୍ବା ବିଫଳତାକୁ ଗୃହରେ ଉଠାଇବାକୁ ପ୍ରସ୍ତୁତ କରିଛି ଯୋଜନା ।

ଲମ୍ବା ସମୟର ବଜେଟ ଅଧିବେଶନ ପାଇଁ ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ ଥିବାରୁ ଚିନ୍ତାରେ ପଡ଼ିଛି ଶାସକ ଦଳ । ବିରୋଧୀଙ୍କ ପ୍ରଶ୍ନର କିପରି ଉତ୍ତର ଦିଆଯିବ । ସେଥିପାଇଁ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବିଜେପି ବିଧାୟକ ଦଳ ବୈଠକ । ବିଜେଟ ଅର୍ଥ ଖର୍ଚ୍ଚ ହୋଇ ପାରୁ ନଥିବା ବିଜେଡି ଅଭିଯୋଗ କରିବା ପରେ, ବିଜେପି କହିଛି ବିଭିନ୍ନ ଯୋଜନା ମାଧ୍ୟମରେ ଗାଁରେ ଅର୍ଥ ଖର୍ଚ୍ଚ କରିବାକୁ ସରକାର ପ୍ରସ୍ତୁତ ହୋଇଛନ୍ତି । ତେବେ ବିରୋଧୀ ଯେଉଁସବୁ ପ୍ରସଙ୍ଗ ଉଠାଇବେ ତାହାକୁ ସାମ୍ନା କରିବାକୁ ଦଳ ପ୍ରସ୍ତୁତ ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି ।

୧୩ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ଫେବୃଆରୀ ୧୭ ତାରିଖରେ ଗୃହରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ହେବ । ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ଶୃଙ୍ଖଳା ଚାର୍ଟକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବାରୁ ସର୍ବଦଳୀୟ ବୈଠକରେ ବିରୋଧୀଙ୍କ ଆଭିମୁଖ୍ୟ କ’ଣ ରହୁଛି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ହୋଇପାରୁନି ସଭାପତି ଚୟନ: ବିଜେପିରେ ଆଭ୍ୟନ୍ତରୀଣ କନ୍ଦଳ ସାଜିଛି ବାଧକ, ଓଡ଼ିଶା କଂଗ୍ରେସକୁ ଫୋକସ କରୁନି ଏଆଇସିସି

ଭୁବନେଶ୍ବର: ମୁଖିଆ ପାଉନାହାନ୍ତି ରାଜ୍ୟର ଦୁଇ ଜାତୀୟ ଦଳ । ୭ ମାସ ଧରି କଂଗ୍ରେସ ବିନା ମୁଖିଆରେ ଚାଲିଥିବା ବେଳେ, ନିର୍ବାଚନ ପ୍ରକ୍ରିୟାର ଡେଡଲାଇନ ପରେ ବି ନୂଆ ସଭାପତି ବାଛିପାରୁନି ବିଜେପି । ଯାହାକୁ ନେଇ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସରେ ଜାରି ରହିଛି ସସପେନ୍ସ । ନେତା ବି ମାନିଲେଣି ଆଶାୟୀ ଅଧିକ ଥିବାରୁ ମୁଖିଆ ଚୟନରେ ଉପୁଜୁଛି ସମସ୍ୟା ।

କିଏ ଧରିବ ମଙ୍ଗ ? କାହାକୁ ସଭାପତି କଲେ ତୃଣମୂଳସ୍ତରରେ ମଜବୁତ ହେବ ସଂଗଠନ ? ଏହାକୁ ନେଇ ଓଡ଼ିଶାରେ ଦୁଇ ଜାତୀୟ ଦଳରେ ଜାରି ରହିଛି ସସପେନ୍ସ । ଦୁଇ ଦଳରେ ସଭାପତି ହେବା ପାଇଁ ବହୁ ଆଶୀୟୀ ଥିବାରୁ ଛିଡୁନି ଅଙ୍କ । ଡେଡଲାଇନ ସରିବା ପରେ ବି ବିଜେପି ଓ କଂଗ୍ରେସରେ ଚୟନ ହୋଇପାରୁ ନାହାନ୍ତି ମୁଖିଆ । ଶାସକ ବିଜେପିରେ ଆଭ୍ୟନ୍ତରୀଣ କନ୍ଦଳ ଯୋଗୁଁ ଏଯାଏଁ ଘୋଷଣା ହୋଇପାରୁନାହିଁ ୧୪ଟି ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ । ଦଳୀୟ ବିଧାୟକ ଅଶୋକ ମହାନ୍ତିଙ୍କ ଯୁକ୍ତି, ଶୀର୍ଷ ନେତୃତ୍ବ ସବୁ ଦିଗକୁ ବିଚାର କରି ସଭାପତି ଚୟନ କରିବେ । ରାଜନୀତିରେ ଆଶାୟୀ ଅଧିକ ରହିବା ସ୍ବାଭାବିକ କଥା । କେନ୍ଦ୍ରୀୟ ସଭାପତି ଦକ୍ଷ ଲୋକଙ୍କୁ ସଭାପତି ଚୟନ କରିବେ । ବିଜେପି ରାଜ୍ୟ ସଭାପତି ରେସରେ ବର୍ତ୍ତମାନର ସଭାପତି ମନମୋହନ ସାମଲ ଆଗରେ ରହିଥିବା ବେଳେ, ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ନାଁ ଚର୍ଚ୍ଚାରେ ରହିଛି ।

ଅନ୍ୟପଟେ ୭ ମାସ ହେବ ଚୟନ ହୋଇପାରୁନି କଂଗ୍ରେସ ମୁଖିଆ। ବିନା ମୁଖିଆରେ ଚାଲିଛି ରାଜ୍ୟ କଂଗ୍ରେସ । ପିସିସି ସଭାପତି ରେସରେ ସାଂସଦ ସପ୍ତଗିରି ଉଲାକା ଆଗରେ ଥିବା ବେଳେ, ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା, ଭକ୍ତ ଚରଣ ଦାସଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ଏଆଇସିସିର ଦୁଇ ପର୍ଯ୍ୟବେକ୍ଷକ ମତାମତ ନେବା ପରେ ବି ସଭାପତି ଚୟନ କରିପାରୁନି ଦଳ ।

ନିର୍ବାଚନର ୮ ମାସ ପରେ ଦୁଇ ଜାତୀୟ ଦଳରେ ମୁଖିଆ ଚୟନ ହୋଇ ନପାରିବା ଉଭୟ ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । ବିଜେପିରେ ଅନ୍ତକନ୍ଦଳ ଯୋଗୁଁ ଶେଷ ହୋଇପାରୁନି ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା । ତେବେ ଓଡ଼ିଶାରେ କଂଗ୍ରେସର ସ୍ଥିତିକୁ ଦେଖି ଏଆଇସିସି ନେତା ଚୟନ ଉପରେ ବିଶେଷ ଗୁରୁତ୍ବ ଦେଉ ନଥିବା ମତ ରଖିଛନ୍ତି ସମୀକ୍ଷକ ।

ସରକାର ଓ ସଂଗଠନକୁ ନେଇ ଚାଲି ପାରୁଥିବା ଜଣେ ଦକ୍ଷ ଲୋକଙ୍କୁ ବିନା ଦ୍ବନ୍ଦରେ ମଙ୍ଗୁଆଳ କରିବାକୁ ଅଣ୍ଟା ଭିଡିଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ବ । ଯାହା ସମୟ ସାପେକ୍ଷ । ଅନ୍ୟପଟେ କଂଗ୍ରେସକୁ ଗୋଷ୍ଠୀ ମୁକ୍ତ କରି ସଭିଁଙ୍କୁ ନେଇ ଚାଲିପାରୁଥିବା ନେତା ପାଉନାହିଁ ଏଆଇସିସି ।