spot_img
Home Blog Page 1156

ଶିକ୍ଷକ ଅଭାବ ପ୍ରତିବାଦରେ ସ୍କୁଲ ଫାଟକରେ ଝୁଲିଲା ତାଲା: ଧାରଣାରେ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ

ଜଗତସିଂହପୁର: ଶିକ୍ଷକ ଅଭାବ ପ୍ରତିବାଦରେ ସ୍କୁଲ ଫାଟକରେ ଝୁଲିଲା ତାଲା । ଧାରଣାରେ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଶିକ୍ଷା ବିଭାଗ ଅଧୀନରେ ରହିଛି ବୈଦେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିଥାନ୍ତି। ବିଦ୍ୟାଳୟରେ ୭୦ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ମାତ୍ର ଦୁଇ ଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି । ଯାହାଫଳରେ ଶିକ୍ଷାଦାନରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଛାତ୍ରଛାତ୍ରୀମାନେ । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଆବଶ୍ୟକ ଶିକ୍ଷକ ପଦ ପୂରଣ ହେଉନାହିଁ। ଯାହାକୁ ନେଇ ତିର୍ତ୍ତୋଲ ଦାଇଁଲୋ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ବୃଦ୍ଧି ପାଇଛି । ଗତକାଲି ସ୍କୁଲ ଫାଟକରେ ତାଲା ପାକଇ ଧାରଣାରେ ବସି ରହିଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକମାନେ । ଯେପର୍ଯ୍ୟନ୍ତ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ ନହୋଇଛି ସେପର୍ଯ୍ୟନ୍ତ ସ୍କୁଲ ଫାଟକରେ ତାଲା ଝୁଲିବ ବୋଲି ଗ୍ରାମବାସୀ ମାନେ କହିଛନ୍ତି ।

ଆଜିଠାରୁ ରାଜ୍ୟରେ ବଢ଼ିବ ତାତି: ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ

ଭୁବନେଶ୍ବର: ମାଘ ଯାଉ ଯାଉ ମାଡ଼ି ଆସିଲାଣି ତାତି। ଗରମରେ ଆଉଟୁ ପାଉଟୁ ରାଜ୍ୟବାସୀ। ଉପକୂଳରେ ଉପରମୁହାଁ ପାରଦ। ଆଜିଠାରୁ ରାଜ୍ୟରେ ଅହେତୁକ ଭାବରେ ବଢିବ ତାତି। ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଚଳିତବର୍ଷ ପ୍ରଥମ ଥର ପାଇଁ ଗତକାଲି ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ଟପିଛି ରାଜଧାନୀ ଭୁବନେଶ୍ବର। ଗତକାଲି ୩୫.୯ ଡିଗ୍ରୀ ସହ ଉତ୍ତପ୍ତ ସହର ପାଲଟିଥିଲା ଅନୁଗୁଳ। ଉପକୂଳ ଓଡ଼ିଶା ସମେତ ଅନୁଗୁଳ ଏବଂ ଢେଙ୍କାନାଳରେ ତାତି ଅସମ୍ଭାଳ ହୋଇଥିବା ବେଳେ ଆସନ୍ତା ୧୯ ତାରିଖ ମଧ୍ୟରେ ସାଂଘାତିକ ତାତି ଅନୁଭୁତ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ରହିବା ସହ ମେଘମୁକ୍ତ ଆକାଶ ପାଇଁ ତାତି ବୃଦ୍ଧି ପାଉଛି। ଏହାସହ ରାଜ୍ୟକୁ ସାମୁଦ୍ରିକ ପବନ ପ୍ରବାହରେ ବ୍ରେକ୍ ଲାଗିଛି। ତେବେ ତାତି ସହ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର ।

ବଜେଟ ଅଧିବେଶନର ତୃତୀୟ ଦିନ: ଆଜି ବି ହୁଲସ୍ତୁଲ ହୋଇପାରେ ଗୃହ

ଭୁବନେଶ୍ବର: ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ପ୍ରଶ୍ନକାଳ ସ୍ବଭାବିକ ଚାଲିବକି କି ନାହିଁ ତାକୁ ନେଇ ସନ୍ଦେହ ଦେଖାଦେଇଛି। ଚାଷୀ ଓ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ବିଜେଡି ସରକାରଙ୍କୁ ଘେରିଥିବା ବେଳେ ସରକାର ପଳାୟନପନ୍ଥି ହୋଇଛନ୍ତି। ଆଜି ମହିଳା-ଶିଶୁ ବିକାଶ, ନିର୍ମାଣ, ପର୍ଯ୍ୟଟନ, ଅବକାରୀ, ମିଶନ ଶକ୍ତି, ଆଇନ ବିଭାଗର ପ୍ରଶ୍ନକାଳ ରହିଛି । ବିଧାୟକ ମାନେ ଚାହିଁଲେ ଭିନ୍ନ ପ୍ରଶ୍ନ ମଧ୍ୟ ପଚାରି ପାରିବେ। ଶୂନ୍ୟକାଳରେ ଧାନର କଟନୀ ଛଟନୀ, ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ପାରନ୍ତି ବିରୋଧୀ। ଏହା ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ଆଜି ଗୃହ ସ୍ବାଭାବିକ ଚାଲିବ ନା ପୁଣି ଆରମ୍ଭରୁ ଅଚଳାବସ୍ଥା ଜାରି ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି।

ମୋ ବସ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ

ପୁଣି ମୋ ବସର ବେପରୁଆ ଗାଡି ଚାଳନା
ତମାଣ୍ଡୋ ଓଭରବ୍ରିଜ୍ ନିକଟରେ ଦୁର୍ଘଟଣା
ମହିଳାଙ୍କୁ ଧକ୍କା ଦେଲା ମୋ ବସ୍
ମୋ ବସ ଧକ୍କାରେ ମହିଳାଙ୍କ ମୃତ୍ୟୁ
ଦୁର୍ଘଟଣା ପରେ ମହିଳାଙ୍କୁ ଘୋଷାଡ଼ି ନେଲା ମୋ ବସ

ସେପଟେ ପୁଣି ଆକ୍ରୋସର ଶିକାର ହେଲା ମୋ ବସ । ବେପରୁଆ ଗାଡିଚାଳନା ପାଇଁ ବସକୁ ଢେଲା ପଥର ମାଡ଼ ହୋଇଛି। ରଣକ୍ଷେତ୍ର ପାଲଟିଲା ଶ୍ରୀୟା ଛକ । ନନ୍ଦିଘୋଷ ଟିଭି ହାତରେ ଲାଗିଛି exclusive ଭିଜୁଆଲ । ପ୍ରାୟ ଅଧଘଣ୍ଟା ଧରି ବସ ଅଟକାଇବା ପରେ ସ୍ୱାଭାବିକ ହୋଇଥିଲା ବସ ଚଳାଚଳ। ଖବର ପାଇ ଖାରବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି । ବସ ଡ୍ରାଇଭର ସହ ବସକୁ ଅଟକ ରଖିଛି ଖାରବେଳନଗର ପୋଲିସ।

ଜ୍ୟୋତିଷ ସାଜି ଲୋକଙ୍କୁ ଲଗାଉଥିଲେ ଚୂନ, ଧରା ପଡ଼ିଲା ଗ୍ୟାଙ୍ଗ୍

ନନ୍ଦିଘୋଷ ବ୍ୟୁରୋ: ଉତ୍ତରାଖଣ୍ଡରୁ ଆସି ଝାରସୁଗୁଡ଼ାରେ କରୁଥିଲେ ଅପରାଧ । ଜ୍ୟୋତିଷ ସାଜି ଲୋକଙ୍କୁ ଲଗାଉଥିଲେ ଚୂନ । ଗ୍ୟାଙ୍ଗ ସହାୟତାରେ ନିରୀହ ଲୋକଙ୍କୁ କରୁଥିଲେ ଟାର୍ଗେଟ। ବେଳପାହାଡ଼ ଥାନାରେ ଗତ ୧୧ ତାରିଖ ଦିନ ଏବଂ ଝାରସୁଗୁଡ଼ା ଥାନାରେ ୧୩ ତାରିଖ ଦିନ ସୁନା ଠକେଇ ନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।  ଘଟଣାର ତଦନ୍ତ କରି ଉତ୍ତରପ୍ରଦେଶ ମେରଟର ଜୋହର ଅଲ୍ଲୀ, ଆମରୋହାର  ମହମ୍ମଦ ଇସଲାମ, ଉତ୍ତରାଖଣ୍ଡ ଉଦାମ ସିଂହ ନଗରର ଶାହିଦ ଅହମ୍ମଦ ଏବଂ ମହମ୍ମଦ ଇକବାଲଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୋଲିସ୍ । ବେଳପାହାଡ଼ର ରିତାମଞ୍ଜରୀ ସାହୁ ଏବଂ ସରବାହାଲର ନିରୂପମା ନାୟକଙ୍କୁ ଲୁଟିଥିଲେ ଏହି ଠକ । ଗ୍ୟାଙ୍ଗଠାରୁ ପୋଲିସ ଦୁଇଟି ବାଇକ, ସୁନା ଗହଣା ଜବତ କରିଛି । ଝାରସୁଗୁଡ଼ା ଏସପି କାର୍ଯ୍ୟାଳୟରେ ଆଇଜି ଏବଂ ଏସପି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସିସିଟିଭି ଆଧାରରେ ସମ୍ବଲପୁରରୁ ଏହି ଗ୍ୟାଙ୍ଗକୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି ।

ଭାଙ୍ଗିଲା ନୀଳଚକ୍ର ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡ

ନନ୍ଦିଘୋଷ ବ୍ୟୁରୋ: ଭାଙ୍ଗିଲା ନୀଳଚକ୍ର ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡ । ଶ୍ରୀମନ୍ଦିର ଚୁଡ଼ାରେ ଆଜି ଏହି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ନୀଳଚକ୍ରରେ ମୁଖ୍ୟ ବାନାକୁ ଧରି ରଖୁଥିବା ବାଉଁଶରେ ପ୍ରସ୍ତୁତ ଅକ୍ଷୟ ଦଣ୍ଡଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ଅପରାହ୍ନରେ ବାନା ପରିବର୍ତ୍ତନ ହୁଏ। ତେବେ ଆଜି ଚୁନରା ସେବାୟତ ବାନା ପରିବର୍ତ୍ତନ କରିବାକୁ ଯିବା ବେଳେ ହଠାତ୍ ଏହି ବାଉଁଶର ଅକ୍ଷୟ ଦଣ୍ଡଟି ଭାଙ୍ଗି ଯିବା ଦେଖିବାକୁ ମିଳିଥିଲା ।

ପୁଣି କଂଗ୍ରେସକୁ ଫେରିବେ ପୁରୁଖା ନେତା, ପିସିସି ସଭାପତି କହିଲେ..

ନନ୍ଦିଘୋଷ ବ୍ୟୁରୋ: ପୁଣି କଂଗ୍ରେସକୁ ଫେରିବେ ପୁରୁଖା ନେତା । ଦଳରୁ ଦୁରେଇ ଯାଇଥିବା ତଥା ନିଲମ୍ବନ ହୋଇଥିବା ସମସ୍ତ ପୁରୁଖା ନେତା ମାନଙ୍କୁ ପୁଣି କଂଗ୍ରେସ କୁ ଅଣାଯିବ । ଆଜି ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି  ପିସିସି ସଭାପତି ଭକ୍ତ ଦାସ । ସୁର ରାଉତରାୟ ଜଣେ  ଅଭିଜ୍ଞ ଓ ଦଳର ଗୋଟିଏ ଶକ୍ତ ସ୍ତମ୍ଭ ।  କଂଗ୍ରେସ ସେହି ସ୍ତମ୍ଭ ଭୁଶୁଡିବାକୁ ଦେବ ନାହିଁ ବୋଲି କହିଛନ୍ତି ଭକ୍ତ ଦାସ। ଯେଉଁ ନେତାମାନଙ୍କୁ ଦଳରୁ ନିଲମ୍ଵନ କିମ୍ଵା ବହିଷ୍କାର କରାଯାଇଥିଲା । ତାହାକୁ ପ୍ରତ୍ୟାହାର କରାଯାଇଥିବା ବିଜ୍ଞପ୍ତି ପ୍ରକାଶ କରି ଜଣାଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଏହା ସହିତ ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ ଯେଉଁମାନେ କଂଗ୍ରେସ ଦଳ ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି । ସେମାନେ ପୁଣିଥରେ କଂଗ୍ରେସ ଦଳକୁ ଫେରିଆସିବାକୁ ସେ ନିବେଦନ କରିଛନ୍ତି । ଯଦି ସେମାନେ କଂଗ୍ରେସ ଦଳର ନୀତି ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦାନ କରିବାକୁ ଇଚ୍ଛୁକ, ସେମାନଙ୍କୁ କଂଗ୍ରେସ ଦଳ ପକ୍ଷରୁ ସମ୍ମାନର ସହିତ ସ୍ଵାଗତ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ।

ବିଜେପି ବିଧାୟକ ଦଳ ବୈଠକରେ ବିଧାୟକଙ୍କ ଅସନ୍ତୋଷ, ପଦାରେ ପଡ଼ିଲା ଦଳୀୟ କନ୍ଦଳ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ବିଜେପିରେ ବଢୁଛି ଅସନ୍ତୋଷ। ବିଧାୟକ ଦଳ ବୈଠକରେ ସରକାଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ଶାସକ ଦଳର ବିଧାୟକ। ସବୁ କାମ ଧିରେ ଧିରେ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଥିବାବେଳେ ରାଜ୍ୟ ସଭାପତି ବିଧାୟକଙ୍କ ଉପରେ ବର୍ଷିଥିବା ଜଣାପଡ଼ିଛି। ବିଧାୟକ ହେବାର ଇଚ୍ଛା ନାହିଁ ଯଦି ଇସ୍ତଫା ଦେଇଦିଅନ୍ତୁ ବୋଲି ଚରମବାଣୀ ଶୁଣାଇଥିବା ଚର୍ଚ୍ଚା ହେଉଛି। ଏପଟେ ବିଜେପିର ରାଜ୍ୟ ସଭାପତି ଚୟନକୁ ନେଇ ତାରିଖ ପରେ ତାରିଖ ବଦଳି ଚାଲିଛି। ଜାନୁଆରୀ ୧୫ ସୁଦ୍ଧା ସଭାପତି ଚୟନ ପାଇଁ ଟାର୍ଗେଟ ରଖାଯାଇଥିବା ବେଳେ ଫେବୃଆରୀ ୧୪ ହେଲାଣି ନିଷ୍ପତ୍ତି ହୋଇପାରୁନି। ରାଜ୍ୟ କାର୍ଯ୍ୟାଳୟରେ ଦ୍ବନ୍ଦ ଦୂର ପାଇଁ ବସିଛି କୋର୍ କମିଟି ବୈଠକ।

ବିଜେପି ବିଧାୟକ ଦଳ ବୈଠକରେ ବିଧାୟକଙ୍କ ଅସନ୍ତୋଷ। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ସାମ୍ନାରେ ବିଧାୟକ କହିଲେ ମନର ବ୍ୟଥା। ୮ ମାସ ହେଲାଣି କିଛି କାମ ହେଉନି। ସରକାରୀ ଅଧିକାରୀ ଆମ କଥା ଶୁଣୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶ୍ବାସନା ଦେଇ ଅସନ୍ତୋଷ ଚପାଇବାକୁ ଉଦ୍ୟମ କରିଛନ୍ତି। ତେବେ ବିଧାୟକଙ୍କ ବ୍ୟବହାରରେ ରାଗିଯାଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ଯେଉଁମାନେ ଅସନ୍ତୁଷ୍ଟ ସେମାନେ ଇସ୍ତଫା ଦେଇଦିଅନ୍ତୁ। ଉପ ନିର୍ବାଚନ କରି ଆଉ କାହାକୁ ବିଧାୟକ କରିବୁ ବୋଲି ସଭାପତିଙ୍କ ଚରମବାଣୀକୁ ନେଇ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହୋଇଛି। ଯଦିଓ ଏହାକୁ ଖୋଲଖୋଲି କୌଣସି ବିଧାୟକ ସ୍ବୀକାର କରିନାହାନ୍ତି, ହେଲେ ମନର କ୍ଷୋଭକୁ ସ୍ପଷ୍ଟ କରିଛନ୍ତି ।

ସରକାର ପରିଚାଳନାରେ ଶାସନ ଦଳ ବିଧାୟକ ନିଜର ଅସନ୍ତୋଷ ଜଣାଇଥିବା ବେଳେ ବିଜେପି ସଙ୍ଗଠନରେ ମଧ୍ୟ ସମାନ ଅବସ୍ଥା।ରାଜ୍ୟ ସଭାପତି ଚୟନରେ ଅହେତୁକ ବିଳମ୍ବ ଦଳ ଭିତରେ ଥିବା ଅସନ୍ତୋଷକୁ ପଦାରେ ପକାଇଛି। ୩୭ ସାଙ୍ଗଠନିକ ଜିଲ୍ଲାରୁ ୨୩ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଥିବା ବେଳେ ତୃଣମୂଳ ସ୍ତରରେ ବିବାଦରୁ ୧୪ ଜିଲ୍ଲାରେ ସଭାପତି ନେଇ ସହମତି ହୋଇପାରୁନି। ଜାନୁଆରୀ ୧୫ ସୁଦ୍ଧା ରାଜ୍ୟ ସଭାପତି ନିର୍ବାଚନ ସାରିବାକୁ ଟାର୍ଗେଟ ରହିଥିଲା। ହେଲେ ଏଯାଏଁ କିଛି ଚୂଡ଼ାନ୍ତ ହୋଇପାରୁନି। ରାଜ୍ୟ ବିଜେପିରେ ଥିବା ବିଭିନ୍ନ ଗୋଷ୍ଠୀର କନ୍ଦଳ ଅଧିକ ବ୍ୟାପୁଥିବାରୁ ପରବର୍ତ୍ତୀ ସଭାପତିଙ୍କୁ ନେଇ ନିଷ୍ପତ୍ତି ହୋଇପାରୁନାହିଁ। ଦ୍ବନ୍ଦ ଦୂର ପାଇଁ ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ କୋର କମିଟି ବୈଠକ ବସି ସମାଧାର ବାଟ ବାହାର କରିବାକୁ ଉଦ୍ୟମ ହୋଇଛି। ବୈଠକରେ ସରକାରଙ୍କ ଗତିବିଧି, ସାଂଗଠନିକ ନିର୍ବାଚନ ସହ ନିଗମ ନିଯୁକ୍ତି ବାବଦରେ ମଧ୍ଯ ଚର୍ଚ୍ଚା ହୋଇଛି। ରାଜ୍ୟ ସଭାପତି ନିର୍ବାଚନ ଖୁବ୍ ଶୀଘ୍ର ହେବ ବୋଲି ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି। ସରକାରକୁ ଆସିଥିବାରୁ ନେତା ଓ କର୍ମୀଙ୍କ କ୍ଷମତା ସହ ଆଶା ବଢିଥିବାରୁ ସଭାପତି ଚୟନ ବିଳମ୍ବ ହେଉଛି ବୋଲି ସମୀକ୍ଷକ ମତ ରଖିଛନ୍ତି।

ସଙ୍ଗଠନରେ ଦ୍ବନ୍ଦ, ସରକାରରେ ଅସନ୍ତୋଷ। ଜିଲ୍ଲା ସ୍ତରରେ ଗୋଷ୍ଠୀ କନ୍ଦଳ, ରାଜ୍ୟ ସ୍ତରରେ ଅନ୍ତଃନ୍ଦ୍ଵନ୍ଦ୍ଵ ବିଜେପିକୁ ଅକଳରେ ପକାଇଛି। ସରକାରଙ୍କ କାର୍ଯ୍ୟଧାରାରେ ବିଧାୟକ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ସାଙ୍ଗଠନିକ ସ୍ତରରେ ରାଜ୍ୟ ସଭାପତି ନିର୍ବାଚନ ବିଳମ୍ବ ନେଇ ଦଳ ଭିତରେ କନ୍ଦଳ ଥିବା କଥା ସ୍ପଷ୍ଟ ହୋଇଛି।

ମତ୍ସ୍ୟ ଓ ପ୍ରାଣୀ ସମାବେଶ ନାଁରେ ପ୍ରହସନ , ଚାଷୀଙ୍କୁ ଦେଖାଉଛନ୍ତି ସୁନେଲି ସ୍ୱପ୍ନ

ନନ୍ଦିଘୋଷ ବ୍ୟୁରୋ: ବରମୁଣ୍ଡା ପଡ଼ିଆରେ ଆୟୋଜିତ ତିନିଦିନିଆ ମତ୍ସ୍ୟ ଓ ପ୍ରାଣି ସମାବେଶର ଶୁଭାରମ୍ଭ ହୋଇଛି। ଚାଷୀଙ୍କ ଆୟ ଦୁଇଗୁଣା କରିବା ଉଦ୍ଦେଶ୍ୟରେ ଚାଷ କ୍ଷେତ୍ରକୁ ପ୍ରୋତ୍ସାହନ ଦେବାକୁ ଏହି ସମାବେଶ ଜରିଆରେ ଉଦ୍ୟମ ହୋଇଛି। ବିଶେଷ କରି ମାଛ ଚାଷ, କୁକୁଡ଼ା ଚାଷ, ଗୋପାଳନ ଚାଷ ଆଡ଼କୁ ଲୋକେ କିପରି ଆକର୍ଷିତ ହେବେ, ଚାଷୀ ସହ କୃଷି ଉଦ୍ୟୋଗୀ ହୋଇପାରିବେ, ଏଥିପାଇଁ ସରକାରଙ୍କ ଯୋଜନା, ବୈଷୟିକ ସହାୟତା, ନୂଆ ନୂଆ ଟେକ୍ନୋଲୋଜିର ସହାୟତା, ମହିଳା ଚାଷୀଙ୍କ ପାଇଁ ଅଧିକ ସବସିଡ଼ି ବ୍ୟବସ୍ଥା ବାବଦରେ ସମାବେଶରେ ବିସ୍ତୃତ ତଥ୍ୟ ଦିଆଯାଇଛି। ତିନିଦିନ ଧରି ଚାଲିବାକୁ ଥିବା ଏହି ସମାବେଶରେ ବିଭିନ୍ନ ଚାଷର ଜ୍ଞାନ କୌଶଳ ବାବଦରେ ଅଧିକ ଜାଣିବା ପାଇଁ ପ୍ରାୟ ୨୦୦ଟି ଷ୍ଟଳ ଖୋଲାଯାଇଛି। ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ. ଖାଦ୍ୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସମାବେଶ ଆରମ୍ଭ ହୋଇଥିବା ବେଳେ ସଫଳ ଚାଷୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।

ମାନ୍ଦାବସ୍ଥା ଆଡ଼କୁ ଗଲାଣି ଦେଶ, ୧୭୧ ଲକ୍ଷ ୭୮ ହଜାର କୋଟିରେ ପହଞ୍ଚିଲାଣି ଋଣବୋଝ

ନନ୍ଦିଘୋଷ ବ୍ୟୁରୋ: ଋଣରେ ବୁଡ଼ିଲାଣି ଦେଶ। ଏ କଥା ସଂସଦରେ ସ୍ବୀକାର କରିଛନ୍ତି କେନ୍ଦ୍ର ସରକାର । ୨୦୧୯-୨୦ରୁ ୨୦୨୩-୨୪ ଭିତରେ ଦେଶର ମୋଟ ଋଣ ପରିମାଣ ୧୭୧ ଲକ୍ଷ କୋଟି ବୋଲି କେନ୍ଦ୍ର ସରକାର ମାନିଛନ୍ତି । ବିଶେଷଜ୍ଞଙ୍କ କହିବା କଥା, ଋଣ କରିବାରେ ଅସୁବିଧା ନାହିଁ । କିନ୍ତୁ ଯଦି ଋଣ ପରିଶୋଧ ପରିମାଣ ବେଶୀ ହେବ, ତାହେଲେ ବିକାଶମୂଳକ କାମ ପାଇଁ ଅର୍ଥର ଅଭାବ ଦେଖାଦେବ। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, ଏବେ ମାସିକ ଋଣ ବାବଦ ସୁଧ ଗଣିବାରେ ଯାଉଛି ୧୦ ଲକ୍ଷ କୋଟିରୁ ଅଧିକ । ସ୍ଥିତି ଏମିତି ହେଲାଣି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଧୀରେ ଧୀରେ ରାଜସ୍ବ ନିଅଣ୍ଟ ଆଡ଼କୁ ମୁହାଁଇଲେଣି ।

ଧୀରେ ଧୀରେ ମାନ୍ଦାବସ୍ଥା ଆଡ଼କୁ ଗଲାଣି ଦେଶ । ଋଣବୋଝ ବଢ଼ି ୧୭୧ ଲକ୍ଷ ୭୮ ହଜାର କୋଟିରେ ପହଞ୍ଚିଲାଣି । ସଂସଦରେ ଏଭଳି ତଥ୍ୟ ରଖିଛନ୍ତି ଖୋଦ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ । ଏପଟେ କେନ୍ଦ୍ର ଋଣ ବାବଦରେ ମାସିକ ସୁଧ ଗଣୁଛି ୧୦ ଲକ୍ଷ ୬୪ ହଜାର କୋଟି । ଭିତ୍ତିଭୂମି ବିକାଶ ପାଇଁ ଋଣ କରିବା ଖରାପ ନୁହେଁ । କିନ୍ତୁ ପରିଶୋଧ ପରିମାଣ ଯଦି ଅଧିକ ହେବ, ତାହେଲେ ଏହା ଅର୍ଥନୀତି ପ୍ରତି ବିପଦ ଆଣିବ । ବିଶେଷଜ୍ଞଙ୍କ ଅଭିଯୋଗ, ସଂସଦରେ ତଥ୍ୟ ରଖିବା ବେଳେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ୨୦୨୪-୨୫ର ତଥ୍ୟ ରଖିନାହାନ୍ତି । ଚଳିତ ଆର୍ଥିକ ବର୍ଷକୁ ମିଶାଇଲେ ଏହି ଋଣ ପରିମାଣ ୨୦୦ ଲକ୍ଷ କୋଟି ଟପିବ । ଯାହାକି ଏଫ୍ଆର୍ବିଏମ୍ ଆଇନର ଉଲ୍ଲଂଘନ । ୨୦୨୫-୨୬ ଆର୍ଥିକ ବର୍ଷ ବଜେଟର ଋଣ ଏକ ଚତୁର୍ଥାଂଶ ଋଣ ଦ୍ବାରା ପାଣ୍ଠି ସଂଗ୍ରହ କରାଯିବ । ବିତ୍ତୀୟ ପରିଚାଳନା ଆଇନ ମୁତାବକ, କେନ୍ଦ୍ର ସରକାର ଅଭିବୃଦ୍ଧିର ୬୦ ପ୍ରତିଶତ ଭିତରେ ଋଣକୁ ସୀମିତ ରଖିବା କଥା । ଏହି ସୀମା ଅତିକ୍ରମ କରିଥିଲେ ବି କେନ୍ଦ୍ର ସରକାର ଜାଣିଶୁଣି ତଥ୍ୟ ଲୁଚାଇଛନ୍ତି । ବଡ଼ କଥା ହେଉଛି, ଋଣ ସହିତ କେନ୍ଦ୍ର ସରକାରଙ୍କ ରାଜସ୍ବ  ନିଅଣ୍ଟ ମଧ୍ୟ ହୋଇଛି । ଯାହାକି ଦେଶ ପାଇଁ ଆଦୌ ଶୁଭଙ୍କର ନୁହେଁ ।

୨୦୦୫-୦୬ରୁ ଓଡ଼ିଶା ରାଜସ୍ବ ବଳକା ରାଜ୍ୟ ହୋଇଆସିଛି । କିନ୍ତୁ ଡବଲ ଇଞ୍ଜିନ ସରକାରର ପ୍ରଥମ ବର୍ଷ ବଜେଟରେ ଋଣ ପରିମାଣ ଏତେ ହେଲାଣି ଯେ, ଧୀରେ ଧୀରେ ରାଜସ୍ବ ନିଅଣ୍ଟ ଆଡ଼କୁ ମୁହାଁଇଲାଣି ରାଜ୍ୟ ଅର୍ଥନୀତି । ୨୦୩୬ ସୁଦ୍ଧା ରାଜ୍ୟର ଅର୍ଥନୀତି ୫୦୦ ବିଲିୟନ୍ ଡଲାର ହେବ । ଏ ନେଇ ଗତକାଲି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଜରିଆରେ ରାଜ୍ୟ ସରକାର ଜଣାଇଛନ୍ତି । କିନ୍ତୁ ଏହା ବାସ୍ତବତାଠୁ ବହୁ ଦୂରରେ । କାରଣ ଏଥିପାଇଁ ବାର୍ଷିକ ରାଜ୍ୟର ଅଭିବୃଦ୍ଧି ୧୫ରୁ ୧୭ ପ୍ରତିଶତ ହେବା ଦରକାର । କିନ୍ତୁ ଏବେ ସରକାର ଟାର୍ଗେଟ୍ ରଖିଛନ୍ତି ୧୦ରୁ ୧୧ ପ୍ରତିଶତ ଅଭିବୃଦ୍ଧି । ଏପରି ହେଲେ ୨୦୩୬ ବେଳକୁ ରାଜ୍ୟ ମାତ୍ର ୩୦୦ ବିଲିୟନ୍ ଡଲାର ଓ ୨୦୪୭ ବେଳକୁ ୧.୫ ଟ୍ରିଲିୟନ ବଦଳରେ ମାତ୍ର ୯୦୦ ବିଲିୟନ୍ ଡଲାରରେ ପହଞ୍ଚିଥିବ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଓଡ଼ିଶା ବି ଧୀରେ ଧୀରେ ରାଜସ୍ବ ନିଅଣ୍ଟିଆ ସ୍ଥିତିକୁ ମୁହାଁଉଛି। କାରଣ ନିକଟରେ ଷଷ୍ଠ ଅର୍ଥ କମିଶନଙ୍କ ଗସ୍ତବେଳେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଟିକସରୁ ଓଡ଼ିଶା ପାଇଁ ରାଜଭାଗ ନ ବଢ଼ିଲେ ହସ୍ତାନ୍ତର ପୂର୍ବ ରାଜସ୍ବ ନିଅଣ୍ଟ ୯ ଲକ୍ଷ ୮୮ ହଜାର ୪୨୨ କୋଟି ହେବ ବୋଲି ଦର୍ଶାଇଛନ୍ତି। ଏହାର ଅର୍ଥ ରାଜ୍ୟ ଏବେଠୁ ରାଜସ୍ବ  ନିଅଣ୍ଟିଆ ସ୍ଥିତି ଦେଖିଲାଣି ବୋଲି ଅଭିଯୋଗ ହୋଇଛି।

ଦେଶର ଅର୍ଥନୀତି ଏତେ ଟ୍ରିଲିୟନ୍ ସେତେ ଟ୍ରିଲିୟନ୍ ଛୁଇଁବ ବୋଲି କୁହାଯାଉଛି । ଗୋଟିଏ କଥା ସତ, ଋଣ ବୋଝ ବଢି ବଢିଚାଲିଛି । ରୋଜଗାର ସଙ୍କୁଚିତ ହେଉଥିବା ବେଳେ, ସବୁ ଜିନିଷର ଦରଦାମ ମଧ୍ୟ ଅହେତୁକ ଭାବେ ବଢିଚାଲିଛି ।