spot_img
Home Blog Page 1155

ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ନୃତ୍ଯରେ ଦୁଲୁକିଲା ପୁରୀ ତାଳବଣିଆ

ପୁରୀ : ଓଡ଼ିଆଣୀ ବେଶରେ ଜାପାନ କଳାକାର । ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ସଂଗୀତରେ ବିଦେଶୀ କଳାକାରଙ୍କ ଚମତ୍କାର ନୃତ୍ଯ । ଉତ୍କଳୀୟ ସଂସ୍କୃତିକୁ ଅତି ନିଖୁଣ ଭାବେ ଉପସ୍ଥାପନ କଲେ କଳାକାର । ମଞ୍ଚରେ ଦେଖିବାକୁ ମିଳିଲା ଭାରତ ଓ ଜାପାନ ସଂସ୍କୃତିରି ମିଶ୍ରିତ ପରମ୍ପରା । ପୁରୀ ତାଳବଣିଆଠାରେ ଇଣ୍ଡିଆ-ଜାପାନ୍ ଫ୍ରେଣ୍ଡସିପ୍ ସେଣ୍ଟର ପକ୍ଷରୁ ଅନୁଷ୍ଠିତ ଓଡ଼ିଶା-ଜାପାନ୍ ୨୦୨୫ ମହୋତ୍ସବରେ ଏପରି ଦୃଶ୍ଯ ଦର୍ଶକଙ୍କୁ ବିମୋହିତ କରିଛି । ସେହିପରି ଜାପାନର ପାରମ୍ପରିକ ଲାଇଟ୍, ରଙ୍ଗବେରଙ୍ଗର କାଗଜ ତୋରଣ ସହ ବାଉଁଶ କାଠି ଦ୍ବାରା ନିର୍ମିତ ଜାପାନୀଜ୍ ଷ୍ଟାଇଲ୍ ଦେଖିବାକୁ ମିଳିଛି । ଏପରି ଏକ ଅଭିନବ ଉଦ୍ଯମକୁ ପ୍ରଶଂସା କରିଛନ୍ତି ଉଭୟ ଦେଶର କଳାକାର ।

ଏପରି କାର୍ଯ୍ଯକ୍ରମ ଉଭୟ ଦେଶର ସଂସ୍କୃତିକୁ ଉଦଜୀବିତ କରିବା ସହ ପର୍ଯ୍ଯଟନ କ୍ଷେତ୍ରରେ ଅଭିବୃଦ୍ଧି ଘଟାଇବାରେ ସହାୟକ ହେବ ବୋଲି କହିଛନ୍ତି  ଇଣ୍ଡିଆ-ଜାପାନ୍ ଫ୍ରେଣ୍ଡସିପ୍ ସେଣ୍ଟର ସଭାପତି ଶ୍ରୀମନ୍ତ ଦାସ । ତେବେ କାର୍ଯ୍ଯକ୍ରମର ମୁଖ୍ୟ ଆକର୍ଷଣ ଥିଲା ଜାପାନର ଡ୍ରମ୍ ବାଦକ ନାଚୋସ ମିୟାହାରା, ସୁଜୁକି ମାରିକା, ୟାସିଦା କରେନ, ଡାଇ ଆକିଏ ଓ ଇଣ୍ଡୋ ମିକେ । ଜାପାନର ଏହି ପ୍ରଖ୍ୟାତ କଳାକାର ମାନେ ଭାରତୀୟ ସଂଗୀତକୁ ବାଦ୍ୟରେ ପରିବେଷଣ କରିଥିଲେ । ମହୋତ୍ସବରେ ଜାପାନର ଏକ ଖାଦ୍ୟ ମେଳା ମଧ୍ଯ ଆୟୋଜନ କରାଯାଇଥିଲା । ମହୋତ୍ସବ ଦ୍ବାରା ଦୁଇ ଦେଶର କଳା, ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନର ପ୍ରଚାର ପ୍ରସାର ସହ ଭାଇଚାରା ମଧ୍ୟ ସୃଷ୍ଟି ହୋଇଛି । ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିଵାକୁ ଯୋଜନା କରାଯାଉଛି ।

ସାଧୁସନ୍ଥଙ୍କ ଉପସ୍ଥିତିରେ ଚାଲିଛି ଗୁପ୍ତ ଗଙ୍ଗାଙ୍କ ଆରାଧନା

ଭୁବନେଶ୍ବର ; ଖଣ୍ଡଗିରିରେ ଗୁପ୍ତଗଙ୍ଗା । ରହସ୍ଯମୟ ଗୁମ୍ଫାରେ ଚାଲିଛି ପୂଜାର୍ଚ୍ଚନା । ସୁଡ଼ଙ୍ଗ ଭିତରେ ଯାଇ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମାଘ ମେଳା ଅବସରରେ ଗୁମ୍ଫାରେ ଜମିଛି ସାଧୁ ସନ୍ଥଙ୍କ ମେଳି । ଜଙ୍ଗଲ ଭିତରେ ଅନେକ ପଥ ଅତିକ୍ରମ କରିବା ପରେ ସେହି ଗୁପ୍ତ ସୁଡ଼ଙ୍ଗ ନିକଟରେ ପହଞ୍ଚିଥିଲା ଆମ କ୍ଯାମେରା ଟିମ୍ । ଯେଉଁଠି ଚାଲିଥିଲା ପୂଜାର୍ଚ୍ଚନା । ସୁଡ଼ଙ୍ଗ ଭିତରେ ନଇଁ ନଇଁ ଅନେକ ବାଟ ଯିବା ପରେ ରହିଛି ଏହି ପବିତ୍ର ସ୍ଥାନ । ଜନାଦ୍ରୁତ ରହିଛି, ମହାଦେବ ମାଆ ଗଙ୍ଗାଙ୍କୁ ଏଠାରେ ଲୁଚାଇ ରଖିଥିଲେ । ଏହି ରହସ୍ଯମୟ ସୁଡ଼ଙ୍ଗ ଏକାମ୍ର କ୍ଷେତ୍ର ବିନ୍ଦୁ ସାଗର ପର୍ଯ୍ଯନ୍ତ ବ୍ଯାପିଥିବା ଲୋକେ କହିଛନ୍ତି ।

ମାଘ ମେଳା ପାଇଁ ହର ହର ମହାଦେବ ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ବାବାଙ୍କ ମେଳିରେ ଚାଲିଛି ସ୍ବତନ୍ତ୍ର ପୂଜା । ହୋମ ଯଜ୍ଞରେ ସୃଷ୍ଟି ହୋଇଛି ଆଧ୍ଯାତ୍ମୀକ ପରିବେଶ । ଅନେକ ଶ୍ରଦ୍ଧାଳୁ ବିଭିନ୍ନ ଗୁମ୍ଫା ବୁଲି ବାବାଙ୍କ ଆଶୀର୍ବାଦ ନେବା ସହ ଗୁପ୍ତ ଗଙ୍ଗାଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଛନ୍ତି । ପବିଦ୍ର ଜଳକୁ ପ୍ରସାଦ ସ୍ବରୂପ ଗ୍ରହଣ କରୁଛନ୍ତି । ଏପଟେ ଯାତ୍ରା ଯେତିକି ଗଡ଼ି ଗଡ଼ି ଯାଉଛି ଭିଡ଼ ବି ସେତିକି ବଢିବାରେ ଲାଗିଛି । ସଂଧ୍ଯା ହେଲେ ମେଳା ବୁଲିବା ସହ ପବିତ୍ର ଯଜ୍ଞବେଦୀକୁ ଦର୍ଶନ କରି କୃତାର୍ଥ ହେଉଛନ୍ତି ଶ୍ରଦ୍ଧାଳୁ ।

ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଉତ୍ସବମୁଖର ହେଲାଣି ମହିମା ପୀଠ

ଢେଙ୍କାନାଳ : ରାତି ପାହିଲେ ଢେଙ୍କାନାଳର ଯୋରନ୍ଦା ପୀଠରେ ଆରମ୍ଭ ହେବ ପ୍ରସିଦ୍ଧ ମାଘମେଳା । ସେଥିପାଇଁ ସଜେଇ ହେଉଛି ପୂରା ମହିମାଗାଦୀ ପୀଠ । ମାଘ ମେଳାର ଦିନକୁ ପୂର୍ବରୁ ମହିମା ଗାଦିରେ ଲାଗିଲାଣି ସାଧୁସନ୍ଥଙ୍କ ଭିଡ । କୁମ୍ଭ ମେଳାରୁ ବୁଡ ପକାଇ ସିଧା ମାଘମେଳାକୁ ଛୁଟିଆସୁଛନ୍ତି ଦେଶର କୋଣ ଅନୁକୋଣରୁ ସାଧୁସନ୍ଥ । ଏବେଠୁ ମହିମା ସନ୍ଯାସୀଙ୍କ ଅଲେଖ ମହିମା ଧ୍ଵନିରେ କମ୍ପିଲାଣି ପୂରା ମହିମା ଗାଦି । ବାଜା, ଖୋଲ କୀର୍ତ୍ତନ ସହ ଖଞ୍ଜଣି ମାଡରେ ବିଭୋର ହେଲେଣି ମହିମା ସନ୍ୟାସୀ ଓ ପର୍ଯ୍ୟଟକ । ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଉପାସନା ପୀଠରେ ଝାଡଦୀପ ପ୍ରଜ୍ୱଳନ ହେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗାଦୀମନ୍ଦିର, ଅଖଣ୍ଡଜ୍ୟୋତି ମନ୍ଦିର, ଧୂନୀ ମନ୍ଦିର, ଶୂନ୍ୟ ମନ୍ଦିର, ବତୀ ମନ୍ଦିର ଓ ୨୧ହାତିଆ ଟୁଙ୍ଗି ଆଦିକୁ ସଫେଇ କରାଯାଇଛି ।

ଚଳିତବର୍ଷ ୧୫୨ତମ ବିଶ୍ୱ ପ୍ରସିଦ୍ଧ ମାଘମେଳା ଅନୁଷ୍ଠିତ ହେଉଛି । ମାଘମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ତିଥୀରୁ ଏହି ମେଳା ଆରମ୍ଭ ହୋଇ ଦୁଇଦିନ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ । ମହିମା ସାଧୁ ସନ୍ୟାସୀମାନେ ଜଗତ କଲ୍ୟାଣ ପାଇଁ ମହଣ ମହଣ ଘିଅ ଘୃତାହୂତୀ କରି ଝାଡଦୀପ ପ୍ରଜ୍ୱଳନ କରିବେ । ଶାନ୍ତିଶୃଙ୍ଖଳା ପାଇଁ ପ୍ରାୟ ୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏତଦବ୍ୟତୀତ ମାଘମେଳା ଉପଲକ୍ଷେ ଅନୁଷ୍ଠିତ ହେଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ, ଅପେରା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସିସିଟିଭି କ୍ୟାମେରା ଲଗାଯିବା ସହିତ ଟ୍ରାଫିକ ନିୟନ୍ତ୍ରଣକୁ ଅଧିକ କଡାକଡି କରାଯାଇଛି । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ବହୁ ସଂଖ୍ୟାରେ ଜନ ସମାଗମ ହେବା ନେଇ ଅନୁମାନ କରିଛି ପ୍ରଶାସନ ।

ଧର୍ମଗଡ ଉପଖଣ୍ଡରେ ଦାଦନ ଚାଲାଣ ରୋକିବାରେ ବିଫଳ ପ୍ରଶାସନ

କଳାହାଣ୍ଡି : ପଶ୍ଚିମ ଓଡ଼ିଶାର ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ l ଏହି ଉପଖଣ୍ଡ ଏବେ ଦାଦନ ପ୍ରବଣ l ସରକାର ବଦଳିବା ପରେ ମିଳୁନି କାମ ଧନ୍ଦା । ପେଟ ପାଟଣା ପାଇଁ ଏବେ ରାଜ୍ୟ ବାହାର ମୁହାଁ ଦାଦନ ଶ୍ରମିକ l କିଏ ଇଟା ଭାଟିରେ କାମ କରୁଛି ତ ଆଉ କିଏ କେଉଁଠି ଘରଦ୍ଵାର ଛାଡି ବାହାରକୁ ଦାଦାନ ଖଟିବାକୁ ଯାଉଛନ୍ତି ।ଜିଲ୍ଲାର କୌଣସି ବିକାଶ ହେଉନଥିବାରୁ ଲୋକ ବାଧ୍ଯ ହୋଇ ଦାଦନ ଯାଉଛନ୍ତି ଆଉ ଫେରିବା ବେଳେ ସେମାନଙ୍କ ମୃତ ଶରୀର ଫେରୁଛି ବୋଲି କହିଛନ୍ତି ଅଞ୍ଚଳବାସୀ ।

ବିଶେଷ କରି ଧର୍ମଗଡ ବ୍ଲକର କୋତମେର, ଟିପିଗୁଡ଼ା, ରଏନଗୁଡା, ବୋକ୍ରାସିଲ ଓ ଦଣ୍ଡପାଟ ଅଞ୍ଚଳର ବେହେରା, ଗୋତୋମୁଣ୍ଡା ଖଳିଗଡ, ଧଅଁରପୁର ଅଞ୍ଚଳର ଲୋକ ରାଜ୍ଯ ବାହାରକୁ ଯାଉଛନ୍ତି । ସେହିପରି ଗୋଲାମୁଣ୍ଡା ବ୍ଲକର ଖଲିଆ ପାଲି, ନକଟିକାନି, ସୁକୁନି ମୁଣ୍ଡା ଓ ଜୟପାଟଣା ଅଞ୍ଚଳରୁ ଅନେକ ଦାଦନ ଏବେ ପେଟ ପାଟଣା ପାଇଁ ରାଜ୍ୟ ବାହାରେ  l ଗୋଟିଏ ପଟେ ଶ୍ରମ ବିଭାଗର ସଚେତନତା ଅଭାବ ଅନ୍ୟପଟେ ଦାଦନ ଚାଲାଣ ସରକାରଙ୍କ ଅନେକ ଯୋଜନାକୁ ଆଙ୍ଗୁଳି ନିର୍ଦ୍ଦେଶ କରଛି । କାମ ନାହିଁ ବଞ୍ଚିବୁ କେମିତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରମିକ । ନିର୍ବାଚନୀ ଇସ୍ତାହାର ବେଳେ ଡବଲ ଇଞ୍ଜିନ ସରକାର ଦାଦାନ ସମସ୍ଯା ଦୂର କରିବାକୁ ଡେଙ୍ଗୁରା ପିଟୁଥିଲେ । ଗଠନ କରିଥିଲେ ଟାସ୍କଫୋର୍ସ ହେଲେ ସରକାରକୁ ଆସିବାକୁ ଅନେକ ଦିନ ପରେ ବି କଳାହାଣ୍ଡି ଜିଲ୍ଲାରେ ଦାଦନ ସମସ୍ଯା ଯଥା ପୂର୍ବମ ତଥା ପରମ l

ନାଉକୋଣା ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା, ଖୋଲା ଆକାଶ ତଳେ ପଡିରହିଛି ଧାନ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବଡ଼ ନାଉକୋଣା ପ୍ରାଥମିକ କୃଷି ସମବାୟ ସମିତି ଧାନମଣ୍ଡିରେ ଖୋଲା ଆକାଶ ତଳେ ଗଦା ହୋଇଛି ଶହ ଶହ ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନବସ୍ତା । ନା ଧାନ ଘୋଡେଇବା ପାଇଁ ଅଛି ପାଲ ନା ଗାଈ ଗୋରୁଙ୍କ ଦାଉରୁ ସୁରକ୍ଷା ଦେବାପାଇଁ କେହି ଅଛନ୍ତି ଜଗିବାକୁ । ୧୫ ଦିନରୁ ଅଧିକ ହେବ ଚାଷୀ ଧାନ ରଖି ଜଗି ରହିଥିବା ବେଳେ ମିଲରମାନେ ଧାନ ଉଠାଉ ନଥିବା ଚାଷୀ ଅଭିଯୋଗ କରିଛନ୍ତି । ଏପଟେ ମିଲର ମାନେ ଗାଡି ପଠାଉନଥିବାରୁ ମଣ୍ଡିରେ ଧାନ ପଡିରହିଛି ବୋଲି କହିଛନ୍ତି ସମବାୟ ସମିତି ସଂପାଦକ । ତେବେ ସମିତି ସଂପାଦକ ଓ ମିଲରଙ୍କ ଟଣାଓଟରା ଭିତରେ ଶୋଷଣ ହେଉଛନ୍ତି ନିରୀହ ଚାଷୀ ।

କେବଳ ନାଉକୋଣା ସମବାୟ ସମିତି ନୁହେଁ ଭାଡପଡା, ଓସ୍ତିଆ, ଈଶ୍ଵରପୁର, ତାଳଚୁଆ, ଚାନ୍ଦିବାଉଁଶମୂଳ, ଗୋପାଳପୁର ଆଦି ବିଭିନ୍ନ ଧାନ ମଣ୍ଡିରେ ମଧ୍ଯ ଧାନ ପଡିରହିଛି । ଫଳରେ ଚାଷୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର ମଣ୍ଡି ଉଦଘାଟନ ହେବା ପୂର୍ବରୁ ୨୪ ଘଣ୍ଟାରେ ଧାନ ମଣ୍ଡିରୁ ଉଠିବ ଏବଂ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବ ବୋଲି କହିଥିଲେ । ହେଲେ ମିଲର ଓ ସମବାୟ ସଂପାଦକ ମାନେ ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି କଟନିଛଟନି ସାଙ୍ଗକୁ ମଣ୍ଡିରୁ ଧାନ ଉଠାଉନାହାଁନ୍ତି । ତେଣୁ ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି । ଅପରପକ୍ଷରେ ଏନେଇ ରାଜନଗର ବ୍ଲକ ଯୋଗାଣ ନୀରିକ୍ଷକଙ୍କୁ ଏ ବାବଦରେ ପଚାରିବାରୁ ଧାନ ମଣ୍ଡିରେ ୧୫ ରୁ ୨୦ ଦିନ ହେବ ଧାନ ପଡିରହିଥିବା ନେଇ ସେ ସ୍ଵୀକାର କରିଛନ୍ତି । ମିଲରଙ୍କୁ ଶୀଘ୍ର ଧାନ ଉଠାଇବାକୁ ଚେତାବନୀ ଦିଆଯାଇଛି ବୋଲି କହିଛନ୍ତି । ମଣ୍ଡିରୁ କେବେ ଧାନ ଉଠୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଟମାଟୋ କିଲୋ ପିଛା ୨ ରୁ ୩ ଟଙ୍କାରେ ହେଉଛି ବିକ୍ରି, ମୁଣ୍ଡରେ ହାତ ଦେଲେ ଚାଷୀ

ଗୁଣୁପୁର : ଟମାଟୋ ଦର ବୃଦ୍ଧିକୁ ନେଇ କିଛିମାସ ତଳେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଏବେ କିନ୍ତୁ ଟମାଟୋ ଦର ଏତେ ମାତ୍ରାରେ କମିଛି ଯେ ଯାହାକି ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି । ରାୟଗଡା ଜିଲ୍ଲା ଗୁଣୁପୁର ବଜାରରେ ଦୁଇରୁ ତିନି ଟଙ୍କାରେ କେଜିଏ ଟମାଟୋ ବିକ୍ରି କରୁଛନ୍ତି ଚାଷୀ । ଗୋଟିଏ  ୨୫ କେଜିଆ ଟ୍ରେ ଭର୍ତ୍ତି ଟମାଟୋ ୭୦ ଟଙ୍କାରେ ଚାଷୀ ବିକ୍ରି କରୁଛନ୍ତି । ଅଞ୍ଚଳରେ ଅମଳ ଫସଲକୁ ଗଚ୍ଛିତ ରଖିବା ପାଇଁ ଶୀତଳ ଭଣ୍ଡାରଟିଏ ନଥିବାରୁ ଚାଷୀ ବଜାରରେ ଟମାଟୋକୁ କମ ଦରରେ ବିକ୍ରି କରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଗୋଟିଏ ପଟେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବା ବେଳେ ଦଲାଲ ବେପାରୀ ମାନେ ମାଲାମାଲ ହେଉଛନ୍ତି । ହେଲେ ଏପର୍ଯ୍ଯନ୍ତ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ କୈାଣସି ପ୍ରୋତ୍ସାହନ ମିଳୁନଥିବା ଅଭିଯୋଗ ହୋଇଛି ।

ଜିଲ୍ଲାରେ ପନିପରିବା ସଂରକ୍ଷଣ ନିମନ୍ତେ ଶୀତଳଭଣ୍ଡାରଟିଏ ନିର୍ମାଣ କରିବାକୁ ଚାଷୀ ଦାବି କରିଛନ୍ତି । ଏପଟେ ଚାଷୀଙ୍କ ସମସ୍ଯା ନେଇ ଆମ ନଜର ରହିଥିବା ନେଇ କହିଛନ୍ତି ଗୁଣୁପୁର ନିୟନ୍ତ୍ରିତ ବଜାର କମିଟି ସଂମ୍ପାଦକ । ବିଭାଗ ପକ୍ଷରୁ ଚାଷୀଙ୍କ ନିମନ୍ତେ ସୋଲାର ମାଧ୍ୟମରେ ଶୀତଳଭଣ୍ଡାର କରାଯିବାର ବ୍ୟବସ୍ଥା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଯଦି ଏହାର ଅନୁମୋଦନ ହୁଏ ତେବେ ଅତିଶୀଘ୍ର କାମ କରାଯିବ ବୋଲି କହିଛନ୍ତି। ଅଭାବୀ ବିକ୍ରିକୁ ନେଇ ଚାଷୀର ମେରୁଦଣ୍ଡ ଭାଙ୍ଗିଥିବା ବେଳେ ଚାଷୀଙ୍କୁ କେବେ ସରକାରୀ ପ୍ରତ୍ସାହନ ମିଳୁଛି ତାହା ଦେଖିବାକୁ ବାକି ରହିଲା ।

ବାଳକର ବେକରୁ ବାହାରିଲା ବ୍ଲେଡ ଚେନ୍ ଓ କାଠ ଖଣ୍ଡ

ମାଙ୍ଗାଲୁରୁ : କର୍ଣ୍ଣାଟକର ମାଙ୍ଗାଲୁରୁରେ ଡାକ୍ତରମାନେ ଏକ ଅସ୍ତ୍ରୋପଚାର କରି ଜଣେ ୧୨ ବର୍ଷର ବାଳକର ଜୀବନ ବଞ୍ଚାଇଛନ୍ତି । ଯେଉଥିପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ରବିବାର ମାଙ୍ଗାଲୁରୁର ସରକାରୀ ୱେନଲକ୍ ହସ୍ପିଟାଲର କାର୍ଡିଓଥୋରାସିକ୍ ଏବଂ ଭାସ୍କୁଲାର ସର୍ଜନଙ୍କ ଏକ ଦଳ ଏକ ଅସ୍ତ୍ରୋପଚାର କରି ଜଣେ ୧୨ ବର୍ଷୀୟ ବାଳକର ବେକରୁ ଏକ ବଡ଼ ୨୦ ସେମି ଲମ୍ବା କାଠ ଖଣ୍ଡ ଏବଂ ଏକ ଭଙ୍ଗା ବ୍ଲେଡ୍ ଚେନ୍ ବାହାର କରିଛନ୍ତି।

ଜିଲ୍ଲା ସର୍ଜନ ଏବଂ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡିଏସ ଶିବପ୍ରକାଶ କହିଛନ୍ତି, ଆସାମର ମୂଳ ବାସିନ୍ଦା ବାଳକଟି ମାଡିକେରୀର ଏକ ଚା ବଗିଚାରେ ତାଙ୍କ ପିତାମାତାଙ୍କ ସହିତ ରୁହନ୍ତି। ଶନିବାର ସନ୍ଧ୍ୟାରେ ନଡ଼ିଆ ଗଛରୁ ପଡ଼ି ସେ ଗୁରୁତର ଆହତ ହୋଇଥିଲେ। ଏହି ସମୟରେ, ଏକ କାଠ ଖଣ୍ଡ ଏବଂ ଏକ ଭଙ୍ଗା ବ୍ଲେଡ୍ ସହିତ ଏକ ଚେନ୍ ତାଙ୍କ ବେକରେ ଦେଇ ତାଙ୍କ ଛାତିରେ ଫସି ଯାଇଥିଲା। ଶନିବାର ସଂଧ୍ୟା ୭.୩୦ ମିନଟରେ ଏହି ଘଟଣା ଘଟିଥିବା ମେଡିକାଲ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି । ଏପରି ପରିସ୍ଥିତିରେ ପୁଅଟିକୁ ଶନିବାର ରାତି ୧୨. ୧୫ ମିନଟ ସମୟରେ ହସ୍ପିଟାଲକୁ ଅଣାଯାଇଥିଲା । ହସ୍ପିଟାଲରେ, ଡାକ୍ତର ସୁରେଶ ପାଇଙ୍କ ନେତୃତ୍ୱରେ ଏକ ଟିମ୍ ରାତି ୧.୩୦ ରୁ ୩.୩୦ ମଧ୍ୟରେ ବାଳକର ଅସ୍ତ୍ରୋପଚାର କରିଥିଲେ ଏବଂ କାଠ ଖଣ୍ଡ ଏବଂ ଭଙ୍ଗା ଚେନ ବାହାର କରିଥିଲେ।

ପୁଅଟି ଏବେ ସୁସ୍ଥ ଥିବା କଥା କହିଛନ୍ତି ଡାକ୍ତର ସୁରେଶ ପାଇ । ଏବେ ତା’ ଉପରେ କଡା ନଜର ରଖାଯାଇଛି । ଏହି ଅସ୍ତ୍ରୋପଚାର ମାଙ୍ଗାଲୋରର ୱେନଲକ୍ ସରକାରୀ ହସ୍ପିଟାଲରେ ମାଗଣାରେ କରାଯାଇଥିଲା। ସରକାରୀ ଡାକ୍ତରମାନଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଉଛି। ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ଡାକ୍ତରମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ଆମ୍ବେଦକରଙ୍କୁ ସାକ୍ଷୀ ଓ ସମ୍ବିଧାନର ଶପଥ ନେଇ ବିବାହ କଲେ ଦମ୍ପତି

ନନ୍ଦିଘୋଷ ବ୍ୟୁରୋ : ଆନ୍ଧ୍ର ପ୍ରଦେଶର ଖମ୍ମମ ଜିଲ୍ଲାରେ ଏକ ନିଆରା ବିବାହ ହୋଇଛି । ଏହି ବିବାହରେ ମଣ୍ଡପ ସଜାଯାଇନଥିଲା କି ପୁରୋହିତ ଆସି ମନ୍ତ୍ର ପଢିନଥିଲେ । ଏକ ମଞ୍ଚରେ ଉଭୟ ବର ଓ କନ୍ୟା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ର ଆଗରେ ପରସ୍ପରକୁ ବରଣମାଳା ପିନ୍ଧାଇଲେ । ତାହା ପରେ ସମ୍ବିଧାନର ଶପଥ ନେଇ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏହି ବିବାହରେ ଆମ୍ବେଦକାରଙ୍କୁ ଆଦର୍ଶ ବୋଲି ମାନୁଥିବା ଲୋକମାନେ ହିଁ ଉପସ୍ଥିତ ଥିଲେ ।

ଏହି ବିବାହର ଫଟୋ ଆଉ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନାସାରେ, ଆନ୍ଧ୍ରପ୍ରଦେଶ ପୋଲିସରେ ନିଯୁକ୍ତ ଖମ୍ମମ୍ ଜିଲ୍ଲାର ପେନୁବାଲ୍ଲୀ ମଣ୍ଡଳର ଟେକୁଲାପାଲି ଗାଁର ବର ବିରଭଲ୍ଲୀ ପ୍ରଶାନ୍ତ, ମହିଳା କନଷ୍ଟେବଳ ନାଗା ଜ୍ୟୋତିଙ୍କୁ ବିବାହ କରିଥିଲେ। ସେମାନେ ନିଜର ବିବାହ ଆଡମ୍ବରରେ କରିବେ ନାହିଁ ବୋଲି ନିଷ୍ପତ୍ତି ନେଲେ । ଆମେ ରକ୍ଷଣଶୀଳ ପରମ୍ପରାରୁ ଉପରକୁ ଉଠି ଏକ ନିଆରା ବିବାହ କରିବୁ।

ଏଥିପାଇଁ, ଦୁହେଁ ପାରସ୍ପରିକ ସମ୍ମତିରେ ମନ୍ତ୍ର ଜପ କରି ବିବାହ କରିବା ପରିବର୍ତ୍ତେ ସମ୍ବିଧାନ ଉପରେ ଶପଥ ନେଇ ରବିବାର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ବିବାହ ପାଇଁ ଏକ ମଞ୍ଚ ସଜାଯାଇଥିଲା। ଏହି ମଞ୍ଚରେ, ଟେବୁଲ ଉପରେ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ଏକ ଫଟୋ ରଖାଯାଇଥିଲା ଏବଂ ଏହା ଉପରେ ଫୁଲର ମାଳ ଦିଆଯାଇଥିଲା । ବର  ଓ କନ୍ୟା ମଞ୍ଚ ଉପରକୁ ଆସିଲେ ଏବଂ ବାବା ସାହେବଙ୍କୁ ସାକ୍ଷୀ ମନେ କରି ପରସ୍ପରକୁ ମାଳା ପିନ୍ଧାଇଲେ।

ଏହା ପରେ ଉଭୟ ଭାରତର ସମ୍ବିଧଶନର ଶପଥ ନେଇ ବିବାହ କରିଥିଲେ । ଏହି ବିବାହରେ ଉପସ୍ଥିତ ଥିବା ଲେକାମାନେ ଅଭିନନ୍ଦନ ଜଣାଇବା ସହ ଉଭୟଙ୍କ ଉଜ୍ଜଳ ବୈବାହିକ ଜୀବନ କାମନା କରିଥିଲେ । ସେଠାରେ ଉପସ୍ଥିତ ଲୋକମାନେ ଏହି ନିଆଣା ବିବାହର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

 

ଦର୍ଲିପାଲି ଏନଟିପିସି ପାୱାର ପ୍ଲାଣ୍ଟକୁ ବନ୍ଦ କରିଦେଲେ ଗ୍ରାମବାସୀ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଦର୍ଲିପାଲି ଏନଟିପିସି ପାୱାର ପ୍ଲାଣ୍ଟକୁ ବନ୍ଦ କରିଦେଲେ ଗ୍ରାମବାସୀ । ଫ୍ଲାଏ ଆସ ଏବଂ ପାୱାର ପ୍ଲାଣ୍ଟକୁ ବନ୍ଦ କରି ବରୋବୋଗା ଓ ଆଲୁପଡ଼ା ଗ୍ରାମବାସୀଙ୍କ ଆନ୍ଦୋଳନ । ଆନ୍ଦୋଳନରେ ବିଧାୟକ ଯୋଗେଶ କୁମାର ସିଂ ଏବଂ ସମାଜସେବୀ ଡକ୍ଟର ହିମାଂଶୁ ଷଡ଼ଙ୍ଗୀ ସାମିଲ ହୋଇଛନ୍ତି । ଦର୍ଲିପାଲି ଏନଟିପିସି ପାୱାର ପ୍ଲାଣ୍ଟର ବର୍ଜ୍ୟ ପାଉଁଶ ପୋଖରୀ ବା ଫ୍ଲାଏ ଆସ ପଣ୍ଡ ଯୋଗୁଁ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ଲୋକେ । ଅନ୍ୟତ୍ର ଥଇଥାନ ପାଇଁ ପ୍ରଶାସନ ନଶୁଣିବାରୁ ବାଧ୍ୟ ହୋଇ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରଭାବିତ ଗ୍ରାମବାସୀ । ବରୋବୋଗା ଏବଂ ଆଲୁପଡ଼ା ଗ୍ରାମବାସୀ ଆଜି ସକାଳରୁ ଫ୍ଲାଏ ଆସ୍ ଏବଂ ପାୱାର ପ୍ଲାଣ୍ଟକୁ ବନ୍ଦ କରିଦେଇଛନ୍ତି । ପାଉଁଶ ପୋଖରୀ ମଧ୍ୟରେ ଥିବା ଗାଁକୁ ଅନ୍ୟତ୍ର ଥଇଥାନ ଓ କ୍ଷତିପୂରଣ ପ୍ରଦାନ ପାଇଁ ୨୦୧୩ ମସିହାରୁ ଦାବି କରିଆସୁଛନ୍ତି । ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଦାବି ଓ ଧାରଣାରେ ବସି ଆସୁଥିଲେ ମଧ୍ୟ ସମାଧାନ ହୋଇପାରିନାହିଁ ।  ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରଭାବିତ ଲୋକମାନେ । ଯେପର୍ଯ୍ୟନ୍ତ ତାଙ୍କୁ ବିସ୍ଥାପିତ ଓ ଥଇଥାନ କରାଯିବା ନେଇ କମ୍ପାନୀ ପ୍ରତିଶ୍ରୁତି ନ ଦେଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଘଟଣାସ୍ଥଳରେ ଉପଜିଲ୍ଲାପାଳ ଲୋକଙ୍କୁ ବୁଝାସୁଝା କରିଛନ୍ତି ।

ଯାଜପୁର ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ : ବିଜେଡି

ଯାଜପୁର : ଅପରାଧର ହଟ୍ ସ୍ପଷ୍ଟ ଓ ଅପରାଧୀଙ୍କ ଅଭୟାରଣ୍ୟ ପାଲଟିଛି ଯାଜପୁର। ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ‌ହୋଇପଡିଛି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ରହିଥିବା ବେଳେ ତାଙ୍କ ଗସ୍ତ ଦିନ ହିଁ ଜିଲ୍ଲାରେ ଘଟିଥିବା ଏକାଧିକ ହତ୍ୟାକାଣ୍ଡ ଓ ଡକାୟତି ଘଟଣା ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି । ସରକାରଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ଶନିବାର ବିଳମ୍ବିତ ରାତିରେ ଯାଜପୁର ରୋଡ଼ ଥାନା ସୋବରା ଅଞ୍ଚଳରେ ଜଣେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା ଘଟଣାରେ ବ୍ୟାସନଗର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୋଲିସର ପାରିବାପଣିଆ ବିରୋଧରେ ବିଷୋଦଗାର କରିଛି ବିଜେଡି । ଅଭିଯୋଗ ମୁତାବକ କିଛିଦିନ ତଳେ ଧର୍ମଶାଳା ମହୋତ୍ସବ ପାଇଁ ମୁଖ୍ୟମନ୍ତ୍ରୀ ଧର୍ମଶାଳା ଆସିଥିବା ସମୟରେ ଦିନ ଦ୍ବିପହରରେ ପାଣିକୋଇଲି ଠାରେ ଅଳଙ୍କାର ଦୋକାନ ଲୁଟ ଏବଂ ଡକାୟତଙ୍କ ଗୁଳିରେ ୨ ଜଣ ମୃତ୍ୟୁବରଣ କରିଥିଲେ। ସେହିପରି ଗତ ଶନିବାର ପୁଣି ମୁଖ୍ୟମନ୍ତ୍ରୀ ବ୍ୟାସନଗର ଆସିଥିବାବେଳେ ରାତିରେ ଜଣେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଏହାବ୍ୟତୀତ ବ୍ୟାସନଗର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ରାତିରେ ଚୋରି ଓ ଡକାୟତି ହେଉଛି। ଦିନ ଆଲୁଅରେ ରାସ୍ତାରେ ଛିନତାଇ ଓ ରାହାଜାନୀ ପରି ଘଟଣା ଦେଖିବାକୁ ମିଳୁଛି। ପୋଲିସର କାର୍ଯ୍ୟଦକ୍ଷତାକୁ ଅପରାଧୀମାନେ ଖୋଲା ଚ୍ୟାଲେଞ୍ଜ ଦେଉଥିଲେ ମଧ୍ୟ ଅପରାଧ ଉପରେ ଅଙ୍କୁଶ ଲଗାଇବା ପୋଲିସ ପକ୍ଷେ ସମ୍ଭବପର ହେଉନାହିଁ । ଏପରି ସ୍ଥିତିରେ ପୋଲିସ ଲୋକଙ୍କ ବିଶ୍ବାସନୀୟତା ହରାଇ ସାରିଥିବା ବିଜେଡି କହିଛି। ଏହାକୁ ଦୃଢ଼ ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀ ଏହାର ପ୍ରତିକାର କରିବା ପାଇଁ ଆଗେଇ ଆସନ୍ତୁ ବୋଲି ବିଜେଡି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ।  ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣକୁ ନ ଆଣିଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି ।