ଭୁବନେଶ୍ବର : ରାଜ୍ୟରେ ସ୍ମାର୍ଟ ମିଟର ପ୍ରୋତ୍ସାହନକୁ ବିରୋଧ । ଏହାକୁ ବନ୍ଦ କରିବା ନେଇ ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କୁ ଚିଠି ଲେଖିଲା ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ । ରାଜ୍ୟର ଏକ କୋଟି ବିଜୁଳି ଉପଭୋକ୍ତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ସ୍ମାର୍ଟ ମିଟର ବସାଇବା ତୁରନ୍ତ ବନ୍ଦ କରିବାକୁ ଟାଟା ପାୱାରକୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ମହାସଂଘର ଆବାହକ ରବି ବେହେରା । ୬୦ ଟଙ୍କା ଲେଖାଏଁ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ କରି ରାଜ୍ୟର ବିଦ୍ୟୁତ ଗ୍ରାହକଙ୍କୁ ଦିନରେ ଲୁଟିବାକୁ ବଡ଼ ଚକ୍ରାନ୍ତ କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ସ୍ମାର୍ଟ ମିଟରରେ ଯାହାର ଏବେ ବିଲ ୧ ହଜାର ଆସୁଛି ସେମାନଙ୍କର ୧୮୦୦ ଟଙ୍କା ଆସିବ । ଏପରିକି ପ୍ରିପେଡ ରିଚାର୍ଜ ସରିଗଲେ ରାତି ଅଧରେ ବିଦ୍ୟୁତ କଟିଯିବ । ଏପରିକି ଲୋକଙ୍କୁ ରିକନେକ୍ସନ ଚାର୍ଜ ଦେବାକୁ ପଡିବ । କମ୍ପାନୀର ଲୁଟ ପାଇଁ ଏହି ରେଣ୍ଟ ଛାଡ ନିଷ୍ପତ୍ତି ଉଦ୍ଦିଷ୍ଟ । ତୁରନ୍ତ ସ୍ମାର୍ଟ ମିଟର ଲଗାଇବା ବନ୍ଦ କରାଯାଉ ବୋଲି ଦାବି କରିଛି ମହାସଂଘ । ସେପଟେ ବରିଷ୍ଠ କଂଗ୍ରେସ ନେତା ଏହାକୁ କଡ଼଼ା ସମାଲୋଚନା କରିଛନ୍ତି । ଲୋକଙ୍କୁ ଭୂତେଇବା ପାଇଁ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ ଯୋଜନା କରାଯାଇଛି ବୋଲି ସେ ବଡ଼ ଅଭିଯୋଗ କରିଛନ୍ତି । ସରକାରଙ୍କ ସହ ମିଲି ଭଗତରେ ଉପଭୋକ୍ତାଙ୍କୁ ଶୋଷଣ କରିବା ପାଇଁ ଏହା ପ୍ରୟାସ ହୋଇଛି । ଏହି ପ୍ରସଙ୍ଗକୁ ନେଇ ବିରୋଧ ହୋଇଛି, ହେଉଛି ଓ ଆଗକୁ ଜୋରଦାର ବିରୋଧ ହେବ ବୋଲି ସେ ଦଳ ପକ୍ଷରୁ ଚେତାବନୀ ଦେଇଛନ୍ତି ।
ହତ୍ୟା ମାମଲା ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ
ଭୁବନେଶ୍ବର: ହତ୍ଯା ମାମଲାରେ ଦୋଷୀ ସାବ୍ୟସ୍ତ ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ । ତଥ୍ଯ ପ୍ରମାଣ ସହ ୧୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଭୁବନେଶ୍ବର ଏଡିଜେ କୋର୍ଟ ୨ ଏହି ରାୟ ଶୁଣାଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି ଅଦାଲତ ।
୨୦୧୭ ମାର୍ଚ୍ଚ ୨ ତାରିଖ ରାତିରେ ଖୋର୍ଦ୍ଧା ଷଣ୍ଢପୁର ଅଞ୍ଚଳରେ ଅନୁପ ବେହେରାଙ୍କୁ ହତ୍ୟା କରାଯାଇଥିଲା । ଦୋକାନରେ ଶୋଇବା ପାଇଁ ଯାଉଥିବା ବେଳେ ହାଲୁ ବେହେରା, କାହ୍ନା ଓରଫ ମୃଣାଲ ବେହେରା, ଗୋପିଆ ଓରଫ ଗୋପିନାଥ ବେହେରା ଏବଂ ନାଲୁ ବେହେରା ସଂଘବଦ୍ଧ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ ।
ଲୁହାରଡ, ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ୪ ଦୋଷୀ । ଗୁରୁତର ଅବସ୍ଥାରେ ଅନୂପଙ୍କୁ ପରିବାର ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷାଣ କରିଥିଲେ। ଏନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଦାନ୍ତେଓ୍ବାଡ଼ାରେ ଏନକାଉଣ୍ଟର, ୫ ନକ୍ସଲ ମୃତ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡାରେ ପୁଣି ଏକ ଏନକାଉଣ୍ଟର । ନିରାପତ୍ତା ବାହିନୀ ଗୁଳିରେ ୫ ନକ୍ସଲଙ୍କ ମୃତ୍ୟୁ । ଦାନ୍ତେୱାଡା-ବିଜାପୁର ସୀମାରେ ହୋଇଥିବା ଏନକାଉଣ୍ଟରରେ ଲାଲଦୁର୍ଗ ପ୍ରତି ବଡ଼ ଧରଣର ଧକ୍କା ସୃଷ୍ଟି ହୋଇଛି ।
ନକ୍ସଲ ବିରୋଧୀ ଅପରେସନ ବେଳେ ଉଭୟ ପକ୍ଷ ମଧ୍ଯରେ ଗୁଳି ବିନିମୟ ଜାରି ରହିଥିଲା । ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଅପରସେନ । ୫ ନକ୍ସଲଙ୍କ ମୃତଦେହ ଜବତ କରାଯାଇଛି । ସେମାନଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତର ଜବତ ହୋଇଛି । ଗତ ମାର୍ଚ୍ଚ ୨୦ରେ ବିଜାପୁରରେ ହୋଇଥିବା ବଡ଼ ଧରଣର ଏନକାଉଣ୍ଟରରେ ୩୦ ନକ୍ସଲ ନିହତ ହୋଇଥିଲେ । ଘଟଣାରେ ଜଣେ ଡିଷ୍ଟ୍ରିକ୍ଟ ରିଜର୍ଭ ଯବାନ ସହିଦ ହୋଇଥିଲେ
ଡିଏସପି ପରିଚୟ ଦେଇ ଲୋକଙ୍କୁ ଠକୁଛି ନକଲି ପୋଲିସ, ନନ୍ଦିଘୋଷ ଟିଭି ହାତରେ ଠକର ଫଟୋ
ଭଦ୍ରକ: ଚାକିରି ନକଲି, ହେଲେ ଠାଣି ପୂରା ପୋଲିସ ବାବୁଙ୍କ ପରି । ନିଜକୁ ପୋଲିସ ବିଭାଗର ବଡ଼ ବାବୁ ଦର୍ଶାଇ ଲୋକଙ୍କୁ ଠକୁଥିବା ଏମିତି ଜଣେ ଠକର ଫଟୋ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଠକ ବାବୁ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ମାନସ ରଞ୍ଜନ ସେନାପତି । ପୋଲିସ ବୋଲି ପରିଚୟ ଦେବାର ଫଟୋ ଓ କିଛଇ ଦସ୍ତାବିଜ ଏବେ ଭାଇରାଲ ହେବାରେ ଲାଗିଛି ।
ଗୃହ ବିଭାଗର ଏକ ପ୍ରମୋସନ ଲେଟର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏଥିରେ ଦେଖିବାକୁ ମିଳୁଛି ମାନସ ରଞ୍ଜନ ସେନାପତିଙ୍କର କୁଆଡ଼େ ଡେପୁଟି ଏସପି ଭାବେ ପ୍ରମୋସନ ହୋଇଛି । ଏହି ଅର୍ଡରକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲା ଅଭିଯୁକ୍ତ ।
ଏହି ନୋଟିଫିକେସନର ସତ୍ୟତା ବର୍ତ୍ତମାନ ତଦନ୍ତ ସାପେକ୍ଷ । ସେପଟେ ଫେସବୁକ ଓ ଇନଷ୍ଟାଗ୍ରାମରେ ମଧ୍ୟ ଅନେକ ଫଟୋ ସେୟାର କରିଛନ୍ତି ଅଭିଯୁକ୍ତ । ଡିସିପି ଅଫିସ ସହ ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଫଟୋ ଉଠାଇ ନକଲି ପୋଲିସ ଜଣଙ୍କ ନିଜକୁ ଅସଲି ବୋଲି ପ୍ରମାଣିତ କରିବାକୁ ଚାହୁଁଥିବା ଜାଣିବାକୁ ପାଇଛି ପୋଲିସ ।
ନାରୀ ନିର୍ଯାତନା ଓ ଆଇନଶୃଙ୍ଖଳା ସ୍ଥିତିର ଲମ୍ବା ତାଲିକା ଦେଖାଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ
ଭୁବନେଶ୍ବର: ଓଡ଼ିଶାରେ ମହିଳା ଅସୁରକ୍ଷିତ । ବଢ଼ି ଚାଲିଛି ନାରୀ ନିର୍ଯାତନା । ରାଜ୍ୟ ବିଜେପି ସରକାର ନିଦା ବିଷ୍ଣୁ ସାଜିଛନ୍ତି । ଅପରାଧୀକ କାର୍ଯ୍ୟକଳାପ ଚରମସୀମାରେ ପହଞ୍ଚିଛି । ଏମିତି କିଛି ଅଭିଯୋଗ କରିବା ସହ ଅପରାଧ ଓ ନାରୀ ନିର୍ଯାତନାର ଲମ୍ବା ତାଲିକା ଦେଖାଇ ରାଜ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ୍ ।
କେନ୍ଦ୍ରାପଡ଼ା ଜିଲ୍ଲାରେ ନାବାଳିକାଙ୍କ ଆତ୍ମହତ୍ୟା । କୋରାପୁଟ ଲକ୍ଷ୍ମୀପୁରରେ ନାବାଳିକାଙ୍କୁ ଦୁଷ୍କର୍ମ । ମୟୂରଭଞ୍ଜରେ ଗଣଦୁଷ୍କର୍ମ । ମାଲକାନଗିରି ଚିତ୍ରକୋଣ୍ଡାରେ ନାବାଳିକାଙ୍କ ସନ୍ତାନ ପ୍ରସବ । ପୁରୀ ପିପିଲିରେ ବି ନାବାଳିକା ଗର୍ଭବତୀ । କେନ୍ଦୁଝରରେ ଘଟିଥିବା ହତ୍ୟାକାଣ୍ଡରେ ବିଜେପି ନେତାଙ୍କ ସମ୍ପୃକ୍ତି ରହିଛି । ରାଜ୍ୟରେ ୪୪ ହଜାର ମହିଳା ଓ ଶିଶୁ ନିଖୋଜ । ଗତ ୯ ମାସରେ ବିଜେପି ସରକାରରେ ରାଜ୍ୟର ସ୍ଥିତି ଅତି ସାଂଘାତିକ । ଆଇନଶୃଙ୍ଖଲା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଏପରି ଅଭିଯୋଗର ଲମ୍ବା ତାଲିକା ଗଣାଇ ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ଜାତୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ।
ସେ କହିଛନ୍ତି, ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଆଦିବାସୀଙ୍କ ବିରୋଧରେ ଚାଲିଛି ଷଡ଼ଯନ୍ତ୍ର । ହେଲେ ଅନ୍ୟାୟ ବିରୋଧରେ କଂଗ୍ରେସ ସଂଗ୍ରାମ ଜାରି ରଖିବ । ସେ ଦାବି କରି କହିଛନ୍ତି, ବିଧାନସଭାରେ ସର୍ବଦଳୀୟ ସମିତି ଗଢାଯାଉ । ମହିଳାଙ୍କ ଭବିଷ୍ୟତ ସୁରକ୍ଷା, ସ୍ୱାବଲମ୍ବୀ ପାଇଁ ପଦକ୍ଷେପ ନିଆଯାଉ । ସେହିପରି କଂଗ୍ରେସ ସହ ହାତାହାତି, ବିଧାୟକଙ୍କୁ ସସପେଣ୍ଡ କଲେ କଂଗ୍ରେସ ଚୁପ ରହିବନି ବୋଲି ଚେତାଇ ଦେଇଛନ୍ତି ସୁପ୍ରିୟା ।
ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ ଓ ଉନ୍ନତିକରଣ ପାଇଁ ସର୍ଭେ ଆରମ୍ଭ
ରାଉରକେଲା: ରାଉରକେଲା ବିମାନବନ୍ଦରର ହେବ ସମ୍ପ୍ରସାରଣ ଓ ଉନ୍ନତିକରଣ । ଏଥିପାଇଁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ସର୍ଭେ କାମ ଆରମ୍ଭ ହୋଇଛି । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ୬ ଜଣିଆ ଟିମ ରାଉରକେଲା ବିମାନ ବନ୍ଦରରେ ପହଞ୍ଚି ସର୍ଭେ କରୁଛନ୍ତି ।
ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ ପାଇଁ ରାଉରକେଲା ସହରବାସୀ ଦୀର୍ଘ ବର୍ଷ ହେଲା ଦାବି କରି ଆସୁଛନ୍ତି । ରାଉରକେଲା ବିମାନ ବନ୍ଦରକୁ 4C ଲାଇସେନ୍ସ ପ୍ରଦାନ କରିବା ସହ ଇନଷ୍ଟ୍ରୁମେଣ୍ଟ ଲାଣ୍ଡିଙ୍ଗ ସିଷ୍ଟମ, ନାଇଟ ଲାଣ୍ଡିଙ୍ଗ ସିଷ୍ଟମ କରିବା ପାଇଁ ଦାବି ହେଉଛି । ରାଉରକେଲା ସହରବାସୀଙ୍କ ବାରମ୍ବାର ଆନ୍ଦୋଳନ ଓ ଦାବି ପରେ ସର୍ଭେ କାମ ଆରମ୍ଭ ହୋଇଛି ।
ଟ୍ରମ୍ପଙ୍କ ଗୋଲ୍ଡ କାର୍ଡ ଭିସା ନେବାକୁ ନାହିଁ ନଥିବା ଆଗ୍ରହ, ଗୋଟିଏ ଦିନରେ ଏକ ହଜାରରୁ ଅଧିକ ବିକ୍ରି
ଓ୍ବାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଗୋଲ୍ଡ କାର୍ଡ ବା ଗୋଲଡେନ ଭିସା ପ୍ରତି ନାହିଁ ନଥିବା ଆଗ୍ରହ । କାର୍ଡ ପିଛା ୫ ନିୟୁତ ଡଲାର ବିନିମୟରେ ଆମେରିକାର ସ୍ଥାୟୀ ନାଗରିକତ୍ବ ଓ ଇଚ୍ଛାଧୀନ ନାଗରିକତ୍ବ ସ୍କିମ ପ୍ରତି ଲୋକେ ଦେଖାଉଛନ୍ତି ଆଗ୍ରହ । ଗୋଟିଏ ଦିନରେ ୧ ହଜାରରୁ ଅଧିକ ଗୋଲ୍ଡ କାର୍ଡ ବିକ୍ରି ହୋଇଥିବା ସୂଚନା ଦେଇଛନ୍ତି ବାଣିଜ୍ୟ ସଚିବ ହୋଓ୍ବାର୍ଡ ଲୁଟନିକ ।
ଆମେରିକାର ଏହି ନୂଆ ନିୟମ ଯୋଗୁଁ ଗୋଟିଏ ଦିନରେ ୫ ବିଲିୟନ ଡଲାର ଆୟ ହୋଇଥିବା ସୂଚନା ମିଳିଛି । ଗୋଲ୍ଡ କାର୍ଡ ସିଟିଜେନସିପ ନିୟମ ଆଧାରରେ ଯେଉଁ ବିଦେଶୀ ଧନୀ ନିବେଶକ ୫ ମିଲିୟନ ଡଲାର ଦେଇପାରିବେ ସେମାନଙ୍କୁ ଆମେରିକାରେ ସ୍ଥାୟୀ ନାଗରିକତ୍ବ ମିଳିବା ଲାଗି କ୍ଷେତ୍ର ପ୍ରସ୍ତୁତ ହେବ । ଦୀର୍ଘକାଳୀନ ରହଣୀ ଲାଗି ଗୋଲ୍ଡ କାର୍ଡ ସୁବିଧା ଦେଉଥିବା ହେତୁ ଅନେକ ବୈଧ ପ୍ରବାସୀ ଉପକୃତ ହେବେ । ନୂଆ ନିୟମ ଅନୁସାରେ ଆମେରିକାର ପ୍ରାୟ ୨୭ ନିୟୁତ ଲୋକ ଗୋଲ୍ଡ କାର୍ଡ ହାସଲ କରିବାର ସାମର୍ଥ୍ୟ ରହିଛି । ଏହି କାର୍ଡ ବ୍ୟକ୍ତି ପିଛା ପ୍ରଦାନ କରାଯାଇପାରିବ । ଅର୍ଥାତ ଜଣେ ବ୍ୟକ୍ତି ଚାହିଁଲେ ପତ୍ନୀ, ସନ୍ତାନ ଓ ପରିବାର ସଦସ୍ୟଙ୍କ ଲାଗି କ୍ରୟ କରିପାରିବେ । ଭାରତୀୟ ମୁଦ୍ରାରେ ୫ ନିୟୁତ ଡଲାରର ମୁଖ୍ୟ ପ୍ରାୟ ୪୩ କୋଟି ଟଙ୍କା ହେଉଥିବାରୁ ଅନେକ ଭାରତୀୟ ଏହି କାର୍ଡ ହାସଲ କରିପାରନ୍ତି ।
ଆହ୍ଲାବାଦ ଓ ଦିଲ୍ଲୀ ହାଇକୋର୍ଟ ବିଚାରପତି ଥିବାବେଳେ ଜଷ୍ଟିସ ଯଶଓ୍ବନ୍ତ ବର୍ମା ଦେଇଥିବା ରାୟର ପୁନଃ ସମୀକ୍ଷା ଦାବି
ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ଜଷ୍ଟିସ ଯଶଓ୍ବନ୍ତ ବର୍ମାଙ୍କ ଅଡୁଆ । ତାଙ୍କ ବିରୋଧରେ ଅଧିକ କ୍ଷୁବ୍ଧ ହୋଇଛି ଆହ୍ଲାବାଦ ହାଇକୋର୍ଟ ବାର୍ ଆସୋସିଏସନ । ଆହ୍ଲାବାଦ ଓ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଥିବାବେଳେ ଜଷ୍ଟିସ ଯଶଓ୍ବନ୍ତ ଦେଇଥିବା ସମସ୍ତ ରାୟର ପୁନଃ ସମୀକ୍ଷା ଲାଗି ଦାବି କରିଛି ବାର୍ ଆସୋସିଏସନ । ଏହାସହ ଜଷ୍ଟିସ ଯଶଓ୍ବନ୍ତଙ୍କୁ ତୁରନ୍ତ ବହିଷ୍କାର କରିବା ଲାଗି ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ବାର୍ ଆସୋସିଏସନ ସଭାପତି ଅନିଲ ତିଓ୍ବାରୀ ।
ଗତ ମାର୍ଚ୍ଚ ୧୪ ତାରିଖରେ ଘରୁ ଟଙ୍କା ମିଳିବା ପରେ ଜଷ୍ଟିସ ଯଶଓ୍ବନ୍ତଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ପଠାଇବା ଲାଗି ସୁପ୍ରିମକୋର୍ଟ କଲେଜିୟମର ନିଷ୍ପତ୍ତି ପରଠାରୁ ତାଙ୍କ ବିରୋଧରେ ସ୍ବର ବଢିବାରେ ଲାଗିଛି । ଟଙ୍କା ମିଳିବା ଘଟଣା ପରେ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନୈତିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା କହିଛନ୍ତି ତିଓ୍ବାରୀ । ସେ ଆହୁରି କହିଛନ୍ତି, ଜଷ୍ଟିସ ଯଶଓ୍ବନ୍ତଙ୍କ ପ୍ରସଙ୍ଗରେ ସମ୍ବିଧାନ ପ୍ରତି ଆଘାତ ଲାଗିଛି । କୌଣସି ହାଇକୋର୍ଟରେ ତାଙ୍କୁ ନିଯୁକ୍ତି ଦେବା ବିପଜ୍ଜନକ ସାବ୍ୟସ୍ତ ହେବ । ସେପଟେ ଜଷ୍ଟିସ ଶୀଲ ନାଗୁ, ଜଷ୍ଟିସ ଜିଏସ ସାନ୍ଧୱାଲିଆ ଓ ଜଷ୍ଟିସ ଅନୁ ଶିବରମଣଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପିଠ ଜଷ୍ଟିସ ଯଶଓ୍ବନ୍ତଙ୍କ ବିରୋଧରେ ଚଳିତ ସପ୍ତାହରେ ତଦନ୍ତ ଆରମ୍ଭ କରିବ ବୋଲି ସୂଚନା ମିଳିଛି ।
ଏମଜିଏନଆରଇଜିଏରେ କାମ ନମିଳିବା ପ୍ରତିବାଦରେ କେରଳ କଂଗ୍ରେସ ସାଂସଦଙ୍କ ଧାରଣା
ନନ୍ଦିଘୋଷ ବ୍ୟୁରୋ: କେରଳରେ ଏମଜିଏନଆରଇଜିଏ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ । ଶ୍ରମିକଙ୍କୁ ମିଳୁନି ଉପଯୁକ୍ତ ପ୍ରାପ୍ୟ । ବାରମ୍ବାର ଦାବି ପରେ ବି ମିଳୁନି ସୁଫଳ । ପ୍ରତିବାଦରେ ସଂସଦ ଭବନ ବାହାରେ କେରଳର କଂଗ୍ରେସ ସାଂସଦଙ୍କ ପ୍ରତିବାଦ ।
ଏଥିରେ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଥିରୁବନନ୍ତପୁରମ ସାଂସଦ ଶଶୀ ଥରୁର, ଆଲ୍ଲାପୁଝା ସାଂସଦ କେ.ସି. ବେଣୁଗୋପାଳ ଓ ଅନ୍ୟ ସାଂସଦମାନେ ସାମିଲ ହୋଇଥିଲେ । ଏହାସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ।
ଦୀର୍ଘଦିନ ଧରି ଶ୍ରମିକଙ୍କୁ କାହିଁକି ପାଉଣା ମିଳୁନାହିଁ ବୋଲି କଂଗ୍ରେସ ସାଂସଦ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ଏମଜିଏନଆରଇଜିଏର ନିୟମାବଳୀକୁ ଉଲ୍ଲଂଘନ କରାଯାଉଛି । ଦୀର୍ଘ ୪ ମାସ ଧରି ଏମଜିଏନଆରଇଜିଏରେ ଶ୍ରମିକଙ୍କୁ ମଜୁରୀ ମିଳିନି । ସେମାନେ କିପରି ବଞ୍ଚିବେ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ବେଣୁଗୋପାଳ ।
ସିଗ୍ନାଲ ଆପରେ ଚାଟିଂ କରି ହୁତି ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଯୋଜନାକୁ ଭୁଲରେ ସାମ୍ବାଦିକଙ୍କୁ ଦେଲେ ଆମେରିକା ପ୍ରତିରକ୍ଷା ସଚିବ
ନନ୍ଦିଘୋଷ ବ୍ୟୁରୋ: ସୁରକ୍ଷାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର ମସ୍ତବଡ଼ ଭୁଲ । ଟ୍ରମ୍ପଙ୍କ ପ୍ରଶାସନର ଶୀର୍ଷ ନେତୃତ୍ବ ହୁତିଙ୍କ ଉପରେ ହେବାକୁ ଥିବା ପ୍ଲାନକୁ ଲିକ୍ କରିଦେଲେ । ଆମେରିକାର ଆକ୍ରମଣ ପୂର୍ବରୁ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ ଜଣେ ସାମ୍ବାଦିକଙ୍କୁ ଯୁଦ୍ଧର ପୂରା ପ୍ଲାନ କହି ଦେଇଥିଲେ । ଆଟଲାଣ୍ଟିକର ମୁଖ୍ୟ ସମ୍ପାଦକ ଜେଫରୀ ଗୋଲ୍ଡବର୍ଗ ଏମିତି ଦାବି କରିଛନ୍ତି । ନିଜ ଆଉଟଲେଟରେ ଗୋଲ୍ଡବର୍ଗ ଉଲ୍ଲେଖ କରିଛନ୍ତି ଦୁଇ ଘଣ୍ଟା ପୂର୍ବରୁ ଆକ୍ରମଣ ହେବାକୁ ଯାଉଥିବା ସେ ଜାଣି ସାରିଥିଲେ । ତେବେ ଟ୍ରମ୍ପ ପ୍ରଶାସନର ଅଧିକାରୀ ଏକ ଚାଟ୍ ଗ୍ରୁପରେ ହୁତିଙ୍କ ଉପରେ ଆକ୍ରମଣ ଯୋଜନା ଉପରେ ଆଲୋଚନା କରୁଥିଲେ । ଏହି ଚାଟ୍ ଗ୍ରୁପରେ ଆଟଲାଣ୍ଟିକ ସମ୍ପାଦକ ବି ଥିଲେ ।
ସୂଚନାଯୋଗ୍ୟ, ଟ୍ରମ୍ପ ପ୍ରଶାସନର ଅଧିକାରୀମାନେ ସିଗ୍ନାଲ ଆପରେ ଚାଟ କରୁଥିଲେ । ହେଲେ ଏହି ଆପରେ ସମ୍ବେଦନଶୀଳ ଘଟଣା ଉପରେ ଆଲୋଚନା କରିବାକୁ ଆମେରିକା ସରକାର ଅନୁମତି ଦେଇନାହାନ୍ତି । ସାମ୍ବାଦିକ ଗୋଲ୍ଡବର୍ଗ ଦାବି କରିଛନ୍ତି, ହୁତିଙ୍କ ଉପରେ ଆକ୍ରମଣ ତଥ୍ୟ ସେ ସିଧାସଳଖ ପିଟ ହେଗସେଥଙ୍କ ପାଖରୁ ପାଇଛନ୍ତି । ଏହି ଗ୍ରୁପରେ ଆଲୋଚନା ବେଳେ ଉପରାଷ୍ଟ୍ରପତି ଜେଡି ଭେନ୍ସ, ବୈଦେଶିକ ମନ୍ତ୍ରୀ ମାର୍କ ରୁବିୟୋ, ନ୍ୟାସନାଲ ଇଣ୍ଟେଲିଜେନ୍ସି ନିର୍ଦ୍ଦେଶକ ତୁଲଗି ଗବାର୍ଡ ସାମିଲ ଥିଲେ । ଚାଟରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରମ୍ପଙ୍କ ପରାମର୍ଶଦାତା ଷ୍ଟିଫନ ମିଲର, ଚିଫ୍ ଅଫ୍ ଷ୍ଟାଫ୍ ସୁଶୀ ଓ୍ବେଲ୍ସ ଏବଂ ଷ୍ଟିବ ଓ୍ବେଟକୋଫ୍ ମଧ୍ୟ ଥିଲେ ।
ଗୋଲ୍ଡବର୍ଗ କହିଛନ୍ତି, ହୁତିଙ୍କ ଉପରେ ଆକ୍ରମଣ ସୂଚନା ମୁଁ ସିଗ୍ନାଲ ଆପରୁ ପାଇଥିଲି । ଏହା ଏକ ଓପନ ସୋର୍ସ ଇନକ୍ରିପଟେଡ ମେସେଜିଂ ସେବା । ମୋତେ ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକେଲ ବାଲଟେଜଙ୍କ ପାଖରୁ ଜଏନ କରିବାକୁ ଅନୁରୋଧ ଆସିଥିଲା । ପରେ ତାଙ୍କୁ ହୁତି ପିସି ସ୍ମାଲ ଗ୍ରୁପ୍ ଭାବେ ଜଣାଶୁଣା ମେସେଜ ସେବା ଉପରେ ଏକ ଗ୍ରୁପ ଚାଟରେ ସାମିଲ ହେବାକୁ ନୋଟିସ୍ ମିଳିଥିଲା ।
ଟ୍ରମ୍ପ ପ୍ରଶାସନର ଏପରି ଭୁଲକୁ ନେଇ ଆମେରିକାରେ ରାଜନୀତି ସରଗରମ ହେବାରେ ଲାଗିଛି । ଡେମୋକ୍ରେଟିକ ସାଂସଦ ଏହାକୁ ନିନ୍ଦା କରିବା ସହ ଏହା ଆମେରିକାର ସୁରକ୍ଷା ଓ ଆଇନର ଉଲ୍ଲଂଘନ ବୋଲି କହିବା ସହ ଏହାର ତଦନ୍ତ ପାଇଁ କଂଗ୍ରେସରେ ଦାବି କରିଛନ୍ତି ।
ଗୋଲ୍ଡବର୍ଗ ଉକ୍ତ ଗ୍ରୁପରେ ଥିବାକୁ ନେଇ କେହି ଧ୍ୟାନ ଦେଇ ନଥିଲେ । ସେ କହିଛନ୍ତି, ଚାଟ ଅନୁସାରେ ଅପରାହ୍ନ ଗୋଟାଏ ୪୫ରେ (ଆମେରିକୀୟ ସମୟ) ହୁତିଙ୍କ ଉପରେ ଆକ୍ରମଣ ହେବ । ଏହାକୁ ଯାଞ୍ଚ କରିବାକୁ ୧୦ ମିନିଟ ପରେ ଏକ୍ସକୁ ଯାଇ ଦେଖିଲି ୟମନ ରାଜଧାନୀ ସନାରେ ବିସ୍ଫୋରଣ ଖବର ପାଇଲି । ଏହାପରେ ମୁଁ ଚାଟଗ୍ରୁପକୁରେ ପୁଣି ଜଏନ କରିଥିଲି । ଆଉ ସେଠାରେ ହୁତିଙ୍କ ଉପରେ ଆକ୍ରମଣକୁ ନେଇ ପରସ୍ପରଙ୍କୁ ଅଭିନନ୍ଦନ ଜଣାଯାଉଥିଲା ।

