ବଲାଙ୍ଗୀର : ଜମିବାଡି ବିବାଦ ଓ ପୂର୍ବ ଶତୃତାକୁ କେନ୍ଦ୍ରକରି ବଲାଙ୍ଗୀରରେ ହତ୍ୟାକାଣ୍ଡ । ହତ୍ୟା ପରେ ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି ହତ୍ୟାକାରୀ । ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ରତାଖଣ୍ଡି ପଞ୍ଚାୟତ ଡୁମେରଝରଣ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଘଟିଛି ହତ୍ୟାକାଣ୍ଡ । ଗତକାଲି ସନ୍ଧ୍ଯାରେ ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି ସକାଳୁ ପୋଲିସ ଯୁବକଙ୍କ ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ହେଲେ ଶତ୍ରୁଘ୍ନ ପଟେଲ । ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ପଠାଇଛି । ପରିବାର ଲୋକଙ୍କ ଅଭିଯୋଗ ପରେ ହତ୍ୟା ମାମଲା ରୁଜୁ କରି ସଦର ଥାନା ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛ । ବଲାଙ୍ଗୀର ରତାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ଡୁମେରଝରଣ ଗ୍ରାମର ଶତ୍ରୁଘ୍ନ ପଟେଲ ପେଶାରେ ଜଣେ କାଠ କାରିଗର । ସେ ଗତକାଲି ପାଟଣାଗଡ ବ୍ଲକ ଠେଲକୋଛାପର ଅଞ୍ଚଳକୁ ଯାଇ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନ ଥିଲେ । ରାତିରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲ ମଧ୍ୟ ପାଇନଥିଲେ । ଠେଲକୋଛାପର ଓ ଡୁମେରଝରଣ ମଝିରେ ଥିବା ନାଲା ଭିତରେ ମୃତଦେହ ପଡିଥିବା ଲୋକେ ଦେଖି ପୋଲିସକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ସଦର ଥାନା ପୋଲିସ, ସାଇଣ୍ଟିଫିକ୍ ଓ ସନ୍ଧାନି କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଦୀର୍ଘ ୫୦ ବର୍ଷ ଧରି ପାମ୍ପଡ ବିକି ଚର୍ଚ୍ଚାରେ ଚକ୍ରଧର ରଣା
ଉଦଳା : ହାତରେ ରହିଛି ପାମ୍ପଡ ଡାଲା । ହସ ହସ କଣ୍ଠରେ ଡାକୁଛନ୍ତି ପାମ୍ପଡ ନେବ, ପାମ୍ପଡ । ଆଉ ତା ସହିତ କେତେବେଳେ କେମିତି ଗାଇ ଦେଉଛନ୍ତି ଗୀତ । ଏ ହେଉଛନ୍ତି ଉଦଳା ଅଞ୍ଚଳରେ ପାମ୍ପଡ ବିକ୍ରି କରୁଥିବା ପାମ୍ପଡ ମ୍ଯାନ ଚକ୍ରଧର ରଣା । ପାଦରେ ମୋଜା ସହିତ ଜୋତା, ହାପ ପ୍ୟାଣ୍ଟ ଆଉ ଦେହରେ ସବୁବେଳେ ଧଳା ସାର୍ଟଟିଏ । ଏସବୁ ଭିତରେ ବାମ ହାତରେ ଡାଲାଟିଏ ଧରି ସେଥିରେ ପାମ୍ପଡ଼ ରଖି ସବୁଦିନ ବିକ୍ରି ନିମନ୍ତେ ବାହାରି ଆସନ୍ତି ଚକ୍ରଧର । ସକାଳୁ ଚାଲି ଚାଲି ଉଦଳା ସହିତ ବିଭିନ୍ନ ଅଞ୍ଚଳରେ ବିକ୍ରି କରନ୍ତି ପାମ୍ପଡ଼ । ଦୀର୍ଘ ୫୦ ବର୍ଷରୁ ଅଧିକ ହେବ ସେ ଏହି ପାମ୍ପଡ଼ ବେପାର କରି ଆସିଛନ୍ତି । ଦିନରେ ପ୍ରାୟ ୩୦ ରୁ ୪୦ କିଲୋମିଟର ଦୂରତା ଚାଲିବା ସହିତ ବିଭିନ୍ନ ହାଟରେ ବୁଲି ପାମ୍ପଡ଼ ବିକ୍ରି କରିଥାନ୍ତି । ୫ ପଇସାରୁ ପାମ୍ପଡ଼ ବିକ୍ରି ଆରମ୍ଭ କରି ଏବେ ସେ ଗୋଟିଏ ପାମ୍ପଡ଼ ୧୦ ଟଙ୍କା ଲେଖାଏଁ ବିକ୍ରି କରୁଛନ୍ତି । ସେହିଥିରେ ହିଁ ପରିବାର ଚଳାଇ ଆସୁଛନ୍ତି ଚକ୍ରଧର ।
ପାମ୍ପଡ଼ ବେପାର କରିବା ସହିତ ସବୁବେଳେ ହସ ହସ ମୁହଁ ପାଇଁ ସେ ଲୋକଙ୍କ ପାଖରେ ବେଶ ଆଦୃତ। ଏହା ସହିତ ଅନେକ ସମୟରେ ଛୋଟ ପିଲାଙ୍କୁ ସେ ମାଗଣାରେ ପାମ୍ପଡ ଦେଇଦିଅନ୍ତି । ଏବେ ସେ କଲିକତାରୁ ପାମ୍ପଡ ଆଣି ବିକ୍ରି କରୁଛନ୍ତି । କେବଳ ଯେ ପାମ୍ପଡ଼ ବେପାର କରୁଛନ୍ତି ତାହା ନୁହେଁ ସ୍ୱାସ୍ଥ୍ୟ ପାଇଁ ଚାଲିବା କେତେ ଜରୁରୀ ତାହାର ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି ଚକ୍ରଧର।
ପିପଲପଙ୍କା ଡ୍ୟାମକୁ ତୀବ୍ର ବିରୋଧ, ପଦଯାତ୍ରା ମାଧ୍ୟମରେ କରାଯାଉଛି ସଚେତନ
ପୋଲସରା : ପିପଲପଙ୍କା ପ୍ରକଳ୍ପକୁ ତୀବ୍ର ବିରୋଧ । ପଥପ୍ରାନ୍ତ ସଭା ମାଧ୍ଯମରେ ଲୋକଙ୍କୁ କରାଯାଉଛି ସଚେତନ । ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ପିପଲପଙ୍କା ଠାରେ ନିର୍ମାଣ ହେବାକୁ ଯାଉଛି ପିପଲପଙ୍କା ଡ୍ଯାମ । ଯେଉଁ ପ୍ରକଳ୍ପ ମାଧ୍ୟମରେ ଋଷିକୁଲ୍ୟା ନଦୀର ଜଳକୁ ଭୂତଳ ମାଧ୍ୟମରେ ବଡ ବଡ ସହରକୁ ଯୋଗାଇ ଦିଆଯିବ । ଏହି ପ୍ରକଳ୍ପ ହେଲେ ପ୍ରାୟ ୨୩ ଖଣ୍ଡ ଗ୍ରାମ ବିସ୍ଥାପିତ ହେବ । ଯାହାକୁ ପ୍ରତିବାଦ କରି ଋଷିକୁଲ୍ଯା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭିନ୍ନ ଭିନ୍ନ ତରିକାରେ ଚାଲିଛି ପଦଯାତ୍ରା । ଗତ ପାଞ୍ଚ ଦିନ ହେଲା ପିପଲପଙ୍କା ଠାରୁ ଏହି ପଦଯାତ୍ରା ବାହାରିଥିବା ବେଳେ ରୂଷିକୁଲ୍ୟା ନଦୀ ତଟରେ ଥିବା ଗାଁ ଗୁଡିକରେ କ୍ରିୟାନୁଷ୍ଠାନ କମିଟି ପହଁଚି ଲୋକଙ୍କୁ ସଚେତନତା କରାଇବା ସହ ବିରାଟ ଆନ୍ଦୋଳନ ପାଇଁ ବଳ ଗୋଟାଉଛନ୍ତି ।
ଖରା ତରାକୁ ଖାତିର ନକରି ରାତି ଦିନକୁ ଏକ କରି କ୍ରିୟାନୁଷ୍ଠାନ କମିଟି ଗାଁ ଗାଁରେ ପହଁଚି ପଥପ୍ରାନ୍ତ ସଭା ମାଧ୍ୟମରେ ଲୋକଙ୍କୁ ସଚେତନତ କରାଉଛି । ଏଥିସହିତ ଆସନ୍ତା ଦିନରେ ନଦୀ କଡରେ ଥିବା ହଜାର ହଜାର ଗ୍ରାମବାସୀଙ୍କୁ ସାଥିରେ ନେଇ ଏକ ବିରାଟ ଆନ୍ଦୋଳନ ପାଇଁ ଜନସମର୍ଥନ ଗୋଟାଇବାରେ ଲାଗିଛି । ଏମିତି କି ପ୍ରକଳ୍ପ ବନ୍ଦ ନ ହେବା ପର୍ଯ୍ୟନ୍ତ ଏହିଭଳି ଭାବେ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି କମିଟିର ବରିଷ୍ଠ ସଦସ୍ୟ । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ଜୋର ଧରିଛି । ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ରୂପ ଧାରଣ କରିପାରେ ।
ଖରାଦିନ ଆରମ୍ଭରୁ ଜଳକଷ୍ଟ, ଶହେ ପରିବାର ପାଇଁ ଗୋଟେ ନଳକୂପ
ବଡ଼ମ୍ବା : ପାଣି ପାଇଁ ହାହାକାର । ଖରାଦିନ ଆରମ୍ଭରୁ ଜଳକଷ୍ଟ । ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ଶହେ ଗୋଟି ପରିବାର । ଏ ହେଉଛି ବଡମ୍ବା ବ୍ଳକ ଖୁଣ୍ଟକଟା ପଂଚାୟତ କାଦୁଆପଡା ଗାଁର ଦୃଶ୍ଯ । ଏଠାରେ ପାନୀୟ ଜଳ ସଙ୍କଟ ଉତ୍କଟ ରୂପ ଧାରଣ କରିଛି । ଗାଁକୁ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ବିଭିନ୍ନ ସ୍ଥାନରେ ଲାଗିଛି ଷ୍ଟାଣ୍ଡପୋଷ୍ଟ । ହେଲେ ସେଥିରେ ପାଣି ଆସୁନଥିବାରୁ ଲୋକମାନେ ନଳକୂପରୁ ବାହାରୁଥିବା ଗୋଳିଆ ପାଣି ପିଇ ରୋଗରେ ପଡୁଛନ୍ତି । ଗାଁରେ କାହାକୁ ଜଣ୍ଡିସ ତ କାହାକୁ କିଡୀନ ରୋଗ ତ ପୁଣି କିଏ ଚର୍ମ ରୋଗରେ ଆକ୍ରାନ୍ତ ଅଛନ୍ତି । ହେଲେ ଅନେକ ଥର ଅଭିଯୋଗ ପରେ ବି ଗାଁକୁ ପଡିଥିବା ପାଣି ପାଇପରେ ଆସୁନି ଶୁଦ୍ଧ ପାନୀୟ ଜଳ । ଏନେଇ ଗ୍ରାମବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି ।
ଗାଁରେ ଥିବା ଗୋଟିଏ ନଳକୂପଟି କେତେବେଳେ ଅଚଳ ହୋଇପଡୁଛି ତ କେତେବେଳେ ଗୋଳିଆ ପାଣି ବାହାରୁଛି । ଯେତେବେଳେ ଗାଁରେ ପାଣି ସମସ୍ଯା ଅଧିକ ହୁଏ ଲୋକେ ପାଣି କିଣି ପିଇଥାନ୍ତି ବୋଲି କହିଛନ୍ତି । ଅନ୍ୟପଟେ ବଡ଼ମ୍ବା ବିଡିଓ କହିଛନ୍ତି ଖୁବଶୀଘ୍ର ପିଇବା ପାଣି ଯୋଗାଇ ଦେବା ସହ ପାଣିର ମାନ ପରୀକ୍ଷା କରାଯିବ ଏବଂ ଡାକ୍ତର ଟିମ୍କୁ ପଠାଇ ଲୋକମାନଙ୍କର ଡାକ୍ତରୀ ପରୀକ୍ଷା କରାଯିବ। ଗାଁକୁ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ସରକାରଙ୍କ ପାଖରେ ଅନୁରୋଧ କରିଛନ୍ତି ଗ୍ରାମବାସୀ ।
ନିତ୍ୟାନନ୍ଦଙ୍କ ନୂଆ କାରନାମା, ଏହି ଦେଶରୁ ହଡ଼ପ କଲେ ଲକ୍ଷ ଲକ୍ଷ ଏକର ଜମି !
ନନ୍ଦିଘୋଷ ବ୍ୟୁରୋ : କୈଳାସ ଦେଶ ସୃଷ୍ଟି କରି ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିବା ଆତ୍ମଘୋଷିତ ଧର୍ମଗୁରୁ ନିତ୍ୟାନନ୍ଦ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । କୁହାଯାଉଛି ଯେ ନିତ୍ୟାନନ୍ଦ ଏବେ କୈଳାସର ସୀମା ବିସ୍ତାର କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେମାନେ ଦକ୍ଷିଣ ଆମେରିକାର ବୋଲିଭିଆ ଉପରେ ଆକ୍ରମଣ କରିଛନ୍ତି। ନିତ୍ୟାନନ୍ଦ ତାଙ୍କ ଶିଷ୍ୟମାନଙ୍କ ସହିତ ସେଠାରେ ୪.୮ ଲକ୍ଷ ହେକ୍ଟର ଜମି ହଡ଼ପ କରିଛନ୍ତି। ଦାବି ଅନୁଯାୟୀ, ନିତ୍ୟାନନ୍ଦ ଏବଂ ତାଙ୍କ ଶିଷ୍ୟମାନେ ପ୍ରଥମେ ବୋଲିଭିଆରେ ଜନଜାତିଙ୍କ ଜମି ଜାଲିଆତି କରି କିଣିଥିଲେ। ଜମି କିଣିବା ପରେ, ନିତ୍ୟାନନ୍ଦ ଏହାକୁ କୈଳାସର ଏକ ବିସ୍ତାର ଭାବରେ ଘୋଷଣା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏହା ପୂର୍ବରୁ ଜମି କ୍ରୟର ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା।
ଅଭିଯୋଗ ହୋଇଛି ଯେ ନିତ୍ୟାନନ୍ଦ ଏବଂ ତାଙ୍କ ଶିଷ୍ୟମାନେ ମିଶି ବୋଲିଭିଆର ୪ଲକ୍ଷ ୮୦ ହଜାର ଏକର ସରକାରୀ ଜମି ନିଜ ନାମରେ କରାଇଥିଲେ। ଏହି ଜମିଟି ୧୦୦୦ ବର୍ଷ ପାଇଁ ଲିଜ୍ ଦିଆଯାଇଥିଲା। ଜମିର ଲିଜ୍ ପରିମାଣ ବାର୍ଷିକ ୮.୯୬ ଲକ୍ଷ ଟଙ୍କା, ମାସିକ ୭୪,୬୬୭ ଟଙ୍କା ଏବଂ ଦୈନିକ ୨,୪୫୫ ଟଙ୍କା ପ୍ରସ୍ତାବିତ ହୋଇଥିଲା। ବୋଲିଭିଆ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ବୋଲିଭିଆ “ୟୁନାଇଟେଡ୍ ଷ୍ଟେଟ୍ସ ଅଫ୍ କୈଳାସ” ନାମକ କଥିତ ରାଷ୍ଟ୍ର ସହିତ କୂଟନୈତିକ ସମ୍ପର୍କ ବଜାୟ ରଖେ ନାହିଁ “କାରଣ ସେମାନେ ଅନ୍ତର୍ଜାତୀୟ ସମ୍ପ୍ରଦାୟର ଅନ୍ୟ କୌଣସି ଦେଶ ଦ୍ୱାରା ଏକ ରାଷ୍ଟ୍ର ଭାବରେ ସ୍ୱୀକୃତିପ୍ରାପ୍ତ ନୁହଁନ୍ତି।”
ରିପୋର୍ଟ ଅନୁଯାୟୀ, କୈଳାସର ପ୍ରତିନିଧିମାନେ ଜମି ଅଧିଗ୍ରହଣ ପାଇଁ କିଛି ମାସ ଧରି ବୋଲିଭିଆରେ ଉପସ୍ଥିତ ଥିଲେ। ଜମି ଦଖଲ କରିବା ପାଇଁ ସ୍ଥାନୀୟ ନେତାଙ୍କ ସାହାଯ୍ୟ ନିଆଯାଇଥିଲା। ଚୁକ୍ତି ଚୂଡ଼ାନ୍ତ ହେବା ପରେ, ନିତ୍ୟାନନ୍ଦଙ୍କ ଦଳ ମଧ୍ୟ ଲୋକଙ୍କଠାରୁ ଚୁକ୍ତିନାମା ସ୍ୱାକ୍ଷରିତ କରାଇଲେ।
ତଥାପି, ଖବରଟି ତୁରନ୍ତ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଲା। କୁହାଯାଉଛି ଯେ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ, ନିତ୍ୟାନନ୍ଦ ଏବଂ ତାଙ୍କ ଶିଷ୍ୟମାନେ ସ୍ଥାନୀୟ ସାମ୍ବାଦିକମାନଙ୍କୁ ମଧ୍ୟ ଧମକ ଦେଇଥିଲେ, କିନ୍ତୁ ଯେତେବେଳେ ସରକାରଙ୍କ ଉପରେ ଚାପ ବଢ଼ିଲା, ସେତେବେଳେ ସରକାରଙ୍କ ଦ୍ୱାରା ନିତ୍ୟାନନ୍ଦଙ୍କ ଏହି ସମ୍ପୂର୍ଣ୍ଣ ଚୁକ୍ତିକୁ ବାତିଲ କରିଦିଆଗଲା।
ନିତ୍ୟାନନ୍ଦ ୨୦୧୯ ମସିହାରୁ ଭାରତରୁ ପଳାତକ ଅଛନ୍ତି ଏବଂ ତାଙ୍କ ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ ଅଛି। ସେମାନେ କୈଳାସ ନାମକ ଏକ ନକଲି ରାଷ୍ଟ୍ର ପ୍ରତିଷ୍ଠା କରିଛନ୍ତି, ଯାହାକୁ ସେମାନେ ନିଜର ମୁଦ୍ରା ଏବଂ ସମ୍ବିଧାନ ବୋଲି ଦାବି କରନ୍ତି। ୨୦୧୦ ମସିହାରେ ନିତ୍ୟାନନ୍ଦଙ୍କ ଏକ ଅଶ୍ଳୀଳ ସିଡି ବାହାରିଥିଲା, ଯାହା ଯୋଗୁଁ ଗିରଫଦାରୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା। ୨୦୧୨ ମସିହାରେ ନିତ୍ୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ୨୦୧୯ ମସିହାରେ ନିତ୍ୟାନନ୍ଦଙ୍କ ବିରୋଧରେ ଦୁଇ ଝିଅଙ୍କୁ ଅପହରଣ ଏବଂ ବନ୍ଦୀ କରି ରଖିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା। ନିତ୍ୟାନନ୍ଦ ଦେଶ ଛାଡି ପଳାଇଯିବାରୁ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିଲା ନାହିଁ।
ଛାଡପତ୍ରର ୩୧ ଦିନ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ପ୍ରେମ ମିଳିଲା !
ନନ୍ଦିଘୋଷ ବ୍ୟୁରୋ ; କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମଡେଲ ନତାଶା ଷ୍ଟାନକୋଭିକ୍ ଗତ ବର୍ଷ ଜୁଲାଇରେ ଛାଡପତ୍ର ନେଇଥିଲେ। ଉଭୟଙ୍କର ଗୋଟିଏ ପୁଅ ମଧ୍ୟ ଅଛି। ଏବେ ଦୁହେଁ ସେମାନଙ୍କର ନୂତନ ଜୀବନ ଆରମ୍ଭ କରୁଛନ୍ତି। ଇତି ମଧ୍ୟରେ, ସେମାନଙ୍କର ନୂତନ ସାଥୀଙ୍କ ବିଷୟରେ ଆଲୋଚନା ହେଉଛି। ହାର୍ଦ୍ଦିକଙ୍କ ନାମ ବ୍ରିଟିଶ ଗାୟିକା ଏବଂ ଟିଭି ଷ୍ଟାର ଜାସ୍ମିନ୍ ୱାଲିଆଙ୍କ ସହ ଯୋଡା ଯାଇଥିବା ବେଳେ, ନତାଶାଙ୍କ ନାମ ଆଲେକଜାଣ୍ଡାର ଇଲିକ୍ ସହିତ ମଧ୍ୟ ଯୋଡା ଯାଇଥିଲା। ଏ ସବୁ ସତ ନା ମିଛ, କେବଳ ସେମାନେ ହିଁ କହିପାରିବେ। କିନ୍ତୁ ନତାଶା ଛାଡପତ୍ର ପରବର୍ତ୍ତୀ ଜୀବନ ବିଷୟରେ କହିଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ସେ ପୁଣି ଥରେ ପ୍ରେମରେ ପଡ଼ିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏକ ଗଣମାଧ୍ରମ ସହ ଏକ ଆଲୋଚନାରେ ନତାଶା ଷ୍ଟାନକୋଭିକ୍ ସ୍ୱୀକାର କରିଛନ୍ତି ଯେ ସେ ପୁଣି ଥରେ ପ୍ରେମରେ ପଡ଼ିବାକୁ ପ୍ରସ୍ତୁତ। ସେ କହିଥିଲେ ଯେ ଗତ ବର୍ଷ ତାଙ୍କ ପାଇଁ ବହୁତ ଚ୍ୟାଲେଞ୍ଜିଂ ଥିଲା। କିନ୍ତୁ ଏବେ ସେ ଏକ ନୂତନ ଜୀବନ ପାଇଁ ପ୍ରସ୍ତୁତ।
ନତାଶା ମାର୍ଚ୍ଚ ମାସରେ ହିଁ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏ ବିଷୟରେ କଥା ହୋଇ ସେ କହିଛନ୍ତି ଯେ ଏହି ବର୍ଷ ତାଙ୍କ ପାଇଁ ସୁନ୍ଦର ଏବଂ ସ୍ୱତନ୍ତ୍ର। ସେ ସାରା ଦିନ ତାଙ୍କ ପୁଅ ଅଗସ୍ତ୍ୟଙ୍କ ସହିତ ରହିଥିଲେ। ରାତିରେ ବନ୍ଧୁମାନଙ୍କୁ ଭେଟିଲି । ଦିନଟି ବହୁ ଖୁସିରେ କଟିଗଲା।
କଂଗ୍ରେସର ୧୨ ବିଧାୟକ ବିଧାନସଭାରୁ ନିଲମ୍ବିତ
ଭୁବନେଶ୍ବର : କଂଗ୍ରେସର ୧୨ ବିଧାୟକ ବିଧାନସଭାରୁ ନିଲମ୍ବିତ। ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କଲେ ବାଚସ୍ପତି। ତେବେ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ଛାଡି ବାକି ସମସ୍ତଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି। କଂଗ୍ରେସ ଗୃହ ଚଳାଇ ଦେଉନଥିବା ଅଭିଯୋଗରେ ହୋଇଛନ୍ତି ନିଲମ୍ବିତ । ସେମାନଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି। ନିଲମ୍ବିତ ବିଧାୟକମାନେ ହେଲେ ରାମଚନ୍ଦ୍ର କାଡାମ, ସୋଫିଆ ଫିର୍ଦ୍ଦୋସ, ଅଶୋକ ଦାସ, ରାଜନ ଏକ୍କା, ଦାଶରଥି ଗମାଙ୍ଗ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, ନୀଳମାଧବ ହିକକା ଓ କାଡ୍ରାକା ଆପାଲାସ୍ବାମୀ। ପୂର୍ବରୁ ୭ ଦିନ ପାଇଁ ନିଲମ୍ବିତ ହୋଇଥିଲେ ତାରା ବାହିନୀପତି। ନିଲମ୍ବିତ ବିଧାୟକଙ୍କୁ ଗୃହରୁ ବାହାର କରିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। ପଏଣ୍ଟ ଅଫ ଅର୍ଡର ନ ଦେବାରୁ ଅସନ୍ତୋଷ ଜାହିର କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। ଫଳରେ ଆସନ୍ତାକାଲି ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବି କରାଯାଇଛି। ବାଚସ୍ପତିଙ୍କ ପୋଡିଅମ ତଳେ ଅହୋରାତ୍ର ଧାରଣା ଦେଇଛନ୍ତି କଂଗ୍ରେସ ସଦସ୍ୟ। ଆଜି ଦିନ ତମାମ ୯ ଥର ମୁଲତବି ହୋଇଥିଲା ବିଧାନସଭା। ଅନ୍ୟପଟେ ତାରା କହିଛନ୍ତି ଗଣତନ୍ତ୍ରର ହତ୍ୟା ହୋଇଛି। ଯେପର୍ଯ୍ୟନ୍ତ ନାରୀ ସୁରକ୍ଷା ପାଇଁ ଗୃହ କମିଟି ଗଠନ ନହୋଇଛି, ସେ ପର୍ଯ୍ୟନ୍ତ ବିଧାନସଭା ଭିତରେ ରାତି ସାରା ଧାରଣାରେ ବସିବେ ବୋଲି କହିଛନ୍ତି ତାରା ବାହିନୀପତି। ୱେଲରେ ଶୋଇବୁ, ଜବରଦସ୍ତ ଉଠାଇଲେ ପରେ ଦେଖାଯିବ ବୋଲି କହିଛି କଂଗ୍ରେସ।
ମୁହଁ ଦେଖା ଟଙ୍କାରେ ସ୍ୱାମୀକୁ ମାରିବାକୁ ସୁପାରୀ, ବିବାହର ୧୫ ଦିନ ପରେ ହତ୍ୟା
ଲକ୍ଷ୍ନୗେ : ବିବାହର ଦୁଇ ସପ୍ତାହ ପରେ, ଉତ୍ତର ପ୍ରଦେଶର ଆଉରିଆ ଜିଲାରେ ଜଣେ ୨୨ ବର୍ଷୀୟା ମହିଳା ତାଙ୍କ ସ୍ୱାମୀଙ୍କୁ ହତ୍ୟା ପାଇଁ ସୁପାରୀ ଦେଇଛନ୍ତି । ବିବାହର ମାତ୍ର ୧୫ ଦିନ ପରେ, ସ୍ତ୍ରୀ ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିଛି । ହତ୍ୟା କରିଥିବା ଲୋକଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲେ ପତ୍ନୀ । ୧ ଲକ୍ଷ ଟଙ୍କା ଆଡଭାନ୍ସ ଦେଇଥିଲେ, ଯାହା ତାଙ୍କୁ ବିବାହ ସମୟରେ ମୁହଁ ଦେଖା ଏବଂ ଅନ୍ୟାନ୍ୟ ରୀତିନୀତି ସମୟରେ ମିଳିଥିଲା।
ଦିବିୟାପୁରର ସେହୁଦ ମନ୍ଦିର ନିକଟରେ ରହୁଥିବା ବ୍ୟବସାୟୀ ଦିଲୀପଙ୍କର ମାର୍ଚ୍ଚ ୫ ତାରିଖରେ ଫାଫୁଣ୍ଡର ବାସିନ୍ଦା ପ୍ରଗତିଙ୍କ ସହିତ ବିବାହ ହୋଇଥିଲା। ପ୍ରଗତି ବହୁ ବର୍ଷ ଧରି ଟ୍ରାକ୍ଟର ଡ୍ରାଇଭର ଅନୁରାଗ ଓରଫ ମନୋଜ ଯାଦବଙ୍କ ସହିତ ପ୍ରେମ ସମ୍ପର୍କରେ ଥିଲେ। ସେ ଏହି ବିବାହରେ ଅସନ୍ତୁଷ୍ଟ ଥିଲେ। ଯେତେବେଳେ ପରିବାର ଲୋକଙ୍କୁ ପ୍ରେମ ସମ୍ପର୍କ ବିଷୟରେ ଜଣାପଡିଲା, ସେମାନେ ପ୍ରଗତିଙ୍କୁ ତାଙ୍କ ବଡ଼ ଭଉଣୀ ପାରୁଲଙ୍କ ଦିଅର ଦିଲୀପଙ୍କ ସହିତ ବିବାହ ଦେଲେ। ଦିଲୀପଙ୍କ ପରିବାର ବହୁତ ଧନୀ। ପରିବାରରେ ଅନେକ ହାଇଡ୍ରା ଏବଂ କ୍ରେନ ଅଛି। କୁହାଯାଉଛି ଯେ ବିବାହ ପରେ ଯେତେବେଳେ ପ୍ରଗତି ତାଙ୍କ ଶ୍ୱଶୁର ଘରକୁ ପହଞ୍ଚିଲେ, ସେତେବେଳେ ସେ ତାଙ୍କ ପ୍ରେମିକ ଅନୁରାଗଙ୍କୁ ଭେଟି ନପାରିବାରୁ ଅସ୍ଥିର ହୋଇଗଲେ। ଚତୁର୍ଥ ଦିନ ଯେତେବେଳେ ସେ ତାଙ୍କ ବାପାମାଆଙ୍କ ଘରକୁ ଫେରିଲେ, ସେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଲେ। ୧୭ ମାର୍ଚ୍ଚରେ, ପ୍ରଗତି ସହରର ଏକ ହୋଟେଲରେ ତାଙ୍କ ପ୍ରେମିକ ଅନୁରାଗଙ୍କୁ ଭେଟିଥିଲେ। ଦୁହେଁ ମିଶି ଦିଲୀପଙ୍କୁ ହତ୍ୟା ଯୋଜନା କରିଥିଲେ।
ମାର୍ଚ୍ଚ ୧୯ ତାରିଖରେ କନୌଜର ଉମରଦା ଅଞ୍ଚଳରେ ବ୍ୟବସାୟୀ ଦିଲୀପ କୁମାରଙ୍କ ଉପରେ ଗୁଳିଚାଳନା କରାଯାଇଥିଲା। ସେମାନେ ତାଙ୍କୁ ମାଡ଼ ମାରିଲେ ଏବଂ ମୁଣ୍ଡର ପଛପଟେ ଗୁଳି ମାରିଲେ। ତାଙ୍କୁ ମୃତ ଭାବି ଗୁଳି ଚଳାଇଥିବା ଲୋକମାନେ ତାଙ୍କୁ କ୍ଷେତରେ ଫିଙ୍ଗି ଦେଇ ପଳାଇ ଯାଇଥିଲେ। ପୋଲିସ ଦିଲୀପଙ୍କୁ ହସ୍ପିଟାଲ ନେଇଯାଇଥିଲା ଯେଉଁଠାରେ ତାଙ୍କର ମାର୍ଚ୍ଚ ୨୧ ତାରିଖରେ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୋଲିସ ଅନୁରାଗ ଯାଦବ, ପ୍ରଗତି ଏବଂ ଗୁଳିଚାଳକ ରାମଜୀ ନାଗରଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପିସ୍ତଲ, ବାଇକ୍ ଏବଂ ଅନ୍ୟାନ୍ୟ ଜିନିଷପତ୍ର ଜବତ କରାଯାଇଛି। ଗୁଳି ଚଳାଇଥିବା ରାମଜୀଙ୍କ ବିରୋଧରେ ୧୦ଟି ମାମଲା ରୁଜୁ ହୋଇଛି।
ବିଷାକ୍ତ ଖାଦ୍ୟ ଖାଇ ୨୫ ଛାତ୍ରୀ ଅସୁସ୍ଥ
ଟିଟିଲାଗଡ : ବିଷାକ୍ତ ଖାଦ୍ୟ ଖାଇ ୨୫ ଛାତ୍ରୀ ଅସୁସ୍ଥ। ଟିଟିଲାଗଡ ଖୋଲାନ କସ୍ତୁରବା ଗାନ୍ଧୀ ମହିଳା ମହାବିଦ୍ୟାଳୟ ହଷ୍ଟେଲର ୨୫ଜଣ ଛାତ୍ରୀ ବିଶାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡିଛନ୍ତି। ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ଖୋଲାନ ଗୋଷ୍ଠୀ ସ୍ଵସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ହଷ୍ଟେଲରେ ଥିବା ଛାତ୍ରୀ ମାନେ ଗତ ରାତିରେ ଖାଇସାରିବା ପରେ ୨୫ ଜଣ ଛାତ୍ରୀଙ୍କର ହଠାତ୍ ଝାଡ଼ା,ବାନ୍ତି ହେବାସହ ମୁଣ୍ଡ ବୁଲାଇ ଅସୁସ୍ଥ ହୋଇପଡିଥିଲୋ। ହଷ୍ଟେଲ କର୍ତ୍ତୁପକ୍ଷ ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ଖୋଲାନ ହସ୍ପିଟାଲରେ ଭର୍ତ୍ତି କରିଥିଲୋ। ହଷ୍ଟେଲରେ କୌଣସି ବିଷାକ୍ତ ଖାଦ୍ୟ ଖାଇ ଏଭଳି ହୋଇଥିବା ଡାକ୍ତର୍ ସୂଚନା ଦେଇଛନ୍ତି। ଅନ୍ୟପଟେ ଘଟଣା ସ୍ଥଳରେ ସ୍ବାସ୍ଥ୍ୟ ଓ ଶିକ୍ଷା ବିଭାଗ ସହ ଅନ୍ୟାନ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଘଟଣାର ତଦାରଖ କରୁଛନ୍ତି।
ଅଗ୍ନିକାଣ୍ଡରେ ଜଣେ ନାବାଳକ ଜୀବନ୍ତ ଦଗ୍ଧ
ରାଉରକେଲା : ରାଉରକେଲା ଟେଲିଫୋନ ଭବନ ଦୁର୍ଗା ପୂଜା ପେଣ୍ଡାଲ ନିକଟରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଣେ ନାବାଳକ ଜୀଵନ୍ତ ଦଗ୍ଧ ହୋଇଥିବାବେଳେ ବର୍ତ୍ତିଯାଇଛନ୍ତି ୩ ଶିଶୁ। ସେକ୍ଟର ୭ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ କରିଥିଲେ ଆୟତ୍ତ। ଗ୍ରୀଲ ଲଗାଥିବା ମଣ୍ଡପରେ ଆଜି ୪ ଜଣ ନାବାଳକ ଖେଳୁଥିବାବେଳେ ହଠାତ୍ ସେଠାରେ ନିଆଁ ଲାଗିଯାଇଥିଲା। ଘଟଣାରେ ଜଣେ ୮ ବର୍ଷର ନାବାଳକ ଜୀଵନ୍ତ ଦଗ୍ଧ ହୋଇଥିଲା। ମୃତ ନାବାଳକଙ୍କ ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନା ପଠାଯାଇଛି। ସେକ୍ଟର ୭ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରିଛନ୍ତି। ଉରକେଲା ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କିପରି ନିଆଁ ଲାଗିଲା ଓ ନାବାଳକ କିପରି ଜୀଵନ୍ତ ଦଗ୍ଧ ହେଲେ ସେନେଇ ତଦନ୍ତ ପରେ ଜଣାପଡ଼ିବ ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।

