ନୂଆଦିଲ୍ଲୀ : ଆଜିଠୁ ଦିଲ୍ଲୀରେ ଚାଲିବ ରେଖାଙ୍କ ରାଜ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା। ପରବେଶ ବର୍ମା ହେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ। ସେହିପରି ବିଜେନ୍ଦ୍ର ଗୁପ୍ତା ହେବେ ବାଚସ୍ପତି। ଦିଲ୍ଲୀର ରାମଲୀଳା ମଇଦାନରେ ଦିନ ସାଢେ ୧୨ଟାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଦିଲ୍ଲୀ ଉପ-ରାଜ୍ୟପାଳ ମନ୍ତ୍ରିମଣ୍ଡଳକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସହ ବିଜେପିର ବହୁ ବରିଷ୍ଠ ନେତା ସାମିଲ ହେବେ। ରାମଲୀଳା ମଇଦାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ମେଟାଲ ଡିଟେକ୍ଟର ଲଗାଯାଉଛି। ପ୍ରବେଶ ପାଇଁ ତିଆରି ହୋଇଥିବା ସମସ୍ତ ଫାଟକରେ ୧୦-୧୦ଟି ମେଟାଲ୍ ଡିଟେକ୍ଟର ଲଗାଯାଇଛି । ଶାଲିମାର ବାଗ ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ରେଖା ଗୁପ୍ତା। ପ୍ରଥମ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ଶାଲିମାର ବାଗ ବିଧାନସଭା ଆସନରେ ରେଖା ଗୁପ୍ତା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆପ୍ର ବନ୍ଦନା କୁମାରୀଙ୍କୁ ୨୯ ହଜାରରୁ ଅଧିକ ଭୋଟ୍ରେ ପରାସ୍ତ କରିଥିଲେ। ରେଖା ଗୁପ୍ତାଙ୍କୁ ୬୮ ହଜାର ୨୦୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ, ବନ୍ଦନା କୁମାରୀଙ୍କୁ ୩୮ ହଜାର ୬୦୫ ଖଣ୍ଡ ଭୋଟ୍ ମିଳିଥିଲା। ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରବୀଣ ଜୈନଙ୍କୁ ମାତ୍ର ୪ ହଜାର ୮୯୨ ଖଣ୍ଡ ଭୋଟ୍ ମିଳିଥିଲା। ୧୯୭୪ ମସିହାରେ ଜନ୍ମ ହୋଇଥିବା ରେଖା ଗୁପ୍ତା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସାଧାରଣ ସଂପାଦକ ଓ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେ ୧୯୯୬ରୁ ୧୯୯୭ ପର୍ଯ୍ୟନ୍ତ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ରହିଥିଲେ। ୨୦୦୭ରେ ସେ ଉତ୍ତର ପୀତମପୁରାରୁ ଦିଲ୍ଲୀ ମହାନଗର ନିଗମକୁ ନିର୍ବାଚିତ ହୋଇଥିଲେ। ୨୦୧୨ରେ ସେ ପୁଣି ଥରେ ଦିଲ୍ଲୀ ମହାନଗର ନିଗମକୁ ନିର୍ବାଚିତ ହୋଇଥିଲେ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ୪୮ ଆସନ ମିଳିଥିବା ବେଳେ, ମାତ୍ର ୨୨ ଆସନ ଆମ୍ ଆଦମୀ ପାର୍ଟିକୁ ମିଳିଛି।
କିଏ ଏହି ରେଖା ଗୁପ୍ତା ? ପ୍ରଥମ ଥର ବିଧାୟିକା ଭାବେ ଜିତି ହୋଇଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ରେଖା ଗୁପ୍ତା । ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ବାଜିଛି ମୋହର । ଗୁରୁବାର ରାମଲିଲା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା । ତାଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେବେ । ତେବେ କିଏ ଏହି ରେଖା ଗୁପ୍ତା ? ପ୍ରଥମ ଥର ବିଧାୟିକା ହୋଇ ବି ହେବିଓ୍ବେଟଙ୍କୁ ପଛରେ ପକାଇ ଦିଲ୍ଲୀ ସିଂହାସନରେ ବସିବାକୁ ହେଲେ ସକ୍ଷମ, ଆସନ୍ତୁ ଜାଣିବା ।
ଦିଲ୍ଲୀ ଶାଲିମାର ବାଗ ବିଧାନସଭା ଆସନରୁ ବିଧାୟିକା ଭାବେ ଜିତିଛନ୍ତି ରେଖା ଗୁପ୍ତା । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଧାୟିକା ଭାବେ ପ୍ରଥମ ଥର ଜିତିଛନ୍ତି ରଖା । ତାଙ୍କ ଜନ୍ମ ୧୯୭୪ ଜୁଲାଇ ୧୯ ତାରିଖରେ ହରିୟାଣାର ଜୁଲାନାରେ ହୋଇଥିଲା । ଦିଲ୍ଲୀ ବିଶ୍ବ ବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ କରିଛନ୍ତି । ଏହାପରେ ମ୍ୟାନେଜମେଣ୍ଟ ଆଣ୍ଡ ଆର୍ଟରେ ମାଷ୍ଟର କରିଛନ୍ତି ।
୧୯୯୩ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ସେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୬-୯୭ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ ଅଧ୍ୟକ୍ଷା ବନିଥିଲେ । ୨୦୦୭ ଓ ୨୦୧୨ରେ ଉତ୍ତର ପିତମପୁରାରୁ କର୍ପୋରେଟର ଭାବେ ଜିତିଥିଲେ । ଏହାପରେ ୨୦୨୨ରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (MCD)ର ବିଜେପିରୁ ମେୟର ପ୍ରାର୍ଥୀ ହୋଇଥିଲେ ।
ପିଏମଙ୍କୁ ଦେଇଥିଲେ ବିଜୟର ଶ୍ରେୟ
ଶାଲିମାର ବାଗ ବିଧାନସଭା ଆସନରୁ ସେ ବିଧାୟିକା ଭାବେ ବିଜୟ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ଆପ ନେତାଙ୍କୁ ୨୯ ହଜାର ୫୯୫ ଖଣ୍ଡ ଭୋଟରେ ପରାସ୍ତା କରିଛନ୍ତି । ବିଜୟ ପରେ ସେ ଏହାର ଶ୍ରେୟ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ କ୍ଷମତା ଆଜି ତାଙ୍କୁ ବିଜୟ ଦେଇଛି, ଦିଲ୍ଲୀବାସୀ ଆମ ପାଖରୁ ବିକାଶର ଆଶା ରଖିଛନ୍ତି ବୋଲି କହିଥିଲେ ।
ରେଖାଙ୍କ ଉପଲବ୍ଧି
ନିଜ ରାଜନୈତିକ କ୍ୟାରିୟରରେ ରେଖା ମହିଳା କଲ୍ୟାଣ, ଶିକ୍ଷା ସୁଧାର ଓ ସମୂହିକ ବିକାଶ ଉପରେ ଗୁରୁତ୍ବ ଦେଇଥିଲେ । ସେ ନିଜ ଅଞ୍ଚଳରେ ସୁଇମିଂ ପୁଲ, ଜିମ୍, ଲାଇବ୍ରେରୀ ଓ କମ୍ୟୁନିଟି ହଲ ପରି ସୁବିଧା କରିଥିଲେ । ଏହାବାଦ ସେ ମହିଳା ଓ ପିଲାଙ୍କ ପାଇଁ ସ୍ବାସ୍ଥ୍ୟ ଶିବିରର ଆୟୋଜନ କରିଥିଲେ । ଏହାସହ କନ୍ୟଭୃଣ ହତ୍ୟା ଓ ଶିଶୁ ଶ୍ରମିକ ବିରୋଧରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ ।
ଏଏସଓଙ୍କୁ ମାଡ଼ ଘଟଣାରେ ତଦନ୍ତ ଶୀତଳାକୁ ନେଇ ତେଜିଲା ଅସନ୍ତୋଷ, ପୁରୀ ମସୁଦ୍ର କୂଳ ଥାନା ଦ୍ବାରସ୍ଥ ହେଲେ ପତ୍ନୀ
ପୁରୀ: ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣା ନେଇ ସମୁଦ୍ରକୂଳ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ପତ୍ନୀ ସାୟୋଜ ପ୍ରଧାନ ଏବଂ ଅଲ ଓଡିଶା ଯବାନ ଭେଟେରାନ ଆସୋସିଏସନ । ମିଳିତ ଭାବେ ପୁରୀ ସମୁଦ୍ରକୂଳ ଥାନାରେ ପହଞ୍ଚି ବିଧିବଦ୍ଧ ଲିଖିତ ଏତଲା ପ୍ରଦାନ କରିଛନ୍ତି । ଦୀର୍ଘମାସ ଧରି ଏହି ଘଟଣାର ତଦନ୍ତ ହୋଇ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଦୋଷୀ ବିରୋଧରେ ପଦକ୍ଷେପ ନେବାକୁ ଦାବି କରାଯାଇଛି l
ଏଏସଓଙ୍କୁ ଆକ୍ରମଣ ଘଟଣାର ତଦନ୍ତ ଶିଥିଳତାକୁ ନେଇ ତେଜିଲା ଅସନ୍ତୋଷ । ପୁଣି ଥାନାରେ ପହଞ୍ଚି ଏତଲା ଦେଲେ ଏସଓଙ୍କ ପତ୍ନୀ ଓ ଭେଟରାନ ଯବାନ । କାର୍ଯ୍ଯାନୁଷ୍ଠାନରେ ବିଳମ୍ବକୁ ନେଇ ପ୍ରଶ୍ନ । ଗତ ରଥଯାତ୍ରା ସମୟରେ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ।
ସମ୍ପୃକ୍ତ ଏଏସଓ ବୈଖୁଣ୍ଠ ନାଥ ପ୍ରଧାନ ଜୁଲାଇ ୧୧ ତାରିଖରେ ସମୁଦ୍ରକୂଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ସେ ଅନଲାଇନ ମାଧ୍ୟମରେ ମଧ୍ଯ ଅଭିଯୋଗ କରିଥିଲେ । ଘଟଣାର ଆବଶ୍ୟକତା ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଣି ଏଏସଓ, ତାଙ୍କ ପତ୍ନୀ ଓ ଭେଟେରାନ ଯବାନ ଆସୋସିଏସନ ମିଳିତ ଭାବେ ସମୁଦ୍ରକୂଳ ଥାନାରେ ଲିଖିତ ଏତଲା ଦେଇଛନ୍ତି ।
ଅନ୍ୟପକ୍ଷରେ ଏହି ଘଟଣା ଏକ ସମ୍ବେଦିନଶୀଳ ଘଟଣା ହୋଇଥିବାବେଳେ ପୁରୀ ପୋଲିସ ପକ୍ଷରୁ ଘଟଣାକୁ ଗୁରୁତ୍ୱ ଦିଆଯାଇଛି l ପୂର୍ବରୁ ସିସିଟିଏନସ ମାଧ୍ୟମରେ ହସ୍ତଗତ ହୋଇଥିବା ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ କରୁଛି l ଆଜି ପୁଣି ଏଏସଓ ଓ ତାଙ୍କ ପରିବାର ପକ୍ଷରୁ ଏକ ଏଫଆଇଆର ସମୁଦ୍ରକୂଳ ଥାନାରେ ଦିଆଯାଇଥିବାବେଳେ ଏହା ଉପରେ ଅଧିକ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପୁରୀ ଏସପି କହିଛନ୍ତି l
ନିଯୁକ୍ତି ଅନିୟମିତତା ଅଭିଯୋଗ ପରେ ଭୁବନେଶ୍ବର ଏମ୍ସକୁ ଘାଣ୍ଟିଲା ସିବିଆଇ
ଭୁବନେଶ୍ବର: ଭୁବନେଶ୍ୱର ଏମ୍ସରେ ପଶିଲା ସିବିଆଇ ଟିମ୍ । ଚାକିରି କେଳେଙ୍କାରୀ ଅଭିଯୋଗରେ ସିବିଆଇର ୯ ଜଣିଆ ଟିମର ଛାପାମାର । ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାରେ ହୋଇଛି ବଡ଼ କେଳେଙ୍କାରୀ । ଦୀର୍ଘ ୭ ଘଣ୍ଟାର ରେଡ଼ ବେଳେ ୨୭ ଜଣଙ୍କୁ ଜେରା । ଜବତ ହେଲା ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଓ ଡିଜିଟାଲ ଡିଭାଇସ ।
ଭୁନେଶ୍ବର ଏମ୍ସରେ ଚାକିରି ପ୍ରଦାନରେ ଘୋଟାଲା ଓ ପୁଳା ପୁଳା ପ୍ରମାଣ ପରେ ଆକ୍ସନ ମୋଡରେ ସିବିଆଇ । ସିବିଆଇ ପାଖରେ ପିଟିସନ ପଡିବା ପରେ ଆରମ୍ଭ ହୋଇଛି ଚଢ଼ାଉ । ଏମ୍ସ ଏକାଡେମୀକ ବ୍ଲକରେ ଭୁବନେଶ୍ୱର ସିବିଆଇର ୯ ଜଣିଆ ଟିମ ଆରମ୍ଭ କରିଛି ଛାନଭିନ ।
ଅଭିଯୋଗ ମୁତାବକ ସର୍ବଭାରତୀୟ ସ୍ତରରେ ଏମ୍ସ ନିଯୁକ୍ତି ପାଇଁ ପରୀକ୍ଷା କରାଯାଉଥିବା ବେଳେ ଭୁବନେଶ୍ୱର ଏମ୍ସରେ ହୋଇଛି ନିଯୁକ୍ତି ପ୍ରକ୍ରିୟାର ଉଲ୍ଲଂଘନ । ଓଡ଼ିଶାର ଗୋଟିଏ ପରିବାରର ୪ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ଠିକା ନିଯୁକ୍ତି ପାଇଥିବା ଏହି କର୍ମଚାରୀ କିଭଳି ସ୍ଥାୟୀ ହେଲେ ତାକୁ ନେଇ ଉଠିଥିଲା ପ୍ରଶ୍ନ । ଏପରିକି ଚୟନ ପ୍ରକ୍ରିୟାରେ ଯୋଗ୍ୟତା ଓ ଦକ୍ଷତାର ଧଜ୍ଜିଆ ଉଡି଼ଥିବା ନେଇ ପିଟିସନ ପଡିବା ପରେ ଆଜି ସକାଳ ୭ରୁ ଚଢ଼ାଉ ଆରମ୍ଭ କରିଥିଲା ସିବିଆଇ ଟିମ ।
ସିବିଆଇର ତଦନ୍ତ ବେଳେ ମୋଟ ୨୭ ଜଣ ଜେରାର ସମ୍ମୁଖୀନ ହୋଇଛନ୍ତି । ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୨୩ ଜୁଲାଇ ୧ ତାରିଖରେ ସାନିଟାରୀ ଇନ୍ସପେକ୍ଟର ରେକର୍ଡ ଆସିଷ୍ଟାଣ୍ଟ ପାଇଁ ସାରା ଦେଶରେ ୭ ଶହ ପୋଷ୍ଟ ବାହାରିଥିଲା । ଓଡ଼ିଶାର କିଛି ପିଲା ସେଥିପାଇଁ ଆବେଦନ କରିଥିଲେ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କିଛି ପିଲାଙ୍କ ବଦଳରେ ପୂର୍ବରୁ ଠିକା ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଛି । ସ୍ମୃତି ସାଗର କର ନାମକ ଜଣେ ବ୍ୟକ୍ତିଙ୍କ ପରିବାରର ୪ ଜଣ ସ୍ଥାୟୀ ନିଯୁକ୍ତି ପାଇବା ନେଇ ପିଟିସନ ପଡିବା ପରେ ଜେରା କରିଛି ସିବିଆଇ । ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିବା ରେଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଡିଜିଟାଲ ଡିଭାଇସ ସିବିଆଇ ହାତରେ ଲାଗିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି କିଏ ସେହି କରିତକର୍ମା ? ଚାକିରି କେଲେଙ୍କାରୀରେ ହୋଇଛି କେତେ କୋଟିର କାରବାର ? ଏ ନେଇ ଏମ୍ସ ଉପରିସ୍ଥ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନି ।
ଟିଟିଲାଗଡ଼ରେ ଦୁର୍ନୀତି ବଢ଼ିବା ପଛରେ ବିଜେପି ବିଧାୟକ: ଟୁକୁନି ସାହୁ
ଟିଟିଲାଗଡ଼: ଦୁର୍ନୀତିରେ ଉବୁଟୁବୁ ହେବାରେ ଲାଗିଛି ଟିଟିଲାଗଡ଼ ବିଧାନସଭା କ୍ଷେତ୍ର । ଏଠାରେ ବିଜେପି ପ୍ରାର୍ଥୀଙ୍କ ବିଜୟ ପରେ ଦୁର୍ନୀତି ବଢ଼ିବାରେ ଲାଗିଛି । ସରକାରୀ କଳ ବିଜେପି ବିଧାୟକଙକ ହାତବାରିସି ସାଜିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେଡି ଜିଲ୍ଲା ସଭାପତି ଟୁକୁନି ସାହୁ ।
ସେ କହିଛନ୍ତି, ଟିଟିଲାଗଡ଼ ଉନ୍ନତି ଲକ୍ଷ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅନେକ ଯୋଜନାର ଶୁଭାରମ୍ଭ କରିଥିଲେ । ଟିଟିଲାଗଡ଼ରେ ମିଶନ ଶକ୍ତି ହାଟ, ମିଶନ ଶକ୍ତି କାଫେ ଭଳି ଅନେକ ଯୋଜନା କରିଥିଲେ ପୂର୍ବ ସରକାର । ହେଲେ ଏହି ସମସ୍ତ ଦୋକାନ ଓ କାଫେ ଦେବାକୁ ସ୍ଥାନୀୟ ବିଧାୟକ ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରୁଛନ୍ତି । ବିଧାୟକଙ୍କ ଇସାରାରେ ବ୍ଲକ କାର୍ଯ୍ୟାଳୟ ତରଫରୁ ଦୋକାନ ନେଉଥିବା ଲୋକଙ୍କ ପାଖରୁ ୧୦ ପ୍ରତିଶତ ପିସି ମାଗୁଥିବା ସେ ଅଭିଯୋଗ କରିଛନ୍ତି ।
ଟିଟିଲାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପ୍ରେସମିଟରେ ଜିଲ୍ଲା ସଭାପତି ଓ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ବିଧାୟକ ନବୀନ ଜୈନକୁ ଖୋଲା ଚେଲେଞ୍ଜ କରିଛନ୍ତି । ବିଧାୟକ ଅନେକ ଠିକାଦାରଙ୍କ ନିକଟରୁ ମୋଟା ଅଙ୍କର ପିସି ନେଉଥିବା ଓ ବିକାଶ ଉପରେ ଗୁରୁତ୍ଵ ଦେଉ ନଥିବା ସେ ଅଭିଯୋଗ କରିଛନ୍ତି ।
ସେହିପରି ବିଧାୟକଙ୍କ ସମର୍ଥକମାନେ ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଆବେଦନ ଉପରେ ମତ ରଖିଛନ୍ତି ଟୁକୁନି ସାହୁ । ଟିଟିଲାଗଡ଼ ସମିତିରେ ବିଜେଡିର ବହୁ ମତ ରହିଛି । ବିଜେଡି ଅଧ୍ୟକ୍ଷା ହୋଇଥିବାରୁ ଓ ଦୁର୍ନୀତିକୁ ବିରୋଧ କରୁଥିବାରୁ ତାଙ୍କୁ ହଟାଇବା ପାଇଁ ନବୀନ ଜୈନଙ୍କ ଏହା ଏକ ଚାଲ । ଆଗାମୀ ଦିନରେ ଦଳ ଏହାର ଘୋର ବିରୋଧ କରିବ ବୋଲି ସେ କହିଛନ୍ତି ।

