ବାଲିଗୁଡ଼ା: ବେଆଇନ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । ଘଟଣାସ୍ଥଳରୁ ୧୧୭ କେଜି ବେଆଇନ ଗଞ୍ଜେଇ ସମେତ ଗଞ୍ଜେଇ ପ୍ୟାକିଂ ସାମଗ୍ରୀ ଜବତ ହୋଇଛି । ଏହାସହ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଚମ୍ପଟ ମାରିଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପଙ୍ଗା ପଞ୍ଚାୟତ ଅଞ୍ଚଳରୁ ଛତିଶଗଡ଼ ରାଜ୍ୟକୁ ଚୋରା ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି । ଏହି ସମୟରେ ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ତିନି ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏନେଇ ବାଲିଗୁଡ଼ା ଥାନାରେ ଏକ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଚଳାଇଛି । ଏହି ଚଢ଼ାଉରେ ବାଲିଗୁଡ଼ା ଥାନା ଅଧିକାରୀ ସମ୍ବିତ୍ କୁମାର ସ୍ବାଇଁ ଓ ତୁମୁଡ଼ିବନ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ପୁର୍ଣ୍ଣ ସହଯୋଗ କରିଥିଲେ ।
ଶିକ୍ଷକ ଅଭାବ ପ୍ରତିବାଦରେ ସ୍କୁଲ ଫାଟକରେ ଝୁଲିଲା ତାଲା: ଧାରଣାରେ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ
ଜଗତସିଂହପୁର: ଶିକ୍ଷକ ଅଭାବ ପ୍ରତିବାଦରେ ସ୍କୁଲ ଫାଟକରେ ଝୁଲିଲା ତାଲା । ଧାରଣାରେ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଶିକ୍ଷା ବିଭାଗ ଅଧୀନରେ ରହିଛି ବୈଦେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିଥାନ୍ତି। ବିଦ୍ୟାଳୟରେ ୭୦ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ମାତ୍ର ଦୁଇ ଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି । ଯାହାଫଳରେ ଶିକ୍ଷାଦାନରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଛାତ୍ରଛାତ୍ରୀମାନେ । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଆବଶ୍ୟକ ଶିକ୍ଷକ ପଦ ପୂରଣ ହେଉନାହିଁ। ଯାହାକୁ ନେଇ ତିର୍ତ୍ତୋଲ ଦାଇଁଲୋ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ବୃଦ୍ଧି ପାଇଛି । ଗତକାଲି ସ୍କୁଲ ଫାଟକରେ ତାଲା ପାକଇ ଧାରଣାରେ ବସି ରହିଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକମାନେ । ଯେପର୍ଯ୍ୟନ୍ତ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ ନହୋଇଛି ସେପର୍ଯ୍ୟନ୍ତ ସ୍କୁଲ ଫାଟକରେ ତାଲା ଝୁଲିବ ବୋଲି ଗ୍ରାମବାସୀ ମାନେ କହିଛନ୍ତି ।
ଆଜିଠାରୁ ରାଜ୍ୟରେ ବଢ଼ିବ ତାତି: ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ
ଭୁବନେଶ୍ବର: ମାଘ ଯାଉ ଯାଉ ମାଡ଼ି ଆସିଲାଣି ତାତି। ଗରମରେ ଆଉଟୁ ପାଉଟୁ ରାଜ୍ୟବାସୀ। ଉପକୂଳରେ ଉପରମୁହାଁ ପାରଦ। ଆଜିଠାରୁ ରାଜ୍ୟରେ ଅହେତୁକ ଭାବରେ ବଢିବ ତାତି। ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଚଳିତବର୍ଷ ପ୍ରଥମ ଥର ପାଇଁ ଗତକାଲି ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ଟପିଛି ରାଜଧାନୀ ଭୁବନେଶ୍ବର। ଗତକାଲି ୩୫.୯ ଡିଗ୍ରୀ ସହ ଉତ୍ତପ୍ତ ସହର ପାଲଟିଥିଲା ଅନୁଗୁଳ। ଉପକୂଳ ଓଡ଼ିଶା ସମେତ ଅନୁଗୁଳ ଏବଂ ଢେଙ୍କାନାଳରେ ତାତି ଅସମ୍ଭାଳ ହୋଇଥିବା ବେଳେ ଆସନ୍ତା ୧୯ ତାରିଖ ମଧ୍ୟରେ ସାଂଘାତିକ ତାତି ଅନୁଭୁତ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ରହିବା ସହ ମେଘମୁକ୍ତ ଆକାଶ ପାଇଁ ତାତି ବୃଦ୍ଧି ପାଉଛି। ଏହାସହ ରାଜ୍ୟକୁ ସାମୁଦ୍ରିକ ପବନ ପ୍ରବାହରେ ବ୍ରେକ୍ ଲାଗିଛି। ତେବେ ତାତି ସହ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର ।
ବଜେଟ ଅଧିବେଶନର ତୃତୀୟ ଦିନ: ଆଜି ବି ହୁଲସ୍ତୁଲ ହୋଇପାରେ ଗୃହ
ଭୁବନେଶ୍ବର: ବଜେଟ ଅଧିବେଶନର ଆଜି ତୃତୀୟ ଦିନ । ପ୍ରଶ୍ନକାଳ ସ୍ବଭାବିକ ଚାଲିବକି କି ନାହିଁ ତାକୁ ନେଇ ସନ୍ଦେହ ଦେଖାଦେଇଛି। ଚାଷୀ ଓ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ବିଜେଡି ସରକାରଙ୍କୁ ଘେରିଥିବା ବେଳେ ସରକାର ପଳାୟନପନ୍ଥି ହୋଇଛନ୍ତି। ଆଜି ମହିଳା-ଶିଶୁ ବିକାଶ, ନିର୍ମାଣ, ପର୍ଯ୍ୟଟନ, ଅବକାରୀ, ମିଶନ ଶକ୍ତି, ଆଇନ ବିଭାଗର ପ୍ରଶ୍ନକାଳ ରହିଛି । ବିଧାୟକ ମାନେ ଚାହିଁଲେ ଭିନ୍ନ ପ୍ରଶ୍ନ ମଧ୍ୟ ପଚାରି ପାରିବେ। ଶୂନ୍ୟକାଳରେ ଧାନର କଟନୀ ଛଟନୀ, ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ପାରନ୍ତି ବିରୋଧୀ। ଏହା ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ଆଜି ଗୃହ ସ୍ବାଭାବିକ ଚାଲିବ ନା ପୁଣି ଆରମ୍ଭରୁ ଅଚଳାବସ୍ଥା ଜାରି ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି।
ପୁଣି କଂଗ୍ରେସକୁ ଫେରିବେ ପୁରୁଖା ନେତା, ପିସିସି ସଭାପତି କହିଲେ..
ନନ୍ଦିଘୋଷ ବ୍ୟୁରୋ: ପୁଣି କଂଗ୍ରେସକୁ ଫେରିବେ ପୁରୁଖା ନେତା । ଦଳରୁ ଦୁରେଇ ଯାଇଥିବା ତଥା ନିଲମ୍ବନ ହୋଇଥିବା ସମସ୍ତ ପୁରୁଖା ନେତା ମାନଙ୍କୁ ପୁଣି କଂଗ୍ରେସ କୁ ଅଣାଯିବ । ଆଜି ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ସୁର ରାଉତରାୟ ଜଣେ ଅଭିଜ୍ଞ ଓ ଦଳର ଗୋଟିଏ ଶକ୍ତ ସ୍ତମ୍ଭ । କଂଗ୍ରେସ ସେହି ସ୍ତମ୍ଭ ଭୁଶୁଡିବାକୁ ଦେବ ନାହିଁ ବୋଲି କହିଛନ୍ତି ଭକ୍ତ ଦାସ। ଯେଉଁ ନେତାମାନଙ୍କୁ ଦଳରୁ ନିଲମ୍ଵନ କିମ୍ଵା ବହିଷ୍କାର କରାଯାଇଥିଲା । ତାହାକୁ ପ୍ରତ୍ୟାହାର କରାଯାଇଥିବା ବିଜ୍ଞପ୍ତି ପ୍ରକାଶ କରି ଜଣାଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଏହା ସହିତ ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ ଯେଉଁମାନେ କଂଗ୍ରେସ ଦଳ ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି । ସେମାନେ ପୁଣିଥରେ କଂଗ୍ରେସ ଦଳକୁ ଫେରିଆସିବାକୁ ସେ ନିବେଦନ କରିଛନ୍ତି । ଯଦି ସେମାନେ କଂଗ୍ରେସ ଦଳର ନୀତି ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦାନ କରିବାକୁ ଇଚ୍ଛୁକ, ସେମାନଙ୍କୁ କଂଗ୍ରେସ ଦଳ ପକ୍ଷରୁ ସମ୍ମାନର ସହିତ ସ୍ଵାଗତ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ।

