spot_img
Home Blog Page 1135

କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଏବଂ ଛାତ୍ର ଅଶାନ୍ତି ଘଟଣା, ଆଉ ୫ ଜଣ ଗିରଫ

ଭୁବନେଶ୍ୱର : କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଘଟଣା ଓ ପରବର୍ତ୍ତୀ ଛାତ୍ର ଅଶାନ୍ତି ଘଟଣା। ଛାତ୍ରଛାତ୍ରୀଙ୍କ ମାଡ଼ ମାରିବା ଘଟଣାରେ ଆଜି ୫ ଜଣଙ୍କୁ ଗିରଫ କରିଛି ଇନଫୋସିଟି ପୋଲିସ। ଛାତ୍ରଛାତ୍ରୀ ମାନେ ହଷ୍ଟେଲ ଖାଲି କରୁଥିବା ବେଳେ, ଏହି ୫ ଅଭିଯୁକ୍ତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଚାଲିଯିବାକୁ କହିଥିଲେ। ତେବେ ହଷ୍ଟେଲ ଖାଲି କରିବାରେ ବିଳମ୍ବ ହେବାରୁ ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ କରିବା ସହ ମାରପିଟ୍ କରିଥିଲେ ଅଭିଯୁକ୍ତ।

ଏହି ଘଟଣାରେ ସିସିଟିଭି ଫୁଟେଜ୍ ଯାଞ୍ଚ କରି ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତ ହେଲେ କିଟ୍ ବିଶ୍ବବିଦ୍ୟାଳୟର କର୍ମଚାରୀ ଅଜୟ ସ୍ବାଇଁ, ସରୋଜ ରାଉତରାୟ, ଚନ୍ଦନ ସ୍ବାଇଁ, ସୁଧାଂଶୁ ଶେଖର ବେହେରା ଓ ରମାକାନ୍ତ ସେଠୀ। ପୂର୍ବରୁ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିଲା। ଅନ୍ୟପଟେ ଘଟଣାର ତଦନ୍ତ ଜାରି ରହିଥିବା ବେଳେ, ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଜର ହେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

କରନ୍ତୁ ନାହିଁ ଏପରି ଭୁଲ୍, ନଚେତ୍ ଗଣିବେ ୨୫ହଜାର ଟଙ୍କା ଜୋରିମାନା

ନନ୍ଦିଘୋଷ ବ୍ୟୁରୋ : ଟ୍ରାଫିନ ନିୟମ ନମାନିଲେ ଭରିବାକୁ ପଡିବ ଜରିମାନା । ଏଥର କଡାକଡି ହେଲା ଟ୍ରାଫିକ ନିୟମ ।  ଭାରତରେ ରାସ୍ତାରେ ଚାଲୁଥିବା ସମସ୍ତ ଯାନବାହନ ପାଇଁ କିଛି ନିୟମ ସ୍ଥିର କରାଯାଇଛି। ତେଣୁ ସମସ୍ତ ଡ୍ରାଇଭରମାନଙ୍କୁ ଏହା ମାନିବାକୁ ପଡିବ।

ନିୟମ ଉଲ୍ଲଂଘନ କଲେ ଆପଣଙ୍କ ପକେଟ ଉପରେ ଭାରୀ ବୋଝ ପଡ଼ିପାରେ। ଆପଣଙ୍କୁ ଜଣାଇ ଦେଉଛୁ ଯେ ସ୍କୁଟର ଏବଂ ବାଇକ ଚଳାଇବା ସମ୍ପର୍କରେ ମୋଟର ଯାନ ଆଇନ ଅନୁଯାୟୀ ସମାନ ନିୟମ କରାଯାଇଛି। ଯଦି ଏହି ନିୟମ ଉଲ୍ଲଂଘନ ହୁଏ। ତା’ପରେ ଆପଣଙ୍କୁ ୨୫୦୦୦ ଟଙ୍କାର ଚାଲାଣ ଦେବାକୁ ପଡ଼ିପାରେ।

ମୋଟର ଯାନ ଆଇନ ଅନୁଯାୟୀ ଚାଳକମାନଙ୍କ ପାଇଁ ଅନେକ ନିୟମ ପ୍ରଣୟନ କରାଯାଇଛି। ବାଇକ, କାର୍‌ ଏବଂ ପ୍ରତ୍ୟେକ ପ୍ରକାରର ଯାନବାହନ ପାଇଁ ଡ୍ରାଇଭିଂ ଲାଇସେନ୍ସ ରଖିବାର ନିୟମ ସମାନ। ଯଦି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ନାହିଁ, ତେବେ ଆପଣଙ୍କର ଚାଲାଣ କାଟି ଦିଆଯାଏ। ଦେଶର ୧୮ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ। କିନ୍ତୁ ଯଦି ୧୮ ବର୍ଷରୁ କମ୍‌ ବୟସର କୌଣସି ପୁଅ କିମ୍ବା ଝିଅ ବାଇକ କିମ୍ବା ସ୍କୁଟର ଚଲାଉଥିବା ଧରାପଡ଼ନ୍ତି।

ଏପରି କ୍ଷେତ୍ରରେ ସେମାନଙ୍କ ବିରୋଧରେ ଏକ ଭାରୀ ଚାଲାଣ କରାଯାଏ। ଆପଣଙ୍କୁ ଜଣାଇ ଦେଉଛୁ ଯେ, ମୋଟର ଯାନ ଆଇନର କିଛି ନିୟମ ପରିବର୍ତ୍ତନ କରାଯାଇ ନାବାଳକଙ୍କ ଦ୍ୱାରା ଗାଡି ଚଲାଇବା ପାଇଁ ଜରିମାନା ବହୁତ ବୃଦ୍ଧି କରାଯାଇଛି। ଏବେ ଯଦି ଜଣେ ନାବାଳକ ଗାଡ଼ି ଚଲାଉଥିବା ଧରାପଡ଼ନ୍ତି। ତେବେ ତାଙ୍କ ଅଭିଭାବକଙ୍କୁ ମୋଟର ଯାନ ଆଇନ ୧୯୮୮ର ଧାରା ୧୯୯ଏ ଅନୁଯାୟୀ ୨୫୦୦୦ ଟଙ୍କା ଜରିମାନା କରାଯିବ। ଏହା ବ୍ୟତୀତ ଗାଡ଼ିକୁ ମଧ୍ୟ ଜବତ କରାଯାଇପାରେ। ନିକଟ ଅତୀତରେ ନାବାଳକମାନେ ଗାଡି ଚାଳନା କରିବା ସହିତ ଦୁର୍ଘଟଣାର ଅନେକ ରିପୋର୍ଟ ଆସିଛି। ସେଥିପାଇଁ ଏବେ ଟ୍ରାଫିକ ପୋଲିସ ଅଧିକ କଠୋର ହୋଇଯାଇଛି।

 

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀକାନ୍ତ। ଓଡ଼ିଶାରେ ଦାରିଦ୍ର୍ୟ ବଢୁଛି। ଦୁଇ ଲକ୍ଷ ୯୦ ହଜାର କୋଟିର ବଜେଟ୍ ବିଧାନସଭାରେ ଉପସ୍ଥାପନ କରି ମୋହନ ସରକାର ବାହାବା ନେଉଛି। ଓଡ଼ିଶା ସରକାର ଚଳିତ ବର୍ଷ ୩ ଲକ୍ଷ ୯୦ ହଜାର କୋଟି ବା ୪ଲକ୍ଷ କୋଟିର ବଜେଟ୍ ଆଣି ପାରିଥାଆନ୍ତେ । ଜୁଲାଇ ୨୪ରୁ ଖଣି ସେସ୍ ଓ ରୟାଲିଟି ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ କାର୍ଯ୍ୟକାରୀ କରାଯାଇଥିଲେ ସରକାରଙ୍କ ବଜେଟ୍ ୪ଲକ୍ଷ କୋଟିର ର ବଜେଟ୍ ହୋଇପାରିଥାନ୍ତା । କିନ୍ତୁ ଓଡ଼ିଶା ସରକାର ଖଣି ବ୍ୟବସାୟୀମାନଙ୍କ ଠାରୁ ସେସ୍ ଓ ରୟାଲିଟି ନେଉ ନାହାଁନ୍ତି।

ଓଡ଼ିଶାରେ ଖଣି ସିଣ୍ଡିକେଟ ଚାଲିଛି। ଦୀର୍ଘ ବର୍ଷ ଧରି ପଶ୍ଚିମ ବଙ୍ଗର କୋଇଲା ଖଣିରୁ ସେସ୍ ଓ ରୟାଲିଟି ବହୁତ ଅଧିକ ଆଦାୟ କରୁଛି । ଓଡ଼ିଶାର ଖଣିରୁ ବାହାରୁ ଥିବା କଞ୍ଚାମାଲକୁ ବଜାରରେ ନ ବିକ୍ରି କରି ଶାଗମାଛ ଦରରେ ଖଣିଜ ପଦାର୍ଥକୁ ବିକ୍ରି କରୁଛନ୍ତି। ତେଣୁ ଓଡ଼ିଶା ୨ ହଜାର କୋଟି ଟଙ୍କା ବର୍ଷକୁ ସରକାର କ୍ଷତି ସହୁଛି । ଖଣି ବ୍ୟବସାୟୀମାନଙ୍କର ବକେୟା ଟଙ୍କା ପ୍ରାୟ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ସରକାରଙ୍କୁ ସେମାନେ ଦେଉନାହାଁନ୍ତି। ଏସମ୍ପର୍କରେ ବିଧାନସଭାରେ ସରକାର ଆଲୋଚନା କରନ୍ତୁ। ଦାଦନରେ ଓଡ଼ିଶା ଆଜି ଏକ ନମ୍ବର। ଓଡ଼ିଶାର ଖଣି ସିଣ୍ଡିକେଟ ଚାଲିଛି । ମାଗଣା ୩୦୦ ୟୁନିଟ ବିଜୁଳି, ୩ ହଜାର ଟଙ୍କା ବେକାରୀ ଭତ୍ତା ଆଦି ଦିଆଯାଇପାରିବ। ହେଲେ ସରକାର ନୀରବ ରହିଛନ୍ତି ବୋଲି କହିଛନ୍ତି ଶ୍ରୀକାନ୍ତ।

ବଜେଟରେ ବିଜେପି ଦେଖାଉଛି ରଙ୍ଗିଲା ସ୍ୱପ୍ନ, ବିଧାନସଭାରେ ବର୍ଷିଲେ ବିଜେଡି ଓ କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ : ବଜେଟ ପରେ ବଜେଟ ଆଣୁଛନ୍ତି ରାଜ୍ୟ ସରକାର । ବଡ଼ ବଜେଟ ଆଣି ବାହା ବାହା ନେବାକୁ କରୁଛନ୍ତି ପ୍ରୟାସ । ରାଜ୍ୟ ସରକାର ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଆଣିଛନ୍ତି । କିନ୍ତୁ ପୂର୍ବ ବଜେଟର ମାତ୍ର ୫୧ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି । ବହୁ ବିଭାଗରେ ବଜେଟ ଅର୍ଥ ଖର୍ଚ୍ଚ ଅତି ନଗନ୍ୟ । ୯ ମାସ ହେବ ବଜେଟ ଅର୍ଥ ଗ୍ରାଉଣ୍ଡରେ ଟଙ୍କାଟିଏ ବି ଖର୍ଚ୍ଚ ହୋଇପାରୁନାହିଁ । ମୋହନ ସରକାର ପ୍ରଥମ ବଜେଟରେ ୪୩ ହଜାର କୋଟି ଋଣ ଓ ଦ୍ବିତୀୟ ବଜେଟରେ ୪୭ ହଜାର କୋଟି ଋଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଡବଲ ଇଞ୍ଜିନ ସରକାର ଡବଲ ଅର୍ଥ ପାଇବା ବଦଳରେ ଓଡ଼ିଶାକୁ ମିଳୁଛି କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ ।

କେତେବେଳେ ଡିଜି ସମ୍ମିଳନୀ ତ କେତେବେଳେ ପ୍ରବାସୀ ଭାରତୀୟ ସମ୍ମିଳନୀ । ଆନ୍ଧ୍ର ଓ ବିହାରକୁ କେନ୍ଦ୍ର ବଜେଟରେ ସ୍ବତନ୍ତ୍ର ଅନୁଦାନ ମିଳୁଥିବା ବେଳେ ଓଡ଼ିଶାକୁ ଅଣଦେଖା କରାଯାଉଛି । ଏପରି ଲମ୍ବା ଅଭିଯୋଗ ଆଣି ବଜେଟ ଆଲୋଚନାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ । ଅମୃତ କାଳରେ ଓଡ଼ିଶା କଣ ପାଇଲା, ତାହା ଏବେ ଗୀତ ହୋଇ ବାଜିଲାଣି। ଅନ୍ୟପଟେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ବଜେଟରେ ବିଜେପି ରଙ୍ଗିଲା ସ୍ୱପ୍ନ ଦେଖାଉଛି  । ବିଜେପି ବଜେଟ ଅର୍ଥ ଖର୍ଚ୍ଚ କରିପାରୁନି କି ଖର୍ଚ୍ଚ କରିବାର କୌଶଳ ବି ଶିଖୁନି। ପୂର୍ବ ସରକାର ଏକ ଅଭିଜ୍ଞ ସରକାର ଥିଲା  । ବଜେଟରେ ଯାହା ଅର୍ଥ ରଖୁଥିଲେ ତାହାକୁ ଖର୍ଚ୍ଚ କରାଯାଉଥିଲା। କିନ୍ତୁ ଏ ସରକାର କାହା କଥା ଶୁଣୁନଥିବା ଅଭିଯୋଗ କରିଛି ବିଜେଡି।

ସେପଟେ କଂଗ୍ରେସ କହିଛି, ମୋହନ ସରକାର ନିରାଶର ବଜେଟ ଆଣିଛନ୍ତି । ସୁଭଦ୍ରା ଟଙ୍କା ଦେଉଛନ୍ତି, କିନ୍ତୁ ମା’ମାନଙ୍କ କଥା ଶୁଣୁନାହାନ୍ତି। ଜୀବନ ଜୀବିକା ପାଇଁ ରାଜରାସ୍ତାରେ ଲଢେଇ କରୁଛନ୍ତି ମହିଳା। ବଜେଟରେ ନିଯୁକ୍ତି ଠାରୁ ଆରମ୍ଭ କରି ଲୋକଙ୍କ ସ୍ବାର୍ଥ ଉପରେ କୌଣସି ଦୃଷ୍ଟି ଦିଆଯାଇନାହିଁ । ବଜେଟ ଆଲୋଚନାରେ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିବା ପରେ ବିଜେପି କହିଛି ଆମେ ବିକାଶର ବଜେଟ ଆଣିଛୁ ।

 

ଚାଷୀ ପୋଷଣ ନା ଚାଷୀ ଶୋଷଣ, ଚାଷୀ ମାରଣର ନୂଆ ଫଣ୍ଡାରେ ଡବଲ ଇଞ୍ଜିନ ସରକାର

ନନ୍ଦିଘୋଷ ବ୍ୟୁରୋ : ସରକାରୀ ବିହନ ନେଇ ହତାଶ ଚାଷୀ । ସାମନାକୁ ଆସିଛି ରାଜ୍ୟ ବିହନ ନିଗମର ବଡ଼ କେଳେଙ୍କାରୀ । ପିଆଜ, ମେଥି ଓ ଲଙ୍କା ବିହନ ଗଜା ନ ହେବାରୁ ଗଞ୍ଜାମ ଜିଲ୍ଲାରେ ଚାଷୀ ମୁଣ୍ଡରେ ହାତ ଦେଇବସିଛନ୍ତି । ରାଷ୍ଟ୍ରାୟତ୍ତ ସଂସ୍ଥା କମ୍ ଟଙ୍କାରେ ଟେଣ୍ଡର ପକାଇଥିଲେ । ହେଲେ ରାଜ୍ୟ ବିହନ ନିଗମ କାହା ଚାପରେ ମଧ୍ୟପ୍ରଦେଶ ଭୋପାଳର ଏକ ଘରୋଇ ସଂସ୍ଥାରୁ ଅଧିକ ଦରରେ ବିହନ କିଣି ଚାଷୀଙ୍କୁ ଦେଲା ତାକୁ ନେଇ ପ୍ରଶ୍ନ ଉଠିଛି । ଏ ନେଇ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସେପଟେ ରାଜ୍ୟ ବିହନ ନିଗମରେ କୌଣସି ଅଧିକାରୀ ନାହାନ୍ତି କି ଅଧ୍ୟକ୍ଷ ଦାୟିତ୍ବରେ ଥିବା କୃଷି ବିଭାଗ ସଚିବଙ୍କୁ ଯୋଗାଯୋଗ କରାଗଲେ ବି କାର୍ଯ୍ୟବ୍ୟସ୍ତତା ଦର୍ଶାଇ ପଛଘୁଞ୍ଚା ଦେଉଛନ୍ତି । ଏହାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗକୁ ଚାଷୀ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

୨୦୨୪-୨୫ ଖରିଫ ବର୍ଷରେ ରବି ଫସଲ ପାଇଁ ପିଆଜ, ଲଙ୍କା, ମେଥି ଓ ପନିପରିବା ବିହନର ମିନି କିଟ୍ ଯୋଗାଇବାକୁ ରାଜ୍ୟ ବିହନ ନିଗମ ଇ-ଟେଣ୍ଡର ଆହ୍ବାନ କଲା । ବିଭିନ୍ନ ପନିପରିବା ବିହନ କିଲୋ ୪୪୭ ଟଙ୍କାରେ ଯୋଗାଇବାକୁ ରାଷ୍ଟ୍ରାୟତ୍ତ ସଂସ୍ଥା ହିନ୍ଦୁସ୍ତାନ ଇନ୍ସେକ୍ଟିସାଇଡ୍ସ୍ ଲିମିଟେଡ୍ ଟେଣ୍ଡର ପକାଇଥିଲା । କିନ୍ତୁ ରାଜ୍ୟ ବିହନ ନିଗମର ବୈଷୟିକ କମିଟି ରାଷ୍ଟ୍ରାୟତ୍ତ ସଂସ୍ଥାକୁ ଛାଡ଼ି ଭୋପାଳର ଏକ ଘରୋଇ ସଂସ୍ଥାକୁ କିଲୋ ପିଛା ୫୬୦ ଟଙ୍କାରେ ଯୋଗାଇବାକୁ ଚୟନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ହେଲେ ସେ ମଞ୍ଜିରୁ ଗଛ ହେଉନାହିଁ ବୋଲି ଗଞ୍ଜାମର ଚାଷୀ ଅଭିଯୋଗ କରିଛନ୍ତି ।

ଖାଲି ସେତିକି ନୁହେଁ, ପ୍ୟାକେଟ୍ ଉପରେ କମ୍ପାନୀର ନାଁ ନାହିଁ,d ଲଟ୍ ନମ୍ବର ନାହିଁ । କେବେ ପ୍ରସ୍ତୁତ ହୋଇଥିବା ପ୍ରାମାଣିକ ବିହନ ତାର କୌଣସି ସୂଚନା ନାହିଁ । କେବଳ ରାଜ୍ୟ କୃଷି ବିଭାଗ ସହିତ ରାଜ୍ୟ ବିହନ ନିଗମ ବିପ୍ପଣନ କରିଥିବା ନେଇ ସୂଚନା ରହିଛି । ଯାହାକୁ ନେଇ ବଡ଼ ଧରଣର ଘୋଟାଲା ହୋଇଥିବା ଚାଷୀ ନେତା ଅଭିଯୋଗ କରିଛନ୍ତି । ଯଦି ଏହାର ତଦନ୍ତ ନ ହୁଏ ଆଗକୁ ଆନ୍ଦୋଳନ କରାଯିବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛି । ଅନ୍ୟପଟେ ଏ ନେଇ ନନ୍ଦିଘୋଷ ଟିଭି ଖୋଳତାଡ଼ ପରେ ବିହନ ନିଗମର ବାବୁ ଧରାଛୁଆଁ ଦେଉନାହାନ୍ତି ।

ଆଳୁ ଦେଲାନି ପଶ୍ଚିମବଙ୍ଗ, ହଟହଟା ଓଡ଼ିଶା: ଖାଲି ଗପରେ ସୀମିତ ରହିଲା ସରକାରଙ୍କ ପଦକ୍ଷେପ

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଙ୍ଗ ଆଳୁ ଦେଲାନି। ଆଳୁ ପାଇଁ ହଟହଟା ହେଲେ ଓଡ଼ିଶାବାସୀ। ଖାଲି ଗପରେ ସୀମିତ ରହିଲା ସରକାରଙ୍କ ପଦକ୍ଷେପ। ଆକାଶଛୁଆଁ ହେଲାଣି ପିଆଜ ଠାରୁ ଆରମ୍ଭ କରି ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର। ସଠିକ ଭାବେ ଚାଷୀଙ୍କୁ ବିହନ ମିଳିଲାନି। ତା ସାଙ୍ଗକୁ ଉତ୍ପାଦିତ ଦ୍ରବ୍ୟର ହେଲା ଅଭାବୀ ବିକ୍ରି। ସବୁ ଜାଣି ବି ଚୁପ ବସିଛନ୍ତି ସରକାର। ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିଥିବାରୁ ବିଜେପି ସରକାର ଉପରେ ବର୍ଷିଛି ଓଡ଼ିଶା ବ୍ୟବସାୟୀ ମହାସଂଘ। ଦରଦାମ ନିୟନ୍ତ୍ରଣ ଓ ଚାଷୀଙ୍କ ସାମଗ୍ରୀର ଅଭାବୀ ବିକ୍ରି ରୋକିବା ପାଇଁ ନାହିଁ ଆନ୍ତରିକତା। ଯେଉଁଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବା ବେଳେ, ଆଗକୁ ମଧ୍ୟ ଦରଦାମ ବୃଦ୍ଧି ଉତ୍କଟ ରୂପ ନେବ ବୋଲି ଚେତାଇ ଦେଇଛି ବ୍ୟବସାୟୀ ମହାସଂଘ। ପ୍ରତି ତିନି ମାସରେ ଥରେ ଦରଦାମ ନିୟନ୍ତ୍ରଣ ଓ ଚାଷ ଉତ୍ପାଦନ ବଢାଇବା ପାଇଁ ବୈଠକ କରିବାକୁ କହିଥିଲା ବିଜେପି ସରକାର। କିନ୍ତୁ ଏପର୍ଯ୍ୟନ୍ତ ତାହା ହେଲାଣି। ଏହା ସରକାରଙ୍କ ଆନ୍ତରିକତାର ଅଭାବ ବୋଲି କହି ସମାଲୋଚନା କରିଛି ବ୍ୟବସାୟୀ ମହାସଂଘ।

ସେପଟେ ଦରଦାମ ନିୟନ୍ତ୍ରଣରେ ବିଫଳତା ଓ ସରକାରଙ୍କ ମିଛ ପ୍ରତିଶୃତିକୁ ନେଇ ବିଜେପି ଉପରେ ବର୍ଷିଛି ଓଡ଼ିଶା ବିକାଶ ପରିଷଦ। ରାଜ୍ୟର ସମଗ୍ରୀକ ବିକାଶକୁ ନେଇ ସରକାର ବେପରୁଆ ମନୋଭାବ ପୋଷଣ କରିଛନ୍ତି। ଡବଲ ଇଞ୍ଜିନ ସରକାର ସବୁ କଥାକୁ ହାଲକା ଭାବେ ନେଉଛନ୍ତି। ଯାହାର ଫଳ ଭୋଗୁଛି ରାଜ୍ୟ। ଆଗକୁ ଜନତା ଏହାର ଦୃଢ଼ ଜବାବ ଦେବେ ବୋଲି ଚେତାବନୀ ଦେଇଛି ସଙ୍ଗଠନ। ଏସବୁ ପରେ ବି ଯୋଗାଣ ମନ୍ତ୍ରୀଙ୍କ ଚିରାଚରିତ ଉତ୍ତର ସମନ୍ୱୟ ବୈଠକ ହୋଇନି, ଆଗକୁ ହେବ।

ଏବେ ଆଳୁ ଉତ୍ପାଦନ ସମୟ ହୋଇଥିବା ବେଳେ, ଅନ୍ୟ କିଛି ଅତ୍ୟାବଶ୍ୟକ ପନିପରିବା ଉତ୍ପାଦନ ହେଉଛି। ଯାହାର ଅଭାବୀ ବିକ୍ରି ମଧ୍ୟ ଚାଲିଛି। କିନ୍ତୁ ଏସବୁର ବ୍ୟାପକ ଉତ୍ପାଦନ କିମ୍ବା ସଂରକ୍ଷଣ ପାଇଁ କୌଣସି ଉଦ୍ୟମ ହେଉ ନାହିଁ। ଯେଉଁଥି ପାଇଁ ଚଳିତ ବର୍ଷ ମଧ୍ୟ ଆଳୁଠୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀର ସଙ୍କଟ ପୁଣିଥରେ ଦେଖାଦେବାର ସମ୍ଭାବନା ରହିଛି।

ଆକାଶରୁ ଖସୁଛି ବଜ୍ର, ୬ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର

ନନ୍ଦିଘୋଷ ବ୍ୟୁରୋ : ସାବଧାନ ! ଆକାଶରୁ ଖସୁଛି ବଜ୍ର । ପ୍ରଚଣ୍ଡ ବିଜୁଳି ଘଡଘଡି ସହ ଝଡ ବର୍ଷା ନେଇ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପଡିବ ବଡ ପ୍ରଭାବ । ୨୪ ଘଣ୍ଟା ପର୍ଯ୍ୟନ୍ତ ୨୫ ଜିଲ୍ଲାକୁ ଆଲର୍ଟ । ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ଏବଂ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବ ପବନ । ୮ ଜିଲ୍ଲାରୁ ଅରେଞ୍ଜ, ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଜ୍ରପାତ ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।

ଗାଙ୍ଗେଟି ଓ୍ବେଷ୍ଟବେଙ୍ଗଲରୁ ଓଡ଼ିଶା ମଧ୍ୟ ଦେଇ ତେଲେଙ୍ଗାନା ପର୍ଯ୍ୟନ୍ତ ଲମ୍ବିଥିବା ନିମ୍ନ ଚାପରେଖା ପ୍ରଭାବରେ ରାଜ୍ୟରେ ପାଗ ବଦଳିବା ସହ ବଜ୍ରପାତ ଜାରି ରହିଛି । ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବଜ୍ରପାତକୁ ଦୃଷ୍ଟିରେ ରଖି ଏସ୍ଆରସି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କାଲି ସକାଳ ପର୍ଯ୍ୟନ୍ତ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ ଏବଂ ଯାଜପୁରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଘଡଘଡି ସହ କୁଆପଥର ବୃଷ୍ଟି ନେଇ ଚେତାବନୀ ଦିଆଯାଇଛି । ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ନେଇ ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ଝାରସୁଗୁଡା ଏବଂ ଦେବଗଡ଼କୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୨୨ ତାରିଖରେ ବାଲେଶ୍ବର, ଭଦ୍ରକ ଏବଂ ମୟୁରଭଞ୍ଜକୁ ବଜ୍ରପାତ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୨ ବର୍ଷ କୁନି ଭଉଣୀକୁ ବଞ୍ଚାଇଲା ୪ ବର୍ଷର ବଡ ଭଉଣୀ, ସଫଳ ହୋଇଛି ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟ

କଟକ : ରକ୍ତ କର୍କଟରେ ଆକ୍ରାନ୍ତ ଶିଶୁ ରୋଗୀଙ୍କ ପାଇଁ ନୂଆ ଆଶା ସୃଷ୍ଟି କରିଛି ଏସସିବି ହେମାଟୋଲୋଜି ବିଭାଗ | ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ୨ ବର୍ଷର ଶିଶୁ କନ୍ୟାର ବୋନ ମାରୋ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି । ଝାଡ଼ଖଣ୍ଡ ଧାନବାଦର ଏହି ଶିଶୁ ରୋଗୀଙ୍କ ଶରୀରରେ ନିଜ ୪ ବର୍ଷର ବଡଭଉଣୀର ଶରୀରରୁ ଷ୍ଟେମ୍ ସେଲ୍ ନିଆଯାଇ ପ୍ରତିରୋପଣ କରାଯାଇଛି । ଦୁଇ ଭଉଣୀ ଏବେ ସୁସ୍ଥ ଥିବାବେଳେ, ଥାଲାସେମିଆ, ରକ୍ତ ଶିକୁଳି, ରକ୍ତ କର୍କଟରେ ଆକ୍ରାନ୍ତ ଶିଶୁଙ୍କ ପାଇଁ ଏହା ନୂଆ ଆଶା ସଂଚାର କରିଛି।

ଝାଡ଼ଖଣ୍ଡ ଧାନବାଦ ଅଂଚଳର ଏହି ଶିଶୁ କନ୍ୟା ରକ୍ତ କର୍କଟ ରୋଗରେ ପୀଡିତ ହୋଇଥିଲେ । ତାଙ୍କ ଚିକିତ୍ସା ବେଳେ ବଡ ଭଉଣୀ ଠାରୁ ଅସ୍ଥିମଜ୍ଜା ନିଆଯାଇ ସଫଳତାର ସହ ପ୍ରତିରୋପଣ କରାଯାଇଛି । ଏସସିବି ହେମାଟୋଲୋଜି ବିଭାଗର ୧୨ ଜଣିଆ ଡାକ୍ତରୀ ଟିମ ସଫଳତାର ସହ ଏଭଳି ଶିଶୁ କନ୍ୟାର ଅସ୍ଥିମଜ୍ଜା ପ୍ରତିରୋପଣ କରିଛନ୍ତି। ଯାହା ରାଜ୍ୟରେ ପ୍ରଥମ ଘଟଣା। ଗତ ଫେବ୍ରୁଆରୀ ୬ ତାରିଖରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିବା ବେଳେ ଦୁଇ ଶିଶୁ କନ୍ୟା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଆଜି ସୁଦ୍ଧା ଏସ୍ସିବି ହେମାଟୋଲୋଜି ବିଭାଗରେ ୧୭୬ ଜଣଙ୍କଠାରେ ସଫଳତାର ସହ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଥିଲେ ବି ପ୍ରଥମ ଥର ଜଣେ ଶିଶୁର ଶରୀରରେ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି ।

ବୋକାରୋ, ଭିଲାଇ ପରେ ଗତବର୍ଷ ଜୁଲାଇ ମାସରେ ଝାଡ଼ଖଣ୍ଡ ଧାନବାଦର ସାରୁଖ ଅନ୍ସାରି ତାଙ୍କ ୨ବର୍ଷର ଝିଅର ଚିକିତ୍ସା ପାଇଁ ଜାମ୍ସେଦ୍ପୁରସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ହିଁ ତାଙ୍କର ଜଟିଳ ରକ୍ତ କର୍କଟ ରୋଗ ଚିହ୍ନଟ ହୋଇଥିଲା । ଡାକ୍ତର ତାଙ୍କୁ ଅସ୍ଥିମଜ୍ଜା ପ୍ରତିରୋପଣ ପାଇଁ ପରାମର୍ଶ ଦେଇଥିଲେ । ତେବେ ସେଠାରେ ଏହି ଚିକିତ୍ସା ଉପଲବ୍ଧ ନଥିବାରୁ ତାଙ୍କୁ ଅନ୍ୟତ୍ର ଯିବାକୁ କୁହା ଯାଇଥିଲା । ଚିକିତ୍ସା ପାଇଁ ୩୦ରୁ ୪୦ଲକ୍ଷ ଟଙ୍କା ଆବଶ୍ୟକ ଥିବା ବେଳେ ଏତେ ବ୍ୟୟବହୁଳ ଚିକିତ୍ସା ପାଇଁ ପରିବାର ପାଖରେ ଅର୍ଥ ବାଧକ ସାଜିଥିଲା । ଶେଷରେ ବିଭିନ୍ନ ସୂତ୍ରରୁ ସୂଚନା ପାଇ ପରିବାର ଲୋକେ ଝିଅକୁ ଧରି କଟକ ବଡ଼ଡାକ୍ତରଖାନା ପହଞ୍ଚିଥିଲେ। ଏସସିବିରେ ଜାନୁଆରୀ ୭ ତାରିଖରେ ୨ବର୍ଷର ଶିଶୁକୁ ଭର୍ତ୍ତି କରାଯାଇ ଚିକିତ୍ସା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଗତ ୬ ତାରିଖରେ ନିଜ ୪ ବର୍ଷର ବଡ଼ ଭଉଣୀର ଷ୍ଟେମ ସେଲ ନିଆଯାଇ ବୋନ ମାରୋ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। ନିଜ ଝିଅର ଜୀବନ ବଞ୍ଚିଯାଇ ଥିବାରୁ ପରିବାର ଲୋକେ ଏସସିବି କର୍ତ୍ତୃପକ୍ଷ ଓ ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ପାଓ୍ୱାରଲିପ୍ଟଙ୍ଗ କରିବା ବେଳେ ଚାଲିଗଲା ନ୍ୟାସନାଲ ଗୋଲ୍ଡ ମେଡାଲିଷ୍ଟ ଭାରୋତ୍ତୋଳକଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ : ଜିମରେ ପାଓ୍ୱାରଲିପ୍ଟିଙ୍ଗ ନେଲା ଭାର ଉତ୍ତୋଳକଙ୍କ ଜୀବନ । ୨୭୦କେଜିର ରର୍ଡ ପଡିପଡି ବେକ ଭାଙ୍ଗିଯିବାରୁ ମହିଳା ପାଓ୍ୱାରଲିପ୍ଟିରଙ୍କ ମୃତ୍ୟୁ ଘଟିଛି । ନିକଟରେ ରାଜସ୍ଥାନର ବିକାନେର ଜିଲ୍ଲାରେ ଜଣେ କନିଷ୍ଠ ଜାତୀୟ ସ୍ୱର୍ଣ୍ଣ ପଦକ ବିଜେତା ଭାରତ୍ତୋଳନକାରୀଙ୍କ ମୃତ୍ୟୁ ହୋଇଛି । ଜିମରେ ସେ ଅଭ୍ୟାସ କରୁଥିବା ବେଳେ ଏହି ଘଟଣା ଘଟିଛି। ମଙ୍ଗଳବାର ଦିନ ଏହି ଘଟଣା ଘଟିଥିବା କହିଛି ପୁଲିସ। ମୃତ ପାଓ୍ୱାରଲିପ୍ଟିର ହେଉଛନ୍ତି ୧୭ବର୍ଷୀୟ ୟସ୍ତିକା ଆଚାର୍ଯ୍ୟ ।

ପୋଲିସର ସୂଚନା ଅନୁଯାୟୀ, ଜୁନିଅର ନ୍ୟାସନାଲ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପାୱାରଲିଫ୍ଟର ୟସ୍ତିକାଙ୍କ ମୃତ୍ୟୁ ହୋଇଛି । ଅଭ୍ୟାସ ସମୟରେ ତାଙ୍କ ବେକରେ ୨୭୦ କିଲୋଗ୍ରାମ ରଡ୍ ପଡ଼ିଯିବାରୁ ତାଙ୍କର ବେକ ଭାଙ୍ଗି ଯାଇଥିଲା। ଦୁର୍ଘଟଣା ପରେ ତୁରନ୍ତ ଆଚାର୍ଯ୍ୟଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କୁହାଯାଉଛି ଯେ, ପ୍ରଶିକ୍ଷକ ଯେତେବେଳେ ଯସ୍ତିକାଙ୍କୁ ଜିମ୍‌ରେ ୨୭୦କେଜିର ରଡ୍ ଉଠାଇବାକୁ ସାହାଯ୍ୟ କରୁଥିଲେ ସେତେବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ପ୍ରଶିକ୍ଷକ ମଧ୍ୟ ସାମାନ୍ୟ ଆଘାତ ପାଇଥିଲେ। ତେବେ ପରିବାର ପକ୍ଷରୁ ଏ ଘଟଣାକୁ ନେଇ କୌଣସି ମାମଲା ରୁଜୁ କରାଯାଇନଥିଲା ବେଳେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ

ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ । ମୁମ୍ବାଇର ଗୋରେଗାଓଁ ପୋଲିସକୁ ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ ଏକ ଇମେଲ ମିଳିଥିଲା, ଯେଉଁଥିରେ ଶିବସେନା ମୁଖ୍ୟଙ୍କ କାରକୁ ବୋମା ମାଡ଼ କରିବାକୁ ଧମକ ଦିଆଯାଇଥିଲା। ଧମକପୂର୍ଣ୍ଣ ଇମେଲ ଗୋରେଗାଓଁ ଏବଂ ଜେଜେ ମାର୍ଗ ପୋଲିସ ଷ୍ଟେଶନ ଏବଂ ମନ୍ତ୍ରଣାଳୟକୁ ପଠାଯାଇଥିଲା।

ଇମେଲ ପାଇବା ପରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ସତର୍କ ହୋଇ ଯାଇଛନ୍ତି। କ୍ରାଇମବ୍ରାଞ୍ଚ ସମେତ ସମସ୍ତ ଏଜେନ୍ସି ତଦନ୍ତରେ ନିୟୋଜିତ ଅଛନ୍ତି। ଧମକ ପରେ, ମୁମ୍ବାଇ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛନ୍ତି। ଅଧିକାରୀମାନେ ଧମକ ପଠାଇବା ପାଇଁ ବ୍ୟବହୃତ ଇମେଲ ଆଇଡିର IP ଠିକଣାକୁ ଟ୍ରେସ କରୁଛନ୍ତି।

ସେପଟେ ଶିନ୍ଦେଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ଅଧିକାରୀମାନେ ଏହି ମାମଲାକୁ ଗମ୍ଭୀରତାର ସହ ନେଉଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ରାଜନୈତିକ ନେତାମାନଙ୍କୁ ଧମକପୂର୍ଣ୍ଣ କଲ ଏବଂ ଇମେଲ ମିଳିବା ଘଟଣା ସାମ୍ନାକୁ ଆସିଛି। ଏହା ପୂର୍ବରୁ, ଜାନୁଆରୀ ୨୦୨୫ରେ, ହିତେଶ ପ୍ରକାଶ ଧେଣ୍ଡେ ନାମକ ଜଣେ ୨୪ ବର୍ଷୀୟ ଯୁବକ ସୋସିଆଲ ମିଡିଆରେ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ ଦେଇଥିଲେ ।

ଏହି ଘଟଣା ପରେ, ଥାଣେର ଶ୍ରୀନଗର ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ କରାଯାଇଥିଲା ଯେଉଁଥିରେ ପୋଲିସ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏହି ମାମଲାରେ, ଥାନେ ଡିସିପି ପ୍ରଶାନ୍ତ କଦମ କହିଛନ୍ତି, ‘ଅଭିଯୁକ୍ତ ଜଣକ ତାଙ୍କ ବନ୍ଧୁଙ୍କ ମୋବାଇଲ ଫୋନ ବ୍ୟବହାର କରି ଇନଷ୍ଟାଗ୍ରାମରେ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବିରୋଧରେ ଏକ ଧମକପୂର୍ଣ୍ଣ ଭିଡିଓ ପୋଷ୍ଟ କରିଥିଲେ।’ ଏହାକୁ ନେଇ ଶ୍ରୀନଗରରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି।