spot_img
Home Blog Page 1119

ଟିମ୍ ହାରୁଛି ଦେଖି ଷ୍ଟାଡିୟମରେ ଚୁପଚାପ ଭାରତୀୟ ଜର୍ସି ପିନ୍ଧିଲେ ପାକିସ୍ତାନୀ ଫ୍ୟାନ୍

ନନ୍ଦିଘୋଷ ବ୍ୟୁରୋ: ବହୁ ଅପେକ୍ଷାର ଅନ୍ତ ଘଟିଛି  । ଶେଷରେ ପାକିସ୍ତାନ ବିପକ୍ଷରେ ଭାରତୀୟ ଦଳ ବିଜୟର ମୁକୁଟ ପିନ୍ଧିଛି । ଚମ୍ପିୟାନ୍ସ ଟ୍ରଫିରେ ଭାରତ ବିପକ୍ଷରେ ପାକିସ୍ତାନକୁ ପରାଜୟର ସ୍ବାଦ ଚାଖିବାକୁ ପଡିଛି । ଟିମ ଇଣ୍ଡିଆ ପାକିସ୍ତାନକୁ ୬ଓ୍ବିକେଟରେ ପରାସ୍ତ କରି ସେମିଫାଇନାଲ ରାସ୍ତାକୁ ସଫା କରିଦେଇଛି । ତେବେ ପାକିସ୍ତାନ ପରାସ୍ତ ହେବା ପରେ ପାକିସ୍ତାନ ପ୍ରଶଂସକଙ୍କର ହୃଦୟ ଭାଙ୍ଗିଯାଇଛି । ଷ୍ଟାଡିୟମରେ ନିରାଶ ଚେହେରା ସହିତ ସୋସିଆଲ ମିଡିଆର ସମାଲୋଚନା ଦେଖିଲେ ଜଣାପଡୁଛି କି ପାକିସ୍ତାନକୁ ଏକ ବଡ ଝଟକା ଲାଗିଛି  । ଗତକାଲି ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ୨୪୧ରନ କରି ଅଲଆଉଟ ହୋଇଯାଇଥିଲା । ଟିମ୍ ଇଣ୍ଡିଆ ଆଗରେ ଟାର୍ଗେଟ ଥିଲା ୨୪୨ ରନ୍। ବିରାଟ କୋହଲିଙ୍କ ନଟ୍ ଆଉଟ୍ ସେଞ୍ଚୁରି ବଳରେ ଏହି ଲକ୍ଷ୍ୟକୁ ଟିମ୍ ସହଜରେ ହାସଲ କରିନେଇଥିଲା।

https://twitter.com/i/status/1893849986644791551

ତେବେ ମ୍ୟାଚ ଚାଲିଥିବା ଭିତରେ ଷ୍ଟାଡିୟମରେ କିଛି ମଜାଦାର ଜିନିଷ ଦେଖିବାକୁ ମିଳିଥିଲା । କିଛି ସ୍ଥାନରେ ପାକିସ୍ତାନୀ ପ୍ରଶଂସକଙ୍କ ଆଖିରେ ଲୁହ ଥିବା ବେଳେ କିଛି ପ୍ରଶଂସକ ପାକିସ୍ତାନ ପ୍ରଶଂସକରୁ ଭାରତର ପ୍ରଶଂସକ ପାଲଟିଯାଇଥିଲେ । ଷ୍ଟାଡିୟମରୁ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ପାକିସ୍ତାନୀ ପ୍ରଶଂସକ ନିଜ ଜର୍ସି ବଦଳାଇଥିବାର ଦେଖିବାକୁ ମିଳୁଛି । ମ୍ୟାଚ ଆରମ୍ଭରେ ସେମାନେ ପାକିସ୍ତାନୀ ଜର୍ସି ପିନ୍ଧିଥିଲେ କିନ୍ତୁ ଯେତେବେଳେ ପାକିସ୍ତାନ ହାରିବାକୁ ଲାଗିଥିଲେ ସେତେବେଳେ ସେମାନେ ଚୁପଚାପ ଭାରତୀୟ ଜର୍ସି ପିନ୍ଧିଥିଲେ । ଏହାକୁ ଦେଖି ଅନ୍ୟମାନେ ହସିବା ସହିତ ସମାଲୋଚନା କରିଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଜୋରଦାର ଭାଇରାଲ ହେଉଥିବା ବେଳେ ୟୁଜରର୍ସ ମାନେ ବିଭିନ୍ନ କମେଣ୍ଟ ଦେଉଛନ୍ତି ।

ଟିମ ଇଣ୍ଡିଆର ବିଜୟ ସହିତ ଭାରତର ସେମିଫାଇନାଲ ଟିକଟ ଏକ ରକମର ପକ୍କା ହୋଇଥିବା ବେଳେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବାର ଆଶଙ୍କା ଦେଖାଦେଇଛି। ନିଜର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ଭାରତ ହରାଇଥିବା ବେଳେ ମାର୍ଚ୍ଚ ୨ରେ ନ୍ଯୁଜିଲାଣ୍ଡ ସହିତ ଶେଷ ଲିଗ୍ ମ୍ୟାଚ ।

ମହାକୁମ୍ଭରେ ପହଞ୍ଚିଲେ ଅକ୍ଷୟ କୁମାର, ସୁପରଷ୍ଟାରଙ୍କୁ ଦେଖିବାକୁ ଲାଗିଲା ଭିଡ଼…

ନନ୍ଦିଘୋଷ ବ୍ୟୁରୋ:  ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମହାକୁମ୍ଭ ରେ ପ୍ରତିଦିନ ପ୍ରତିଦିନ ବୁଡ଼ ପକାଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ… । ସାଧାରଣା ଲୋକଙ୍କ ଠୁ ଆରମ୍ଭ କରି ସେଲିବ୍ରେଟି, ବଡ଼ ବଡ଼ ନେତା ଙ୍କ ସୁଅ ଛୁଟୁଛି  । ତେବେ ଏହାରି ମଧ୍ୟରେ ବଲିଉଡ଼ ସୁପରଷ୍ଟାର ଖିଲାଡ଼ି ବୟେ ଅକ୍ଷୟ କୁମାର ମହାକୁମ୍ଭରେ ପହଞ୍ଚି ସଙ୍ଗମରେ ବୁଡ଼ ପକାଇଛନ୍ତି ।

ଅକ୍ଷୟ କୁମାର ପ୍ରୟାଗରାଜରେ ପହଞ୍ଚିଛନ୍ତି ଏବଂ ମହାକୁମ୍ଭର ତାଙ୍କର କିଛି ଝଲକ ସାମ୍ନାକୁ ଆସିଛି। ଏହି ଭିଡିଓରେ, ଅକ୍ଷୟ ଏକ ବିଶାଳ ଭିଡ଼ ମଧ୍ୟରେ ଭକ୍ତିରେ ବୁଡ଼ି ରହିଥିବାର ଦେଖାଯାଉଛି। ସେହି ସମୟରେ, ତାଙ୍କ ଚାରିପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଦୃଶ୍ୟମାନ ହେଉଛି। ଏହି ଭିଡିଓରେ ଅକ୍ଷୟ କୁମାର ପୂଜା କରୁଥିବାର ଦେଖାଯାଉଛି, ଯେଉଁଠାରେ ତାଙ୍କ ଚାରିପାଖରେ ଠିଆ ହୋଇଥିବା ଲୋକମାନେ ତାଙ୍କର ଏକ ଝଲକ ପାଇବାକୁ ଅପେକ୍ଷା କରିଥିବାର ଦେଖାଦେଇଛି। ଆପଣଙ୍କୁ କହିରଖୁଛୁ ଯେ ଆଜି, ୨୪ ଫେବୃଆରୀ, ମହାକୁମ୍ଭର ୪୩ତମ ଦିନ ଏବଂ ଏହା ଦୁଇ ଦିନ ପରେ ଶେଷ ହେବାକୁ ଯାଉଛି। ଗତ ଦୁଇ ଦିନ ମଧ୍ୟରେ ଏଠାରେ ଭିଡ଼ ବହୁତ ବଢ଼ିଯାଇଛି ଏବଂ କୋଟି କୋଟି ଲୋକ ପ୍ରୟାଗରାଜ ଆଡକୁ ଯାଉଛନ୍ତି।

ମହାକୁମ୍ଭ ସମୟରେ ପବିତ୍ର ବୁଡ଼ ପକାଇବା ପାଇଁ ଦେଶ ଏବଂ ବିଶ୍ୱରୁ କୋଟି କୋଟି ଲୋକ ପହଞ୍ଚିଛନ୍ତି ଏବଂ ବାକି ଦୁଇ ଦିନରେ ବହୁ ସଂଖ୍ୟକ ଲୋକ ପହଞ୍ଚିବାର ଆଶା କରାଯାଉଛି। ସାଧାରଣ ଜନତାଙ୍କ ସହିତ, ଚଳଚ୍ଚିତ୍ର ଏବଂ ଟିଭି ତାରକାମାନେ ମଧ୍ୟ ଏହି ମହାନ ଉତ୍ସବରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ ।

ଆପଣଙ୍କୁ କହି ରଖୁଛୁ ଯେ ଏପର୍ଯ୍ୟନ୍ତ ଅନେକ ବଲିଉଡ ଷ୍ଟାର ‘ମହାକୁମ୍ଭ ୨୦୨୫’ରେ ଅଂଶଗ୍ରହଣ କରିଛନ୍ତି, ଯେଉଁଥିରେ ଅଦା ଶର୍ମା, ଅନୁପମ ଖେର, ବୋନି କପୁର, ମିଲିନ୍ଦ ସୋମନ, କବୀର ଖାନ, ରେମୋ ଡିସୁଜା, ହେମାମାଳିନି, ଗୁରୁ ରନ୍ଧାୱା, ସପନା ଚୌଧୁରୀ, ମମତା କୁଲକର୍ଣ୍ଣୀ, ନୀନା ଗୁପ୍ତା, ରାଜକୁମାର ରାଓ, ସୁନୀଲ ଶେଟ୍ଟୀ, ସୋନାଲ ଚୌହାନ, ଶ୍ରୀନିଧି ଶେଟ୍ଟୀ, ତନିଶା ମୁଖାର୍ଜୀଙ୍କ ଭଳି ଷ୍ଟାରମାନେ ସାମିଲ ଅଛନ୍ତି।

୨୮ରେ ପୋଲାଭରମ ଆନ୍ଦୋଳନ ; କେନ୍ଦ୍ରର ଭୁଲ ନିଷ୍ପତି ପାଇଁ ମାଲକାନଗିରି ବୁଡ଼ିବ

ଭୁବନେଶ୍ବର: ଆସନ୍ତା ୨୮ ତାରିଖରେ ବିଜେଡିର ପୋଲାଭରମ ଆନ୍ଦୋଳନ। ଦଳ ଅଭିଯୋଗ କରିଛିି,ଏହି ପ୍ରକଳ୍ପ ନେଇ କେନ୍ଦ୍ର ସରକାର ଆନ୍ଧ୍ରକୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି। କିନ୍ତୁ ଓଡି଼ଶାର କେତେ ଯେ କ୍ଷତି ହେଉଛି, ତାକୁ ଦେଖୁନାହାନ୍ତି। କେନ୍ଦ୍ରର ଭୁଲ ନିଷ୍ପତ୍ତି ଯୋଗୁଁ ମାଲକାନଗିରିର ଜିଲ୍ଲାର ବହୁ ଅଞ୍ଚଳ ବୁଡ଼ିଯିବ। ପୋଲାଭରମର ଉଚ୍ଚତା ବୃଦ୍ଧି କରାଯାଉଥିବାରୁ ଓଡ଼ିଶାର ବହୁତ କ୍ଷତି ହେବ । ତେଣୁ ମାଲକାନଗିରି ଓ ଓଡ଼ିଶାବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ ଆନ୍ଦୋଳନ କରିବ ବୋଲି କହିଛି ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ।

ସେପଟେ ଧ୍ରୁବ ସାହୁ ପ୍ରଶ୍ନ କରିଛନ୍ତି ପୋଲାଭରମ ନେଇ ରାଜ୍ୟ ସରକାର ଓ ବିଜେପିର ୨୦ ସାଂସଦ ଚୁପ୍ କାହିଁକି ? ଡବଲ ଇଞ୍ଜିନ ସରକାର ଓଡ଼ିଶାର ଲାଭ ନୁହେଁ, କ୍ଷତି କରୁଛି । ଓଡ଼ିଶାର ସ୍ବାର୍ଥକୁ ଅଣଦେଖା କରାଯାଉଛି ବୋଲି କହିଛନ୍ତି ଧୃବ ସାହୁ କହିଛନ୍ତି । ସେପଟେ କଂଗ୍ରେସ ବିଧାୟକ ଅଶୋକ ଦାସ ଅଭିଯୋଗ କରିଛନ୍ତି ଦିଲ୍ଲୀ ଚୌକି ପାଇଁ ଓଡ଼ିଶାକୁ ବୁଡ଼ାଉଛି ବିଜେପି । ପୋଲାଭରମ୍ ପାଇଁ ଆନ୍ଧ୍ରକୁ କେନ୍ଦ୍ର ସରକାର ଅନୁଦାନ ଦେଇ ଓଡ଼ିଶାର କ୍ଷତି କରିଛି ।

ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନାଗିରି ବୁଡ଼ିଯିବ। ଏହାକୁ ଆମେ ବିରୋଧ କରୁଛୁ । ଏହା ସତ୍ତ୍ଵେ ସରକାର କିଛି ଶୁଣୁ ନାହାନ୍ତି । ଲୋକମାନେ ବିଜେପିକୁ ଜବାବ ଦେବେ ବୋଲି କହିଛନ୍ତି ଅଶୋକ ଦାସ । କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି,ଯଦି ପୋଲାଭରମ ପାଇଁ ନବୀନ ପଟ୍ଟନାୟକ ଆନ୍ଦୋଳନ କରିବେ, ମୁଁ ସମର୍ଥନ କରିବି । ବିଜେପିର ୨୦ ସାଂସଦ ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ତାରା ।

ବିବାଦରେ ଛନ୍ଦି ହୋଇଛନ୍ତି ଗାୟକ ଉଦିତ୍ ନାରାୟଣ, ମାମଲା ରୁଜୁ କଲେ ପ୍ରଥମ ପତ୍ନୀ

ନନ୍ଦିଘୋଷ ବ୍ୟୁରେ:  ପୁଣି ବିବାଦ ଘେରରେ ବଲିଉଡ଼ର ସୁପରହିଟ୍ ସିଙ୍ଗର ଉଦିତ୍ ନାରାୟଣ । ଏବେ କିଛି ଦିନ ହେବ ଗଣମାଧ୍ୟମର ହିଟ୍ ଲିଷ୍ଟରେ ରହି ଆସୁଛନ୍ତି ଉଦିତ୍ । ଆଇନଗତ ବିବାଦରେ ଫସିଛନ୍ତି ଉଦିତ୍ ।ଗାୟକ ଉଦିତ ନାରାୟଣଙ୍କ ପ୍ରଥମ ପତ୍ନୀ ରଞ୍ଜନା ଝା ତାଙ୍କ ବିରୋଧରେ ଭରଣପୋଷଣ ମାମଲା ଦାୟର କରିଛନ୍ତି। ସେ ସେମାନଙ୍କ ଉପରେ ତାଙ୍କର ଅଧିକାର ଉଲ୍ଲଂଘନ ଏବଂ ତାଙ୍କ ସମ୍ପତ୍ତି ହଡ଼ପ କରିବାର ଅଭିଯୋଗ ଆଣିଛନ୍ତି।

ଏହି ମାମଲାରେ, ସେ ଶୁକ୍ରବାର, ଫେବୃଆରୀ ୨୧ ତାରିଖରେ ସୁପୌଲ ପରିବାର କୋର୍ଟରେ ହାଜର ହୋଇଥିଲେ । ରିପୋର୍ଟ  ଅନୁଯାୟୀ, ନାରାୟଣ ରଞ୍ଜନା ଝା ତାଙ୍କଠାରୁ ଟଙ୍କା ଆଦାୟ କରିବାକୁ ଚେଷ୍ଟା କରୁଥିବାର ଅଭିଯୋଗ କରିଛନ୍ତି। ପୂର୍ବରୁ ତାଙ୍କ ବିରୋଧରେ ବିହାର ମହିଳା କମିଶନରେ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା, କିନ୍ତୁ ସେତେବେଳେ ଦୁଇ ପକ୍ଷ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା।ରିପୋର୍ଟରେ କରାଯାଇଥିବା ଦାବି ମୁତାବକ, ଉଦିତ ନାରାୟଣ ପୂର୍ବରୁ ତାଙ୍କ ପ୍ରଥମ ପତ୍ନୀ ରଞ୍ଜନାଙ୍କୁ ପ୍ରତିମାସରେ ୧୫,୦୦୦ ଟଙ୍କା ଦେଉଥିଲେ, ଯାହାକୁ ପରେ ୨୦୨୧ ମସିହାରେ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ସେ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଚାଷ ପାଇଁ ଜମି ଏବଂ ୧ କୋଟି ଟଙ୍କାର ଏକ ଘର ମଧ୍ୟ ଦେଇଥିଲେ।

ଉଦିତ ନାରାୟଣଙ୍କ ପ୍ରଥମ ପତ୍ନୀ ତାଙ୍କ ସହିତ ରହିବାକୁ ଚାହୁଁଥିଲେ:
ବୟସ ବୃଦ୍ଧି ଏବଂ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ରଞ୍ଜନା ତାଙ୍କ ଓକିଲଙ୍କ ମାଧ୍ୟମରେ ଉଦିତଙ୍କ ସହିତ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେ କହିଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କ ସହିତ ତାଙ୍କ ଜୀବନର ବାକି ସମୟ ବିତାଇବାକୁ ଚାହାଁନ୍ତି।  ଶୁଣାଣି ପରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ରଞ୍ଜନା କହିଥିଲେ ଯେ ଗାୟକ ତାଙ୍କୁ ଅଣଦେଖା କରିଥିଲେ ଏବଂ ଜମି ବିକ୍ରୟରୁ ପାଇଥିବା ୧୮ ଲକ୍ଷ ଟଙ୍କା ନିଜ ପାଇଁ ରଖିଥିଲେ। ଏହା ବ୍ୟତୀତ ସେ ଏହା ମଧ୍ୟ କହିଥିଲେ ଯେ ଯେତେବେଳେ ସେ ମୁମ୍ବାଇ ଯାଆନ୍ତି, ତାଙ୍କ ପଛରେ ଗୁଣ୍ଡା ପଠାଯାଏ।

ରଞ୍ଜନା ନିଜ ଅଧିକାର ପାଇଁ ଲଢ଼େଇ ଜାରି ରଖିଥିଲେ:
ଉଦିତ ୧୯୮୪ ମସିହାରେ ରଞ୍ଜନାଙ୍କୁ ବିବାହ କରିଥିଲେ। ଉଦିତ୍  ସଫଳତା ପାଇବା ପରେ ରଞ୍ଜନାଙ୍କୁ  ଛାଡ଼ି ଦେଇଥିଲେ ଏବଂ ଦିତ୍ବୀୟ ବିବାହ କରିଥିଲେ । ରଞ୍ଜନା ତାଙ୍କ ଅଧିକାର ପାଇଁ ଲଢ଼ିବା ଜାରି ରଖିଥିବା ବେଳେ ଊଦିତ ପତ୍ନୀ ଭାବରେ ଗ୍ରହଣ କରିବାକୁ ମଧ୍ୟ ମନା କରିଦେଇଥିଲେ। ପରେ, ୨୦୦୬ ମସିହାରେ, ରଞ୍ଜନା ମହିଳା କମିଶନଙ୍କଠାରୁ ସାହାଯ୍ୟ ମାଗିଥିଲେ, ଯାହା ପରେ ଗାୟକ ତାଙ୍କୁ ଏକ ଫ୍ଲାଟ ଏବଂ ଅନ୍ୟାନ୍ୟ ସାହାଯ୍ୟର ପ୍ରତିଶ୍ରୁତି ଦେଇଥିଲେ,  ମାତ୍ର ପରବର୍ତ୍ତୀ ସମୟରେ  ସେ ପଛକୁ ହଟିଯାଇଥିଲେ ।

ତେବେ ଏସବୁ ମାମଲାକୁ ଦେଇ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଉଦିତ୍ ନାରାୟଣଙ୍କ ପ୍ରଥମ ପତ୍ନୀ ରଞ୍ଜନା ଝା ।

ଉଦିତ ନାରାୟଣଙ୍କ ଚୁମ୍ବନ ବିବାଦ:
ଆପଣଙ୍କୁ କହିରଖୁଛୁ ଯେ, ଉଦିତ ନାରାୟଣ ବହୁତ ଦିନ ଧରି ଚର୍ଚ୍ଚାରେ ଅଛନ୍ତି ଏବଂ ଏହା ସବୁ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଉଦିତ ତାଙ୍କ ମହିଳା ପ୍ରଶଂସକଙ୍କୁ ଓଠରେ ଚୁମ୍ବନ ଦେଉଥିବାର ଦେଖାଯାଇଥିଲା, ଯିଏ ତାଙ୍କ ଲାଇଭ୍ ପ୍ରଦର୍ଶନ ସମୟରେ ସେଲଫି ପାଇଁ ତାଙ୍କ ପାଖକୁ ଆସିଥିଲେ। ସେହି ଭିଡିଓରେ, ଉଦିତ ନାରାୟଣ ଅକ୍ଷୟ କୁମାର ଏବଂ ରବିନା ଟଣ୍ଡନଙ୍କ ଫିଲ୍ମ ମୋହରାରୁ ଟିପ୍ ଟିପ୍ ବରସା ପାନି ଗାଉଥିଲେ। ଭିଡିଓଟି ସୋସିଆଲ ମିଡିଆରେ ସେୟାର କରାଯାଇଥିଲା ଏବଂ ଉଦିତଙ୍କୁ ତାଙ୍କ ଆଚରଣ ପାଇଁ ବହୁତ ଟ୍ରୋଲିଂର ସମ୍ମୁଖୀନ ହେବାକୁ ପଡିଥିଲା।

 

ବିତୁଛି ସମୟ ବଢୁଛି ଆଶଙ୍କା, ଟନେଲ ଭିତରୁ ଆସୁନି କୌଣସି ଶବ୍ଦ

ନନ୍ଦିଘୋଷ ବ୍ୟୁରୋ: ସମୟ ବିତିବା ସହିତ ବଢୁଛି ଆଶଙ୍କା । ତେଲେଙ୍ଗାନା ଶ୍ରୀସାଇଲମ୍ କେନାଲର ଟନେଲରେ ଫସିଥିବା ୮ ଜଣ ବଞ୍ଚିଥିବାର ସମ୍ଭାବନା କ୍ଷୀଣ ହେବାରେ ଲାଗିଛି। ଟନେଲ ଭିତରୁ କୌଣସି ସୋର୍ ଶବ୍ଦ ଆସୁନାହିଁ କିମ୍ଵା କିଛି ଜଣାପଡୁନାହିଁ। ତେଣୁ ଟନେଲ ଭିତରେ ଫସିଥିବା ଲୋକଙ୍କ ମୃତ୍ୟୁ ହୋଇଯାଇଥାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହା ସତ୍ତ୍ଵେ ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ସିଲକିୟାରା ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।

୨୦୨୩ ଉତ୍ତରାଖଣ୍ଡର ଏକ ଟନେଲରେ ଏପରି କିଛି ଲୋକେ ଫସିଥିବା ବେଳେ ସେହି ଉଦ୍ଧାର କାର୍ଯ୍ୟରେ ଏହି ଟିମ୍ ନିୟୋଜିତ ହୋଇଥିଲା। ସେହି ଟିମ୍ ଶ୍ରୀସାଇଲମ୍ ଟନେଲ ଅପରେସନରେ ଲାଗିଛି। ରେଟ୍ ମାଇନର୍ ମଧ୍ୟ କାମରେ ଲାଗିଛନ୍ତି। ଏଣ୍ଡୋସ୍କୋପିକ୍ ଓ ରୋବୋଟିକ୍ କ୍ୟାମେରା ମଧ୍ୟ ଅଣାଯାଇଛି । ରେସ୍କ୍ୟେୁ ଅପରେସନରେ ସାମିଲ ହୋଇଛନ୍ତି ଏନଡିଆରଏଫ୍, ଏସଡିଆରଏଫ୍ ଓ ଏସସିସିଏଲର ଟିମ୍ । ଟନେଲ ଭିତରକୁ ବିଦ୍ଯୁତ ଯୋଗାଣ କରାଯାଇଛି ।

ଅତ୍ୟାଧୁନିକ ମେସିନ ମଧ୍ୟ ଲଗାଯାଇଛି । ଭୁଶୁଡିଥିବା ସ୍ଥଳରୁ ୨୦୦ ମିଟର ଦୂରରେ ଶ୍ରମିକମାନେ ଥିବା ସୂଚନା ମିଳିଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ନିଜେ ଘଟଣାର ତଦାରଖ କରୁଛନ୍ତି । ଦୁଇ ଦିନ ତଳେ ନିର୍ମାଣାଧୀନ ଟନେଲର ଛାତରୁ କଂଙ୍କ୍ରିଟ ଖସିବାରୁ ଭିତରେ ୮ ଜଣ ରହିଯାଇଛନ୍ତି । ନଗର କୁୁର୍ନଲ ଜିଲ୍ଲାର ଦୋମାଲାପେଣ୍ଟାରେ ଏହି ଅଘଟଣ ଘଟିଛି । ଟନେଲ ଭିତରକୁ କାମ କରିବା ଲାଗି ୫୦ ଶ୍ରମିକ ଯାଇଥିଲେ । ସାଢେ ୧୩ କିଲୋମିଟର ଦୂର ଯାଏ ସେମାନେ ଟନେଲ ଭିତରକୁ ଯାଇଥିଲେ । ୪୨ ଜଣ ପଦାକୁ ବାହାରିବାକୁ ସକ୍ଷମ ହୋଇଥିଲେ । ୮ ଜଣ ରହି ଯାଇଛନ୍ତି ।

ପାକିସ୍ତାନୀ ଖେଳାଳୀଙ୍କ ଟାଇମ୍ ଖରାପ କରିବାକୁ ୭ କୋଟିର ଘଣ୍ଟା ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ ହାର୍ଦ୍ଦିକ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ବିପକ୍ଷରେ ଭାରତର ଚମତ୍କାର ବିଜୟ ପରେ ସବୁ ଶ୍ରେୟ ବିରାଟ କୋହଲିଙ୍କୁ ଯାଉଛି । କିନ୍ତୁ ତାଙ୍କର ୧୦୦ ରନର ଅପରାଜିତ ଇନିଂସ ବ୍ୟତୀତ, ପାକିସ୍ତାନକୁ ପରାଜୟ କରିବାର ଅନେକ କାରଣ ରହିଛି । ୮ ଓଭରରେ ମାତ୍ର ୩୧ ରନ ଦେଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । ବାବର ଆଜମଙ୍କୁ ଆଉଟ୍ କରିବା ପରେ ଯେତେବେଳେ ସେ ଭାରତର ପ୍ରଥମ ୱିକେଟ୍ ନେଇ ସେଲିବ୍ରେଶନ କରୁଥିଲେ, ସେତେବେଳେ ସାରା ବିଶ୍ୱର ଧ୍ୟାନ ତାଙ୍କ ହାତରେ ବନ୍ଧା ହୋଇଥିବା ଏକ ବିଳାସପୂର୍ଣ୍ଣ ଘଣ୍ଟା ଉପରେ ପଡ଼ିଥିଲା।

ହାର୍ଦ୍ଦିକ ପାଣ୍ଡ୍ୟା କେଉଁ ଘଣ୍ଟା ପିନ୍ଧିଥିଲେ ?
ହାର୍ଦ୍ଦିକ ପାଣ୍ଡ୍ୟା ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀ ନେଇ ସବୁବେଳେ ଚର୍ଚ୍ଚିତ ରହିଥାଆନ୍ତି । ଘଣ୍ଟାର ସୌକିନ ଥିବା ହାର୍ଦ୍ଦିକଙ୍କ ପାଖରେ ବିଭିନ୍ନ ଧରଣର ଘଣ୍ଟା କଲେକ୍ସନ ରହିଛି। ସେଥିମଧ୍ୟରୁ ଚାମ୍ପିଅନ୍ସ ଟ୍ରଫିରେ ସେ ରିଚାର୍ଡ ମିଲେ RM27-02 CA FQ ଟୁରବିଲନ୍ ରାଫେଲ୍ ନାଡାଲ୍ ସ୍କେଲିଟନ୍ ଡାଏଲ୍ ଏଡିସନ୍ ପିନ୍ଧିଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ମଡେଲର କେବଳ ୫୦ଟି ଘଣ୍ଟା ତିଆରି ହୋଇଥିବା ବେଳେ ଏହା ଟେନିସ୍ କିମ୍ବଦନ୍ତୀ ରାଫେଲ୍ ନାଡାଲଙ୍କ ପାଇଁ ତିଆରି କରାଯାଇଥିଲା ।
ଘଣ୍ଟାଟିର ଦାମ୍ କେତେ?
ରିଚାର୍ଡ ମିଲ RM 027 ହେଉଛି ବିଶ୍ୱର ସବୁଠାରୁ ହାଲୁକା ଘଣ୍ଟା ମଧ୍ୟରୁ ଗୋଟିଏ । ଏହାର ଷ୍ଟ୍ରାପ୍ ସହିତ ଓଜନ ୨୦ ଗ୍ରାମରୁ ଟିକିଏ କମ୍ ଅଟେ । ଘଣ୍ଟାର ମୂଲ୍ୟ ପ୍ରାୟ ୭ କୋଟି ଟଙ୍କା । RM 27-02 ଘଣ୍ଟାଟି ଗ୍ରେଡ୍ 5 ଟାଇଟାନିୟମ୍ ପୁଲରେ ତିଆରି ଯାହା 70 ଘଣ୍ଟାର ପାୱାର ରିଜର୍ଭ ପ୍ରଦାନ କରେ। ଘଣ୍ଟାର କ୍ୱାର୍ଟଜ୍ TPT କେସ୍ ଏହାକୁ ଏକ ଉତ୍କୃଷ୍ଟ ଫ୍ୟାଶନ୍ ଷ୍ଟେଟମେଣ୍ଟ୍ ଦିଏ। ଏହା ପୂର୍ବରୁ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା IPL ସମୟରେ ଏହି ଘଣ୍ଟା ପିନ୍ଧି ପଡ଼ିଆରେ ପ୍ରବେଶ କରିସାରିଛନ୍ତି ।
ପାକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ
ଚାମ୍ପିୟନସ୍ ଟ୍ରଫିରେ ଟିମ୍ ଇଣ୍ଡିଆର ବିରାଟ ବିଜୟ। ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି ଭାରତ ।୪୯ ଓଭର୍ ୪ଟି ବଲରେ ୨୪୧ ରନ୍ କରି ଦଳ ଅଲଆଉଟ ହୋଇଥିଲା। ଭାରତୀୟ ସ୍ପିନ୍ ଜାଲରେ ଛନ୍ଦି ହୋଇଥିଲେ ପାକିସ୍ତାନର ବ୍ଯାଟର୍। କୁଳଦୀପ ଯାଦବଙ୍କୁ ୩ଟି ୱିକେଟ ମିଳିଥିବା ବେଳେ ହାର୍ଦ୍ଦିକଙ୍କୁ ୨ଟି ୱିକେଟ ମିଳିଛି। ସେହିପରି ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା ଓ ହର୍ଷିତ ରାଣାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।  ବିଜୟ ସହିତ ଭାରତର ସେମିଫାଇନାଲ ଟିକଟ ଏକ ରକମର ପକ୍କା ହୋଇଥିବା ବେଳେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବାର ଆଶଙ୍କା ଦେଖାଦେଇଛି ।

ଡ୍ରେସିଂ ରୁମରେ ରିଜୱାନ କଲମା ପଢ଼ୁଥିଲେ,ରୈନା କହିଲେ-ରୋହିତ ମହାମୃତ୍ୟୁଞ୍ଜୟ ମନ୍ତ୍ର ପଢୁଥିବେ

ନନ୍ଦିଘୋଷ ବ୍ୟୁରୋ: ଚାମ୍ପିଅନ୍ସ ଟ୍ରଫିର ଏକ ହାଇଭୋଲଟେଜ୍ ମ୍ୟାଚ୍‌ରେ ପାକିସ୍ତାନକୁ ୬ୱିକେଟ୍‌ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଦଳ କେବଳ ୨୪୧ ରନ୍ ସଂଗ୍ରହ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ଆଗରେ ଟାର୍ଗେଟ ଥିଲା ୨୪୨ ରନ୍। ବିରାଟ କୋହଲିଙ୍କ ନଟ୍ ଆଉଟ୍ ସେଞ୍ଚୁରି ବଳରେ ଏହି ଲକ୍ଷ୍ୟକୁ ଟିମ୍ ସହଜରେ ହାସଲ କରିନେଇଥିଲା । ଦରକାର ହୋଇଥିଲା ମାତ୍ର ୪୨ ଓଭର ୩ଟି ବଲ। ଚୌକା ମାରି ନିଜର ସେଞ୍ଚୁରି ପୂରଣ କରିବା ସହିତ ଦଳକୁ ଜିତ୍ ଦେଇଥିଲେ ବିରାଟ କୋହଲି। ଏହି ମ୍ୟାଚ୍‌ରେ ପରାଜୟ ପରେ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ ବହୁତ ନିରାଶ ଦେଖାଯାଉଥିଲେ। ଗୋଟିଏ ସମୟରେ, ରିଜୱାନଙ୍କୁ ମ୍ୟାଚ୍ ମଝିରେ ପ୍ରାର୍ଥନା କରୁଥିବାର ମଧ୍ୟ ଦେଖାଯାଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମହମ୍ମଦ ରିଜୱାନଙ୍କ ଭିଡିଓ ଭାଇରାଲ

ମହମ୍ମଦ ରିଜୱାନଙ୍କୁ ପୂର୍ବରୁ ଅନେକ ଥର ପଡ଼ିଆ ଏବଂ ଡ୍ରେସିଂ ରୁମରେ ଧାର୍ମିକ କାର୍ଯ୍ୟ କରୁଥିବାର ଦେଖାଯାଇଛି । ଏଥର ତାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ରିଜୱାନ ତସ୍ବିହ ପାଠ କରୁଥିବାର ଦେଖାଯାଇଛି। ରିଜୱାନଙ୍କ ଏହି ଭିଡିଓ ଡଗ୍ ଆଉଟରୁ ଆସିଛି । ଏହି ଭିଡିଓ ଉପରେ ପ୍ରଶଂସକମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କମେଣ୍ଟ୍ରି ବକ୍ସରେ ବସିଥିବା କମେଣ୍ଟ୍ରିମାନେ ମଧ୍ୟ ରିଜୱାନଙ୍କ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

https://www.instagram.com/woke.batman/reel/DGa1dJWzJyc/

ସୁରେଶ ରୈନା କ’ଣ କହିଥିଲେ ?

କମେଣ୍ଟ୍ରି କରୁଥିବା ଆକାଶ ଚୋପ୍ରାଙ୍କ ନଜର ରିଜଓ୍ବାନଙ୍କ ଉପରେ ପଡିଯାଇଥିଲା । ସେ ହଠାତ୍ ପଚାରିଲେ ସେମାନେ କଣ କରୁଛନ୍ତି ? ସେମାନଙ୍କ ହାତରେ କ’ଣ ଅଛି ? ଏହା ଉପରେ ପାକିସ୍ତାନର ୱାହାବ ରିଆଜ, ଯିଏ କମେଣ୍ଟ୍ରି କରୁଥିଲେ, କହିଥିଲେ ଯେ ଏହା ଏକ ମାଳା ଏବଂ ସେ ଆଲ୍ଲାଙ୍କ କଲାମ ପାଠ କରୁଛନ୍ତି । ସେମାନେ ଆଲ୍ଲାଙ୍କ ନାମ ନେଉଛନ୍ତି ଯାହା ବର୍ତ୍ତମାନ ସମୟରେ ଦରକାର । ଏହା ଉପରେ ସୁରେଶ ରୈନା ମଧ୍ୟ ଏକ ବଡ଼ ବୟାନ ଦେଇଛନ୍ତି । ରାଇନା କହିଛନ୍ତି ଯେ ଯେତେବେଳେ ରିଜୱାନ କଲମା ପାଠ କରୁଛନ୍ତି, ରୋହିତ ଶର୍ମା ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରୁଥିବେ। ଏହା ସହିତ ରାଇନା କହିଛନ୍ତି ଯେ ବିରାଟ ମଧ୍ୟ ଭଗବାନ ଶିବଙ୍କ ଭକ୍ତ ଏବଂ ସେ ଭଗବାନ ଶିବଙ୍କ ଏକ ଟାଟୁ କରିଛନ୍ତି।

ପାକିସ୍ତାନ ପାଇଁ ଲଜ୍ଜାଜନକ ପରାଜୟ

ଟିମ୍ ଇଣ୍ଡିଆ ବିପକ୍ଷରେ ୬ ୱିକେଟରେ ପରାଜୟ ସହିତ, ପାକିସ୍ତାନ ଦଳ ସେମିଫାଇନାଲ ଦୌଡ଼ରୁ ପ୍ରାୟ ବାହାର ହୋଇଯାଇଛି । ଏବେ ପାକିସ୍ତାନର କେବଳ ଗୋଟିଏ ମ୍ୟାଚ୍ ବାକି ଅଛି, ଯେଉଁଠାରେ ସେମାନେ ୨୭ ଫେବୃଆରୀରେ ବାଂଲାଦେଶକୁ ଭେଟିବେ। ଏହି ମ୍ୟାଚ୍ ପୂର୍ବରୁ, ପାକିସ୍ତାନ ଦଳକୁ ପ୍ରାର୍ଥନା କରିବାକୁ ପଡିବ ଯେ କୌଣସି ପ୍ରକାରେ ବାଂଲାଦେଶ ଦଳ ଆଜି ପ୍ରଥମେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରୁ ।

ରୋଚକ ହେବ ଦିଲ୍ଲୀ ରାଜନୀତି, ସାମ୍ନାସାମ୍ନି ହେବେ ଦୁଇ ମହିଳା ନେତ୍ରୀ….

ନନ୍ଦିଘୋଷ ବ୍ୟୁରୋ:  ଦିଲ୍ଲୀର ରାଜନୀତି ସମ୍ପୂର୍ଣ୍ଣ ଭାବରେ ମହିଳାମାନଙ୍କ ଉପରେ କେନ୍ଦ୍ରିତ ହୋଇସାରିଛି । ଦିଲ୍ଲୀରେ ଚାଲିଛି ମହିଳା କାର୍ଡ଼ ଖେଳ । । ୨୭ ବର୍ଷ ପରେ କ୍ଷମତା କୁ ଫେରିଛି ବିଜେପି । ଦିଲ୍ଲୀରେ କ୍ଷମତାକୁ ଆସିବା ପରେ ବିଜେପି ରେଖା ଗୁପ୍ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛି । ଯେତେବେଳେ ବିଜେପି ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ହସ୍ତାନ୍ତର କରିଛି ଅପରପକ୍ଷରେ ବିରୋଧୀ ଦଳ ଆାମ୍ ଆଦମୀ ପାର୍ଟି ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ଆତିଶୀଙ୍କୁ ଚୟନ କରିଛି । ଏପରି ଏକ ସ୍ଥିତି ଉପୁଜିଛି ଯେଉଁଠି ବିଧାନସଭାରେ ଗୃହର ନେତା, ଏବଂ ବିରୋଧୀ ଦଳ ନେତା ଉଭୟ ରେ ଦୁଇ ମହିଳା ହେବେ ସାମ୍ନାସାମ୍ନି । ଚର୍ଚ୍ଚା ହେଲାଣି ରୋଚକ ହେବ ଦିଲ୍ଲୀ ରାଜନୀତି ।

ଦିଲ୍ଲୀ ବିଧାନସଭାରେ ଦୁଇଜଣ ମହିଳା ନିଜ ନିଜ ଦଳର ନେତୃତ୍ୱ ନେବେ। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶାସକ ଦଳର ନେତୃତ୍ୱ ନେବେ, ଆମ ଆଦମୀ ପାର୍ଟି ବିଧାୟକ ଦଳ ନେତା ଆତିଶୀ ବିରୋଧୀ ଦଳରେ ରହିବେ। ରେଖା ଗୁପ୍ତା ପ୍ରାୟ ତିନି ଦଶନ୍ଧି ଧରି ବିଜେପିରେ ସକ୍ରିୟ ଅଛନ୍ତି ଏବଂ ଦିଲ୍ଲୀ ରାଜନୀତିକୁ ଭଲ ଭାବରେ ବୁଝନ୍ତି। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ରାଜନୀତିରୁ ଏମସିଡିର କାଉନସିଲର ଏବଂ ତା’ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପର୍ୟ୍ୟନ୍ତ ଯାତ୍ରା କରିଛନ୍ତି, ଯାହା ଯୋଗୁଁ ରେଖା ଗୁପ୍ତା ଭୂମିସ୍ତରୀୟ ରାଜନୀତିକୁ ଭଲ ଭାବରେ ବୁଝନ୍ତି।

ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ନିର୍ବାଚିତ ହୋଇଥିବା ଆତିଶୀ ଦ୍ୱିତୀୟ ଥର ପାଇଁ କାଲକାଜୀ ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି, କିନ୍ତୁ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲ ସେପ୍ଟେମ୍ବର ୨୦୨୪ ରେ ହିଁ ତାଙ୍କର ରାଜନୈତିକ ଉତ୍ତରାଧିକାର ତାଙ୍କୁ ହସ୍ତାନ୍ତର କରିଥିଲେ। ମୁଖ୍ୟମନ୍ତ୍ରୀ ଭାବରେ, ଆତିଶୀ ତାଙ୍କର ରାଜନୈତିକ ପରିଚୟ ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲେ, କିନ୍ତୁ ୫ ମାସ ମଧ୍ୟରେ ତାଙ୍କର ଭୂମିକା ବଦଳିଗଲା। ଆମ ଆଦମୀ ପାର୍ଟି ଏବେ ରେଖାଙ୍କୁ ବିରୋଧୀ ଦଳ ନେତା କରି ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ଧାନସଭାରେ ଆମ ଆଦମୀ ପାର୍ଟି ତୁଳନାରେ ବିଜେପିର ସଂଖ୍ୟା ଦୁଇଗୁଣରୁ ଅଧିକ। ଏପରି ପରିସ୍ଥିତିରେ, ଅଭିଜ୍ଞତା ଦୃଷ୍ଟିରୁ ଉଭୟ ଦଳ ପାଖରେ ଏପରି ଅନେକ ସଦସ୍ୟ ଅଛନ୍ତି। ରେଖା ଗୁପ୍ତାଙ୍କ ଉପରେ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ନିଶ୍ଚିତ ଭାବରେ ଚାପ ରହିବ, କିନ୍ତୁ ଆଦମୀ ପାର୍ଟିର ପୂର୍ବ ସରକାର ସମୟରେ ଦୁର୍ନୀତି ଅଭିଯୋଗର ଉତ୍ତର ଦେବାର ଦାୟିତ୍ୱ ମଧ୍ୟ ଆତିଶୀଙ୍କ ଉପରେ ରହିବ।

ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଦେବାକୁ ନେଇ ଚାଲିଛି ହଙ୍ଗାମା :
ଦିଲ୍ଲୀର ମହିଳାଙ୍କୁ ପ୍ରତିମାସ ୨୫୦୦ ଟଙ୍କା ଦେବାର ପ୍ରତିଶ୍ରୁତି ଉପରେ ଆତିଶୀ ରେଖା ସରକାରଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି। ଆତିଶୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଏକ ଚିଠି ଲେଖି ମହିଳାଙ୍କୁ ପ୍ରତିମାସ ୨୫୦୦ ଟଙ୍କା ଦେବା ଯୋଜନା ଉପରେ ଆଲୋଚନା କରିବା ପାଇଁ ସରକାରଙ୍କଠାରୁ ସମୟ ମାଗିଛନ୍ତି। ଆତିଶୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୩୧, ୨୦୨୫ରେ ଦ୍ୱାରକାରେ ଆୟୋଜିତ ଏକ ରାଲିରେ ଦିଲ୍ଲୀର ମା’ ଏବଂ ଭଉଣୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ବିଜେପି ସରକାର ଗଠନ ହେବା ପରେ, ପ୍ରଥମ କ୍ୟାବିନେଟ ବୈଠକରେ ସେମାନଙ୍କ ପାଇଁ ମାସିକ ୨୫୦୦ ଟଙ୍କାର ଏକ ଯୋଜନା ପାସ୍ କରାଯିବ। ସେ କହିଥିଲେ – ଏହା ମୋଦିଙ୍କ ଗ୍ୟାରେଣ୍ଟି।
ଆତିଶୀ ଯେଉଁଭଳି ଭାବରେ ମହିଳାଙ୍କୁ ୨୫୦୦ ଟଙ୍କା ଦେବା ପ୍ରସଙ୍ଗ ଉଠାଇଛନ୍ତି, ସେଥିରୁ ସ୍ପଷ୍ଟ ଯେ ଆମ ଆଦମୀ ପାର୍ଟି ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗକୁ ଜୋରଦାର ଉଠାଇପାରିବ। ଏପରି ପରିସ୍ଥିତିରେ, ତିନି ଦିନିଆ ବିଧାନସଭା ଅଧିବେଶନରେ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ପ୍ରବଳ ଟକ୍କର ଦେଖିବାକୁ ମିଳିପାରେ। ଉଭୟ ଦଳ ନିଜ ନିଜ ରଣନୀତି ସହିତ ଗୃହରେ ପ୍ରବେଶ କରିବେ ଏବଂ ପରସ୍ପରକୁ କୋଣଠେସା କରିବାକୁ ଯଥାସମ୍ଭବ ଚେଷ୍ଟା ମଧ୍ୟ କରିବେ ।

 

 

USAID ପାଣ୍ଠିକୁ ବିବାଦ, ଚିନ୍ତା ପ୍ରକଟ କଲେ ବୈଦେଶିକ ମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: USAID ପାଣ୍ଠିକୁ ନେଇ ଆମେରିକାରୁ ଦିଲ୍ଲୀ ପର୍ଯ୍ୟନ୍ତ ବିବାଦ । ଏହି ବିବାଦ ମଧ୍ୟରେ, ଅର୍ଥ ମନ୍ତ୍ରଣାଳୟ ଏକ ରିପୋର୍ଟ ଜାରି କରିଛି । ଯେଉଁଥିରେ ପାଣ୍ଠି ସମ୍ପର୍କରେ ଅନେକ ଖୁଲାସା ହୋଇଛି । ରିପୋର୍ଟରେ ପାଣ୍ଠି ସହିତ ଜଡିତ ସମସ୍ତ ବିବରଣୀ ଦିଆଯାଇଛି, ଯେପରିକି USAID କେତେ ପାଣ୍ଠି ଯୋଗାଇଥିଲା ଏବଂ ସେହି ପାଣ୍ଠି କେଉଁଠି ବ୍ୟବହାର କରାଯାଇଥିଲା ଏବଂ କେମିତି ବ୍ୟବହାର ହୋଇଥିଲା ? ଅର୍ଥ ମନ୍ତ୍ରଣାଳୟ ରିପୋର୍ଟରେ କୁହାଯାଇଛି ଯେ USAID ୨୦୨୩-୩୪ ଆର୍ଥିକ ବର୍ଷରେ ଭାରତରେ ୭ଟି ପ୍ରକଳ୍ପ ପାଇଁ୭୫୦ ନିୟୁତ ଡଲାର ବା ପ୍ରାୟ ୬୫ ବିଲିୟନ ପାଣ୍ଠି ଯୋଗାଇଛି କିନ୍ତୁ ଭୋଟ ପ୍ରତିଶତ ବୃଦ୍ଧି ପାଇଁ କୌଣସି ପାଣ୍ଠି ଯୋଗାଇ ଦିଆଯାଇ ନାହିଁ ।

ଅର୍ଥ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, USAID ପାଣ୍ଠି କୃଷି ଏବଂ ଖାଦ୍ୟ ସୁରକ୍ଷା, ଜଳ, ପରିମଳ ଏବଂ ସ୍ୱଚ୍ଛତା, ନବୀକରଣୀୟ ଶକ୍ତି, ବିପର୍ଯ୍ୟୟ ପରିଚାଳନା ଏବଂ ସ୍ୱାସ୍ଥ୍ୟ ସହିତ ଜଡିତ ପ୍ରକଳ୍ପ ପାଇଁ ଥିଲା । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ USAID ଜଙ୍ଗଲ ଏବଂ ଜଳବାୟୁ ସ୍ଥିରତା କାର୍ଯ୍ୟକ୍ରମ ଏବଂ ଶକ୍ତି ଦକ୍ଷତା ପ୍ରଯୁକ୍ତିବିଦ୍ୟା ବାଣିଜ୍ୟକରଣୀ ଏବଂ ନବସୃଜନ ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛି । ରିପୋର୍ଟରେ କୁହାଯାଇଛି ଯେ ଭାରତ ୧୯୫୧ ମସିହାରେ ଆମେରିକାରୁ ସାହାଯ୍ୟ ପାଇବା ଆରମ୍ଭ କରିଥିଲା । ଏପର୍ଯ୍ୟନ୍ତ, ଭାରତ ୫୫୫ଟି ପ୍ରକଳ୍ପ ପାଇଁ USAID ଠାରୁ ୧୭୦୦ କୋଟି ଟଙ୍କାର ଆର୍ଥିକ ସହାୟତା ପାଇସାରିଛି ।

DOGEର ପ୍ରକାଶ ପରେ ବିବାଦ

ପ୍ରକୃତରେ ଚଳିତ ମାସର ପ୍ରାରମ୍ଭରେ ଆମେରିକାର ସରକାରୀ ଦକ୍ଷତା ବିଭାଗ (DOGE) ପ୍ରକାଶ କରିଥିଲା ​​ଯେ ଭାରତରେ ଭୋଟ ପ୍ରତିଶତ ବୃଦ୍ଧି କରିବା ପାଇଁ ଯୁକ୍ତରାଷ୍ଟ୍ର ଆନ୍ତର୍ଜାତୀୟ ବିକାଶ ସଂସ୍ଥା (USAID) ୨୧ ନିୟୁତ ଡଲାରର ଅନୁଦାନ ଦେଇଛି । ଏଲନ ମସ୍କଙ୍କ ବିଭାଗ DOGE ଦ୍ୱାରା ଏହା ପ୍ରକାଶିତ ହେବା ପରେ ଭାରତ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଥିଲା ।

ଏହା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଗୋଟିଏ ପରେ ଗୋଟିଏ ବୟାନ ଦେବା ଆରମ୍ଭ କରିଥିଲେ ଯାହା ଚର୍ଚ୍ଚାକୁ ଆହୁରି ଆଗକୁ ବଢାଇଥିଲା । ସେ କହିଥିଲେ ଯେ ଆମେ ଭୋଟ ପ୍ରତିଶତ ବୃଦ୍ଧି କରିବା ପାଇଁ ଭାରତକୁ ୨୧ ନିୟୁତ ଡଲାର ସହାୟତା ଦେଉଛୁ କିନ୍ତୁ ଆମର ଲାଭ କ’ଣ ? ଆମକୁ ମଧ୍ୟ ଭୋଟ ପ୍ରତିଶତ ବୃଦ୍ଧି କରିବାକୁ ପଡିବ। ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତକୁ କୌଣସି ପାଣ୍ଠିର ଆବଶ୍ୟକତା ନାହିଁ ତାଙ୍କ ପାଖରେ ବହୁତ ଟଙ୍କା ଅଛି । ତେବେ ନିର୍ବାଚନରେ ​​ସାହାଯ୍ୟ କରିବା ପାଇଁ ଆମେ କାହିଁକି ଭାରତକୁ ୨୧ ନିୟୁତ ଡଲାର ଦେବୁ ?

ଜୟଶଙ୍କର ଚିନ୍ତା ପ୍ରକାଶ କଲେ

ଏହି ମାମଲା ପ୍ରକାଶିତ ହେବା ପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର USAID ପାଣ୍ଠି ବିବାଦ ଉପରେ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆମେରିକା ଦେଇଥିବା ସୂଚନା ଚିନ୍ତାଜନକ । ସରକାର ଏହାର ତଦନ୍ତ କରୁଛନ୍ତି । ଯଦି ଏପରି କିଛି ଅଛି ଦେଶ ଜାଣିବା ଉଚିତ ଯେ କିଏ ଏହି କାର୍ଯ୍ୟକଳାପରେ ଜଡିତ । ଗୁରୁବାର ଦିନ ମିଆମିରେ ଏକ କାର୍ଯ୍ୟକ୍ରମ ସମୟରେ, ଟ୍ରମ୍ପ ଭାରତରେ ଭୋଟ ପ୍ରତିଶତ ବୃଦ୍ଧି ପାଇଁ USAIDର ୨୧ନିୟୁତ ଡଲାର ପାଣ୍ଠି ଉପରେ ପ୍ରଶ୍ନ ଉଠାଇଥିଲେ ।

ଟ୍ରମ୍ପଙ୍କ ଧମକ,ବଜାର ଖୋଲୁଖୋଲୁ ୩.୪୦ ଲକ୍ଷ କୋଟି ଟଙ୍କା ସ୍ୱାହା

ନନ୍ଦିଘୋଷ ବ୍ୟୁରୋ: ଷ୍ଟକ ବଜାରରେ ଚାଲିଥିବା ଅସ୍ଥିରତା ଶେଷ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଗତ ସପ୍ତାହରେ ଏକ ବଡ଼ ହ୍ରାସ ଦେଖିବା ପରେ ସୋମବାର ଭାରତୀୟ ଷ୍ଟକ୍ ବଜାର ପୁଣି ଲାଲ ରଙ୍ଗରେ ଖୋଲିଥିଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦-ସେୟାର ସେନସେକ୍ସ ଖୋଲିବା ସହ ୫୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା ଯେତେବେଳେ କି ନିଫ୍ଟି ୧୫୯ ପଏଣ୍ଟ ହ୍ରାସ ସହିତ ଖୋଲିଥିଲା । ଏହି ସମୟରେ, ପ୍ରାରମ୍ଭିକ କାରବାରରେ ୩୦ଟି ଲାର୍ଜ-କ୍ୟାପ୍ ଷ୍ଟକ୍ ମଧ୍ୟରୁ ୨୯ଟିରେ କାରବାର ହ୍ରାସ ସହିତ ଆରମ୍ଭ ହୋଇଥିଲା । ଜୋମାଟୋ ସେୟାରରେ ସବୁଠାରୁ ବଡ଼ ହ୍ରାସ ଦେଖାଯାଇଥିଲା । ପୁଣିଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଲାଗୁ କରିବାର ଧମକର ପ୍ରଭାବ ସେୟାର ବଜାର ଉପରେ ଦେଖିବାକୁ ମିଳିଛି ।

ସୋମବାର ଦିନ ବିଏସଇ ସେନସେକ୍ସ ୭୪ ହଜାର ୮୯୩.୪୫ରେ ଖୋଲିଥିଲା, ଯାହା ଏହାର ପୂର୍ବ ବନ୍ଦ ୭୫,୩୧୧.୦୬ରୁ କମ ଥିଲା । ବଜାର ଖୋଲିବା ପରେ ସୂଚକାଙ୍କ ତୀବ୍ର ଗତିରେ ତଳକୁ ଖସିଥିଲା । ସେନସେକ୍ସ ୭୪ ହଜାର ୭୩୦ ସ୍ତରକୁ ଖସି ଆସିଥିଲା । ଅନ୍ୟପକ୍ଷରେ, ନିଫ୍ଟି ୨୨ ୬୦୯ରୁ, ଯାହା ଏହାର ପୂର୍ବ ବନ୍ଦ୨୨,୭୯୫.୯୦ଠାରୁ କମ ଥିଲା ଏବଂ କିଛି ମିନିଟ୍ ମଧ୍ୟରେ, ସେନସେକ୍ସ ସହିତ ପାଦ ଦେଇ, ଏହା ୨୦୦ ପଏଣ୍ଟ ହ୍ରାସ ପାଇ ୨୨,୬୦୭ରେ ପହଞ୍ଚିଥିଲା । ରିପୋର୍ଟ ଲେଖାଯିବା ବେଳକୁ ନିଫ୍ଟି ସୂଚକାଙ୍କ ୨୨,୫୬୯ରେ ଥିଲା ।

୫ ମିନିଟରେ ୩.୪୦ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି
ଷ୍ଟକ୍ ବଜାରରେ ହ୍ରାସ ଏତେ ତୀବ୍ର ଥିଲା ଯେ ମାତ୍ର ୫ ମିନିଟରେ, BSEରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ମୋଟ ବଜାର ମୂଲ୍ୟ ପ୍ରାୟ ୩.୪୦ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଥିଲା । ବିଏସଇର ସମସ୍ତ କ୍ଷେତ୍ରୀୟ ସୂଚକାଙ୍କ ମଧ୍ୟ ଲାଲ ରଙ୍ଗରେ କାରବାର ହେଉଛି । ସକାଳ ୯.୨୦ ମିନିଟରେ BSE-ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ମୋଟ ବଜାର ପୁଞ୍ଜି ୩୯୮.୮୦ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଥିଲା । ଏହିଭଳି ଭାବେ ସୋମବାର ବଜାର ଖୋଲିବାର କିଛି ମିନିଟ୍ ମଧ୍ୟରେ BSEରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ବଜାର ପୁଞ୍ଜି ୩.୪୦ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି ।

ନିବେଶକମାନଙ୍କର ନଜର ଏଗୁଡ଼ିକ ଉପରେ ରହିଛି
ଟ୍ରମ୍ପଙ୍କ ଶୁଳ୍କ ଏବଂ ବିଶ୍ୱ ବଜାର ପରିସ୍ଥିତି ବ୍ୟତୀତ, ନିବେଶକମାନେ ବର୍ତ୍ତମାନ କିଛି ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ତଥ୍ୟ ଉପରେ ନଜର ରଖିଛନ୍ତି, ଯାହା ବଜାରର ଅବସ୍ଥା ଏବଂ ଦିଗ ନିର୍ଣ୍ଣୟ କରିପାରିବ। ଦୁଇ ଦିନ ପରେ, ଅର୍ଥାତ୍ ଫେବୃଆରୀ ୨୬ ତାରିଖରେ, ଆମେରିକାର ଘର ବିକ୍ରୟ ତଥ୍ୟ ପ୍ରକାଶ ପାଇବ, ଯେତେବେଳେ ଆମେରିକାର GDP ଅଭିବୃଦ୍ଧିର ଦ୍ୱିତୀୟ ଆକଳନ ଫେବୃଆରୀ ୨୭ ତାରିଖରେ ଆସିବ। ଏହା ପରେ, ଫେବୃଆରୀ୨୮ ତାରିଖରେ, ଭାରତ ସରକାର ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ (୨୦୨୪-୨୫) ପାଇଁ GDP ତଥ୍ୟ ଏବଂ ଆଗାମୀ ଆର୍ଥିକ ବର୍ଷର GDPର ଦ୍ୱିତୀୟ ଆଗୁଆ ଆକଳନ ପ୍ରକାଶ କରିବେ। ନିବେଶକମାନେ ଏହି ସଂଖ୍ୟାଗୁଡ଼ିକ ଉପରେ ନଜର ରଖିବେ।