ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବେ ସରିବନି । ଆହୁରି ମାସେ ଦୁଇ ମାସ ଲାଗିବ । ତା ପରେ ଗଣତି ମଣତି କରାଯିବ । ଏଏସଆଇ ଙ୍କୁ ଯଥେଷ୍ଟ ସମୟ ମିଳିପାରୁନଥିବାରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଅବଧି ସମୟ ଭିତରେ ସରିବା ନେଇ ଦେଖାଦେଇଛି ଅନିଶ୍ଚିତତା । ରତ୍ନ ଭଣ୍ଡାର ମରାମତି ନେଇ ଏଏସଆଇଙ୍କୁ ଅଧିକ ସମୟ ଯୋଗାଇ ଦିଆଯିବା ନେଇ କରାଯାଉଛି ଆଲୋଚନା । ଭିବିନ୍ନ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଦର୍ଶନାର୍ଥୀଙ୍କ ଭିଡ଼ ଯୋଗୁଁ ସ୍ଥଗିତ ରଖାଯାଉଛି ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ପାଇଁ ପ୍ରଚେଷ୍ଟା କରାଯାଉଛି । ଜିପିଆରଏସ ସର୍ଭେ ଅନୁଯାଇ ଏଏସଆଇ ତାର କାର୍ଯ୍ୟ ସଠିକ ଭାବେ କରୁଛି ।ଯଥା ସମ୍ବବ ଏଏସଆଇଙ୍କୁ ବେଶି ସମୟ ଦେବା ପାଇଁ ସେବାୟତ ମାନଙ୍କ ସହ ଆଲୋଚନା କରାଯାଉଛି ବୋଲି ଶ୍ରୀମନ୍ଦିର ଉପ ମୁଖ୍ୟପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି ।
୧୩୨ କେଭି ଟାୱାର ରେ ଚଢି ଯୁବକଙ୍କ ହାଇଡ୍ରାମା
ନନ୍ଦିଘୋଷ ବ୍ୟୁରୋ: ୧୩୨ କେଭି ଟାୱାର ରେ ଚଢି ଯୁବକଙ୍କ ହାଇଡ୍ରାମା । ନିଶାସକ୍ତ ଅବସ୍ଥାରେ ୭୦ ମିଟର ଉପରେ ଚଢ଼ି ଅଢେଇ ଘଣ୍ଟା ଧରି ବସିଲା ଯୁବକ । କାମାକ୍ଷାନଗର ଥାନା ବଡ଼ମୁକ୍ତାପଶି ଗାଁ ନିକଟରେ ୧୩୨ କେଭି ବିଦ୍ୟୁତ ଟାୱାରରେ ନିଶାସକ୍ତ ଅବସ୍ଥାରେ ଚଢ଼ିଗଲା ଯୁବକ । ଯୁବକ ଜଣକ ବଡ଼ମୁକ୍ତାପଶି ଗାଁର ସନିଆ ମଣ୍ଡଳ । ଆଜି ଅପରାହ୍ନ ରେ ଟାୱାର ଉପରେ ଚଢି ଯାଇଥିଲା । ତେବେ ଚଢ଼ିବା ପରେ ଓଲ୍ହାଇବାର ନାଁ ଧରୁନି ଯୁବକ । ଯେଉଁଥିପାଇଁ ପୋଲିସ, ଅଗ୍ନିଶମ ବାହିନୀ ଓ ବିଦ୍ୟୁତ ବିଭାଗ କୁ ନାକେଦମ ହେବାକୁ ପଡିଛି । ପ୍ରାୟ ଅଢେଇ ଘଣ୍ଟା ଧରି ଯୁବକ ଜଣକ ଟାୱାର ଉପରେ ବସିଥିବା ବେଳେ ଟାୱାର ପାଖକୁ ଯିବାକୁ ଯାଉଥିବା ଉଦ୍ଧାରକାରୀ ଦଳକୁ ଦେଖିଲେ ଡେଇଁବା ପାଇଁ ଉଦ୍ୟମ କରୁଛି । ଫଳରେ ଉଦ୍ଧାରକାରୀ ଦଳ ଯୁବକ ଜଣକ ନିକଟରେ ପହଞ୍ଚି ପାରୁନାହିଁ । ଯୁବକଙ୍କ ଏପରି କାଣ୍ଡ ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଛି ।
ଚିକେନ ତରକାରୀ ପାଇଁ ଗଲା ସ୍ତ୍ରୀର ଜୀବନ, ସ୍ଵାମୀଙ୍କ ଚାପୁଡା ମାଡରେ ସ୍ତ୍ରୀ ମୃତ
ନନ୍ଦିଘୋଷ ବ୍ୟୁରୋ: ଚିକେନ ତରକାରୀ ପାଇଁ ଚାଲିଗଲା ସ୍ତ୍ରୀର ଜୀବନ । ଚିକେନ ତରକାରୀ ନଦେବାରୁ ସ୍ବାମୀର ଚାପୁଡ଼ାରେ ସ୍ତ୍ରୀ ମୃତ । ଘଟଣାଟି ଘଟିଛି ଢେଙ୍କାନାଳ ଜିଲା ଗଁନ୍ଦିଆ ଥାନା ଷଢ଼ଙ୍ଗୀ ଧନିଆନାଳି ମୁଣ୍ଡା ସାହିରେ । ସ୍ୱାମୀ ଜେନା ପିଙ୍ଗୁଆର ଏକ ଶକ୍ତ ଚାପୁଡ଼ାରେ ସ୍ତ୍ରୀ କୁନି ପିଙ୍ଗୁଆର ମୃତ୍ୟୁ ଘଟିଛି । ରାତିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଚିକେନ ତରକାରୀକୁ ନେଇ ଝଗଡ଼ା ଲାଗିଥିଲା । ତରକାରୀ ନଦେବାରୁ ସ୍ତ୍ରୀକୁ ଏକ ଶକ୍ତ ଚାପୁଡ଼ା ମାଲିଥଇଲେ ସ୍ବାମି ଜେନା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ଯୁ ହୋଇଥିଲା । ଖବର ପାଇ ଗଁନ୍ଦିଆ ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧା କରି ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ସ୍ଵାମୀ ଜେନା ପିଙ୍ଗୁଆକୁ ଗିରଫ କରିଛି ପୋଲିସ I ଢେଙ୍କାନାଳ ୨୪ ଘଣ୍ଟା ଭିତରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଛି । ଗତକାଲି ଭିଣୋଇ ଗୁଳିରେ ଶଳା ମୃତ ହୋଇଥିବା ବେଳେ ଏବେ ସ୍ବାମୀର ଚାପୁଡ଼ା ରେ ସ୍ତ୍ରୀର ମୃତ୍ଯୁ ହୋଇଛି ।
ଅଜବ ସରକାରରେ ଅଜବ ବ୍ୟବସ୍ଥା, ଫାଇଲରେ ସମୀତ ଯୋଜନା
ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନୀ ଇସ୍ତାହାର ବେଳେ ବିଜେପି ସରକାର ଦେଇଥିବା ପ୍ରତିଶୃତି ପାଲଟିଛି ପାଣିରଗାର । ଫାଇଲରେ ସୀମିତ ରହୁଛି ଯୋଜନା । ହେଲେ ପ୍ରକୃତ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ମିଳୁନାହିଁ । ଏଭଳି ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଠକପାଲି ଗାଁରୁ । ୯୦ ପ୍ରତିଶତ ଭିନ୍ନକ୍ଷମଙ୍କୁ ଏପର୍ଯ୍ଯନ୍ତ ବର୍ଦ୍ଧିତ ଭତ୍ତା ମିଳୁପାରିନାହିଁ । ଭତ୍ତା ପାଇଁ ଅନେକ ଥର ପ୍ରଶାସନ ନିକଟକୁ ଧାଇଁ ନିରାଶ ହେଲେଣି ।
ନିର୍ବାଚନୀ ଇସ୍ତାହାରରେ ଭତ୍ତା ବୃଦ୍ଧି କଥା କହି ଶାସନକୁ ଆସିଲେ ବିଜେପି ସରକାର । ସରକାରକୁ ଆସିବା ପରେ ୮୦ ବର୍ଷରୁ ଉର୍ଦ୍ଧ୍ଵ ବୃଦ୍ଧ ବୃଦ୍ଧା ଏବଂ ୮୦ ପ୍ରତିଶତ ଭିନ୍ନକ୍ଷମମାନଙ୍କୁ ବର୍ଦ୍ଧିତ ଭତ୍ତା ଦିଆଯିବ ବୋଲି ମାପ ଦଣ୍ଡ ରଖିଲେ । କିନ୍ତୁ ଏହି ମାପ ଦଣ୍ଡ ତାଲିକାରେ ଥିବା ଭିନ୍ନକ୍ଷମଙ୍କୁ ମଧ୍ୟ ଏବେ ମିଳୁନି ସହାୟତା । ଏଭଳି ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଠକପାଲି ଗାଁରୁ । ଗାଁରେ ଥିବା ଉମକାନ୍ତୀ ଭୋଇଙ୍କ ପୁଅ ଝିଅଙ୍କୁ ମିଳୁନି ବର୍ଦ୍ଧିତ ଭତ୍ତା । ପୁଅ ଘନଶ୍ୟାମ ଭୋଇ ଓ ଝିଅ ଭାର୍ଗବୀ ଭୋଇ ୯୦ ପ୍ରତିଶତ ଭିନ୍ନକ୍ଷମ ହୋଇଥିଲେ ମଧ୍ଯ ଏଯାଏଁ ଦୁହେଁ ଭତ୍ତାରୁ ବଞ୍ଚିତ ଅଛନ୍ତି । ବିଧବା ମା ପୁଅ ଓ ଝିଅଙ୍କୁ ଧରି ଅନେକ ଥର ପ୍ରଶାସନ ନିକଟକୁ ଧାଇଁ ନିରାଶ ହେଲେଣି । ସେହିପରି ଡୁଆଝର ଗାଁର ରାମଜୀ ସତନାମି ରାଜ୍ୟ ବାହାରକୁ କାମ କରିବାକୁ ଯାଇ ଟ୍ରେନରେ ଦୁଇ ଗୋଡ ହରାଇ ବସିଛନ୍ତି । ଶତ ପ୍ରତିଶତ ଦିବ୍ଯାଙ୍କ ହୋଇ ସୁଦ୍ଧା ସେ ବି ବର୍ଦ୍ଧିତ ଭତ୍ତା ପାଇନାହାଁନ୍ତି । ଓଲଟା ତାଙ୍କୁ ମିଳୁଥିବା ୧୨ ଶହ ଭତ୍ତା ଟଙ୍କାରୁ ଏବେ ୨ ଶହ କାଟି ଦିଆଯାଉଥିବା ନେଇ ସେ କହିଛନ୍ତି ।
ଜିଲ୍ଲାରେ ଅନେକ ଜଣ ୮୦ ରୁ ଶତ ପ୍ରତିଶତ ଭିନ୍ନକ୍ଷମ ଥିଲେ ମଧ୍ଯ ସେମାନେ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ସରକାରୀ ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ହେଉ ନଥିବା ବେଳେ ସରକାର କେବଳ ନିଜ ଭାଷଣ ବାଜିରେ ବାହା ବାହା ନେଉଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି । ଅନ୍ଯପଟେ ଭିନ୍ନକ୍ଷମଙ୍କ ସମସ୍ଯା ଓ ତାର ସମାଧାନ ପାଇଁ ସ୍ଥାନୀୟ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ନେଇ କହିଛନ୍ତି ଜିଲ୍ଲାପାଳ ।
ଠିକାଦରଙ୍କ ବେପରୁଆ ମନୋଭାବ ଯୋଗୁଁ ଅଧାରେ ଅଟକିଛି ରାସ୍ତା କାମ
ନନ୍ଦିଘୋଷ ବ୍ୟୁରୋ: ଠିକାଦରଙ୍କ ବେପରୁଆ ମନୋଭାବ ଯୋଗୁଁ ଅଧାରେ ଅଟକିଛି ରାସ୍ତା କାମ । ଅବଧି ସରିଯାଇଥିଲେ ମଧ୍ଯ ଗଞ୍ଜାମ ଜିଲ୍ଲାର ଆର୍ଯ୍ୟପଲ୍ଲୀ ଠାରୁ ନାରାୟଣପୁର ପର୍ଯ୍ଯନ୍ତ ରାସ୍ତା କାମ ମାତ୍ର ୫୦ ପ୍ରତିଶତ ସରିଛି । ହେଲେ ବିଭାଗୀୟ ଅଧିକାରୀ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ଯାହାକୁ ନେଇ ତେଜିଛି ଅସନ୍ତୋଷ ।
ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଆର୍ଯ୍ଯପଲ୍ଲୀ ଠାରୁ ନାରାୟଣପୁର ପର୍ଯ୍ଯନ୍ତ ରାସ୍ତାର ଦୃଶ୍ଯ । ପ୍ରାୟ ୧୦ କିଲୋମିଟର ରାସ୍ତାର ପ୍ରଶସ୍ତିକରଣ ପାଇଁ ୧୫ କୋଟି ଟଙ୍କାର ବ୍ଯୟ ଅଟକଳ କରିଥିଲେ ପୂର୍ବ ସରକାର । ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇ ୨୦୨୨- ୨୩ରୁ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବର୍ଷକ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସମୟ ଧାର୍ଯ୍ଯ କରାଯାଇଥିଲା । ହେଲେ ଅବଧି ସରିଯାଇଥିଲେ ମଧ୍ଯ ଏପର୍ଯ୍ଯନ୍ତ କେବଳ ୫୦ ପ୍ରତିଶତ କାମ ହୋଇଛି । ଅବଶିଷ୍ଟ କାମ କେବେ ସରିବ ତାହା ସ୍ପଷ୍ଟ ହୋଇପାରିନାହିଁ । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଥିବା ବେଳେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ସଜବାଜ ହେଉଛନ୍ତି।
ବର୍ତ୍ତମାନ ହରିପୁର ଛକ ଠାରୁ ବାସନାପୁଟି ପର୍ଯ୍ୟନ୍ତ ରାସ୍ତା କାମ ଚାଲିଥିବା ବେଳେ ସମ୍ପୃକ୍ତ ରାସ୍ତାକୁ ସମ୍ପୂର୍ଣ୍ଣ ଖୋଳି ଦିଆଯାଇଛି। ଯାହା ଅଞ୍ଚଳବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଏହି ରାସ୍ତା ହେଉଛି ଗୋପାଳପୁର ପୋର୍ଟ ପର୍ଯ୍ଯନ୍ତ ଯିବାକୁ ମୁଖ୍ଯ ରାସ୍ତା । ଏହା ଉପରେ ପାଖାପାଖି ୧୦ ଗୋଟି ପଞ୍ଚାୟତର ଲୋକେ ନିର୍ଭରଶୀଳ । ହେଲେ ରାସ୍ତାକୁ ଖୋଳି ଦିଆଯାଇଥିବାରୁ ଦୁର୍ଘଟଣା ଘଟିବା ସହିତ ଯାନବାହାନ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି । ସେପଟେ ରାସ୍ତା କାମରେ ବିଳମ୍ବ ଘଟିଥିବା ନେଇ ସ୍ଵୀକାର କରିଛନ୍ତି ଛତ୍ରପୁର ପୂର୍ତ୍ତବିଭାଗ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ । ଏନେଇ ସମ୍ପୃକ୍ତ ଠିକାଦାରଙ୍କୁ ବିଭିନ୍ନ ସ୍ତରରେ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୧୦ ରୁ ୧୨ ଥର ନୋଟିସ ଜାରି କରାଯାଇଥିବା ନେଇ ସେ କହିଛନ୍ତି ।
ହେଙ୍ଗୁ ସେବନ କଲେ ମିଳିବ ଏହି ଗଜବ ଫାଇଦା ଜାଣନ୍ତୁ…
ହେଙ୍ଗୁ ପ୍ରତିଟି ଗୃହିଣୀଙ୍କ ରୋଷେଇ ଘରେ ଥିବା ଏକ ସାମଗ୍ରୀ । ଏହି ହେଙ୍ଗୁର ବ୍ୟବହାର ସାଧାରଣତଃ କିଛି ରୋଷେଇ ରେ ବ୍ୟବହାର କରାଯାଏ ।ଲୋକମାନେ ପ୍ରାୟତଃ ଡାଲି, କଢ଼ି ଇତ୍ୟାଦି ଖାଦ୍ୟକୁ ସୁଗନ୍ଧିତ କରିବା ପାଇଁ ହେଙ୍ଗୁ ବ୍ୟବହାର କରନ୍ତି। ହେଙ୍ଗୁ ହେଉଛି ଔଷଧୀୟ ଗୁଣର ଏକ ଭଣ୍ଡାର। ଯଦିଓ ଅନେକ ଲୋକ ଏହାକୁ ପସନ୍ଦ କରନ୍ତି, କିଛି ଲୋକ ଏହାର ଗନ୍ଧ ଏବଂ ସ୍ୱାଦ ଯୋଗୁଁ ଏହାକୁ କୌଣସି ଜିନିଷରେ ମିଶାନ୍ତି ନାହିଁ। ଯେଉଁମାନେ ହେଙ୍ଗୁର ସ୍ୱାଦ କିମ୍ବା ଗନ୍ଧ ପସନ୍ଦ କରନ୍ତି ନାହିଁ, ସେମାନେ ଜାଣିବା ଉଚିତ ଯେ ଏହା ଏକ ବହୁତ ଲାଭଦାୟକ ମସଲା। ଏହାକୁ ନିୟମିତ ଭାବରେ ଖାଦ୍ୟରେ ବ୍ୟବହାର କଲେ ଅନେକ ରୋଗକୁ ଦୂରେଇ ରଖିପାରିବ। ଆପଣ ଚାହିଁଲେ, ପାଣିରେ ହେଙ୍ଗୁ ପାଉଡର ମିଶାଇ ମଧ୍ୟ ଏହାକୁ ସେବନ କରିପାରିବେ। ଆସନ୍ତୁ ଜାଣିବା ହେଙ୍ଗୁ ପାଣି ପିଇବାର କ’ଣ ଲାଭ ଅଛି।
ହେଙ୍ଗୁ ଦେଇଥାଏ ଏହି ସବୁ ଲାଭ:
– ହେଙ୍ଗୁ ରେ ଥିବା ପୋଷକ ତତ୍ତ୍ୱ ପାଚନ ପ୍ରଣାଳୀ, ହୃଦୟ, ଶରୀରରେ ଫୁଲା, କର୍କଟ ରୋଗ, ମଧୁମେହ ଇତ୍ୟାଦି ପାଇଁ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ। ଏହା କୋଷ୍ଠକାଠିନ୍ୟ, ବଦହଜମୀ, ଗ୍ୟାସ୍, ବଦହଜ ଇତ୍ୟାଦି ସମସ୍ୟାକୁ ମଧ୍ୟ ଦୂର କରେ।
– ହେଙ୍ଗୁ ପାଣି ପିଇବା ଦ୍ୱାରା ଶରୀରକୁ ମୁକ୍ତ ରାଡିକାଲ୍ସ ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା ମିଳିଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ସହିତ, ଶରୀରକୁ , ହୃଦରୋଗ, ମଧୁମେହ ଇତ୍ୟାଦିରୁ ରକ୍ଷା କରାଯାଇପାରିବ।
ଯେଉଁମାନଙ୍କର ଓଜନ କ୍ରମାଗତ ଭାବରେ ବଢ଼ୁଛି, ସେମାନେ ମଧ୍ୟ ନିଜ ଖାଦ୍ୟରେ ହେଙ୍ଗୁ ସାମିଲ କରିବା ଉଚିତ। ଏହା ପାଚନକ୍ରିୟାକୁ ଉନ୍ନତ କରେ।
– ହେଙ୍ଗୁ ସାମଗ୍ରିକ ସ୍ୱାସ୍ଥ୍ୟ ସହିତ ଚର୍ମ ପାଇଁ ମଧ୍ୟ ଲାଭଦାୟକ। ହେଙ୍ଗୁ ଖାଇବା ଦ୍ୱାରା କମ ବୟସରେ ଦାଗ, ସୂକ୍ଷ୍ମ ରେଖା, ବାର୍ଦ୍ଧକ୍ୟ ଲକ୍ଷଣ, ରଙ୍ଗ ପରିବର୍ତ୍ତନ, ବ୍ରଣ ଏବଂ ଦାଗ ଦୂର ହୋଇଯାଏ।
– ନିୟମିତ ଭାବରେ ହେଙ୍ଗୁ ପାଣି ପିଇବା ଦ୍ୱାରା ମଧ୍ୟ ମଧୁମେହ ରୋଗରେ ବହୁତ ଆରାମ ମିଳିଥାଏ। ଏହାର ନିୟମିତ ସେବନ ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ।
ଆପଣ ସକାଳେ କିମ୍ବା ରାତିରେ ଶୋଇବା ପୂର୍ବରୁ ହେଙ୍ଗୁ ପାଣି ପିଇଲେ ମିଳିବ ଏହି ସବୁ ଫାଇଦା ।
ଖଜୁରୀରୁ କେତେ ରୋଜଗାର କରନ୍ତି ସାଉଦି ଆରବିଆନ୍ ଜାଣନ୍ତୁ …
ଆରମ୍ଭ ହେବାକୁ ଯାଉଛି ଇସଲାମର ପବିତ୍ର ମାସ ରମଜାନ । ଯାହାକୁ ନେଇ ସାରା ବିଶ୍ବର ମୁସଲମାନ ସମ୍ପ୍ରଦିୟ ଲୋକ ବ୍ୟସ୍ତରେ ଅଛନ୍ତି । ଏହି ମାସଟି ସେମାନଙ୍କ ପାଇଁ ବେଶ୍ ଗରୁତ୍ବପୂର୍ଣ୍ଣ ହୋଇଥାଏ । ଏହା ସହିତ ଅନେକ ବ୍ୟବସାୟୀଙ୍କ ପାଇଁ ତାଙ୍କ ବ୍ୟବସାୟରେ ମଧ୍ୟ ଅନେକ ଲାଭ ଆଣିଥାଏ । ୩୦ ଦିନ ଧରି ପାଳନ କରୁଥିବା ଉପବାସରେ ଖଜୁରକୁ ଏକ ବିଶେଷ ଫଳ ଭାବରେ ବିବେଚନା କରାଯାଏ । ରମଜାନ ମାସରେ ସର୍ବାଧିକ ବିକ୍ରି ହେଉଥିବା ସାମଗ୍ରୀ ତାଲିକାରେ ଖଜୁରୀ ଶୀର୍ଷରେ ରହିଥାଏ। ସାଉଦି ଆରବ କେବଳ ତେଲ ବିକ୍ରି କରେ ନାହିଁ ବରଂ ଏହା ଖଜୁରୀର ସବୁଠାରୁ ବଡ଼ ଉତ୍ପାଦକ ମଧ୍ୟ।ସାଉଦି ଆରବରୁ ଖଜୁରୀ ସାରା ବିଶ୍ବକୁ ରପ୍ତାନି କରାଯାଏ । ଏବଂ ଏହି ରମାଜାନ ମାସରେ ଏହାର କ୍ରୟ ବହୁ ଗୁଣ ବୃଦ୍ଧି ପାଏ ।ଏକ ରିପୋର୍ଟ ଅନୁଯାୟୀ ସାଉଦି ଆରବ କେବଳ ଏହି ରମଜାନ ମାସରେ ୭୦ ପ୍ରତିଶ୍ରତ ବୃଦ୍ଧି ହୋଇଥାଏ ।
ଖଜୁରୀରୁ କେତେ ରୋଜଗାର କରନ୍ତି ସାଉଦି ଆାରବ:
ସାଉଦି ଆରବର ପରିବେଶ, ଜଳ ଏବଂ କୃଷି ମନ୍ତ୍ରଣାଳୟ ରିପୋର୍ଟ କରିଛି ଯେ ସାଉଦି ଆରବରୁ ଖଜୁରୀ ରପ୍ତାନି ୨୦୨୩ ମସିହାରେ ପୂର୍ବ ବର୍ଷ ତୁଳନାରେ ୫.୪ ପ୍ରତିଶତ ବୃଦ୍ଧି ପାଇ ୧.୨୮ ବିଲିୟନ ସାଉଦି ରିୟାଲ (୩୪୦ ନିୟୁତ ଆମେରିକୀୟ ଡଲାର) ହୋଇଛି।
ତଥ୍ୟ ଦର୍ଶାଉଛି ଯେ ରାଜ୍ୟ ୩୦୦ ରୁ ଅଧିକ ପ୍ରକାରର ଖଜୁରୀ ରପ୍ତାନି କରିଥିଲା, ଯାହା ମୂଲ୍ୟ ଦୃଷ୍ଟିରୁ ୧୧୩ଟି ଦେଶ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି, ଅନ୍ତର୍ଜାତୀୟ ବାଣିଜ୍ୟ କେନ୍ଦ୍ର ଅନୁଯାୟୀ ସାଉଦି ଆରବ ୧୧୩ ଟି ଦେଶ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି ।
ରମଜାନ ସମୟରେ ସାଉଦି ଆରବ ବିଭିନ୍ନ ଦେଶକୁ ପଠାଏ ଉପହାର :
ସାଉଦି ଆରବର ଲୋକ ମାନେ ଖୁବ୍ ସ୍ନେହି । ତାଙ୍କ ଭିତରେ ଭରି ରହିଛି ଭାଇଚାରା । ଦେଶ ଦେଶ ଭିତରେ ଭଲ ସମ୍ପର୍କ ବଜାୟ ରଖିବା ଦୃଷ୍ଟି କୋଣରୁ ରମଜାନ ଅବସରରେ ୧୧୨ଟି ଦେଶକୁ ଖଜୁରୀ ପଠାଯାଏ ।ଏହି ବର୍ଷ ସାଉଦି ଆରବ ସରକାର ବିଶ୍ୱର ୧୦୨ଟି ଦେଶକୁ ଉପହାର ସ୍ୱରୂପ ୭୦୦ ଟନ୍ ଖଜୁର ପଠାଇଛନ୍ତି। ଏହି ଉପହାରଗୁଡ଼ିକ ରାଜା ସଲମାନଙ୍କ ଦ୍ୱାରା ପଠାଯାଉଛି।ଏହା ପ୍ରଥମ ଥର ନୁହେଁ, ସାଉଦି ଆରବ ପ୍ରତିବର୍ଷ ଏହା କରେ ଏବଂ ଏହି ବର୍ଷ ମଧ୍ୟ ପରମ୍ପରା ଜାରି ରହିଛି। ଚଳିତ ବର୍ଷ, ଗତ ବର୍ଷ ତୁଳନାରେ ୨୦୦ ଟନ୍ ଅଧିକ, ଅର୍ଥାତ୍ ୭୦୦ ଟନ୍ ଖଜୁରୀ ଅନ୍ୟ ଦେଶକୁ ପଠାଯିବ। ଏହି କାର୍ଯ୍ୟକ୍ରମ ସାଉଦିର ଇସଲାମିକ୍ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ତଦାରଖ କରାଯାଉଛି।
ଅନୁଗୁଳ ଗାନ୍ଧୀ ମାର୍ଗରେ ଲୁଟ, ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲୁଟିନେଲେ ୧୦ ଲକ୍ଷ..
ନନ୍ଦିଘୋଷ ବ୍ୟୁରୋ: ଅନୁଗୁଳ ଗାନ୍ଧୀ ମାର୍ଗରେ ଲୁଟ । ଦିନ ଦ୍ଵୀପହରରେ ଲୁଟି ନେଲେ ୧୦ ଲକ୍ଷ ଟଙ୍କା । ଗାନ୍ଧୀ ମାର୍ଗର ଅମଲାପଡ଼ା ନିକଟ ପେଟ୍ରୋଲ ପମ୍ପର ମ୍ୟାନେଜର ବଶିଷ୍ଠ ସାହୁ ଓ ଅନ୍ୟ ଜଣେ କର୍ମଚାରୀଙ୍କଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସ୍କୁଟିରେ ଗାନ୍ଧୀ ମାର୍ଗ ଛକ ନିକଟରେ ଥିବା ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଉଥିବା ବେଳେ ଟଙ୍କା ବ୍ୟାଗ ଛଡ଼ାଇ ନେଲେ ଦୁର୍ବୃତ୍ତ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନିକଟରେ ଥିବା ହମ୍ପସରେ ତାଙ୍କ ସ୍କୁଟି ପାର ହେଉଥିବା ବେଳେ ହଠାତ ଏକ ବାଇକରେ ୩ଜଣ ଦୁର୍ବୃତ୍ତ ଆସି ତାଙ୍କ ହାତକୁ ବାଡେଡ଼େଇ ଥିଲେ । ସେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ତାଙ୍କଠାରୁ ଟଙ୍କା ବ୍ୟାଗ ଛଡ଼ାଇ ନେଇ ଚମ୍ପଟ ମାରିଥିଲେ। ଏ ନେଇ ବଶିଷ୍ଠ ଅନୁଗୁଳ ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପାକିସ୍ତାନ ବିପକ୍ଷ ମ୍ୟାଚରେ ରୋହିତ ବାହିନୀର ବିରାଟ ବିଜୟ ପରେ ଭୟଙ୍କର ଟ୍ରୋଲ ହେଉଛନ୍ତି IIT ବାବା
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ବିପକ୍ଷରେ ଭାରତର ମ୍ୟାଚ୍ ବିଷୟରେ ଭୁଲ ଭବିଷ୍ୟବାଣୀ ପାଇଁ ସୋସିଆଲ ମିଡିଆରେ ଆଇଆଇଟିଆନ୍ ବାବା ଅଭୟ ସିଂହଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ରବିବାର ଚାମ୍ପିଅନ୍ସ ଟ୍ରଫି ମ୍ୟାଚରେ ଭାରତ ପାକିସ୍ତାନକୁ ପରାସ୍ତ କରିବା ପରେ, ଦେଶ ଉତ୍ସବର ମଜା ଉଠାଇଥିଲା। ଦୁଇ ଦେଶ ମଧ୍ୟରେ କ୍ରିକେଟ୍ ପ୍ରତିଦ୍ୱନ୍ଦ୍ୱିତା କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା ଯେତେବେଳେ ପ୍ରଶଂସକମାନେ ସୋସିଆଲ ମିଡିଆରେ ଭାରତୀୟ ଦଳ ବିଶେଷକରି ବିରାଟ କୋହଲିଙ୍କୁ ପ୍ରଶଂସା କରିବାକୁ ଲାଗିଥିଲେ ଯାହାଙ୍କ ଗୁରୁତ୍ୱପୂର୍ଣ୍ଣ ଶତକ ଭାରତକୁ ସହଜ ବିଜୟ ପ୍ରଦାନ କରିଥିଲା। ଏହି ଉତ୍ସବ ମଧ୍ୟରେ, ଆଉ ଜଣେ ବ୍ୟକ୍ତି ଯାହାଙ୍କ ନାମ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା ସେ ହେଲେ ଅଭୟ ସିଂହ, ଯିଏକି ଏରୋସ୍ପେସ୍ ଇଞ୍ଜିନିୟରରୁ ସାଧୁ ପାଲଟିଛନ୍ତି, ଯିଏକି ‘ଆଇଆଇଟିଆନ୍ ବାବା’ ଭାବରେ ଜଣାଶୁଣା।
ମହାକୁମ୍ଭ ସମୟରେ ଚର୍ଚ୍ଚାରେ ଆସିଥିବା ପୂର୍ବତନ ଆଇଆଇଟି-ମୁମ୍ବାଇ ସ୍ନାତକ ପୂର୍ବରୁ ଏକ ପଡକାଷ୍ଟରେ ଦେଖା ଦେଇଥିଲେ ଏବଂ ଆତ୍ମବିଶ୍ୱାସର ସହିତ ଦାବି କରିଥିଲେ ଯେ ଭାରତ ପାକିସ୍ତାନ ବିପକ୍ଷରେ ଜିତିପାରିବ ନାହିଁ। “ଇସ୍ ବାର୍ ଇଣ୍ଡିଆ ନହିଁ ଜିତେଗି। ବିରାଟ କୋହଲି ଔର ସବକୋ ବୋଲ୍ ଦୋ କି ଜିତ କେ ଦିଖା ଦେଇ। ମୈନେ ବୋଲା ନହିଁ ଜିତେଗି ଇଣ୍ଡିଆ ତୋ ନାହି ଜିତେଗି। (ଭାରତ ଏଥର ଜିତିବ ନାହିଁ। ବିରାଟ କୋହଲି ଏବଂ କମ୍ପାନୀକୁ କୁହନ୍ତୁ ଯେ ଜିତିବା ପାଇଁ ସର୍ବୋତ୍ତମ ଚେଷ୍ଟା କରନ୍ତୁ କିନ୍ତୁ ସେମାନେ ଜିତିପାରିବେ ନାହିଁ। ଯଦି ମୁଁ କହେ ଯେ ସେମାନେ ଜିତିବେ ନାହିଁ, ତେବେ ସେମାନେ ଜିତିବେ ନାହିଁ,” ସେ ଭବିଷ୍ୟବାଣୀ କରିଥିଲେ। ଭାରତର ବିଜୟ ପରେ, ସୋସିଆଲ ମିଡିଆ ମିମ୍ସ ମାଧ୍ୟମରେ ତଥାକଥିତ ସାଧୁଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛି ଏବଂ ଅନେକ ବ୍ୟବହାରକାରୀ କଣ୍ଟେଣ୍ଟ କ୍ରିଏଟରଙ୍କୁ ତାଙ୍କୁ ଠକ ବୋଲି କହି ସେମାନଙ୍କ ପୋଡକାଷ୍ଟକୁ ନିମନ୍ତ୍ରଣ କରିବା ବନ୍ଦ କରିବାକୁ ଅନୁରୋଧ କରିଛନ୍ତି।
MBA ଚାଇ ୱାଲା ଗ୍ରୁପର ପ୍ରତିଷ୍ଠାତା ପ୍ରଫୁଲ୍ଲ ବିଲ୍ଲୋର ମଧ୍ୟ ତାଙ୍କ ପଦବୀରୁ ଇସ୍ତଫା ଦେଇ ଏକ ପୋଷ୍ଟ ସେୟାର କରିଛନ୍ତି “ପଣୌତି” କିମ୍ବା ଟିମ୍ ଇଣ୍ଡିଆ ପାଇଁ ଦୁର୍ଭାଗ୍ୟବଶତଃ, ଯାହା ସୂଚାଇ ଦେଇଛି ଯେ IITian ବାବା ଏବେ ଦାୟିତ୍ୱ ନେଇପାରିବେ। ଅଧିକାଂଶ ପୋଷ୍ଟରେ ଭାଇରାଲ୍ ‘ବାବା’ଙ୍କୁ ଭବିଷ୍ୟବାଣୀ କରିବା ବନ୍ଦ କରିବାକୁ ଦାବି କରାଯାଇଥିଲା, ତାଙ୍କୁ ଲାଇମଲାଇଟ୍ରୁ ଦୂରେଇ ରହିବାକୁ କୁହାଯାଇଥିଲା।
କ୍ଷମା ମାଗିଲେ ଆଇଆଇଟିଆନ୍ ବାବା
ତାଙ୍କ ଭୁଲ ଭବିଷ୍ୟବାଣୀ ପାଇଁ ତାଙ୍କୁ ଅନେକ ଟ୍ୱିଟ୍ କରି ସମାଲୋଚନା କରିବା ପରେ, ଅଭୟ ସିଂହ X କୁ ଯାଇ ତାଙ୍କ ଭବିଷ୍ୟବାଣୀ ପାଇଁ କ୍ଷମା ମାଗି ଏକ ପୋଷ୍ଟ ସେୟାର କରିଥିଲେ ଏବଂ ବିରାଟ କୋହଲି ଏବଂ ଟିମ୍ ଇଣ୍ଡିଆର ବିଜୟ ପରେ ଉତ୍ସବ ପାଳନ କରୁଥିବାର ଫଟୋ ପୋଷ୍ଟ କରିଥିଲେ।
“ମୁଁ ସାର୍ବଜନୀନ ଭାବରେ କ୍ଷମା ମାଗିବାକୁ ଚାହୁଁଛି ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ଉତ୍ସବ ପାଳନ କରିବାକୁ କହିବାକୁ ଚାହୁଁଛି, ଏହା ପାର୍ଟିର ସମୟ। ମୁଝେ ମନ ହି ମନ ପତା ଥା କି ଇଣ୍ଡିଆ ଜିତେଗା। (ମୁଁ ହୃଦୟରେ ଜାଣିଥିଲି ଯେ ଭାରତ ଜିତିବ।),” ସେ କହିଥିଲେ।
ବେଆଇନ ଭାବେ ଗୋଚର ଜମିରେ ଗଢ଼ି ଉଠିଛି କାରଖାନା, ଉଚ୍ଛେଦ ଦାବିରେ ଆମରଣ ଅନଶନ
ନନ୍ଦିଘୋଷ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ତହସିଲ ଅନ୍ତର୍ଗତ ପଣ୍ଡକିଟାଲ ଠାରେ ବେଆଇନ ଭାବେ ଗୋଚର ଜମିରେ ଗଢ଼ି ଉଠିଛି କାରଖାନା । ଏକର ଏକର ଜମିକୁ କବ୍ଜା କରିଛନ୍ତି ଠିକାଦାର । ଏହାର ଉଚ୍ଛେଦ ଦାବି କରି ଆଜି ରାମପୁର ତହସିଲ ଅଫିସ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ପଣ୍ଡକିଟାଲ ସଚେତନନାଗରିକ । ରାମପୁର ତହସିଲ ଅନ୍ତର୍ଗତ ପଣ୍ଡକିଟାଲ ମୌଜାର ଗୋଚର ଜମିକୁ ଦୀର୍ଘ ବର୍ଷ ହେବ ଅକ୍ତିଆର କରି ରଖିଛି ଜଣେ ଠିକାଦାର । ପ୍ରଶାସନ କିନ୍ତୁ ଗୋଟିଏ ବର୍ଷ ରୁ ଉର୍ଦ୍ଧ ସମୟ ହେବ ଏକ ନୋଟିସ ଜାରି କରି ଚୁପ୍ ବସିଛି । ଏହାର ଉଚ୍ଛେଦ ଦାବି କରି ଗାଁର ୩ ଜଣ ସଚେତନ ନାଗରିକ ତହସିଲ ଅଫିସ ସମ୍ମୁଖରେ ଅନିର୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିଛନ୍ତି ।

