spot_img
Home Blog Page 1116

ପ୍ରୟାଗରାଜ ମହାକୁମ୍ଭରେ ଟଳିଲା ବଡ଼ ଦୁର୍ଘଟଣା ; ଅଳ୍ପକେ ବର୍ତ୍ତିଲେ ୧୭ ଶ୍ରଦ୍ଧାଳୁ

ନନ୍ଦିଘୋଷ ବ୍ୟୁରୋ : ପ୍ରୟାଗରାଜ ମହାକୁମ୍ଭରେ ଟଳିଲା ବଡ଼ ଦୁର୍ଘଟଣା । ହଠାତ୍ ବୁଡିବାକୁ ଲାଗିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ୧୭ ଶ୍ରଦ୍ଧାଳୁ । ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ମହାକୁମ୍ଭ ମେଳା । ନିକଟ ଅତୀତରେ ମହାକୁମ୍ଭରେ ପ୍ରବଳ ଭିଡ଼ ଯୋଗୁଁ ଅନେକ ଦୁର୍ଘଟଣା ଘଟିସାରିଲାଣଶି । ଏହାରି ମଧ୍ୟରେ ଅଳ୍ପକରେ ଟଳିଛି ବଡ଼ ବିପଦ । ସୂଚନା ଅନୁସାରେ ସଙ୍ଗମ ମଝିରେ ବୁଡ଼ ପକାଇବାକୁ ଯାଉଥିବା ଏକ ଡଙ୍ଗା ହଠାତ୍ ବୁଡ଼ିବାକୁ ଆରମ୍ଭ କଲା । ଯେଉଁଥିରେ ପାଖାପାଖି ୧୭ଜଣ ଥିଲେ । ଏନଡିଆରଏଫ୍ ଏବଂ ଏସଡିଆରଏଫ କର୍ମୀଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଛି ।

ଏନଡିଆରଏଫର ଜଣେ କର୍ମଚାରୀ କହିଛନ୍ତି ଯେ, ୧୭ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ନିୟନ୍ତ୍ରଣ ହରାଇ ବୁଡିବାକୁ ଲାଗିଥିଲା । ସେହି ସମୟରେ ଡଙ୍ଗାରେ ଥିବା ଭକ୍ତ ମାନେ ସାହାଯ୍ୟ ପାଇଁ ଚିତ୍କାର କରିବାକୁ ଲାଗିଥିଲେ । ଏହି ସମୟରେ ଘଟଣାସ୍ଥଳରୁ ଅଳ୍ପ ଦୂରରେ ପାଟ୍ରୋଲିଂ କରୁଥିବା ଏନଡିଆରଏଫ୍ ଉଦ୍ଧାରକାରୀଦଳ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ସମସ୍ତ ଭକ୍ତଙ୍କୁ ଉଦ୍ଧାର କରିଥିଲେ ।

 

ଆସନ୍ତାକାଲି ଶେଷ ହେବ ମହାକୁମ୍ଭ ଯାତ୍ରା, ଅମୃତ ସ୍ନାନ ପାଇଁ ପ୍ରୟାଗରାଜରେ ଜମିବ ଅସମ୍ଭାଳ ଭିଡ଼

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା କାଲି ଶେଷ ହେବ ମହାକୁମ୍ଭ ସ୍ନାନ ଯାତ୍ରା । ଶୀବରାତ୍ରିରେ ଅମୃତ ସ୍ନାନ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ୟୁପି ପୋଲିସ । ଏହି ପବିତ୍ର ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ଦେଶର ପ୍ରତ୍ୟେକ କୋଣରୁ ଏବଂ ବିଦେଶରୁ ଭକ୍ତମାନଙ୍କର ପ୍ରବଳ ସମାଗମ ହେବାର ସମ୍ଭାବନା ରହିଛି। ଏହା ଯୋଗୁଁ ଯାନବାହନ ମଧ୍ୟ ବହୁ ସଂଖ୍ୟାରେ ପ୍ରୟାଗରାଜରେ ପହଞ୍ଚିବ। ସହରରେ ଭିଡ଼ ନିୟନ୍ତ୍ରଣ ପାଇଁ, ଉତ୍ତର ପ୍ରଦେଶ ପୋଲିସ ପାଞ୍ଚଟି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି। ସଙ୍ଗମରେ ପହଞ୍ଚିବା ପାଇଁ ଭକ୍ତମାନଙ୍କୁ ଯଥାସମ୍ଭବ କମ୍ ଚାଲିବାକୁ ପଡିବ।

ପୂର୍ବ ପାଞ୍ଚଟି ଅମୃତ ସ୍ନାନର ଅଭିଜ୍ଞତା ଆଧାରରେ, ସହରର ଚାପ ବିନ୍ଦୁ ଗୁଡ଼ିକୁ ଚିହ୍ନଟ କରାଯାଇଛି। ଏଠାରେ ଅତିରିକ୍ତ ପୋଲିସ କର୍ମଚାରୀ ମୁତୟନ କରାଯିବ। ଏହି ପଏଣ୍ଟଗୁଡ଼ିକ ଉପରେ ନିରନ୍ତର ନଜର ରଖାଯିବ ଏବଂ ଆବଶ୍ୟକ ହେଲେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଭକ୍ତମାନେ ରାସ୍ତାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବାକୁ ଏବଂ ସେମାନଙ୍କର ଯାତ୍ରା ଆରାମଦାୟକ ହେବା ପାଇଁ, କିଛି ସ୍ଥାନରେ ମାନବ ଶୃଙ୍ଖଳ ଗଠନ କରାଯିବ। ଭକ୍ତମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ। ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗାଯାଇଛି, ଯାହା ସିଧାସଳଖ ନିୟନ୍ତ୍ରଣ କକ୍ଷ ସହିତ ସଂଯୁକ୍ତ।

ଏଠାରେ ଜଣେ ଆଇପିଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି, ଯିଏ ନିୟନ୍ତ୍ରଣ କକ୍ଷରୁ ନିରନ୍ତର ନଜର ରଖିବେ। ଟ୍ରାଫିକ୍ ଜାମ୍ ପରିସ୍ଥିତିକୁ ଏଡାଇବା ପାଇଁ, 35ଟି ମୋବାଇଲ୍ ସ୍କ୍ୱାଡ୍ ନିୟୋଜିତ କରାଯାଇଛି । ଯେଉଁମାନେ ଗାଡ଼ି ଖରାପ ହେବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ ଗାଡ଼ିକୁ ବାହାର କରିବେ।ଶେଷ ଅମୃତ ସ୍ନାନ ଶିବରାତ୍ରିରେ ଥିବାରୁ, ସ୍ନାନ ପରେ ଅନେକ ଭକ୍ତ ଶିବ ମନ୍ଦିରକୁ ମଧ୍ୟ ଯିବେ। ଏହି କାରଣରୁ ମନ୍ଦିରଗୁଡ଼ିକରେ ଅଧିକ ଭିଡ଼ ହେବ। ଏହାକୁ ଧ୍ୟାନରେ ରଖି, ଶିବାଳୟଗୁଡ଼ିକ ଉପରେ ନଜର ରଖାଯିବ ଏବଂ ଫୋର୍ସ ମୁତୟନ କରାଯିବ।

ଓଡ଼ିଶାରେ ମୃଦୁ ଭୂମିକମ୍ପ ଝଟକା, ଥରିଲା ରାଜଧାନୀ

ନନ୍ଦିଘୋଷ ଟିଭି : ସକାଳୁ ସକାଳୁ ଓଡ଼ିଶାରେ ମୃଦୁ ଭୂମିକମ୍ପ ଅନୁଭୂତ । ସକାଳ ୬ଟା ୧୦ରେ ରାଜଧାନୀ ଭୁବନେଶ୍ୱର, ବାଲେଶ୍ୱର, ପାରାଦୀପରେ ଭୂକମ୍ପ ଅନୁଭୂତ ହୋଇଛି। ବଙ୍ଗୋପସାଗରେ ଭୂକମ୍ପର କେନ୍ଦ୍ରସ୍ଥଳର ରହିଥିବାବେଳେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୧ ରହିଛି। ପୁରୀରୁ ୨୮୬ ଓ ଭୁବନେଶ୍ୱରରୁ ୨୯୭ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି। ସେହିପରି ବ୍ରହ୍ମପୁରଠାରୁ ୩୯୪ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି। ତେବେ ଏହି ଭୂକମ୍ପର କୌଣସି କ୍ଷୟକ୍ଷତି ଖବର ବର୍ତ୍ତମାନ ସୁଦ୍ଧା ହସ୍ତକ୍ଷେପ ହୋଇନାହିଁ। ଭୂକମ୍ପ ପ୍ରଭାବରେ ଉପକୂଳ ଓଡ଼ିଶାରେ ସୁନାମୀ ଭୟ ରହିଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି। ଅନ୍ୟପକ୍ଷରେ ଭାରତ ଓ ବାଂଲାଦେଶରେ ମଧ୍ୟ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି।

ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ଜଳିଲା ବୃହତ୍ ଜଗତ ମଙ୍ଗଳ ଜାଗର ଦୀପ

ନନ୍ଦିଘୋଷ ବ୍ୟୁରୋ: ଜାଗର ଉପଲକ୍ଷେ ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ଜଳିଲା ବୃହତ୍ ଜଗତ ମଙ୍ଗଳ ଜାଗର ଦୀପ । ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ସନ୍ଧ୍ୟାରେ ଏହି ପଞ୍ଚଦଶ ତମ ବୃହତ୍ ଜଗତ ମଙ୍ଗଳ ଜାଗର ଦୀପ ଜଳାଯାଇଛି । ସନ୍ଧ୍ୟା ସମୟରେ ଏହି ବୃହତ୍ ଦୀପ ଶ୍ରୀଲୋକନାଥଙ୍କ ଗମ୍ଭିରାରୁ ଆସି ପ୍ରଜ୍ବଳନ କରାଯାଇଥିଲା । ପ୍ରତିବର୍ଷ ମାଟି ଦୀପ ଜଳାଯାଉଥିବାବେଳେ ଗତବର୍ଷ ଠାରୁ ଏହାକୁ ଅଷ୍ଟଧାତୁରେ ନିର୍ମାଣ କରାଯାଇଛି । ପ୍ରାୟ ୬ଫୁଟ ଲମ୍ବ ,୪ଫୁଟ ଓସାର ଏବଂ ୩ଫୁଟ ଗଭୀର ଏହି ଦୀପରେ ଦେଢ଼ କୁଇଣ୍ଟାଲ ଘିଅ ରହିପାରିବ । ପଙ୍କୋଦ୍ଧାର ଏକାଦଶୀ ସନ୍ଧ୍ୟାରୁ ଜାଗର ଦିନ ଶ୍ରୀଲୋକନାଥଙ୍କ ମହାଦୀପ ଉଠିବା ପର୍ଯ୍ୟନ୍ତ ଏହା ପ୍ରଜ୍ବଳିତ ହେବ । ୬ ଇଞ୍ଚ ଚଉଡ଼ା ଏବଂ ୧୦ମିଟର ଲମ୍ବ ବଳିତା ଏହି ଦୀପରେ ବ୍ୟବହାର କରାଯାଇଛି । ବିଶ୍ଵଶାନ୍ତି ତଥା ଜଗତ କଲ୍ୟାଣ ପାଇଁ ଏହି ଦୀପ ପ୍ରତ୍ୟେକ ବର୍ଷ ଶ୍ରୀଲୋକନାଥଙ୍କ ପୀଠରେ ପ୍ରଜ୍ବଳନ କରାଯାଉଛି ।

ବେଲଗୁଣ୍ଠା ବ୍ଲକ ଅଧକ୍ଷ ପଦ ନିର୍ବାଚନ ରେଜଲ୍ଟ : ନିର୍ବାଚିତ ହେଲେ ବିଜେଡି ସମର୍ଥିତ ପ୍ରାର୍ଥୀ ମମତା ଭୋଳ

ନନ୍ଦିଘୋଷ ବ୍ୟୁରୋ: ବେଲଗୁଣ୍ଠା ବ୍ଲକ ଅଧ୍ଯକ୍ଷା ଭାବେ ନିର୍ବାଚିତ ହେଲେ ମମତା ଭୋଳ । ୧୭ ଜଣ ସମିତିସଭ୍ୟଙ୍କ ମଧ୍ୟରୁ ୯ ଜଣ ମମତା ଭୋଳଙ୍କୁ ମତଦାନ କରିଥିବା ବେଳେ ବିପକ୍ଷରେ ଗୀତାଞ୍ଜଳି ବିଶୋଇଙ୍କୁ ୮ଟି ଭୋଟ ମିଳିଥିଲା । ନିର୍ବାଚନ ଅଧିକାରୀ ମମତା ଭୋଳଙ୍କୁ ଅଧକ୍ଷ ପଦ ପାଇଁ ବିଜେତା ଘୋଷଣା କରିଛନ୍ତି । ବେଲଗୁଣ୍ଠା ବ୍ଲକ ଅଧକ୍ଷ ପ୍ରଶାନ୍ତ ନାୟକଙ୍କ ମୃତ୍ୟୁ ପରେ ଦୀର୍ଘ ୪ ମାସ ଧରି ଅଧକ୍ଷ ପଦ ଖାଲି ପଡ଼ିଥିଲା । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ୧୭ ଜଣ ସମିତିସଭ୍ୟଙ୍କ ଉପସ୍ଥିତିରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗତ ଜାନୁଆରୀ ୩୦ ତାରିଖ ଦିନ ନିର୍ବାଚନ ହୋଇଥିଲା । ତତ୍କାଳୀନ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଫଳାଫଳକୁ ସ୍ଥଗିତ ରଖାଯାଇଥିଲା । ଗତ ୨୦ ତାରିଖ ଦିନ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଆଜି ବେଲଗୁଣ୍ଠା ବ୍ଲକ ପରିସରରେ ବୁଗୁଡ଼ା ତହସିଲଦାର ତଥା ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତରେ ଭୋଟ ବାକ୍ସ ଖୋଲାଯାଇ ଗଣତି କରାଗଲା । ମମତା ଭୋଳ ବିଜୟୀ ହେଲା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

ସରକାର ପରିବର୍ତ୍ତନ ପରେ ସରକାରୀ ବ୍ୟବସ୍ଥାକୁ ଚଳୁ କରିଦେଇଛନ୍ତି ସରକାରୀ ବାବୁ!

ନନ୍ଦିଘୋଷ ବ୍ୟୁରୋ: ସାପ କାମୁଡ଼ି ମରିବାର ୬ ମାସ ପରେ ବି ମିଳିନି ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା । ସରକାର ପରିବର୍ତ୍ତନ ପରେ ସରକାରୀ ବ୍ୟବସ୍ଥାକୁ ଚଳୁ କରିଦେଇଛନ୍ତି ସରକାରୀ ବାବୁ । ମୃତକଙ୍କ ପରିବାର ଆର୍ଆଇ, ତହସିଲଦାର ଓ ଜିଲ୍ଲାପାଳଙ୍କୁ ଗୁହାରି କଲା ପରେ ବି ସହାୟତା ମିଳିନାହିଁ । ଗଞ୍ଜାମ ଖଲ୍ଲିକୋଟ ପଥୁରା ନିବାସୀ ଲକ୍ଷ୍ମୀକାନ୍ତ ବେହେରାଙ୍କ ୫ ବର୍ଷର ପୁଅର ମୁଣ୍ଡକୁ ବିଷଧର ସାପ କାମୁଡି ପ୍ରାଣହାନୀ ଘଟିଲା । ପଚାରିଲେ ରାଜସ୍ବ ମନ୍ତ୍ରୀ କହୁଛନ୍ତି, ତାଙ୍କ ଦୃଷ୍ଟିକୁ ଆସିନାହିଁ । ଯାହାକୁ ନିନ୍ଦା କରିଛନ୍ତି ବିରୋଧୀ ।

ସରକାରୀ ବ୍ୟବସ୍ଥାକୁ ଫୁ କରିଦେଉଛନ୍ତି ସରକାରୀ ବାବୁ । ରାଜସ୍ବ ମନ୍ତ୍ରୀଙ୍କ ବିଭାଗରେ ଚରମ ଅବହେଳା । ବିଷଧର ସାପ କାମୁଡ଼ି ୫ ବର୍ଷ ପୁଅର ଜୀବନ ଗଲା । ୬ ମାସ ପରେ ବି ମିଳିନି ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି । ଆରଆଇ, ତହସିଲ, ଜିଲ୍ଲାପାଳଙ୍କୁ ଗୁହାରୀ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ । ରାଜସ୍ବ ମନ୍ତ୍ରୀଙ୍କ ଉତ୍ତର ତାଙ୍କ ଦୃଷ୍ଟିକୁ ଆସିଲେ ଧଡ଼ାଧଡ଼ ଟଙ୍କା ମିଳିବ । ସରକାର ପରିବର୍ତ୍ତନ ପରେ ଏ ହେଉଛି ମୋହନ ସରକାରଙ୍କ ବ୍ୟବସ୍ଥା । ଯାହାର ଯାହା ହେବ ଏଣିକି ବିଭାଗୀୟ ମନ୍ତ୍ରୀଙ୍କ ଦପ୍ତରକୁ ଆସି ଗୁହାରୀ କରିବେ କି ଲୋକେ ? ଘଟଣାଟି ଏପରି । ୨୦୨୪ ଅଗଷ୍ଟ ୨୩ ତାରିଖରେ ଗଞ୍ଜାମ ଖଲ୍ଲିକୋଟ ପଥୁରା ନିବାସୀ ଲକ୍ଷ୍ମୀକାନ୍ତ ବେହେରାଙ୍କ ୫ ବର୍ଷର ପୁଅ ପ୍ରବୀଣର ମୁଣ୍ଡକୁ ବିଷଧର ସାପ କାମୁଡିଲା । ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ତାକୁ ଆଣ୍ଟି ସ୍ନେକ ଭେନମ୍ ଇଞ୍ଜେକସନ୍ ନ ଦେଇ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ରେଫର କରିଦେଲେ । ଆମ୍ବୁଲାନ୍ସରେ ରୋଗୀକୁ ଅକ୍ସିଜେନ୍ ଲଗାଇ ଭୁବନେଶ୍ବର ଅଣାଗଲା । କିନ୍ତୁ ୧୫ କିଲୋମିଟର ଆସିବା ପରେ ଅକ୍ସିଜେନ୍ ସରିଗଲା । ପୁଣିଥରେ ଆମ୍ବୁଲାନ୍ସ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଫେରି ଆଉ ଗୋଟିଏ ଆମ୍ବୁଲାନ୍ସରେ ରୋଗୀକୁ ଧରି କ୍ୟାପିଟାଲ ହସ୍ପିଟାଲ ପହଞ୍ଚିଲାବେଳକୁ ପ୍ରବୀଣର ପ୍ରାଣବାୟୁ ଉଡିଯାଇଥିଲା । ବିଷଧର ସାପ କାମୁଡ଼ାରେ ପ୍ରବୀଣର ଜୀବନ ଯାଇଥିବା ଗତବର୍ଷ ଅଗଷ୍ଟ ୩୧ ତାରିଖରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଶବବ୍ୟବଚ୍ଛେଦ ରିପୋର୍ଟ ଦେଲେ । ହେଲେ ଏ ପର୍ଯ୍ୟନ୍ତ ଟଙ୍କାଟିଏ ସହାୟତା ମିଳିନାହିଁ । କେନ୍ଦ୍ର ସରକାରଙ୍କ ନିୟମ ରହିଛି, ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ହେଲେ ୨୪ ଘଣ୍ଟା ଭିତରେ କ୍ଷତିଗ୍ରସ୍ତ ପରିବାର ଦୁଆରେ ସରକାରଙ୍କ ପକ୍ଷରୁ ଅନୁକମ୍ପା ରାଶିର କିଛି ଅଂଶ ପ୍ରଦାନ କରାଯିବ ।

ରାଜସ୍ବ ବିଭାଗର ଏପରି ଅବହେଳାକୁ ନେଇ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ । ପୂର୍ବ ବିଜେଡି ସରକାର ସମୟରେ ଏପରି ଅବହେଳା ଦେଖିବାକୁ ମିଳୁନଥିଲା । କଂଗ୍ରେସ ଅଭିଯୋଗ କରିଛି ଏ ସରକାରରେ ମନ୍ତ୍ରୀଙ୍କ କଥା ବାବୁ ଶୁଣୁନାହାନ୍ତି । ଅତୀତରେ ବି ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି । ଶାସନ ବଦଳିଲେ ବ୍ୟବସ୍ଥା ବଦଳେନି । କିନ୍ତୁ ଏବେ ଗୋଟିଏ ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି । ସାପ କାମୁଡ଼ା, ପାଣିରେ ବୁଡ଼ି କିମ୍ବା ବଜ୍ରପାତ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କା ସହାୟତା ମିଳିଥାଏ । ରାଜସ୍ବ ବିଭାଗ ଅଧୀନରେ ଥିବା ଏସ୍ଆର୍ସିଙ୍କ ପକ୍ଷରୁ ସବୁ ଜିଲ୍ଲା ପ୍ରଶାସନକୁ ଷ୍ଟାଣ୍ଡିଂ ନିର୍ଦ୍ଦେଶ ରହିଛି । ଏହାକୁ କାର୍ଯ୍ୟକାରୀ କରିବାରେ ଅସୁବିଧା ରହିଲା କେଉଁଠି ? ମୃତକର ପୋଷ୍ଟମର୍ଟମ ରିପୋର୍ଟ ଥାଇ କାହିଁକି ପରିବାର ସଦସ୍ୟ ସରକାରୀ ଦପ୍ତରର ଚକ୍କର କାଟିବେ ।

ଅନୁକମ୍ପା ରାଶି ମିଳୁନି । ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ବାସ୍ଥ୍ୟ ଅଧିକାରୀ ଯଦି ସାପ କାମୁଡ଼ା ଇଞ୍ଜେକ୍ସନ୍ ତତକ୍ଷଣାତ ଦେଇଥାନ୍ତେ ତାହେଲେ ସ୍ଥିତି କିଛି ଭିନ୍ନ ହୋଇଥାନ୍ତା । ଆମ୍ବୁଲାନ୍ସରେ ଅକ୍ସିଜେନ୍ ପୂରା ରହିଲାନି କେମିତି ? ଖୋଦ ଆଇନମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ସ୍ବାସ୍ଥ୍ୟସେବା ଏକ ପ୍ରକାର ଠପ୍ । ତାହେଲେ ରାଜ୍ୟରେ ସ୍ବାସ୍ଥ୍ୟସେବା କେମିତି ଚାଲିଛି ଏଥିରୁ ଜଳଜଳ ବାରି ହୋଇପଡ଼ୁଛି । ଏବେ ଲକ୍ଷ୍ମୀକାନ୍ତଙ୍କ ପୁଅ ତ ଫେରିବନି । ଅବହେଳା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି ? ନା ଏଥିପାଇଁ କ୍ଷତିଗ୍ରସ୍ତଙ୍କୁ ମନ୍ତ୍ରୀଙ୍କ ଦ୍ବାରସ୍ଥ ହେବାକୁ ପଡ଼ିବ ?

ଓଡ଼ିଆ ଅସ୍ମିତା ରକ୍ଷା ଦିଗରେ ସରକାରଙ୍କ କୌଣସି ଆନ୍ତରିକତା ନାହିଁ

ନନ୍ଦିଘୋଷ ବ୍ୟୁରୋ: ସଙ୍କଟରେ ଓଡ଼ିଶାର ଭାସ୍କର୍ଯ୍ୟ। କଳା ଓ କଳାକାର ଉଭୟ ଆଶା ଆଶଙ୍କାରେ । ଓଡ଼ିଆ ଅସ୍ମିତା କଥା ସରକାର ବାରମ୍ବାର କହୁଛନ୍ତି । ଓଡ଼ିଶାର କଳା, ସଂସ୍କୃତି, ଭାସ୍କର୍ଯ୍ୟ ଅସ୍ମିତାର ପରିଚୟ ହୋଇଥିଲେ ବି ସରକାରଙ୍କ ପ୍ରୋତ୍ସାହନ ଅଭାବ ଏହି ଶିଳ୍ପକୁ ରୁଗଣ କରୁଛି। କଞ୍ଚାମାଲ ଯୋଗାଣ ଠାରୁ ଆରମ୍ଭ କରି ମାର୍କେଟ ଲିଙ୍କେଜ, ବୈଷୟିକ ଜ୍ଞାନ କୌଶଳ, ଡିଜାଇନ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଅଭିଯୋଗ କରିଛନ୍ତି ପଦ୍ମ ବିଭୂଷଣ ଭାସ୍କର୍ଯ୍ୟ ଶିଳ୍ପୀ ଗୁରୁ ସୁଦର୍ଶନ ସାହୁ। କେବଳ ପଥର କାରିଗର ନୁହଁନ୍ତି, ହସ୍ତତନ୍ତ କାରିଗର ମଧ୍ୟ ଅନେକ ସମସ୍ୟାରେ ଅଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଏ ବାବଦରେ ରାଜ୍ୟ ସରକାରଙ୍କ ସହ କଥା ହେବେ ବୋଲି କହିଛନ୍ତି ।

ରାଜ୍ଯ ସରକାରଙ୍କ ଅସ୍ମିତା କେବଳ ଏକ ସ୍ଲୋଗାନ । ଓଡ଼ିଆ ଅସ୍ମିତା ରକ୍ଷା ଦିଗରେ ସରକାରଙ୍କ କୌଣସି ଆନ୍ତରିକତା ନାହିଁ । ତାର ପ୍ରମାଣ ହେଲା ପଥର ଶିଳ୍ପ ଓ କାରିଗରଙ୍କ ଭାଗ୍ଯ । ସେମାନଙ୍କ ଭାଗ୍ଯ ଏବେ ପଥର ତଳେ । ସଙ୍କଟରେ ପଡିଯାଇଛି ପଥର ଶିଳ୍ପ ଓ କାରିଗର। କୋଣାର୍କରେ ପଥରର କାରିଗରୀ ପାଇଁ ଓଡ଼ିଶା ଅନ୍ତଜାର୍ତୀୟ ସ୍ତରରେ ପରିଚୟ ପାଇଥିଲେ ବି ଏବେ ଏହା ରୁଗଣ ଅବସ୍ଥାରେ। ୧୩ଶହ ଶତାବ୍ଦୀର ଭାସ୍କର୍ଯ୍ୟ ପ୍ରତି ସରକାରଙ୍କ ଉଦାସୀନତା ଯୋଗୁଁ ପଥର ଖୋଦେଇ ଶିଳ୍ପ ବୁଡିବାକୁ ବସିଲାଣି। କାରଣ ସରକାର ଯାହା କହୁଛନ୍ତି, ତାହା କରୁନାହାନ୍ତି। ପ୍ରତିଶୃତି ଦେଉଛନ୍ତି, ହେଲେ କିଛି ବି ପାଳନ କରୁନାହାନ୍ତି । ପଥର ଖୋଦେଇ କାରିଗରଙ୍କ ପାଇଁ ସୁଲଭ ମୂଲ୍ୟରେ କଞ୍ଚାମାଲ ଯୋଗାଣ ଠାରୁ ଆରମ୍ଭ କରି ଏଥିପାଇଁ ଋଣ ବ୍ୟବସ୍ଥା, ମାର୍କେଟିଙ୍ଗ ବ୍ୟବସ୍ଥା, ଶିଳ୍ପୀ ସଂଘର ଅସୁବିଧା, ଭାସ୍କର୍ଯ୍ୟ ଶିଳ୍ପରେ ଟେକ୍ନୋଲୋଜିର ବ୍ୟବହାର, ଡିଜାଇନ ପାଇଁ ପ୍ରୋତ୍ସାହନ ବାବଦରେ ରାଜ୍ୟ ସରକାର କିଛି କରୁନାହାନ୍ତି । ଏଭଳି ଚାଲିଲେ ଓଡ଼ିଆ ଅସ୍ମିତାର ପ୍ରତୀକ ଭାସ୍କର୍ଯ୍ୟ ଶିଳ୍ପ ଇତିହାସ ହୋଇଯିବ ବୋଲି କ୍ଷୋଭର ସହ କହିଛନ୍ତି ପଦ୍ମ ବିଭୂଷଣ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ।

ସାଧାରଣତଃ ଶକ୍ତ ଗ୍ରାନାଇଟ୍, ଶକ୍ତ ବାଲି ପଥର, କଳା ମୁଗୁନି ପଥର ଖଣ୍ଡରୁ ଜୀବନ୍ତ ପ୍ରତିମୂର୍ତ୍ତି ପ୍ରସ୍ତୁତ କରିଥାଏ କାରିଗର। ବିଭିନ୍ନ ଦେବଦେବୀଙ୍କ ପଥର ମୂର୍ତ୍ତି, ଶିଳ, ଚନ୍ଦନ ପେଡ଼ି ଭଳି ଘରକରଣା ଦ୍ରବ୍ୟ ସହିତ ସୌନ୍ଦର୍ଯ୍ୟ ପାଇଁ ବିଭିନ୍ନ ଡିଜାଇନର ପଥର ଖଣ୍ଡର ଚାହିଦା ଅନେକ। ଏହାକୁ ପ୍ରସ୍ତୁତ କରିବାକୁ ଶିଳ୍ପୀକୁ ମାସ, ବର୍ଷ ଧରି ସମୟ ଲାଗିଥାଏ । ହେଲେ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ କାରିଗରଟିଏ ମଜୁରୀ ବି ଠିକ୍ ଢଙ୍ଗରେ ପାଏନାହିଁ। ରାଜ୍ୟର ପଥର ଶିଳ୍ପୀମାନଙ୍କ ସମସ୍ୟା ବାବଦରେ ମୁହଁ ଖୋଲିଛନ୍ତି ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ। ସରକାରଙ୍କୁ ଅପିଲ କରିଛନ୍ତି, ଯଦି ଅସ୍ମିତା ବଞ୍ଚାଇବା କଥା କୁହାଯାଉଛି, ତାହାଲେ ପଥର ଶିଳ୍ପକୁ ବଞ୍ଚାଇବାକୁ ପଡ଼ିବ। ଭୁବନେଶ୍ବରର ସୁଦର୍ଶନ ଆର୍ଟ ଏଣ୍ଡ କ୍ରାଫ୍ଟ ଭିଲେଜକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପରିଦର୍ଶନ ସମୟରେ ତାଙ୍କ ଦୃଷ୍ଟି ବି ଆକର୍ଷଣ କରାଯାଇଛି । ଶିଳ୍ପ ଓ ଶିଳ୍ପୀଙ୍କ ସୃଷ୍ଟିକୁ ମନ୍ତ୍ରୀ ପ୍ରଶଂସା କରିଥିବା ବେଳେ ଏହା ରାଜ୍ୟ ସରକାରଙ୍କ ବ୍ୟାପାର ବୋଲି କହିଛନ୍ତି।

ଦଶନ୍ଧି ଦଶନ୍ଦି ଧରି ଭାସ୍କର୍ଯ୍ୟ ଶିଳ୍ପରେ ନିୟୋଜିତ ଶିଳ୍ପୀମାନଙ୍କ ବୟସ ହେବା ପରେ ସେମାନଙ୍କୁ ପେନସନ ଦେବା କଥା ସରକାର ଯେପରି ଭୁଲି ଯାଇଛନ୍ତି । କଳାକାର ଭତ୍ତା, ସେମାନଙ୍କ ପାଇଁ ସ୍ବାସ୍ଥ୍ୟ ବୀମା, ସ୍ବତନ୍ତ୍ର ପ୍ରୋତ୍ସାହନ ରାଶି କଥା ସରକାରଙ୍କ ପ୍ରତିଶୃତି ପ୍ରତାରଣା ପାଲଟିଛି ବୋଲି ଅଭିଯୋଗ ହେଉଛି।

ସଂଗଠନ ସଜାଡ଼ିବାକୁ କଂଗ୍ରେସର ନୂଆ ଷ୍ଟ୍ରାଟେଜି

ନନ୍ଦିଘୋଷ ବ୍ୟୁରୋ: ଅସଜଡା କଂଗ୍ରେସ ସଂଗଠନକୁ ସଜାଡିବାର ମଙ୍ଗ ଧରିବେ ବିଧାୟକମାନେ। ନିଜ ନିର୍ବାଚନୀ ମଣ୍ଡଳୀ ସହ ୨ଟି ଜିଲ୍ଳାରେ ସଂଗଠନର ଦାୟିତ୍ବରେ ରହିବେ  ବିଧାୟକମାନେ। ପିସିସି ଓ ବିଧାୟକ ଦଳ ମଧ୍ୟରେ ସମନ୍ନୟ ବୈଠକ ମାନସମନ୍ଥନ ପରେ ଏପରି ଗୁରୁଦାୟିତ୍ବ ବିଧାୟକମାନଙ୍କୁ ଦେଇଛି ଦଳ। କଂଗ୍ରେସକୁ ମଜବୁତ କରିବାକୁ ପିସିସିର  ଏପରି ନିଷ୍ପତିକୁ ବିଧାୟକମାନେ ସ୍ବାଗତ କରିଛନ୍ତି । ଆଗକୁ ସଂଗଠନକୁକୁ ସଶକ୍ତ କରିବା ସହ ଜୋରଦାର ଲଢେଇ କରିବାକୁ ବିଧାୟକମାନେ ଅଣ୍ଟା ଭିଡ଼ିଛନ୍ତି । ଯାହାକୁ ନେଇ କଂଗ୍ରେସ ଶିବିର ଚଳଚଞ୍ଚଚଳ ।

ମଜବୁତ ହେବ କଂଗ୍ରେସ । ବିଧାୟକ ଧରିବେ ମଙ୍ଗ। ଏଣିକି ନିର୍ବାଚିତ ବିଧାୟକମାନେ କେବଳ ନିଜ ନିର୍ବାଚନୀ ମଣ୍ଡଳୀରେ ସୀମିତ ରହିବେ ନାହିଁ । ନିଜ ନିର୍ବାଚନୀ ମଣ୍ଡଳୀ ସହ ୨ଟି ଜିଲ୍ଲାର ଦାୟିତ୍ବ ନେବେ ବିଧାୟକ।  ଓଡିଶାରେ କଂଗ୍ରେସ ସଂଗଠନକୁ  ତୃଣମୂଳସ୍ତରରୁ ସଶକ୍ତ କରିବାକୁ ଏପରି ନୂଆ ରଣନୀତି ଆପଣାଇଛି ଦଳ । ୧୪ ଜଣ ବିଧାୟକଙ୍ଗକ ସହ ପିସିସି ସଭାପତି ଓ ପ୍ରଭାରୀ ମିଳିତ ଓ ଓ୍ବାନ ଟୁ  ଓ୍ବାନ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି । ୪ଦିନ ଧରି କଂଗ୍ରେସ ଭବନରେ ସଂଗଠନ ବିଷୟରେ ସମୀକ୍ଷା କରିବା ପରେ ପିସିସିର ଏପରି ଦାୟିତ୍ବ ବଣ୍ଟନ ନିଷ୍ପତିକୁ ବିଧାୟକମାନେ ସ୍ବାଗତ କରିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ ପିସିସି ସଭାପତି ଯେଉଁ ନିର୍ଦ୍ଦେଶ ଦେବେ ତାହାକୁ ଆପେ ପାଳନ କରିବୁ । ୨୫ ବର୍ଷ ଧରି କ୍ଷମତାରୁ ବାହାରେ ରହିଛି କଂଗ୍ରେସ । ଲୋକଙ୍କ ବିଶ୍ବାସକୁ ଜିଣିବା ପାଇଁ  ବିଧାୟକମାନଙ୍କୁ ଦଳ ୨ଟି ଜିଲ୍ଳାର ଗୁରୁଦାୟିତ୍ବ ଦେଇଛନ୍ତି । ଯାହା ତୃଣମୂଳସ୍ତରେ ହାତକୁ ବଳ ଦେବ ।

କଂଗ୍ରେସର ୧୪ ଜଣ ବିଧାୟକ ୨୮ଟି ଜିଲ୍ଲାର ଦାୟିତ୍ବରେ ରହିବେ। ଲୋକଙ୍କ ସମସ୍ୟା ବୁଝିବା ସହ କଂଗ୍ରେସ ପ୍ରତି ବିଶ୍ବାସ ସୃଷ୍ଟି ହେବ । ବିଧାୟକମାନେ ପିସିସି ଓ ପ୍ରଭାରୀ ସହ ଆଲୋଚନା ସମୟରେ ଏ ଦିଗରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ତେଣୁ ନିଷ୍ପତି ଅନୁସାରେ ଗ୍ରାଉଣ୍ତରେ ବିଧାୟକମାନେ କାମ କରିବା ଆରମ୍ଭ କରିବାକୁ ଅଣ୍ଟା ଭିଡିଛନ୍ତି । ଅନ୍ୟପଟେ କଂଗ୍ରେସର ପଦଯାତ୍ରା ପରେ ବହୁ ଲୋକ କଂଗ୍ରେସ ମୁହାଁ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟକ କହିଛନ୍ତି ।

୮ ମାସ ପରେ  ଓଡିଶା କଂଗ୍ରେସକୁ ସଭାପତି ଓ ପ୍ରଭାରୀ ମିଳିଛି । ହାତ ସଂଗଠନକୁ ସଂଞ୍ଜିବନୀ ଦେବା ପାଇଁ   ବିଧାୟକଙ୍କ ହାତରେ ସଂଗଠନର ମଙ୍ଗ ଧରାଇବ ଦଳ।  ଦଳର ଏପରି ରଣନୀତି ଜିଲ୍ଲାସ୍ତରରେ  ସଫଳ ହେଉଛି ଓ ଜିଲ୍ଳା ସଭାପତିମାନେ ଏଥୀରେ କେତେ ସହଯୋଗ କରୁଛନ୍ତି ତାହା ଦେଖିବାର କଥା ।

 

ଚାଷୀଙ୍କ ଖାତାକୁ ଆସିଲା ପିଏମ୍‌ କିଷାନ ଟଙ୍କା

ନନ୍ଦିଘୋଷ ବ୍ୟୁରୋ: କୃଷକଙ୍କ ଖାତାକୁ ଆସିଲା ପିଏମ୍‌ କିଷାନ ଟଙ୍କା । ବିହାରରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ। ଡିବିଟି ଜରିଆରେ ୯ କୋଟି ୮୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି। ସରକାର ଏହି କିସ୍ତି ପାଇଁ ୨୨ ହଜାର କୋଟିରୁ ଅଧିକ ଅର୍ଥ ବ୍ୟୟ ବରାଦ କରିଛନ୍ତି। ପୂର୍ବରୁ ଯୋଜନାର ୧୮ତମ କିସ୍ତି ୨୦୨୪ ଅକ୍ଟୋବର ୫ ତାରିଖରେ ମହାରାଷ୍ଟ୍ରରୁ ଜାରି କରିଥିଲେ ପ୍ରଧାନମନ୍ତ୍ରୀ। ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରାଯିବ। ପ୍ରତ୍ୟେକ ୪ ମାସ ବ୍ୟବଧାନରେ ବାର୍ଷିକ ୩ କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି ଯୋଜନାରେ ଓଡ଼ିଶାର ୩୪ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି। ପୂର୍ବ କିସ୍ତିରେ ଯେଉଁମାନେ ବାଦ ପଡିଥିଲେ, ସେମାନଙ୍କୁ ସ୍ବତନ୍ତ୍ର ଡ୍ରାଇଭ୍ ଜରିଆରେ ସାମିଲ କରିଛି କୃଷି ବିଭାଗ। ପୂର୍ବ ଅପେକ୍ଷା ଏଥର ୩ ଲକ୍ଷ ୪୩ ହଜାର ୪୪୭ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି।

ଏମିତି ଗାଁ, ଯେଉଁଠି ରହିଛି ୧୦୦ରୁ ଅଧିକ ଶିବ ମନ୍ଦିର

ନନ୍ଦିଘୋଷ ବ୍ୟୁରୋ: ଦିନକ ପରେ ଜାଗର । ଓଁ ନମଃ ଶିବାୟଃ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିବ ସମସ୍ତ ଶୈବପୀଠ । ହେଲେ ଆଜି ଆମେ ଏମିତି ଏକ ଗାଁ ବିଷୟରେ କହିବୁ ଯେଉଁ ଗାଁରେ ଶତାଧିକ ସ୍ଥାନରେ ପାଳନ ହୁଏ ଜାଗର ଯାତ୍ରା । କାରଣ ଏହି ଗାଁରେ ଗୋଟିଏ ନୁହେଁ ୧୦୦ ରୁ ଅଧିକ ଶିବ ମନ୍ଦିର ରହିଛି ।

ଆସୁଛି ଜାଗର । ଉତ୍ସବ ମୁଖର ହୋଇ ଉଠିବ ସମସ୍ତ ଗାଁରେ ଥିବା ଶିବ ମନ୍ଦିର ।  ହେଲେ ଆଜି ଆମେ ଏମିତି ଏକ ଗାଁ ବିଷୟରେ କହିବୁ ଯେଉଁ ଗାଁରେ ଗୋଟିଏ ସ୍ଥାନରେ ନୁହେଁ ଶତାଧିକ ସ୍ଥାନରେ ପାଳନ ହୁଏ ଜାଗର ଯାତ୍ରା । କାରଣ ଗାଁରେ ଗୋଟିଏ ନୁହେଁ ୧୦୦ ରୁ ଅଧିକ ଶିବ ମନ୍ଦିର ରହିଛି । ଏମିତି ଏକ ଗାଁ ହେଉଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ନରେନ୍ଦ୍ରପୁର । ଏହି ଗାଁର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏଠାରେ ଥିବା ବିରଳ ଓ ପ୍ରାଚୀନ ଶିବଲିଙ୍ଗ । ଗାଁର କୋଣ ଅନୁକୋଣରେ ଶିବଲିଙ୍ଗ ଗୁଡ଼ିକ ବିରାଜମାନ କରିଥିବାରୁ ସଦାସର୍ବଦା ଏଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ । ବାବାଙ୍କର ପ୍ରତିଦିନ ପୂଜା କରାଯାଉଥିଲେ ମଧ୍ୟ ଜାଗର ଯାତ୍ରା ଖୁବ ଧୁମଧାମରେ ପାଳନ କରାଯାଏ । ଏବେ ବାବାଙ୍କ ଜାଗର ଯାତ୍ରା ପାଇଁ ଜୋରଦାର ଭାବେ ପ୍ରସ୍ତୁତି ଚାଲିଛି ।

କୁହାଯାଏ ଏହି ଗାଁରେ ଯେଉଁଠି ଖୋଳିବ ସେଠାରେ ଶିବଲିଙ୍ଗ ବାହାରେ । ଆଉ ସେହି ଅନୁସାରେ ବାବାଙ୍କ ନାମକରଣ ମଧ୍ୟ କରାଯାଏ । ବାଡ଼ ଖୋଳୁଥିବା ସ୍ଥାନରୁ ଶିବଲିଙ୍ଗ ବାହାରି ଥିବାରୁ ତାଙ୍କ ନାମ ବାଡେଶ୍ୱର ,ବେଲ ଗଛ ମୂଳରୁ ବାହାରିଥିବା ଲିଙ୍ଗର ନାମ ବେଲେଶ୍ଵର ସେହିପରି ବାଟେଶ୍ୱର, ସମୁଦ୍ରେଶ୍ୱର, ଚମ୍ପକେଶ୍ୱର ,ଭୂତେଶ୍ୱର ଆଦି ନାମରେ ପୂଜା ପାଇଥାନ୍ତି । ବିଶ୍ୱାସ ରହିଛି ବାବାଙ୍କ ପାଖରେ ମାନସିକ ରଖିଲେ ତାହା ପୂରଣ ହୋଇଥାଏ ,ଅପୁତ୍ରିକ ପୁତ୍ର ଲାଭ କରେ । ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ମହାଶିବରାତ୍ରି ଦିନ ଏଠାରେ ଦେଖିବାକୁ ମିଳିଥାଏ । ଗାଁ ହୁଏ ଆଲୋକିତ, ପରିବେଶ ହୁଏ ଆଧ୍ୟାତ୍ମିକ । ହରିବୋଲ ହୁଳହୁଳି ଆଉ ଓଁ ନମଃ ଶିବାୟଃ ଧ୍ବନିରେ ପ୍ରକମ୍ପିତ ହୋଇ ଉଠେ ଗଗନପବନ ।