spot_img
Home Blog Page 1077

ମନ୍ତେଇ ନଦୀର  ବାଲିଆପାଳ ଘାଟ ନିକଟରେ କୁମ୍ଭୀର ଆତଙ୍କ

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଓ ବାସୁଦେବପୁର ବ୍ଳକ ଦେଇ ଯାଇଥିବା ମନ୍ତେଇ ନଦୀର  ବାଲିଆପାଳ ଘାଟ ନିକଟରେ କୁମ୍ଭୀର ଆତଙ୍କ । ଗତକାଲି ଅପରାହ୍ନରେ ପ୍ରାୟ ୧୫ ଫୁଟରୁ ଉର୍ଦ୍ଧ୍ବ ହେବ ଏକ କୁମ୍ଭୀର ଭାସୁଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଡଙ୍ଗାରେ ଘାଟ ପାର ହେଉଥିବା ଯାତ୍ରୀମାନେ ଡ଼ରିଯାଇଥିଲେ । ଚାନ୍ଦବାଲି ଓ ବାସୁଦେବପୁର ବ୍ଲକକୁ ସଂଯୋଗ କରୁଥିବା ଏହି ବାଲିଆପାଳ ଘାଟ ଦେଇ ପ୍ରତିଦିନ ହଜାର ହଜାର ଲୋକ ଡଙ୍ଗାରେ ଘାଟ ପାର ହୋଇଥାନ୍ତି । ଏତେ ବଡ଼ କୁମ୍ଭୀର ଘାଟ ନିକଟରେ ଭାସୁଥିବାର ଦେଖି ଲୋକେମାନେ ଭୟଭୀତ ହୋଇ ଯାଇଥିଲେ । ନଦୀ କୂଳରେ ବସବାସ କରୁଥିବା ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏଣୁ ନଦୀର ଜନବସତି ନିକଟରେ ସୁରକ୍ଷା ବାଡ ଦେବା ସହ ଡାକବାଜି ଯନ୍ତ୍ର ସହାଯ୍ୟରେ ଲୋକମାନଙ୍କୁ ସତର୍କ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ ।

ତୀରମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ତୀରମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ତୋଲିପୋଷ ଗ୍ରାମରେ ଥିବା ଏକ ନାଳରେ ମୃତଦେହ ପଡିଥିବା ଦେଖିବାକୁ ମିଳିଛି ।  ମୃତକ ହେଲେ ରାଜକୁମାର ଯାଦବ । ମୃତ ଯୁଵକ ଦୁଇବର୍ଷ ପୂର୍ବରୁ ଏକ ଦୁଷ୍କର୍ମ ମାମଲାରେ ଜେଲରୁ ଜାମିନରେ ଆସିଥିଲେ । ପିଡିତାଙ୍କ ପରିବାର ଲୋକଙ୍କୁ ସେ ହଇରାଣ କରୁଥିବା ଓ ଧମକ ଚମକ ଦେଉଥିଲେ । ତାଙ୍କୁ ହତ୍ୟା ଅଭିଯୋଗରେ ଦୁଇଜଣଙ୍କୁ କୁଆଁରମୁଣ୍ଡା ଫାଣ୍ଡିରେ ଅଟକ ରଖି ପଚରାଉଚରା ଚଳାଇଛି । ଆଜି ସକାଳେ ମୃତଦେହ ବ୍ୟବଛେଦ ପାଇଁ ପଠାଯିଵ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ବଦ୍ରିନାଥରେ ହିମସ୍ଖଳନ ଘଟଣା : ରେସ୍କ୍ୟୁ ଅପରେସନ ଜାରି

ନନ୍ଦିଘୋଷ ବ୍ୟୁରୋ: ଉତ୍ତରାଖଣ୍ଡ ବଦ୍ରିନାଥରେ ହିମସ୍ଖଳନ ଘଟଣାରେ ରେସ୍କ୍ୟୁ ଅପରେସନ ଜାରି। ୫୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୫ ଜଣଙ୍କୁ ଉଦ୍ଧାର ଲାଗି ଚାଲିଛି ଅଭିଯାନ।  ଅପରେସନରେ ସାମିଲ ଅଛନ୍ତି ଏନଡିଆରଏଫ, ଏସଡିଆରଏଫ, ଆଇଟିବିପି ଓ ବିଆରଓ। ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କୁ ହେଲିକପ୍ଟରରେ ନିଆଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରବଳ ତୁଷାରପାତ ହେବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଉତ୍ତରାଖଣ୍ଡ ମାନାରେ ସେନାବାହିନୀ ଚଳପ୍ରଚଳ ଲାଗି ବରଫ ଆସ୍ତରଣ ସଫା କରୁଥିବାବେଳେ ଅଘଟଣ ଘଟିଥିଲା। ମାନା ଗ୍ରାମ ଓ ମାନା ପାସ୍ ମଧ୍ଯରେ ରହିଥିବା ବିଆରଓ ନିକଟରେ ଘଟିଥିଲା ଅଘଟଣ। ହିମସ୍ଖଳନ ଯୋଗୁ ଗୌଚର, ସହସ୍ରଧାରା, ଡେରାଡୁନରେ ରେସ୍କ୍ଯୁ ଟିମଙ୍କୁ ପ୍ରସ୍ତୁତ ରଖାଯାଇଛି। ଜାମମୁ କାଶ୍ମୀର ମଧ୍ୟ ବରଫ ଝଡ଼ ଦେଖା ଦେଇଛି। ଏଥିରେ ଅନେକ ଘର ଦ୍ଵାର ଭାଙ୍ଗି ଯାଇଛି। ଋଷିକେଶରେ ଭୂସ୍ଖଳନ ହେବା ଯୋଗୁ ବାଟରେ ଅଟକି ରହିଛି ଗାଡ଼ି ମଟର ।

ଜାଗରଯାତ୍ରା ଦେଖିବାକୁ ଯାଇଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଏକକାଳୀନ ୫ ଜଣଙ୍କ ଘରୁ ଚୋରି

ନନ୍ଦିଘୋଷ ବ୍ୟୁରୋ: କଟକ ଜିଲ୍ଲା ବାଙ୍କୀ ବ୍ଲକ ବୈଦେଶ୍ୱର ଥାନା ଅଧୀନସ୍ଥ ପୁଇଁଚା ଗାଁରେ ସିରିଜ ଲୁଟ୍ । ଏହି ଗ୍ରାମରେ ଜାଗରଯାତ୍ରା ସହ ଗ୍ରାମର ଯୁବକଙ୍କ ଦ୍ଵାରା ନାଟକ ପରିବେଷଣ ହେଉଥିଲା । ଗ୍ରାମର ମନ୍ଦିର ପଡିଆରେ ଜାଗରଯାତ୍ରା ଚାଲିଥିବା ବେଳେ ଗାଁଲୋକ ଘରେ ତାଲା ପକାଇ ଯାତ୍ରା ଦେଖୁଥିଲେ । ରାତି ପ୍ରାୟ ସାଢେ ୧୨ ଟାରୁ ସାଢ଼େ ଗୋଟେ ମଧ୍ୟରେ ଚୋର ୫ ଜଣଙ୍କ ଘରୁ ଲୁଟ କରିଛନ୍ତି । ସୁନା, ଅଳଙ୍କାର ସହିତ ନଗଦ ଲକ୍ଷାଧିକ ଟଙ୍କା ଲୁଟ କରିଛନ୍ତି । ଲୁଟର ଶିକାର ବ୍ୟକ୍ତି ବୈଦେଶ୍ୱର ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବୈଦେଶ୍ଵର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।  ହେଲେ ଏପର୍ଯ୍ୟନ୍ତ ଚୋରଙ୍କ କୌଣସି ପତ୍ତା ମିଳିନାହିଁ  ।

ଗିଲଙ୍କୁ ଆଉଟ୍ କରିବା ପରେ କରିଥିଲେ ଇଶାରା ଏବେ କୋହଲିଙ୍କୁ ନେଇ କହିଲେ ଏମିତି..

ନନ୍ଦିଘୋଷ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିର ଲିଗ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚରେ ବେଶ ଚର୍ଚ୍ଚାରେ ରହିଥିଲେ ପାକିସ୍ତାନୀ ସ୍ପିନର ଅବରାର ଅହମ୍ମଦ । ଶୁଭମନ ଗିଲଙ୍କୁ କ୍ଲିନ ବୋଲ୍ଡ କରିବା ପରେ ଦେଇଥିବା ଇଶାରା ପାଇଁ ବହୁ ସମାଲୋଚନାର ଶିକାର ହୋଇଛନ୍ତି । ଏବେ ବିରାଟ କୋହଲିଙ୍କୁ ନେଇ ଦେଇଛନ୍ତି ବଡ଼ ପ୍ରତିକ୍ରିୟା । ଅବରାର ଅହମ୍ମଦ ଏବେ ବିରାଟ କୋହଲିଙ୍କ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି। ବିରାଟଙ୍କ ବିଷୟରେ ସେ କହିଛନ୍ତି ଯେ ସେ ତାଙ୍କର ପିଲାଦିନର ହିରୋ ଏବଂ ତାଙ୍କୁ ବୋଲିଂ କରିବା ତାଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଅଭିଜ୍ଞତା ହୋଇଛି। ଅବରାର ଏହା ମଧ୍ୟ କହିଛନ୍ତି ଯେ ପଡ଼ିଆ ଭିତରେ ହେଉ କି ପଡ଼ିଆ ବାହାରେ, ବିରାଟ କୋହଲି ସବୁଠି ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ। ସେ ତାଙ୍କଠାରୁ ପାଇଥିବା ପ୍ରଶଂସା ପାଇଁ ନିଜକୁ କୃତଜ୍ଞତା ମଧ୍ୟ ପ୍ରକାଶ କରିଥିଲେ। ବିରାଟଙ୍କ ସହ ତାଙ୍କ ଫଟୋର ଏକ କୋଲାଜ୍ ସେୟାର କରିବା ସମୟରେ ଅବରାର ଏସବୁ କଥା କହିଥିଲେ।

https://www.instagram.com/abrarahmedpak01/?utm_source=ig_embed&ig_rid=c3a51c64-b029-459f-a251-3be59603c72c

ଆଜିଠୁ ଆରମ୍ଭ ହେଉଛି ରମଜାନ୍

ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ଇସଲାମର ସବୁଠାରୁ ପବିତ୍ର ମାସ ରମଜାନ। ଏହା ହେଉଛି ଆଧ୍ୟାତ୍ମିକ ପ୍ରତିଫଳନ, ଭକ୍ତି, ପ୍ରାର୍ଥନାର ମାସ। ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ, ନମାଜ ପାଠ ଓ ଦାନ ଧର୍ମ କରିବାର ସମୟ। ମାସେ ଧରି ଚାଲିବ ଏହି ଧର୍ମମାସ। ସକାଳୁ ମସଜିଦରେ ଏକାଠି ହୋଇ ସମୂହ ନମାଜ ପାଠ କରନ୍ତି ମୁସଲମାନମାନେ। ସଂଧ୍ୟା ପର୍ଯ୍ୟନ୍ତ ସେମାନେ ଏପରି ଉପାସରେ ରହନ୍ତି । ସଂଧ୍ୟାରେ ହୁଏ ଇଫତାର ପାର୍ଟି। ତା ସହିତ ଦାନ ଧର୍ମ କରନ୍ତି ସେମାନେ। ରମଜାନ ମାସକୁ ନେଇ ବେଶ୍ ଉତ୍ସାହିତ ମୁସଲମାନମାନେ।

ନନ୍ଦିଘୋଷ ଟିଭିରେ ଖବର ବାଜିବା ପରେ ଚେତିଲା କ୍ରୀଡା ଓ ଯୁବସେବା ବିଭାଗ

ଭୁବନେଶ୍ବର: ନନ୍ଦିଘୋଷ ଟିଭିରେ ଖବର ବାଜିବା ପରେ ଚେତିଲା କ୍ରୀଡା ଓ ଯୁବସେବା ବିଭାଗ। ଛାନିଆ ହୋଇ ରାତି ଅଧରେ ଜାରିକଲା ପ୍ରେସ ନୋଟ୍ । ସୁଇମିଂ କୋଚ୍ ସନ୍ଦୀପ ସେଜଓ୍ବାଲ ପିଲାମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା। କ୍ରୀଡ଼ା ବିଭାଗର ନିର୍ଦ୍ଦେଶକଙ୍କ ନିକଟରେ ଏନେଇ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ଏବେ ଖବର ପ୍ରସାରଣ ପରେ ଔଷଧ ବିକଳରେ ତାଟିଆ କାମୁଡ଼ା ଭଳି ରାତି ଅଧିଆ ପ୍ରେସ୍ ନୋଟ୍ ଜାରି କରି ଘଟଣାକୁ ଚାପିଦେବାକୁ ଉଦ୍ୟମ ହେଉ ନାହିଁ ତ ? ପିଲାମାନଙ୍କ ଅଭିଯୋଗକୁ ୭ ଦିନ ବିତିଥିଲେ ବି କୋଚ୍ ସନ୍ଦୀପ ସେଜଓ୍ବାଲ ଓ ହାଇ ପରଫରମାନ୍ସ ସେଣ୍ଟର ଓ୍ବାଡେନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ? ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ସନ୍ତରଣ ହାଇ ପରଫରମାନ୍ସ ସେଣ୍ଟରର କୋଚଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ପିଲା ।

କୋଚ ପିଲାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହିତ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାର ଖେଳାଳିଙ୍କ ପାଇଁ ହାଇ ପ୍ରଫରମାନ୍ସ ସେଣ୍ଟର୍ ତିଆରି କରିଛନ୍ତି । ହେଲେ ଏଠି ଅଭ୍ୟାସ କରୁଥିବା କ୍ରୀଡା ଛାତ୍ରାବାସର ଖେଳାଳିଙ୍କୁ ଭଲ ଭାବରେ ଅଭ୍ୟାସ କରିବାକୁ ସୁଯୋଗ ମିଳୁନାହିଁ । କେବଳ ସେତିକି ନୁହେଁ ଭଲ ଖାଇବାକୁ ମଧ୍ଯ ଦିଆଯାଉନଥିବା ଅଭିଯୋଗ ହୋଇଛି । କିଛିଦିନ ପୂର୍ବରୁ ଏହାକୁ ବିରୋଧ କରି କେହି ସନ୍ତରଣ ପାଇଁ ଆସିନଥିଲେ । ଏନେଇ ବିଭାଗର ନିର୍ଦ୍ଦେଶକଙ୍କୁ ଲିଖିତ ଭାବରେ ଅଭିଯୋଗ କରିଥିଲେ ଛାତ୍ର । କୌଣସି ପଦକ୍ଷେପ ନିଆଯାଇ ନଥିବା ଛାତ୍ରମାନେ କହିଛନ୍ତି। ବରଂ ବିଭାଗ ପାଖରେ ଆଉ କେବେ ଅଭିଯୋଗ କରନ୍ତି, ତାହେଲେ ବାହାର କରିଦେବେ ବୋଲି ଧମକ ଦିଆଯାଇଛି।

ଉତ୍ତର ଭାରତରେ ଏଥର ପ୍ରବଳ ଗରମ୍ ହେବ

ନନ୍ଦିଘୋଷ ବ୍ୟୁରୋ: ଚଳିତ ବର୍ଷ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ଗରମ ହେବାର ସମ୍ଭାବନା କମ୍  ରହିଛି । ପୃଥିବୀର ଅଧିକାଂଶ ସ୍ଥାନ ତଥା ଉତ୍ତର ଭାରତରେ ପ୍ରଚଣ୍ଡ ଗରମ ରହିବ। ତେବେ ଓଡ଼ିଶାରେ ବିଶେଷ ଗରମ ହେବା ସମ୍ଭାବନା କମ୍ ବୋଲି ଆକଳନ କରିଛନ୍ତି ଓୟୁଏଟିର ପୂର୍ବତନ କୁଳପତି ତଥା ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ। ଗତ ବର୍ଷ ସବୁଠୁ ଉତ୍ତପ୍ତ ବର୍ଷ ଥିଲା । ବିଭିନ୍ନ ମଡେଲରୁ ଜଣାପଡୁଛି ଯେ, ଚଳିତ ବର୍ଷ ତାପମାତ୍ରା ସାମାନ୍ୟ କମି ଦ୍ବିତୀୟ ବା ତୃତୀୟ ଉତ୍ତପ୍ତ ବର୍ଷ ହୋଇପାରେ । ଉତ୍ତର ଭାରତରେ ବିଶେଷ କରି ଉତ୍ତର ପଶ୍ଚିମ ଭାରତରେ ଗରମ ସ୍ବାଭାବିକଠାରୁ ଅଧିକ ହେବାର ସମ୍ଭାବନା ଥିବା ବେଳେ ଓଡ଼ିଶା ଓ ଦକ୍ଷିଣ ଭାରତରେ ଗରମ ସ୍ବାଭାବିକ ବା ସ୍ବାଭାବିକଠାରୁ କମ ରହିପାରେ । ଗତ ଫେବୃଆରୀରେ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଲାନିନା ରହିଥିଲା ।

ମାର୍ଚ୍ଚରୁ ଜୁଲାଇ ପର୍ଯ୍ୟନ୍ତ ଏହା ସ୍ବାଭାବିକ ରହିବାର ସମ୍ଭାବନା ରହିଛି । ଅନ୍ୟ କିଛି ଜଳବାୟୁ ଜନିତ କାରଣରୁ ଓଡ଼ିଶାରେ ମାର୍ଚ୍ଚରେ ଗରମ ସ୍ବାଭାବିକ ଠାରୁ ଅଧିକ ହେବାର ସମ୍ଭାବନା ୪୦ ପ୍ରତିଶତ ଥିବା ବେଳେ ଏପ୍ରିଲ ଓ ଜୁନରେ ସ୍ବାଭାବିକ ରହିବ । ମେ ମାସରେ ସ୍ବାଭାବିକ ବା ସ୍ବାଭାବିକଠାରୁ କମିବାର ୪୦ ପ୍ରତିଶତ ସମ୍ଭାବନା ରହିଛି ବୋଲି କହିଛନ୍ତି ପଶୁପାଳକ। ତାପମାତ୍ରା ଅଧିକ ନ ହେବାର ପ୍ରଥମ କାରଣ ହେଉଛି ମଝିରେ ମଝିରେ କାଳବୈଶାଖୀ ବର୍ଷା ହୋଇପାରେ । ଏପ୍ରିଲ ମାସରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହିତ ଓଡ଼ିଶା ସଂଲଗ୍ନ ବଙ୍ଗୋପ ସାଗରରେ ତାପମାତ୍ରା ଅଧିକ ରହିବାର ସମ୍ଭାବନା ଥିବାରୁ ଉପକୂଳ ବାୟୁମଣ୍ଡଳ ଅସ୍ଥିର ରହି ବର୍ଷା କରିବା ସହ ପଶ୍ଚିମା ଗରମ ପବନ ରାଜ୍ୟକୁ ସିଧା ବହିବ ନାହିଁ ।

ସେପଟେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ । ଉପକୂଳ ଜିଲ୍ଲାରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରୀୟ ପବନ ବହିବ । ରାତିରେ ପଶ୍ଚିମା ପବନ ପ୍ରଭାବରେ ସକାଳୁ ସକାଳୁ ତାପମାତ୍ରା କମ ରହିବ । ୧୨ ତାରିଖ ପରେ ମଧ୍ୟାହ୍ନ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ଗରମ ସ୍ବାଭାବିକଠାରୁ ଅଧିକ ରହିବ । ଦିନ ଗୋଟାଏ ପରେ ମଝିରେ ମଝିରେ ଆଂଶିକ ବା ସାମାନ୍ୟ ମେଘୁଆ ପାଗ ଯୋଗୁଁ ତାପମାତ୍ରା କମିବାର ସମ୍ଭାବନା ରହିଛି ବୋଲି ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି।

ଆଜି ଭାରତକୁ ଭେଟିବ ନ୍ୟୁଜିଲାଣ୍ଡ

ନନ୍ଦିଘୋଷ ବ୍ୟୁରୋ: ICC ଚାମ୍ପିଅନ୍ସ ଟ୍ରଫିରେ ଫାଇନାଲ୍ ଗ୍ରୁପ୍ ମୁକାବିଲା । ଆଜି ଇଣ୍ଡିଆ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଟକ୍କର । ସେମି ଫାଇନାଲରେ ଉଭୟ ଟିମ୍ ସ୍ଥାନ ପକ୍କା କରିସାରିଛନ୍ତି । ଗ୍ରୁପ ପର୍ଯ୍ୟାୟରେ ଉଭୟଙ୍କ ପ୍ରଦର୍ଶନ ଦମଦାର ରହିଛି। ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ଭାରତୀୟ ସମୟ ୨ଟା ୩୦ରେ ଆରମ୍ଭ ହେବ ଖେଳ । ତେବେ ଭାରତୀୟ ସ୍କ୍ବାର୍ଡରେ କିଛି ପରିବର୍ତ୍ତନ ହୋଇପାରେ । କିୱି ଟିମ ମଧ୍ୟ କିଛି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇବା ସମ୍ଭାବନା ରହିଛି ।  ଉଭୟ ଟିମ୍ ବେଶ ଦମଦାର ପ୍ରଦର୍ଶନ କରିଥିବାରୁ ମନୋବଳ ଦୃଢ଼ ରଖିଛନ୍ତି । ପାକିସ୍ତାନ ଓ ବାଂଲାଦେଶକୁ ହରାଇଛି  ନ୍ୟୁଜିଲାଣ୍ଡ । ଭାରତ ମଧ୍ୟ ପାକିସ୍ତାନ ଓ ବାଂଲାଦେଶକୁ ହରାଇଛି।

ଟ୍ରମ୍ପ-ଜେଲେନସ୍କି କଥା କଟାକଟି: କ’ଣ ହେବ ଯୁଦ୍ଧର ସ୍ଥିତି

ଭୁବନେଶ୍ବର: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କଥା କଟାକଟି । ଋଷ-ୟୁକ୍ରେନ ଯୁଦ୍ଧର ଅବସାନ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନାକୁ ଗୁରୁତ୍ବ ଦିଆଯାଇଥିବା ବେଳେ ଏହା ଫସର ଫାଟିଛି । କଥାବାର୍ତ୍ତା ବେଳେ ଆମେରିକା ସହ ଖଣିଜ ପଦାର୍ଥ ସଂକ୍ରାନ୍ତ ରାଜିନାମା ସ୍ବାକ୍ଷରିତ ହେବା ଆଶା ଥିଲା । ମାତ୍ର ବୈଠକରେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ସବୁ କିଛି ଧୂଳିସାତ ହୋଇଛି । ଏପରିକି ଜେଲେନସ୍କି ଓ ତାଙ୍କ ପ୍ରତିନିଧିଙ୍କୁ ହ୍ବାଇଟ ହାଉସରୁ ବାହାରି ଯିବା ଲାଗି ବି ନିର୍ଦ୍ଦେଶ ଦିଆଯିବାରୁ କୌଣସି ମିଳିତ ଘୋଷଣାନାମା ଜାରି ହୋଇପାରିନାହିଁ ।

ଶାନ୍ତି ପ୍ରତିଷ୍ଠା ଲାଗି ଜେଲେନସ୍କି ଅଙ୍ଗୀକୃତ ନୁହଁନ୍ତି ଏବଂ ସେ ସମ୍ମାନ ଦେଇ ଜାଣନ୍ତି ନାହିଁ ବୋଲି କହିଛନ୍ତି ଟ୍ରମ୍ପ । ଆଲୋଚନା ବେଳେ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ବି ଉପସ୍ଥିତ ଥିଲେ । ତେବେ ଜେଲେନସ୍କି ଏକ ବିତର୍କ ସୃଷ୍ଟି କରିବାରୁ କଥାବାର୍ତ୍ତାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ଏପରିକି ଆପଣ ତୃତୀୟ ବିଶ୍ବଯୁଦ୍ଧ ସୃଷ୍ଟି ଲାଗି ଉଦ୍ୟମ କରିବା ସହ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ବୋଲି ଜେଲେନସ୍କିଙ୍କୁ କହିଥିଲେ ଟ୍ରମ୍ପ ।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ନେଇ ଟ୍ରମ୍ପଙ୍କୁ ଜେଲେନସ୍କି ପ୍ରଶ୍ନ କରିବା ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । କିଛି ଦିନ ତଳେ ଜେଲେନସ୍କିଙ୍କୁ ଏକଛତ୍ରବାଦୀ ବୋଲି ଅଭିହିତ କରିଥିଲେ ଟ୍ରମ୍ପ । ପୁଟିନଙ୍କ ଅସ୍ତ୍ର ବିରତି ଉଲ୍ଲଂଘନ ପ୍ରସଙ୍ଗକୁ ଜେଲେନସ୍କି ଉଠାଇବାରୁ ଟ୍ରମ୍ପ ଉତକ୍ଷିପ୍ତ ହୋଇଯାଇଥିଲେ । ବିଭିନ୍ନ ପ୍ରସଙ୍ଗରେ ଜେଲେନସ୍କିଙ୍କୁ ଭାନ୍ସ ପ୍ରଶ୍ନ କରିବା ପରେ ସେ ଉତ୍ତ୍ୟକ୍ତ ହୋଇଯାଇଥିଲେ । ପରେ ବୈଠକକୁ ଟ୍ରମ୍ପ ବାତିଲ କରିବା ସହ ମିଡିଆକୁ ସମ୍ବୋଧନ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ । ତେବେ ବୈଠକରୁ ବାହାରି ଯିବା ପରେ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ଜେଲେନସ୍କି ।

ସେପଟେ ୟୁକ୍ରେନକୁ ସହାୟତା ଜାରି ରହିବ ବୋଲି କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ । ଜେଲେନସ୍କିଙ୍କୁ ବି ସମର୍ଥନ କରିଛନ୍ତି ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା ଭନ ଓ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ । ସେପଟେ ଜେଲେନସ୍କି କହିଛନ୍ତି, ଯୁଦ୍ଧ ଶେଷ କରିବା ଲାଗି କୌଣସି ପକ୍ଷ ଚାହୁଁନାହାନ୍ତି । କାରଣ ସମସ୍ତ ପକ୍ଷ ଭୟଭୀତ ଅଛନ୍ତି । ଋଷ ପ୍ରତି ୟୁକ୍ରେନର ଥିବା ଦୃଷ୍ଟିଭଙ୍ଗୀକୁ ଗ୍ରହଣ କରିବାକୁ ଟ୍ରମ୍ପ ପ୍ରସ୍ତୁତ ନୁହନ୍ତି ବୋଲି କହିଛନ୍ତି ଜେଲେନସ୍କି । ସେପଟେ ନିଜ ଆଚରଣ ଲାଗି ଜେଲେନସ୍କି ଦୁଃଖ ପ୍ରକାଶ କରିଥିବା ସୂଚନା ମିଳିଛି ।

ସେପଟେ ଟ୍ରମ୍ପଙ୍କ ଏହି ମନୋଭାବକୁ ସମର୍ଥନ କରିଛନ୍ତି ଋଷ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମାରିଆ ଜାଖରୋଭା । ତେଣେ ଜେଲେନସ୍କିଙ୍କୁ ୟୁରୋପୀୟ ରାଷ୍ଟ୍ର ସଂଘର ସଦସ୍ୟ ରାଷ୍ଟ୍ର ସମର୍ଥନ କରିଥିବା ଜଣାଯାଇଛି ।