ଭୁବନେଶ୍ବର: ନିର୍ବାଚନୀ ଇସ୍ତାହାର ବେଳେ ବିଜେପି ସରକାର ଭତ୍ତା ବୃଦ୍ଧି କରିବା ନେଇ ପ୍ରତିଶୃତି ଦେଇଥିଲା। ହେଲେ ଏହି ପ୍ରତିଶ୍ରୁତିକୁ ବିଜେପି ସରକାର ପାଳନ କରିନଥିବା ବେଳେ ଏଥିରେ ବ୍ୟତିକ୍ରମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଓଡ଼ିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତି ପକ୍ଷରୁ ଦାରିଙ୍ଗବାଡିରେ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଛି। ସଂକଳ୍ପ ପତ୍ରରେ ଘୋଷଣା ଅନୁଯାୟୀ ସମସ୍ତଙ୍କୁ ମାସିକ ୩୦୦୦ ଟଙ୍କା ଓ ୮୦ ବର୍ଷରୁ ଉର୍ଦ୍ଧ୍ବ ଓ ୮୦ ପ୍ରତିଶତ ଭିନ୍ନକ୍ଷମ ମାନଙ୍କୁ ୩ହଜାର ୫ ଶହ ଟଙ୍କା ଭତ୍ତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ ବିଜେପି। କିନ୍ତୁ ଏବେ ପ୍ରତିଶୃତି ପାଣିର ଗାର ପାଲଟିଛି। ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ଆକାଶ ଛୁଆଁ ରହିଥିବା ବେଳେ ଗରିବ ତଥା ବିଭିନ୍ନ ବର୍ଗର ଭତ୍ତା ହିତାଧିକାରୀ ନାହିଁ ନଥିବା ଆର୍ଥିକ ଅନଟନର ସମ୍ମୁଖୀନ ହେଉଛନ୍ତି । ତେଣୁ ଗରିବ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ତୁରନ୍ତ ଭତ୍ତା ବୃଦ୍ଧି କରିବାକୁ ଦାବି କରାଯାଇଛି।ନଚେତ ବ୍ଲକ ଠାରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ଆନ୍ଦୋଳନକୁ ଜୋରଦାର କରିବାକୁ ଓଡ଼ିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।
ଆଜିଠୁ ଆରମ୍ଭ ହେଉଛି କଳା ଓ ବାଣିଜ୍ୟ ଷ୍ଟ୍ରିମର ପରୀକ୍ଷା: ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବ୍ୟାପକ ବ୍ୟବସ୍ଥା
ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଉଛି କଳା ଓ ବାଣିଜ୍ୟ ଷ୍ଟ୍ରିମର ପରୀକ୍ଷା। ସବୁ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ପରୀକ୍ଷା ଶୃଙ୍ଖଳିତ କରିବା ପାଇଁ CHSE ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । CHSE ପରିସରରେ ନିୟନ୍ତ୍ରଣ କକ୍ଷ କରାଯାଇଛି। ଏକା ସଙ୍ଗରେ ୫ଶହ ପରୀକ୍ଷା କେନ୍ଦ୍ରର ସ୍ଥିତି ସିସିଟିଭିରେ ଦେଖିହେବ। ଏଥର ପରୀକ୍ଷା ପାଇଁ ପାଞ୍ଚସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି। କେହି ବି ମୋବାଇଲ ନେଇ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ ନାହିଁ । କେବଳ ସେଣ୍ଟର ସୁପରିଟେଣ୍ଡେଣ୍ଟ ସାଇଲେଣ୍ଟ ମୋଡ଼ରେ ମୋବାଇଲ ଫୋନ ରଖିପାରିବେ। ଏବେ ନୂତନ ପରୀକ୍ଷା ଢାଞ୍ଚାରେ କ୍ୟାମେରା ବ୍ୟବସ୍ଥା ହୋଇଛି । ଯାହା ଫଳରେ ସ୍ଵଛତାର ସହ ପରୀକ୍ଷା ହେବ। ହବ୍ ବ୍ୟବସ୍ଥା ଯୋଗୁ ପ୍ରଶ୍ନପତ୍ର ଲିକର ସମ୍ଭାବନା ମଧ୍ୟ କମ ରହିଛି। ଗତକାଲିଠୁ ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ ହୋଇଛି।
ଯୁବ ଅଭିନେତା ସୋହମ ସିଂଙ୍କୁ ହୃଦଘାତ: ଆଇସିୟୁରେ ଚିକିତ୍ସାଧୀନ
ଭୁବନେଶ୍ବର: ଯୁବ ଅଭିନେତା ସୋହମ ସିଂଙ୍କୁ ହୃଦଘାତ । ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନା ଆଇସିୟୁରେ ଚାଲିଛି ଚିକିତ୍ସା । ଓଡିଆ ସିନେମାର ଯୁବ ପ୍ରଯୋଜକ, ଅଭିନେତା, ଗାୟକ ସୋହମ ସିଂଙ୍କୁ ମଣିପାଲ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଥିବାବେଳେ ସେ ସୁସ୍ଥ ଅଛନ୍ତି ବୋଲି ଜଣାପଡିଛି । ସୋହମଙ୍କ ସିନେମା ଅଜାତଶତ୍ରୁ, ଆଇ ଲଭ ୟୁ ପ୍ରିୟା ଏବଂ ରାଉଡି ରାଜା ଖୁବ ଲୋକପ୍ରିୟତା ପାଇଥିଲା । ଆଗକୁ ଏକ ବଡ଼ ବଜେଟର ଆକ୍ସନ ସିନେମା ଆସୁଛି ଯାହାର ନାଁ ରଖିଛନ୍ତି ଅଲ୍ଲୀ ବଜରଙ୍ଗ ୱାଲି । ତାଙ୍କ ପ୍ରଯୋଜନାରେ ଅନେକ କଳାକାର, ଟେକ୍ନିସିଆନ କାମ କରି ନିଜ ପରିବାର ପୋଷଣ କରନ୍ତି । ସେ ଖୁବଶୀଘ୍ର ସୁସ୍ଥ ହୋଇ ଇଣ୍ଡଷ୍ଟ୍ରିରେ ପାଦ ରଖନ୍ତୁ ଏଥିପାଇଁ ଓଲିଉଡ଼ର ବହୁ କଳାକାର ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଜଣାଇଛନ୍ତି ।
କାର୍ଯ୍ୟଭାର ଗ୍ରହଣ କଲେ ଦେଶର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର
ନୂଆଦିଲ୍ଲୀ: ନିର୍ବାଚନ କମିଶନର ଜ୍ଞାନେଶ କୁମାର ଭାରତର ମୁଖ୍ୟ ନିର୍ବାଚନ କମିଶନର (CEC) ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗତ ୧୭ ତାରିଖ ବିଳମ୍ବିତ ରାତିରେ ଆଇନ ମନ୍ତ୍ରଣାଳୟ ତରଫରୁ ଏନେଇ ଏକ ଗେଜେଟ ନୋଟିଫିକେସନ ଜାରି କରାଯାଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜ୍ଞାନେଶ କୁମାରଙ୍କୁ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଓ ହରିୟାଣାର ମୁଖ୍ୟ ସଚିବ ଡ. ବିବେକ ଜୋଶୀଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେଇଥିବା ବିଜ୍ଞପ୍ତିରେ କୁହାଯାଇଥିଲା । ଭାରତର ୨୬ତମ CEC ଭାବେ ଜ୍ଞାନେଶ ପଦ ସମ୍ଭାଳିଛନ୍ତି ।
ନିଜର ଅବଧି ମଧ୍ୟରେ ଜ୍ଞାନେଶ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ଓ ୨୦୨୬ରେ କେରଳ ଓ ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ଦାୟିତ୍ବ ତୁଲାଇବେ । ସେହିପରି ୨୦୨୬ରେ ହେବାକୁ ଥିବା ତାମିଲନାଡ଼ୁ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟ ସେ ତୁଲାଇବେ । କାର୍ଯ୍ୟଭାର ସମ୍ଭାଳିବା ପରେ ଜ୍ଞାନେଶ ନବନିଯୁକ୍ତ CEC କହିଛନ୍ତି, ରାଷ୍ଟ୍ର ନିର୍ମାଣର ପ୍ରଥମ ସିଡ଼ି ହେଉଛି ମତଦାନ । ଏଥିପାଇଁ ୧୮ ବର୍ଷ ପୂରଣ କରିସାରିଥିବା ଭାରତର ପ୍ରତ୍ୟେକ ନାଗରିକ ସର୍ବଦା ମତଦାନ କରିବା ଉଚିତ । ଭାରତର ସମ୍ବିଧାନ, ନିର୍ବାଚନୀ ଆଇନ, ନିୟମ ଓ ସେଥିରେ ରହିଥିବା ନିର୍ଦ୍ଦେଶାବଳୀ ଅନୁସାରେ ଭାରତର ନିର୍ବାଚନ ଆୟୋଗ ମତଦାତାଙ୍କ ସହିତ ସର୍ବଦା ରହିବେ ।
ଚାମ୍ପିୟନ୍ସ ଟ୍ରଫିର ଶୁଭାରମ୍ଭ ଆଜି: ପ୍ରଥମ ମ୍ୟାଚରେ ପାକିସ୍ତାନ-ନ୍ୟୁଜିଲାଣ୍ଡ ମୁହାଁମୁହିଁ
ଆଜିଠାରୁ ଚାମ୍ପିୟନ୍ସ ଟ୍ରଫିର ଶୁଭାରମ୍ଭ ହେବ । ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଦୀର୍ଘଦିନ ହେଲା ବିଶ୍ବର ଅଗଣିତ କ୍ରୀଡ଼ାପ୍ରେମୀ ଏହି ଟୁର୍ଣ୍ଣାମେଣ୍ଟକୁ ପ୍ରତୀକ୍ଷା କରି ରହିଥିବା ବେଳେ ଏବେ ତା’ର ଅନ୍ତ ଘଟିବାକୁ ଯାଉଛି । ଗତ ୨୦୧୭ରେ ଭାରତକୁ ହରାଇ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଥିଲା । ଆସନ୍ତା ୨୩ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ । ଉକ୍ତ ମ୍ୟାଚ ଦେଖିବାକୁ ଏବେଠାରୁ ଉତ୍ସାହ ଦେଖିବାକୁ ମିଳିଲାଣି । ଏହି ମ୍ୟାଚର ବଡ଼ ଝଲକ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିବ ।
ଏଥର ଚାମ୍ପିୟନ୍ସ ଟ୍ରଫିରେ ମୋଟ ୮ଟି ଟିମ ମଧ୍ୟରେ ୧୫ଟି ମୁକାବିଲା ଦେଖିବାକୁ ମିଳିବ । ୪ଟି ଲେଖାଏଁ ଟିମ୍ ଦୁଇଟି ଗ୍ରୁପରେ ରହିଛନ୍ତି । ଗ୍ରୁପ ଏ’ରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ବାଂଲାଦେଶ ରହିଥିବା ବେଳେ ଗ୍ରୁପ-ବି’ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ଇଂଲଣ୍ଡ ରହିଛନ୍ତି । ୮ଟି ଟିମ ନିଜ ନିଜ ଗ୍ରୁପରେ ୩ଟି ଲେଖାଏଁ ମ୍ୟାଚ ଖେଳିବେ । ଗ୍ରୁପର ଟପ-୨ ଟିମ୍ ସେମିଫାଇନାଲ ପାଇଁ କ୍ବାଲିଫାଏ କରିବେ । ପ୍ରଥମ ସେମି ଦୁବାଇରେ ଓ ଦ୍ବିତୀୟ ସେମି ଲଢ଼େଇ ଲାହୋରରେ ହେବ । ଏହାପରେ ଫାଇନାଲ ମୁକାବିଲା ଖେଳାଯିବ । ଫାଇନାଲକୁ ଉନ୍ନୀତ ହେଉଥିବା ଟିମମାନେ ୫ଟି ମ୍ୟାଚ ଖେଳିବେ । ୧୫ଟି ମୁକାବିଲା ୪ଟି ଭେନ୍ୟୁରେ ଖେଳାଯିବ । ସେଥିରୁ ୩ଟି ଭେନ୍ୟୁ ପାକିସ୍ତାନରେ ଗୋଟିଏ ଦୁବାଇରେ ରହିବ ।

