ନନ୍ଦିଘୋଷ ବ୍ୟୁରୋ: ଅଧ୍ୟାପକଙ୍କ ଅସଦାଚରଣରୁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଲେଜର ଯୁକ୍ତ ୨ ବାଣିଜ୍ୟ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ମାଆ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ। ଯୁକ୍ତ ଦୁଇ ପରୀକ୍ଷାରେ ନିରୀକ୍ଷକ ସ୍କ୍ଵାଡର ନିୟୋଜିତ ଜଣେ ଅଧ୍ୟାପକଙ୍କ ଅସଦାଚରଣରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା କହିଛନ୍ତି ତାଙ୍କ ମାଆ। ଏ ନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ମାଆl ପଟ୍ଟାମୁଣ୍ଡାଇ କଲେଜରେ +୨ ବାଣିଜ୍ୟ ପରୀକ୍ଷା ଦେବାକୁ ଯାଇଥିଲେ ସମ୍ପୃକ୍ତ ଛାତ୍ରୀl ପରୀକ୍ଷାରୁ ଫେରିବା ପରେ ଅଧ୍ୟାପକ ଜଣକ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ମାଆଙ୍କୁ ଅଭିଯୋଗ କରିଥିଲେ। କମନ୍ ରୁମକୁ ଡାକି ଶାରିରୀକ ନିର୍ଯାତନା ଦେଇଥିବା କହିଥିଲେ। ଛାତ୍ରୀ ଜଣଙ୍କ ଗତ ୨୪ ତାରିଖରେ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଗତକାଲି ଏ ନେଇ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ପଶ୍ଚିମବଙ୍ଗରେ ତାତିଲା ଏସଏଫଆଇ: ଶିକ୍ଷାମନ୍ତ୍ରୀଙ୍କ କାର ଉପରେ ଆକ୍ରମଣ
ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ବ୍ରତ୍ୟ ବସୁଙ୍କ କାର ଉପରେ ଆକ୍ରମଣ। ଯାଦବପୁର ବିଶ୍ବବିଦ୍ୟାଳୟରେ ପରିସରରେ ତାଙ୍କ କାର୍ ଉପରେ ଆକ୍ରମଣ କରିଛନ୍ତି ଏସଏଫଆଇର ଛାତ୍ର। ତୃଣମୂଳ କଂଗ୍ରେସର ଶିକ୍ଷକ ଶାଖା ପଶ୍ଚିମବଙ୍ଗ କଲେଜ ଓ ବିଶ୍ବବିଦ୍ୟାଳୟ ପ୍ରଫେସର ସଂଘର ବାର୍ଷିକ ଅଧିବେଶନରେ ଯୋଗ ଦେବାକୁ ସେ ଯାଇଥିବାବେଳେ ଏହି ଆକ୍ରମଣ ଘଟିଥିଲା। ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଏକ ପୋଲିସ ଗାଡି ଭଙ୍ଗାରୁଜା ହୋଇଥିବାବେଳେ ସିକ୍ଯୁରିଟି ଗାର୍ଡ ଓ ଜଣେ ଶିକ୍ଷାବନ୍ଧୁ ଅଫିସରଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। କ୍ୟାମ୍ପସ ଭିତରେ ଭଙ୍ଗାରୁଜା ବି ହୋଇଛି। ଛାତ୍ରସଂଘ ନିର୍ବାଚନ କରିବା ଦାବିରେ ସିପିଏମର ଛାତ୍ର ସଂଗଠନ ଏସଏଫଆଇ ପକ୍ଷରୁ ଏହି ଆକ୍ରମଣ ହୋଇଛି। ଆକ୍ରମଣ ପରେ ମନ୍ତ୍ରୀଙ୍କୁ ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏସଏଫଆଇର କିଛି ଛାତ୍ର ତାଙ୍କୁ ଦାବିପତ୍ର ଦେଉଥିବାବେଳେ କିଛି ଛାତ୍ର ଆକ୍ରମଣ କରିଥିଲେ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗ କଲେଜ ଓ ବିଶ୍ବବିଦ୍ୟାଳୟ ପ୍ରଫେସର ସଂଘର ସଭାପତି ଅଛନ୍ତି ବସୁ। ଏହି ବୈଠକରେ ରାଜ୍ଯର ପ୍ରାୟ ୩ ହଜାର ପ୍ରଫେସର ଯୋଗ ଦେଇଥିଲେ। ଆକ୍ରମଣ ପରେ ଯାଦବପୁର ପୋଲିସ ଷ୍ଟେସନରେ ଏଫଆଇଆର ଦାୟର କରିଛି ପଶ୍ଚିମବଙ୍ଗ କଲେଜ ଓ ବିଶ୍ବବିଦ୍ୟାଳୟ ପ୍ରଫେସର ସଂଘ। ରାଜ୍ଯର ବିଶ୍ବବିଦ୍ୟାଳୟ ଓ କଲେଜଗୁଡିକରେ ନିର୍ବାଚନ କରାଯାଉ ନଥିବା ପ୍ରତିବାଦରେ ଏହି ଆକ୍ରମଣ ହୋଇଛି।
ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନର ଶେଷ ତାରିଖ
ନନ୍ଦିଘୋଷ ବ୍ୟୁରୋ: ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନର ଶେଷ ତାରିଖ। ୩୧ ଭିତରେ ଯେଉଁମାନେ ଆବେଦନ କରିଥିବେ ସେମାନେ ଏକକାଳୀନ ୩ଟି କିସ୍ତିର ଟଙ୍କା ପାଇବେ । ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମାର୍ଚ୍ଚ ୬ରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇବେ ମହିଳା । ୧ ଲକ୍ଷ ୭୦ ହଜାର ମହିଳାଙ୍କୁ ମିଳିବ ପ୍ରଥମ କିସ୍ତି ଟଙ୍କା । ସେହିପରି ମାର୍ଚ୍ଚ ୮ରେ ମିଳିବ ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା । ମହିଳାଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଲେଖାଏଁ ଟଙ୍କା ଯିବ । ୧ କୋଟିରୁ ଅଧିକ ମହିଳା ଏକା ସାଙ୍ଗରେ ପାଇବେ ଦ୍ବିତୀୟ କିସ୍ତି ଅର୍ଥ ।
ଗାଧୋଇବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ବୃଦ୍ଧ ମୃତ
ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋରିଆପାଳ ଗାଁରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ । ମୃତକ ଜଣକ ହେଲେ ସେହି ଗାଁର ବିଦ୍ୟାଧର ଦେହୁରୀ । ବିଦ୍ୟାଧର ଗାଁରେ ପୂଜକ ଭାବେ କାମ କରୁଥିବା ବେଳେ ସକାଳୁ ଗାଧୋଇବା ପାଇଁ ଗାଁ ନିକଟ ଜୋରକୁ ଯାଉଥିଲେ । ଯିବା ସମୟରେ ଦନ୍ତା ସାମ୍ନାରେ ପଡ଼ିଯାଇଥିଲେ । ହାତୀଟି ବିଦ୍ୟାଧରଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା । ବନବିଭାଗ କର୍ମଚାରୀମାନେ ତୁରନ୍ତ ବିଦ୍ୟାଧରଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ବନବିଭାଗ ତରଫରୁ କୁହାଯାଇଛି ।

