ପିଏମ କୁସୁମ ଯୋଜନାକୁ ନେଇ ସଂସଦରେ ପ୍ରଶ୍ନ କଲେ ସାଂସଦ ମାନସ ମଙ୍ଗରାଜ

1 min read

ନୂଆଦିଲ୍ଲୀ: ଓଡ଼ିଶାରେ ପ୍ରଧାନମନ୍ତ୍ରୀ କୁସୁମ ଯୋଜନାର ଅଗ୍ରଗତି କଣ? ରାଜ୍ୟ ଏହି ଯୋଜନାରେ କମ୍ପୋନେଣ୍ଟ ଏ, ବି ଓ ସି’ ରେ କେତେ ଦାବି ରଖିଥିଲା? ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କେତେ ପରିମାଣରେ ଦାବି ରଖିଥିଲେ? ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ପିଏମ୍ କୁସୁମରେ ଯତେଷ୍ଟ ଗୁରୁତ୍ୱ ଦିଆଯାଇଛି ନା ନାହିଁ? ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ବିଦ୍ୟୁତ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ଆର୍ କେ ସିଂ । ମନ୍ତ୍ରୀ ଶ୍ରୀ ସିଂ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ, ଏହି ଯୋଜନାକୁ ୨୦୨୬ ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରାଯାଇଛି ।

ମନ୍ତ୍ରୀ ଆର.କେ. ସିଂ କହିଛନ୍ତି- ପିଏମ-କୁସୁମ ଯୋଜନା ଅନୁସାରେ ସାମର୍ଥ୍ୟକୁ ଆଧାର କରି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଚାହିଦା ପୂରଣ କରାଯାଉଛି । ଆସନ୍ତା ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟଗୁଡିକର ଚାହିଦାକୁ ଭରଣା କରାଯିବ । ଗତ ଫେବ୍ରୁଆରୀ ସୁଦ୍ଧା କମ୍ପୋନେଣ୍ଟ ‘ଏ’ ରେ ୮୯.୪୫ ମେଗାୱାଟ କ୍ଷମତା ବିଶିଷ୍ଟ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରାଯାଇଛି । ସେହିପରି କମ୍ପୋନେଣ୍ଟ ବି ଓ ସିରେ ପ୍ରାୟ ୨ ଦଶମିକ ୯ ଲକ୍ଷ ପମ୍ପକୁ ସୌରଶକ୍ତି ସମ୍ପନ୍ନ କରାଯାଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ମନ୍ତ୍ରୀ ଆର.କେ. ସିଂ ।

ଏଥିରୁ ଉତ୍ପାଦିତ ଅଣପାରମ୍ପରିକ ଶକ୍ତିକୁ ଧାର୍ଯ୍ୟ ଦରରେ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀମାନେ କିଣିପାରିବେ । ସେହି ଧାର୍ଯ୍ୟ ଦର ସମ୍ପୃକ୍ତ ରାଜ୍ୟର ବିଦ୍ୟୁତ ନିୟାମକ ଆୟୋଗ ଦ୍ୱାରା ସ୍ଥୀରିକୃତ ହେବ । ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି ୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶା କମ୍ପୋନେଣ୍ଟ ‘ଏ’ ରେ ୫୦୦ ମେଗାୱାଟ, କମ୍ପୋନେଣ୍ଟ ‘ବି’ ରେ ୧୦,୭୪୧ ଏବଂ କମ୍ପୋନେଣ୍ଟ ‘ସି’ ରେ ୫୦ହଜାର ସୋଲାର ପାୱାରପ୍ଲାଣ୍ଟ ପାଇଁ ଆବେଦନ କରିଛି । ଗତ ଫେବ୍ରୁଆରୀ ସୁଦ୍ଧା ଓଡ଼ିଶାରେ ମଞ୍ଜୁର ହୋଇଥିବା କମ୍ପୋନେଣ୍ଟ ବି ର ୫୭୪୧ ରୁ ୧୨୨୩ ଟି ପ୍ଲାଣ୍ଟ ସ୍ଥାପନ କରାଯାଇଛି । କମ୍ପୋନେଣ୍ଟ ‘ସି’ ରେ ୪୦ ହଜାର (ଆଇପିଏସ୍), (୧୦ ହଜାର ଏଫଏଲଏସ) ମଞ୍ଜୁର ହୋଇଛି । ମାତ୍ର କିଛି ସ୍ଥାପନ କରାଯାଇନାହିଁ ।