ତାଲିବାନ ଦ୍ୱାରା ପଞ୍ଜଶୀର ଦଖଲ ଦାବିକୁ ପୂର୍ବତନ ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ଖଣ୍ଡନ: କହିଲେ, ଲଢ଼େଇ ଜାରି ରହିବ

କାବୁଲ: ପଞ୍ଜଶୀର ପାଇଁ ଛକାପଞ୍ଝା । ପଞ୍ଜଶୀରକୁ ତାଲିବାନ ଦଖଲ କରିଛି ବୋଲି ଦାବି କରୁଥିବାବେଳେ ସେପଟେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏହାକୁ ଖଣ୍ଡନ କରିଛନ୍ତି । କିଛିଦିନର ଲଢେଇ ପରେ ବିଦ୍ରୋହୀଙ୍କ ପରାଜୟ ହୋଇଛି ବୋଲି ତାଲିବାନ ଘୋଷଣା କରିଛି । ତେବେ ପଞ୍ଜଶୀରର ପତନ ହୋଇନାହିଁ ବୋଲି ଦାବି କରିଛନ୍ତି ବିଦ୍ରୋହୀ ଗୋଷ୍ଠୀ ନେତା ତଥା ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ । ଏହାସହ ସେ ଦେଶ ଛାଡ଼ି ଚାଲିଯାଇଥିବା ଖବରକୁ ଖଣ୍ଡନ କରିଛନ୍ତି । ନିଜକୁ ଆଫଗାନିସ୍ତାନର ରାଷ୍ଟ୍ରପତି ବୋଲି ଦାବି କରୁଥିବା ଅମରୁଲ୍ଲା କହିଛନ୍ତି, ସେ ପଞ୍ଜଶୀରରେ ହିଁ ଅଛନ୍ତି । ଏବଂ ଅନ୍ୟ ଦେଶକୁ ଚାଲିଯିବା ଖବର ଗୁଜବ । ତାଲିବାନ ବିରୋଧରେ ଯୁଦ୍ଧ ଜାରି ରହିବ ଏବଂ ସେ ସ୍ୱାଭିମାନର ସହ ନିଜ ଜନ୍ମମାଟି ଲାଗି ଲଢେଇ ଜାରି ରଖିବେ ।

ଅମରୁଲ୍ଲାଙ୍କ ପୁଅ ଏବଦୁଲ୍ଲା ସାଲେହ ମଧ୍ୟ କହିଛନ୍ତି ପଞ୍ଜଶିର ତାଲିବାନ ହାତକୁ ଯାଇନାହିଁ । ଅମାନୁଲ୍ଲାଙ୍କ ସହଯୋଗୀ ଅହମ୍ମଦ ମାସୁଦ କହିଛନ୍ତି, ପଞ୍ଜଶୀର ଏବେ ବି ତାଙ୍କ କବଜାରେ ରହିଛି । ଏହା ତାଲିବାନ ହାତକୁ ଯାଇନାହିଁ । ସାରା ଆଫଗାନିସ୍ତାନକୁ ତାଲିବାନ କବଜା କରିଥିବା ବେଳେ କେବଳ ପଞ୍ଜଶିର ସେମାନଙ୍କ ହାତକୁ ଯାଇ ନଥିଲା ।

ଏଥିସହିତ ପଢ଼ନ୍ତୁ: ପିପିଲି ଉପନିର୍ବାଚନ, ରୋଡ୍ ଶୋ ଓ ବାଇକ୍ ରାଲି ମନା

ଏବେ ବି ଅହମ୍ମଦ ମାସୁଦ ଓ ଅମରୁଲ୍ଲାଙ୍କ ନେତୃତ୍ୱରେ ହଜାର ହଜାର ବିଦ୍ରୋହୀ ତାଲିବାନର ପ୍ରତିରୋଧ କରୁଥିବା କୁହାଯାଉଛି । ସେପଟେ ମହିଳା ବିଚାରପତିଙ୍କ ବିରୋଧରେ ପଦକ୍ଷେପ ନେଇଛି ତାଲିବାନ । ଯେଉଁ ମହିଳା ବିଚାରପତିମାନେ ତାଲିବାନ କର୍ମୀଙ୍କୁ ବିଭିନ୍ନ ଦଣ୍ଡ ଶୁଣାଇଥିଲେ ସେମାନଙ୍କୁ ଖୋଜିବା ଆରମ୍ଭ କରିଛନ୍ତି । ଦେଶର ୨୫୦ରୁ ଅଧିକ ମହିଳା ବିଚାରପତିଙ୍କ ଜୀବନ ଏବେ ବିପନ୍ନ । କିଛି ବିଚାରପତି ଦେଶ ଛାଡି ଚାଲିଗଲେଣି । ଏନେଇ ସେମାନେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave a Reply