କଂଗ୍ରେସର ଚାଣକ୍ୟ ଥିଲେ ଅହମ୍ମଦ ପଟେଲ; ଆସନ୍ତୁ ଜାଣିବା ତାଙ୍କ ରାଜନୈତିକ ଯାତ୍ରା ସମ୍ପର୍କରେ

1 min read

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ ୭୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆାଜି ଭୋର ପ୍ରାୟ ୩ଟା ୩୦ମି.ରେ ଅହମ୍ମଦ ପଟେଲଙ୍କ ପରଲୋକ ହୋଇଥିବା ନେଇ ତାଙ୍କ ପୁଅ ଫୈଜଲ ପଟେଲ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ପ୍ରାୟ ମାସେ ତଳେ କରୋନାରେ ସଂକ୍ରମିତ ହୋଇଥିଲେ ଅହମ୍ମଦ ପଟେଲ୍ । ଯାହାପରଠୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ସେ ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଥିଲେ । ୫ ଥର ରାଜ୍ୟସଭାରୁ ଓ ୩ଥର ଲୋକସଭାରୁ ନିର୍ବାଚିତ ହୋଇଥିଲେ । ୨୦୦୪ ଓ ୨୦୦୯ରେ କଂଗ୍ରେସର ବିଜୟରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ୨୦୧୮ ଅଗଷ୍ଟ ମାସରେ ତାଙ୍କୁ କଂଗ୍ରେସର କୋଷାଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା ।

ଆାସନ୍ତୁ ଜାଣିବା କିଭଳି ଥିଲା ତାଙ୍କ ରାଜନୈତିକ ଯାତ୍ରା ସମ୍ପର୍କରେ-

ରାଜନୈତିକ ମହଲରେ ଅହମ୍ମଦ ପଟେଲଙ୍କୁ କଂଗ୍ରେସର ‘ଚାଣକ୍ୟ’ ଭାବେ ବିବେଚନା କରାଯାଇଥାଏ। କଂଗ୍ରେସର ତାଲୁକା ପଞ୍ଚାୟତ ଅଧ୍ୟକ୍ଷ ପଦରୁ ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ଅହମ୍ମଦ ପଟେଲ ୮ଥର ସାଂସଦ ହୋଇପାରିଥିଲେ। ସେ ୧୯୭୭ ମସିହାରେ ଜରୁରୀକାଳୀନ ସ୍ଥିତି ପରେ ମାତ୍ର ୨୬ ବର୍ଷ ବୟସରେ ସେ ଲୋକସଭାରେ ପାଦ ଥାପିଥିଲେ । ଯାହା ପରେ ସେ ରାଜନୀତିରେ ଆଉ ପଛକୁ କେବେ ଚାହିଁ ନଥିଲେ।

ଦେଶର ସର୍ବ ପୁରାତନ କଂଗ୍ରେସ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ରାଜନୈତିକ ପରାମର୍ଶଦାତା ରହିଥିଲେ ଅହମ୍ମଦ ପଟେଲ । ଏପରିକି ତାଙ୍କୁ କଂଗ୍ରେସର ‘ସଙ୍କଟମୋଚନ’ ମଧ୍ୟ କୁହାଯାଇଥାଏ । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସୋନିଆ ଗାନ୍ଧୀଙ୍କ ସ୍ୱାମୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ମଧ୍ୟ ସେ ଦଳର ସୁପରିଚାଳନା କରିପାରିଥିଲେ । କୁହାଯାଏ ଏହା ପଛରେ ଅହମ୍ମଦ ପଟେଲ ଏକ ବଡ଼ ଭୂମିକା ରହିଥିଲା ।

ଅହମ୍ମଦ ପଟେଲ ତାଙ୍କ ପିତାଙ୍କ ଠାରୁ ରାଜନୀତି ଶିଖିଥିବା ବେଳେ ପରବର୍ତ୍ତୀ ସମୟରେ ସେ କଂଗ୍ରେସରୁ ତାଲୁକ ପଞ୍ଚାୟତର ଅଧ୍ୟକ୍ଷ ହୋଇଥିଲେ।  ୧୯୭୬ ମସିହାରେ ସେ ମେମୁନା ଅହମ୍ମଦଙ୍କୁ ବିବାହ କରିଥିଲା ବେଳେ ତାଙ୍କର ଦୁଇଟି ସନ୍ତାନ ରହିଛି। ତେବେ ଅହମ୍ମଦ ପଟେଲ ନିଜ ପିଲାମାନଙ୍କୁ ରାଜନୀତିରୁ ଦୂରେଇ ରଖିଛନ୍ତି।

ଆହୁରି ମଧ୍ୟ କୁହାଯାଏ, ଯଦିଓ ଗାନ୍ଧୀ ପରିବାର ହାତରେ ଶାସନ ଭାର ରହିଥିଲେ ମଧ୍ୟ ରିମୋଟ୍ କଣ୍ଟ୍ରୋଲ୍ ଅହମ୍ମଦଙ୍କ ହାତରେ ଥିଲା । ତାଙ୍କ ବିନା ଅନୁମତିରେ ଦଳ ଭିତରେ କୗେଣସି କାର୍ଯ୍ୟ ହୁଏନାହିଁ ।

Leave a Reply