ସପୁରୀରେ ବିସ୍ଫୋରକ, ଚାଲିଗଲା ନିରୀହ ହାତୀର ଜୀବନ…

ମଲ୍ଲପୁରମ୍: ଉତ୍ତର କେରଳର ମଲ୍ଲପୁରମ୍ ଜିଲ୍ଲାରୁ ମନୁଷ୍ୟ ଜାତିକୁ ଲଜ୍ଜିତ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ କିଛି ଲୋକ ମିଳିତ ଭାବେ ଏକ ସପୁରୀରେ ବିସ୍ଫୋରକ ଭର୍ତ୍ତି କରି ଗୋଟିଏ ଗର୍ଭବତୀ ହାତୀକୁ ଖୁଆଇ ଦେଇଥିଲେ । ଯାହାଫଳରେ ହାତୀର ଅବସ୍ଥା ଖରାପ ହୋଇଥିଲା । ଆଉ ତାହା ଏତେ ଭୟଙ୍କର ହୋଇଥିଲା ଯେ, ହାତୀଟି ଏକ ନଦୀ ଭିତରେ ଯାଇ ଠିଆ ହୋଇଥିଲା । ପରେ ସେଠାରେ ସେ ମୃତ୍ୟୁ ବରଣ କରିଥିଲା । ଗୁରୁବାର ଦିନ ଏଭଳି ଘଟଣା ଘଟିଥିଲା । ଏହି ବିସ୍ଫୋରଣରେ ହାତୀଟି ଗୁୁରୁତର ହେବା ପରେ ଶନିବାର ତାର ମୃତ୍ୟୁ ଘଟିଛି । ପଶୁମାନେ ମଣିଷକୁ ଖୁବ୍ ଶୀଘ୍ର ବିଶ୍ୱାସ କରିନିଅନ୍ତି । ହେଲେ ମଣିଷ ତାଙ୍କ ସହ ଏଭଳି ବ୍ୟବହାର କରିଥାଏ । ତେବେ ଏହି ଘଟଣା ପରେ ପଶୁମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ହାତୀଟି ଖାଦ୍ୟ ସନ୍ଧାନରେ ବୁଲିବୁଲି ଗତ ମେ’ ୨୫ରେ ଜଙ୍ଗଲ ପାଖ ଗାଁ ନିକଟକୁ ଚାଲିଆସିଥିଲା । ସେ ଗର୍ଭବତୀ ଥିବାରୁ ତା‘ ପିଲା ପାଇଁ ଖାଦ୍ୟ ନିତ୍ୟାନ୍ତ ଜରୁରୀ ଥିଲା । ଏହି ସମୟରେ ଗାଁର କିଛି ଲୋକ ତାକୁ ସପୁରୀରେ ବିସ୍ଫୋରକ ଭର୍ତ୍ତି କରି ଖାଇବାକୁ ଦେଇଥିଲେ । ଆଉ ହାତୀଟି ତାହା ଖାଇବା ବେଳେ ପାଟିରେ ବିସ୍ଫୋରଣ ଘଟିଥିଲା । ଫଳରେ ହାତୀର ପାଟି ଓ ଥୋଡ଼ ଫାଟି ଯାଇଥିଲା । ଏହାସହ ଦାନ୍ତ ମଧ୍ୟ ଭାଙ୍ଗି ଯାଇଥିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ହାତୀଟି କିଛି ବୁଝିପାରି ନଥିଲା ଏବଂ ପାଖରେ ଥିବା ଏକ ନଦୀରେ ଯାଇ ଠିଆ ହୋଇଥିଲା । ଯନ୍ତ୍ରଣାରେ ଛଟପଟ ହେଉଥିବା ହାତୀଟି, କଷ୍ଟରୁ ମୁକ୍ତି ପାଇଁ ବାରମ୍ବାର ପାଣି ପିଉଥିଲା । ହେଲେ ତାହା ଯଥେଷ୍ଟ ନଥିଲା । ହାତୀର ଯନ୍ତ୍ରଣା ଏତେ ପରିମାଣର ଥିଲା ଯେ, ସେ ତିନି ଦିନ ପର୍ଯ୍ୟନ୍ତ ସେହି ପାଣି ଭିତରେ ହିଁ ସୁଣ୍ଢକୁ ରଖି ଠିଆ ହୋଇଥିଲା । ହେଲେ ଶେଷରେ ସେ ଜୀବନ ଯୁଦ୍ଧରେ ହାରିଯାଇ ମୃତ୍ୟୁ ବରଣ କରିଥିଲା ।

ବନ ବିଭାଗର ଅଧିକାରୀଙ୍କ ଅନୁଯାୟୀ, ହାତୀର ବୟସ ୧୪ରୁ ୧୫ ହେବ । ସଠିକ୍‌ ସମୟରେ ହାତୀକୁ ଚିକିତ୍ସା ମିଳିପାରି ନ ଥିଲା ତେଣୁ ସେ ମୃତ୍ୟୁ ବରଣ କରିଛି । ବନ ବିଭାଗ ପାଖରେ ଖବର ପହଞ୍ଚିବା ବେଳକୁ ତାହା ବିଳମ୍ବ ହୋଇଯାଇଥିଲା । ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ପ୍ରଥମେ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲା । ହେଲେ ସେ ପାଣି ଭିତରୁ ବାହାରି ନ ଥିଲା । ଏଭଳି ଅବସ୍ଥାରେ ରହି ଶେଷରେ ତାର ମୃତ୍ୟୁ ହୋଇଥିଲା ।

Leave a Reply