ବିମାନ ସାଜୁଛି କି ଉଡ଼ନ୍ତା କଫିନ, ଭାରତର ୬୬ ପ୍ରତିଶତ ପାଇଲଟ୍ ଦିବାନିଦ୍ରା ସମସ୍ୟାର ଶିକାର

1 min read

ନୂଆଦିଲ୍ଲୀ: ବିମାନ ସାଜୁଛି କି ଉଡ଼ନ୍ତା କଫିନ । ଆପଣ ମଝି ଆକାଶରେ ଉଡ଼ୁଥିବେ ଆଉ ପାଇଲଟ ଘୁମାଇ ପଡ଼ିଥିବେ । ଚିନ୍ତା କରନ୍ତୁ ଏହି ଭୟଙ୍କର ସ୍ଥିତି ସମ୍ପର୍କରେ । ଏକ ରିପୋର୍ଟକୁ ଆଧାର କରି ଆସିଛି ଏହି ଚାଞ୍ଚଲ୍ୟକର ତଥ୍ୟ । ଭାରତର ୬୬ ପ୍ରତିଶତ ପାଇଲଟ୍ ବିମାନ ଉଡ଼ାଣବେଳେ ଢୁଳେଇ ପଡିଥାନ୍ତି । ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି- ଭାରତୀୟ ବିମାନ କମ୍ପାନୀରେ କାର୍ଯ୍ୟ କରୁଥିବା ଅଧିକାଂଶ ପାଇଲଟ୍ ଦିବା ନିଦ୍ରା ସମସ୍ୟାରେ ପୀଡ଼ିତ । କିଛି ରିଜିଓନାଲ ଓ ଡୋମେଷ୍ଟିକ ଏୟାରଲାନ୍ସ ପାଇଲଟଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା । ୫୪୨ ଭାରତୀୟ ପାଇଲଟଙ୍କ ନେଇ କରାଯାଇଥିବା ଏହି ସର୍ଭେରେ ୩୫୮ ଜଣ ଏହାକୁ ସ୍ୱୀକାର କରିଛନ୍ତି । ରିପୋର୍ଟ ଅନୁସାରେ ୫୪ ପ୍ରତିଶତ ପାଇଲଟ୍ ଦିନରାତି ଅତ୍ୟଧିକ ନିଦ୍ରାରେ ପୀଡିତ ଥିବାବେଳେ ୪୧ ପ୍ରତିଶତ ମଧ୍ୟମ ନିଦ୍ରା ସମସ୍ୟାର ବଶବର୍ତ୍ତୀ ।

ପାଇଲଟମାନେ ସେମାନଙ୍କ ଚାକିରୀ ସହିତ ଆସୁଥିବା ଚାପକୁ ଠିକ୍ ଭାବେ ମୁକାବିଲା କରୁନଥିବାରୁ ଥକ୍କାପଣ ଅନୁଭବ କରନ୍ତି । ପୂର୍ବରୁ ପାଇଲଟମାନଙ୍କୁ ସପ୍ତାହରେ ୩୦ ଘଣ୍ଟା ଉଡ଼ାଣ କରିବାକୁ ପଡ଼ୁଥିଲା । ବର୍ତ୍ତମାନ ସେମାନଙ୍କୁ ପ୍ରତି ସପ୍ତାହରେ ବ୍ୟାକଟୁ ବ୍ୟାକ୍ ଉଡ଼ିବାକୁ ପଡୁଛି । ଏହାଦ୍ୱାରା ସେମାନଙ୍କ ଉପରେ ଅଧିକ ଚାପ ସୃଷ୍ଟି ହେଉଥିବା କୁହାଯାଉଛି । ଭାରତରେ ଦକ୍ଷ ପାଇଲଟଙ୍କ ଅଭାବ ରହିଛି । ସାଧାରଣତଃ ବିମାନ ସେବା ଗୁଡ଼ିକ ବାର୍ଷିକ ୧୫ ଶହ ନୂଆ ପାଇଲଟ ଆବଶ୍ୟକ କରୁଥିବାବେଳେ ସେମାନଙ୍କ ମଧ୍ୟର ୨ ଶହରୁ ୩ ଶହ ଉପଯୁକ୍ତ ତାଲିମ ନେଇଥାନ୍ତି । ୧୯୫୯ରୁ ୨୦୧୬ ମଧ୍ୟର ସାରା ବିଶ୍ୱରେ ୪୮ ପ୍ରତିଶତ ସାଂଘାତିକ ଦୁର୍ଘଟଣା ଫାଇନାଲ ଆପ୍ରୋଚ୍ ଓ ଲାଣ୍ଡିଂ ସମୟରେ ଘଟିଥିବା ଜଣାପଡିଛି । ୨୦୧୧ରୁ ୨୦୧୫ ମଧ୍ୟରେ ୬୫ ପ୍ରତିଶତ ଦୁର୍ଘଟଣା ଏହି କାରଣରୁ ଘଟିଥିବାବେଳେ ୩୧ ପ୍ରତିଶତ ରନଓ୍ୱେର ତ୍ରୁଟି ଯୋଗୁଁ ଘଟିଥିବା ଜଣାପଡିଛି ।