ଋଷ ପ୍ରୟୋଗ କରିପାରେ ଆଣବିକ ଅସ୍ତ୍ର, ଆଶଙ୍କା ବ୍ୟକ୍ତ କଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି

କିଭ୍: ୟୁକ୍ରେନ ବିରୋଧରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରୟୋଗ କରିପାରନ୍ତି ଆଣବିକ ଅସ୍ତ୍ର । ନିଜ ଦେଶକୁ ରକ୍ଷା କରିବା ଲାଗି ପୁଟିନ ଶେଷରେ ଏହି ବିକଳ୍ପ ନେଇପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଦିନକୁ ଦିନ ଋଷ କବଳରୁ ୟୁକ୍ରେନ ମୁକୁଳିବାରେ ଲାଗିଥିବାବେଳେ ପୁଟିନ ଶକ୍ତିହୀନ ହେବାରେ ଲାଗିଛନ୍ତି । ତେଣୁ ପୁଟିନ ନ୍ୟୁକ୍ଲିୟର ବ୍ଲାକମେଲ କରିବାକୁ ଆଗ୍ରହୀ ବୋଲି କହିଛନ୍ତି ଜେଲେନସ୍କି ।

ସେପଟେ ଅଧିକ ସୈନ୍ୟ ସଂଗ୍ରହ ଲାଗି ପୁଟିନଙ୍କ ଅଭିଯାନକୁ ଋଷରେ ତୀବ୍ର ବିରୋଧ କରାଯାଇଛି । ଆନ୍ଦୋଳନ ତୀବ୍ର ହେଉଥିବାରୁ ଅନେକ ସ୍ଥାନରେ ପୋଲିସକୁ ଗୁଳି କରିବାକୁ ପଛାଇନାହିଁ । ଅନେକ ସହରରେ ପୋଲିସ ସହ ଲୋକଙ୍କ ସହ ସଂଘର୍ଷ ମଧ୍ୟ ଘଟିଛି । ତେଣେ ଆମେରିକାର ପୂର୍ବତନ ଗୁଇନ୍ଦା ଅଧିକାରୀ ଏଡଓ୍ୱାର୍ଡ ସ୍ନୋଡେନଙ୍କୁ ନାଗରିକତ୍ୱ ପ୍ରଦାନ କରିଛନ୍ତି ପୁଟିନ । ନ୍ୟାସନାଲ ସିକ୍ୟୁରିଟି ଏଜେନ୍ସିରେ କାର୍ଯ୍ୟ କରିଥିବା ୪୯ ବର୍ଷ ବୟସ୍କ ଏଡଓ୍ୱାର୍ଡ ୨୦୧୩ରେ ଆମେରିକାର ଅନେକ ସିକ୍ରେଟ ଫାଇଲ ଲିକ୍ କରି ଚର୍ଚ୍ଚାରେ ଆସିଥିଲେ । ଆମେରିକା ହାତରେ ଅର୍ପଣ ଲାଗି ଋଷ ନିକଟରେ ଦାବି କରିଆସୁଥିଲା ମାର୍କିନ ପ୍ରଶାସନ । ୨୦୨୦ରେ ଏଡଓ୍ୱାର୍ଡଙ୍କୁ ସ୍ଥାୟୀ ଭାବେ ରହିବା ଲାଗି ଋଷ ଦେଇଥିଲା ଅଧିକାର ।