କିମ୍ବଦନ୍ତୀ ଭାଷା ବିଷାରଦ ‘ଅମୃତର ସନ୍ତାନ’ଙ୍କୁ ଶତ ଶ୍ରଦ୍ଧାଞ୍ଜଳି

1 min read
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଆ ଭାଷାର ଜୀବନ୍ତ ଲେଖକ  । କିମ୍ବଦନ୍ତୀ ପୁରୁଷ ଔପନାସିକ, ଗାଳ୍ପିକ, ନାଟ୍ୟକାର, ନୃତତ୍ତ୍ୱବିତ୍, ଆଦିବାସୀ ଭାଷା ବିଷାରଦ, ସାରଳା ମହାଭାରତର ମୌଳିକ ଗବେଷକ, ସର୍ବୋପରି ମାନବଧର୍ମୀ ଲେଖକ ଗୋପୀନାଥ ମହାନ୍ତି ତାଙ୍କର ଲେଖନୀ ଜରିଆରେ ଓଡ଼ିଆ ସାହିତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇ ପାରିଥିଲେ। ଓଡ଼ିଶାରୁ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (‘ଅମୃତର ସନ୍ତାନ’ ପାଇଁ, ୧୯୫୫), ପ୍ରଥମ ଜ୍ଞାନପୀଠ ପୁରସ୍କାର (‘ମାଟିମଟାଳ’ ପାଇଁ, ୧୯୭୪), ତଥା ‘ସୋଭଏତ୍ ଦେଶ ନେହରୁ’ ପୁରସ୍କାର (ମାକ୍ସିମ୍ ଗର୍କୀଙ୍କର My Universityର ଓଡ଼ିଆ ଅନୁବାଦ ପାଇଁ, ୧୯୭୦) ଆଦି ସେ ଅର୍ଜନ କରି ଓଡ଼ିଆ ଭାଷାକୁ ଗୌରାନ୍ୱିତ କରିଥିଲେ।
ଗୋପୀନାଥ ମହାନ୍ତି ୧୯୧୪ ମସିହା ଏପ୍ରିଲ ମାସ ୨୦ ତାରିଖରେ କଟକ ସହର ଉପକଣ୍ଠରେ ଥିବା ନାଗବାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ଥିଲା ସୂର୍ଯ୍ୟମଣି ମହାନ୍ତି ଏବଂ ମା ଥିଲେ ଦୁର୍ଗାଦେବୀ। ଓଡ଼ିଆ ସାହିତ୍ୟର ଅନ୍ୟତମ କୃତି ସନ୍ତାନ ଔପନ୍ୟସିକ କାହ୍ନୁଚରଣ ମହାନ୍ତି ତାଙ୍କର ବଡ଼ ଭାଇ ଥିଲେ। ପାଟନା ବିଶ୍ୱବିଦ୍ୟାଳୟରୁ ଇଂରେଜୀ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିବା ପରେ ୧୯୩୮ ମସିହାରେ ସେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ଚାକିରୀ କାଳରେ ସେ ଯାଜପୁର, କୋରାପୁଟ, ଜୟପୁର, ବରଗଡ଼, ଛତ୍ରପୁର, ଆସ୍କା, କଟକ, ରାୟଗଡ଼ା, ପୁରୀ ଓ ସର୍ବଶେଷରେ ଭୁବନେଶ୍ୱରରେ ଅବସ୍ଥାପିତ ହୋଇଥିଲେ।
 ପ୍ରତ୍ୟେକ ସ୍ଥାନରେ ଅବସ୍ଥାନ ସମୟରେ ସେ ତାଙ୍କର ଲେଖା ମାଧ୍ୟମରେ ସେହି ସ୍ଥାନ ଏବଂ ସେଠାକାର ମଣିଷଙ୍କୁ ଅବିକଳ ଭାବରେ ଆଙ୍କି ପାରିଥିଲେ। ପଞ୍ଚାବନ ବର୍ଷ ବୟସରେ, ୧୯୬୯ ମସିହାରେ, ସେ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିଲେ। ଆମେରିକାର କାଲିଫର୍ଣ୍ଣିଆର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଆମନ୍ତ୍ରିତ ହୋଇ ୧୯୮୬-୮୭ ମସିହାରେ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ସେଠାରେ ସେ ବିତାଇ ବକ୍ତୃତାମାନ ପ୍ରଦାନ କରିଥିଲେ ଏବଂ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଭ୍ରମଣ କାହାଣୀ ରେକର୍ଡ କରିଥିଲେ।
ଗୋପୀନାଥ ମହାନ୍ତିଙ୍କର ରଚନା ମଧ୍ୟରୁ ପ୍ରାୟ ୨୫ ଖଣ୍ଡ ଉପନ୍ୟାସ, ୨୦୦ରୁ ଅଧିକ କ୍ଷୁଦ୍ରଗଳ୍ପ, ଏକ ଅନବଦ୍ୟ ଆତ୍ମଜୀବନୀ, ତିନୋଟି ଜୀବନୀ, ୩ଟି ନାଟକ, ଏକ ଅନନ୍ୟ ସାହିତ୍ୟ ସମାଲୋଚନା ପୁସ୍ତକ, ୨ଟି କାବ୍ୟ, ୫ଟି ଅନୁବାଦ ପୁସ୍ତକ, ଆଦିବାସୀ ଭାଷା ସମ୍ପର୍କିତ ୫ଟି ପୁସ୍ତକ, ସାରଳା ମହାଭାରତ ବିଷୟରେ ନ’ଟି ଗବେଷଣା ପ୍ରବନ୍ଧ ସମ୍ବଳିତ ଖଣ୍ଡିଏ ପୁସ୍ତକ ଓ ପ୍ରାୟ ୩୦ଟି ଚିଠିକୁ ନେଇ ଖଣ୍ଡିଏ ପୁସ୍ତକ ଏ ପର୍ଯ୍ୟନ୍ତ ପ୍ରକାଶ ପାଇଛି।  କାଲିଫର୍ଣ୍ଣିଆର ସାନ୍‌ହୋଜେ ସହରରେ ୧୯୯୧ ମସିହା ଅଗଷ୍ଟ ୨୦ ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଏହି ମହାନ ମଣିଷ  ।