ସଞ୍ଜୁ ବାବାଙ୍କ ପୂର୍ବରୁ ଏହି ସବୁ ସେଲିବ୍ରିଟି କର୍କଟକୁ ଦେଇଛନ୍ତି ମାତ୍

ମୁମ୍ବାଇ: ବଲିଉଡ ଷ୍ଟାର ସଞ୍ଜୟ ଦତ୍ତ ଅଗଷ୍ଟ ୧୧ରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ସାମ୍ନାକୁ ଆସିଥିଲା । ଯାହାପରେ ତାଙ୍କ ପ୍ରଶଂସକ ସଞ୍ଜୟଙ୍କ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିଦେଇଥିଲେ । ଏବେ ସ଼ଞ୍ଜୟ କର୍କଟ ରୋଗରୁ ସୁସ୍ଥ ହୋଇଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସାହାଯ୍ୟରେ ସଞ୍ଜୟ ଏହି ସୂଚନା ଦେଇଛନ୍ତି । ସଞ୍ଜୟଙ୍କ ପୂର୍ବରୁ ମଧ୍ୟ ଅନେକ ବଲିଉଡ ଷ୍ଟାର ଏହି କର୍କଟ ରୋଗକୁ ମାତ୍ ଦେଇଛନ୍ତି । ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା ।

ଫିଲ୍ମ ଦିଲ ସେର, ବମ୍ବେ ଏବଂ ସୌଦାଗର ଭଳି ଚଳଚ୍ଚିତ୍ରରେ ନଜର ଆସିଥିବା ମନୀଷା କୋଇରାଲା ୨୦୧୨ ମସିହାରେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ସେ ୨୯ ନଭେମ୍ବର ୨୦୧୨ ରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଏନେଇ ୧୦ ଡିସେମ୍ବରରେ ଅସ୍ତ୍ରୋପଚାର କରାଇଥିଲା।  କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କ ଜୀବନରେ ହୋଇଥିବା ପରିବର୍ତ୍ତନକୁ ନେଇ ସେ ଏକ ପୁସ୍ତକ ଲେଖିଛନ୍ତି । ମନୀଷା ଏହା ମଧ୍ୟ କହିଥିଲେ ଯେ କର୍କଟ ରୋଗ ସହ ଯୁଦ୍ଧ ତାଙ୍କୁ ଜଣେ ଭଲ ମଣିଷ କରିପାରିଛି । ସେ କିଛି ସମୟ ପୂର୍ବରୁ ରଣବୀର କପୁରଙ୍କ ଫିଲ୍ମ ସଞ୍ଜୁରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଥିଲେ।

ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତଥା ଲେଖକ ତାହିରା କାଶ୍ୟପଙ୍କର ମଧ୍ୟ ସ୍ତନ କର୍କଟ ହୋଇଥିଲା। ତା’ପରେ ସେ ସୋସିଆଲ ମିଡିଆରେ ସର୍ଜରୀ ଠାରୁ ଆରମ୍ଭ କରି ତାଙ୍କ ବୋଲ୍ଡ ଲୁକ୍ ପର୍ଯ୍ୟନ୍ତ ଫଟୋ ସେୟାର କରିଥିଲେ । ତାହିରା କହିଥିଲେ ଯେ କର୍କଟ ପରଠାରୁ ସୌନ୍ଦର୍ଯ୍ୟକୁ ନେଇ ତାଙ୍କ ଚିନ୍ତାଧାରାରେ ଅନେକ ପରିବର୍ତ୍ତନ ଆସିଛି  ।

୯୦ ଦଶକର ସୁପରହିଟ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଗତ ବର୍ଷ ମେଟାଷ୍ଟାଟିକ୍ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ସୋନାଲି କ୍ରମାଗତ ଭାବରେ ତାଙ୍କର ଏହି ସଂଗ୍ରାମକୁ ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ନ୍ୟୁୟର୍କରେ ଦୀର୍ଘ ସମୟ ଚିକିତ୍ସା ପରେ ସୋନାଲି କର୍କଟ ରୋଗକୁ ମାତ୍ ଦେଇଛନ୍ତି ।

୨୦୦୯ ମସିହାରେ ଜଣାଶୁଣା ମଡେଲ ଏବଂ ଅଭିନେତ୍ରୀ ଲିଜା ରାଇ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ଆଉ ଏହା ଥିଲା ବୋନ ମେରୋ କର୍କଟ ଥିଲା, ଯାହା ଏକ ଅତ୍ୟନ୍ତ ଭୟାନକ କର୍କଟ । ଏପ୍ରିଲ୍ ୨୦୧୦ ରେ, ଲିଜା ଘୋଷଣା କରିଥିଲେ ଯେ ସେ କର୍କଟରୁ ମୁକ୍ତ ହୋଇଛନ୍ତି ଯଦିଓ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ ହୋଇନାହାଁନ୍ତି । ତଥାପି, ଲିଜା ଜୀବନ ପ୍ରତି ଏକ ସକରାତ୍ମକ ମନୋଭାବ ନେଇ ଚାଲିଛନ୍ତି ।

ସୁପରଷ୍ଟାର ହ୍ରିତିକ ରୋଶନଙ୍କ ପିତା ତଥା ଚଳଚ୍ଚିତ୍ର ନିର୍ମାତା ରାକେଶ ରୋଶନ ମଧ୍ୟ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏନେଇ ହ୍ରିତିକ ତାଙ୍କ ପ୍ରଶଂସକମାନଙ୍କୁ କହିଥିଲେ। ୨୦୧୮ ମସିହାରେ ତାଙ୍କର ଗଳା କର୍କଟ ହୋଇଥିଲା କିନ୍ତୁ ଅସ୍ତ୍ରୋପଚାର ଏବଂ କେମୋଥେରାପି ପରେ ସେ ଏହି ବିପଜ୍ଜନକ ରୋଗକୁ ପରାସ୍ତ କରିଛନ୍ତି ।

ବରଫି, ଗ୍ୟାଙ୍ଗଷ୍ଟର ଏବଂ ଏକ ମେଟ୍ରୋ ଲାଇଫ୍ ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିବା ନିର୍ଦ୍ଦେଶକ ଅନୁରାଗ ବସୁ ୨୦୦୪ ମସିହାରେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ସବୁବେଳେ ସକାରାତ୍ମକ ମନୋଭାବ ରଖିଥିଲେ। ତାଙ୍କର ଚିକିତ୍ସା ସମୟରେ ସେ ଲାଇଫ୍ ଇନ୍ ମେଟ୍ରୋ ଏବଂ ଗ୍ୟାଙ୍ଗଷ୍ଟର ଭଳି ଚଳଚ୍ଚିତ୍ର ପାଇଁ ସ୍କ୍ରିପ୍ଟ ଲେଖିଥିଲେ ଏବଂ କିଛି ମାସ ପରେ ସେ କର୍କଟ ରୋଗକୁ ମଧ୍ୟ ପରାସ୍ତ କରିଥିଲେ। ଏବେ ସେ ଫିଲ୍ମ ଲୁଡୋକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି ।

Leave a Reply