ଗରିବଙ୍କୁ ସାହାଯ୍ୟ ବଦଳରେ ଟିକସରେ ରିହାତି ଦେବାକୁ SBIର ସରକାରଙ୍କୁ ପ୍ରସ୍ତାବ

1 min read

ନୂଆଦିଲ୍ଲୀ: କରୋନାରେ ପ୍ରଭାବିତ ହୋଇଥିବା ଗରିବ ପରିବାରଙ୍କ ପାଇଁ ସରକାର ନେଇଛନ୍ତି ନୂଆ ପଦକ୍ଷେପ । ଯଦି ଏହି ପଦକ୍ଷେପ କାର୍ଯ୍ୟକାରୀ ହୁଏ, ତେବେ ଏକାଧିକ ଗରିବ ପରିବାର ଲାଭବାନ ହୋଇପାରିବେ । କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଗରିବ ପରିବାର ଗୁଡ଼ିକୁ ଉପଯୁକ୍ତ ଆର୍ଥିକ ସହାୟତା ଦେବା ପାଇଁ ‘ପୋଷ୍ୟ ପରିବାର’ ସ୍କିମ ଘୋଷଣା କରିବାକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଛି । ଏହି ସ୍କିମ  କିପରି ଲାଗୁ କଲେ ସଫଳତା ମିଳିବ ତାହା ମଧ୍ୟ ଷ୍ଟେଟ ବ୍ୟାଙ୍କ ଜଣାଇଛି  ।

ପ୍ରସ୍ତାବ ଅନୁସାରେ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାର୍ଷିକ ଆୟ କରୁଥିବା ଧନୀ ଟିକସ ଦାତା ମାନେ ଗୋଟିଏ ଲେଖାଏଁ ଗରୀବ ପରିବାରକୁ ପୋଷ୍ୟ ଭାବରେ ଗ୍ରହଣ କରିବେ । ସେହି ପରିବାରକୁ ସେମାନେ ୫ ହଜାର ଟଙ୍କା ଦେବେ । ଏହିଭଳି ଭାବରେ ବର୍ଷକୁ ଗରିବ ପରିବାରଟି ୬୦ ହଜାର ଟଙ୍କା ପାଇପାରିବ । ସରକାରଙ୍କୁ ଏଥିପାଇଁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ କିମ୍ବା ଆର୍ଥିକ ବୋଝ ମୁଣ୍ଡାଇବାକୁ ପଡ଼ିବ ନାହିଁ ବୋଲି SBI ଇକୋରାପ ରିପୋର୍ଟ ରେ କୁହାଯାଇଛି । ତେବେ ଏହି ସ୍କିମକୁ ଇଚ୍ଛାଧିନ ରଖିବାକୁ କୁହାଯାଇଛି । ମାତ୍ର ଏହାମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଯଦି ଟିକସ ଦାତା ମାନଙ୍କୁ ପ୍ରୋତ୍ସାହନ ଦିଆନଯିବ ତେବେ ଏହି ସ୍କିମ ସଫଳ ହେବ ନାହିଁ ।

ରିପୋର୍ଟରେ କୁହାଯାଇଛି ଯେ, LPG Give Up ସ୍କିମ ଇଚ୍ଛାଧିନ ଥିଲା । ୧୦ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ଟିକସ ଦାତାଙ୍କୁ LPG ସବସିଡି ପରିହାର କରିବାକୁ କୁହାଯାଇଥିଲା । ପ୍ରାୟ ୩୦ କୋଟି ଟିକସ ଦାତା ସବସିଡି ପରିହାର କରିବାକୁ ଯୋଗ୍ୟ ଥିଲେ । ବହୁପ୍ରଚାର ସତ୍ତ୍ୱେ ଏକ କୋଟି ଲୋକ LPG ସବସିଡି ଛାଡିଛନ୍ତି । ତେଣୁ ଏହି ସ୍କିମରେ ରହିଥିବା ତୃଟିକୁ ନ ଦୋହରାଇ ଟିକସଦାତା ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ପରାମର୍ଶ ଦିଆଯାଇଛି ।

ଏହି ହିସାବ ଜରିଆରେ ଷ୍ଟେଟ ବ୍ୟାଙ୍କ ବୁଝାଇବାକୁ ପ୍ରୟାସ କରିଛି ଯେ, ଦେଶରେ ୭୦ ଲକ୍ଷ ଟିକସ ଦାତା ଅଛନ୍ତି ଯେଉଁମାନଙ୍କ ବାର୍ଷିକ ଆୟ ୧୦ ଲକ୍ଷରୁ ଅଧିକ । ଯଦି ଏହି ସ୍କିମ ୧୦ ପ୍ରତିଶତ ସଫଳ ହେବ ତେବେ ୭ ଲକ୍ଷ ପରିବାର ବା ୨୮ ଲକ୍ଷ ପରିବାର ସଦସ୍ୟ ଏହାଦ୍ୱାରା ଉପକୃତ ହୋଇପାରିବେ । ଟିକସ ଦାତାଙ୍କୁ ପ୍ରୋତ୍ସାହନ ଦେବା ପାଇଁ ସରକାରଙ୍କୁ ଆୟକର ନିୟମର ୮୦ ସି ରେ ମିଳୁଥିବା ଛାଡ଼ ଉପରେ ଆଉ ୫୦ ହଜାର ଟଙ୍କାର ଲାଭ ଦେବାକୁ ପଡ଼ିବ । ଏହି ସୁବିଧା ଦେଲେ ସରକାର ବର୍ଷକୁ ୧ ହଜାର ୫୦ କୋଟି ଟଙ୍କା ହରାଇବେ । ମାତ୍ର ୭ ଲକ୍ଷ ପରିବାରକୁ ସରକାର ଯଦି ବାର୍ଷିକ ୫୦ ହଜାର ଟଙ୍କାର ସହାୟତା ଦେଇଥାନ୍ତେ ତେବେ ସେ ବାବଦରେ ସରକାରଙ୍କୁ ଯଥେଷ୍ଟ ଅଧିକ ଅର୍ଥାତ ୩ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା ।

Leave a Reply