୭୫ ବର୍ଷ ଧରି ଅନ୍ନଜଳ ଛୁଇଁନଥିଲେ,୯୦ ବର୍ଷରେ ଦୁନିଆକୁ କହିଲେ ଅଲବିଦା

ଅହମ୍ମଦାବାଦ: ମେଡିକାଲ ସାଇନ୍ସ ପାଇଁ ରହସ୍ୟ ରହିଆସିଥିବା ପ୍ରହଲ୍ଲାଦ ଜନିଙ୍କର ମଙ୍ଗଳବାର ଦିନ ଦେହାନ୍ତ ହୋଇଯାଇଛି । ଗୁଜୁରାଟର ଅମ୍ବାଜୀ ଅଂଚଳରେ ରହୁଥିବା ୯୦ ବର୍ଷୀୟ ଜନୀ ବିଗତ ୭୫ ବର୍ଷ ଧରି ଖାଦ୍ୟ ଖାଉନଥିଲେ କି ପାଣି ପିଉନଥିଲେ । ଗତ କିଛି ଦିନ ଧରି ତାଙ୍କୁ କାସ ହେଉଥିଲା । ଏଥିପାଇଁ ତାଙ୍କର କରୋନା ଟେଷ୍ଟ୍ ମଧ୍ୟ ହୋଇଥିଲା । ତେବେ ଟେଷ୍ଟ ନେଗେଟିଭ୍ ଆସିଥିଲା । ମଙ୍ଗଳବାର ସକାଳରେ ଗାନ୍ଧିନଗରର ଚରବଡା ଗ୍ରାମରେ ସେ ଅନ୍ତିମ ନିଶ୍ୱାସ ନେଇଥିଲେ ।
ଜନୀଙ୍କ ମରଶରିରକୁ ଅନ୍ତିମଦର୍ଶନ ପାଇଁ ଅହମ୍ମଦାବାଦର ଅମ୍ବାଜୀ ମନ୍ଦିରରେ ଥିବ ତାଙ୍କ ଆଶ୍ରମରେ ରଖାଯାଇଛି । ଦୁଇ ଦିନ ପରେ ତାଙ୍କୁ ସମାଧୀ ଦିଆଯିବ । ୯୦ ବର୍ଷୀୟ ଜନୀ ୭୫ ବର୍ଷ ଧରି ଖାଦ୍ୟ ଖାଇନଥିଲେ କି ଜଳ ଗ୍ରହଣ କରିନଥିଲେ ।

୨୪ ଘଣ୍ଟା କ୍ୟାମେରା ନିରୀକ୍ଷଣରେ ଥିଲେ ବାବା
୭୫ ବର୍ଷ ଧରି ବିନା ଖାଦ୍ୟା ଓ ବିନା ଜଳରେ ଜଣେ ବ୍ୟକ୍ତି କେମିତି ବଞ୍ଚିପାରିବେ ? ଏହି ପ୍ରଶ୍ନ ଉଠିବା ପରେ ଅହମ୍ମଦାବାଦର ଷ୍ଟର୍ଲିଂ ହସ୍ପିଟାଲର ଚିକିତ୍ସକ,ପ୍ରତିରକ୍ଷା ଅନୁସଂଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ସହଯୋଗରେ ତାଙ୍କ ଉପରେ ଗବେଷଣା କରିଥିଲେ । ତାଙ୍କୁ ୨୪ ଘଣ୍ଟା ଧରି କ୍ୟାମେରା ନିରୀକ୍ଷଣରେ ରଖାଯାଇଥିଲା । ମୋଟ ୧୫ ଦିନ ପର୍ଯ୍ୟନ୍ତ ସେ ଡିଆରଡିଓ ନିରୀକ୍ଷଣରେ ରହିଥିଲେ । କିନ୍ତୁ ଏଥିରୁ କୌଣସି ଫଳାଫଳ ମିଳିନଥିଲା ।

ମହାକାଶଯାତ୍ରା ପାଇଁ ହୋଇଥିଲା ଗବେଷଣା
୧୫ ଦିନ ଭିତରେ ଜନୀ ଖାଦ୍ୟ ଓ ପାଣି ଛୁଇଁନଥିଲେ । ଏହା ମାନବ ଶରିରର ସିଷ୍ଟମ ହିସାବରୁ କୌଣସି ଚମତ୍କାରଠାରୁ କିଛି କମ ନଥିଲା । ଚିକିତ୍ସକଙ୍କ ଆଶା ଥିଲା ଯେ, ବିନା ଖାଦ୍ୟ ଓ ପାଣିରେ ବଂଚିବା ରହସ୍ୟ ଜଣାପଡିଲେ ମହାକାଶଯାତ୍ର,ଦୁର୍ଗମ ଅଂଚଳରେ ସୈନିକଙ୍କ ପାଇଁ ଉପଯୋଗୀ ହୋଇପାରିବ । କିନ୍ତୁ ବିଜ୍ଞାନ ଜନୀ ବାବାଙ୍କ ରହସ୍ୟ ଉପରୁ ପରଦା ହଟାଇ ପାରିନଥିଲା । ଆଉ ଏବେ ଜନୀଙ୍କ ନିଧନ ସହ ଏହି ରହସ୍ୟ ମଧ୍ୟ ସବୁଦିନ ପାଇଁ ରହସ୍ୟ ହୋଇ ରହିଗଲା ।

Leave a Reply