ନିୟମ ଉଲ୍ଲଘଂନକାରୀଙ୍କୁ କିଛି ଏଭଳି ଦଣ୍ଡ ଦେଲା ପୋଲିସ: ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍

ହାଇଦ୍ରାବାଦ/ଉତ୍ତରପ୍ରଦେଶ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହାକୁ ବ୍ୟାପିବାକୁ ରୋକିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ଚୀନରେ କରୋନାକୁ ରୋକିବା ଲାଗି ଲକ୍ ଡାଉନ୍ ବ୍ୟବସ୍ଥା ଆପଣାଇଥିବା ବେଳେ ଏବେ ଅନ୍ୟ ଦେଶ ତଥା ରାଜ୍ୟରେ ମଧ୍ୟ ସମାନ ଷ୍ଟ୍ରାଟେଜିକୁ ଆପଣାଇଛନ୍ତି ।

ରାଜଧାନୀ ଦିଲ୍ଲୀ ସମେତ ଓଡ଼ିଶା ଭଳି ଅନ୍ୟ କିଛି ରାଜ୍ୟ ମଧ୍ୟ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି । ହେଲେ କିଛି ଖାମଖିଆଲ ମନୋଭାବର ଲୋକେ ଏହାକୁ ହାଲୁକାରେ ନେଇଛନ୍ତି ଏବଂ ଅଯଥାରେ ଘରୁ ବାହାରକୁ ଆସୁଛନ୍ତି । ଯାହା ଦ୍ୱାର ସେମାନେ ନିଜ ପାଇଁ ଅନ୍ୟମାନଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରୁଛନ୍ତି । ଏଭଳି ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏହା ପରେ ଏଭଳି ନିୟମ ଉଲ୍ଲଘଂନକାରୀ ଗିରଫ ମଧ୍ୟ କରାଯାଉଛି । ଆଉ କିଛି ଜାଗାରେ ପୋଲିସ ଉଲ୍ଲଂଘନକାରୀଙ୍କୁ ଭିନ୍ନ ପ୍ରକାରରେ ଦଣ୍ଡିତ କରୁଛି ଯାହା ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ନିମୟ ଉଲ୍ଲଘଂନକାରୀଙ୍କୁ ଜନ ସଚେତନତା କାର୍ଯ୍ୟରେ ଲଗାଇଛି ପୋଲିସ । ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଘୋଷଣା କରାଯିବା ପରେ ଅଯଥାରେ ଘରୁ ବାହାରି ଆସିଥିବା ଲୋକଙ୍କୁ ଭିନ୍ନ ଭାବରେ ଦଣ୍ଡିତ କରିଛି  ହାଇଦ୍ରାବାଦ ପୋଲିସ ।  ସେମାନଙ୍କୁ ଛକ ଜାଗାରେ ପ୍ଳାକାର୍ଡ ଧରାଇ ଲୋକଙ୍କୁ ଜନ ସଚେତନତା କରାଉଛି ପୋଲିସ । ପ୍ଳାକାର୍ଡରେ ସ୍ୱଚ୍ଛତାରୁ ହିଁ ସୁରକ୍ଷାର ଆରମ୍ଭ , ମୁଁ ଲକ୍‌ ଡାଉନ୍‌କୁ ସମର୍ଥନ କରେ ଏବଂ ଅଯଥା ଘରୁ ନବାହାରିବାକୁ ବାର୍ତ୍ତା ଦିଆଯାଇଛି ।

ଅପରପକ୍ଷରେ ଉତ୍ତରପ୍ରଦେଶର ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ଜଣେ ନିୟମ ଉଲ୍ଲଂଘନକାରୀଙ୍କୁ ହାତରେ ପ୍ଳକାର୍ଡ ଧରାଇ ସର୍ବସମ୍ମୁଖରେ ଛିଡ଼ା କରାଇଛନ୍ତି । ଯେଉଁଥିରେ ‘ମୁଁ ସମାଜର ଶତ୍ରୁ, ମୁଁ ବିନା କାମରେ ବାହାରେ ବୁଲିବି ବୋଲି ଲେଖାଯାଇଛି ।

ହାଇଦ୍ରାବାଦ ଓ ଉତ୍ତରପ୍ରଦେଶ ପରେ ଓଡ଼ିଶା ପୋଲିସ ମଧ୍ୟ ସମାନ ପନ୍ଥା ଆପଣାଇଛି ।

Leave a Reply