ଆଜି ଓଡ଼ିଶା ତା’ କରୋନା ଯୋଦ୍ଧାଙ୍କୁ ଦେବ ନୀରବ ସମ୍ମାନ

1 min read

ଭୁବନେଶ୍ୱର:  କରୋନା ବିରୋଧରେ ଲଢେଇ ଚାଲିଛି । ଅଦୃଷ୍ୟ ଶତ୍ରୁ । ଅଦେଖା ଶକ୍ତି । ପୁରା ବିଶ୍ୱ ଭୟଭୀତ । ଲକ୍ଷାଧିକ ଲୋକଙ୍କ ଜୀବନ ନେଇଥିବା କରୋନା ମହାମାରୀ ମାନବ ଇତିହାସର ସବୁଠୁ ବଡ ଶତ୍ରୁ ଭାବେ ଉଭା ହୋଇଛି । ଛାମୁଆଁ ମୋର୍ଚ୍ଚାରେ ଏହାର ମୁକାବିଲା କରୁଛନ୍ତି ଫ୍ରଣ୍ଟଲାଇନ୍ ଯୋଦ୍ଧା । ଡାକ୍ତର,ନର୍ସ,ପାରାମେଡିକ୍,ସଫେଇ କର୍ମଚାରୀ । ଏସମସ୍ତେ ନିଜ ଜୀବନକୁ ବାଜିରେ ଲଗାଇ ଏମିତି ଗୋଟିଏ ଶତ୍ରୁ ବିରୋଧରେ ଯୁଦ୍ଧ ଲଢୁଛନ୍ତି ଯିଏ ଟିକିଏ ଅସାବଧନତାରେ ନେଇ ପାରେ ଜୀବନ । ନିଜ ପରିବାରକୁ ପଛରେ ରଖି ସାଧାରଣ ଲୋକଙ୍କ ପାଇଁ ଅହରହ ଦିନରାତି କାମ କରୁଥିବା କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଆଜି ସଂଧ୍ୟା ୬ଟାରେ ସମ୍ପୂର୍ଣ୍ଣ ଓଡ଼ିଶା ଦୁଇ ମିନଟ୍ ପାଇଁ ନୀରବ ପ୍ରାର୍ଥନା କରିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ମଙ୍ଗଳବାର ଦିନ ଆହ୍ୱାନ କରିଛନ୍ତି । ସେ କହିଥିଲେ ଯେ, ମାନବ ଜାତି ତାର ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ବର୍ତ୍ତମାନ ଗତି କରୁଛି। ଭାରତ ମଧ୍ୟ କୋଭିଡ ମହାମାରୀର ଭୟାବହତାର ଶିକାର ହୋଇଛି। ଭାରତରେ ପ୍ରତି ଦିନ ପଚାଶ ହଜାରରୁ ଅଧିକ ନୂଆ ସଂକ୍ରମଣ ଦେଖା ଦେଇଛି। ଗତ ୫ ମାସ ହେଲା ଆମେ କରୋନା ବିରୁଦ୍ଧରେ ଆମର ସଂଗ୍ରାମ ଜାରି ରଖିଛୁ ଏବଂ ଓଡିଶାର ଜନସାଧାରଣ ମଧ୍ୟ ଏହି ମହାମାରୀ ବିରୁଦ୍ଧରେ ଲଢେଇରେ ସାମିଲ ହୋଇଛନ୍ତି  । ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ ଏବଂ ପ୍ରତି ଲୋକର ଜୀବନ ରକ୍ଷା କରିବା ହେଉଛି ଆମର ମିଶନ। ହଜାର ହଜାର କୋଭିଡ ଯୋଦ୍ଧା ମାନଙ୍କର ପ୍ରତିବଦ୍ଧତା,ନିଷ୍ଠା ଓ  ଅହର୍ନିଶି ସେବା ଯୋଗୁ ଆଜି ଏହା ସମ୍ଭବ ହୋଇପାରିଛି। ଆମ ସମସ୍ତଙ୍କୁ ନିରାପଦ ରଖିବା ପାଇଁ ସେମାନେ ବିରାଟ ତ୍ୟାଗ ସ୍ବୀକାର କରୁଛନ୍ତି।  ଏହି ଭୟାନକ ଯୁଦ୍ଧରେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକ ସେମାନଙ୍କର ଜୀବନ ବଳିଦାନ ଦେଇଛନ୍ତି।

ଏହି ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବୁଧବାର ସଂଧ୍ୟା ୬ଟାରେ ଏକ ମିନଟ ନିରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ । ସେହି ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଯିଏ ଯେଉଁଠି ଥିଲେ ମଧ୍ୟ ନିରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି ।

ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସାଢେ ୪ କୋଟି ଓଡ଼ିଆ ନିଜ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବେ । ସେମାନଙ୍କ ତ୍ୟାଗ ଓ ସେବାକୁ ସ୍ମରଣ କରିବେ । ଗୋଟିଏ ବଡ ଶତ୍ରୁ ବିରୋଧରେ ଏକତ୍ର ଯୁଦ୍ଧ ଲଢିଲେ ହିଁ ବିଜୟ ମିଳେ । ଓଡ଼ିଶା କରୋନା ବିରୋଧରେ ଯୁଦ୍ଧ ଜିତି ପାରିବ ଯଦି ଏହା ମିଳିତ ଭାବେ ଏହି ଅଦୃଷ୍ୟ ଶକ୍ତିର ମୁକାବିଲା କରିବ ।

Leave a Reply