ବିଶ୍ୱ ମାନଚିତ୍ରରେ ଓଡ଼ିଶା ଏବେ ବ୍ରାଣ୍ଡେଡ୍ ସ୍ପୋର୍ଟ୍ସ ହବ୍

1 min read

ବିଶ୍ୱ ମାନଚିତ୍ରରେ ଓଡିଶା ଏବେ ଏକ ବ୍ରାଣ୍ଡେଡ ସ୍ପୋର୍ଟ୍ସ ହବ୍। ମନ୍ଦିର ମାଳିନୀ ଭୁବନେଶ୍ୱର ପାଇଛି ଦେଶର ପ୍ରମୁଖ ସ୍ପୋର୍ଟ୍ସ ଡେଷ୍ଟିନେସନର ମାନ୍ୟତା। ବଦଳିଛି ରୂପରେଖ ଆଗେଇଛି ସମୃଦ୍ଧି, ଆଉ ଏହାରି ମଧ୍ୟରେ ଓଡ଼ିଶାକୁ ମିଳିଛି ନୂଆ ଏକ ପରିଚୟ। କ୍ରୀଡ଼ାକୁ ନେଇ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛି ଓଡ଼ିଶା। ରାଜ୍ୟ ସରକାର ଅନେକ ଗେମ୍‌କୁ ପ୍ରଚାର ପ୍ରସାର କରିବା ସହ ସ୍ପୋର୍ଟ୍ସର ମାନ ବୃଦ୍ଧି କରିବାରେ ଲାଗି ପଡିଛନ୍ତି। ଅନେକ କ୍ରୀଡ଼ାକୁ ଶିଖରରେ ମଧ୍ୟ ପହଞ୍ଚାଇ ପାରିଛନ୍ତି ଓଡ଼ିଶା ସରକାର।

ଅଳ୍ପ କିଛି ଦିନ ମଧ୍ୟରେ ସାରା ବିଶ୍ୱରେ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ସୃଷ୍ଟି କରିଛି ଏକ ନୂଆ ଅଧ୍ୟାୟ। କ୍ରମାଗତ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ପ୍ରତିଯ଼ୋଗିତା ଆୟୋଜନ କରି ବିଶ୍ୱ କ୍ରୀଡ଼ା ଇତିହାସରେ ନିଜ ନାଁକୁ ସ୍ୱର୍ଣ୍ଣାକ୍ଷରରେ ଲେଖିଛି ଓଡ଼ିଶା।

ଏସିଆନ୍‌ ଆଥଲେଟିକ୍‌ ଚାମ୍ପିଅନସିପ,  ହକି ବିଶ୍ୱକପ, ଆଥଲେଟିକ୍‌ ମିଟ୍‌, ଏସିଆନ ରଗବୀ, ଆଇଏସଏଲ ଲିଗ୍‌, ଏଚଆଇଏଲ, ଓ୍ୱାର୍ଲ୍ଡ ହକି ଲିଗ, ଅନ୍ତର୍ଜାତୀୟ ଟେବୁଲ ଟେନିସ ପ୍ରତିଯ଼ୋଗିତା, ଚାମ୍ପିୟନ୍ସ ଟ୍ରଫି ଭଳି ଅନ୍ତର୍ଜାତୀୟ ପ୍ରତିଯ଼ୋଗିତାକୁ ସଫଳତାର ସହ ଆୟୋଜନ କରି ବିଶ୍ୱସ୍ତରରେ ଓଡ଼ିଶା ବେଶ ପ୍ରଶଂସା ସାଉଁଟିଛି।

ନିକଟରେ ଭିନ୍ନ ଭିନ୍ନ ସ୍ପୋର୍ଟ୍ସର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ସହ ଅନେକ କମ୍ପାନୀ ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ୟୁଥ ସ୍ପୋର୍ଟ୍ସ ଓ ଆଥଲେଟିକ୍ସ ପାଇଁ ରିଲାଏନ୍ସ ଗ୍ରୁପ ଓ ସୁଇମିଂ ପାଇଁ ଜେଏସଡବ୍ଲୁ , ବ୍ୟାଡମିଣ୍ଟନ ପାଇଁ ଡାଲମିଆ ଭାରତ ଗ୍ରୁପ,  ଭାରୋତ୍ତୋଳନ ପାଇଁ  ଆଲୁୱାଲିଆ ଗ୍ରୁପ, ସୁଟିଂ ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ ଏବଂ ହକି ପାଇଁ ଟାଟା ଗ୍ରୁପ ସହ ରାଜ୍ୟସରକାର ଏମଓୟୁ ସ୍ବାକ୍ଷରିତ ହୋଇଛି । କ୍ରୀଡ଼ାର ବିକାଶ ପାଇଁ ଏହି କଂପାନି ରାଜ୍ୟ ସରକାରଙ୍କ ସହାୟତାରେ ହାଇପର୍ଫରମାନ୍ସ ସେଣ୍ଟର ନିର୍ମାଣ କରିବା ସହ କ୍ରୀଡ଼ାର ବିକାଶ ପାଇଁ ଅନେକ ଯୋଜନା ହାତକୁ ନେଇଛି।

ଓଡ଼ିଶା ସରକାରଙ୍କ କ୍ରୀଡ଼ାପ୍ରତି ଥିବା ଭଲପାଇବା ଓ ଆଗ୍ରହ ଦେଖି କେନ୍ଦ୍ରସରକାର ଭୂରିଭୂରି ପ୍ରଶାଂସ କରିବା ସହ ବିଶ୍ୱସ୍ତରରେ ମଧ୍ୟ ପ୍ରଶଂସା ହାତେଇଛି। କିଛିଦିନ ପୂର୍ବେ ଅନ୍ତର୍ଜାତୀୟ ହକି ଫେଡରେସନର ସଭାପତି ନରିନ୍ଦର ବାତ୍ରା କହିଥିଲେ, ଯ଼ଦି ହିନ୍ଦୁସ୍ଥାନକୁ ସ୍ପୋର୍ଟ୍ସରେ ଅଗ୍ରଗତି କରିବାର ଅଛି ତେବେ ଓଡ଼ିଶା ଠାରୁ ଶିଖିବାର ଅଛି। କ୍ରୀଡ଼ା ପାଇଁ ଏବେ ଓଡ଼ିଶା ସରକାର ଯେଉଁଭଳି ପଦକ୍ଷେପ ଉଠାଇଛନ୍ତ ଏହାକୁ ଦେଶର ସବୁ ରାଜ୍ୟ ଅନୁସରଣ କରିବା ଉଚିତ।

ସେପଟେ ହକିର ଲୋକପ୍ରିୟତା କେବଳ ଦେଶ ନୁହେଁ ବିଶ୍ୱସ୍ତରରେ ବୃଦ୍ଧି ପାଇଛି, ଏହାର ଶ୍ରେୟ କେବଳ ଓଡ଼ିଶାକୁ ଯିବ। ହକି ବିଶ୍ୱକପ ସହ ଅନେକ ବଡ଼ ବଡ଼ ଅନ୍ତର୍ଜାତୀୟ ହକି ପ୍ରତିଯ଼ୋଗିତା ଆୟୋଜନ କରି ଓଡ଼ିଶା ସରକାର ହକିକୁ ଶିଖରରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ବିଶ୍ୱର ନାମକରା ହକି ପ୍ଲେୟାରଙ୍କର ପସନ୍ଦର ଷ୍ଟାଡିୟମ ପାଲଟିଛି କଳିଙ୍ଗ ଷ୍ଟାଡିୟମ୍‌। ମାତ୍ର 2ରୁ 3 ବର୍ଷ ମଧ୍ୟରେ ଏକ ଅନ୍ତର୍ଜାତୀୟ ସ୍ତରର ଷ୍ଟାଡିୟମ ଓ ପରିବେଶ ସୃଷ୍ଟି କରି ବିଶ୍ୱରେ ଚହଳ ପକାଇ ପାରିଛି ଓଡ଼ିଶା।

ଓଡ଼ିଶାରେ କ୍ରୀଡ଼ାର ପ୍ରକୃତ ବିକାଶ ଏସିୟାନ୍‌ ଆଥଲେଟିକ୍‌ ଚାମ୍ପିୟନସିପ ସମୟରୁ ଦ୍ରୁତଗତିରେ ବୃଦ୍ଧି ପାଇଥିଲା। ଯେତେବେଳେ 6ରୁ ଅଧିକ ରାଜ୍ୟ ଖୁବ୍‌ କମ୍‌ ସମୟ ମଧ୍ୟରେ ଏସିୟାନ୍‌ ଆଥଲେଟିକ୍‌ ଚାମ୍ପିୟନସିପର ଆୟୋଜନ କରିବାକୁ ମନା କରିଦେଇଥଲେ, ସେତେବେଳେ ଏ ବଡ଼ ଦାୟିତ୍ୱ ନେଇଥିଲେ ଓଡ଼ିଶା ସରକାର।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ଇଚ୍ଛା ଶକ୍ତି ବଳରେ ମାତ୍ର 90 ଦିନରେ ପ୍ରସ୍ତୁତ ହେଲା ପରିବେଶ ଏବଂ 2017 ଜୁଲାଇ ମାସରେ ସଫଳତାର ସହ ଆୟୋଜନ ହେଲା 22 ତମ ଏସିଆନ୍‌ ଆଥଲେଟିକ୍‌ ଚାମ୍ପିଅନସିପ୍‌। ସାରା ବିଶ୍ୱରେ ଭାରତର ନାଁକୁ ଆହୁରି ଚମକାଇଲା ଓଡ଼ିଶା।

ଏହାପରେ ଓଡ଼ିଶା ଆଉ ପଛକୁ ଚାହିଁ ନଥିଲା। ଇଣ୍ଡିଆନ୍‌ ହକି ଲିଗ୍‌ ଓ ଓ୍ବାଲର୍ଡ ହକି ଲିଗର ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଲା କଳିଙ୍ଗ ଷ୍ଟାଡିୟମରେ। ଏହାର କିଛି ଦିନ ମଧ୍ୟରେ ଭାରତୀୟ ପୁରୁଷ ଓ ମହିଳା ହକିର ପ୍ରାୟୋଜକ ହେଲା ଓଡ଼ିଶା।  5 ବର୍ଷ ପାଇଁ ମୁଖ୍ୟ ପ୍ରାୟୋଜକର ଦାୟିତ୍ୱ ଗ୍ରହଣ କଲା। ଓଡ଼ିଶା ଲେଖାଥିବା ଜର୍ସି ପିନ୍ଧି ସାରା ବିଶ୍ୱରେ ଖେଳିଲେ ଭାରତୀୟ ଖେଳାଳି। ପୂର୍ବରୁ ଯେଉଁ ଓଡ଼ିଶାରୁ ଦିଲ୍ଲୀପ ତୀର୍କିଙ୍କଠାରୁ ଆରମ୍ଭ କରି ଇଗନେସ୍‌ ତୀର୍କି, ପ୍ରବୋଧ ତୀର୍କୀ, ଲାଜାରୁସ ବାର୍ଲାଙ୍କ ଭଳି ଅନ୍ତର୍ଜାତୀୟ ଖେଳାଳି ବାହାରିଛନ୍ତି ଏବେ ସେହିଠାରେ ହିଁ ହୋଇଛି ହକି ଡେଷ୍ଟିନେସନ୍‌।

ଏହାରି ଭିତରେ କଳିଙ୍ଗରେ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରର ଏକ ବଡ଼ ପ୍ରତିଯ଼ୋଗିତା ହେବାକୁ ଯାଉଛି। ଏଫଆଇଏଚ୍‌ ଅଲିମ୍ପିକ ହକି  କ୍ୱାଲିଫାୟାର୍ସ ଆୟୋଜନର ଭାର ଓଡ଼ିଶା ଉପରେ ରହିଛି। ଓଡ଼ିଶାର କଳିଙ୍ଗ ଷ୍ଟାଡ଼ିୟମରେ ଏହି ପ୍ରତିଯ଼ୋଗିତା ଖେଳାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଭାୟା କଳିଙ୍ଗ ଷ୍ଟାଡିୟମ ଦେଇ ଉଭୟ ପୁରୁଷ ଓ ମହିଳା ଭାରତୀୟ ହକି ଟିମ୍‌ ଟୋକିଓ ଅଲିମ୍ପିକ ପାଇଁ ଟିକେଟ୍‌ ପାଇବାକୁ ଆଶା ରାଖଛନ୍ତି, ଯେଉଁ ପ୍ରତିୟୋଗିତା ନଭେମ୍ବର 1 ଓ 2 ତାରିଖରେ  ଖେଳାଯିବ।

ଏହା ପୂର୍ବରୁ ଚଳିତ ମାସରେ କଳିଙ୍ଗ ଷ୍ଟାଡ଼ିୟମରେ ଆଇଏସଏଲ ଫୁଟବଲ୍‌ ଖେଳାଯିବ। ପ୍ରଥମ ଥର ପାଇଁ ଓଡ଼ିଶାର ନିଜସ୍ୱ ଫ୍ରାଞ୍ଚାଇଜ୍‌ ଓଡ଼ିଶା-FC ଏଥର ଆଇଏସଏଲରେ ଅଶଂଗ୍ରହଣ କରିବାକୁ ଯାଉଛି।

ସବୁଠୁ ବଡ଼କଥା ପରବର୍ତ୍ତୀ ହକି ବିଶ୍ୱକପ ପାଇଁ ମଧ୍ୟ ଭାରତ ପୁଣି ଥରେ ଦୃଢ ଦାବିଦାର ରହିଛି। ଉଭୟ ପୁରଷ ଓ ମହିଳା ବିଶ୍ୱକପ ପାଇଁ ଭାରତରେ ଆୟୋଜନ କରିବା ପାଇଁ ଅନ୍ତର୍ଜାତୀୟ ହକି ଫେଡରେସନ ବିଚାର କରୁଛି। ଯଦି ଦୁଇଟି ବର୍ଗର ବିଶ୍ୱକପ ଭାରତରେ ନହୁଏ ତେବେ ଗୋଟିଏ ବିଶ୍ୱ କପକୁ ହୋଷ୍ଟ କରିବାକୁ ଦାୟିତ୍ୱ ମିଳିପାରେ। ଯଦି ସେମିତି ହୁଏ ତେବେ ପୁଣି ଥରେ କଳିଙ୍ଗ ଷ୍ଟାଡ଼ିୟମରେ ଏହା ଅନୁଷ୍ଠିତ ହେବ, ଏଥିରେ ସନ୍ଦେହ ନାହିଁ ବୋଲି କୁହାଯାଉଛି।

ଗତ ହକି ବିଶ୍ୱକପ୍ ଯେଉଁ ଭଳି ସଫଳତାର ଆୟୋଜନ କରାଗଲା ତାହା ନିଶ୍ଚିତ ଭାବେ ସାରା ବିଶ୍ୱକୁ ଚକିତ କରିଥିଲା। ଅନ୍ତର୍ଜାତୀୟ ହକି ଫେଡରେସନ ବି ମାନିଥିଲା ଯେ ଏଭଳି ବିଶ୍ୱକପ ପୂର୍ବରୁ କେବେ ଆୟୋଜନ ହୋଇନାହିଁ। ଏହି ଦୃଷ୍ଟିରୁ କଳିଙ୍ଗରେ ପୁଣିଥିରେ ଆଗମୀ ବିଶ୍ୱକପ ଆୟୋଜନ କରାଯିବା ସଂଭାବନାକୁ ଏଡ଼ାଇ ଦିଆଯିଇପାରିବ ନାହିଁ।

ଭୁବନେଶ୍ୱରରୁ ଦେବୀପ୍ରସନ୍ନ ପାଣିଗ୍ରାହୀ  ')}

Leave a Reply